ସମ୍ପାଦକୀୟ

ନାରୀ ଶକ୍ତି

BasantiDas

ଯଦି ନାରୀଟିଏ ସଚେତନ ହେବ ତେବେ ତା’ର ସନ୍ତାନ ଯେତେ ଊର୍ଦ୍ଧ୍ଵକୁ ଉଠିଲେ ମଧ୍ୟ ତା’ର ପାଦ ଦୁଇଟି ମାଟିର ଧରାତଳ ଉପରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ରହିବ ଏବଂ ମା’ ମାଟି ଓ ଭାଷାର ସମ୍ମାନ ବଜାୟ ରଖିବାରେ ସହାୟକ ହେବ ।

ନାରୀ ଶକ୍ତି

“ରାମାୟଣ” ସମୟରୁ “ମହାଭାରତ” ସମୟ । ରାମାୟଣ ସମୟରେ ସମାଜରେ ନାରୀର ଯେଉଁ ସ୍ଥିତିଥିଲା ତାହା ମହାଭାରତ ସମୟରେ ଆହୁରି କଦର୍ଯ୍ୟ ହେଇଗଲା । ଧର୍ମରାଜ ଯୁଧିଷ୍ଠିର ନିଜ ପତ୍ନୀ ଦ୍ରୌପଦୀଙ୍କୁ ଦୁତି ଖେଳରେ ବାଜି ଲଗାଇ ଦେଲେ । ନାରୀର ଅସ୍ତିତ୍ୱ ଭୂଲୁଣ୍ଠିତ ହେଇଗଲା । ସେ ହେଉ ପୁରାଣ ଯୁଗ, ଐତିହାସିକ ବା କଳିଯୁଗ । ପୁରାଣ ମାନଙ୍କରେ ତ ଦେବତା ରାକ୍ଷସ ସମସ୍ତେ ଏକାଧିକ ପତ୍ନୀ ଗ୍ରହଣ କରିବାର ପରମ୍ପରା ଥିଲା । ରାକ୍ଷସମାନେ ତ ଯିଏ ଭଲ ଲାଗୁଥିଲା ତାକୁ ଜବରଦସ୍ତ ଆଣି ପତ୍ନୀ ରୂପେ ବା ରକ୍ଷିତା ରୂପେ ରଖୁଥିଲେ । ଐତିହାସିକ ଯୁଗରେ ମଧ୍ୟ ରାଜା ମହାରାଜା ମାନେ ରାଜ୍ୟ ଜୟ କଲେ ସେଇ ରାଜ୍ୟର ରାଜକନ୍ୟାକୁ ମଧ୍ୟ ବିବାହ କରୁଥିଲେ । ଏକାଧିକ ପତ୍ନୀ ରଖିବା ତାଙ୍କ ସଉକ ଥିଲା । ତା’ସହ ଯେଉଁ ଜାଗାକୁ ପାରିଧିରେ ଯାଉଥିଲେ ସେଠାରେ ମଧ୍ୟ ସୁନ୍ଦରୀ ନାରୀ ମାନଙ୍କୁ ନିଜର ମନୋରଞ୍ଜନ ପାଇଁ ରକ୍ଷିତା କରି ରଖୁଥିଲେ । ସେଇ ଅବୈଧସମ୍ପର୍କରୁ ସୃଷ୍ଟି ସନ୍ତାନ ମାନେ ପିତୃ ପରିଚୟରୁ ବଞ୍ଚିତ ହୋଇ “ଜାରଜ”ର ପରିଚୟ ନେଇ ସମାଜରେ ଅତି ଦୟନୀୟ ଏବଂ ସାମାଜିକ ସମ୍ମାନହୀନ ଜୀବନଯାପନ କରୁଥିଲେ ।

ଜଣେ କ୍ଷମତାଶାଳୀ ବ୍ୟକ୍ତିର ମନୋରଞ୍ଜନରୁ ସୃଷ୍ଟି ଏଇ ସନ୍ତାନଟି ଉପହସିତ ଜୀବନ ବିତାଉଥିଲା ଏବଂ ବାଧ୍ୟ ହୋଇ ଅନ୍ୟ ଭୁଲ୍‌ର ଦଣ୍ଡ ଭୋଗୁଥିଲା । ଅନେକ ସ୍ଥାନରେ ଏଇ ସନ୍ତାନମାନେ ସମାଜରେ ଉପହସିତ ହେଲାପରେ ବଞ୍ଚିବାର ଉପଯୁକ୍ତ ପରିବେଶ ଅଭାବରୁ ଅପରାଧ କରିବାକୁ ବାଧ୍ୟ ହେଉଥିଲେ ଏବଂ ଦରକାର ପଡ଼ିଲେ ତାଙ୍କ ସୃଷ୍ଟିର ସେଇ ଅମଣିଷଟିର ସନ୍ଧାନ ପାଇଲେ ତାକୁ ଏବଂ ତା’ର ଥିବା ପିଲାମାନଙ୍କୁ ହଇରାଣ ହରକତ କରିବାକୁ ପଛୋଉ ନ ଥିଲେ । ଏହା ତାଙ୍କର ଦୋଷ କଦାପି ନୁହେଁ ।

କିନ୍ତୁ ନାରୀ ଯୁଗେ ଯୁଗେ ଧରିତ୍ରୀ ପରି ସବୁ ସହିଛି । ପୁରୁଷ ସମାଜକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ, ନାରୀ ସର୍ବଦା ତାକୁ ରକ୍ଷା କରିବାକୁ ଚେଷ୍ଟା କରିଛି । କେଉଁଠି ନାରୀ ବିନାଶର କାରଣ ହୋଇନି ବରଂ ସବୁ ବିନାଶର କାରଣ ପୁରୁଷ ହୋଇଛି । ନାରୀର ଦେହ ପାଇଁ କ୍ଷମତା ପାଇଁ ଧନ ପାଇଁ ସର୍ବଦା ପୁରୁଷ ଭୁଲ୍ ବାଟରେ ଯାଇ ଅଧର୍ମ ଆଚରଣ କରି ରାକ୍ଷସ ପାଲଟିଛି । ଆଉ ନାରୀ ତାକୁ ଠିକ୍ ବାଟକୁ ଆଣିବାକୁ ନିଜକୁ ତିଳ ତିଳ ଦଗ୍ଧ କରିଛି । ମା’ ହେଉ ପତ୍ନୀ ହେଉ ଭଗ୍ନୀ ହେଉ ବା କନ୍ୟା ହେଉ, ଗୃହର ପୁରୁଷ ବିପଥଗାମୀ ହେଲେ ଏମାନେ ସର୍ବଦା ବିରୋଧ କରନ୍ତି ଏବଂ ସେହି ବ୍ୟକ୍ତି ଦ୍ୱାରା ନିର୍ଯ୍ୟାତିତ ମଧ୍ୟ ହୁଅନ୍ତି ଏକଥା କାହାକୁ ଅଜଣା ନାହିଁ । ନାରୀଟିଏ ତ ସର୍ବଦା ନିଜେ ନ ଖାଇ ଅନ୍ୟ ମାନଙ୍କୁ ଖୁଆଏ । ନିଜେ ଅସୁବିଧାରେ ରହି ଅନ୍ୟମାନଙ୍କ ପାଇଁ ସୁବିଧା ତିଆରି କରେ । ସେ ନାରୀ ସ୍ନେହମୟୀ, ମମତାମୟୀ, କଲ୍ୟାଣକାରୀ, ପାଳନକାରୀ, ଯାହାର ଅମୃତମୟ ସ୍ପର୍ଶରେ ଶୁଷ୍କତରୁ ମଧ୍ୟ ପଲ୍ଲବୀତ ହୋଇ ଉଠେ । ତା’ର କର ସ୍ପର୍ଶରେ ମୂମୂର୍ଷୁ ଜୀବନ ଲାଭ କରେ । ନାରୀଟିଏ ତା’ର ସନ୍ତାନକୁ ୧୦ ମାସ ଗର୍ଭରେ ପାଳନ କରେ । ପ୍ରସବ ସମୟରେ ଜୀବନ ସହ ସଂଗ୍ରାମ କରି ସେ ତା’ର ସନ୍ତାନକୁ ଜନ୍ମ ଦିଏ । ସନ୍ତାନର ଜନ୍ମ ସହ ମା’ଟିର ମଧ୍ୟ ପୁନର୍ଜନ୍ମ ଲାଭ ହେଇଥାଏ । ପୁଣି ପିଲାଟିର ଲାଳନପାଳନରେ ସେ ନିଜକୁ ଭୁଲିଯାଏ ସବୁବେଳେ । ସେବା ଯତ୍ନରେ ପିଲାଟି ବଡ଼ ହୋଇଗଲେ ବୁଝିପାରେନି ମା’ର ତ୍ୟାଗ ଓ ସେବାର ପରାକାଷ୍ଠାକୁ । ନାରୀ ସର୍ବଦା ତା’ ସୃଷ୍ଟିରେ ନିମଗ୍ନ ଥାଏ, ସେ ହେଉ ସନ୍ତାନ ସୃଷ୍ଟି, ପରିବାରର ଯତ୍ନ, ସମାଜର ମଙ୍ଗଳ କାମନା ବା ରାଜନୀତି । ସବୁ କ୍ଷେତ୍ରରେ ଯୁଗେ ଯୁଗେ ନାରୀ ତା’ର ପରାକାଷ୍ଠା ଦେଖାଇ ସମାଜକୁ ପୁରୁଷକୁ ସୁରକ୍ଷା ଦେଇଥିବାବେଳେ, କଥା କଥାରେ ପୁରୁଷ କହେ ନାରୀର ସୁରକ୍ଷା କରେ ପୁରୁଷ, ମାତ୍ର ନାରୀର ଧ୍ୱଂସର କାରଣ ହିଁ ପୁରୁଷ ପାଲଟି ଥାଏ ସବୁକ୍ଷେତ୍ରରେ । ନାରୀ ନିର୍ଯାତନା, ନାରୀ ଧର୍ଷଣ, ନାରୀହତ୍ୟା ସବୁ ତ ପୁରୁଷ କରେ, ତେବେ ସେ ସୁରକ୍ଷା ଦିଏ କିପରି ?

ଆଜି ନାରୀ ତଥାପି ନିଜର ସମ୍ମାନ ଓ ସୁରକ୍ଷାସହ ସମାଜ ଆଉ ସଂସାରର ସୁରକ୍ଷାପାଇଁ ସଦା ତତ୍ପର । ଯେ କୌଣସି କ୍ଷେତ୍ରରେ ଆଜି ନାରୀ ଅଗ୍ରଣୀ ଭୂମିକା ସୂଚାରୁ ରୂପେ ତୁଲାଇ ତା’ର ତ୍ୟାଗର ମହାନତା ପ୍ରଦର୍ଶନ କରୁଛି । ସେମିତି ସାହିତ୍ୟରେ ମଧ୍ୟ । ସାହିତ୍ୟ ଆମ ସମାଜର, ସଂସ୍କୃତିର ମାନଦଣ୍ଡ । ସମାଜର ଦର୍ପଣ ପ୍ରତିଫଳିତ ହୁଏ ସାହିତ୍ୟରେ । ସେଇ ସାହିତ୍ୟରେ ନାରୀ ଏବେ ସୁଦୂରପ୍ରସାରୀ ପ୍ରଚେଷ୍ଟାରେ ଅବିରତ କାର୍ଯ୍ୟରତ । ଲେଖିବାସହ ଅନେକ ପତ୍ରପତ୍ରିକାର ସମ୍ପାଦନା, ପ୍ରକାଶନ, ସାହିତ୍ୟର ପ୍ରଚାର ପ୍ରସାର ଓ ଭାଷା ସୁରକ୍ଷା ଦିଗରେ ନାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜି ଅନେକ ସାହିତ୍ୟ ପତ୍ରିକା କେବଳ ନାରୀମାନଙ୍କ ତତ୍ତ୍ୱାବଧାନରେ ପ୍ରକାଶ ପାଉଛି । ନାରୀଟିଏ ତା’ର ପତ୍ରିକାକୁ ନିଜର ସନ୍ତାନ ପରି ଲାଳନ ପାଳନ କରି ସମାଜରେ ତା’ର ଏକ ପରିଚୟ ସୃଷ୍ଟି କରାଉଛି । କୌଣସି ସ୍ଥିତିରେ ମଧ୍ୟ ପତ୍ରିକା ପ୍ରକାଶନ ଓ ଲେଖନ କାର୍ଯ୍ୟରେ, ସମାବେଶ ଆୟୋଜନରେ ପଛରେ ନାହିଁ । କେତେକ ସ୍ଥାନରେ ସେ ବିରୋଧର ଶିକାର ହେଉଛି । କେଉଁଠି ନାରୀ ନିଜର ଆର୍ଥିକ ମାନଦଣ୍ଡରେ ଘରର ପୁରୁଷ ଉପରେ ନିର୍ଭରଶୀଳ, ତଥାପି ସେ ସର୍ବଦା ସାହିତ୍ୟ ଓ ଭାଷାର ସୁରକ୍ଷା ପାଇଁ ଯେନତେନ ପ୍ରକାର ପତ୍ରିକା ପ୍ରକାଶନ ଓ ଲେଖକ ସମାବେଶର ଆୟୋଜନରେ ପଛରେ ନାହିଁ । ଅଧିକାଂଶ ସ୍ଥାନରେ ନିଜର ସ୍ୱାମୀ ପୁତ୍ର ପିତା ବା ପରିବାରର ସଦସ୍ୟମାନେ ସହଯୋଗର ହାତ ବଢୋଉଥିବା ବେଳେ କେତେକ ଜାଗାରେ ସେ ବିରୋଧର ଶୀକାର ହେଉଛି । ତଥାପି ତା’ ଉଦ୍ୟମ ସେ ଜାରି ରଖି ସଫଳ ମଧ୍ୟ ହେଉଛି । ବର୍ତ୍ତମାନ ଭାଷା ସୁରକ୍ଷାର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ନାରୀ ହିଁ ପ୍ରମୁଖ ଭୂମିକା ନେଇପାରିବ । ଯେଉଁଠାରେ ପିଲାଙ୍କୁ ଛୋଟବେଳୁ ନିଜ ମାତୃଭାଷାରେ ଶିକ୍ଷା ନ ଦିଆଯାଇ ଅନ୍ୟ ଭାଷାରେ ଦିଆଯାଉଛି ସେଠାରେ ମା’ଟିଏ ତା’ର ସନ୍ତାନଙ୍କୁ ନିଜ ଭାଷା ଶିଖିବାରେ ସହଯୋଗ ଏବଂ ତତ୍ପରତା ପ୍ରକାଶ କରିବା ଉଚିତ୍ । ଯଦି ମା’ଟିଏ ଚାହିଁବ ଆମର ପିଲାମାନେ ଅନ୍ୟ ଭାଷାରେ ପାଠ ପଢ଼ିଲେ ମଧ୍ୟ ପ୍ରଥମେ ନିଜର ମାତୃଭାଷାକୁ ପଢ଼ିବା ଲେଖିବା ଏବଂ କହିବାରେ ପାରଦର୍ଶୀ ହୋଇ ପାରିବେ । ମା’ଟିଏ ହିଁ ପିଲାକୁ ବୁଝାଇ ଦେଇପାରିବ ଯେ “ସ୍ୱ” ଭାଷାରୁ ସ୍ୱାଧୀନତା ଓ “ପର” ଭାଷାରୁ ପରାଧୀନତା ଆସିଥାଏ । “ସ୍ୱ” ଭାଷାରୁ ସ୍ୱଚିନ୍ତନ ଜନ୍ମ ନିଏ । “ପର” ଭାଷାରୁ କିମ୍ୱ୍ରତକିମ୍ୱାକାର ଚିନ୍ତନର ଜନ୍ମ । ଏକଥା ପ୍ରତ୍ୟେକ ନାରୀ କରିପାରିବେ ।

ଯଦି ନାରୀଟିଏ ସଚେତନ ହେବ ତେବେ ତା’ର ସନ୍ତାନ ଯେତେ ଊର୍ଦ୍ଧ୍ଵକୁ ଉଠିଲେ ମଧ୍ୟ ତା’ର ପାଦ ଦୁଇଟି ମାଟିର ଧରାତଳ ଉପରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ରହିବ ଏବଂ ମା’ ମାଟି ଓ ଭାଷାର ସମ୍ମାନ ବଜାୟ ରଖିବାରେ ସହାୟକ ହେବ ।

“ଜୟ ଜଗନ୍ନାଥ”

“ବନ୍ଦେ ଉତ୍କଳ ଜନନୀ”

ଲୋକପ୍ରିୟ ଲେଖା

To Top