ନୀତିକଥା

ଦୁଇ ଶାରୀ ଭଉଣୀ

Basudev Mohapatra's odia Neeti Kathaa Dui Shaari Bhauni

କହି ଜାଣିଲେ କଥା ସୁନ୍ଦର । ଭଲ କଥା କହ । ମିଠା କଥା କହ । କଡ଼ା କଥା କହ ନାହିଁ । କାହାରି ଅନିଷ୍ଟ ହେଲା ଭଳି କଥା କହ ନାହିଁ ।

ଦୁଇ ଶାରୀ ଭଉଣୀ

ନଈକୂଳରେ ଝଙ୍କାଳିଆ ଆମ୍ୱଗଛଟିଏ । ତା’ ଡାଳରେ ବସା କରି ରହିଥିଲେ ଦୁଇଟି ଶାରୀ । ସେମାନଙ୍କର ଦୁଇଟି ଛୁଆ । ଶାରୀ ଛୁଆ ଦୁଇଟି ଦି’ଭଉଣୀ । ଏକାଠି ଖାଆନ୍ତି, ଖେଳନ୍ତି, ବୁଲନ୍ତି ।

ବାପା ଶାରୀ ବିଚରା ଭାରି ସାଧାସିଧା । ଚହଲିଲା ପାଣିକୁ ପାଦ ବଢ଼ାଏ ନାହିଁ । ସବୁବେଳେ ଅନ୍ୟମାନଙ୍କୁ ମିଠା କଥା କହେ । କାହାକୁ ବାଧିଲା ଭଳି କଥା କହେ ନାହିଁ । କାହାରି ସହିତ କେବେ କଳିକଜିଆ କରେ ନାହିଁ । ତାକୁ କେହି କଡ଼ା କଥା କହିଲେ ଜବାବ୍ ନ ଦେଇ ସେଇ ସେହି ସ୍ଥାନ ଛାଡ଼ି ଚାଲିଯାଏ । ସେଥିପାଇଁ ବାପା ଶାରୀକୁ ସବୁ ପକ୍ଷୀ ଭଲ ପାଉଥିଲେ ।

ମା’ ଶାରୀ କଥା ଠିକ୍ ଓଲଟା । ତା’ ପାଟିଟା ଶାଣଦିଆ ଛୁରୀ ପରି । ସବୁବେଳେ ଟାଇଁ ଟାଇଁ କଥା କହେ । ଘରପର କିଛି ଫରକ୍ ରଖେ ନାହିଁ । ତା’ ପାଟିରୁ କଥା ବାହାରିଲେ ବାପା ଶାରୀ ତାକୁ ଡରି ଚୁପ୍ ହୋଇଯାଏ ।

ବଡ଼ ଶାରୀଝିଅର ବାପାର ସ୍ୱଭାବ ପରି । ମା’କୁ ତା’ର ପ୍ରାଣ ଭୟ । ମା’ ପାଟି ଶୁଣିଲେ ଚୁପ୍ ହୋଇଯାଏ । ତା’ ସାନ ଭଉଣୀ ଠିକ୍ ମା’ ପରି । ଭାରି ଖରମୁହିଁ । ମା’ କଥାରେ ସାଙ୍ଗେ ସାଙ୍ଗେ ଜବାବ୍ ଦିଏ । ମା’ ଝିଅ ମୁହାଁମୁହିଁ ହେଲେ ଘରେ ମହାଭାରତ ଯୁଦ୍ଧ ଲାଗିଯାଏ ଯେମିତି ।

ଦିନକର ଘଟଣା । ସକାଳ ବେଳା । ଭୂଇଁ ଉପରେ କଅଁଳିଆ ସୂର୍ଯ୍ୟକିରଣ ବିଛେଇ ହୋଇ ପଡ଼ିଥାଏ । ଦୁଇ ଶାରୀ ଭଉଣୀ ଆମ୍ୱଗଛ ତଳକୁ ଉଡ଼ିଆସି ଖୁସିରେ ଏଣେ ତେଣେ ଟିକେ ଟହଲିବାକୁ ଲାଗିଲେ । ଏତିକିବେଳେ ବଡ଼ ଭଉଣୀ କହିଲା- “କୁନି ଲୋ’, ମୋ ଗୋଡ଼ଟା କ’ଣ ଗୋଟାକରେ ଛନ୍ଦି ହୋଇଗଲା । ମୁଁ ଏଠୁ ବାହାରି ପାରୁନି ।”

ସାନ ଭଉଣୀ କହିଲା- “ମର୍ ସେଠି ! ମୁଁ କ’ଣ କରିବି ?”

ସାନ ଭଉଣୀ ପାଟିରୁ କଥା ଶେଷ ହୋଇଛି କି ନାହିଁ, ତା’ ଗୋଡ଼ଟା ବି ସୂତା ଦେହରେ ଛନ୍ଦି ହୋଇଗଲା । ସେ ଯେତିକି ଓଟାରି ହେଲା, ସୂତା ବି ଦେହରେ ସେତିକି ଗୁଡ଼େଇ ହେଲା ।

ପକ୍ଷୀଧରାଳ ହସି ହସି ବୁଦା ପଛ ପଟୁ ଆସି ଦେଖିଲା, ସେ ବିଛେଇଥିବା ଫାଶରେ ସୁନ୍ଦର ଶାରୀଛୁଆ ଦି’ଟା ପଡ଼ିଛନ୍ତି । ପକ୍ଷୀ ଧରିନେଇ ବଜାରରେ ବିକିବା ଥିଲା ତା’ ଧନ୍ଦା । ସେ ଶାରୀଛୁଆଙ୍କୁ ବଜାରକୁ ନେଇଗଲା । ଏତିକିବେଳେ ଜଣେ ସାଧୁ ଆସି ଶାରୀ ବଡ଼ ଭଉଣୀକୁ ତା’ ଠାରୁ କିଣି ନେଇଗଲେ । ଟିକିଏ ପରେ ଜଣେ ଚୋର ସର୍ଦ୍ଦାର ଆସି ତା’ ସାନ ଭଉଣୀକୁ ତା’ ଠାରୁ କିଣି ନେଇଗଲେ ।

ଶାରୀ ବାପା ମା’ ଛୁଆଙ୍କୁ ନ ଦେଖି ବହୁତ ବିକଳ ହୋଇ କାନ୍ଦିଲେ । ଭାବିଲେ, ଛୁଆ ଦି’ଟା ଆଉ ବଞ୍ଚି ନ ଥିବେ । ସେମାନଙ୍କୁ ସାପ ଖାଇଯାଇଥିବ ।

ତେଣେ ଶାରୀ ବଡ଼ ଭଉଣୀ ରହିଲା ସାଧୁବାବାଙ୍କ ଆଶ୍ରମରେ । ସାଧୁବାବା ତାକୁ ନିତି ଭଲ ଭଲ କଥା ଶିଖାଉ ଥାଆନ୍ତି । ଶାରୀ ଦିନସାରା ଏହିପରି ରାମନାମ ଗାଉଥାଏ ।

ରାମ ନାମ ଜପ, ଭାଇ, ଗାଅ ରାମ ନାମ,
ରାମ ନାମ ମନେ ରଖି, କର ସବୁ କାମ ।

ଶାରୀ ସାନଭଉଣୀ ଚୋର ଘରେ ରହିଲା । ସେଠାରେ କୌଣସି ଭଲ ଲୋକ ଆସନ୍ତି ନାହିଁ । ସେମାନଙ୍କ ପାଟିରୁ କେବଳ ମାରପିଟ୍ କଥା ବାହାରେ । ତାହା ଶୁଣି ଶାରୀ କାହାକୁ ଦେଖିଲାକ୍ଷଣି କହେ, “ମାର୍ ଶଳାକୁ, ତା’ ତଣ୍ଟି ଚିପି ଦିଅ ।”

ସବୁବେଳେ ମିଠା କଥା କହୁଥିବା ଯୋଗୁଁ ବଡ଼ ଶାରୀ ଭଉଣୀକୁ ସମସ୍ତେ ଭଲ ପାଉଥିଲେ । ସାନ ଶାରୀ ଭଉଣୀ ସବୁବେଳେ ଟାଣ ଟାଣ କଥା କହୁଥିବାର ତାକୁ କେହି ଜଣେ ବି ଭଲ ପାଉ ନଥିଲେ । ତା’ କଥାରେ ଝଗଡ଼ା, ମାରପିଟ୍ ଲାଗିଯାଉଥିଲା ।

ମହାଭାରତରେ ବିଦୁର କହିଛନ୍ତି :-

ମିଠା କଥା କରେ କେତେ ମଙ୍ଗଳ,
କଠୋର କଥାରେ ଉପୁଜେ ଗୋଳ ।

ଅଭ୍ୟାବହତି କଲ୍ୟାଣଂ ବିବିଧଂ ବାକ୍ ସୁଭାଷିତା ।
ସୈବ ଦୁର୍ଭାଷିତା ରାଜନ୍ନର୍ଥାଯୋପପଦ୍ୟତେ ।।

ନୀତିକଥା:- କହି ଜାଣିଲେ କଥା ସୁନ୍ଦର । ଭଲ କଥା କହ । ମିଠା କଥା କହ । କଡ଼ା କଥା କହ ନାହିଁ । କାହାରି ଅନିଷ୍ଟ ହେଲା ଭଳି କଥା କହ ନାହିଁ ।

To Top