ଶିକ୍ଷା

ନିଜ ଓ ପର

Kanishtha Kishore Sahu's odia preach for children Nija O Para

ସ୍ୱାଇଁବାବୁ କାହ୍ନାକୁ ଧରି ତା’ ଗାଲରେ ଚାରି ଛଅ ଥାପୁଡ଼ା ଖୁବ୍ ଜୋର୍‌ରେ ଲଦି ଦେଲେ ।

ନିଜ ଓ ପର

ବର୍ଷାଦିନ । ଅପରାହ୍ନ ସାଢ଼େ ତିନିଟା ବିଦ୍ୟାଳୟର ପରିସର ମଧ୍ୟରେ ଥିବା ପଡ଼ିଆରେ ପିଲାମାନେ ଖେଳୁଥାନ୍ତି । ବାରଣ୍ଡାରେ ପ୍ରଧାନ ଶିକ୍ଷକ ସ୍ୱାଇଁବାବୁ ଛିଡ଼ା ହୋଇ ପିଲାଙ୍କ ଖେଳକୁ ନିରୀକ୍ଷଣ କରୁଥାନ୍ତି । ଚିନ୍ତାମଗ୍ନ ଜଣାପଡୁଥାନ୍ତି ।

ହଠାତ୍ ଦ୍ୱିତୀୟ ଶ୍ରେଣୀର କାହ୍ନା ତାଙ୍କ ଆଡ଼କୁ ଦୌଡ଼ି ଆସିଲା । ଖୁସିରେ ତାଙ୍କ ହାତକୁ ଧରି ପକାଇ କହିଲା, “ଆଜ୍ଞା ! ଆସନ୍ତୁ ଖେଳେଇବେ ।” ସ୍ୱାଇଁବାବୁ ଦେଖିଲେ ତାଙ୍କ ହାତରେ ମେଞ୍ଚାଏ କାଦୁଅ । କାହ୍ନା ଲଗେଇଛି । ଭୀଷଣ ରାଗିଗଲେ । କାହ୍ନା ଅଜାଣତରେ କାଦୁଅ ଲଗାଇ ଦେଇଥିବାରୁ ସେଠାରୁ ଚାଲି ନ ଯାଇ ଦୋଷୀ ଭଳିଆ ଠିଆ ହୋଇଥାଏ । ସ୍ୱାଇଁବାବୁ କାହ୍ନାକୁ ଧରି ତା’ ଗାଲରେ ଚାରି ଛଅ ଥାପୁଡ଼ା ଖୁବ୍ ଜୋର୍‌ରେ ଲଦି ଦେଲେ । ବିଚରା କାହ୍ନା । ଥାପଡ଼ର ପୀଡ଼ାକୁ ସହିପାରିଲାନି । କାନ୍ଦି ଉଠିଲା । ଯାଇ ବାରଣ୍ଡାର ଗୋଟିଏ କୋଣରେ ସୁକୁସୁକୁ ହେଲା ।

ସ୍ୱାଇଁ ବାବୁ ସେଦନି ବଜାର କରି ଘଣ୍ଟାଏ ପରେ ଘରେ ପହଞ୍ଚିଲେ । ଘର ଆଗରେ ପହଞ୍ଚିବା କ୍ଷଣି ରାସ୍ତାରେ ଖେଳୁଥିବା ତାଙ୍କ ନାତୁଣୀ ଦୌଡ଼ି ଆସି ତାଙ୍କୁ କୁଣ୍ଢାଇ ଧରିଲା । ତାଙ୍କ ପ୍ୟାଣ୍ଟ୍ ଓ ସାର୍ଟରେ ନାତୁଣୀ ହାତର କାଦୁଅ ଗୁଡ଼ାଏ ଲାଗିଲା । ବିରକ୍ତ ନ ହୋଇ ନାତୁଣୀକୁ କହିଲେ, “ଏ ଦୁଷ୍ଟ ! କ’ଣ କଲୁ ।” ତା’ ହାତକୁ ଧରି ଘର ଭିତରକୁ ନେଲେ । ବୋହୂଙ୍କୁ ଡାକି ଧୋଇ ଦେବାକୁ ଆଦେଶ ଦେଲେ ।

ସେଦିନ ସ୍ୱାଇଁ ବାବୁଙ୍କୁ ଭଲ ରୂପେ ନିଦ ହେଲା ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ କାହ୍ନାର ନିରୀହ ମୁହଁ ଆଖି ଆଗରେ ଭାସି ଯାଉଥାଏ । ବାରମ୍ୱାର ଏଭଳି ହେବା ଦେଖି ତାଙ୍କ ମନରେ ପ୍ରଶ୍ନ ଉଠିଲା । କାହ୍ନାଟା ପରଘରର ପୁଅ ବୋଲି ଯେଉଁ ଦଣ୍ଡ ପାଇଲା, ନାତୁଣୀ ସମାନ ଭୁଲ୍ କରି ନିଜର ବୋଲି ଦଣ୍ଡ ନ ପାଇ ସ୍ନେହ ପାଇଲା । ସ୍ୱାଇଁ ବାବୁ ନିଜକୁ ଅପରାଧୀ ମନେ କଲେ । ରାତିରେ ଆଉ ଶୋଇପାରିଲେ ନାହିଁ ।

ତା’ ପରଦିନ ସ୍କୁଲ୍‌ରେ ସ୍ୱାଇଁବାବୁ ପହଞ୍ଚିବା କ୍ଷଣି କାହ୍ନାକୁ ଡାକ ଦେଲେ । ତା’ ହାତରେ ଗୋଟିଏ ବହି ଓ କଲମ ଖଣ୍ଡେ ଧରାଇ କହିଲେ, “ପୁଅ ! କାଲି ତୋତେ ଅକାରଣରେ ଗାଳି ଦେଲି, ଧରିବୁନି ।” କାହ୍ନା କିନ୍ତୁ କିଛି କହିଲା ନାହିଁ । ହସିଦେଲା । ସେ ତ ଗୁରୁଜୀଙ୍କ ଦଣ୍ଡାଧାନକୁ ଆଶୀର୍ବାଦ ରୂପେ ଗ୍ରହଣ କରି ସାରିଥିଲା ।

ଲୋକପ୍ରିୟ ଲେଖା

To Top