ନୀତିକଥା

ନେଉଳ ବଇଦ

Basudev Mohapatra's odia Neeti Katha Neula Baida

ଗରିବ କୋଟିପତି ହେବାକୁ ଆଶା କରିବା ଠିକ୍‌ ନୁହେଁ । ଦୁର୍ବଳ ଲୋକ ସବଳ ଲୋକ ଉପରେ ରାଗିବା ଠିକ୍‌ ନୁହେଁ । ଏ ଦୁଇ ପ୍ରକାର ଲୋକ ନ ହେବା କଥା ଚିନ୍ତା କରି ନିଜ ଦେହକୁ ଦୁର୍ବଳ କରି ଦିଅନ୍ତି ।

ନେଉଳ ବଇଦ

ମସ୍ତବଡ଼ ବଣ । ତା’ଭିତରେ ଥିଲା ପଶୁରାଜ ସିଂହର ଉଆସ । ଏଇ ଉଆସର ଭାରି ନାଁ ଥିଲା ତା’ ଭଣ୍ଡାର ଘର ଲାଗି । ଏହି ଭଣ୍ଡାର ଘରେ ହୀରା, ନୀଳା, ମୋତି, ମାଣିକ୍ୟ, ଗହଣାଗାଣ୍ଠି ଭରି ହୋଇ ରହିଥିଲା । ଏସବୁ ଦେଖିଲେ ସେଠାରୁ ଆଖି ଫେରାଇ ଆଣି ହେବ ନାହିଁ ।

ଦିନେ ସେହି ବଣରେ ରହୁଥିବା ମୂଷାର ଝିଅଟିଏ ତା’ ମା’କୁ କହିଲା – ମା, ରଜାଘର ଉଆସ ଓ ଭଣ୍ଡାର ଘର ଦେଖିବାକୁ ମୋର ଭାରି ଇଚ୍ଛା । ମୋତେ ଟିକେ ସେପଟେ ବୁଲାଇ ନେଇ ଆସିବୁନି ?

ମା’ମୂଷା ଝିଅର କଥା ଶୁଣି ତାକୁ ଦିନେ ରଜାଘର ଉଆସକୁ ନେଇଗଲା । ମୂଷାଝିଅ ଉଆସ ଦେଖି ଦେଖି ଭାରି ଖୁସି ହେଲା । ଶେଷରେ ସେମାନେ ଭଣ୍ଡାର ଘର ଦେଖିଲେ । ମୂଷାଝିଅ ଗୋଟିଏ ହୀରା ହାର ଦେଖିଲା । ତାହା ଅନ୍ଧାରରେ ଚିକମିକ କରୁଥାଏ । ସେ କହିଲା -ମା’ ଏଇ ହାରଟି ମୁଁ ପିନ୍ଧିବି । ଏଇଟି ମୋତେ ଭଲ ମାନିବ ।

ମା’ମୂଷା କହିଲା – ଚୁପ କର ! ଏସବୁ ହେଲା ରାଜାଘର ଜିନିଷ । ତୋତେ ଦେବ କିଏ ?

ସେମାନେ ଘରକୁ ଫେରିଆସିଲେ । ହେଲେ ସେହି ଦିନଠାରୁ ମୂଷାଝିଅର ମନ ସେଇ ହୀରାହାରରେ ଲାଖି ରହିଲା । ଏଇ କଥା ଭାବି ଭାବି ଖିଅପିଆରେ ମନ ଦେଲା ନାହିଁ । ଦିନ କେତେଟାରେ ତା’ଦେହ ଶୁଖି କଣ୍ଟା ହୋଇଗଲା । ତାହା ଦେଖି ମା’ମୂଷା ଆଖିରୁ ଲୁହ ଗଡୁଥାଏ ।

ଦିନେ ମା’ମୂଷା ନେଉଳ ଘରକୁ ଗଲା । ନେଉଳ ଥିଲା ପଶୁଜାତିର ବଇଦ । ତାକୁ ଝିଅ କଥା କହିଲା । ଘରକୁ ଯିବା ପାଇଁ ଡାକିଲା ।

ନେଉଳ ମୂଷା ସାଥିରେ ତା’ଘରକୁ ଆସି ଦେଖିଲା, ମୂଷାଝିଅର ଦେହ ଶେଜରେ ଲାଗି ଗଲାଣି । ସବୁ କଥା ପଚାରି ବୁଝିଲା । ତା’ପରେ କହିଲା – ୟା ଦେହରେ ରୋଗର କୌଣସି ଲକ୍ଷଣ ନାହିଁ । ଏହା ମନର ରୋଗ । ଏ ରୋଗକୁ ଔଷଧ କାମ ଦେବ ନାହିଁ ।

ମା ମୂଷା ପଚାରିଲା – ତାହାହେଲେ ଏ ରୋଗ ଭଲ ହେବ କେମିତି ?

ନେଉଳ ମୂଷାଝିଅକୁ କହିଲା – ଆଲୋ ଝିଅ, ମୁଁ ଯାହା କହୁଛି, ମନ ଦେଇ ଶୁଣ୍‌ । ତୁ ଜାତିରେ ହେଲୁ ମୂଷା । ଗରିବଠଉଁ ଗରିବ । ତୋ’ଘର କଥାକୁ ଦେଖି ତୁ ଚଳିବା କଥା । ରଜାଘର ଧନରତ୍ନ ପାଇବାକୁ ତୁ ମନ ବଳାଉଛୁ କାହିଁକି ? ତୁ କହିବୁ, ଆକାଶର ଚାନ୍ଦଟା ତୋ ହାତରେ ପଡୁ । ତାହା ହୋଇପାରିବ କି ? କଦାପି ନୁହେଁ । ଯାହା ପାଇବୁ ନାହିଁ ତାହା ଚାହିଁବୁ ନାହିଁ । ଏତିକି ମନେରଖ । ଆଜିଠାରୁ ହୀରହାର କଥା ଭୁଲି ଯା ‘ । ତାହାହେଲେ ତୋ’ ଦେହ ପୂରା ଭଲ ହୋଇଯିବ ।

ମୂଷାଝିଅ ଏଣିକି ଅନ୍ୟଆଡ଼େ ମନ ଦେଲା । ହୀରାହାର କଥା ମନକୁ ନେଲା ନାହିଁ । ତା’ଦେହ ଧୀରେ ଧୀରେ ଭଲ ହୋଇଗଲା । ମା’ମୂଷାର ମନ ଭାରୀ ଖୁସି । ସେ ନେଉଳ ବ ଇ ଦ କୁ ଧନ୍ୟ ଧନ୍ୟ କଲା । ତା’ଲାଗି ତା’ଝିଅ ବଞ୍ଚିଲା ସିନା !

ଦିନେ ମା’ମୂଷା ତା ଝିଅକୁ ନେଇ ନେଉଳ ଘରକୁ ବୁଲି ଗଲା । ନେଉଳ ଦେଖିଲା, ମୂଷାଝିଅ ବେଶ ଗୋଲଗାଲ ଦିଶୁଛି । ମା’ମୂଷା ନେଉଳକୁ ପୋଡ଼ପିଠାଟିଏ ଭେଟି ଦେଲା । ଏତିକିବେଳେ ବୁଢୀ ହେଟା ନେଉଳ ଦୁଆରରେ ପହଞ୍ଚି ଡାକ ଛାଡିଲା ବ ଇ ଦ ବାବୁ ! ହୋ ବ ଇ ଦ ବାବୁ !!

ନେଉଳ ବାହାରକୁ ଆସି ପଚାରିଲା – ତୁମର କ’ଣ ହୋଇଛି, ହେଟା ମାଉସୀ ?

ବୁଢୀ ହେଟା କହିଲା – ମୋ ସାନପୁଅର ଦେହ ଭଲ ନାହିଁ । ମୋ ଘରକୁ ଚାଲ । ପୁଅକୁ ଟିକିଏ ଦେଖି ଆସିବ ।

ମା’ମୂଷା ଝିଅ ସହିତ ତ’ଘରକୁ ଚାଲିଗଲା । ଏଣେ ବୁଢୀ ହେଟା ସାଥିରେ ନେଉଳ ତା ‘ ଘରକୁ ଗଲା । ଦେଖିଲା ଯୁଆନ ହେଟାଟା ଶୁଖି କଣ୍ଟା ହୋଇଗଲାଣି । ସେ ବୁଢୀ ହେଟାକୁ ପଚାରିଲା – ଏ କ’ଣ ଚାଲବୁଲ କରିପାରୁନି ?

ବୁଢୀ ହେଟା କହିଲା – ଗଲା ସନ ଦିନେ ଏ ପାହାଡ଼ ତଳେ ବୁଲୁଥିଲାବେଳେ ପାହାଡ଼ ଉପରୁ ପଥରଟିଏ ଗଡିଆସି ୟା ଗୋଡ଼କୁ ଚାପିଦେଲା । ସେଇ ଦିନଠାରୁ ଏହାର ଗୋଡ ଛୋଟା ହୋଇଗଲା । ଛୋଟା ହେବା ପରଠାରୁ ଏହାର ସ୍ଵଭାବ ବଦଳିଗଲା । ସବୁବେଳେ ଚିଡ଼ିଚିଡ଼ି ହେଉଛି । ଅନ୍ୟକୁ ମାରି ଗୋଡ଼ାଉଛି । ଗୋଡ଼ାଇବା ବେଳେ ତଳେ ପଡ଼ିଯାଉଛି । ଆଉ ତାପରେ ଭୀଷଣ ରାଗି ଉଠୁଛି । ବଡ଼ସାନ କାହାରି କଥା ମାନୁନାହିଁ ।

ନେଉଳ ପଚାରିଲା – ଛୋଟା ହେବା ଆଗରୁ କ’ଣ ଏ ଏମିତି ରାଗୁ ନ ଥିଲା ?

ବୁଢୀ ହେଟା କହିଲା – ନା, ଆଗେ ଜମା ରାଗୁ ନ ଥିଲା । ହଁ ଗଲା କାଲିର କଥା ଶୁଣ । ଏ ଟୋକା ତା’ବଡ଼ଭାଇ ଉପରେ ରାଗି ତାକୁ କାମୁଡ଼ିବାକୁ ଯାଉଥିଲା । ଏ ତାକୁ ପାରିବ ? ସେ ଆଙ୍ଗୁଠିରେ ଟିକେ ଠେଲିଦେଲେ ଏ ପଡିଯିବ ।

ନେଉଳ ସବୁ କଥା ଶୁଣି ଛୋଟା ହେଟାକୁ କହିଲା – କିରେ, ତୁ ଏମିତି କାହିଁକି ହେଉଛୁ ? ତୋ ଦେହରେ ବଳ ନାହିଁ । ଏଣେ ଛୋଟା ହେବାରୁ ଭଲଭାବେ ଚାଲିପାରୁ ନାହୁଁ । ମିଛରେ ଏତେ ରାଗୁଛୁ କାହିଁକି ? ରାଗିଲେ ତୁ କାହାର କିଛି କରିପାରିବୁ ନାହିଁ । ଓଲଟି ରାଗିବା ଯୋଗୁଁ ତୋ’ ଦେହ ଶୁଖିଯାଉଛି । ମୋ କଥା ମାନି ଚଳ । ଏଣିକି କାହା ଉପରେ ରାଗନା ‘ । ସମସ୍ତଙ୍କ ସହ ହସ ଖୁସିରେ ଚଳ । ତାହାହେଲେ ତୋ’ଦେହ ଠିକ ହୋଇଯିବ । ଏହା ଦେହର ରୋଗ ନୁହେଁ । ଏହାକୁ ଔଷଧ ଦରକାର ନାହିଁ ।

ଛୋଟା ହେଟା ସେମିତି କଲା । କିଛିଦିନ ଭିତରେ ତା’ଦେହ ଭଲ ହୋଇଗଲା ।

ମହାଭାରତରେ ବିଦୁର କହିଛନ୍ତି

ଗରିବ ଚାହିଁଲେ କୋଟି ରତନ,
ରାଗି ନିଆଁବାଣ ହେଲେ ଅକ୍ଷମ ।
କି ହେବ ? କେବଳ ନିଜ ଶରୀର
ଶୁଖି କଣ୍ଟା ପରି ହେବା ହିଁ ସାର ।

ଦ୍ଵବିମୌ କଣ୍ଟକୌ ତୀକ୍ଷ୍ମୌ ଶରୀର ପରିଶୋଷିଣୌ ।
ଯଶ୍ଚାଧନକାମୟତେ ଯଶ୍ଚ କୁପ୍ୟତ୍ୟନୀଶ୍ଵରଃ ।।

ନୀତିକଥା – ଗରିବ କୋଟିପତି ହେବାକୁ ଆଶା କରିବା ଠିକ୍‌ ନୁହେଁ । ଦୁର୍ବଳ ଲୋକ ସବଳ ଲୋକ ଉପରେ ରାଗିବା ଠିକ୍‌ ନୁହେଁ । ଏ ଦୁଇ ପ୍ରକାର ଲୋକ ନ ହେବା କଥା ଚିନ୍ତା କରି ନିଜ ଦେହକୁ ଦୁର୍ବଳ କରି ଦିଅନ୍ତି ।

To Top