ସମ୍ପାଦକୀୟ

ସାହିତ୍ୟ ଓ ସାହିତ୍ୟିକ

Dr Subrat Kumar Prusty's Editorial Article Saahitya o Saahityika

ପ୍ରଭାବଶାଳୀ ସାହିତ୍ୟର ଅଭାବ ହିଁ ଓଡ଼ିଆ ପାଠକ ସଂଖ୍ୟା ହ୍ରାସର ମୂଳ କାରଣ। ଏହା ହିଁ ପ୍ରମାଣ କରେ ଲେଖକର ସମାଜ ପ୍ରତି ଥିବା ଅଙ୍ଗିକାରବଦ୍ଧତାକୁ।

ସାହିତ୍ୟ ଓ ସାହିତ୍ୟିକ

ସମାଜରେ ପ୍ରତିଫଳିତ ପ୍ରତ୍ୟେକ ଦୃଶ୍ୟକୁ ସାହିତ୍ୟିକ ଦେଖିବାପରେ ସେଥିରୁ ସାରତକ ଗ୍ରହଣ କରେ। ତା’ପରେ ସେ ତାକୁ ନିଜର ସୃଜନଶକ୍ତି ବଳରେ ପାଠକ ନିକଟରେ ଉପସ୍ଥାପିତ କରେ ନବୀକରଣ କରି, କାମଟା ଅତି କଠିନ, କାରଣ ସେହିଭଳି ଅନୁଭବ, ଦେଖିବା ଶକ୍ତି ବା କହିବା ଶକ୍ତି ନ ଥିଲେ ତାହା ପାଠକ ପ୍ରାଣକୁ ଛୁଇଁ ପାରିବନାହିଁ । ତେଣୁ କୁହାଯାଇଛି – “କହି ଜାଣିଲେ କଥା ସୁନ୍ଦର” । କଥାକୁ ସୁନ୍ଦର ଭାବରେ କହିପାରିବା ବା ଉପସ୍ଥାପିତ କରିପାରିବା ଏକ କଳା ।

ସାଧାରଣ ମଣିଷଠାରୁ ସାହିତ୍ୟିକ ଅଲଗା । ତା’ର ଦୃଷ୍ଟିଶକ୍ତି, ଶ୍ରବଣ ଶକ୍ତି ତଥା ମନ ମଧ୍ୟ ନିଆରା । ପଦ୍ମଫୁଲଟିଏ ଦେଖି ସାଧାରଣ ମଣିଷଟିଏ ଆନନ୍ଦିତ ହୋଇ ଅତିକ୍ରମ କରି ଚାଲିଯାଏ । ମାତ୍ର କବିର ଥରିଲା ଓଠରୁ ସଙ୍ଗେସଙ୍ଗେ ଝରି ଉଠେ – “କୋଟି ଲାବଣ୍ୟ ନିଧିରେ ପଦ୍ମ ତୁହି ।” ସାଧାରଣ ମଣିଷ ଆଖିରେ କୋଇଲି ଗୋଟିଏ ପକ୍ଷୀ ହୋଇଥିବାବେଳେ କବି ଦୃଷ୍ଟିରେ ସେ ବସନ୍ତର ଦୂତ, ଆମ୍ବ ବଉଳ ପ୍ରେମ ଓ ପ୍ରଣୟର ପ୍ରତୀକ। ପୁଣି କେତେବେଳେ ଅତ୍ୟାଚାରିତ ପିଲାଟିକୁ ଗରିବ ରିକ୍ସାବାଲା କୋଳେଇ ନେବା ଦେଖି ସେ କହିଦିଏ – “ଧନରେ ମଣିଷ ପଣିଆ ନ ଥାଏ, ଥାଏ ମନରେ ।”

ସାହିତ୍ୟ ଭାବେ ସମାଜପାଇଁ, କହେ ସମାଜପାଇଁ, ସମାଜର ହିତ ସାଧନ କରେ ବୋଲି ତା’ର ନାମ ସାହିତ୍ୟ, ସାହିତ୍ୟିକ ସାହିତ୍ୟରେ ମିଳନର ଭାବ ପରିବେଷଣ କରେ । ଏ ମିଳନ ମଣିଷ ମଣିଷର, ଗୋଟିଏ ମନ ସହ ଆଉ ଗୋଟିଏ ମନର । ମଣିଷର ସମାଜ ସହିତ ମିଳନ ।
ସାହିତ୍ୟର ଅଛି ଅନେକ ବିଭାଗ, ତେବେ ଏ ସବୁର ମୂଳ ଲକ୍ଷ୍ୟ ହେଲା ମଣିଷକୁ ମଣିଷ କରି ଗଢ଼ି ତୋଳିବା, ସଂକୀର୍ଣ୍ଣ ସ୍ୱାର୍ଥ ଚିନ୍ତାରୁ ବାହାରି ଆସି ମଣିଷ ସମସ୍ତଙ୍କୁ ନିଜର କରୁ । ସୁଖ ଶାନ୍ତିରେ ସମାଜରେ ବାସ କରୁ – ଏହା ହିଁ ସାହିତ୍ୟର ମୂଳ ଲକ୍ଷ୍ୟ ।

ସାହିତ୍ୟିକ ବି ନିଆରା ମଣିଷ ହୋଇଯାଏ ତାର କୃତୀ ଆଉ ପ୍ରକୃତିକୁ ନେଇ। ଯୁଗେଯୁଗେ ସବୁ ସାହିତ୍ୟରେ ଏହା ଘଟିଛି। ଓଡିଆ ସାହିତ୍ୟ ସେଥିରୁ ବାଦ ଯାଇନାହିଁ । ପ୍ରଥମ ଓଡିଆ ସାହିତ୍ୟ ଭାବରେ ଆମଆଗରେ ସଗର୍ବେ ଠିଆ ହୋଇଥିବା ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ହେଉ ବା ତୃତୀୟ ଶତାବ୍ଦୀରେ ମୁରୁଣ୍ଡ ବଂଶଲୋପକାରୀ ଓଡିଆ ବୀର ଶତୃଭଞ୍ଜଙ୍କ ଅସନପାଟ ଶିଳାଲେଖର ସାହିତ୍ୟ ହେଉ, ସବୁଥିରେ ରହିଛି ସାଧାରଣ ମଣିଷର ଜୀବନ ଆଉ ତାର ସମାଜର କଥା। ଡିସେମ୍ବର ମାସ ଗୁରୁବାର ଶିତୁଅା ସକାଳେ ଓଡିଅା ଘରର କୂଳବୋହୂଟିଏ ଥୁରୁଥୁରୁ ହୋଇ ଘର ଅଗଣାକୁ ଲିପାପୋଛା କରି ମୁରୁଜ ବୁଣିବାର ଦୁର୍ବାର ମାନସିକତା ଭିତରେ ଘରର ମଙ୍ଗଳ କାମନା କରି ଯେଉଁ ଲକ୍ଷ୍ମୀଦେବୀଙ୍କୁ ପୂଜା କରେ, ସେହି ପୂଜାପଦ୍ଧତି ଯେ ଜଣେ ସମାଜସଂସ୍କାରକ କବିର ମନନଶୀଳତା, ତାହା ସେ ବୁଝିପାରେ ନାହିଁ କି ଯେତେ ବୁଝାଇଲେ ମଧ୍ୟ ସେ ବୁଝେନାହିଁ । ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟ ନାରୀଜାତିକୁ ସମ୍ମାନ ଦେବା, ସମାଜର ସର୍ବନିମ୍ନ ସ୍ତରରେ ବାସକରୁଥିବା ମଣିଷଜାତିର ସାମାଜିକ ଅଧିକାର କଥା କହିବାକୁ ଭୟ କରିଥିବାବେଳେ ସମକାଳରେ ରଚିତ ଏହି କ୍ଷୁଦ୍ର ଓଡିଆ ସାହିତ୍ୟ ଏହି କଥା ନିର୍ଭୟରେ କହିଥିଲା । ଏଥି ସହିତ ପୁରାଣର ଲୋକପ୍ରିୟ ଚରିତ୍ର ଦୃଷ୍ଟାନ୍ତ ମାଧ୍ୟମରେ ଦେଶର ଅର୍ଥନୈତିକ ସଂବୃଦ୍ଧି କେବଳ ଉଚ୍ଚବର୍ଗଙ୍କଦ୍ୱାରା ନୁହେଁ, ବରଂ ସମାଜର ନିମ୍ନବର୍ଗର୍ଙ୍କ ଅର୍ଥନୈତିକ ବିକାଶଦ୍ୱାରା ହିଁ ସମ୍ଭବ ହେବ ଏ କଥା ଏହି କ୍ଷୁଦ୍ର ରଚନାରେ ପ୍ରମାଣ କରିଦେଲା । ଦୀର୍ଘ ପାଞ୍ଚଶହ ବର୍ଷଧରି ଆଧ୍ୟାତ୍ମିକ ପରମ୍ପରା ସୃଷ୍ଟି କରିଥିବା ଓଡ଼ିଆ ଘରଣୀମାନଙ୍କର ଚାଲିଚଳଣି, ଆଚାର ବିଚାର, ଶୌଚ, ନୀତିନିୟମକୁ ସୁନ୍ଦର ଭାବରେ ବର୍ଣ୍ଣନା କରିବା ହିଁ ଏହି କ୍ଷୁଦ୍ର ସାହିତ୍ୟକୁ ପୁରାଣର ମର୍ଯ୍ୟାଦା ଦେଇଦେଲା । ଏହି ସାହିତ୍ୟ ହିଁ ଥିଲା ଜାତିଭେଦ ବିଲୋପପାଇଁ ଏକ ସଚେତନ ଆହ୍ୱାନ । ଶ୍ରୀୟା ଚାଣ୍ଡାଳୁଣୀର ସଦାଚାର ଓ ଭକ୍ତିରେ ମୁଗ୍ଧ ହୋଇ ଲକ୍ଷ୍ମୀ ଗୁରୁବାର ଦିନ ତା’ ଘରକୁ ଯାଇ ଐଶ୍ୱର୍ଯ୍ୟ ପ୍ରଦାନ କରିବା ଭିତରେ ଲକ୍ଷ୍ମୀଙ୍କ ନିବାସ ଯେ ଶୁଦ୍ଧ, ସ୍ୱଚ୍ଛ, ପବିତ୍ର ଓ ସଦାଚାରୀ ବ୍ୟକ୍ତିଙ୍କ ହୃଦୟରେ, ତାହା ସେ ପ୍ରମାଣ କରି ସ୍ୱଚ୍ଛତାକୁ ଶ୍ରେୟ ଦେଇଛନ୍ତି। ସମାଜରେ ନିମ୍ନବର୍ଗର ଅର୍ଥନୈତିକ ବିକାଶକୁ ଉଚ୍ଚବର୍ଗ ବିରୋଧ କରିବା ସ୍ୱାଭାବିକ, ଯାହା ବଳଭଦ୍ରଙ୍କ ଦୃଷ୍ଟାନ୍ତ ମାଧ୍ୟମରେ ଦର୍ଶାଯାଇଛି ଏ ଘଟଣାରେ ବଳଭଦ୍ର ବିରକ୍ତି ହୋଇ ସାନଭାଇ ଜଗନ୍ନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲକ୍ଷ୍ମୀଙ୍କୁ ଆଉ ମନ୍ଦିରରେ ନ ପୂରାଇବାପାଇଁ । ଜଗନ୍ନାଥ ଲକ୍ଷ୍ମୀଙ୍କୁ ସେହି କଥା କହିଛନ୍ତି । ମାତ୍ର ଲକ୍ଷ୍ମୀଙ୍କ ମାନସିକତାକୁ ଉପଲବ୍ଧି କରି ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ନ ଥିବା ସମାଜର ଉଚ୍ଚବର୍ଗର ପ୍ରତିନିଧି ତଥା ଭଗବାନ ରୂପେ ପୂଜିତ ଜଗନ୍ନାଥ ଓ ବଳଭଦ୍ରଙ୍କ ଅର୍ଥନୈତିକ ସ୍ଥିତି ବିପନ୍ନ ହୋଇଛି । ଭୋଗବିଳାସ କଥା ଛାଡ, ଖାଇବାକୁ ମଧ୍ୟ ମିଳିବା ଅସମ୍ଭବ ହୋଇପଡିଛି । ଏମାନେ ବ୍ରାହ୍ମଣ ବେଶରେ ଦ୍ୱାରଦ୍ୱାର ବୁଲିଛନ୍ତି ମାତ୍ର କେଉଁଠି କିଛି ଖାଇବାକୁ ପାଇନାହାନ୍ତି । ଶେଷରେ ସେମାନେ ଲକ୍ଷ୍ମୀଙ୍କ ନିକଟରେ ପହଞ୍ଚିଛନ୍ତି ସତ, ମାତ୍ର ଅହଂକାରର ବଶବର୍ତ୍ତୀ ହୋଇ ନିଜେ ହାତରେ ରୋଷେଇ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ବଳଭଦ୍ର ନିଜର ଭୁଲ ବୁଝିଛନ୍ତି । ଜଗନ୍ନାଥକୁ କହି ଲକ୍ଷ୍ମୀଙ୍କୁ ବଡ଼ଦେଉଳକୁ ଆଣିଛନ୍ତି । ଏଥିରୁ ଚାରିଟି କଥା ପ୍ରତିପାଦିତ ହୋଇଛି । ଗୋଟିଏ ଜାତିପ୍ରଥା ବିଲୋପପାଇଁ ଆହ୍ୱାନ, ଦ୍ୱିତୀୟଟି ସ୍ତ୍ରୀର ମହିମା ପ୍ରତିପାଦନ, ତୃତୀୟଟି ସ୍ୱଚ୍ଛତା ଏବଂ ଚତୁର୍ଥଟି ସମାଜର ନିମ୍ନବର୍ଗ ବା ସାଧାରଣ ମଣିଷର ଅର୍ଥନୈତିକ ବିକାଶଦ୍ୱାରା ସାମଗ୍ରିକ ବିକାଶ ସମ୍ଭବ – ଏହି ଚାରୋଟି କଥାଉପରେ ଗୁରୁତ୍ୱ ଦେଇ ଲକ୍ଷ୍ମୀଙ୍କ କଥାନୁସାରେ ଶ୍ରୀଜଗନ୍ନାଥ ଶପଥ କଲେ ଯେ କୈବଲ୍ୟ ବା ମହାପ୍ରସାଦରେ ଚଣ୍ଡାଳ ବ୍ରାହ୍ମଣ ଭେଦ ରହିବ ନାହିଁ ।

ଭାତ ହାଣ୍ଡିରୁ ଗୋଟିଏ ମାତ୍ର ଦୃଷ୍ଟାନ୍ତ ହେଉଛି ଲକ୍ଷ୍ମୀପୁରାଣ। ଆଧୁନିକ ସାହିତ୍ୟ ଆହୁରି ପାଦେ ଆଗେଇ ସାଧାରଣ ମଣିଷର ଜୀବନଗାଥାକୁ ସାହିତ୍ୟର ଅଙ୍ଗ ପରିସରଭୁକ୍ତ କରିଦେଲା। ଅର୍ଥାତ ସାହିତ୍ୟ ଆଉ ସମାଜ ନୁହେଁ, ବରଂ ସମାଜର ମୂଳ ଅଙ୍ଗ ମଣିଷକୁ ମୁଖ୍ୟ ଆଧାର କରି ଗତିଶୀଳ ହେଲା। ତେଣୁ ବର୍ତ୍ତମାନର ସାହିତ୍ୟ ହୋଇପଡିଛି ଅଧିକ ଲୋକାଭିମୂଖୀ।

ଦୁଃଖର କଥା, ସାହିତ୍ୟ ଏବେ ବ୍ୟକ୍ତି ଜୀବନର କଥା କହୁଥିଲେ ସୁଦ୍ଧା ବ୍ୟକ୍ତି ତାକୁ ନିଜର କରିପାରୁନାହିଁ। ସାହିତ୍ୟିକର ଅଦମ୍ୟ ପ୍ରଚେଷ୍ଟା ସତ୍ତ୍ୱେ ସାହିତ୍ୟ ବ୍ୟକ୍ତିକୁ ଆକୃଷ୍ଟ କରିବାରେ ବାରମ୍ବାର ବିଫଳ ହେଉଛି। ଫଳରେ ବର୍ତ୍ତମାନ ଉଭୟ ସାହିତ୍ୟ ଓ ସାହିତ୍ୟିକ ପାଠକୀୟ ଶ୍ରଦ୍ଧା ହରାଇ ବସୁଛି। ଏହାର ମାତ୍ରା ଯଦି ବୃଦ୍ଧିପାଏ, ତେବେ ଏହା ବ୍ୟକ୍ତି ବା ପାଠକର ନୁହେଁ ସମାଜର କ୍ଷତି ସାଧନ କରିବ। ଇତିହାସରେ ଏହାର ପର୍ଯ୍ୟାପ୍ତ ପ୍ରମାଣ ରହିଛି। ପ୍ରଭାବଶାଳୀ ସାହିତ୍ୟର ଅଭାବ ହିଁ ଓଡିଅା ପାଠକ ସଂଖ୍ୟା ହ୍ରାସର ମୂଳ କାରଣ। ଏହା ହିଁ ପ୍ରମାଣ କରେ ଲେଖକର ସମାଜ ପ୍ରତି ଥିବା ଅଙ୍ଗିକାରବଦ୍ଧତାକୁ।

ତେଣୁ ଓଡିଆ ସାହିତ୍ୟ ଓ ସାହିତ୍ୟିକଙ୍କ ସାମାଜିକ ଅଙ୍ଗିକାରବଦ୍ଧତାକୁ ଆହୁରି ତୀକ୍ଷ୍ମ ଓ ଶକ୍ତିଶାଳୀ କରିବାପାଇଁ ଇ-ପତ୍ରିକା ‘ଆମେ ଓଡିଆ’ ର ନିରନ୍ତର ଉଦ୍ୟମ ଜାରି ରହିବ ଓ ଏଥିରେ ଓଡିଶାର ସବୁ ବର୍ଗର ସାହିତ୍ୟିକ ସାମିଲ ହୋଇ ପାରିଲେ ଓଡିଆ ସାହିତ୍ୟ ବିଶ୍ୱକୁ ପୁଣିଥରେ ନୂଆ କରି ଜ୍ଞାନର ଅାଲୋକ ଦେଇ ପାରିବ।

ଲୋକପ୍ରିୟ ଲେଖା

To Top