ସମ୍ପାଦକୀୟ

ଓଡ଼ିଆ ଭାଷା

Odia Author Biraja Routray

ଓଡ଼ିଆ ଭାଷା ଅଧିନିୟମରେ ସରକାରୀ କାର୍ଯ୍ୟଧାରା ଚାଲିଥିବା ବ୍ୟବସ୍ଥା ସତ୍ତ୍ୱେ ଉକ୍ତ ନିୟମକୁ କଡ଼ାକଡ଼ି କରା ଯାଇନଥିବାରୁ ବା ନିୟମ ଉଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନର ପ୍ରାବଧାନ ନ ଥିବାରୁ ଏହି ଆଇନକୁ ଖୋଲାଖୋଲି ଅବମାନନା କରାଯାଉଛି ।

ଓଡ଼ିଆ ଭାଷା

ଏକବିଂଶ ଶତାବ୍ଦୀର ପୃଥିବୀ ହେଉଛି ଜଗତ କରଣର ପୃଥିବୀ । ଏହି ଜଗତକରଣ କେବଳ ଉଦାରବାଦୀ ମୁକ୍ତ ଅର୍ଥନୀତି ଉପରେ ପର୍ଯ୍ୟବେଶିତ ବୋଲି ଭାବି ବସିଲେ ଭୁଲ ହେବ । ବରଂ ଭାଷା ସାହିତ୍ୟ,ଜ୍ଞାନ,ପ୍ରଯୁକ୍ତିବିଦ୍ୟା ସଂସ୍କୃତି ପରି ଏକାଧିକ କ୍ଷେତ୍ର ଭୌଗଳିକ ନିର୍ବିଶେଷରେ ସମ୍ବଳିତ ହେବା ମଧ୍ୟ ଏହାର ଏକ ପ୍ରମୁଖ ଅଂଶ ବିଶେଷ , ଏବଂ ଯାହାର ଆଧାର ହେଉଛି ଉତ୍କର୍ଷତା । ଅର୍ଥାତ ଏହି ଦ୍ରୁତ ପ୍ରଗତିଶୀଳ ବିଶ୍ୱରେ ଯେଉଁ ସବୁ ବିଭବ ଗୁଡିକ ନିଜକୁ ଯୁଗପଯୋଗି ଓ ଉତ୍କୃଷ୍ଟ ବୋଲି ପ୍ରତି ପାଦିତ କରି ପାରିବେ କେବଳ ସେହି ବିଭବ ଗୁଡିକ ହିଁ ତିଷ୍ଟି ରହି ପାରିବେ । ଅନ୍ୟଥା ସମୟର ପ୍ରବାହମାନ ସ୍ରୋତରେ ବିଲୀନ ହୋଇ ଯିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନ ପାରେ ।

ଆମେ ଯଦି ଓଡ଼ିଆ ଭାଷା କ୍ଷେତ୍ର ରେ ଏକବିଂଶ ଶତାବ୍ଦୀର ଏହି ଆହ୍ୱାନକୁ ପରଖି ବସିବା ତେବେ ଉଣା ଅଧିକ ଆମକୁ ହତୋତ୍ସାହିତ ହେବାକୁ ପଡ଼ିବ । ଚାରି କୋଟିରୁ ଉର୍ଦ୍ଧ୍ୱ ଓଡ଼ିଆ ଭାଷା ଭାଷୀଙ୍କ ଭାଷା ହୋଇ ମଧ୍ୟ ଯେଉଁ ପ୍ରଶସ୍ତତା ଓ ପ୍ରୟୋଗଶୀଳତାର ଅଧିକାରୀ ହେବା କଥା ଅଦ୍ୟାବଧି ତାହା ସମ୍ଭବ ହୋଇ ପାରି ନାହିଁ । ଏପରି ଦେଖିବାକୁ ଗଲେ ପୃଥିବୀର ବିଭିନ୍ନ ଭାଷା ବ୍ୟବହାରକାରୀ ମାନଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଆ ଭାଷାର ସ୍ଥାନ ଯଥେଷ୍ଟ ଉଚ୍ଚରେ । ଭାରତ ବର୍ଷର ହିନ୍ଦୀ, ଦକ୍ଷିଣ ଭାରତୀୟ ଭାଷା ସମୂହ ଓ ବଙ୍ଗଳା ଭାଷା ପରେ ଓଡ଼ିଆ ଭାଷାର ସ୍ଥାନ । ପୁଣି ଆମର ଏହି ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା ପରେ ନିଜର ପ୍ରାଚୀନତା ଓ ବିପୁଳତାକୁ ସର୍ବ ଭାରତୀୟ ସ୍ତରରେ ପ୍ରମାଣିତ ଏବଂ ପ୍ରତିଷ୍ଠିତ କରିପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଃ -ସନ୍ଦେହରେ ଏହାଦ୍ୱାରା ଓଡ଼ିଆ ଭାଷାର ଆତ୍ମ ପ୍ରତିଷ୍ଠା ଓ ଆତ୍ମ ମର୍ଯ୍ୟାଦା ବୃଦ୍ଧି ପାଇଛି । ମାତ୍ର ବିଡ଼ମ୍ବନାର ବିଷୟ ଏହି ଭାଷା ଶାସ୍ତ୍ରୀୟ ମାନ୍ୟତା ହାସଲ କରିବାର ଉତ୍କର୍ଷତା ସତ୍ତ୍ୱେ ବାସ୍ତବ କ୍ଷେତ୍ରରେ ଅବହେଳିତ ଓ ଅନାଦୃତ ଓ ଏକ ସମୃଦ୍ଧଶାଳୀ ଐତିହ ସମ୍ପନ୍ନ ଭାଷା ରୂପରେ ଏହା ଯେପରି ପରିପୁଷ୍ଟ ହେବାକଥା , ଯେପରି ଆଧୁନିକ ସମ୍ପନ୍ନ ହୋଇ ବହୁ-ପ୍ରସୁ ହେବାକଥା ସେପରି ଆଶାନୁରୂପକ ହୋଇ ପାରି ନାହିଁ । ଆମେ ଯଦି ବିଶ୍ୱ ସ୍ତରର ଅନ୍ୟାନ୍ୟ ସମୃଦ୍ଧ ଭାଷା ଗୁଡ଼ିକ ସହ ଆମ ଓଡ଼ିଆ ଭାଷାକୁ ତୁଳନା କରିବସିବା ତେବେ ଏହି ନିର୍ଣ୍ଣୟରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ । ଏହା ପ୍ରମାଣିତ ଯେ ଯେଉଁ ଭାଷା ଶିକ୍ଷା , ଶାସନ, ସଂଚାର ଓ ପ୍ରଯୁକ୍ତି ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ଚଳନକ୍ଷମ ଓ ବ୍ୟବାହାର ଉପଯୋଗୀ ସେହି ଭାଷା ସେତିକି ଜୀବନକ୍ଷମ ଓ ଆଧୁନିକ । ଉପରୋକ୍ତ ପ୍ରୟୋଗଶୀଳତା ଦୃଷ୍ଟିରୁ ଯଦି ଓଡ଼ିଆ ଭାଷାର ପ୍ରାଣ ପ୍ରବାହ ଓ ଅସ୍ତିତ୍ୱକୁ ଆମେ ଖୋଜି ବସିବା ତେବେ ଏସବୁ କ୍ଷେତ୍ରରେ ଓଡ଼ିଆ ଭାଷାର ନୈରାଶ୍ୟ ଜନକ ସ୍ଥିତିକୁ ହିଁ କେବଳ ଚାକ୍ଷୁପ କରି ପାରିବା । କେବଳ ସରକାରୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଦାନର ଭାଷା ହେବାର ସୌଭାଗ୍ୟ ପ୍ରାପ୍ତି ବ୍ୟତିତ ଆମର ଏହି ଭାଷା କଥିତ ଭାଷାର ବାହକ ହେବାଛଡ଼ା ଅଧିକ ଦୂର ଅଗ୍ରସର ହୋଇ ପାରି ନାହିଁ । ସୌଭାଗ୍ୟକୁ ଏହି ଭାଷା କମ୍ପ୍ୟୁଟରକ୍ଷମ ହୋଇ ପାରିଛି ମାତ୍ର ପ୍ରୋସେସିଂ ଓ ପ୍ରୋଗ୍ରାମିଂ ପରି କ୍ଷେତ୍ରରେ ଏହାର ବ୍ୟବହାର ଖୁବ ସୀମିତ । କେବଳ ଡି .ଟି.ପି. ପରି ବ୍ୟବହୃତ ହେବା ଛଡ଼ା ଅଧିକ ପ୍ରାୟୋଗିକତାର ଅବକାଶ ଅବା ଉଦଯୋଗ ଏ ପର୍ଯ୍ୟନ୍ତ ସୁ ବ୍ୟବସ୍ଥିତ ଭାବେ ଆରମ୍ଭ ହୋଇନାହିଁ । ସୁଖର କଥା, ଓଡ଼ିଆ ଭାଷାର ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ବ୍ୟାପକ ପରିପ୍ରସାର ହେତୁ ଏହି ଭାଷା ଜନମାନସର ଭାଷା ହେବାରେ ଏକ ପ୍ରକାର ସଫଳ ହୋଇ ପାରିଛି । ପ୍ରକାରନ୍ତରେ କହିଲେ ଏକବିଂଶ ଶତାବ୍ଦୀର ଦ୍ରୁତ ବିବର୍ତ୍ତିତ ପୃଷ୍ଟପଟରେ ଓଡ଼ିଆ ଗଣମାଧ୍ୟମ ହିଁ ଓଡ଼ିଆ ଭାଷାକୁ ଏକ ପ୍ରକାର ଜନାଦୃତ କରାଇବାରେ ଆଶା ସଂଚାର କରିପାରିଛି । ଅନ୍ୟଥା ଶିକ୍ଷା-ଶାସନ-ସଂଚାର ଓ ପ୍ରଯୁକ୍ତି ପରି କ୍ଷେତ୍ରରେ ଏହି ଭାଷାର ଗୌଣସ୍ଥିତି ଘୋର ନିରାଶା ସୃଷ୍ଟି କରିଥାଏ । ଓଡ଼ିଆ ଭାଷା ଅଧିନିୟମ ପ୍ରଣୟନ ସତ୍ତ୍ୱେ ଏହି ଭାଷା ସମ୍ପୂର୍ଣ୍ଣ ଭାବରେ ପ୍ରଶାସନର ମାଧ୍ୟମ ହୋଇ ପାରି ନାହିଁ । ଏବେ ମଧ୍ୟ ତୃଣମୂଳ ସ୍ତରରେ ବ୍ଲକ ଓ ତହସିଲ ପ୍ରଭୃତି ଅଫିସ ମାନଙ୍କରେ ଇଂରାଜୀ ଭାଷାରେ ଫାଇଲପତ୍ର ଓ ଅନ୍ୟାନ୍ୟ କାର୍ଯ୍ୟ ଚାଲୁଅଛି । ଓଡ଼ିଆ ଭାଷା ଅଧିନିୟମରେ ସରକାରୀ କାର୍ଯ୍ୟଧାରା ଚାଲିଥିବା ବ୍ୟବସ୍ଥା ସତ୍ତ୍ୱେ ଉକ୍ତ ନିୟମକୁ କଡ଼ାକଡ଼ି କରା ଯାଇନଥିବାରୁ ବା ନିୟମ ଉଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନର ପ୍ରାବଧାନ ନ ଥିବାରୁ ଏହି ଆଇନକୁ ଖୋଲାଖୋଲି ଅବମାନନା କରାଯାଉଛି । ସଚେତନ ଭାଷା ଆନ୍ଦୋଳନକାରୀ ମାନେ ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରଣୟନ କରିବା ନିମନ୍ତେ ଅଦ୍ୟାବଧି ହାତରେ କଳା ପତକା ଧରି ପ୍ରତିବାଦ କରିଚାଲିଥିବା ସତ୍ୱେ ସରକାରଙ୍କ ତରଫରୁ ଏଥିପ୍ରତି କୌଣସି କର୍ଣ୍ଣପାତ ସୁଦ୍ଧା କରାଯାଉନାହିଁ । ଏହି ପରିପେକ୍ଷୀରେ ଓଡ଼ିଆ ଭାଷାର ଭବିଷ୍ୟତକୁ ନେଇ ଆମେ କେତେ ଅବା ଆଶାବାଦୀ ହୋଇପାରିବା ?

ଏଣେ ସମୟର ଆହ୍ୱାନ ଦୃଷ୍ଟିରୁ ଓଡ଼ିଆ ଭାଷାକୁ ଆଧୁନିକ ଟେକ୍ନୋଲୋଜିର ଅନୁକୂଳ କରାଇବା ସହିତ ଏହି ଭାଷାର ଗ୍ରହଣଶୀଳତାକୁ ବଢ଼ାଇବାକୁ ପଡ଼ିବ । ଓଡ଼ିଆ ଭାଷା ଯଦି ନୂଆ ସମୟର ଟେକ୍ନୋଲୋଜୀର ଭାଷା ହୋଇ ନ ପାରିଲା ତେବେ ଏହି ଭାଷାର ଭବିଷ୍ୟତ ନିଶ୍ଚିତ ରୂପେ ଅନ୍ଧକାର । ଏହି ସବୁ ଆହ୍ୱାନକୁ ଏବେ ଏବଂ ଆଗକୁ ଓଡ଼ିଆ ଭାଷା କିପରି ସମ୍ମୁଖୀନ ହେଉଛି ତାହା ନିର୍ଭର କରେ ଶହ ଶହ ବର୍ଷର ପ୍ରାଚୀନ ଏହି ଭାଷାର ପ୍ରାଣଶକ୍ତି ଉପରେ ।

ଲୋକପ୍ରିୟ ଲେଖା

To Top