ନୀତିକଥା

ଯେମିତି ମେଳ, ସେମିତି ଫଳ

Basudev Mohapatra's Odia Neetikathaa JEMITI MELA SEMITI PHALA

ଦୁଷ୍ଟ ଲୋକ ମେଳରେ ରହିଲେ ତା’ ପରି ଦଣ୍ଡ ପାଇବ । ତେଣୁ ଦୁଷ୍ଟଙ୍କଠାରୁ ଦୂରେଇ ରୁହ ।

ଯେମିତି ମେଳ, ସେମିତି ଫଳ

ବଣ ଭିତରେ ପୋଖରୀଟିଏ । କାଉ ଆଖ ପରି ତା’ ପାଣି ପରିଷ୍କାର । ଦେଖିଲେ ମୁହଁ ଦେଖାଯାଏ । ସେଇଟି ରଜାଘର ପୋଖରୀ । ପଶୁରାଜ ସିଂହ ଓ ତା’ ଛୁଆମାନେ ସେଠି ପାଣି ପିଅନ୍ତି, ଗାଧୁଅନ୍ତି । ଅନ୍ୟ ପଶୁମାନଙ୍କୁ ସେଇ ପୋଖରୀକୁ ଯିବା ମନା ହୋଇଥାଏ ।

ସେଇ ବଣରେ ଆଉ ଗୋଟିଏ ପୋଖରୀ ଥାଏ । ସେଇଟି ରଜାଘର ପୋଖରୀଠାରୁ ବହୁତ ବଡ଼ । ହେଲେ ତା’ ପାଣି ସେତେ ନିର୍ମଳ ନୁହେଁ । ତା’ ଭିତରେ ଅନେକ ଜାତିର ମାଛ ରହନ୍ତି । ମାଛ ଯେଉଁଠି, ମାଛଖିଆ ପଶୁପକ୍ଷୀଙ୍କ ଭିଡ଼ ସେଇଠି । କୋକିଶିଆଳି, ଓଧ, ବଗ, ମାଛରଙ୍କା ଆଦି ପଶୁପକ୍ଷୀମାନେ ଆହାର ପାଇଁ ନିତି ସେଇ ପୋଖରୀ କୂଳରେ ରୁଣ୍ଡ ହୁଅନ୍ତି ।

ସବୁବେଳେ ଗୋଟିଏ ଜାଗାରେ ମିଶିବା ଯୋଗୁଁ କୋକିଶିଆଳି, ଓଧ ଓ ବଗ ଭିତରେ ସ୍ନେହ ବଢ଼ିବାକୁ ଲାଗିଲା । ଶେଷରେ ସେମାନେ ତିନି ମିତ ହୋଇଗଲେ । ଏ ତିନି ମିତ ଠକ ଯେମିତି, ଦୁଷ୍ଟ ସେମିତି । ପର ଜିନିଷ ଚୋରି କରିବାରେ ସେମାନେ ଧୁରନ୍ଧର ।

ଦିନକର ଘଟଣା । ପୋଖରୀ ପାଣି ପାଖରେ ମାଛଙ୍କୁ ଟାକି ବସିଥାନ୍ତି ତିନିମିତ । ସକାଳ ଯାଇ ଦି’ପହର ହେଲା । ଚାହୁଁ ଚାହୁଁ ଛାଇ ଲେଉଟିଲା । ପୋଖରୀରେ ଗୋଟିଏ ବି ମାଛର ଦେଖା ନାହିଁ । ଭୋକରେ ତିନିମିତଙ୍କ ପେଟ ଜଳୁଥାଏ ।

ପେଟକୁ ଚାପି ଧରି ବଗ କହିଲା- “ଆହାର ବିନା ମୋ ପ୍ରାଣ ଚାଲିଯିବ, ମିତ ! ଏ ପୋଖରୀରେ ମାଛ ଜମା ନାହାନ୍ତି । ହଜାର ହଜାର ପଶୁପକ୍ଷୀ ଗୋଟିଏ ପୋଖରୀକୁ ଭରସା କଲେ ମାଛ ଆସିବେ କୋଉଠୁ ? ଆମେ ଏବେ କ’ଣ କରିବା ?”

କୋକିଶିଆଳି କହିଲା- “ବୁଦ୍ଧି ଅଛି ତ ଉପାୟ ଅଛି । ମୁଁ ଉପାୟ ବତାଇ ଦେବି, କରିବ । ରାତିରେ ଲୁଚି ଲୁଚି ରଜାଘର ପୋଖରୀକୁ ଯିବା । ସେଠି ଅକଳନା ମାଛ । ଯେତେ ଖାଇଲେ ସରିବ ନାହିଁ । ତେବେ ଏଇ କାମରେ ଗୋଟିଏ ଅସୁବିଧା ଅଛି ।”

ବଗ ପଚାରିଲା- “ଅସୁବିଧା ଆଉ କ’ଣ, ମିତ ?” ଯେଉଁଠି ହେଉ, ଆମକୁ ମାଛ ମିଳିଲେ ହେଲା ।

କୋକିଶିଆଳି କହିଲା- “ଏ ହେଲା ଚୋରି ବିଦ୍ୟା । ଧରା ପଡ଼ିଲେ ସର୍ବନାଶ । ରଜାଘର ସିପାହୀଙ୍କ ହାବୁଡ଼ରେ ପଡ଼ିଲେ ଆମ ଅବସ୍ଥା ଘାଇଲା ହୋଇଯିବ ।”

ଓଧ କହିଲା- “ଆମେ କ’ଣ ଏମିତି ଓଲୁ ହୋଇଛେ । ଚାରି ଦିଗକୁ ଆଖି ରଖି କାମ କରିବା ।” ଚାଲ, ଆଉ ଡେରି ନ କରି ସେଆଡ଼େ ବାହାରି ପଡ଼ିବା ।

ସେଠୁ ତିନି ମିତ ରଜାଘର ପୋଖରୀ ଆଡ଼େ ମୁହାଁଇଲେ । ବାଟରେ ବିଲେଇକୁ ଦେଖିଲେ । ଭୋକିଲା ଥିବାରୁ ସେ ମୁହଁ ଶୁଖାଇ ବସିଥାଏ । ତାକୁ ଦେଖି ଓଧ କହିଲା- “ତୋ ମନ କଥା ମୁଁ ବୁଝିପାରୁଛି, ବିଲେଇ ନାନୀ । ଭାରି ଭୋକିଲା ଦେଖାଯାଉଛୁ । ଆମ ସାଥିରେ ଆସିଲେ ପେଟ ଭରି ମାଛ ଖାଇବୁ ।”

ବିଲେଇ ଓଧ କଥାରେ ପଡ଼ି ମାଛ ଲୋଭରେ ବାହାରି ପଡ଼ିଲା । ସେତେବେଳକୁ ଅଧରାତି । ଚାରିଆଡ଼େ ଶୂନ୍‌ଶାନ୍ । ତିନି ମିତ ରଜାଘର ପୋଖରୀ ପାଖରେ ପହଞ୍ଚିଲେ । ବିଲେଇ ତ ଭାରି ଡରକୁଳୀ । ଟିକେ ଦୂରରେ ଥାଏ ।

ଓଧ ଆଗେ ପାଣିରେ ପଶି ମାଛ ଖାଇଲା । ତା’ପରେ ବଗ ଓ କୋକିଶିଆଳିକୁ ମାଛ ଆଣି ଦେଲା । ଶେଷରେ ବିଲେଇ ଆଡ଼କୁ ମାଛଟିଏ ଫୋପାଡ଼ି ଦେଲା ।

ଏତିକିବେଳେ ବେଲଗଛରୁ ବଡ଼ ପାଚିଲା ବେଲଟାଏ ପାଣି ଉପରେ ପଡ଼ିବାରୁ ଟବ୍‌କିନା ଶବ୍ଦ ହେଲା । ତାହା ଶୁଣି ରଜାଘର ସିପାହୀ କୁକୁରମାନେ ଦୌଡ଼ି ଆସିଲେ । ସେମାନେ ଭୋ’ ଭୋ’ ରଡ଼ି ଛାଡ଼ି ଆଗେ ତିନିମିତଙ୍କୁ କାମୁଡ଼ି ଖଣ୍ଡିଆ ଖାବରା କରିଦେଲେ । ଶେଷକୁ ଥିଲା ବିଲେଇ । ସେ ହାତ ଯୋଡ଼ି କହିଲା- “ମୋତେ ଦୟା କର । ମୁଁ ନିଜ ଇଚ୍ଛାରେ ଏଠାକୁ ଆସିନାହିଁ । ମୋତେ ଏମାନେ ଡାକି ଆଣିଥିଲେ ।”

ବିଲେଇ କଥା ଶୁଣୁଛି କିଏ ? ଚୋର ସାଥିରେ ଆସିଲେ ସେ ଚୋର ନୁହେଁ ତ ଆଉ କ’ଣ ? ତେଣୁ କୁକୁରମାନେ ବିଲେଇକୁ ବି କାମୁଡ଼ି ପକାଇଲେ । ସେ ଯାହା ହେଉ, ତିନି ମିତ ପ୍ରାଣ ନେଇ ଘରକୁ ଫେରିଲେ । ନିରୀହ ବିଲେଇ ଖରାପ ସାଙ୍ଗରେ ପଡ଼ି ଦଣ୍ଡ ପାଇଲା ।

ମହାଭାରତରେ ବିଦୁର କହିଛନ୍ତି-

“ଭଲ ଲୋକ ପଡ଼ି ଖଳ ମେଳରେ,
ଦଣ୍ଡ ପାଇବଟି ଖଳ ସାଥିରେ ।
କଞ୍ଚାକାଠ ରହି ଶୁଖିଲା ମେଳେ,
ଜଳଇ ଯେମିତି ନ ରହି ତିଳେ ।
ଖଳ ଲୋକ ପାଶେ ନ ଯାଅ ଭାଇ,
ବିପଦ ଆପଦୁ ରହ ଦୂରେଇ ।”

“ଅସଂତ୍ୟାଗାତ୍ ପାପକୃତାମପାପଂ –
ସ୍ତୁଲ୍ୟୋ ଦଣ୍ଡଃ ସ୍ପୃଶ୍ୟତେ ମିଶ୍ରଭାବାତ୍ ।।
ଶୁଷ୍କେଣାର୍ଦ୍ରଂ ଦହ୍ୟତେ ମିଶ୍ରଭାବାତ୍ ।
ତସ୍ମାତ୍ ପାପୈଃ ସହ ସନ୍ଧିଂ ନ କୁର୍ଯ୍ୟାତ୍ ।।”

ନୀତିକଥା:- ଦୁଷ୍ଟ ଲୋକ ମେଳରେ ରହିଲେ ତା’ ପରି ଦଣ୍ଡ ପାଇବ । ତେଣୁ ଦୁଷ୍ଟଙ୍କଠାରୁ ଦୂରେଇ ରୁହ ।

To Top