ନୀତିକଥା

ପେଚାର ଫାଜିଲାମି

Basudev Mohapatra's odia Neeti Katha Pechaara Phaajilaami

ଅନ୍ୟଠାରୁ ଗାଳି ଶୁଣି ତାକୁ ଗାଳି ଦିଅ ନାହିଁ । ଓଲଟି ତାକୁ କ୍ଷମା ଦିଅ । ତାହାହେଲେ ତୁମ ମନ ଭିତରେ ରାଗର ଯେଉଁ ନିଆଁ ଜଳୁଥିବା, ତାହା ତାକୁ ପୋଡ଼ି ମାରିଦେବ । ତା’ଛଡ଼ା ଗାଳି ଦେବା ଲୋକର ପୁଣ୍ୟବଳ ତୁମ ପାଖକୁ ଚାଲିଆସିବ ।

ପେଚାର ଫାଜିଲାମି

ନଈ କୂଳରେ ଗୋଟିଏ ଶିମିଳି ଗଛ ଥାଏ । ସେଇ ଗଛର ଗୋଟିଏ କୋରଡ଼ରେ ପେଚାଟିଏ ରହେ । ପେଚାକୁ ଦିନରେ ଦେଖା ଯାଏ ନାହିଁ । ସେ ଦିନସାରା ତା’ କୋରଡ଼ ଭିତରେ ରହେ । ରାତି ହେଲେ ଶିକାର କରିବାକୁ ବାହାରେ ଉଡ଼ି ବୁଲେ ।

ସେହି ନଈର ଆରପଟ ବଡ଼ ଆମ୍ବ ଗଛଟିଏ ଥାଏ । ସେଠି ଗୋଟିଏ ଶୁଆ ତା’ ଛୁଆ ସହିତ ରହେ । ଶୁଆ ଦିନରେ ବଣରେ ଫଳ ଖାଇବାକୁ ବାହାରି ପଡ଼େ । ରାତିରେ ସେ ତା’ ବସାରେ ଥାଏ ।

ଦିନେ ଶୁଆଛୁଆ ତା’ ମା’କୁ କହିଲା – ମା’, ମୁଁ ଆଜି ତୋ’ ସାଥିରେ ବୁଲିଯିବି ।

ଶୁଆ କହିଲା – ନା, ଆଜି ଯିବୁ ନାହିଁ । ଆଉ ଦଶ ପନ୍ଦର ଦିନ ଯାଉ । ତୋ ଡେଣା ଟିକେ ମଜଭୁତ ହେଉ । ସେତେବେଳେ ମୁଁ ତୋତେ ସାଥିରେ ନେଇଯିବି ।

ସେଠୁ ଶୁଆଛୁଆ ମା’କୁ ଦେଖାଇବା ପାଇଁ ଟିକେ ଦୂରରେ ଥିବା କଇଥ ଗଛ ପାଖକୁ ଯାଇ ଉଡ଼ିଆସିଲା । ତାହା ଦେଖି ମା’ ଶୁଆର ଛାତି କୁଣ୍ଢେ ମୋଟା ହୋଇଗଲା । ଭାବିଲା-ଯାହା ହେଉ, ମୋ ଛୁଆ ପାରିଲାଣି । ଏଣିକି ତା’ ଆହାର ସେ ଯୋଗାଡ଼ କରିନେବ । ମୋ ଉପରେ ବୋଝ ହୋଇ ରହିବ ନାହିଁ ।

ସେଇ ଦିନ ମା’ ସହିତ ଶୁଆଛୁଆ ଆହାର ଖୋଜିବାକୁ ବାହାରି ପଡ଼ିଲା । ବାଟରେ ଗୋଟିଏ ବରଗଛ ପଡ଼ିଲା । ବରଫଳଗୁଡାକ ନାଲି ଟହ ଟହ ହୋଇ ପାଚି ଥାଏ । ମା’ ଓ ଛୁଆ ସେଠି ବସି ପେଟ ଭାରି ବରଫଳ ଖାଇଲେ ।

ଏତିକି ବେଳେ ଶୁଆକୁ ଶୋଷ ହେଲା । ସେଠୁ ବହୁତ ଦୂରରେ ପୋଖରୀଟିଏ ଥିଲା । ତେଣୁ ଶୁଆ ତା’ଛୁଆକୁ କହିଲା – ତୁ ଏଠି ଥାଏ’ । ମୁଁ ପାଣି ପିଇ ଆସୁଛି । ତୁ ଏତେ ବାଟ ଉଡିପାରିବୁ ନାହିଁ ।

ଶୁଆଛୁଆ କହିଲା – ଉଡ଼ିପାରିବି, ମା’ । ତୁ ମୋତେ ସାଙ୍ଗରେ ନେଇ ଯା’ ।

ଶୁଆଛୁଆ ମା ସାଥିରେ ଉଡ଼ିଚାଲିଲା । ହେଲେ ପୋଖରୀ ପାଖରେ ପହଞ୍ଚିଲା ବେଳକୁ ତା’ ଡେଣା ବଥାଇଲାଣି । ମା’କୁ କହିଲା – ମା’, ମୁଁ ଆଉ ଉଡ଼ିପାରିବି ନାହିଁ ।

ଶୁଆ କହିଲା – ମୋ’ ଧନ, ଏଥିପାଇଁ ମୋ ସାଙ୍ଗରେ ଆସିବାକୁ ତୋତେ ମନା କରୁଥିଲି । ଏଠି ରହିଲେ ବିପଦ । ଚାଲ, ଟିକେ ଟିକେ ଉଡ଼ି ସନ୍ଧ୍ୟା ସୁଦ୍ଧା ବସାକୁ ଫେରିଯିବା ।

ଶୁଆଛୁଆ କଷ୍ଟରେ ମା’ ସହିତ ବାଟରେ ରହି ରହି ଉଡୁଥାଏ । ଏମିତି ହେଉ ହେଉ ବେଳ ଗଡ଼ିଗଲା । ସଞ୍ଜ ପଡିବା ଦେଖି ସେମାନେ ପେଚା ରହୁଥିବା ଶିମିଳି ଗଛରେ ଅଟକି ଗଲେ ।

ପେଚା ଆହାର ଖୋଜିବାକୁ ବସାରୁ ବାହାରୁଥାଏ । ଶୁଆକୁ କହିଲା -କିଲୋ , ମୋ ବସା ପାଖରେ ତୁ କ’ଣ ଆସନ ଜମେଇଲୁଣି । ଆଉ, ସାଥିରେ ଛୁଆଟିଏ ବି ନେଇ ଆସିଛୁ ? ମରଣ ହେଉନି ତୋତେ !

ଶୁଆ ନରମ ଗଳାରେ କହିଲା – ଭଉଣୀ, ମୋ ଛୁଆଟା ଉଡିପାରୁନି । ରାତିରେ ଆମକୁ ଦେଖା ଯାଉନି, ମୋତେ ଏତିକି ଦୟା କର । ଆଜି ରାତିକ ପାଇଁ ଆମକୁ ଏଠି ରହିବାକୁ ଦିଅ ।

ପେଚା ରାଗି ଯାଇ କହିଲା – ଆଲୋ ଅନ୍ଧାରକାଣି, ଏଇଟି କ’ଣ ତୋ’ ବାପାର ଜାଗା ବୋଲି ଭାବିଲୁ ? କୋଉଠି ପଚା , ପୋକରା ଫଳଗୁଡାଏ ଗିଳି ଆସି ଏଠି ଅସନା ଗୋଡ଼ ମେଲାଇ ବସିଛୁ । ତୋ ଛୁଆକୁ ସଞ୍ଚାଣ ନେଉ ! ତୋତେ ସାପ ଖାଉ !!

ଶୁଆକୁ ବହୁତ ବାଧିଲା । ସେ ତା’ ଜୀବନରେ କେବେ କାହାଠାରୁ ଏମିତି ଗାଳି ଶୁଣି ନ ଥିଲା । ତା’ ଆଖିରୁ ଥପ୍‌ ଥପ୍‌ ହୋଇ ଲୁହ ଗଡ଼ି ପଡ଼ିଲା । ଦୁଃଖରେ ତା’ଛାତି ଭିତରଟା କୋରି ହୋଇଯାଉଥାଏ । ଏଣେ ତା’ ମନ ଭିତରେ ପେଚା ଉପରେ ରାଗ ନିଆଁ ପରି ଦମକୁ ଥାଏ । ରାଗି ସେ ପେଚାର କ’ଣ ଅବା କରିପାରିବ ? ପେଚା ଭାରି ଦୁଷ୍ଟ । କଳିହୁଡ଼ି ବି । ବନ୍ଧୁକରୁ ଗୁଳି ବାହାରିବା ଭଳି ତା’ ପାଟିରୁ ଗାଳି ଛୁଟିଥିବ । ସେଥିପାଇଁ ସେ ଚୁପ ରହିଲା ।

ତେବେ ପେଚା କି ସହଜରେ ଛାଡିବା ପକ୍ଷୀ ? ସେ ଶୁଆକୁ ଖୁମ୍ପିବା ପାଇଁ ବାହାରୁଥିଲା । ଏତିକିବେଳେ କିଏ ଗୋଟିଏ ତା’ ଗୋଡ଼କୁ ଚାପି ଧରିଲା । ପେଚା ମୁହଁ ବୁଲାଇ ଦେଖିଲା, ଗୋଟିଏ ରଣା ସାପ ତା’ଗୋଡ଼କୁ ଧରିସାରିଲାଣି । ସେ ଚେଁ ଚାଁ ହୋଇ କେତେ କାନ୍ଦିଲା । ତାହା ଦେଖି ଶୁଆ ଓ ତା’ଛୁଆ ଗଛର ଗୋଟିଏ ନୁଆଁଣିଆ ଡାଳକୁ ଘୁଞ୍ଚିଯାଇ ବସିଲେ । ସାପ ପେଚାକୁ ଗୋଟେପଣେ ଗିଳିସାରି ଗଛରୁ ଓହ୍ଲାଇ ଚାଲିଗଲା ।

ରାତି ପାହିଲା । ସେତେବେଳକୁ ଛୁଆ ଶୁଆର ଡେଣାରୁ ଦରଜ ଛାଡିଯାଇଥିଲା । ମା’ ଛୁଆ ଦିହେଁ ଉଡି ଉଡି ସେମାନଙ୍କ ବସାରେ ପହଞ୍ଚିଗଲେ । ଟିକିଏ ପରେ ପାରାଟିଏ ଶୁଆ ବସାକୁ ବୁଲି ଆସିଲା । ଶୁଆ ପାରାକୁ ଗଲା ରାତିର ସବୁ ଘଟଣା ଗୋଟି ଗୋଟି କରି କହିଲା । ତାହା ଶୁଣି ପାରା କହିଲା – ଯାହା ହୋଇଛି, ଠିକ୍‌ ହୋଇଛି । ପେଚାଟା ଭାରି ଫାଜିଲ୍‌ । ତୋତେ ଗାଳି ଦେଲା । ତୁ ତାକୁ ଗାଳି ନ ଦେଇ କ୍ଷମା ଦେଲୁ । ଅବଶ୍ୟ ତୋ’ରାଗକୁ ତୋ ମନ ଭିତରେ ଚାପି ରଖିଲୁ । ଏଥିରୁ ପେଚାର କ’ଣ କ୍ଷତି ହେଲା, ନିଜ ଆଖିରେ ଦେଖିଲୁ । ସାପ ହାବୁଡ଼ରେ ପଡି ତା’ର ପ୍ରାଣ ଗଲା ।

ମହାଭାରତରେ ବିଦୁର କହଛନ୍ତି –
ଗାଳି ଶୁଣି ଗାଳି ନ ଦେଇ
କ୍ଷମା ଦେଲେ ତୁମର
ଚାପା କୋପାନଳେ ଜଳିବ,
ପୁଣ୍ୟ ହାରିବା ତାର ।

ଆକ୍ରୁଶ୍ୟମାନୋ ନାକ୍ରୋଶେନ୍ମନ୍ୟୁରେବ ତିତିକ୍ଷତଃ ।
ଆକ୍ରୋଷ୍ଟାରଂ ନିର୍ଦ୍ଦହତି ସୁକୃତଂ ଚାସ୍ୟ ବିନ୍ଦତି ।।

To Top