ସମ୍ପାଦକୀୟ

ସାହିତ୍ୟ ଓ ଜୀବନ

Odia Author Dr. Nilamadhab Kar

ଭାଷା ଓ ସାହିତ୍ୟକୁ ବଞ୍ଚେଇରଖିଲେ ହିଁ ଜାତି ଆଉ ସମାଜର ସଂଜ୍ଞା ଜୀବିତ ରହିବ । ଭାଷା, ସାହିତ୍ୟ ହଜିଗଲେ ଜାତିର ଗର୍ବ ଗୌରବ ଲୁଚିଯିବ । ଏଥିପାଇଁ ସମସ୍ତେ ଜାଗରୁକ ହେବା ଦରକାର ।

ସାହିତ୍ୟ ଓ ଜୀବନ

ସାହିତ୍ୟର ଊର୍ଜା ଜୀବନ । ଜୀବନର କୋଣ ଅନୁକୋଣରୁ, ଭାବ ଅଭାବରୁ, ଢଙ୍ଗ ବେଢ଼ଙ୍ଗରୁ ଉପାଦାନ ଖୋଜି ଗଢ଼ାହୁଏ ସାହିତ୍ୟ । ଜୀବନର ଛାପ ଉଙ୍କିମାରୁଥାଏ ସାହିତ୍ୟରେ । ସେମିତି, ଜୀବନ ରୁଦ୍ଧିମନ୍ତ ହୁଏ ସାହିତ୍ୟରେ । … …

ଜୀବନକୁ ପ୍ରଭାବିତ କରେ ସାହିତ୍ୟ ନାନା ଭାବରେ । ସାହିତ୍ୟ ମନକୁ ଛୁଏଁ, ଦୋହଲାଏ ହୃଦ । ନିରସ, ନିରାନନ୍ଦ, ନିସ୍ତରଂଗ ଜୀବନରେ ଛନ୍ଦ ତୋଳେ, ରଙ୍ଗ ବୋଳେ । ଅବା, ସ୍ଥିରତା ଆଣେ ଦ୍ଵନ୍ଦରେ, ଘୁର୍ଣୀରେ, ଆନ୍ଦୋଳନରେ; – ମନକୁ ଶାନ୍ତ କରେ । ବେଳେ ବେଳେ, ଧିରେ ହେଉ ବା ଅକସ୍ମାତ, ସାହିତ୍ୟ ବଦଳାଏ, ବଦଳେଇପାରେ ଚରିତ୍ର ।

ବିଭିନ୍ନ ରୁପରେ ଉଭା ହୁଏ ସାହିତ୍ୟ ଆମ ଆଗରେ । ବହୁରୂପୀଟିଏ ପରି । ମା ଓଠର ଲୋରୀ କି ମନେ ପଡୁନଥିବା ପଦର ଧାଡି, ଗୀତ କବିତା, ଗପ ବା ପ୍ରବନ୍ଧ, ଉପନ୍ୟାସ, ବୁଢୀମାଙ୍କ କାହାଣୀଠୁ ସାରଗର୍ଭକ ଗ୍ରନ୍ଥସବୁ ପର୍ଯନ୍ତ ସାହିତ୍ୟର ଆଭା ବାରିହୁଏ । ଜୀବନକୁ ଜଡେଇ ଛିଡ଼ା ହେଇଥାଏ ସାହିତ୍ୟ, ପ୍ରତ୍ୟକ୍ଷ ଅବା ଅପ୍ରତ୍ୟକ୍ଷ ।

ସାହିତ୍ୟ ଯୋଡେ ନୂତନ ସହ ପୁରାତନକୁ, ଯୁଗ ସହ ଯୁଗକୁ, ସମାଜ ସହ ସମାଜକୁ – ହୃଦୟ ଓ ମନସବୁକୁ । ସାହିତ୍ୟ ନେଇପାରେ, ଦେଇପାରେ ଜୀବନ । ବେଳେବେଳେ ଦିପଦ କବିତା ଜୀବନକୁ ଫେରି ଚାହିଁବାକୁ, ପୁଣିଥରେ ଜିଇଁବାକୁ ଖୋରାକ ଯୋଗାଏ । ଲଢିବାକୁ, ଯୁଦ୍ଧକୁ ଯିବାକୁ କେବେ ମତାଏ, ତ କେବେ ଦେଶ ଜାତି ପ୍ରେମରେ ଉବୁଟୁବୁ କରାଏ ।

ସାହିତ୍ୟ ସମାଜର ମୁଲ୍ୟବୋଧକୁ ଗଢିଛି, ଦିଗ ଦେଖେଇଛି । ଯୁଦ୍ଧ ହେଉ ବା ଜୀବନ, ଜିତିବା ପାଇଁ, ହାରି ନ ଯିବା ପାଇଁ ପ୍ରେରଣା ଯୋଗେଇଛି । ବେଳେବେଳେ ଧାଡିଏ କବିତା ବା ପଦଟେ ଜିଇଁବାକୁ, ଜିଇଁରହିବାକୁ, ଏପରିକି ଜୀବନ ନ ହାରିବାକୁ ଆଶ୍ରାଟିଏ ହେଇଛି; ତ କେତେବେଳେ ଜୀବ ଗଲାବେଳେ – ଆଶ୍ୱାସନା, ସାନ୍ତ୍ଵନାର ମନ୍ତ୍ରଟିଏ ହେଇଛି ସାହିତ୍ୟ ।

ସାହିତ୍ୟ ସମସ୍ତଙ୍କର । ସମସ୍ତଙ୍କ ପାଇଁ ଲୋଡା । ସାହିତ୍ୟ ଖାଲି ଲେଖକ ବା ପାଠକ ମାନଙ୍କ ମଧ୍ୟରେ ସୀମିତ ନୁହେ । ଏମିତିକି ସାହିତ୍ୟ ଖାଲି ଦେଶ, ଯୁଗ ବା କେଉଁ ଏକ ଭାଷା ଭିତରେ ଆବଦ୍ଧ ନୁହେଁ । ଏହା ସମସ୍ତଙ୍କର, ମାନବ ସମାଜର ।

ଭାଷା ଓ ସାହିତ୍ୟକୁ ବଞ୍ଚେଇରଖିଲେ ହିଁ ଜାତି ଆଉ ସମାଜର ସଂଜ୍ଞା ଜୀବିତ ରହିବ । ଭାଷା, ସାହିତ୍ୟ ହଜିଗଲେ ଜାତିର ଗର୍ବ ଗୌରବ ଲୁଚିଯିବ । ଏଥିପାଇଁ ସମସ୍ତେ ଜାଗରୁକ ହେବା ଦରକାର । ତେବେ ଏ ବ୍ୟସ୍ତ ଜୀବନରେ ସାହିତ୍ୟ ପାଇଁ ସମୟ ଖୋଜିବାକୁ ପଡେ, ଅନେକଙ୍କୁ । ଏ ହୁଏତ ଜଣାପଡେ ନାହିଁ କି ସାହିତ୍ୟ ଜଡ଼େଇ ହେଇ ରହିଛି ଆମ ଚାରିଆଡେ – ତାକୁ ଖାଲି ଚିହ୍ନି, ନିତିଦିନିଆ ଜୀବନରେ ସାମିଲ୍ କରିବା କଥା, ଅନୁଭବ କରିବା କଥା, ଉପଯୋଗ କରିବା କଥା । ସାହିତ୍ୟର ଆଦର ଓ ଉତ୍ସାହରେ ଜୀବନରେ ଆଉଟିକେ ନିରୋଳା ଆନନ୍ଦ ଭରିଯିବ – ଏଥିରେ ସନ୍ଦେହ ନାହିଁ ।

ଏମିତି ଲେଖାଟେ ଅଛି କି – ଯାହାକୁ ବାରମ୍ବାର ପଢିବାକୁ ଇଚ୍ଛା ହୁଏ – ବା ଥରେ ପଢ଼ିସାରିବା ପରେ ଲାଗେ ଟିକେ ବଦଳି ଯାଇଛି ଯେମିତି ଜୀବନ, ବା ନିଜ ଭିତରର ମଣିଷ । ପଢିଲା ବେଳେ ହଜିଯାଇଛି ସମୟ । ଏମିତି ଲେଖାଟେ ଅଛି କି – ପ୍ରିୟ ଗପ କି କବିତା, ଧାଡିଏ କି ପଦଟେ, ଏମିତିକି ଶବ୍ଦଟେ ଅଛି କି ଯାହା ସଙ୍ଗେ ଭାବରେ ବନ୍ଧା ପଡିଯାଇଛି ଜୀବନ । ଖୋଜନ୍ତୁ, ଚିହ୍ନନ୍ତୁ ସେ ଲେଖାଟିକୁ ।

ଆପଣଙ୍କର ପ୍ରିୟ ଗୀତ କବିତା, ଗପ, ଉପନ୍ୟାସ, ନିବନ୍ଧ ବା ଅନ୍ୟ ଲେଖା ସବୁକୁ ଜାବୋଡି ରଖନ୍ତୁ, ଅନ୍ୟମାନଙ୍କୁ ପରଷନ୍ତୁ, ବାଣ୍ଟନ୍ତୁ । ଏସବୁ ଆପଣଙ୍କ ସଂଜ୍ଞାର ଏକ ଫଳକ ।

ଲୋକପ୍ରିୟ ଲେଖା

To Top