ନୀତିକଥା

ବଗ ବତକ କଥା

Basudev Mohapatra's odia Neeti Kathaa Baga Bataka Kathaa

ଗଲା କଥା ଆଉ ଫେରି ଆସିବ ନାହିଁ । ତା’ ଲାଗି ଶୋକ କଲେ ନିଜର ରୂପ, ବଳ, ବୁଦ୍ଧି ଓ ସ୍ୱାସ୍ଥ୍ୟ ନଷ୍ଟ ହେବ । ତେଣୁ ଗଲା କଥା ଭୁଲି ଖୁସି ମନରେ କାମରେ ଲାଗିଯାଅ ।

ବଗ ବତକ କଥା

ପାହାଡ଼କୁ ଲାଗି ବଡ଼ ପୋଖରୀଟିଏ । ତା’ ଭିତରେ ବାର ମାସ ପାଣି ଭରି ହୋଇଥାଏ । ଖରା ଦିନେ ବି ଶୁଖେ ନାହିଁ । ନିର୍ମଳ ଯେମିତି, ଥଣ୍ଡା ବି ସେମିତି । ସେଇ ପୋଖରୀରେ ଅକଳନା ମାଛ ରହୁଥିଲେ ।

ସେଇ ପୋଖରୀକୁ ଲାଗି ଗୋଟିଏ ବଡ଼ ବରଗଛ ଥାଏ । ସେଠି ଗୋଟିଏ ବଗ ବସା ବାନ୍ଧି ରହିଥିଲା । ବଗର ବସାରେ ସେ ନିଜେ, ବଗୁଲି ଓ ତା’ର ଛୋଟ ଛୁଆଟିଏ ରହୁଥିଲେ ।

ପୋଖରୀ କୂଳରେ ବୁଦାଟିଏ ଥାଏ । ତା’ ଭିତରେ ରହୁଥାଏ ବତକଟିଏ । ସେ ଦିନସାରା ପାଣିରେ ବୋଇତ ପରି ପହଁରି ବୁଲୁଥାଏ । ସଞ୍ଜ ହେଲେ ବୁଦା ଭିତରେ ଚୁପ୍‌ଚାପ୍ ଶୋଇ ପଡ଼େ ।

ବଗ ପୋଖରୀରୁ ମାଛ ଧରି ଥାଏ । ବତକ ବି ସେଇ ପୋଖରୀରେ ବୁଲି ବୁଲି ତା’ର ଆହାର ଯୋଗାଡ଼ କରେ । ବଗ ଓ ବତକର ଭେଟ ନିତି ସେଠି ହୁଏ । ଏମିତି ହେଉ ହେଉ ଦିହେଁ ସାଙ୍ଗ ବନିଗଲେ ।

ବଗର ପୁଅଟିଏ ଥାଏ । ଭାରି ଗୁଲୁଗୁଲିଆ । ଦେଖିଲେ ପେଟ ପୂରିଯିବ । ବଗୁଲି ତାକୁ କେବେ ପାଖରୁ ଛାଡ଼େନି । ବେଳେ ବେଳେ ବଗଛୁଆ ତା’ କୁନି କୁନି ଡେଣା ପିଟି ଏ ଡାଳରୁ ସେ ଡାଳକୁ ଉଡ଼ିଯାଏ । ବଗୁଲିର ଆଖି ସବୁବେଳେ ପୁଅ ଉପରେ ଥାଏ । ସେ ଛୁଆ ପାଖକୁ ଉଡ଼ିଯାଇ ତାକୁ ବସାକୁ ନେଇଆସେ ।

ଦିନେ ପୋଖରୀ କୂଳରେ ବସି ବତକ କହିଲା- “ବଗ ଭାଇ, ତୁମ ପୁଅକୁ ଏଣିକି ଟିକେ ନେଇ ଆସୁନା । ଏଠି ଖୋଲାରେ ଚାଲବୁଲ କରନ୍ତା । ମାଛ ଧରିବା କାଇଦା ବି ଟିକେ ଟିକେ ଶିଖିଯାଆନ୍ତା ।”

ବଗ କହିଲା- “କ’ଣ କହିବି, ବତକ ଭାଇ, ବଗୁଲି କ’ଣ ତାକୁ ନିମିଷେ ପାଖ ଛଡ଼ା କରୁଛି । ଗୋଟିଏ ବୋଲି ପୁଅ । ସବୁବେଳେ ପୁଅ ପାଖରେ ଜାକିଜୁକି ହୋଇ ବସିଥିବ । ବଗୁଲିକୁ ବହୁତ ଥର କହିଲିଣି । ହେଲେ ପୁଅକୁ ବାହାରକୁ ଛାଡ଼ିବାକୁ ପୂରା ମନା କରିଦେଉଛି ।”

ବତକ କହିଲା- “ଠିକ୍ ଅଛି ! ତାହାହେଲେ ମୁଁ ନିଜେ ଯାଇ ବଗୁଲିକୁ ବୁଝାଇ କହିବି ।”

ତା’ପର ଦିନ ବତକ ବଗୁଲି ବସାକୁ ଯାଇ କହିଲା- “ତୁମ ପୁଅ ବଡ଼ ହେଲାଣି । ତାକୁ ପୋଖରୀ ଆଡ଼େ ଯିବାକୁ ଦିଅ । ସେ ନିଜ ଆହାର ଯୋଗାଡ଼ କରିବା ଶିଖୁ । ପାଞ୍ଚଜଣଙ୍କ ସହିତ ମିଶିଲେ ସେ ପାଞ୍ଚ କଥା ବି ଶିଖିପାରିବ ।”

ବଗୁଲି କହିଲା- “ଆଉ ଯାହା କହିଲେ ମୁଁ ମାନିବି । ହେଲେ ମୋ ପୁଅକୁ ବାହାରକୁ ଛାଡ଼ିବି ନାହିଁ ।”

ବଗୁଲି ବତକ କଥାରେ ରାଜି ହେଲା ନାହିଁ । ସେ ତା’ ଛୁଆକୁ ନିଜ ପାଖରେ ହିଁ ରଖିଲା ।

ଦିନକର ଘଟଣା । ଦି’ପହର ବେଳ । ବଗ ପୋଖରୀ କୂଳରେ ଏକଗୋଡ଼ିଆ ହୋଇ ଠିଆ ହୋଇଥାଏ । ବତକ ପାଣିରେ ପହଁରୁଥାଏ । ଏତିକିବେଳେ ହଠାତ୍ ବରଗଛରୁ ବଗୁଲିର କାନ୍ଦବୋବାଳି ଶୁଣାଗଲା । ତାହା ଶୁଣି ବଗ ଓ ବତକ ସେଠାକୁ ଉଡ଼ିଗଲେ । ସେମାନଙ୍କୁ ଦେଖି ବଗୁଲି ମଥା କଚାଡ଼ି କହିଲା- “ମୋ ସଂସାର ସରିଗଲା । ମୁଁ ଟିକେ ଢୁଳେଇ ପଡ଼ିଥିଲି । ମୋ ପୁଅକୁ ସାପ ଖାଇଗଲା ।”

ତାହା ଶୁଣି ବତକ କହିଲା- “ବଗୁଲି ଭଉଣୀ, କାନ୍ଦ ନାହିଁ । କାନ୍ଦିଲେ କି ପୁଅ ଆଉ ଫେରିଆସିବ ?”

ବଗୁଲି ବତକର କଥା ବୁଝନ୍ତା କିଆଁ । ସବୁବେଳେ ପୁଅକୁ ଝୁରିବାକୁ ଲାଗିଲା । ଖାଇଲା ନାହିଁ, ପିଇଲା ନାହିଁ । ଦିନକୁ ଦିନ ତା’ ଦେହ ଦୁର୍ବଳ ହେଲା । ଏଣିକି ସେ ଆଉ ଉଡ଼ିପାରିଲା ନାହିଁ । ତା’ର ଆଗର ରୂପ କୁଆଡ଼େ ଉଭେଇଗଲା ।

ଦିନେ ବଗ ମାଛଟିଏ ଆଣି ବଗୁଲିକୁ ଖାଇବାକୁ ଦେଲା । ତାହା ଦେଖି ବଗୁଲି କହିଲା- “ନା, ମୁଁ ଏ ବେଙ୍ଗକୁ ଖାଇବି ନାହିଁ ।”

ବଗ କହିଲା- “ଏଟା ପରା ସଜ ମାଛଟାଏ । ବେଙ୍ଗ ଆସିଲା କୁଆଡୁ ?”

ବଗୁଲି କହିଲା- “ନା, ଏଟା ଗୋଟାଏ ବେଙ୍ଗ । ମାଛ ବୋଲି ମୋତେ ଭଣ୍ଡି ଦେଉଛ । ମୁଁ ଏହାକୁ ଛୁଇଁବି ନାହିଁ ।”

ବଗ ଏବେ ବଡ଼ ଅଡୁଆରେ ପଡ଼ିଲା । କ’ଣ କରିବ, ଭାବିପାରିଲା ନାହିଁ । ବତକକୁ ବଗୁଲି କଥା କହିଲା । ବତକ କହିଲା- “ବୁଝିଲ, ବଗ ଭାଇ, ପୁଅକୁ ଝୁରି ଝୁରି ବଗୁଲିର ରୂପ ଓ ବଳ ନଷ୍ଟ ହୋଇଯାଇଥିଲା । ଏବେ ତା’ ମଥା ବି ବିଗିଡ଼ିଗଲାଣି । ସେଥିପାଇଁ ସେ ମାଛକୁ ବେଙ୍ଗ ବୋଲି କହୁଛି । ଗଲା କଥାକୁ ଭାବି ଦୁଃଖ କରି କରି ବଗୁଲିର ଏ ଦଶା । ତୁମେ ଦୁଃଖ କର ନାହିଁ । ଯାହା ହେବାକୁ ଅଛି, ନିଶ୍ଚୟ ହେବ । ତୁମ କାମ ତୁମେ କରି ଚାଲ ।”

ମହାଭାରତରେ ବିଦୁର କହିଛନ୍ତି :-

ନ କରିବ କେବେ ଶୋଚନା
ଗଲା କଥାକୁ ହେଜି,
ରୂପ, ବଳ, ବୁଦ୍ଧି ବିନାଶ
ହୁଏ ରୋଗ ଉପୁଜି ।

ସନ୍ତାପାଦ୍ ଭ୍ରଶ୍ୟତେ ରୂପଂ ସନ୍ତାପାଦ୍ ଭ୍ରଶ୍ୟତେ ବଳମ୍ ।
ସନ୍ତାପାଦ୍ ଭ୍ରଶ୍ୟତେ ଜ୍ଞାନଂ ସନ୍ତାପାଦ୍ ବ୍ୟାଧିମୃଚ୍ଛତି ।।

ନୀତିକଥା :- ଗଲା କଥା ଆଉ ଫେରି ଆସିବ ନାହିଁ । ତା’ ଲାଗି ଶୋକ କଲେ ନିଜର ରୂପ, ବଳ, ବୁଦ୍ଧି ଓ ସ୍ୱାସ୍ଥ୍ୟ ନଷ୍ଟ ହେବ । ତେଣୁ ଗଲା କଥା ଭୁଲି ଖୁସି ମନରେ କାମରେ ଲାଗିଯାଅ ।

To Top