ସମ୍ପାଦକୀୟ

ଅନୋଖା ଗାଧୁଆ କଳା

Odia Writer Er. Bidyadhar Panda

ଆମର ଜଣେ ସାର୍ ଦୀର୍ଘ ୧୭ ବର୍ଷ ହେଲା ଏଇ ରାଇଜର ବଡ଼ଗାଦି ମାଡ଼ି ବସିଛନ୍ତି, ତାଙ୍କୁ ଭୁଲିଗଲେ ଚଳିବ କେମିତି ?

ଅନୋଖା ଗାଧୁଆ କଳା

ସେଦିନ ରାଜ୍ୟସଭାରେ ହଠାତ୍ ଏବେକାର ପ୍ରଧାନମନ୍ତ୍ରୀ ମହୋଦୟ ବିଗତ ପୁର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଚାହିଁ କହିଲେ ସାହେବ ଜଣେ ଗୁଣି ଲୋକ । ତାଙ୍କଠାରୁ ଅନେକ କଥା ସଦନକୁ ଶିଖିବାକୁ ମିଳୁଛି । ଏଭଳି ପ୍ରଶଂସା ଶୁଣି କଂଗ୍ରେସ ନେତାମାନେ କୁରୁଳିବାକୁ ଆରମ୍ଭ କରିଛନ୍ତି କି ନାହିଁ, ମୌସୁମି ବାତ୍ୟାର ଦିଗ ବଦଳି ଗଲା । ବକ୍ତା ମହୋଦୟ ପ୍ରଥମେ ସିଂ ସାହେବଙ୍କୁ ପାହାଡ଼ ଶିଖର ଉପରକୁ ଟେକିନେଇ ଠେଲିଦେଲେ । ଦୁଇ ତିନିଟା ବାକ୍ୟ ଏମିତି ତୀକ୍ଷ୍ନଥିଲା ଯେ କେହି କିଛି ଠିକ୍‌ରେ ବୁଝି ପାରିଲେନି । ଠେଙ୍ଗା ସଜ କରୁକରୁ ଛେଳି ଯାଇ ମଙ୍ଗଳପୁରରେ ପଶିଗଲା । ସମସ୍ତେ ନିସ୍ତବ୍ଧ ରହି ଶୁଣି ଚାଲିଲେ । ଭାଷଣ ଥିଲା “ଡ଼ଃ. ସିଂ ଗତ ୩୫ ବର୍ଷ ଧରି ଦେଶର ଅର୍ଥନିତି ସହ ଜଡ଼ିତ ଏବଂ ଜଣେ ପ୍ରବୀଣ ଅର୍ଥନିତିଜ୍ଞ । ମନମୋହନଙ୍କ ସମୟରେ ଦୁନ୍ନିତି ଚରମ ସୀମାରେ ପହଞ୍ଚି ଏକାଧିକ ଘୋଟାଲା ଲୋକଲୋଚନକୁ ଆସିଥିଲେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଛବିରେ କୌଣସି ସମୟରେ କିଛି ବି ଛିଟା ପଡ଼ିନି । ଅତଏବ୍ ତାଙ୍କୁ ବାଥ୍ରୁମ୍‌ରେ ରେନ୍ କୋଟ୍ ପିନ୍ଧି କେମିତି ଗାଧୋଇବାକୁ ହୁଏ, ସେ କଳାଟି ଭଲ ଭାବରେ ଜଣା ।

ରାଜ୍ୟ ସଭାର ଏହି ଉପରୋକ୍ତ ଭାଷଣକୁ କଂଗ୍ରେସ୍ ନେତା ତ ନାପସନ୍ଦ କରୁଛନ୍ତି କିନ୍ତୁ ଏହି ଉକ୍ତିରେ ବହୁ ବୁଦ୍ଧିଜିବୀ ମଧ୍ୟ ଅସହମତ । ଆମର ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗର ଦିଦିଙ୍କ କଥା ନିଆଯାଉ । ଦଳିୟ ବିଧାୟକଙ୍କ ନାମରେ ଗଣ୍ଡାଗଣ୍ଡା ଅଭିଯୋଗ ଆସି କେତେଜଣ ସିବିଆଇର ଅତିଥି ହୋଇସାରିଥିଲେ ମଧ୍ୟ ଦିଦିଙ୍କ ଛବି ଏପର୍ଯ୍ୟନ୍ତ ଟିକିଏ ବି ମଳିନ ପଡ଼ିନି । ବଙ୍ଗାଳି ଭାଇମାନେ ଆଗରେ ଆଗରେ ପୁର୍ବଭଳି ଖଣ୍ଡା ବୁଲାଇ ଅନ୍ଧାଦୁନ ମାଡ଼ି ଚାଲିଛନ୍ତି । ସେମିତି ଉତର ପ୍ରଦେଶର ଏବକାର ମୂଖିଆ ଯୁବରାଜ ଭେୟା ଅଖିଲେଶଙ୍କୁ ତାଙ୍କ ରାଇଜର ଲୋକେ ଦୁଧ୍ କା ଧୂଲାହୁଆ ସାଧୂ ହିସାବରେ ନେଉଛନ୍ତି । ଏମାନଙ୍କୁ ବି କଣ ସେ ବାଥ୍‌ରୁମ୍‌ରେ ରେନ୍ କୋଟ୍ ପିନ୍ଧି ଗାଧୋଇବା କଳାଟି କମ୍ ଭାବରେ ଜଣା ବୋଲି ଆପଣ କହିବେ? ଦ୍ୱୀପତଳ ଅନ୍ଧାର ପରି ଆମେ ପଶ୍ଚିମବଙ୍ଗରୁ ଯାଇ ଉତର ପ୍ରଦେଶର କଳାକାର ମାନଙ୍କ ଆଲୋଚନା କରୁଛେ କିନ୍ତୁ ଆମର ଜଣେ ସାର୍ ଦୀର୍ଘ ୧୭ ବର୍ଷ ହେଲା ଏଇ ରାଇଜର ବଡ଼ଗାଦି ମାଡ଼ି ବସିଛନ୍ତି, ତାଙ୍କୁ ଭୁଲିଗଲେ ଚଳିବ କେମିତି ? ଦୁଇ ଦଶକ ସମୟ ଯେ କୌଣସି ରାଜ୍ୟର ଉନ୍ନତି ପାଇଁ ଏକ ଯଥେଷ୍ଠ କାଳଖଣ୍ଡ ବୋଲି ଆକଳନ କରାଯାଇପାରେ କିନ୍ତୁ ଓଡ଼ିଶା କ୍ଷେତ୍ରରେ ସେପରି କିଛି ଆଖିଦୃଷ୍ଟିଆ ପରିବର୍ତ୍ତନ ଦେଖାଯାଉନାହିଁ । ବରଂ ନୂଆ ନୂଆ ଦୁନ୍ନିତି ସାମନାକୁ ଆସୁଛି । ନିତି ଅନିତି ରାଜନିତି ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ସେ ବିଷୟରେ ବିଶେଷ ଗଭୀରକୁ ନ ଯାଇ କିଛି ବିରଳ ଦୃଷ୍ଟାନ୍ତ ଗୁଡ଼ିକୁ ନିଆଯାଉ ।

ଅସାମାଜିକ ପ୍ରକୃତିର ବାବା ଗୁଡ଼ିକ ବର୍ଷକେଇଟାରେ କୋଟିକୋଟି ଟଙ୍କାର ମାଲିକ ହୋଇ ଆଶ୍ରମରୁ ଅପରାଧର ସାମ୍ରାଜ୍ୟକୁ ନିୟନ୍ତ୍ରୀତ କରୁଥିଲେ । ଏସବୁ କ’ଣ ସରକାରଙ୍କର ପ୍ରତ୍ୟେକ୍ଷ ସହଯୋଗ ବିନା ସମ୍ଭବ? ତା’ ଛଡ଼ା ଅନେକ ରାଜନେତା ସେହିସବୁ ମହାମାନବ ମାନଙ୍କର ଗଣମାଧ୍ୟମରେ ପାଦସେବା କରି ସାଧାରଣ ସରଳ ଲୋକମାନଙ୍କର ଆସ୍ଥା ଭାଜନ କରାଇବାଟା କଣ ଅପରାଧ ନୁହେଁ? ସରକାର କଳର ସମସ୍ତ ଗୁଇନ୍ଦା ସଂସ୍ଥା କଣ ତାଙ୍କର କର୍ତ୍ତବ୍ୟବୋଧତା ଭୁଲି ଯାଇଥିଲେ? ଏକାଧିକ ଚିଟ୍ ଫଣ୍ଡ ଠକେଇ କମ୍ପାନୀ କଥା ବି ଠିକ୍ ଏକା ଭଳି । ଗରିବ ଲୋକଙ୍କ ପଇସା ଆଦାୟ କରି କିଛି ଅସାଧୁ ଲୋକ ନିଜେ ଅୟସ କରିବା ସହ କିଛି ରାଜନେତା ମାନଙ୍କୁ ବିଦେଶ ବୁଲାଇଲେ । କିଏ ଅପେକ୍ଷା କରିଛି ଝିଅକୁ ଅଠର ବର୍ଷ ହେଲେ କମ୍ପାନୀରୁ ପଇସା ପାଇ ବାହାଘର କରିବ ତ ଆଉକିଏ ଭାବିଛି ତିନିବର୍ଷ ଭିତରେ ବହୁ କଷ୍ଠରେ ଚଳି କିଛି ଜମା ହୋଇଗଲେ ଘରଟିଏ କରି ନୂଆବୋହୁଟି ସଙ୍ଗରେ ଗୃହ ପ୍ରବେଶ କରିବ । ହଠାତ୍ ଯେତେବେଳେ ଶୁଣିବାକୁ ପାଇଲେ ସେସବୁ କମ୍ପାନି ଠକ ବୋଲି, ପାଦତଳୁ ମାଟି ଧସିଗଲା । କିଛି ଲୋକତ ଜିବନରୁ ଆଶା ଛାଡ଼ିଦେଲେ ଆଉ କିଛି ଏବେ ବି ସରକାର ଓ ଜଗନ୍ନାଥ ଦୁହିଁଙ୍କ ଉପରେ ଭରସା ରଖି ନ୍ୟାୟ ଆଶାରେ ଜୀବିତ ଅଛନ୍ତି । ନଗଡ଼ାର ଅପପୃଷ୍ଟି କଥା ଲୋକେ ଯଦିଓ ଭୁଲିବାକୁ ବସିଲେଣି ତଥାପି ଇତିହାସର ବହୁ ପୃଷ୍ଠା ଶିଶୁମାନଙ୍କ କରୁଣ ମୃତ୍ୟୁ କାହାଣିରେ ପୁରିଗଲା । ଜାପାନୀଜ୍ୱର କବଳରେ ମାଲକାନାଗିରି ଥରି ଉଠିଲା ପରେ ପ୍ରଶାସନର ନିଦ ଭାଙ୍ଗିଲା ଏବଂ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେଲେ କିନ୍ତୁ ସେତେ ବେଳକୁ ପ୍ରାୟ ୧୦୦ଜଣ ଶିଶୁ ଆରପାରିକୁ ଯାତ୍ରା କରିବା ସହ ବହୁ ପରିବାରରେ ଶୋକର ନିଆଁ ଜଳିଜଳି ପାଉଁଶ ହୋଇ ସାରିଥିଲା । ଭାଗଚାଷି ମୃତ୍ୟୁ, ଦାନମାଝିର ଶବବୁହା ଓ ଗୁମୁଡ଼ୁମାହର ଗୁଳିକାଣ୍ଡ ଘଟଣା ପ୍ରଭୃତୀର ଗୋହି ନ ଖୋଳିବା ଭଲ । ଏମିତି ୧୭ବର୍ଷର ସବୁ ନାକାରତ୍ମକ ଘଟଣାକୁ ଯୋଡ଼ିଲେ ଏହି ସମ୍ପାଦକିୟ ପୃଷ୍ଠା ନିଅଣ୍ଟ ହେବ ତଥାପି ଆମ ନବିନ ସାର୍‌ଙ୍କ ଛବି ତ ଯେମିତି ଥିଲା ଏବେବି ସେମିତି ଥିବା ଭଳି ଲାଗୁଛି । ସବୁ କଥା ପଛରେ ପକାଇ ଦେଖିବା ଆମର ଶିକ୍ଷା ବ୍ୟବସ୍ଥା- ଦିନୁ ଦିନ ଅଧୋଗତି ହେବାରେ ଲାଗିଛି ସିନା ସୁଧୁରି ବାର ନାଁ ନେଉ ନାହିଁ । ଏହା ଫଳରେ ଆମ ସମାଜ ଓ ଜାତି ଦୁଇଟିଯାକର ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି ।

କେଜି ଠାରୁ ପିଜି ଯାଏଁ ସବୁସ୍ତରରେ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସଂଖ୍ୟାରେ ମୁନାଫା ହୋଇଛି କିନ୍ତୁ ଗୁଣାତ୍ମକ ଶିକ୍ଷାର ମାନର ଅଧୋପତନ ଘଟିଛି । ପୁରାକାଳର ନାଳନ୍ଦା ଏକଦା ବିଶ୍ୱ ବିଖ୍ୟାତ ଥିଲା କିନ୍ତୁ ଏବେ ବିଶ୍ୱସ୍ତରୀୟ ମାନ୍ୟତା ଆମର କୌଣସି ଶିକ୍ଷାନୁଷ୍ଠାନର ନାହିଁ । ୨୦୧୬ ମସିହା ସର୍ଭେରୁ ଜଣାଯାଏ ବିଶ୍ୱସ୍ତରୀୟ ମାନ୍ୟତା ସୂଚିର ୨୫୦ କ୍ରମିକ ସଂଖ୍ୟା ଭିତରେ କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟ ନାହିଁ । ୨୦୧୫ର “Times Asia Ranking” ସର୍ଭେ ଅନୁସାରେ ୧୦୦ଟି ଏସୀୟ ଅନୁଷ୍ଠାନ ଭିତରେ କେବଳ ମାତ୍ର ୯ଟି ଭାରତୀୟ ଅନୁଷ୍ଠାନ ସ୍ଥାନ ପାଇଛି । ଏଥିରେ ୩୭ତମ ସ୍ଥାନରେ ଅଛି ଆଇଆଇଏସ୍‌ସି ଏବଂ ୯୬ତମ ଜାଗାରେ ଅଛି ଜେଏନ୍‌ୟୁ । ୩୭ ରୁ ୯୬ ଭିତରେ ଅଛନ୍ତି ଅନ୍ୟ ଦୁଇଟି ପାରମ୍ପାରିକ ବିଶ୍ୱବିଦ୍ୟାଳୟ ଓ ପାଞ୍ଚଟି ଆଇଆଇଟି । ସେହିପରି କ୍ୟୁଏସ୍ (QS) ବିଶ୍ୱବିଦ୍ୟାଳୟ ବି୍ରକ୍ସ (BRICS) Ranking ତାଲିକାରେ ଶିଂଘୁଆ ଓ ପେକିଂ ବିଶ୍ୱବିଦ୍ୟାଳୟ ୧ମ ଏବଂ ୨ୟ ସ୍ଥାନରେ ଥିବାବେଳେ ଆମ ଆଇଆଇଏସ୍‌ସି କୁ ଜାଗା ମିଳିଛି ଷଷ୍ଠ ସ୍ଥାନରେ । ପ୍ରତ୍ୟେକ ସର୍ଭେରେ ଚୀନ୍, କୋରିଆ ଓ ଜାପାନର ୨୦ ଉପରେ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିଲେ ମଧ୍ୟ ଆମ ଦେଶର ଅବସ୍ଥା ଦୟନୀୟ । ଶିକ୍ଷା ବ୍ୟବସ୍ଥା ଆମ ସମାଜକୁ ଗଢ଼ିତୋଳିବାରେ ସାହାଯ୍ୟ କରେ, ତେଣୁ ଏହାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେବା ଦରକାର । ଭାରତର ବିଶ୍ୱବିଦ୍ୟାଳୟ Ranking ଯାହାକି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ କରାଯାଇଛି ସେଥିରେ ଓଡ଼ିଶାର ମାତ୍ର ଦୁଇଟି ବିଶ୍ୱବିଦ୍ୟାଳୟ ୨୬ତମ ଓ ୫୩ତମ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି । ୧୦୦ ଭିତରେ ୭୪ ଓ ୭୭ ତମ ବିଶ୍ୱବିଦ୍ୟାଳୟ ଦୁଇଟି ଓଡ଼ିଶା ରାଜ୍ୟରେ ଅଛି କିନ୍ତୁ ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଅନେକାଂଶ ସରକାରୀ ହୋଇଥିଲାବେଳେ ଆମର ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟ ଏଥିରେ ସ୍ଥାନ ପାଇଛି । କହିଲେ ଅତ୍ୟୁକ୍ତି ହୋଇପାରେ ଯେ ଶିକ୍ଷା ବ୍ୟବସ୍ଥାର ରୁପରେଖ ଏମିତି ହେଲେ ସମାଜ ଉତ୍ସୃଙ୍ଖଳ ହୋଇ ଧ୍ୱଂସାବିମୂଖୀ ହେବ ଏଥିରେ ଆଧୁନିକ ସଭ୍ୟ ସମାଜର ସଂନ୍ଦେହ ରହିବା ଅନୂଚିତ୍ । ତେବେ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଆମ ଦେଶର ଅବସ୍ଥା ଯେତିକି ଶୋଚନୀୟ ଜାତୀୟ ସ୍ତରରେ ଆମ ରାଜ୍ୟର ଅବସ୍ଥା ତାଠାରୁ ଅଧିକ ବୋଲି ମନେହୁଏ । ନିକଟରେ ପ୍ରକାଶିତ ଏକ ରିପୋଟ ଅନୁସାରେ ଆମ ରାଜ୍ୟରେ ପ୍ରାୟ ୨୫୦୦ସ୍କୁଲର ନିଜସ୍ୱ ଶ୍ରେଣୀଗୃହ ନାହିଁ । ସିଏଜି ରିପୋଟ୍ ଅନୁସାରେ ପ୍ରାୟ ୧୦% ସ୍କୁଲରେ କେବଳ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ଅଧିକାଂଶ ଶିକ୍ଷକଙ୍କ ପ୍ରକୃତ ଯୋଗ୍ୟତା ନଥିବା ବେଳେ ପ୍ରାୟ ୪୦୦୦୦ ପଦ ଏବେ ବି ଖାଲି ପଡ଼ିଛି । ବହୁ ସମୟରେ ଗୋଟିଏ କୋଠରିରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏକତ୍ର ବସାଇ ଜଣେ ଶିକ୍ଷକ ପଢ଼ାଇବାର ଦୃଷ୍ଟାନ୍ତ ବି ଅଛି । ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ପ୍ରକାରର ଶିକ୍ଷକ କାର୍ୟ୍ୟରତ ଅଛନ୍ତି ଯଥା ସରକାରୀ ଶିକ୍ଷକ, ବେସରକାରୀ ଶିକ୍ଷକ , ନିୟମିତ ଶିକ୍ଷକ ଓ ଅନିୟମିତ ଶିକ୍ଷକ, ବ୍ଲକ୍ ଗ୍ରାଣ୍ଟ, ଶିକ୍ଷକ, ଜିଲ୍ଲା ପରିଷଦ ଶିକ୍ଷକ, ଶିକ୍ଷା ସହାୟକ ଶିକ୍ଷକ, ଗଣ ଶିକ୍ଷକ, ପାରା ଶିକ୍ଷକ, କୋଟା ଶିକ୍ଷକ, କନିଷ୍ଠ ଶିକ୍ଷକ ଏବଂ ଏବକାର ନୂଆ ଅଇନ ବଳରେ ଆସିବେ ୬୫ ବର୍ଷିଆ ବରିଷ୍ଠ ଅତିଥି ଶିକ୍ଷକ । ସମସ୍ତଙ୍କ ଲକ୍ଷ ଭିନ୍ନ ଭିନ୍ନ ହୋଇଥିବାରୁ ପ୍ରାଥମିକତା ବି ଅଲଗା ଅଲଗା ରହୁଛି । ସର୍ବଶିକ୍ଷା ଯୋଜନା ଅନ୍ତର୍ଗତ ମୂଖ୍ୟତଃ କେବିକେ ଅଞ୍ଚଳର ଶ୍ରେଣୀଗୃହ, ମେଘନାଦ ପରି ପାଚେରି, ଦାମିକା ଫାଟକ, ଭିତର ରାସ୍ତା କଡ଼ର ଫୁଲ ଗଛ, ବଗିଚା ଓ ଆବାସିକ ବ୍ୟବସ୍ଥା ସହ ଶିକ୍ଷଣ ସାମଗ୍ରୀ, ଭୋଜନ ଆୟୋଜନ, ମାଗଣା ବହି, ପୋଷାକ ପ୍ରଭୃତିର ବଣ୍ଟନ ବ୍ୟବସ୍ଥାରେ ନିୟମିତ ଅନିୟମିତତା ପରିଲକ୍ଷିତ ହେଉଛି । କେତୋଟି ବିଦ୍ୟାଳୟକୁ ଗଲେ ଦେଖିବାକୁ ମିଳିବ ବିଜ୍ଞାନ ଶାଳାର ଅନେକ ଶିକ୍ଷଣିୟ ଉପକରଣ, କମ୍ପ୍ୟୁଟର ଆଦି ଧୂଳିର ଏକ ବହଳ ଆବରଣ ତଳେ ଏଭଳି ପୋତି ହୋଇ ରହିଛି ଯେ ସହଜରେ ଜଣାଯିବ ଏଗୁଡ଼ିକ କେବେ ବି ଅତିତରେ ଥରକ ପାଇଁ ଉପେଯାଗ ହୋଇନାହିଁ । କେଉଁ କେଉଁ ଯାଗାରେ ବହୁତ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲେ ମଧ୍ୟ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବାକୁ ପ୍ରଶାସନ ଭୁଲିଯାଇଛି । ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲାପରି ବିଚରା ବୁଢ଼ା ପ୍ରଧାନ ଶିକ୍ଷକଟି ନିଜର କିଂକର୍ତବ୍ୟବିମୁଢ଼ତା ବଖାଣି ବୁଲିବା ଛଡ଼ା ଆଉ କିଛି ଉପାୟ ପାଉନି ।

ଏହା ଭିତରେ ଶିକ୍ଷା ବ୍ୟବସ୍ଥାର ଗର୍ଭଗୃହ ଆଡ଼କୁ ଆଗୋଉଆଗୋଉ ଆମର ମୂଖ୍ୟ ଆଲୋଚ୍ୟ ବିଷୟ “ଅନୋଖା ଗାଧୁଆ କଳା” ଠାରୁ ଟିକିଏ ଦୂରକୁ ଚାଲିଗଲେ । କହିବା ବାହୁଲ୍ୟ ଯେ ଦିଲ୍ଲିରେ ଶିଲ୍ଲା ଦିକ୍ଷୀତ ମୂଖ୍ୟ ମନ୍ତ୍ରୀ ଥିବାବେଳେ ଅନେକ ଘୋଟାଲାଯୁକ୍ତ ଘଟଣା ଘଟିଥିଲା କିନ୍ତୁ ତାଙ୍କର ଏପର୍ଯ୍ୟନ୍ତ କଂଗ୍ରେସରେ ଏବଂ ସମାଜରେ ସେମିତି ଛବିର କିଛି ପତନ ଘଟିନାହିଁ । ଆମ ସାର୍‌ଙ୍କର ଏଇଟା ନିଜ ବାପାର ଦଳ । ତେଣୁ ଏଠି ଆମ ମୂଖ୍ୟମନ୍ତ୍ରୀ ଯଦିଓ ଗତ ୧୭ବର୍ଷ ଧରି ରାଜ୍ୟର ମଙ୍ଗୁଆଳ ଥାଉ ଥାଉ ଅନେକ ଘୋଟାଲାର ସୂତ୍ରପାତ ହୋଇଛି, ତାଙ୍କ ଛବିରେ କାହିଁକିି କିଛି ପରିବର୍ତ୍ତନ ଆସିବ? ତେଣୁ ଖାଲି ଡ଼ଃ. ମନମୋହନ ସିଂଙ୍କୁ ଏଭଳି ଅନୋଖା ଗାଧୁଆ କଳାରେ ନିପୁଣ କହିଲେ ଆମର ଦିଦି, ୟୁପିର ଯୁବରାଜ ଭେୟା, ମାଡ଼ାମ୍ ଦିକ୍ଷୀତ୍ ଏବଂ ଆମର ରାଜ୍ୟ ମୂଖିଆ ନବିନ୍ ସାର୍‌ଙ୍କ ପ୍ରତି ଅନ୍ୟାୟ ହେବନି ? ଏଭଳି ଅନେକ କଳାକାର ଭାରତରେ ପୁରି ରହିଛନ୍ତି ଏବଂ ସୁଯୋଗ ପାଇଲେ ନିଜରୁପ ବଦଳାଇ ଦୁନ୍ନିତି ଖୋରମାନ୍‌ଙ୍କୁ ପ୍ରୋତ୍ସାହନ ଦେବାକୁ ବିନା ଦ୍ୱୀଧାରେ ଆଗେଇ ଆସିବେ । ତେବେ କଣ ସମାଜ ଖାଲି ତର୍କ ବିତର୍କ ଭିତରେ ଘୁରିଘୁରି ଏସବୁକୁ ଏମିତି ସହି ସହି ଭୁଲିଯିବ? ଆଉ ଆଗାମି ପିଢ଼ିର ଓଡ଼ିଆ ଜାତିକୁ ଗୋଟିଏ ଅନ୍ଧାରୁଆ ବନ୍ଦ କୋଠରିକୁ ଠେଲିଦେବାର ବନ୍ଦୋବସ୍ତ ପକ୍କା କରି ବସିବ? ଚୁପ୍‌ଚାପ୍ ଦୁନ୍ନିତିକୁ ସହି ଚାଲିଲେ ଆଗାମି ଦିନରେ ନିଜର କର୍ତବ୍ୟବୋଧତା ସହ ନ୍ୟାୟ କରିହେବ କି? ତେଣୁ ସବୁ ଆଗାମି ନିର୍ବାଚନରେ ଚାଲନ୍ତୁ ଭଲଲୋକ ପ୍ରତିନିଧି ଦେଖି ଭୋଟ୍ ଦେବା ଏବଂ ସୁଯୋଗ୍ୟ ସାଧୁ ଲୋକମାନଙ୍କୁ ରାଜନିତି ପ୍ରତି ଆଗ୍ରହ ସୃଷ୍ଟି କରିବା ।

ଜୟ ଉତ୍କଳ ଜନନୀ ।

ଲୋକପ୍ରିୟ ଲେଖା

To Top