ନୀତିକଥା

ଲୋଭ ଲାଗି ମରଣ

Basudev Mohapatra's odia Neeti Katha Lobha Laagi Marana

ଥୋପ ଲୋଭରେ ମାଛ ବନଶୀ କଣ୍ଟାକୁ ଗିଳି ମରେ । ଏଥିରୁ ବୁଝ ଯେ.ଲୋଭରେ ପଡ଼ି କୌଣସି କାମ କଲେ ତୁମର ଅନିଷ୍ଟ ହେବ ।

ଲୋଭ ଲାଗି ମରଣ

ପାହାଡ ତଳେ ମସ୍ତବଡ ପୋଖରୀଟିଏ । ଖରାବରଷା ବାରମାସ ସେଥିରେ ପାଣି ଭାରି ରହିଥାଏ । ତା’ ଭିତରେ ରହୁଥିଲେ ଅକଳନା ମାଛ । ସବୁ ମାଛ ଏକା ଜାତିର ନ ଥିଲେ । ପଚାଶ କି ଷାଠିଏ ଜାତିର ମାଛ ଥିଲେ । ପ୍ରତି ଜାତିର ମାଛଙ୍କର ଜଣେ ମୁଖିଆ ଥିଲେ । ମାଛମାନେ ନିଜ ନିଜ ମୁଖିଆଙ୍କ କଥା ମାନି ଚଳୁଥିଲେ ।

ମୁଖିଆ ମାଛ ମାନେ ନିଜକୁ ବଡ଼ ମନେ କରୁଥିଲେ । କେହି କାହାର କଥା ମାନୁ ନ ଥିଲେ । ନିଜ ନିଜ ଭିତରେ କଳହ କରୁଥିଲେ । ବେଳେ ବେଳେ ଭିନ୍ନ ଭିନ୍ନ ଜାତିର ମାଛଙ୍କ ଭିତରେ ଲଢ଼େଇ ଲାଗି ଯାଉଥିଲା । ଏଇ ଲଢେଇରେ ଅଯଥା ଶହ ଶହ ମାଛ ମରିଯାଉଥିଲେ ।

ଦିନେ ମୁଖିଆ ବାଳିଆ ମାଛ କହିଲା – ମୁଖିଆମାନଙ୍କ ଭିତରେ ଲଢ଼େଇ ଠିକ ନୁହେଁ । ଏ ଲଢ଼େଇ ନ ହେବା ପାଇଁ ଗୋଟିଏ ଉପାୟ ଅଛି । ଚାଲ, ସବୁ ମୁଖିଆ ଭିତରୁ ଜଣକୁ ଆମେ ରାଜା ରୂପେ ବାଛିନେବା । ରାଜା କଥା ମାନି ସବୁ ମୁଖିଆ ଚାଲିବେ । ତେଣିକି ଆଉ କୌଣସି ଗୋଳମାଳ ରହିବ ନାହିଁ ।

ତେବେ କେଉଁ ମୁଖିଆ ମାଛ ରାଜା ହେବ ? ଏ ବିଷୟରେ ମୁଖିଆ ମାନେ ମୁଣ୍ଡ ଖେଳାଇଲେ । ରୋହି ମୁଖିଆ କହିଲା – ଗୋଟିଏ କାମ କରିବା । ଆମ ଭିତରୁ ସବୁଠାରୁ ବଳୁଆ । ବୁଦ୍ଧିମାନ ମୁଖିଆଙ୍କୁ ଆମେ ରାଜା କରିଦେବା ।

କଥାଟା ସମସ୍ତଙ୍କ ମନକୁ ପାଇଲା । ସବୁଠାରୁ ବଳୁଆ ଥିଲା ଇଲିଶି ମୁଖିଆ । ହେଲେ ସେ ସବୁଠାରୁ ବୁଦ୍ଧିମାନ କି ନାହିଁ,ଜଣାଯିବ କେମିତି ? ମାଗୁର ମୁଖିଆ ଭାରି ଚତୁର ଥିଲା । ସେ କହିଲା ମନ କଥା ଶୁଣ । ଆମେ ସଭିଏଁ ହେଲେ ମାଛ । ବୁଝିବାକୁ ଗଲେ ଆମେ ସମସ୍ତେ ଗୋଟିଏ ଜାତିର । ସଭିଏଁ ପାଣି ଭିତରେ ରହୁଥାଉଁ । ଆମେ କାହାରି କ୍ଷତି କରୁନାହିଁ । ହେଲେ କୁମ୍ଭୀର, ସାପ, ବଗ, ଓଧ, ମଣିଷ ଆଦି ଜୀବମାନେ ଆମକୁ ମାରି ଖାଇବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି । ଏ ବିପଦରୁ ଆମକୁ ରକ୍ଷା ପାଇବା ଉପାୟ ଯେଉଁ ମୁଖିଆ ବତାଇଦେବା, ସେ ଆମ ରାଜା ହେବ ।

ବାଳିଆ ମୁଖିଆ କହିଲା – କୁମ୍ଭୀର, ସାପ, ଓଧ ଆଦି ପାଣିରେ ପଶି ଆମକୁ ଖାଉଛନ୍ତି । ଏଥିରୁ ରକ୍ଷା ମିଳିବ କିପରି ?

ଇଲିଶି ମୁଖିଆ କହିଲା – ଶତ୍ରୁ ଯଦି ବେଶୀ ବଳୁଆ, ତା’ସହିତ ଲଢ଼େଇ ନ କରି ଅନ୍ୟ ସ୍ଥାନକୁ ଚାଲିଯିବା ଉଚିତ । ଆମେ ପାଖ ପୋଖରୀକୁ କିଛି ସମୟ ପାଇଁ ଚାଲିଯିବା ।

ଶେଉଳ – ଠିକ ଅଛି । ଆଉ ମଣିଷ ଯଦି ଜାଲ ପକାଏ, ଆମେ କରିବା କ’ଣ ?

ଇଲିଶି ମୁଖିଆ କହିଲା – ତା’ ଉପାୟ କ’ଣ ନାହିଁ ? ଆମେ ପୋଖରୀ ତଳେ ଥିବା ପଙ୍କ ଉପରେ ଲାଖି ରହିଯିବା । ତା’ହେଲେ ଜାଲରେ ପଡ଼ିବା ନାହିଁ । ଏହାର ଆଉ ଗୋଟିଏ ଉପାୟ ଅଛି । ଏ ପୋଖରୀ ମଝିରେ ଥିବା ଖାଲୁଆ ଜାଗାରେ ଲୁଚିଗଲେ ଆମେ ଜାଲରେ ପଡ଼ିବା ନାହିଁ ।

ସେଠୁ କଉ ମୁଖିଆ ପଚାରିଲା – ମଣିଷ ବହୁତ ଚତୁର ଜାଲରେ ନ ପଡ଼ିଲେ ବନଶୀ ପକାଇ ଆମକୁ ମାରିବ । ଏଥକୁ ଉପାୟ କ’ଣ ?

ଇଲିଶି ମୁଖିଆ କହିଲା – ବନଶୀ କଣ୍ଟାରେ ଲାଗିଥିବା ଆହାରକୁ ଦେଖି ଲୋଭେଇ ଯିବା ଠିକ ନୁହେଁ । ଥୋପ ଲୋଭରେ ହିଁ ଆମେ ବନଶୀ କଣ୍ଟା ଗିଳି ମରୁ । ତା’ ଠାରୁ ଦୂରେଇ ରହ କିଛି ବିପଦ ପଡ଼ିବ ନାହିଁ ।

ତା’ପରେ ତୋଡ଼ି ମୁଖିଆ ପଚାରିଲା – ବଗ, ମାଛରଙ୍କା ଆଦି ପକ୍ଷୀ ଆମକୁ ହଠାତ ଧରି ଖାଉଛନ୍ତି । ତା;ଉପାୟ କ’ଣ ?

ଇଲିଶି ମୁଖିଆ କହିଲା – ଶତ୍ରୁ ପ୍ରତି ସବୁବେଳେ ସାବଧାନ ରହିବ । ବିପଦରୁ ରକ୍ଷା ପାଇବାର ମୂଳ ଉପାୟ ଏଇଟି ।

ଇଲିଶି ମୁଖିଆ ବହୁତ ବଳୁଆ ଓ ବୁଦ୍ଧିମାନ ଥିବାରୁ ମୁଖିଆମାନେ ତାକୁ ମାଛରଜା ରୂପେ ବାଛିଲେ । ରାଜା ହେବା ପରେ ଇଲିଶି କହିଲା – ଦେଖ , ସବୁଠାରୁ ବଡ଼ ବିପଦ ହେଲା ଆମର ଲୋଭ । ତେଣୁ ଲୋଭରେ ପଡି କିଛି କରିବ ନାହିଁ ।

ତେଣିକି ମାଛରୱାଜାର କଥା ମାନି ସବୁ ମାଛ ଚାଲିଲେ । ଦିନେ କେଉଟମାନେ ଆସି ସେଇ ପୋଖରୀରେ ଜାଲ ପକାଇଲେ । ହେଲେ ଜାଲରେ ଗୋଟିଏ ବି ମାଛ ପଡିଲା ନାହିଁ । ସେମାନେ ମନ ଦୁଃଖରେ ଘରକୁ ଫେରିଗଲେ । ତା’ପରେ ଜଣେ କେଉଟ ବନଶୀ ନେଇ ଆସିଲା । ତା’ କଣ୍ଟାରେ ଗୁଲୁଗୁଲିଆ ଜିଆଟିଏ ଖୁଞ୍ଚି ଦେଇଥାଏ । ଜିଆଟି ଛଟପଟ ହେଉଥାଏ । କେଉଟ ତାକୁ ପୋଖରୀ ଭିତରେ ଛାଡ଼ିଦେଲା ।

ତା’ ଦେଖି ଗଡ଼ିଶା ମାଛଟିଏ ସେ ଆଡ଼କୁ ପହଁରି ଆସିଲା । ତା’ ବଡ଼ ଭାଇ ତାକୁ କହିଲା – ଦେଖ, ଥୋପ ଲୋଭରେ ଆଗକୁ ଯା’ନି । ଗଲେ ବିପଦ ।

ଗଡ଼ିଶା ବଡ଼ଭାଇ କଥା ନ ଶୁଣି ଲୋଭରେ ଥୋପ ଗିଳିଦେଲା । ଥୋପାର କଣ୍ଟା ତା’ ତଣ୍ଟିରେ ଗଳିଗଲା । ସେ ଛଟପଟ ହୋଇ କେଉଟ ହାତରେ ପଡ଼ି ମଲା ।

ମହା ଭାରତରେ ବିଦୁର କହିଛନ୍ତି

ଗିଳଇ ବନଶୀ କଣ୍ଟାକୁ
ଥୋପ ଲୋଭରେ ମାଛ ,
ମରଣ କରଇ ବରଣ
ନ ଭାବି ଆଗପଛ ।

ଭକ୍ଷୋତ୍ତମ ପ୍ରତିଚ୍ଛନଂ ମତ୍ସ୍ୟୋ ବଡ଼ିଶମାୟସମ ।
ଲୋଭାଭିପାତୀ ଗ୍ରସତେ ନାନୁବନ୍ଧମବେକ୍ଷତେ ।।

ନୀତିକଥା – ଥୋପ ଲୋଭରେ ମାଛ ବନଶୀ କଣ୍ଟାକୁ ଗିଳି ମରେ । ଏଥିରୁ ବୁଝ ଯେ.ଲୋଭରେ ପଡ଼ି କୌଣସି କାମ କଲେ ତୁମର ଅନିଷ୍ଟ ହେବ ।

To Top