ସମ୍ପାଦକୀୟ

ମାଠିଆ, ଢାଳ ଓ ଗଡୁ

Jyotsna's Editorial Article for June Maathiaa, Dhaala O Gadu

ଜଳକୁ ସର୍ବଦା ଢୋକେ ଢୋକେ ପାନ କରିବ । ଏପରି କଲେ ଆମ ପାଟିର ଲାଳ ସହ ଜଳ ପେଟ ମଧ୍ୟକୁ ଯାଇଥାଏ । ଏପରି ଜଳ ଜଳ ସହଜରେ ହଜମ ହୋଇଥାଏ ଏବଂ ଖାଦ୍ୟକୁ ହଜମ କରାଇବାରେ ମଧ୍ୟ ସହାୟକ ହୋଇଥାଏ ।

ମାଠିଆ, ଢାଳ ଓ ଗଡୁ

ଅନେକ ବର୍ଷ ତଳର କଥା ମୁଁ ୪ର୍ଥ, ୫ମ ଶ୍ରେଣୀ ପଢୁଥିବା ସମୟର କଥା । ସେ ସମୟରେ ଆମ ଘରେ ପିଇବା ପାଇଁ ପାଣି ମାଠିଆରେ ରଖାଯାଉଥିଲା । ମୁଁ ମାଠିଆ ପାଖକୁ ଗଲେ ମତେ ମାଠିଆକୁ ଛୁଇଁବାକୁ ବୋଉ ଦେଉନଥିଲା । କାହିଁକି ନା ମୁଁ ପାଣି ତଳେ ଢାଳି ଦେବି ନଚେତ୍ ମାଠିଆକୁ ଗଡ଼ାଇଲାବେଳେ ଭାଙ୍ଗିଦେବି । ସେତିକିବେଳେ ମୋର ତାକୁ ପ୍ରଶ୍ନ ଥିଲା ମାଠିଆ ପୁରା ଗୋଲ୍ କାହିଁକି ? (ଅନ୍ୟମାନଙ୍କୁ ମଧ୍ୟ ପ୍ରଶ୍ନ କରେ ।) ସିଧା ରହୁନି ଖାଲି ଗଡ଼ିଯାଉଛି । ୟା’କୁ ଯିଏ ତିଆରି କରୁଛି ସିଏ ୟା’ର ତଳଟାକୁ ଟିକେ ସମାନ କରିଥିଲେ ହୋଇନଥାନ୍ତା ? ମୁଚୁଳାରେ ରହିବ ନ ହେଲେ ବାଲି ଉପରେ ବାପାଙ୍କୁ ଛାଡ଼ି ମତେ ଅନ୍ୟ ସମସ୍ତେ ବିଗିଡ଼ନ୍ତି- “କେତେ କଥା ପଚାରୁଛି ।” କାହାଠାରୁ ମୁଁ ସନ୍ତୋଷଜନକ ଉତ୍ତର ପାଇ ପାରିନଥିଲି । ମାଠିଆର ମୁହଁ କାହିଁକି ଏତେ ଛୋଟ ଏ ପ୍ରଶ୍ନ ମୁଁ କରିନଥିଲି । ମାଠିଆର ଛୋଟ ମୁହଁ ଯୋଗୁଁ ଏହାକୁ ଆରାମରେ କାଖରେ ଧରି ହୁଏ, ଏକଥା ଦେଖି କରି ମୁଁ ବୁଝିଯାଇଥିଲି । ଗାଁକୁ ଆସିଲେ ଜେଜେବାପାଙ୍କର ଥଣ୍ଟଲଗା ଗଡୁଟି ହିଁ ମୋର ପ୍ରିୟ ଥିଲା । ମୁଁ ସେହିଥିରୁ ପାଣି ପିଏ । ଗିଲାସ କି ତାଟିଆ ଦରକାର ହୁଏନି ।

ବର୍ତ୍ତମାନ ଅନେକ ବର୍ଷ ପରେ ମୋ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମୁଁ ପାଇଗଲି । ସେହି ଉତ୍ତରକୁ ମୁଁ ଆପଣମାନଙ୍କ ନିକଟରେ ପହଞ୍ଚାଇବା ଜରୁରୀ ମନେ କରୁଛି ।

ମାଠିଆ ଏକଦମ୍ ଗୋଲ୍ କାହିଁକି ?

ଜଳକୁ ଯେଉଁ ପାତ୍ରରେ ରଖାଯାଏ, ଜଳ ସେହି ଆକାରଟିକୁ ଗ୍ରହଣ କରିଥାଏ । ମାଠିଆର ପୃଷ୍ଠତଳର ପରିଧି ଏକଦମ୍ କମ୍ ଏବଂ ମାଠିଆର ମୁହଁଟି ଛୋଟ ଥାଏ ଅର୍ଥାତ୍ ଏହାର ମୁହଁର ପରିଧି ମଧ୍ୟ କମ୍ । ତେଣୁ ଏହା ମଧ୍ୟରେ ଥିବା ଜଳ ଉପରେ ପବନର ଚାପ ମଧ୍ୟ କମ୍ ପଡ଼ିଥାଏ । ଅର୍ଥାତ୍ ମାଠିଆର ଜଳ ସବୁଠାରୁ କମ୍ ଚାପଯୁକ୍ତ ଅଟେ ।

ମହର୍ଷି ବାଗଭଟ୍ଟ କୁହନ୍ତି- “ଅଧିକ ଚାପଯୁକ୍ତ ଜଳ ପାନ କଲେ ପାକସ୍ଥଳୀରେ ବାୟୁ ଓ ଅମ୍ଳର ପରିମାଣ ବୃଦ୍ଧି ପାଇଥାଏ । ଏହା ଫଳରେ ଆମକୁ ଅର୍ଶ, ଭଗନ୍ଦର ମଳକଣ୍ଟକ ପରି ରୋଗମାନ ଗ୍ରାସ କରିଥାନ୍ତି ।”

ଜଳର ପ୍ରଧାନ କାର୍ଯ୍ୟ ହେଉଛି ଆମ ଶରୀରରୁ ଆବର୍ଜନା ସଫା କରିବା । ଆମ ଶରୀରରେ ୭୦ଭାଗ ଜଳ ଅଛି ଶରୀରରେ ଆବଶ୍ୟକତା ମୁତାବକ ଜଳର ପରିମାଣ ନରହିଲେ ଶରୀର ରୋଗଗ୍ରସ୍ଥ ହୋଇଯାଏ । ଏହା ସହ ଶରୀରରୁ ମଇଳା ସଫା ନ ହେଲେ ମଧ୍ୟ ଶରୀର ରୋଗଗ୍ରସ୍ଥ ହୋଇଥାଏ । ତେଣୁ ଉଭୟ କ୍ଷେତ୍ରରେ ଆମ ଶରୀର ପାଇଁ ଜଳ ନିହାତି ଆବଶ୍ୟକ ଅଟେ ।

ମହର୍ଷି ବାଗଭଟ୍ଟ କୁହନ୍ତି- “ଥଣ୍ଡା ଜଳ ଶରୀର ପକ୍ଷେ ଉପଯୁକ୍ତ ନୁହେଁ । ଅଧିକ ଥଣ୍ଡା କିମ୍ୱା ଅଧିକ ଗରମ ଜଳ ଗ୍ରହଣୀୟ ନୁହେଁ । ଏହାର କାରଣ କ’ଣ ? ଅଧିକ ଥଣ୍ଡା ଜଳ ଅଧିକ ଚାପଯୁକ୍ତ । ଏହା କିପରି ହୋଇଥାଏ ? ଜଳ ଏକ ତରଳ ପଦାର୍ଥ ଅଟେ । ତରଳ ପଦାର୍ଥର ଅଣୁଗୁଡ଼ିକ ମଧ୍ୟରେ ଅହରହ ଆକର୍ଷଣ ବିକର୍ଷଣ ଚାଲିଥାଏ । ଜଳ ଯେତେ ଅଧିକ ଥଣ୍ଡା ହୁଏ, ଏହାର ଅଣୁଗୁଡ଼ିକ ସେତେ ଅଧିକ ବାନ୍ଧି ହୋଇଯାଏ ଅର୍ଥାତ୍ ସଙ୍କୁଚିତ ହୋଇଥାଏ । ଅଧିକ ଥଣ୍ଡା ଅର୍ଥାତ୍ ଚାପଯୁକ୍ତ ଜଳ ଅଟେ । ହଜମ ହେବାକୁ ଅଧିକ ସମୟ ନେଇଥାଏ ।”

କୌଣସି ପଦାର୍ଥର ଉତ୍ତାପ ବଢ଼ିଲେ ଏହାର ଅଣୁଗୁଡ଼ିକ ସମ୍ପ୍ରସାରିତ ହୋଇଥାଏ ଓ ଉତ୍ତାପ କମିଲେ ସଙ୍କୁଚିତ ହୋଇଥାଏ । ସମ୍ପ୍ରସାରିତ ଜଳଅଣୁ କମ୍ ଚାପଯୁକ୍ତ ଓ ସଙ୍କୁଚିତ ଜଳ ଅଣୁ ଅଧିକ ଚାପଯୁକ୍ତ ଅଟେ ।

ମହର୍ଷି ବାଗଭଟ୍ଟ କୁହନ୍ତି- “ଅଧିକ ଗରମ କିମ୍ୱା ଅଧିକ ଥଣ୍ଡା ଜଳ ବାରମ୍ୱାର ପାନ କଲେ ଆମ ଶରୀର ରୋଗଗ୍ରସ୍ଥ ହୋଇଥାଏ । ଆମେ ସର୍ବଦା ଉଷୁମ ଜଳ ଅର୍ଥାତ୍ ଶରୀର ଉତ୍ତାପ ଜଳ ପାନ କରିବା ଉଚିତ୍ ।”

ଅଧିକ ଥଣ୍ଡା ଜଳ କିମ୍ୱା ଅଧିକ ଗରମ ଜଳ ଗ୍ରହଣ କଲେ, ଆମ ଶରୀର ମଧ୍ୟରେ ଏହାର ପ୍ରତିକ୍ରିୟା କ’ଣ ହୋଇଥାଏ ?

ଏହି ଜଳକୁ ଆମ ଶରୀର ଉତ୍ତାପ ମାତ୍ରା ସହ ସମାନ କରିବାକୁ ଆମ ହୃତ୍‌ପିଣ୍ଡ ଓ ମସ୍ତିଷ୍କରୁ ରକ୍ତ କଣିକାଗୁଡ଼ିକ ଆମ ଅନ୍ତନଳୀ ଓ ପାକସ୍ଥଳୀ ନିକଟୁ ଦୌଡ଼ିଥାନ୍ତି । ଏହା ଦ୍ୱାରା ଆମ ମସ୍ତିଷ୍କ ଓ ହୃତ୍‌ପିଣ୍ଡ ଆବଶ୍ୟକ କରୁଥିବା ରକ୍ତର ପରିମାଣ ହ୍ରାସ ପାଇଥାଏ । ଏହି କାର୍ଯ୍ୟ ବାରମ୍ୱାର ହେଲେ ଆମ ମସ୍ତିଷ୍କ ଓ ହୃତ୍‌ପିଣ୍ଡ ଦୁର୍ବଳ ହୋଇପଡ଼େ ଏବଂ ଆମ ଶରୀର ରୋଗର ଗନ୍ତାଘର ପାଲଟିଯାଏ ।

ମହର୍ଷି ବାଗଭଟ୍ଟ କୁହନ୍ତି- “ଜଳକୁ ସର୍ବଦା ଢୋକେ ଢୋକେ ପାନ କରିବ । ଏପରି କଲେ ଆମ ପାଟିର ଲାଳ ସହ ଜଳ ପେଟ ମଧ୍ୟକୁ ଯାଇଥାଏ । ଏପରି ଜଳ ଜଳ ସହଜରେ ହଜମ ହୋଇଥାଏ ଏବଂ ଖାଦ୍ୟକୁ ହଜମ କରାଇବାରେ ମଧ୍ୟ ସହାୟକ ହୋଇଥାଏ ।”

ଆମ ଚଳନୀରେ “ଉଷାପାନ”ର ନିୟମ ମଧ୍ୟ ଅଛି । ମହର୍ଷି ବାଗଭଟ୍ଟ ଜଳ ଉପରେ ଗଭୀର ଅନୁଧ୍ୟାନ କରି ଅନେକ ନିୟମ ଏଥିପାଇଁ ରଚନା କରିଯାଇଛନ୍ତି । କେଉଁ ଅଞ୍ଚଳର ଜଳ କେଉଁ ଗୁଣଯୁକ୍ତ, କେଉଁ ଜଳ ରୋଗ ସୃଷ୍ଟି କରେ ଓ କେଉଁ ଜଳ ରୋଗନାଶରେ ସହାୟକ ଅଟେ ଇତ୍ୟାଦି ଇତ୍ୟାଦି ।

ଅତି ସାଧାରଣ ନିୟମ ସହ ଆପଣଙ୍କୁ ପରିଚିତ କରାଗଲା । ବର୍ତ୍ତମାନ ଏହି ସାଧାରଣ ନିୟମକୁ ପାଳନ କରି ଆପଣ ସୁସ୍ଥ ରୁହନ୍ତୁ ।

ଜଳ ଜନ ଜୀବନ ସୃଷ୍ଟିର ପ୍ରଧାନ କାରଣ ଏବଂ ଧ୍ୱଂସର ମଧ୍ୟ କାରଣ ଅଟେ । ଜଳର ପ୍ରତିଟି ବିନ୍ଦୁକୁ ସଂରକ୍ଷଣ କରିବା, ଜଳକୁ ଜୀବନ ଉପଯୋଗୀ କରିବା, ଆମ ସମସ୍ତଙ୍କର ଦାୟିତ୍ୱ ଅଟେ । ମାଠିଆ, ଢାଳ ଓ ଗଡୁ କେବଳ ଆମ ବିଜ୍ଞାନର ଦାନ ନୁହେଁ । ଆମ ସଂସ୍କୃତିର ପରିବାହକ, ଆମ ସାହିତ୍ୟର ସଂରକ୍ଷକ ଆମ ସଭ୍ୟତାର ଗତି ପ୍ରଦାୟକ ଅଟେ । ଫେରିଆସନ୍ତୁ ଆମର ମାଠିଆ, ଢାଳ ଓ ଗଡୁର ସଂସ୍କୃତି ମଧ୍ୟକୁ ସୁସ୍ଥ ରୁହନ୍ତୁ ଓ ସମୃଦ୍ଧ ହୁଅନ୍ତୁ ।

ଲୋକପ୍ରିୟ ଲେଖା

To Top