ସମ୍ପାଦକୀୟ

ବର୍ତ୍ତମାନ ସମୟ ଆପଣଙ୍କର

Jyotsna's Editorial Article for September Barttamaana Samaya Aapamaanankara

ଗ୍ରାମ ପଞ୍ଚାୟତକୁ ସଂଗଠିତ କରିବା ପାଇଁ ଚେଷ୍ଟା କରାଯାଉ ଏବଂ ସେମାନେ ସ୍ୱାୟତ୍ତ ଶାସନର ଏକକ ରୂପରେ କାର୍ଯ୍ୟ କରିବାକୁ ସକ୍ଷମ ହୁଅନ୍ତୁ, ଏହି ଦୃଷ୍ଟିରେ ସେମାନଙ୍କୁ ଆବଶ୍ୟକ ଅଧିକାର ଓ ସତ୍ତା ପ୍ରଦାନ କରାଯାଉ ।

ବର୍ତ୍ତମାନ ସମୟ ଆପଣଙ୍କର

ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି । ଏହାର ଛାପ ସ୍ପଷ୍ଟ ଭାବରେ “ଖାଦ୍ୟ ସୁରକ୍ଷା” ଉପରେ ପଡ଼ି ମଧ୍ୟ ସାରିଲାଣି । “ଖାଦ୍ୟ ସୁରକ୍ଷା”ର ନିୟମାବଳୀକୁ ଅମାନ୍ୟ କରି ଯେଉଁ ବ୍ୟକ୍ତିଗଣ “ଖାଦ୍ୟ ସୁରକ୍ଷା”ର ବଳୟ ମଧ୍ୟକୁ ପ୍ରବେଶ କରିଥିଲେ ସେମାନଙ୍କ ଉପରେ ସରକାର ବଜାର ଦର ହିସାବରେ ଅର୍ଥ ପଇଠ କରିବାର ଦଣ୍ଡବିଧାନ ଲାଗୁ କରିଥିଲେ । କିଛି ବ୍ୟକ୍ତିଙ୍କ ନିକଟରୁ ସରକାର କିଛି ଅର୍ଥ ମଧ୍ୟ ଆଦାୟ କରିଥିଲେ । କିନ୍ତୁ ପଞ୍ଚାୟତ ନିର୍ବାଚନ ଆଗକୁ ଆସୁଥିବାରୁ ସରକାର ସେମାନଙ୍କୁ ଦଣ୍ଡିତ କରାଯାଇଥିବା ଅର୍ଥ ଫେରସ୍ତ କରିବାର ପ୍ରତିଶ୍ରୁତି ଦେଇ ବର୍ତ୍ତମାନ ଏସବୁକୁ ସ୍ଥଗିତ କରିଛନ୍ତି । କାରଣ ହେଉଛନ୍ତି ଆପଣମାନେ, ଆପଣମାନେ ସରକାରଙ୍କ ବିରୁଦ୍ଧରେ ମତଦାନ ନ କରନ୍ତୁ ।

ଗ୍ରାମ ସରକାର କ’ଣ ? ଗ୍ରାମ ପଞ୍ଚାୟତ କ’ଣ ? ଏହାର ପ୍ରାଧାନ୍ୟ କେତେ ? ଏହାର କାର୍ଯ୍ୟକାରିତା କ’ଣ ? ସହସ୍ୟଙ୍କ ଯୋଗ୍ୟତାର ମାନାଙ୍କ ? ଏସବୁ ଉପରେ ମହାତ୍ମାଗାନ୍ଧୀ ବେଶ୍ ସୁନ୍ଦର ଭାବରେ ବର୍ଣ୍ଣନା କରନ୍ତି :-

“ଗ୍ରାମ ସରକାର ଗ୍ରାମ ପଞ୍ଚାୟତ ଦ୍ୱାରା ପରିଚାଳିତ ହେବ । ଗ୍ରାମ ପଞ୍ଚାୟତରେ ୫ ଜଣ ସହସ୍ୟ ରହିବେ । ଗ୍ରାମ ପଞ୍ଚାୟତର ଚୟନ ଗାଁର ବୟସ୍କ ମହିଳା ଓ ପୁରୁଷଙ୍କ ଦ୍ୱାରା କରାଯିବ । ସେମାନେ (ସଦସ୍ୟଗଣ) ପ୍ରତ୍ୟେକ ବର୍ଷ ବଛାଯିବେ । ଯେଉଁ ପ୍ରାର୍ଥୀ ବଛାଯିବେ ତାଙ୍କ ଭିତରେ କିଛି ବୁନିଆଦି ଯୋଗ୍ୟତା ଥିବା ଆବଶ୍ୟକ ଅଟେ । ଏହି ପଞ୍ଚାୟତର ହିଁ ସବୁ ଶକ୍ତି ଓ ଅଧିକାର ରହିବେ । ଯେପରି ନ୍ୟାୟ କରିବା ଦଣ୍ଡ ଦେବା, ନିୟମ ତିଆରି କରିବା, ପ୍ରଶାସନିକ ବ୍ୟବସ୍ଥାକୁ ସମ୍ଭାଳିବା ଆଦି ସମସ୍ତ ଅଧିକାର ପଞ୍ଚାୟତର ହିଁ ରହିବ । ଏହି କାର୍ଯ୍ୟରେ କେନ୍ଦ୍ର ବା ରାଜ୍ୟ ସରକାରଙ୍କର କୌଣସି ହସ୍ତକ୍ଷେପ ରହିବ ନାହିଁ । ପ୍ରତ୍ୟେକ ଗାଁ ଏହି ପ୍ରକାରର ଗଣତନ୍ତ୍ର ହେବ ।”

ଆପଣ ଅନୁମାନ କରିପାରୁଛନ୍ତି, ଗାନ୍ଧୀଜୀ କ’ଣ କହିବାକୁ ଚାହୁଁଛନ୍ତି ? ଅତୀତ ଭାରତରେ ଗଢ଼ି ଉଠିଥିବା ସମୃଦ୍ଧ ଗାଁ ନିର୍ମାଣର ଢାଞ୍ଚାକୁ ପୁନର୍ବାର କାର୍ଯ୍ୟକାରୀ କରିବାକୁ ଚାହାଁନ୍ତି । ଏହା ସାକାର ହୋଇଗଲେ ଭାରତୀୟ ଜନ ସାଧାରଣଙ୍କ ଉପରେ ଅଯଥା କରର ଭାର ପଡ଼ିବନି, ଶୋଷଣର ମାତ୍ରା କମିଯିବ, ରହିବନି କହିଲେ ଭୁଲ୍ ହେବ ନାହିଁ । ଅଦାଲତ, କାରାଗାର, ଜିଲ୍ଲାପାଳ, ପୋଲିସ୍ ଏସବୁ ବ୍ୟବସ୍ଥାର ଆବଶ୍ୟକତା ହିଁ ରହିବ ନାହିଁ । ଯଦି ଆରମ୍ଭରୁ ଗ୍ରାମସ୍ତରରେ ଦଣ୍ଡର ବ୍ୟବସ୍ଥା ରହିବ, ରାଜ୍ୟରେ କାରାଗାରର ଆବଶ୍ୟକତା ନିଶ୍ଚୟ କମିବ । ଆପଣ ଆକଳନ କରିପାରୁଛନ୍ତି, ଏହାଦ୍ୱାରା କେତେ ଅଯଥା ଖର୍ଚ୍ଚରୁ ଆମେ ତ୍ରାହି ପାଇପାରିବୁ ? କର ମଧ୍ୟ ଗାଁ ବସାଇବ ଓ ନିର୍ମାଣ କାର୍ଯ୍ୟ ମଧ୍ୟ ଗାଁ କରିବ ଅର୍ଥାତ୍ ଆହୁରି ଖର୍ଚ୍ଚ କାଟ । କିନ୍ତୁ ନା, ଗାନ୍ଧୀଜୀଙ୍କ କଳ୍ପନା କଳ୍ପନାରେ ରହିଗଲା ।

କିନ୍ତୁ ନା, ଗାନ୍ଧୀଙ୍କର ଯୋଜନା ବାସ୍ତବତାର ମାଟି ଛୁଇଁବାକୁ ଗୋଡ଼ କାଢ଼ି ପାରିଲା ନାହିଁ । କାରଣ କ’ଣ ? ଏହା ଉପରେ ଉତ୍କଳ ଗୌରବ ମଧୁସୂଦନ ଦାସ ବେଶ୍ ସୁନ୍ଦର ଭାବେ ବୁଝାଇ ଲେଖନ୍ତି :-

“ଯେଉଁମାନେ ସ୍ୱାୟତ୍ତ ଶାସନ (ପଞ୍ଚାୟରାଜ ସ୍ୱାୟତ୍ତ ଶାସନର ମୂଳଦୁଆ) ଚଳାଇବାକୁ ଉଦ୍‌ବିଗ୍ନ ସେମାନେ ଆଜି ବୁଝନ୍ତୁ ସ୍ୱାୟତ୍ତ ଶାସନର ଅର୍ଥ ହେଉଛି ନିଜ ମନୋବୃତ୍ତିକୁ ଶାସନ କରିବାକୁ ଶିଖିବା, ଏହା ଯେ ନ କରି ପାରିବ, ତାହା ନିକଟରେ ସ୍ୱାଧୀନତା, ସ୍ୱାୟତ୍ତ ଶାସନ ବା ସ୍ୱରାଜ୍ୟ-ଏସବୁ କୌଣସି ଅର୍ଥ ନାହିଁ । ସେ କେବଳ କ୍ଷମତା ପାଇଁ ଅନ୍ୟମାନଙ୍କ ଉପରେ କ୍ଷମତା ବିସ୍ତାର କରିବାକୁ ଲାଳାୟିତ ।”

ଗାନ୍ଧୀଜୀ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କର ଯେଉଁ ବୁନିଆଦି ଯୋଗ୍ୟତାର କଥା ଲେଖିଲେ, ସେହି ଯୋଗ୍ୟତା କ’ଣ ? ତାହା ମଧୁସୂଦନଙ୍କ ଶବ୍ଦରେ ନିଜ ମନୋବୃତ୍ତିକୁ ଶାସନ କରିବାକୁ ଶିଖିଥିବାର ଯୋଗ୍ୟତା ଅଟେ । ରାଜୀବ ଦୀକ୍ଷିତଙ୍କ ଶବ୍ଦରେ :- “ସେମାନଙ୍କୁ ଶିକ୍ଷିତ କରାଯାଇନାହିଁ, ସେମାନେ ଦେଶ ବିଷୟରେ ନିଜ ଅଞ୍ଚଳ ବିଷୟରେ କିଛି ଜାଣନ୍ତି ନାହିଁ । ଭାରତ କ’ଣ ? ଭାରତୀୟତା କ’ଣ ? ଧର୍ମ କ’ଣ ? ସଂସ୍କୃତି କ’ଣ ? ସଭ୍ୟତା କ’ଣ ? ଆମ ଧର୍ମଠାରୁ ଅନ୍ୟ ଧର୍ମର ଭିନ୍ନତା କ’ଣ ? ସଂସଦରେ କେଉଁଠି ବସିଗଲେ ଓ ନିୟମ ତିଆରି କଲେ ସମ୍ପୂର୍ଣ୍ଣ ଦେଶ ପାଇଁ, ଏହାଠାରୁ ଅଧିକ ଯନ୍ତ୍ରଣାର କଥା କ’ଣ ହୋଇପାରେ ?” ଏସବୁ ଯୋଗ୍ୟତା ବର୍ତ୍ତମାନର ପ୍ରାର୍ଥୀମାନଙ୍କ ଭିତରେ ମିଳେ ନାହିଁ । ବର୍ତ୍ତମାନର ଯୋଗ୍ୟତା ହେଉଛି ଆପଣ ଜନସାଧାରଣଙ୍କୁ କେଉଁ ଭାବରେ କେତେ ଲୁଟି ପାରିବେ ? ପ୍ରାର୍ଥୀ ଜନସାଧାରଣଙ୍କ ସେବକ ନୁହେଁ, ବରଂ ଲୁଣ୍ଠନ ବ୍ୟବସ୍ଥାର ଏକ ଅଂଶୀଦାର ଅଟେ । ନିର୍ବାଚନ ଏକ ବ୍ୟବସାୟ ପାଲଟି ଯାଇଛି । କେତେ କମ୍ ଖଟାଇ ସେମାନେ କେତେ ଅଧିକ ଆଦାୟ କରିବେ । ଯେତେ ଅଧିକ ଟଙ୍କା ସାଧାରଣ ଜନତାଙ୍କ ଠାରୁ ସରକାର ବିଭିନ୍ନ କର ମାଧ୍ୟମରେ ଲୁଟି ନେଇପାରିବେ । ବୁଝି ପାରୁଛନ୍ତି ଆମର ସ୍ଥିତି କେଉଁଠି ? ଆମର ବିଧାୟକ ଓ ସାଂସଦମାନଙ୍କୁ ସେମାନଙ୍କ ଅଞ୍ଚଳ ବିଷୟରେ କିଛି ପ୍ରଶ୍ନ କରନ୍ତୁ, ସେମାନେ ଭୁବନେଶ୍ୱର, ଦିଲ୍ଲୀ ବିଷୟରେ କହିବେ । ନିଜ ଅଞ୍ଚଳର ଅବସ୍ଥିତି ବିଷୟରେ ସେମାନଙ୍କୁ କିଛି ଜଣା ନାହିଁ । ଏପରି ବ୍ୟକ୍ତିଙ୍କୁ ଆମେ ଆମର ଜନପ୍ରତିନିଧି ଭାବେ ନିର୍ବାଚିତ କରୁ ।

କେବଳ ଏତିକି ନୁହେଁ ଉତ୍କଳ କେଶରୀ ବିଜୁ ପଟ୍ଟନାୟକ ରାଜ୍ୟସ୍ତରୀୟ “ପଞ୍ଚାୟତରାଜ ଦିବସ” ପାଳନ ଦିବସରେ ଓଡ଼ିଶାର ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ନିର୍ବାଚିତ ପ୍ରତିନିଧିଗଣଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ. . . “ମୋ ସ୍ୱପ୍ନର ଭାରତରେ ଗଣତନ୍ତ୍ର କେଇଜଣ କୁହାଳିଆ ତଥା ବୁଦ୍ଧିଜୀବିଙ୍କ ବିଳାସ ହୋଇ ରହିନଥାନ୍ତା । ମୁଁ ସ୍ୱପ୍ନ ଦେଖୁଥିଲି ଏପରି ଏକ ଭାରତ ବର୍ଷ ଯେଉଁଠାରେ ଗଣତନ୍ତ୍ର କେବଳ ନିର୍ବାଚନ ସର୍ବସ୍ୱ ହେବ ନାହିଁ । ଏହା ହେବ ଲୋକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଘନିଷ୍ଠ ଭାବରେ ଜଡ଼ିତ କରିବାର ଏକ ମାଧ୍ୟମ । ଗାଁ ଗଣ୍ଡା ହେଉଛି ଭାରତର ଆତ୍ମା । ମୋ ସ୍ୱପ୍ନର ଭାରତରେ ଗାଁ ଗହଳିରୁ ହିଁ ଗଣତନ୍ତ୍ର ଆରମ୍ଭ ହୋଇ କ୍ରମଶଃ ଉପରକୁ ପ୍ରସାରିତ ହୋଇଥାନ୍ତା ।

ଏ “ସ୍ୱପ୍ନ” ହାତ ପାଦରେ ବେଡ଼ି ପଡ଼ି ରାଜ ରାସ୍ତାରେ ଘୋଷଡ଼ା ହେଉଥିବା ନୋଳାଫାଟି ରକ୍ତ ଝରୁଥିବା ଏକ ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ୱପ୍ନ । ସ୍ୱାଧୀନତା ପାଇଁ ନିଜକୁ ସର୍ବୋତ୍ତ ମତେ ଉତ୍ସର୍ଗ କରିପାରିଥିବା ଜଣେ ଦେଶଭକ୍ତର ସ୍ୱପ୍ନ । ସେମାନଙ୍କର ଏସ୍ୱପ୍ନସବୁ ସ୍ୱପ୍ନରେ ରହିଗଲା । ତାଙ୍କ ଉତ୍ତରପୀଢ଼ିଙ୍କ ନିକଟରେ ସେ ସମର୍ପଣ, ସେ ଉତ୍ସାହ, ସେ ନିଷ୍ଠା କିଛି ବି ଦେଖିବାକୁ ମିଳେ ନାହିଁ ।

କେବଳ ଏତିକି ନୁହେଁ ଆମ ସମ୍ୱିଧାନର ଧାରା ୪୦ରେ ରାଜ୍ୟମାନଙ୍କୁ କୁହାଯାଇଛି ଯେ, “ଗ୍ରାମ ପଞ୍ଚାୟତକୁ ସଂଗଠିତ କରିବା ପାଇଁ ଚେଷ୍ଟା କରାଯାଉ ଏବଂ ସେମାନେ ସ୍ୱାୟତ୍ତ ଶାସନର ଏକକ ରୂପରେ କାର୍ଯ୍ୟ କରିବାକୁ ସକ୍ଷମ ହୁଅନ୍ତୁ, ଏହି ଦୃଷ୍ଟିରେ ସେମାନଙ୍କୁ ଆବଶ୍ୟକ ଅଧିକାର ଓ ସତ୍ତା ପ୍ରଦାନ କରାଯାଉ ।”

ଏଠାରେ ଧାରା ସବୁ ଧାରାରେ ରହିଯାଏ, କାର୍ଯ୍ୟକାରୀ ହୋଇପାରେ ନାହିଁ । କାରଣ ଲୁଣ୍ଠନକାରୀ ଶାସକଗଣ ଏହି ବ୍ୟବସ୍ଥାକୁ ଏହିପରି ଚଳାଇ ରଖିବାକୁ ଚାହାଁନ୍ତି ।

ବିଶିଷ୍ଟ ଅର୍ଥନୀତିଜ୍ଞ ଓ ରାଜନୀତିଜ୍ଞ ଚାଣକ୍ୟ ତାଙ୍କ ସୂତ୍ରରେ କୁହନ୍ତି :-

“ଯେଉଁ ଦେଶରେ ମୂର୍ଖମାନେ ଜ୍ଞାନୀମାନଙ୍କ ଉପରେ ଶାସନ କରିବାକୁ ଲାଗନ୍ତି ସେ ଦେଶର ତ ସର୍ବନାଶ ନିଶ୍ଚିତ ଅଟେ ।”

(ଏଠାରେ ଜ୍ଞାନର ଅର୍ଥ ଡିଗ୍ରୀ ନୁହେଁ । ଅନେକ ଡିଗ୍ରୀଧାରୀ ମହାନ ମୂର୍ଖ ମଧ୍ୟ ଅଛନ୍ତି । ଜ୍ଞାନ ବ୍ୟବହାରିତା ଓ କୁଶଳତାକୁ ବୁଝାଏ ।)

ଦେଶର ସର୍ବନାଶ ହେଲେ, ଆପଣ ବାଦ୍ ପଡ଼ିବେ କେଉଁପଟେ ? ଗାଁ ଗଣ୍ଡା ଫାଙ୍କା ପଡ଼ିଗଲାଣି ଲୋକେ ସବୁ ବାହାରେ ବେଠି ଖଟୁଛନ୍ତି । ସହରର ବସ୍ତି ଅଞ୍ଚଳରେ ଯେଉଁ ପ୍ରକାରର ଜୀବନ ଯାପନ କରୁଛନ୍ତି, ଆପଣ ଭାବି ପାରୁଛନ୍ତି ମଣିଷ କ’ଣ ଏପରି ସ୍ତରରେ ରହେ ? ନିପଟ ଗାଁର ଅବସ୍ଥା କହିଲେ ନସରେ । ସେଠାରେ ବର୍ତ୍ତମାନ ମଧ୍ୟ କଳା ଇଂରେଜ (ସରପଞ୍ଚ ଓ ପଞ୍ଚାୟତ ବିଧାୟକ, ସାଂସଦ)ଙ୍କର ଶାସନ ଚାଲିଛି । ଏସବୁରୁ ମୁକୁଳିବାକୁ ହେଲେ ଗାଁ ଗଣ୍ଡାରେ ଥିବା କ୍ଲବ୍ ଓ ସଂଗଠନ ମାଧ୍ୟମରେ ଗ୍ରାମବାସୀଙ୍କୁ ଏକାଠି କରିବାକୁ ହେବ । ଯେଉଁ ପ୍ରାର୍ଥୀମାନେ ସେମାନଙ୍କୁ ସମୃଦ୍ଧ ଗାଁର ସ୍ୱପ୍ନ ଦେଖାଇବାକୁ ଆସିବେ ସେମାନଙ୍କୁ କୁହନ୍ତୁ ଆପଣମାନଙ୍କ ସହ ସେମାନେ ଏକ ଚୁକ୍ତି ସ୍ୱାକ୍ଷର କରିବେ ଯେ ଯେଉଁ ସମୟରେ ଗ୍ରାମବାସୀ ଚାହିଁବେ ତାଙ୍କର ଅପାରଗ ନେତାଙ୍କୁ (ବିଜିତ ପ୍ରାର୍ଥୀଙ୍କୁ) ତାଙ୍କ ଆସନରୁ ହଟାଇ ପାରିବେ । ଏପରି ମଧ୍ୟ କରିପାରନ୍ତି, ଆପଣଙ୍କ ଅଞ୍ଚଳର ସଚ୍ଚୋଟ ଭଦ୍ରବ୍ୟକ୍ତିଙ୍କୁ (ଯିଏ ଆପଣଙ୍କ ସହ ଚୁକ୍ତି ସ୍ୱାକ୍ଷର କରିପାରିବେ) ଆପଣ ପ୍ରତିନିଧି କରାଇ ଶାସନ ଦାୟିତ୍ୱ ଦେଇପାରିବେ । ପାଞ୍ଚ ବର୍ଷର ଏକଛତ୍ର ଶାସନ ନୁହେଁ । ଆପଣ ସେମାନଙ୍କୁ ବର୍ଷକ ମଧ୍ୟରେ କାଢ଼ି ଫିଙ୍ଗି ଦେବାର ଅଧିକାର ରଖନ୍ତି । ତା’ହେଲେ ଆପଣ ଏହି ଲୁଣ୍ଠନକାରୀଙ୍କ ଉପରେ ଅଙ୍କୁଶ ଲଗାଇ ପାରିବେ । ଏହା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ ।

ଲୋକପ୍ରିୟ ଲେଖା

To Top