ସମ୍ପାଦକୀୟ

ଭୋଜନର ନିୟମ

Jyotsna's Editorial Article for July Bhojanara Niyama

ସ୍ୱେଚ୍ଛାଚାରୀତା ଜୀବନ ନୁହେଁ । ଜୀବନ ଅନୁଶାସନ ପୂର୍ଣ୍ଣ ଅଟେ ।

ଭୋଜନର ନିୟମ

ଭୋଜନ କେବଳ କ୍ଷୁଧା ଶାନ୍ତ କରେ ନାହିଁ, ଏହା ଆମ ଶରୀର, ମନ ଓ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ ଆମେ ଭୋଜନକୁ କେବଳ ପେଟ ଭର୍ତ୍ତିର ମାଧ୍ୟମ ବୋଲି ଗଣନା କରୁନଥିଲୁ । ଭୋଜନ ଆମ ପାଇଁ ପୂଜା ସଦୃଶ ଅଟେ । ଶୁଦ୍ଧପୁତ ଭାବରେ ଖାଦ୍ୟ ରନ୍ଧନ ପରେ ଏହା ଭଗବାନଙ୍କୁ ଅର୍ପଣ କରାଯାଏ । ଏହା ପରେ ପରିବାରର ସମସ୍ତ ସଦସ୍ୟ ଶାନ୍ତ ମନରେ ଭଗବାନଙ୍କ ପ୍ରସାଦ ମନେକରି ଭୋଜନ ଗ୍ରହଣ କରନ୍ତି ।

“ଗୀତା”ରେ ଉଲ୍ଲେଖ ଅଛି- ରସଯୁକ୍ତ ଚିକ୍କଣ ପଦାର୍ଥ ବହୁତ ସମୟ ପର୍ଯ୍ୟନ୍ତ ସ୍ଥିର ରହୁଥିବା ତଥା ପାଚକ ଭୋଜନ ସାତ୍ତ୍ୱିକ ମନୁଷ୍ୟଙ୍କର ପ୍ରିୟ ଅଟେ ।

“ଗୀତା”ରେ ଏହି କଥାର ମଧ୍ୟ ଉଲ୍ଲେଖ ଅଛି ଯେ ମନୁଷ୍ୟମାନଙ୍କୁ ନା ଅଧିକ ଭୋଜନ ନା କମ୍ ଭୋଜନ କରିବା ଆବଶ୍ୟକ ଅଟେ ।

ବର୍ତ୍ତମାନ ଚିକିତ୍ସକମାନେ ରୋଗରୁ ବର୍ତ୍ତିବା ପାଇଁ ଚିକ୍କଣ ରହିତ ଭୋଜନ କରିବାକୁ ଉପଦେଶ ଦେଇଥାନ୍ତି । ଏହାର କାରଣ ଆମର ଅନିୟମିତ ଦିନଚର୍ଯ୍ୟା ଓ ଯନ୍ତ୍ର ଉପରେ ନିର୍ଭର ରହିବାର ପ୍ରବୃତ୍ତି ଅଟେ ।

ଭୋଜନ ସମ୍ୱନ୍ଧରେ “ଚରକ ସଂହିତା”ରେ ୧୦ଟି ନିୟମର ବର୍ଣ୍ଣନା ଅଛି ।

୧- ଗରମ ଖାଦ୍ୟ ଖାଇବା ଉଚିତ୍ । ଏହା ଦ୍ୱାରା ଆମର ଜଠରାଗ୍ନି ଶାନ୍ତ ହୋଇଥାଏ ଓ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ।

୨- ସ୍ନିଗ୍ଧ ଆହାର ଗ୍ରହଣ କରିବା ଆବଶ୍ୟକ । ଏହା ଆମ ଶରୀରକୁ ପୋଷଣ ଦିଏ ଓ ଦୃଢ଼ କରେ ।

୩- ଆମକୁ ପାଚନଶକ୍ତି ଅନୁକୂଳ ଉଚିତ୍ ମାତ୍ରାରେ ଭୋଜନ କରିବା ଦରକାର । କ୍ଷୁଧା ଅନୁସାରେ ଭୋଜନ କରିବା ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ ।

୪- ପ୍ରଥମ ଖାଦ୍ୟ ହଜମ ହେବା ପରେ ହିଁ ଦ୍ୱିତୀୟ ଖାଦ୍ୟ ଗ୍ରହଣ କରିବା କଥା । ଏହା ଭୋଜନ ଶାସ୍ତ୍ରର ପ୍ରମୁଖ ନିୟମ ଅଟେ ।

୫- ଅବିରୁଦ୍ଧ ବୀର୍ଯ୍ୟବାଲା ଆହାର ଗ୍ରହଣ କରିବା ଆବଶ୍ୟକ ଅଟେ । ଏହା ଦ୍ୱାରା ଭୋଜନର ଗୁଣବତ୍ତା ବୃଦ୍ଧିପାଏ ।

୬- ମନର ଅନୁକୂଳ ସ୍ଥାନରେ ମନ ପସନ୍ଦର ପଦାର୍ଥ ସେବନ କରିବା ଆବଶ୍ୟକ ଅଟେ ।

୭- ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

୮- ବହୁତ ଡେରି ପର୍ଯ୍ୟନ୍ତ ରହି ରହି ଭୋଜନ କରିବା ଉଚିତ୍ ନୁହେଁ । (ଭୋଜନ ସଠିକ୍ ଭାବରେ କରିବା ଆବଶ୍ୟକ ।)

୯- ଭୋଜନ କରୁଥିବା ସମୟରେ ଅନାବଶ୍ୟକ କଥାବାର୍ତ୍ତା ହେବା ଉଚିତ୍ ନୁହେଁ । ମନକୁ ଶାନ୍ତ ରଖି ଭୋଜନ କରିବା ଦରକାର ।

୧୦- ଭୋଜନ କରୁଥିବା ସମୟରେ ମନରେ ଭୋଜନ ପ୍ରତି ସୁବିଚାରର ଧ୍ୟାନ ରଖିବା ଆବଶ୍ୟକ ।

ଭୋଜନ ଶାସ୍ତ୍ରର ନିୟମ କୁହେ- ଆପଣଙ୍କ ପ୍ରାତଃ ଭୋଜନ ରାଜା ପରି, ଦ୍ୱିପହର ଭୋଜନ ସୈନିକ ପରି ଓ ରାତ୍ରି ଭୋଜନ ଭିକ୍ଷୁକ ପରି ହେବା ଆବଶ୍ୟକ ।

ପୂର୍ବ ଦିଗକୁ ମୁଖ କରି ଭୋଜନ କରିବା ଆବଶ୍ୟକ ।

ବର୍ତ୍ତମାନ ଅଧିକାଂଶ ଭୋଜି ରାତ୍ରିରେ ହିଁ ହେଉଅଛି । ତାହା ପୁଣି ବଫେ । ଯାହା ପେଟ ସମ୍ୱନ୍ଧୀୟ ରୋଗ ସୃଷ୍ଟି କରାଇଥାଏ । ଖାଦ୍ୟ ଗ୍ରହଣର ଉତ୍ତମ ଶୈଳୀ ହେଉଛି ସୁଖାସନ ।

ମହର୍ଷି ଚରକଙ୍କ ଶ୍ରେଷ୍ଠ ଶିଷ୍ୟ ମହର୍ଷି ବାଗଭଟ୍ଟ ବିରୁଦ୍ଧ ଖାଦ୍ୟର ଏକ ବିରାଟ ତାଲିକା ପ୍ରଦାନ କରିଛନ୍ତି । ବିରୁଦ୍ଧ ଖାଦ୍ୟ ଅର୍ଥାତ୍ ଯାହାର ଗୁଣ ଓ ସ୍ୱଭାବ ପରସ୍ପର ବିପରୀତ ଅଟେ ।

୧- ପିଆଜ ଓ କ୍ଷୀର ଏକ ସଙ୍ଗେ ଭୋଜନରେ ଗ୍ରହଣୀୟ ନୁହେଁ । ଏହା ଚର୍ମରୋଗ କରାଇଥାଏ ।

୨- ଦହି ଓ ବିରି । ଏହା ଦ୍ୱାରା ରକ୍ତଚାପ ବୃଦ୍ଧିପାଏ । ପ୍ରତିଦିନ ଆପଣ ଦହିବରା ଭୋଜନରେ ଗ୍ରହଣ କଲେ ଆପଣଙ୍କୁ ନିଶ୍ଚିତ ହୃଦଘାତ ହେବ ।

୩- ଘିଅ ସହ ଅଣ୍ଡା (ଡିମ୍ୱ) । ଏହା ବହୁମୂତ୍ର ରୋଗ କରାଇଥାଏ ।

୪- ଘିଅ ଓ ମହୁ । ଏହା ଦୁନିଆଁର ସବୁଠାରୁ ବିଷାକ୍ତ ପଦାର୍ଥ ଅଟେ । ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ “ପଞ୍ଚାମୃତ” ପ୍ରସ୍ତୁତିରେ ଘିଅ ଓ ମହୁ ମିଶିଥିଲେ ମଧ୍ୟ ଏହା ବିଷାକ୍ତ ନ ହୋଇ ଅମୃତଶ୍ରେଣୀରେ ଯାଏ କିପରି ? ଗୋଟିଏ ଅନୁଷ୍ଠାନ ହେଲେ (ପୂଜାର) ଗୋମୟ (ଗୋବର) ଦରକାର ହୋଇଥାଏ । ଗୋମୟ ଲେପନ ପରେ ମନ୍ତ୍ରପାଠ କରି ଏହା ଉପରେ କୁଶ (ଏକପ୍ରକାର ଘାସ) ଏହା ଉପରେ ବୁଲାଯାଇଥାଏ ଏବଂ ଏହି କୁଶକୁ “ପଞ୍ଚାମୃତ”ରେ ଘୁରାଇ ମନ୍ତ୍ର ପଢ଼ାଯାଏ । ଏହି କୁଶରେ ଲାଗିଥିବା ଗୋବର ଯୋଗୁଁ ମହୁ ଓ ଘିଅର ବିଷକ୍ରିୟା ନଷ୍ଟ ହୋଇଥାଏ । (ଗୋମୟ ଓ ଗୋମୂତ୍ର ସମସ୍ତ ବିଷକ୍ରିୟାକୁ କାଟିବାକୁ ସକ୍ଷମ ଅଟେ ।)

୫- କଦଳୀ ସହ ଦହି ଓ ବେଲ ଗ୍ରହଣୀୟ ନୁହେଁ ।

୬- କ୍ଷୀର ବା କ୍ଷୀରି ସହ ଖେଚୁଡ଼ି ଗ୍ରହଣୀୟ ନୁହେଁ ।

୭- କ୍ଷୀର ସହ ଲୁଣ, ଦହି, କୌଣସି ଖଟା, ମାଛ, ପଣସକଠା ଗ୍ରହଣ କଲେ ଗମ୍ଭୀର ରୋଗ ଉତ୍ପନ୍ନ ହୋଇଥାଏ । କ୍ଷୀର ସହ ଏକମାତ୍ର ଖଟା ଫଳ “ଅଁଳା” ଗ୍ରହଣୀୟ ଅଟେ ।

୮- କ୍ଷୀର ସହ ମୂଳା, ରସୁଣ ଓ ତୁଳସୀ ମଧ୍ୟ ଗ୍ରହଣୀୟ ନୁହେଁ ।

୯- ମାଂସ ସହ ମହୁ, ଗୁଡ଼, କ୍ଷୀର ଓ ବିରି ଭକ୍ଷଣୀୟ ନୁହେଁ । ଏହା କଲେ ମନୁଷ୍ୟ ବଧିର ଓ ଦୃଷ୍ଟିଶକ୍ତିହୀନ ହୋଇଥାଏ ।

ତିଥି ଖାଦ୍ୟ ରୋଗ
ପ୍ରତିପଦା କଖାରୁ, ପାଣିକଖାରୁ ବ୍ରଣ
ଦ୍ୱିତୀୟା ଭେଜି ବାଇଗଣ ଅର୍ବୁଦ
ତୃତୀୟା ପୋଟଳ ବାତରକ୍ତ
ଚତୁର୍ଥୀ ମୂଳା(ମଙ୍ଗଳବାର) ଆମବାତ
ପଞ୍ଚମୀ ବେଲ ପିତ୍ତ
ଷଷ୍ଠୀ ନିମ୍ୱ (ଗୁରୁବାର) କୁରୁଣ୍ଡ ଓ ଗଣ୍ଡମାଳ
ସପ୍ତମୀ ତାଳ ରକ୍ତପିତ୍ତ
ଅଷ୍ଟମୀ ନଡ଼ିଆ ଅଜୀର୍ଣ୍ଣ
ନବମୀ ଲାଉ ବାତଶ୍ଳେଷ୍ମା
ଦଶମୀ କଳମ ଶାଗ ଅମ୍ଳପିତ୍ତ
ଏକାଦଶୀ ଶିମ୍ୱ ଜ୍ୱର
ଦ୍ୱାଦଶୀ ପୋଇ କୁଷ୍ଠ ଓ ଯକ୍ଷ୍ମା
ତ୍ରୟୋଦଶୀ ବାଇଗଣ ଚର୍ମରୋଗ
ଚତୁର୍ଦ୍ଦଶୀ ବିରି ଉଦରରୋଗ
ପୂର୍ଣ୍ଣମୀ/ଅମାବାସ୍ୟା ଆମିଷ, ତେଲ, ମସଲା ଶ୍ଳେଷ୍ମାଜନିତ ରୋଗ
ରବିବାର ଦିନ ଆମିଷ ଭକ୍ଷଣ ନିଷେଧ ଅଛି । ଏପରି କଲେ ଆପଣ ରୋଗଗ୍ରସ୍ଥ ହେବେ ।

ମହର୍ଷି ବାଗଭଟ୍ଟ କୁହନ୍ତି- ଦୁଇଟି ଅନ୍ନ ଗ୍ରହଣ ସମୟରେ ଗୋଟିକରୁ ଅନ୍ୟଟି ନିକଟକୁ ଯିବା ବ୍ୟବଧାନରେ ଆପଣ ଦୁଇ ଢୋକ ଜଳପାନ କରିବେ । (ଯେଉଁମାନେ ରୁଟି ଓ ଭାତ ଏକ ସଙ୍ଗେ ନିଅନ୍ତି ତାଙ୍କ ପାଇଁ)

ସାଧାରଣତଃ ଭୋଜନ ସମୟରେ ଜଳପାନ ନିଷେଧ ଅଟେ । ଭୋଜନ ପରେ ମଧ୍ୟ ଆପଣ ତୁରନ୍ତ ଜଳପାନ କରିପାରିବେ ନାହିଁ । ଭୋଜନର ୧ ଘଣ୍ଟା ପରେ ଜଳପାନର ନିୟମ ଅଛି । ନିହାତି ଯଦି ଆବଶ୍ୟକ ହୁଏ ସକାଳ ଭୋଜନ ସହ ଫଳରସ (ନଚେତ୍ ଲେମ୍ବୁ ପାଣି) । ଦ୍ୱିପହର ଭୋଜନ ସହ ଚହ୍ଲା ଓ ରାତ୍ରି ଭୋଜନ ସହ କ୍ଷୀର ଚଳନୀୟ ଅଟେ । (ଖାଲି ପାଣି ନୁହେଁ) । ଜଳର ନିଜସ୍ୱ ଗୁଣ କିଛି ନାହିଁ, ତେଣୁ ଭୋଜନ ସହ ପାନୀୟ ଯଦି ନିହାତି ଆବଶ୍ୟକ ପଡ଼େ ଆପଣ ଜଳ ସହ କିଛି ମିଶ୍ରଣ କରି ପାନ କରିପାରିବେ ।

ଆପଣମାନଙ୍କୁ ଭୋଜନର କିଛି ନିୟମ ସହ ଅବଗତ କରାଗଲା । ନିରୋଗ ସ୍ୱାସ୍ଥ୍ୟ ଚାହାନ୍ତି । ଆପଣଙ୍କୁ ଏହି ନିୟମଗୁଡ଼ିକ ପାଳନ କରିବାକୁ ପଡ଼ିବ । ସ୍ୱେଚ୍ଛାଚାରୀତା ଜୀବନ ନୁହେଁ । ଜୀବନ ଅନୁଶାସନ ପୂର୍ଣ୍ଣ ଅଟେ ।

ଆମର ଋଷିଗଣ (ଋଷିରୁ ରିସର୍ଚ୍ଚ ଶବ୍ଦର ଉତ୍ପତ୍ତି) ସମଗ୍ର ମାନବ ଜାତି ଅର୍ଥେ ନିରୋଗ ସ୍ୱାସ୍ଥ୍ୟର ଯେଉଁ ପଥ ନିର୍ଦ୍ଧାରଣ କରିଯାଇଛନ୍ତି ସେହି ପଥରେ ନିୟମ ପାଳନ ପୂର୍ବକ ଆଗେଇ ଚାଲିଲେ ଆମେ ନିରୋଗ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବା । ସୁସ୍ଥ ଶରୀର ଓ ସୁସ୍ଥ ମନ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ।

ସାବଧାନ

ବର୍ତ୍ତମାନ ଓଡ଼ିଶାରେ “ଡେଙ୍ଗୁ” ଜ୍ୱର ବ୍ୟାପିଅଛି । ଏହି “ଡେଙ୍ଗୁ” ରୋଗରୁ ଉଦ୍ଧାର ପାଇବାକୁ ହେଲେ ୩/୪ ଗୋଟି ଗଙ୍ଗଶିଉଳି ପତ୍ରକୁ ଚିକ୍କଣ କରି ଶିଳରେ ବାଟି ୧୦୦ ଗ୍ରାମ୍ ପାଣି ଦେଇ ଧିମା ଜାଳରେ (ଦୁକୁ ଦୁକୁ କରାନ୍ତୁ) ଫୁଟାନ୍ତୁ ଅଧା ହୋଇଗଲେ ଓହ୍ଲାଇ ରୋଗୀକୁ ପିଆଇ ଦିଅନ୍ତୁ । ସକାଳେ ଖାଲି ପେଟରେ ଓ ଉପରବେଳା ଏହିପରି ୨ଥର ପିଆଇ ଦେଲେ ଦୁଇ/ତିନି ଦିନରେ ଭଲ ହୋଇଯିବ । ସାଧାରଣତଃ ଗାଁ ଗହଳି ଲୋକେ କୁହନ୍ତି ଏହା ଅନ୍ତରୁ ଜର ଛଡ଼ାଇ ନିଏ । ଝାଡ଼ା ଓ ଥଣ୍ଡାରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଏହା ଡେଙ୍ଗୁର ଅବ୍ୟର୍ଥ ଔଷଧ ଅଟେ ।

ଗଙ୍ଗଶିଉଳି- ରାତିରେ ଫୁଟେ ସକାଳେ ଝଡ଼ିଯାଏ । ଏହି ଫୁଲ ଛୋଟ ଛୋଟ ଏହାର ନାଡ଼ କମଳା ରଙ୍ଗର ପାଖୁଡ଼ା ଧଳା ଅଟେ । ଫୁଲ ଜୋର୍‌ରେ ବାସେ । ସକାଳକୁ ଫୁଲ ସବୁ ଗଛ ମୂଳେ ଝଡ଼ି ପଡ଼ିଥାଏ ।

ଲୋକପ୍ରିୟ ଲେଖା

To Top