ନୀତିକଥା

ମାଙ୍କଡ଼ ସେନାପତି

Basudev Mohapatra's Odia Niti Kathaa

ଅନ୍ୟାୟ ଭାବେ ଧନ ଆଣିଲେ ପାପ ହୁଏ । ସେହି ପାପକୁ ଲୁଚାଇବାକୁ ଚେଷ୍ଟା କଲେ ବି ତାହା ଜଣା ପଡ଼ିଯାଏ । ଏ ପ୍ରକାର ପାପ ଯୋଗୁଁ ଅନେକ ପ୍ରକାର ନୂଆ ନୂଆ ପାପ ହୁଏ । ତେଣୁ ଠକି ନ ଖାଇ ଖଟି ଖାଅ ।

ମାଙ୍କଡ଼ ସେନାପତି

ମଧୁବନରେ ହଜାର ହଜାର ପାତି ମାଙ୍କଡ଼ ରହୁଥିଲେ । ସେମାନଙ୍କର ଜଣେ ମୁଖିଆ ଥିଲା । ସମସ୍ତେ ମୁଖିଆକୁ ଡରୁଥିଲେ, ତା’ କଥା ମାନି ଚଳୁଥିଲେ ।

ଦିନ ଗଡ଼ି ଚାଲିଲା । ମୁଖିଆ ବୁଢ଼ା ହେଲା । ଆଗ ଭଳି କାମ କରିପାରିଲା ନାହିଁ । ତେଣୁ ସେ ମାଙ୍କଡ଼ମାନଙ୍କ ଏକ ସଭା ଡାକିଲା । ସଭାରେ କହିଲା- ଆଜିକାଲି ମୁଁ ପାରୁ ନାହିଁ । ଆଉ କେହି ଜଣେ ମୋତେ ସାହାଯ୍ୟ କରିବା ଦରକାର । ତେଣୁ ତୁମ ଭିତରୁ ଜଣେ ବଳୁଆ ଯୁବକ ବାଛ । ସେ ସେନାପତି ହୋଇ ମୋତେ ସାହାଯ୍ୟ କରିବ ।

ରାଜାଙ୍କ କଥା ମାନି ମାଙ୍କଡ଼ମାନେ ସେମାନଙ୍କ ସେନାପତି ବାଛି ଦେଲେ । ଏଣିକି ସେନାପତି ରାଜାଙ୍କ ପଡ଼ୋଶୀ ହୋଇ ରହିଲା । ଭୁଲ୍ କରିବା ମାଙ୍କଡ଼ମାନଙ୍କୁ ସେ ଦଣ୍ଡ ଦେଲା । ତେଣୁ ମାଙ୍କଡ଼ମାନେ ସେନାପତିକୁ ଭୟ କଲେ । ଏଇ ସୁଯୋଗ ନେଇ ସେନାପତି ସେମାନଙ୍କୁ କହିଲା- “ଦେଖ, ମୋତେ ରାଜାଙ୍କ କାମ କରିବାକୁ ପଡୁଛି । ତେଣୁ ମୋ ଘରର ଆହାର ପାଇଁ ମୁଁ ନିତି ଦୌଡ଼ିପାରିବି ନାହିଁ । ତୁମ୍ଭେମାନେ ଜଣ ଜଣ କରି ପାଳି କରି ମୋ ଘରକୁ ଆହାର ପଠାଇ ଦେଉଥିବ ।”

ସେନାପତିଙ୍କ ଆଦେଶ । ନ ମାନିଲେ ବିପଦ । ତେଣୁ ମାଙ୍କଡ଼ମାନେ ପାଳି କରି ନିତି ସେନାପତିଙ୍କ ଘରକୁ ଫଳମୂଳ ପଠାଇଲେ । ପାଳି ଦିନ ସେଇ ମାଙ୍କଡ଼ ଘରେ ସମସ୍ତେ ଉପାସ ରହନ୍ତି । ଛୁଆମାନେ ଭୋକ ସମ୍ଭାଳି ନ ପାରି ବୋବାଳି ଛାଡ଼ନ୍ତି । ହେଲେ, ସେମାନଙ୍କ ଦୁଃଖ ବୁଝୁଛି କିଏ ? ସେନାପତିର ଚାପୁଡ଼ାକୁ ସମସ୍ତଙ୍କର ପ୍ରାଣଭୟ ।

ଏଣେ ସେନାପତି ଘରେ ପ୍ରତିଦିନ ପ୍ରଚୁର ପନିପରିବା, ଫଳମୂଳ ଜମା ହୁଏ । ଘର ଲୋକମାନେ ଖାଆନ୍ତି ଯେତିକି, ଫୋପାଡ଼ନ୍ତି ସେତିକି । ଏମିତି ପର ଜିନିଷ ଖାଇ ଖାଇ ସେନାପତି ଓ ତା’ ଛୁଆମାନେ ପୁରା ଅଳସୁଆ ହୋଇଗଲେ । ବସି ଖାଇବାରୁ ସେନାପତିର ପେଟ ବାହାରି ପଡ଼ିଲା । ସେ ଆଗ ପରି ଦୌଡ଼ଧାପଡ଼ କରିପାରିଲା ନାହିଁ ।

ଏମିତି କିଛି ଦିନ ଗଲା । ଏଣିକି ମାଙ୍କଡ଼ମାନେ ନିଜ ନିଜ ଭିତରେ କୁହାକୁହି ହେଲେ- “ସେନାପତି ଆମ ଭଳି ମାଙ୍କଡ଼ଟାଏ । ତାକୁ ଆମେ ସେନାପତି ରୂପେ ବାଛିଲେ । ହେଲେ ସେ ନିଜକୁ କେତେ ବଡ଼ ମନେ କରୁଛି । ଇନ୍ଦ୍ରଚନ୍ଦ୍ର କାହାକୁ ମାନୁନାହିଁ । ନିତି ପର ଜିନିଷ ଲୁଟି କରି ଖାଉଛି । ଅତି ଅନ୍ୟାୟ କଥା । ଧର୍ମ ସହିବ ନାହିଁ ।”

ସତକଥା କେତେ ଦିନ ଅବା ଲୁଚି ରହିବ । ସେନାପତିର କାରସାଦି କଥା ରାଜା କାନକୁ ଗଲା । ଦିନେ ରାଜା ସେନାପତିକୁ ପଚାରିଲେ- “କିରେ, ତୁ ସେନାପତି ହେଲୁ ବୋଲି ନିଜେ ଖଟି ଖାଇବୁ ନାହିଁ । ଅନ୍ୟଠାରୁ ଅନ୍ୟାୟରେ ଫଳମୂଳ ନେଉଛୁ କାହିଁକି ?”

ସେନାପତି ହାତ ଯୋଡ଼ି କହିଲା- “ହଜୁର, ଏ ମାଙ୍କଡ଼ଗୁଡ଼ା ଡାହା ମିଛ କହୁଛନ୍ତି । ମୁଁ ନିତି ମୋ ଘରର ଆହାର ନିଜେ ଯାଇ ଆଣେ । କେବେ କେମିତି କାହା ଘରେ ଫଳମୂଳ ବଳିଗଲେ ମୋ ଘରେ ଦି’ଟା ପକାଇ ଦେଇଯାଆନ୍ତି ।”

ରାଜା କହିଲେ- “ଠିକ୍ ଅଛି, ତୋ କଥା ସତ କି ମିଛ, ମୁଁ ମାଙ୍କଡ଼ମାନଙ୍କୁ ସିଧା ପଚାରି ବୁଝିବି ।”

ରାଜା ମାଙ୍କଡ଼ମାନଙ୍କ ସଭା ଡକାଇ ଏ କଥା ପଚାରିଲେ । କିନ୍ତୁ ମାଙ୍କଡ଼ମାନେ ସେନାପତିଙ୍କୁ ଡରି କିଛି କହିଲେ ନାହିଁ । କେବଳ ଏତିକି କର, ଯିଏ ସେନାପତିକୁ ଫଳମୂଳ ପାଳି କରି ଦେଉଛି, ସେ ଗୋଟିଏ ହାତ ଟେକୁ ।

ଏବେ ମଜା ଦେଖ । ସବୁ ମାଙ୍କଡ଼ ଏକା ସଙ୍ଗେ ହାତ ଟେକି ଦେଲେ । ତାହା ଦେଖି ରାଜା କହିଲେ- “ଆରେ ମିଛୁଆ ସେନାପତି, ଦେଖ । ସତ କଥା କେବେ କେଉଁଠି ଲୁଚି ରହିଲାଣି ?”

ରାଜାଙ୍କଠାରୁ ଅପମାନ ପାଇ ସେନାପତି ସଭାରେ ମୁଣ୍ଡପୋତି ବସିଲା । ସେଠୁ ରାଜା ତାକୁ କହିଲେ- “ତୋ ଅଧର୍ମ କଥା କ’ଣ କହିବି ? ନିଜେ ଖଟି ଖାଇଲୁ ନାହିଁ । ପର ଜିନିଷ ଅନ୍ୟାୟରେ ନେଲୁ । ସେଥିପାଇଁ ତୁ ଅଳସୁଆ ହେଲୁ । ତୋ ଛୁଆମାନେ ଅଳସୁଆ ହେଲେ । ଶେଷରେ ନିଜ ଦୋଷ ଘୋଡ଼ାଇବାକୁ ଯାଇ ମିଛ କହିଲୁ । ଅନ୍ୟାୟରେ ପର ଜିନିଷ ନେଲେ ଫଳ ଏମିତି ହୁଏ । ଗୋଟିଏ ପାପ ଆଉ ଗୋଟିଏ ପାପକୁ ଡାକି ଆଣେ ।”

ରାଜା ସାଙ୍ଗେ ସାଙ୍ଗେ ସେନାପତିକୁ ବାହାର କରିଦେଲେ । ତାଙ୍କ ଆଦେଶରେ ମାଙ୍କଡ଼ମାନେ ନୂଆ ସେନାପତି ବାଛିଲେ । ନୂଆ ସେନାପତି ଭଲ କାମ କଲା । ସେଥିରେ ରାଜା ଖୁସି ହେଲେ । ମାଙ୍କଡ଼ମାନେ ସୁଖଶାନ୍ତିରେ ରହିଲେ ।

ମହାଭାରତରେ ବିଦୁର କହିଛନ୍ତି-

“ଅଧରମ ବାଟେ ଆଣିଲେ ଧନ,
ଲୁଚାଇଲେ ଦୋଷ ନ ଲୁଚେ, ଜାଣ ।
ତହୁଁ ନୂଆ ଦୋଷ ଉପୁଜେ ହେଲେ,
ବିଦୁର ବଚନ ନ ଟଳେ ତିଳେ ।”

“ଧନେନାଧର୍ମଲବ୍‌ଧେନ ଯଚ୍ଛିଦ୍ରମପିଧୀୟତେ ।
ଅସଂବୃତଂ ତଦ୍ ଭବତି ତତୋଽନ୍ୟଦବଦୀର୍ୟତେ ।”

ନୀତିକଥା- ଅନ୍ୟାୟ ଭାବେ ଧନ ଆଣିଲେ ପାପ ହୁଏ । ସେହି ପାପକୁ ଲୁଚାଇବାକୁ ଚେଷ୍ଟା କଲେ ବି ତାହା ଜଣା ପଡ଼ିଯାଏ । ଏ ପ୍ରକାର ପାପ ଯୋଗୁଁ ଅନେକ ପ୍ରକାର ନୂଆ ନୂଆ ପାପ ହୁଏ । ତେଣୁ ଠକି ନ ଖାଇ ଖଟି ଖାଅ ।

To Top