ନୀତିକଥା

ଚମତ୍କାର ଔଷଧ

ଗରିବ ଲୋକମାନେ ପରିଶ୍ରମ କରିବାରୁ ସେମାନଙ୍କୁ ଭୋକ ଲାଗେ । ପେଟରେ ଭୋକ ଥାଇ ଖାଇଲେ ଆହାର ସୁଆଦିଆ ଲାଗେ । ତେଣୁ ଗରିବ ଖଟିଖିଆ ଲୋକମାନେ ନିତି ସୁଆଦିଆ ଆହାର ପାଆନ୍ତି । କିନ୍ତୁ ଅଳସୁଆ ଧନୀ ଲୋକ ଭୋକ ଅଭାବରୁ ସୁଆଦିଆ ଆହାର କେବେ ପାଏ ନାହିଁ ।

ଚମତ୍କାର ଔଷଧ

ବିରାଟ ବଣଟିଏ । ତା’ ଭିତରେ ପଶୁ ରାଇଜ ଓ ପକ୍ଷୀରାଇଜ । ପଶୁମାନେ ଭୂଇଁରେ ରହୁଥିଲେ । ପକ୍ଷୀମାନଙ୍କ ଭିତରୁ କୁକୁଡ଼ା, ବତକ ଆଦି ଭୂଇଁରେ ରହୁଥିଲେ । ଅଧିକାଂଶ ପକ୍ଷୀ ଗଛ ଡାଳରେ ବସା ବାନ୍ଧି ରହୁଥିଲେ । ସେତେବେଳେ ପକ୍ଷୀମାନଙ୍କର ରାଜା ଥିଲା ଶାଗୁଣା । ଶାଗୁଣାର ମନ୍ତ୍ରୀ ଥିଲା ଚିଲ ।

ରାଜା ହେଲେ କ’ଣ ହେବ, ଶାଗୁଣାଟା ମସ୍ତ ପେଟୁ । ଖାଉଥିଲେ ଖାଉଥିବ । ତା’ ଲୋଭର ସୀମା ନ ଥାଏ । ଏଣେ ତା’ ମନ୍ତ୍ରୀ ଚିଲ ଥିଲା ଦକ୍ଷ ଶିକାରୀ ପକ୍ଷୀଟାଏ । ପକ୍ଷୀରାଜାର ମନ ଜାଣି ତାକୁ ନିତି ନୂଆ ନୂଆ ଶିକାର ଯୋଗାଇ ଦେଉଥାଏ । କଥାରେ ଅଛି, “ଖାଇ ବସିଲେ ବଢ଼ଇ ପେଟ ।” ଶାଗୁଣାର ସେଇଆ ହେଲା । ତା’ ପେଟ ବଢ଼ିଗଲା । ଦେହ ବି ମୋଟା ହୋଇଗଲା । ଏଣିକି ସେ ବାହାରକୁ ନ ଯାଇ ତା’ ଘର ଭିତରେ ପଡ଼ି ରହିଲା ।

ଚିଲ କେଉଁ ଦିନ ଠେକୁଆ ମାଂସ, କେଉଁ ଦିନ କୁଟୁରା ମାଂସ, ଆଉ କେଉଁ ଦିନ ଭଲ ବ୍ରାହ୍ମଣୀ ବେଙ୍ଗ ଆଣି ଶାଗୁଣାକୁ ଦିଏ । ସବୁବେଳେ ମୁହଁ ଆଗରେ ପ୍ରଚୁର ଆହାର ଥିବାରୁ ଶାଗୁଣାର ଖାଇବାରେ ରୁଚି କମିଗଲା । ଦିନେ ସେ ପାଖରେ ଶିକାର ଜିନିଷ ଦେଖି ଚିଲକୁ କହିଲା- “ଖାଇବି କ’ଣ ? ଆଜି ମୋ ପେଟ ଜମା ଭଲ ଲାଗୁ ନାହିଁ । ଭୋକ ବିଲ୍‌କୁଲ୍ ନାହିଁ । ଆଜିକାଲି ମୋତେ ଖାଇବା ଜିନିଷ ଦେଖିଲେ କେଜାଣି କାହିଁକି ଚିଡ଼ି ମାଡୁଛି ।”

ଚିଲ କହିଲା- “ନ ଖାଇଲେ ଆପଣଙ୍କ ଦେହ ବିଗିଡ଼ିଯିବ । କ’ଣ କରିବା ?”

ଶାଗୁଣା କହିଲା- “ଯା, ଆମ ପକ୍ଷୀରାଇଜର ବଇଦକୁ ଡାକି ଆଣ ।”

କଜଳପାତି ଥିଲା ପକ୍ଷୀରାଇଜର ବଇଦ । ଚିଲ ତା’ ପାଖକୁ ଉଡ଼ିଯାଇ ପକ୍ଷୀରାଜା ଅସୁସ୍ଥ ଥିବା କଥା କହିଲା । ତାହା ଶୁଣି କଜଳପାତି ସାଙ୍ଗେ ସାଙ୍ଗେ ରଜାଘର ଆଡ଼େ ବାହାରି ପଡ଼ିଲା ।

କଜଳପାତି ରଜାଘରେ ପହଞ୍ଚି ଦେଖିଲା, ରାଜା ଚିତ୍ ହୋଇ ଶୋଇଛନ୍ତି । ପେଟଟା ତାଙ୍କର ଫୁଲିଯାଇଛି । ପେଟକୁ ଟିପି ଦେଖିଲା । ତାହା ବାଇଦ ଭଳି ଢମଢ଼ମ ଶୁଣାଯାଉଛି । ଏବେ ବଇଦ ବୁଝିଗଲା, ରାଜାଙ୍କୁ ବଦହଜମି ଧରିଛି । ସେ ପଚାରିଲା- “ମହାରାଜ, କେତେ ଦିନ ହେଲା ଆପଣଙ୍କର ଏମିତି ହୋଇଛି ? ଖାଉଛନ୍ତି କ’ଣ ?”

ଶାଗୁଣା କହିଲା- “ବଦହଜମି କ’ଣ ମୋ ଜୀବନରେ କେବେ ଜାଣି ନଥିଲି ।” ରାଜା ହେବା ପରେ ଏମିତି ଟିକେ ଟିକେ ହେଉଥିଲା । ଏବେ ଅଧିକ ହେଉଛି । କୌଣସି ଜିନିଷ ଖାଇବାକୁ ଇଚ୍ଛା ହେଉ ନାହିଁ ।

କଜଳପାତି କହିଲା- “ଏଇ ଔଷଧଟା ଖାଇ ଦିଅନ୍ତୁ । ହଠାତ୍ ଟିକିଏ ଭଲ ଲାଗିବ । ହେଲେ ଔଷଧରେ ଆପଣଙ୍କ ବଦହଜମି ଓ ଅଗ୍ନିମାନ୍ଦ୍ୟ ରୋଗ ଛାଡ଼ିବ ନାହିଁ ।”

ଶାଗୁଣା କହିଲା- “ତା’ହେଲେ ଏ ରୋଗ କ’ଣ ଭଲ ହେବ ନାହିଁ ? ମୁଁ ନ ଖାଇ ନ ପିଇ ପଡ଼ି ପଡ଼ି କ’ଣ ମରିଯିବି ?”

କଜଳପାତି କହିଲା- “ନା, ଆପଣଙ୍କ ରୋଗ ଭଲ ହୋଇଯିବ । କିନ୍ତୁ ତାହା କୌଣସି ଔଷଧରେ ଭଲ ହେବ ନାହିଁ ।”

ଚିଲ ପଚାରିଲା- “ତାହାହେଲେ ରାଜା ସୁସ୍ଥ ହେବେ କେମିତି ?”

କଜଳପାତି କହିଲା- “ରୋଗ ହେଲା କାହିଁକି, ତାହା ଆଗେ ବୁଝ । ତା’ପରେ କ’ଣ କରାଯିବ, ବୁଝିବ ।”

ଚିଲ ପଚାରିଲା- “ରାଜାଙ୍କ ଦେହ ବିଗିଡ଼ିଲା କାହିଁକି ?”

କଜଳପାତି କହିଲା- “ଆଜିକାଲି ମହାରାଜା ଶିକାର କରିବାକୁ ବାହାରକୁ ଯାଉନାହାନ୍ତି । ତାଙ୍କ ପାଖରେ ପ୍ରଚୁର ଆହାର ଥୁଆ ହେଉଛି । ସବୁବେଳେ ମନଇଚ୍ଛା ଖାଉଛନ୍ତି । ପରିଶ୍ରମ ନ କରିବାରୁ ଭୋକ ହେଉ ନାହିଁ । ଭୋକ ନ ଥାଇ ଖାଇବାରୁ ଖାଦ୍ୟ ହଜମ ହେଉ ନାହିଁ । ପେଟରେ ଭୋକ ଥିଲେ ଆହାର ସୁଆଦିଆ ଲାଗେ । ଏଇ ଖଟିଖିଆ ପକ୍ଷୀମାନଙ୍କୁ ଦେଖନ୍ତୁ । ପରିଶ୍ରମ କରିବା ଯୋଗୁଁ ସେମାନଙ୍କୁ ଭାରି ଭୋକ ଲାଗେ । ଭୋକ ଲାଗି ସେମାନଙ୍କୁ ସବୁ ଆହାର ରୁଚିକର ଲାଗେ ।”

ଶାଗୁଣା କହିଲା- “ତାହାହେଲେ ମୋତେ କ’ଣ କରିବାକୁ ପଡ଼ିବ ?”

କଜଳପାତି କହିଲା- “ଆପଣ ଆଗ ପରି ପ୍ରତିଦିନ ନିଜେ ଶିକାର କରି ଯାଆନ୍ତୁ । ଆକାଶରେ ଡେଣା ମେଲାଇ ଉଡ଼ି ବୁଲନ୍ତୁ । ଦେଖିବେ, ଆପଣଙ୍କୁ ଛାଏଁ ଭୋକ ଲାଗିବ ।”

ବଇଦ କଥା ମାନି ଏଣିକି ଶାଗୁଣା ପ୍ରତିଦିନ ଶିକାର କରିବାକୁ ଗଲା । ଡେଣା ପିଟି ପିଟି ଉଡ଼ିବାରୁ ତା’ର ପରିଶ୍ରମ ହେଲା । ପରିଶ୍ରମ ହେବାରୁ ତାକୁ ଭୋକ ଲାଗିଲା । ଭୋକ ଯୋଗୁଁ ତା’ ଆହାର ବେଶ୍ ସୁଆଦିଆ ଲାଗିଲା । ଆଉ ଦିନେ ବି ତା’ର ବଦହଜମି ହେଲା ନାହିଁ । ସେ ସୁସ୍ଥ ଓ ବଳୁଆ ହୋଇଗଲା ।

ମହାଭାରତରେ ବିଦୁର କହିଛନ୍ତି :-

“କରେ ରୁଚିକର ଆହାର
ନିତି ଗରିବ ସିନା,
ଭୋକ ଜନମାଏ ସୁଆଦ,
ଧନୀ କପାଳେ ମନା ।”

ସମ୍ପନ୍ନତରମେବାନ୍ନାଂ ଦରିଦ୍ରା ଭୁଞ୍ଜତେ ସଦା ।
କ୍ଷୁତ୍ ସ୍ୱାଦୁତାଂ ଜନୟତି ସା ଚାଢ୍ୟେଷୁ ସୁଦୁର୍ଲଭା ।।

ନାତିକଥା :- ଗରିବ ଲୋକମାନେ ପରିଶ୍ରମ କରିବାରୁ ସେମାନଙ୍କୁ ଭୋକ ଲାଗେ । ପେଟରେ ଭୋକ ଥାଇ ଖାଇଲେ ଆହାର ସୁଆଦିଆ ଲାଗେ । ତେଣୁ ଗରିବ ଖଟିଖିଆ ଲୋକମାନେ ନିତି ସୁଆଦିଆ ଆହାର ପାଆନ୍ତି । କିନ୍ତୁ ଅଳସୁଆ ଧନୀ ଲୋକ ଭୋକ ଅଭାବରୁ ସୁଆଦିଆ ଆହାର କେବେ ପାଏ ନାହିଁ ।

To Top