ନୀତିକଥା

କଳିହୁଡ଼ି କୁକୁଡ଼ା

Basudev Mohapatra's Odia Neeti Kathaa KALIHUDI KUKUDAA

କଡ଼ା କଡ଼ା କଥା ଠିକ୍ ଶର ପରି ଦେହକୁ କଷ୍ଟ ଦିଏ । ତେଣୁ କଥାରେ କାହାକୁ ପୀଡ଼ା ଦେବା ଠିକ୍ ନୁହେଁ ।

କଳିହୁଡ଼ି କୁକୁଡ଼ା

ଅଗନାଅଗନି ବଣ । ତା’ର ଶେଷ ଭାଗରେ ଗଛଲତା ଟିକେ ପତଳା ପଡ଼ିଯାଇଥାଏ । ସେଠି ହଜାର ହଜାର କୁକୁଡ଼ା ରହୁଥିଲେ । ରାତି ପାହିଲା ବେଳକୁ ସେମାନଙ୍କ କକଡ଼କଅ ରଡ଼ିରେ ବଣ ସାରା କମ୍ପି ଉଠେ । ସବୁଠାରୁ ବଡ଼ ଗଞ୍ଜା କୁକୁଡ଼ା ଥିଲା ସେମାନଙ୍କର ରାଜା । ଆଉ, ସବୁଠାରୁ ବଡ଼ ମାଈ କୁକୁଡ଼ା ଥିଲା ସେମାନଙ୍କ ରାଣୀ ।

ରାଣୀ କୁକୁଡ଼ା ଭାରି ଫୁଲେଇ ଓ ଗପୁଡ଼ି । ଅନ୍ୟ କୁକୁଡ଼ାଙ୍କ ଆଗରେ ନିଜ ବଡ଼ାଇ ଗପି ବସେ । ଛୋଟମାନଙ୍କୁ ଛିଛାକର କରେ । ସେଥିପାଇଁ କୁକୁଡ଼ାମାନେ ତାକୁ ଭଲ ପାଉ ନଥିଲେ ।

ଦିନେ ଦୂର ବଣର କୁକୁଡ଼ାଟିଏ ଏଇ ବଣକୁ ବୁଲି ଆସିଥିଲା । ଏଠି ଥିଲା ତା’ ସମୁଦୁଣୀ ଘର । ସାଥିରେ ତା’ର ସାତଟି ଛୁଆଙ୍କୁ ନେଇ ଆସିଥିଲା । ଏଇ କୁକୁଡ଼ା ରାଣୀ କୁକୁଡ଼ାଠାରୁ ଢେର୍ ବଡ଼ ଥିଲା । ରାଣୀ କୁକୁଡ଼ାଠାରୁ ବି ଢେର୍ ସୁନ୍ଦର ଦିଶୁଥିଲା । ରଜାଘର କୁକୁଡ଼ା ଛୁଆଙ୍କଠାରୁ ଏଇ ସାତଟି ଛୁଆ ବହୁତ ବଡ଼ ଓ ଡଉଲ ଦିଶୁଥିଲେ ।

ଏଇ ବଣର କୁକୁଡ଼ା ଦିନେ ତା’ ସମୁଦୁଣୀକୁ କହିଲା- ଆମ ରଜାଘର ଉଆସ ଆଡ଼େ ବୁଲିଯିବା । ଆମ ରଜାରାଣୀଙ୍କୁ ଦେଖିବ । ତାଙ୍କ ପିଲାଛୁଆଙ୍କୁ ଦେଖି ଉଆସଟା ବି ଟିକେ ବୁଲି ଦେଖି ଆସିବ । ସବୁ ଭଲ । ହେଲେ ଆମ ରାଣୀ କୁକୁଡ଼ାଟା ଭାରି ଗର୍ବୀ, ଭାରି ଟାଣ କଥା କହେ । ଶୁଣିଲାବାଲାକୁ ବହୁତ ବାଧେ ।

ସମୁଦୁଣୀ କୁକୁଡ଼ା କହିଲା- “ତାହାହେଲେ ସେଠାକୁ ଯିବା କାହିଁକି ? କାଦୁଅ ଭିତରେ ପଶିବ କିଆଁ, ଗୋଡ଼ ଧୋଇବ କିଆଁ !”

ଏ ବଣର କୁକୁଡ଼ା କହିଲା- “ମୁଁ କହୁଥିଲି କ’ଣ କି, ତୁମେ ଏତେ ଦୂରରୁ ଆସିଛ । ପୁଣି କେବେ ଆସିବ କି ନାହିଁ, ଜଣା ନାହିଁ । ଆମ ଏଠିକା ରଜାଘର ହାଲଚାଲ ଟିକେ ଦେଖି ଯାଇଥାଅ ।”

ସମୁଦୁଣୀ କୁକୁଡ଼ାକହିଲା- “ତାହାହେଲେ ମୋ ଛୁଆମାନେ ଏଠି ତୁମ ଛୁଆଙ୍କ ସାଙ୍ଗରେ ଖେଳୁଥାନ୍ତୁ । ଆମେ ରଜାଘର ଆଡ଼େ ବୁଲିଆସିବା ।”

ସମୁଦୁଣୀଙ୍କ ଛୁଆମାନେ ଅଝଟ ହେଲେ । ରଜାଘର ଆଡ଼େ ବୁଲିଯିବା ପାଇଁ ଜିଦ୍ ଧରିଲେ । ତେଣୁ ଏ ବଣର କୁକୁଡ଼ା ସମୁଦୁଣୀ ଓ ତା’ ସାତ ଛୁଆଙ୍କ ସହିତ ଉଆସ ଆଡ଼େ ଚାଲିଲା ।

ବାଟରେ ଆଉ ଏକ କୁକୁଡ଼ା ତଳକୁ ମୁହଁ କରି ଭୂଇଁ ରାମ୍ପୁଥାଏ । ହଠାତ୍ ମୁଣ୍ଡ ଉଠାଇ ଏମାନଙ୍କୁ ଦେଖି କହିଲା- “କିଲୋ ନାନି, ଖରାବେଳେ କୁଆଡ଼େ ବାହାରିଲୁ । ଏମାନେ କିଏ ?”

କୁକୁଡ଼ା କହିଲା- “ଏ ମୋ ସମୁଦୁଣୀ । ଏମାନେ ତାଙ୍କ ଛୁଆ । ରଜାଘର ଆଡ଼େ ଟିକେ ବୁଲି ଆସିବାକୁ ବାହାରିଛନ୍ତି ।”

ଭୂଇଁ ରାମ୍ପୁଥିବା କୁକୁଡ଼ା କହିଲା- “ଭଲ କଥା । ହେଲେ ରାଣୀ କୁକୁଡ଼ା ହାବୁଡ଼େ ପଡ଼ିଲେ କଥା ସରିଲା । ତା’ ମୁହଁରୁ ବାଣ ପରି କଥା ବାହାରୁଥିବ । ତାହା ସହିପାରିଲେ ହେଲା । ହେଉ, ବାହାରି ପଡ଼ିଲଣି ଯେତେବେଳେ, ମନା କରିବା ଠିକ୍ ନୁହେଁ ।”

ଏ କୁକୁଡ଼ା କହିଲା- “ଠିକ୍ କହିଛୁ । ବାଟରୁ ଫେରିଯିବାକୁ ଭଲ ଲାଗୁନି । ରାଣୀ କୁକୁଡ଼ା ଯାହା କହୁଛି, କହୁ । ଆମେ ତା’ କଥାରେ “ହୁଁ’ ମାରି ଚାଲି ଆସିବୁ ।”

ଟିକିଏ ପରେ ସେମାନେ ରଜାଘରେ ପହଞ୍ଚିଲେ । ରଜାଘର ଉଆସ, ରଜା, ଚାକର, ଚାକରାଣୀଙ୍କୁ ଦେଖିଲେ । ଶେଷରେ ରାଣୀ କୁକୁଡ଼ାକୁ ଦେଖିଲେ । ସମୁଦୁଣୀ କୁକୁଡ଼ାକୁ ଦେଖି ରାଣୀ କୁକୁଡ଼ାର ଆଖି ତାଳୁରେ ଖୋସି ହୋଇଗଲା । ଭାବିଲା, କେତେ ବଡ଼ ହୋଇଛି । ତା’ ଠାରୁ ସୁନ୍ଦର ଦିଶୁଛି । ତା’ର ହିଂସା ହେଲା । କହିଲା- “ଏ କିଏ ? ଏ ତ ଆମ ଏଠିକା କୁକୁଡ଼ା ନୁହେଁ ।”

ଏ ବଣର କୁକୁଡ଼ା କହିଲା- “ମହାରାଣୀ, ଏ ଆମ ସମୁଦୁଣୀ । ଏଠାରୁ ବହୁ ଦୂରରେ ତାଙ୍କ ଘର । ଚାରିଦିନ ହେଲା ଆମ ଘରକୁ ବୁଲି ଆସିଛନ୍ତି ।”

ରାଣୀ କୁକୁଡ଼ା ପାଖରେ ତା’ ଚାକରାଣୀମାନେ ବସିଥିଲେ । ସମୁଦୁଣୀ କୁକୁଡ଼ା ଓ ତା’ ଛୁଆଙ୍କୁ ଦେଖି ଭାବିଲେ- “ଆଃ, କି ସୁନ୍ଦର ଚେହେରା ! କେତେ ବଡ଼ ! ଆମ ରାଣୀ ଏମାନଙ୍କ ଆଗରେ କିଛି ନୁହ ।”

ଏଣେ ରାଣୀ କୁକୁଡ଼ା ହିଂସାରେ ଜଳି ଯାଇ କହିଲା- “ତୋ ସମୁଦୁଣୀ ଆମ ଜାତିର ନୁହେଁ । ଏ କୁକୁଡ଼ା ନୁହେଁ । ଏ ଏକ ବାରଜାତିଆ ପକ୍ଷୀ । ଏଇଟାକୁ ତୁ ସମୁଦୁଣୀ କରିଛୁ । ଦେଖ୍ ତା’ ଦେହକୁ । ଘୁଷୁରୀ ପରି ଦିଶୁଛି ।”

ସମୁଦୁଣୀ କୁକୁଡ଼ାକୁ ଏ କଥା ଭାରି ବାଧିଲା । ତା’ ରାଇଜ ହୋଇଥିଲେ ସେ ରାଣୀ କୁକୁଡ଼ାକୁ ସେଇଠି ଭଲ କରି ପାନେ ଚଖାଇ ଦେଇଥାନ୍ତା । ପର ରାଇଜକୁ ଆସିଛି । ସେଥିପାଇଁ ମନର ରାଗ ମନରେ ମାରି ଚୁପ୍ ରହିଲା । ହେଲେ ସେଠି ସେ ମୁହୁର୍ତ୍ତେ ବି ରହିପାରିଲା ନାହିଁ । ସମୁଦୁଣୀ ଘରକୁ ନ ଯାଇ ସିଧା ବାଟ ଧରିଲା ନିଜ ଘର ଆଡ଼େ ।

ଯାଉ ଯାଉ ବାଟରେ ଏ ବଣର କୁକୁଡ଼ାକୁ କହିଲା- “ସତରେ ତୁମ ରାଣୀଟା କେତେ ବଦମାସ୍ ! ତା’ କଥା ଠିକ୍ ବାଣ ପରି । ତାହା ମୋ ଛାତି ଭିତରେ ଗଳିଗଲା । ମୋତେ ବହୁତ କଷ୍ଟ ଲାଗୁଛି । ମୋତେ ସେ କ’ଣ ଅବା ନ କହିଲା । ମୁଁ କୁଆଡ଼େ ବାରଜାତିଆ ପକ୍ଷୀ, କୁକୁଡ଼ା ନୁହେଁ । ମୁଁ କୁଆଡ଼େ ଘୁଷୁରୀ ପରି ଦେଖାଯାଉଛି ।”

ଏ ବଣର କୁକୁଡ଼ା ତାକୁ କେତେ ବୁଝାଇଲା । ହେଲେ ରାଣୀ କୁକୁଡ଼ା କଥା ମୋଟେ ଭୁଲି ପାରିଲା ନାହିଁ । ତା’ ଘରେ ଥିଲାବେଳେ ବି ସେ ଦିନର କଥା ମନେ ପଡ଼ିଲେ ତା’ ଦେହରେ କଣ୍ଟା ଫୋଡ଼ିଲା ଭଳି ଲାଗୁଥାଏ । ସେ ଭୁଲ୍‌ରେ ବି ଆଉ କେବେ ସମୁଦୁଣୀ ଦୁଆର ମାଡ଼ିଲା ନାହିଁ ।

ମହାଭାରତରେ ବିଦୁର କହିଛନ୍ତି :-

“ମୁହଁରୁ ବାହାରି ବଚନ ବାଣ,
ଆନ ଅନ୍ତରକୁ କରେ ଦହନ ।
ସବୁବେଳେ ତେଣୁ ବିବେକୀ ଲୋକ
କଥାରେ କାହାକୁ ନ ଦିଏ ଦୁଃଖ ।”

“ବାକ୍ୟସାୟକା ବଦନାନ୍ନିଷ୍ପତନ୍ତି ଯୈରାହତଃ ଶୋଚତି ରାତ୍ର୍ୟହାନି ।
ପରସ୍ୟ ନାମର୍ମସୁ ତେ ପତନ୍ତି ତାନ୍ ପଣ୍ଡିତୋ ନାବସୃଜେତ୍ ପରେଭ୍ୟଃ ।।”

ନୀତିକଥା:- କଡ଼ା କଡ଼ା କଥା ଠିକ୍ ଶର ପରି ଦେହକୁ କଷ୍ଟ ଦିଏ । ତେଣୁ କଥାରେ କାହାକୁ ପୀଡ଼ା ଦେବା ଠିକ୍ ନୁହେଁ ।

To Top