ସମ୍ପାଦକୀୟ

ନାଡ଼ୀ ପରୀକ୍ଷଣ ଓ ଏହାର ପରିଣାମ

Jyotsna's Editorial article Naadi Parikshyana O Ehaara Parinaam

ଏହାର ସିଧାସଳଖ ସରଳ ସୂତ୍ରଟି ହେଉଛି- ଶରୀରରେ ଉଷ୍ମତା ଏକ ଡିଗ୍ରୀ ବୃଦ୍ଧି ପାଇଲେ, ନାଡ଼ୀର ସ୍ପନ୍ଦନ ଦଶ ବାର ଓ ଶ୍ୱାସର ଗତି ଦୁଇ ବାର ବୃଦ୍ଧି ପାଇଥାଏ ।

ନାଡ଼ୀ ପରୀକ୍ଷଣ ଓ ଏହାର ପରିଣାମ

ଆୟୁର୍ବେଦରେ ସବୁଠାରୁ ଜଟିଳ ପାଠ ହେଉଛି ନାଡ଼ୀ ପରୀକ୍ଷଣ । ମଣିଷ ଶରୀରେ ତିନୋଟି ନାଡ଼ୀ ଅଛି- ସୂର୍ଯ୍ୟନାଡ଼ୀ, ଚନ୍ଦ୍ରନାଡ଼ୀ ଓ ମଧ୍ୟ ନାଡ଼ୀ । ସ୍ୱର ବିଜ୍ଞାନରେ ଏହାକୁ ସୂର୍ଯ୍ୟ ସ୍ୱର, ଚନ୍ଦ୍ରସ୍ୱର ଓ ମଧ୍ୟସ୍ୱର କୁହାଯାଏ । ଯୋଗ ବିଜ୍ଞାନରେ ଏହାକୁ ଇଡ଼ା, ପିଙ୍ଗଳା ଓ ସୁଷମ୍ନା କୁହାଯାଏ ।

ସୂର୍ଯ୍ୟନାଡ଼ୀ:- ଡାହଣ ନାକପୁଡ଼ା ଦେଇ ଚାଲିଥାଏ । ଏହାର କାର୍ଯ୍ୟ ଆପଣଙ୍କ ଖାଦ୍ୟ ହଜମ କରାଇବା, ଆପଣଙ୍କୁ ରଗେଇବା, ଉତ୍ତେଜିତ କରାଇବା, ରକ୍ତଚାପ ବଢ଼ାଇବା, ରକ୍ତରେ ଶର୍କରା ବଢ଼ାଇବା । ସୂର୍ଯ୍ୟ ନାଡ଼ୀ ଯୋଗୁଁ ବଂଶ ବୃଦ୍ଧି ମଧ୍ୟ ହୋଇଥାଏ । ଆବଶ୍ୟକତାଠାରୁ ଅଧିକ ସୂର୍ଯ୍ୟ ନାଡ଼ୀ କାର୍ଯ୍ୟ କଲେ ଶରୀରରେ ପିତ୍ତକୁ ଜମା କରି ରୋଗ ସୃଷ୍ଟି କରାଇଥାଏ ।

ଚନ୍ଦ୍ର ନାଡ଼ୀ:- ବାମ ନାକ ପୁଡ଼ା ଦେଇ ଚାଲିଥାଏ । ଏହାର କାର୍ଯ୍ୟ ଆପଣଙ୍କୁ ଶାନ୍ତ ରଖିବା, ଆପଣ ଭିତରେ କଳ୍ପନା ଭାବ (ସ୍ନେହ, ପ୍ରେମ, ବାତ୍ସଲ୍ୟ) ଜନ୍ମାଇବା । ଏହା ଶରୀରେ ଥଣ୍ଡା ଓ କଫ ମଧ୍ୟ ତିଆରି କରିଥାଏ । ଏହି ନାଡ଼ୀ ଯେଉଁମାନଙ୍କର ଅଧିକ କାର୍ଯ୍ୟ କରିଥାଏ ସେମାନେ ନୀରୋଗ ମଧ୍ୟ ରୁହନ୍ତି ।

ମଧ୍ୟ ନାଡ଼ୀ:- ମଧ୍ୟ ନାଡ଼ୀର କାର୍ଯ୍ୟ ହେଉଛି ସବୁକିଛି ସନ୍ତୁଳିତ ରଖିବା । ନା ଅଧିକ ରଗାଏ ନା ଏକଦମ୍ ଶାନ୍ତ ରଖିଥାଏ । ମଧ୍ୟ ନାଡ଼ୀ ଶରୀରକୁ ନିରୋଗ ରଖିଥାଏ । ସାଧାରଣତଃ ଯୋଗୀ, ଋଷି, ସାଧକମାନଙ୍କର ଏହି ନାଡ଼ୀ ଅଧିକ କାର୍ଯ୍ୟ କରିଥାଏ । ଏହି ନାଡ଼ୀର ଲକ୍ଷଣ ତ୍ୟାଗ ପୂର୍ବକ ଭୋଗ ଓ ପ୍ରେମ ପୂର୍ବକ ରାଗ ଅଟେ । ସରଳ ଭାଷାରେ କହିବାକୁ ଗଲେ “ମଧ୍ୟନାଡ଼ୀ” ହେଉଛି ମା’ ପରି ଦରକାର ପଡ଼ିଲେ ରାଗିବ, ଗାଳି କରିବ ଓ ପୁଣି ଭଲ ପାଇବ ।

ଆମ ଶରୀରର ବ୍ୟବସ୍ଥା ଏପରି ହୋଇଛି ଯେ ଆବଶ୍ୟକ ଅନୁସାରେ ଆମ ଶରୀରରେ ରାଗ, ଉତ୍ତେଜନା ଆସେ ଓ ଆବଶ୍ୟକ ସରିଗଲେ ଚାଲିଯାଏ ବା ଶାନ୍ତ ପଡ଼ିଯାଏ । ଏହା ଶରୀରର ଏକ ସ୍ୱାଭାବିକ୍ କ୍ରିୟା ଅଟେ । ଶରୀରର ଏହି ସ୍ୱାଭାବିକ୍ କ୍ରିୟାରେ ଯେତେବେଳେ ବାଧା ଆସେ ଅର୍ଥାତ୍ ଉତ୍ତେଜନା ଆସିବ, ରକ୍ତଚାପ ବଢ଼ିବ କିନ୍ତୁ କମିବ ନାହିଁ ସେତେବେଳେ ଏହା ବ୍ୟତିକ୍ରମ କ୍ରିୟା ହୋଇଗଲା । ଏହି ବ୍ୟତିକ୍ରମ କ୍ରିୟା ଆମ ଶରୀର ମଧ୍ୟରେ ରୋଗ ସୃଷ୍ଟି କରିଥାଏ ।

ମହର୍ଷି ବାଗଭଟ୍ଟ କୁହନ୍ତି ସାମାନ୍ୟ ରୂପରେ ପୁରୁଷମାନେ ସୂର୍ଯ୍ୟ ନାଡ଼ୀ ପ୍ରଭାବରେ ରୁହନ୍ତି । ସାମାନ୍ୟ ରୂପରେ ନାରୀମାନେ ମଧ୍ୟ ନାଡ଼ୀ ପ୍ରଭାବରେ ଓ ସାମାନ୍ୟ ରୂପରେ ପିଲାମାନେ ଚନ୍ଦ୍ରନାଡ଼ୀ ପ୍ରଭାବରେ ରହିଥାନ୍ତି । ତେଣୁ ପ୍ରାୟତଃ ପୁରୁଷମାନେ ପିତ୍ତ ପ୍ରଧାନ, ମହିଳାମାନେ ବାତ ପ୍ରଧାନ ଓ ପିଲାମାନେ କଫ ପ୍ରଧାନ ଅଟନ୍ତି ।

ନାଡ଼ୀ ପରୀକ୍ଷା :-

ପୁରୁଷଙ୍କର ଡାହଣ ହାତର ଡାହଣପଟ ମଣିବନ୍ଧ ଓ ମହିଳାଙ୍କର ବାମ ହାତର ବାମପଟ ମଣିବନ୍ଧକୁ ଧରି ନାଡ଼ୀ ପରୀକ୍ଷା କରାଯାଏ । ମଣିବନ୍ଧ ଉପରେ ତିନୋଟି ଟିପ (ତର୍ଜନୀ, ମଧ୍ୟମା ଓ ଅନାମିକା ଆଙ୍ଗୁଳିର ଟିପ) ଥୋଇ ଟିକେ ଚାପ ଦେଇ ହାତକୁ ଧରାଯାଏ । ଏହା ପରେ ଆପଣ ଟିପ ଦ୍ୱାରା ନାଡ଼ୀର ଗତିକୁ ମାପି ପାରିବେ । ସୁସ୍ଥ ମଣିଷର ନାଡ଼ୀର ଗତି ମିନିଟ୍‌କୁ ୭୨ ଥର ହୋଇଥାଏ । ଏହାଠାରୁ ପାଞ୍ଚ କମ୍ କି ବେଶି ହେଲେ ମଧ୍ୟ ଚଳିବ କିନ୍ତୁ ଅଧିକ କମ୍ ବେଶି ହେଲେ ଅସୁସ୍ଥ ବୋଲି ଧରାଯାଏ । ମା’ର ନାଡ଼ୀକୁ ଧରି ଗର୍ଭରେ ଥିବା ଶିଶୁର ନାଡ଼ୀର ଗତିକୁ ମଧ୍ୟ ମପାଯାଇଥାଏ ।

ନାଡ଼ୀର ଗତି ସହ ମନୁଷ୍ୟ ଶରୀରର ଉତ୍ତାପ ଓ ନିଶ୍ୱାସ ପ୍ରଶ୍ୱାସର କମ୍ ବେଶି ହୋଇଥାଏ । ଏହାର ସିଧାସଳଖ ସରଳ ସୂତ୍ରଟି ହେଉଛି- ଶରୀରରେ ଉଷ୍ମତା ଏକ ଡିଗ୍ରୀ ବୃଦ୍ଧି ପାଇଲେ, ନାଡ଼ୀର ସ୍ପନ୍ଦନ ଦଶ ବାର ଓ ଶ୍ୱାସର ଗତି ଦୁଇ ବାର ବୃଦ୍ଧି ପାଇଥାଏ । ମନୁଷ୍ୟ ଶରୀରର ସ୍ୱାଭାବିକ୍ ଉତ୍ତାପ ୯୮.୪ ଡିଗ୍ରୀ ନାଡୀର ସ୍ପନ୍ଦନ ୭୫ ବାର ଓ ଶ୍ୱାସର ଗତି ୨୦ ବାର ହୋଇଥାଏ । ଶରୀରର ଉତ୍ତାପ ୧ ଡିଗ୍ରୀ ବଢ଼ିବା ଅପେକ୍ଷା ୧ ଡିଗ୍ରୀ କମିଯିବା କ୍ଷତିକାରକ ଅଟେ ।

ନାଡ଼ୀର ଗତି ୧ ମିନିଟ୍‌ରେ ୧୦୦ଥର ହେଲେ ଶରୀରର ଉତ୍ତାପ ୧୦୨ ଡିଗ୍ରୀ ହୋଇଯିବ । ନାଡ଼ୀର ଗତି ୧୧୦ ହେଲେ ଉତ୍ତାପ ୧୦୩ ଡିଗ୍ରୀ ଓ ନାଡ଼ୀର ଗତି ୧୨୦ ହେଲେ ଉତ୍ତାପ ୧୦୪ ଡିଗ୍ରୀ ବୃଦ୍ଧିପାଏ । ଅର୍ଥାତ୍ ୧୦ଟି ଅଧିକ ନାଡ଼ୀ ସ୍ପନ୍ଦନରେ ଶରୀରର ଉତ୍ତାପ ୧ ଡିଗ୍ରୀ ବୃଦ୍ଧିପାଏ ।

ମହର୍ଷି ବାଗଭଟ୍ଟ କୁହନ୍ତି :- ମନୁଷ୍ୟ ଶରୀରର ସ୍ପନ୍ଦନ ଓ ଉତ୍ତାପକୁ ସଠିକ୍ ଭାବରେ ଜାଣିବା ପାଇଁ ହାତଠାରୁ ଅନ୍ୟ କୌଣସି ସଠିକ୍ ନିର୍ଣ୍ଣୟ ଯନ୍ତ୍ର ଦୁନିଆଁରେ ନାହିଁ ।

ଛୋଟ ଥିଲାବେଳେ ମୁଁ ବିଛଣାରେ ପଡ଼ି ରହିଲେ ମୋ ବାପା ମୋ ମଥା ଓ ବେକ ଛୁଇଁଲା ପରେ ମୋ ନାଡ଼ୀ ଦେଖନ୍ତି । ଭୀଷଣ ଅସୁସ୍ଥ ଥିଲେ ମୁଁ ପ୍ରଶ୍ନ କରେନା । ନଚେତ୍ ମୋର ପ୍ରଶ୍ନ ଆରମ୍ଭ ହୋଇଯାଏ ବାପା ତମେ ହାତ ଧରି, ଘଣ୍ଟା ଦେଖି କ’ଣ ଜାଣୁଛ ? ବାପା କହନ୍ତି ନାଡ଼ୀର ଗତି । ସେ ସମୟରେ ମୁଁ ନାଡୀର ଗତି ଗଣିବାକୁ ଚେଷ୍ଟା କରିଛି କିନ୍ତୁ ଧୈର୍ଯ୍ୟର ସହ ୧ ମିନିଟ୍ ବସି ନାଡ଼ୀ ଉପରେ ଚାପ ଦେଇ ଗଣିବା ହୋଇପାରିନାହିଁ । ହାତ ଟିକେ ଢିଲା ପଡ଼ିଗଲେ ନାଡ଼ୀର ଗତି ଅନୁଭବ କରି ହୁଏନାହିଁ । ପନ୍ଦର ଷୋହଳ ବୟସ ବେଳକୁ ମୁଁ ଏହି କାମ ସହଜରେ କରିପାରିଥିଲି । ମୋ ବାପା ଶେଷଥର ପାଇଁ ମୋ ନାଡ଼ୀ ୨୦୧୦ ମସିହାରେ ଧରିଥିଲେ ।

ବାଗଭଟ୍ଟ କୁହନ୍ତି :- ନାଡ଼ୀ ଯଦି ସର୍ପିଳ ଗତିରେ ଚାଲୁଥାଏ ତାହାହେଲେ ଏହା ବାତ ରୋଗର ଲକ୍ଷଣ । ଅର୍ଥାତ୍ ନାଡ଼ୀ ସାପ ପରି ଅଙ୍କାବଙ୍କା ଚାଲିଥାଏ । ଗୋଟିଏ ସ୍ଥାନରେ ଫୁଲିଲେ ଅନ୍ୟ ସ୍ଥାନରେ କମିଥାଏ । ବୁଝାଇବାର ଏହା ହେଉଛି ସବୁଠାରୁ ସରଳତମ ଧାରା । ପ୍ରକୃତିକୁ ନିରୀକ୍ଷଣ କରି ଜୀବଜନ୍ତୁଙ୍କର ଚାଲି ସହ ମଣିଷ ନାଡ଼ୀର ତୁଳନା ଥୋଇ ବାଗଭଟ୍ଟ ମନୁଷ୍ୟର ରୋଗ ନିର୍ଣ୍ଣୟ ବେଶ୍ ସରଳ ଭାବରେ ବୁଝାଇଥାନ୍ତି ।

ଦ୍ୱିତୀୟ ପରୀକ୍ଷା:- ନାଡ଼ୀ ଯଦି ବେଙ୍ଗ ପରି ଖପ୍‌ଖପ୍ ଡେଇଁ ଚାଲେ ମାନେ ଫୋପାଡ଼ିଲା ପରି ତା’ହେଲେ ସେ ବ୍ୟକ୍ତି ପିତ୍ତ ରୋଗରେ ପୀଡ଼ିତ ।

ତୃତୀୟ ପରୀକ୍ଷା:- ନାଡ଼ୀ ଯଦି ମୟୂର ପରି କିମ୍ୱା ବତକ ପରି ଗୋଟିଏ ତାଳରେ ଚାଲୁଥାଏ ତା’ହେଲେ ସେ ବ୍ୟକ୍ତି କଫ ରୋଗରେ ପୀଡ଼ିତ ।

ନାଡ଼ୀର ଏସବୁ ତାଳକୁ ଧରିବା ସହଜ କଥା ନୁହେଁ । ଅନେକ ଅଭ୍ୟାସ ଦ୍ୱାରା ଆପଣ ଜାଣିପାରିବେ । ବାତ, ପିତ୍ତ ଓ କଫ ଦୋଷ ଶରୀରକୁ ଏକା ଆସିନଥାଏ । କିଛି ବ୍ୟକ୍ତିଙ୍କ ଶରୀରରେ ବାତ ଓ ପିତ୍ତ ଦୋଷ ଥାଏ, କାହାର ପିତ୍ତ ଓ କଫ ଦୋଷ ଏବଂ ଆଉ କାହାର ବାତ ଓ କଫ ଦୋଷ ଥାଏ । ଯେଉଁ ବ୍ୟକ୍ତିର ଶରୀରରେ ଏହି ତ୍ରିଦୋଷ (ବାତ, ପିତ୍ତ, କଫ) ଥାଏ ସେ ସବୁଠାରୁ ଜଟିଳ ରୋଗୀ ଅଟନ୍ତି ।

ଶରୀରରେ ବାତ ଦୋଷ ଥିଲେ :- ନାଭିରେ ସୋରିଷ ତେଲ ଲଗାଇବେ । ହିଙ୍ଗୁ ଓ ଜୁଆଣି ମିଶାଇ ଖାଦ୍ୟ ଖାଇବେ । ସକାଳେ ଶୁଣ୍ଠି ଖାଇବେ । ଅଶ୍ୱଗନ୍ଧା ଓ ଘିଅ ଖାଇବେ । ବାଇଗଣ, ଫୁଲକୋବି, ଫଳ ଓ ଲାଉ ଖାଇବେ ନାହିଁ ।

ପିତ୍ତ ଦୋଷ ଥିଲେ:- ନାଭିରେ ଘିଅ/ନଡ଼ିଆ ତେଲ ମାରିବେ । ଡାଲଚିନି, ଗୁଜୁରାତି ଖାଇବେ ତ୍ରିକଟୁ(ଶୁଣ୍ଠି, ଗୋଲମରିଚ, ପିପ୍ପଳି) ଖାଇବେ । ଘିଅମରା ରୁଟି ଅଧିକ ଖାଇବେ ଓ ତରକାରୀ କମ୍ ଖାଇବେ । ମହୁ ଖାଇବେ ନାହିଁ ।

କଫ ଦୋଷ ଥିଲେ:- ଯଦି କଫ ଅଧିକ ଥାଏ ରାତିରେ କ୍ଷୀର ବା କ୍ଷୀର ଜାତୀୟ ପଦାର୍ଥ ଖାଇବେ ନାହିଁ । ମିଠା ଖାଇବେ ନାହିଁ । ଉଷୁମ ପାଣି ପିଇବେ । ସକାଳୁ ଶାରୀରିକ ପରିଶ୍ରମ ଅଧିକ କରିବେ ।

(ରୋଗୀର ନାଡ଼ୀ ଧରି ନ ପାରିଲେ ତା’ର ଆଖି, ଜିଭ ଓ ମଳମୂତ୍ରରୁ ରୋଗ ନିର୍ଣ୍ଣୟ କରାଯାଏ ।)

ବିଶିଷ୍ଟ ରସାୟନବିତ୍ ଚରକ ନିଜ ଶିଷ୍ୟଗଣଙ୍କୁ ପ୍ରଶ୍ନ କରିଥିଲେ- ନିରୋଗ କିଏ ? ଶିଷ୍ୟଗଣ ସଠିକ୍ ଉତ୍ତର ଦେଇପାରିନଥିଲେ । ମହର୍ଷି ଚରକଙ୍କର ଶ୍ରେଷ୍ଠ ଶିଷ୍ୟ ମହର୍ଷି ବାଗଭଟ୍ଟ ପକ୍ଷୀ ରୂପରେ ଗଛଡାଳରେ ଆସି ବସି ଉତ୍ତର ଦେଇଥିଲେ “ହିତଭୁକ୍, ମିତଭୁକ୍, ଋତ୍‌ଭୁକ୍ ।” ଅର୍ଥାତ୍ ପୃଷ୍ଟିକର ଖାଦ୍ୟ, ଶରୀର ଅନୁଯାୟୀ ଓ ଋତୁ ଅନୁଯାୟୀ ଖାଇବେ । ସମସ୍ତଙ୍କ ଶରୀର ଏକ ପ୍ରକାରର ନୁହେଁ । ତେଣୁ ନିଜ ଶରୀରକୁ ସୁହାଉଥିବା ଖାଦ୍ୟ ଖାଇବେ । ଯେଉଁ ଋତୁରେ ଯେଉଁ ଫଳ ପ୍ରକୃତି ଅଧିକ ପରିମାଣରେ ଦେଇଥାଏ ସେହି ଫଳ ଖାଇବେ ଏବଂ ଯେଉଁ ଋତୁରେ ଯାହା ଖାଦ୍ୟ ଉପଯୋଗୀ ଅଟେ ତାହା ଖାଇବେ । ଆମର ଶୀତ ଋତୁରେ ଅଧିକ ପୂଜା ପର୍ବ ଅଛି । କାରଣ ଏହି ସମୟରେ ଆମେ ଗରିଷ୍ଠ ଭୋଜନ ସହଜରେ ହଜମ କରିପାରୁ ଏବଂ ଗରମ ଗରମ ଖାଇଥାଉ । ଋତୁ ଅନୁସାରେ ଆମ ପର୍ବ ପର୍ବାଣି ଓ ଖାଦ୍ୟପେୟର ବ୍ୟବସ୍ଥା ରହି ଆସିଅଛି ।

ଆମ ଶରୀର ବିଷୟରେ ଏସବୁ ସାଧାରଣ କଥା ସମସ୍ତେ ନିହାତି ଜାଣିବା ଦରକାର । ଏହି ସବୁ ଅତ୍ୟନ୍ତ ଆବଶ୍ୟକ ଜ୍ଞାନ ଯଦି ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଏ ଆମ ଭବିଷ୍ୟତ ବଂଶଧର ନିରୋଗ ଶରୀର ଭୋଗ କରିବେ । ଆମ ବର୍ତ୍ତମାନ ମଧ୍ୟ କଷ୍ଟମୁକ୍ତ ହୋଇଯିବ ।

ଲୋକପ୍ରିୟ ଲେଖା

To Top