ସବୁଠାରୁ ବଳି ବଳୁଆରେ ମୁହଁ,
ମୋତେ କେ ଟକ୍କର ଦେବ, କୁହ,
ଥାପଡ଼କେ ଭାଙ୍ଗି- ଦେବି ହନୁ ହାଡ଼,
ମୋ ଆଗରେ ଆସି ଠିଆ ହୁଅ !
ସବୁଠାରୁ ବଡ଼ ଧନୀଘର ପୁଅ
ବୋଲି ଏ ସହରେ ନାଆଁ ମୋର,
ସବୁ ପିଲା ମୋତେ ଖାତିରି କରନ୍ତି
ଚକ୍ଲେଟ୍ ନେଇ ବାରମ୍ୱାର ।
ଫେସନରେ ମୋତେ ଟପିବ କିଏ ରେ ?
ରଙ୍ଗଢ଼ଙ୍ଗିଆ ମୋ ପିନ୍ଧା ଦେଖ,
ଦିନରେ ଦି’ଥର ବଦଳାଏ ବେଶ
ଝଲସୁଥାଏରେ ଚକ୍ ମକ୍ ।
ତୁମେ ଆମ ସରି ହେବ ବା କିପରି,
ମାଆ ମୋର କେତେ ବଡ଼ ନେତ୍ରୀ,
ପଛରେ ତାଙ୍କର ହଜାର ହଜାର
ଲୋକ ଜଗୁଛନ୍ତି ଦିନରାତ୍ରି ।
ଶ୍ରେଣୀରେ ପ୍ରଥମ ହୁଏ ମୁଁ ହିଁ, ଜାଣ,
ଖାତାକୁ ମୋ ନେଇ ସବୁ ପିଲା,
ଦେଖି ଲେଖି ନେଇ ଦେଖାନ୍ତି ଶିକ୍ଷକେ
ମୋଠାରୁ ବଡ଼ କେ’ କହ ଭଲା ?
ବୁଢ଼ା ଭିକାରୀଟି ଭୂଇଁ ପରେ ଲୋଟି
ଛାଡୁଥିଲା ରଡ଼ି ବିକଳରେ,
କିଏ ଅଛ ଏଠି ନ ପାରେ ମୁଁ ଉଠି
ପାଣି ଟିକେ ଦିଅ ମୋ ପାଟିରେ !
ପିଲାଏ ଚାଲିଲେ ଯେ ଯାହା ବାଟରେ,
ଜଣେ ବି ତା’ କଥା ନ ଶୁଣିଲା,
ଛୋଟ ପିଲାଟିଏ ପାଣି ଗିନାଟିଏ
ଆଣି ସେ ବୁଢ଼ାକୁ ପିଆଇଲା ।
ଧନ, ବିଦ୍ୟା, ବଳ, ବେଶ, ଅଧିକାର
କି ଲୋଡ଼ା ତୁମର ଯାହା ଥିବ,
ପର ଉପକାରେ ନ ଲାଗିଲେ ତାହା
ଆପଣା ଗୁଣେ କି ଗଣାଯିବ ?