ନୀତିକଥା

ପାଣି ରାଇଜ କଥା

Basudev Mohapatra's odia Neeti Katha Paani Raaija Kathaa

ହେଳୁଆ, ମୋଟାବୁଧିଆ, ତରବରିଆ ଓ ଭାଟ (ମିଛରେ ପ୍ରଶଂସା କରିବା ଲୋକ) ଲୋକଙ୍କ ସହିତ କେବେହେଲେ ଗୁପ୍ତ ମନ୍ତ୍ରଣା କରିବ ନାହିଁ । କଲେ ବିପଦ ପଡ଼ିବ ହିଁ ପଡ଼ିବ ।

ପାଣି ରାଇଜ କଥା

ପାହାଡ଼ ତଳେ ପୋଖରୀଟିଏ । ସେଥିରେ ବାରମାସ ପାଣି ଭରି ହୋଇ ରହିଥାଏ । ଏଇ ପାଣି ରାଇଜରେ ନାନା ଜାତିର ମାଛ ରହୁଥିଲେ । ସବୁଠାରୁ ବଡ଼ ରୋହି ମାଛ ଥିଲା ଏ ରାଇଜର ରାଜା । ସବୁ ମାଛ ମାଛରାଜାଙ୍କ କଥା ମାନି ଚଳୁଥିଲେ । ରାଜା ମାଛମାନଙ୍କୁ ବିପଦ ଆପଦରୁ ରକ୍ଷା କରୁଥିଲେ ।

ଥରେ ବିଲୁଆଟିଏ ଭୋକିଲା ହୋଇ ଏଇ ପୋଖରୀ କୂଳରେ ପହଞ୍ଚିଲା । ଦେଖିଲା, ପାଣି ଭିତରେ ଶହ ଶହ ମାଛ ଖୁସିରେ ଖେଳୁଛନ୍ତି । ତାହା ଦେଖି ସେ ଲୋଭେଇଗଲା । ଭାବିଲା, ଏଥିରୁ ଗଣ୍ଡେ ଖାଇଲେ ସତରେ ପାଟିର ଅରୁଚି ଛାଡ଼ିଯାଆନ୍ତା ।

ବିଲୁଆ ମନେ ମନେ ଗୋଟିଏ ଉପାୟ ପାଞ୍ଚିଲା । ସେ ଓଧ ପାଖକୁ ଯାଇ କହିଲା- “ମୁଁ ବଢ଼ିଆ ପୋଖରୀଟାଏ ଦେଖି ଆସିଛି । ସେଠି ହଜାର ହଜାର ମାଛ ଅଛନ୍ତି । ଯେତେ ଖାଇଲେ ସରିବ ନାହିଁ । ଚାହିଁଲେ, ତୋତେ ମୁଁ ସେଠାକୁ ନେଇଯିବି ।”

ଓଧ ଖୁସି ହୋଇ କହିଲା- “ବିଲୁଆ ନନା, ଆଉ ଡେରି କରନି । ଚାଲ ଅବିକା ଦେଖି ଆସିବା ।”

ବିଲୁଆ କହିଲା- “ତୁ ପାଣି ଭିତରେ ପଶି ମାଛ ଧରିବାରେ ଧୂରନ୍ଧର । ଏଣେ ମୁଁ ପାଣି ଭିତରେ ପଶିପାରିବି ନାହିଁ । ମୋତେ ନିତି ପେଟପୂରା ମାଛ ଦେବାକୁ ରାଜି ହେଲେ ତୋତେ ପୋଖରୀଟି ଦେଖାଇ ଦେବି ।”

ଓଧ ରାଜି ହେବାରୁ ଦିହେଁ ସେଇ ପୋଖରୀ କୂଳକୁ ଗଲେ । ମାଛ ଦେଖି ଓଧ ପାଟିରୁ ଥପ୍‌ଥପ୍‌ କରି ଲାଳ ଗଳି ପଡ଼ିଲା । ସେ ବିଲୁଆକୁ କହିଲା- “ଆଜି ମୋ ପୁଅର ଦେହ ଭଲ ନାହିଁ । କାଲିଠାରୁ ଆସି ମାଛ ଧରିବା ।”

ଓଧ ଓ ବିଲୁଆ ସେଠାରୁ ଚାଲିଗଲେ । ଏଣେ ମାଛରଜା ଓଧର କଥା ଶୁଣି ପ୍ରମାଦ ଗଣିଲା । ଓଧ ପାଣିରେ ପଶିଲେ ମାଛବଂଶ ଲୋପ ପାଇଯିବ । ତା’ ମୁହଁରେ ପଡ଼ି ସମସ୍ତେ ମରିବେ । କ’ଣ କରାଯିବ ? ତା’ ଅଧୀନରେ ଚାରି ଜଣ ମୁଖିଆ ମାଛ ଥିଲେ । ଠିକ୍ କଲା, ସେମାନଙ୍କୁ ଏଥିରୁ ରକ୍ଷା ପାଇବା ବାଟ ପଚାରି ବୁଝିବ ।

ମାଛରଜା ପ୍ରଥମେ ଡକାଇଲା ମୁଖିଆ ମାଛ ହେଳୁଆକୁ । ଓଧ ପୋଖରୀ ଭିତରେ ପଶି ସେମାନଙ୍କୁ ମାଛି ଖାଇବାକୁ ବିଚାର କରିବା କଥା କହିଲେ । ତାହା ଶୁଣି ହେଳୁଆ କହିଲେ- “ନଈ ନ ଦେଖୁଣୁ ଲଙ୍ଗଳା ହେବା କିଆଁ । ଓଧ ଆଗେ ପୋଖରୀ ଭିତରେ ପଶୁ । ତା’ପରେ ଆମେ ତା’ ଉପାୟ କରିବାନି ।”

ମାଛରଜା ଦେଖିଲା, ହେଳୁଆ କଥାରେ ବିଶ୍ୱାସ କଲେ ମାଛ ରାଇଜର ସର୍ବନାଶ ହେବ । ତେଣୁ ସେ ଆଉ ଜଣେ ମୁଖିଆକୁ ଡକାଇଲା । ଏଇ ମୁଖିଆର ନାଁ ଥିଲା ଅଳପବୁଧିଆ । ତାକୁ ଓଧ କଥା କହିଲା । କ’ଣ କଲେ ସେମାନେ ବିପଦରୁ ରକ୍ଷା ପାଇବେ, ସେ କଥା ପଚାରିଲା ।

ଅଳପବୁଧିଆ କହିଲା- “ହଜୁର, ଆମେ ସବୁ ମାଛ ଏକାଠି ହୋଇ ଓଧ ସହିତ ଲଢ଼େଇ କରିବା । ଆମେ ହଜାର ହଜାର ମାଛ । ଛାର ଓଧଟା କ’ଣ ଆମଠାରୁ ବଳିଯିବ ?”

ମାଛରଜା ଦେଖିଲା, ଅଳପବୁଧିଆ କଥା ମାନି କାମ କଲେ ସବୁ ମାଛ ମରିବେ । ମଥା ଖଟାଇ ଉପାୟ ବାହାର କରିବା ସେ ଜାଣେ ନାହିଁ । ତେଣୁ ସେ ମୁଖିଆ ମାଛ ତରବରିଆକୁ ଡକାଇଲା । ଆଉ, ତାକୁ ମାଛମାନଙ୍କ ଉପରେ ପଡ଼ିଥିବା ବିପଦ କଥା କହିଲା ।

ତରବରିଆ କହିଲା- “ଆପଣ ନିଶ୍ଚିନ୍ତ ରହନ୍ତୁ । ମୁଁ ଓଧକୁ ଭୂଆଁ ବୁଲାଇ ଚାଲିଆସିବି । ସେ ପାଣି ଭିତରେ ପଶୁ ପଶୁ କହିବି, ଏ ପୋଖରୀରେ ଗୋଟାଏ ବି ମାଛ ନାହିଁ । ସେମାନେ ଆଉ ଗୋଟିଏ ପୋଖରୀକୁ ଚାଲିଗଲେଣି । ତୁମେ ସେଠାକୁ ଯାଅ ।”

ମାଛରଜା ବୁଝିଗଲା, ତରବରିଆ ଦେହି କୌଣସି କାମ ହେବ ନାହିଁ । ତରତର ହୋଇ କୌଣସି କଥା ଭାବିଲେ, କି କୌଣସି କାମ କଲେ, ତାହା କଦାପି ଭଲ ହେବ ନାହିଁ । ତେଣୁ ସେ ତା’ର ଅନ୍ୟ ଏକ ମୁଖିଆ ମାଛ ଭାଟକୁ ଡକାଇ ସବୁ କଥା କହିଲା ।

ତାହା ଶୁଣି ଭାଟ କହିଲା- “ଏଇ କଥାଟି । ଆପଣ ଏ ମୁଲକର ରାଜା ! ଛାର ଓଧଟା କ’ଣ ବଳରେ ଆପଣଙ୍କ ସହ ଟକ୍କର ଦେଇପାରିବ । ତା’ କାଳ ପୁରିଲାଣି । ସେଥିପାଇଁ ହଜୁରଙ୍କ ରାଜ୍ୟରେ ପଶିବାକୁ ଇଚ୍ଛା କରୁଛି ।”

ମାଛରଜା ଦେଖିଲା, ଭାଟ କେବଳ ବଡ଼ ବଡ଼ କଥା କହିବ । ଅଯଥା ଟେକିଟାକି ତାଙ୍କୁ କଥା କହୁଛି । ମାଛ ହେଲା ଓଧର ଖାଦ୍ୟ । ତା’ ସହିତ ଲଢ଼ିବା ଯାହା, ଯମ ମୁହଁରେ ପଶିବା ତାହା । ଚାରି ମୁଖିଆ ମାଛଙ୍କ କଥା ତାକୁ ଭଲ ଲାଗିଲା ନାହିଁ । ତେଣୁ ବିପଦ ଏଡ଼ାଇବା ପାଇଁ କ’ଣ କରିବ, ତାହା ଚିନ୍ତା କଲା ।

ଏତିକିବେଳେ ହଠାତ୍ ତା’ର ମନେପଡ଼ିଲା କଇଁଛ କଥା । କଇଁଛର ବୟସ ବହୁତ ବେଶୀ । ଭାରି ବୁଦ୍ଧିଆ ବି ସେ । ତା’ ନାଁ ବୁଦ୍ଧିମନ୍ତ । ତା’ ପାଖକୁ ଯାଇ ଓଧ ଓ ବିଲୁଆ କଥା କହିଲା ।

ମାଛରଜାଠାରୁ ଓଧ ଓ ବିଲୁଆ କଥା ଶୁଣି କଇଁଛ କହିଲା- “ତୁମ୍ଭେମାନେ ନିଶ୍ଚିନ୍ତ ରୁହ । ମୁଁ ତା’ ଉପାୟ କରୁଛି । ଏଇକ୍ଷଣି କୁମ୍ଭୀର ପାଖକୁ ଯିବି । କାଲି ସକାଳେ ପୋଖରୀରୁ ଆସି ଓଧକୁ ଖାଇଯିବାକୁ ତାକୁ କହିବି । ସେ ଖୁସିରେ ରାଜି ହେବ । ତୁମେ ଏବେ ସବୁ ମାଛଙ୍କୁ ସାଙ୍ଗରେ ନେଇ ପାଖ ପୋଖରୀକୁ ଚାଲିଯାଅ ।”

ମାଛରଜା କଇଁଛ କଥା ମାନି ତା’ ପ୍ରଜାମାନଙ୍କ ସାଙ୍ଗରେ ପାଖ ପୋଖରୀକୁ ଚାଲିଗଲା । ଏଣେ କୁମ୍ଭୀର ସେଇ ପୋଖରୀକୁ ଆସି ଓଧକୁ ଖାଇଗଲା । ବିଚରା ବିଲୁଆ ମୁହଁ ଶୁଖାଇ କୁଆଡ଼େ ଚାଲିଗଲା । କୁମ୍ଭୀର ପୋଖରୀ ଛାଡ଼ି ଚାଲିଯିବା ପରେ ମାଛମାନେ ନିଜ ରାଜ୍ୟରେ ପୁଣି ଖୁସିରେ ରହିଲେ ।

ମହାଭାରତରେ ବିଦୁର କହିଛନ୍ତି-

“ଗୁପତ ବିଚାର ନ କର ଚାରି ଲୋକଙ୍କ ସାଥେ,
ହେଳୁଆ, ଅଳପ ବୁଧିଆ, ତରବରିଆ, ଭାଟେ ।”

“ଚତ୍ୱାରି ରାଜ୍ଞା ତୁ ମହାବଳେନ ବର୍ଜାନ୍ୟାହଃ ପଣ୍ଡିତସ୍ତାନି ବିଦ୍ୟାତ୍ ।
ଅଳ୍ପପ୍ରଜ୍ଞୈଃ ସହ ମନ୍ତ୍ରଂ ନ କୁର୍ଯ୍ୟା ନ୍ନ ଦୀର୍ଘସୂତ୍ରୈ ରଭସୈଶ୍ଚାରଣୈଶ୍ଚ ।।”

ନୀତିକଥା:- ହେଳୁଆ, ମୋଟାବୁଧିଆ, ତରବରିଆ ଓ ଭାଟ (ମିଛରେ ପ୍ରଶଂସା କରିବା ଲୋକ) ଲୋକଙ୍କ ସହିତ କେବେହେଲେ ଗୁପ୍ତ ମନ୍ତ୍ରଣା କରିବ ନାହିଁ । କଲେ ବିପଦ ପଡ଼ିବ ହିଁ ପଡ଼ିବ ।

To Top