ନୀତିକଥା

ବୁଦ୍ଧିର ବାହାଦୂରୀ

Basudev Mohapatra's NITIKATHAA

ଶରରେ ଜଣକୁ ମାରିପାର । କିନ୍ତୁ ବୁଦ୍ଧିବଳରେ ରାଜା ଓ ତା’ ରାଜ୍ୟକୁ ଧ୍ୱଂସ କରିହୁଏ । ଦେହର ବଳଠାରୁ ବୁଦ୍ଧିର ଶକ୍ତି ଅଧିକ ।

ବୁଦ୍ଧିର ବାହାଦୂରୀ

ପାହାଡ଼ଟିଏ । ତା’ର ଦି’ପାଖରେ ଦି’ଟା ବଣ । ସେଇ ବଣରେ ରହୁଥିଲେ ନାନା ଜାତିର ପଶୁ । ପଶୁମାନଙ୍କର ରାଜା ଥିଲେ ସିଂହ । ପଶୁରାଜାଙ୍କର ଦୁଇଟି ପୁଅ । ବଡ଼ ବାପାମା’ଙ୍କ କଥା ମାନି ଚଳେ । ବିପଦ ଆପଦବେଳେ ସେ ଅନ୍ୟ ପଶୁମାନଙ୍କୁ ସାହାଯ୍ୟ କରେ । ସେମାନଙ୍କ କଳିଗୋଳ ତୁଟାଏ । ସେଥିପାଇଁ ରାଜାପ୍ରଜା ସମସ୍ତେ ବଡ଼ପୁଅକୁ ଭଲ ପାଉଥିଲେ ।

ରାଜାଙ୍କ ସାନପୁଅ ଅମାନିଆ ଯେମିତି, ଦୁଷ୍ଟ ସେମିତି । ବାପାମା’ଙ୍କୁ ବେଖାତିର୍ କରେ । ନିରୀହ ପଶୁମାନଙ୍କୁ ମାର୍ପିଟ୍ କରେ । ସେଥିପାଇଁ ରାଜା ଓ ଭଲ ପଶୁମାନେ ସାନ ରଜାପୁଅକୁ ଭଲ ପାଉ ନଥିଲେ ।

ଦିନ ଗଡ଼ି ଚାଲିଲା । ରାଜା ବୁଢ଼ା ହେଲେ । ଶାସନ ଚଳାଇପାରିଲେ ନାହିଁ । ତେଣୁ ସେ ମନେ ମନେ ଠିକ୍ କଲେ, ବଡ଼ପୁଅକୁ ରାଜ୍ୟଭାର ଦେଇ ଦେବେ । ତେବେ ପଶୁମାନେ ହେଲେ ତାଙ୍କ ପ୍ରଜା । ସେମାନଙ୍କ ମତ କ’ଣ ଜାଣିବା ଦରକାର । ସେଥିପାଇଁ ସେ ପଶୁମାନଙ୍କର ଏକ ସଭା ଡକାଇଲେ । ସଭାରେ କହିଲେ- “ମୋର ଦୁଇଟି ପୁଅ । ତୁମ୍ଭେମାନେ ବୁଝି ବିଚାରି କହ, ମୋର ବଡ଼ପୁଅ ନା ସାନପୁଅ ରାଜା ହେଲେ ରାଜ୍ୟର ମଙ୍ଗଳ ହେବ ?”

ରାଜାଙ୍କର କଥା ଶୁଣି ପଶୁମାନେ ନିଜ ନିଜ ଭିତରେ ଫୁସୁରଫାସର ହେଲେ । ଶେଷରେ ଘୋଡ଼ା ଠିଆ ହୋଇ କହିଲା- “ମହାରାଜ, ଆପଣଙ୍କ ବଡ଼ ପୁଅ ହିଁ ରାଜା ହେବା ପାଇଁ ଯୋଗ୍ୟ ।”

ଘୋଡ଼ା କଥା ଶୁଣି ସାନ ରାଜାପୁଅ କି ଆଉ ସମ୍ଭାଳ ଯାଏ । ରାଗରେ ନିଆଁବାଣ ହୋଇ କହିଲା- “ଚୁପ୍ କର ! ରାଜା ହେବା ପାଇଁ ମୁଁ କ’ଣ ଅଯୋଗ୍ୟ ? କିରେ ଘୋଡ଼ା, ତୋ ଦିମାକ୍ କ’ଣ ବହୁତ ବଢ଼ିଗଲାଣି ? ଛୋଟ ତୁଣ୍ଡରେ ବଡ଼ କଥା କହି ଶିଖିଲୁଣି । ଚିହ୍ନିଛୁଟି ମୋତେ । ଏକା ଥାପଡ଼କେ ତୋ ହନୁହାଡ଼ ଚୂନା କରିଦେବି ।”

ଘୋଡ଼ା ଡରି ମରି କହିଲା- “ମୋତେ କ୍ଷମା କର ! ସମସ୍ତଙ୍କ ମତ ମୁଁ କହିଦେଲି । ମୁଁ ଛାର ପ୍ରଜାଟିଏ । ଯାହା ଠିକ୍ ବୋଲି ଭାବିବେ, କରନ୍ତୁ ।”

ସାନ ରଜାପୁଅ ଗର୍ଜନ ଛାଡ଼ି କହିଲା- “ମୋ ବାପା ବୁଢ଼ା ହେଲେଣି । ତାଙ୍କ ମଥା ଠିକ୍ ନାହିଁ । ଯେତେବେଳେ ଯାହା ମନକୁ ଆସିଲା କହିଯାଉଛନ୍ତି । ଭଲମନ୍ଦ କିଛି ବୁଝି ପାରୁନାହାନ୍ତି । ପୁଣି ମୋ ବଡ଼ଭାଇ ନିହାତି ଡରକୁଳା । ରାଜାପୁଅ ହୋଇ ଛାତିରେ ସାହସ ନାହିଁ । ତା’ ମଥାରେ ବିଲ୍କୁଲ୍ ଅକଲ ନାହିଁ । ଏ ରାଜା ହେବା ପାଇଁ ପୁରାପୁରି ଅଯୋଗ୍ୟ ।”

ସାନପୁଅ କଥା ଶୁଣି ବୁଢ଼ାରାଜା ରାଗି ଯାଇ କହିଲେ- “ଆଜିଠାରୁ ମୋ ବଡ଼ ପୁଅ ମୋ ରାଜ୍ୟର ରାଜା ହେଲା । ରାଜାପ୍ରଜା ସମସ୍ତଙ୍କର ଏଇ ମତ ।”

ଏହା ଶୁଣି ସାନ ରଜାପୁଅ ଦୁମଦାମ୍ ପାଦ ଛେଚି ସେଠାରୁ କୁଆଡ଼େ ଚାଲିଗଲା । ଉଆସକୁ ଆଉ ଫେରିଲା ନାହିଁ । ବୁଢ଼ାରାଜା ପ୍ରମାଦ ଗଣିଲେ । ଦୁଷ୍ଟ ପୁଅ କେତେବେଳେ କ’ଣ କରି ବସିବ । ସେ ଲୋକ ପଠାଇ ତା’ ଖବର ନେଲେ । ବୁଝିଲେ, ସାନପୁଅ ସବୁ ଦୁଷ୍ଟ ପଶୁଙ୍କୁ ଏକାଠି କରୁଛି । ବଡ଼ଭାଇ ସହିତ ଯୁଦ୍ଧ କରିବ । ତା’ ଠାରୁ ରାଜ୍ୟ ଛଡ଼ାଇ ନେବ ।

ବୁଢ଼ାରାଜା ମୁଣ୍ଡରେ ହାତ ଦେଇ ବସିଲେ । ଭାବିଲେ- ଏତେ ସୁନ୍ଦର ରାଜ୍ୟ ମୋର । ଯୁଦ୍ଧ ଲାଗିଲେ ହଜାର ହଜାର ପଶୁ ମରିଯିବେ । ମୁଁ ତାହା ନିଜ ଆଖିରେ ଦେଖିବି । କି ଦୁର୍ଭାଗ୍ୟ ମୋର !

ଏହାପରେ ସେ ପାଟମନ୍ତ୍ରୀ ବିଲୁଆକୁ ଡକାଇ କହିଲେ- “ଏ ବିବାଦ ତୁଟିବ କେମିତି ? ତୁମେ ଟିକେ ଚିନ୍ତା କରି କହ ।”

ବିଲୁଆ କହିଲା- “ଏଇ କଥାଟି । ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ତା’ର ଉପାୟ ଠିକ୍ କରିସାରିଛି । ଆପଣଙ୍କ କଥା ରହିବ । ବଡ଼ପୁଅ ରାଜା ହେବେ । ସାନପୁଅଙ୍କ କଥା ବି ରହିବ । ସେ ବି ରାଜା ହେବେ ।”

ବୁଢ଼ାରାଜା ପଚାରିଲେ- “ଗୋଟିଏ ରାଜ୍ୟରେ ଦୁଇଜଣ ରାଜା ହେବେ କେମିତି ?”

ବିଲୁଆ କହିଲା- “ପାହାଡ଼ର ଏ ପଟର ରାଜ୍ୟର ରାଜା ହେବେ ଆପଣଙ୍କ ବଡ଼ପୁଅ । ଆରପଟର ରାଜ୍ୟର ରାଜା ହେବେ ସାନପୁଅ । ସବୁ ଦୁଷ୍ଟ ପଶୁ ସାନପୁଅଙ୍କ ରାଜ୍ୟରେ ରହିବେ ।”

ବୁଢ଼ାରାଜା କହିଲେ- “ଦୁଷ୍ଟ ପଶୁମାନେ ବଡ଼ପୁଅର ରାଜ୍ୟରେ ବରାବର ଗୋଳମାଳ ଲଗାଇବେ । ମୋ ରାଜ୍ୟ ଛାରଖାର ହୋଇଯିବ !”

ବିଲୁଆ କହିଲା- “ଠିକ୍ ସମୟରେ ଆମେ ତା’ର ଉପାୟ କରିବା । ଏବେ ଆପଣ ଦୁଇ ପୁଅଙ୍କ ଭିତରେ ରାଜ୍ୟକୁ ବାଣ୍ଟି ଦିଅନ୍ତୁ ।”

ରାଜା ସେମିତି କଲେ । ଦିନ ଗଡ଼ି ଚାଲିଲା । ସାନ ରଜାପୁଅ ବଡ଼ଭାଇର ରାଜ୍ୟରେ ପଶି ଶିକାର କଲା । ସେଠିକା ପ୍ରଜାଙ୍କୁ ମାରପିଟ୍ କଲା । ବଡ଼ ରଜାପୁଅର ପ୍ରଜାମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେ । ବୁଢ଼ାରାଜା ଆଖିରୁ ଲୁହ ଗଡ଼ାଇଲେ ।

ଏତିକିବେଳେ ବିଲୁଆ ପଶୁରାଜାଙ୍କୁ କହିଲା- “ବର୍ତ୍ତମାନ ଆପଣଙ୍କ ସାନପୁଅ କଥା ବୁଝିବା ଆବଶ୍ୟକ । ତା’ ଉପାୟ କରିବା । ତେବେ ଆପଣ କୁହନ୍ତୁ, କିଏ ବଡ଼ ? ଆପଣଙ୍କ ସାନ ପୁଅ, ନା ଆପଣଙ୍କ ପ୍ରଜା ?”

ବୁଢ଼ାରାଜା କହିଲେ- “ମୋ ପ୍ରଜାଙ୍କ ଆଗରେ ସାନପୁଅ କି ଛାର !”

ବିଲୁଆ କହିଲା- “ଏବେ, କୁହନ୍ତୁ ! ଆପଣଙ୍କ ପ୍ରଜାମାନେ ରହିଲେ, ସାନପୁଅ ରହିବ ନାହିଁ । ସାନପୁଅ ରହିଲେ ପ୍ରଜାମାନେ ରହିବେ ନାହିଁ । କିଏ ରହିବା ଆପଣ ଚାହାଁନ୍ତି ?”

ବୁଢ଼ାରାଜା କହିଲେ- “ସାନପୁଅ ଯାଉ, ମୋ ପ୍ରଜାମାନେ ସୁଖରେ ଥାଆନ୍ତୁ ।”

ସେଠୁ ବିଲୁଆ ଦଳେ ପଶୁଙ୍କୁ ସାଥିରେ ନେଇ ସାନପୁଅର ବଣରେ ନିଆଁ ଲଗାଇ ଦେଲା । ବଣସାରା ହୁ’ ହୁ’ ହୋଇ ଜଳି ଉଠିଲା । ସେଥିରେ ସାନ ରଜାପୁଅ ସହ ଦୁଷ୍ଟ ପଶୁମାନେ ପୋଡ଼ି ହୋଇ ମରିଗଲେ । ବଡ଼ ରଜାପୁଅ ରାଜା ହୋଇ ସୁଖରେ ରହିଲା । ପ୍ରଜାମାନେ ସୁଖ ଶାନ୍ତିରେ କାଳ କଟାଇଲେ ।

ମହାଭାରତରେ ବିଦୁର କହିଛନ୍ତି :-

“ମାରିପାରେ ଅବା ମାରି ନ ପାରଇ
ଶର ମାରି ବୀର, ହେଜ
ବୁଦ୍ଧିମାନ କରେ ବୁଦ୍ଧି ବଳେ ନାଶ
ରାଜା ସହିତ ରାଇଜ !”

“ଏକ ହନ୍ୟାନ ବା ହନ୍ୟାଦିଷୁର୍ମୁକ୍ତୋ ଧନୁଷ୍ମତା ।
ବୁଦ୍ଧିବୁଦ୍ଧିର୍ମତୋତ୍ସୃଷ୍ଟା ହନ୍ୟାଦ୍ ରାଷ୍ଟ୍ରଂ ସରାଜକମ୍ ।।”

ନୀତିକଥା- ଶରରେ ଜଣକୁ ମାରିପାର । କିନ୍ତୁ ବୁଦ୍ଧିବଳରେ ରାଜା ଓ ତା’ ରାଜ୍ୟକୁ ଧ୍ୱଂସ କରିହୁଏ । ଦେହର ବଳଠାରୁ ବୁଦ୍ଧିର ଶକ୍ତି ଅଧିକ ।

To Top