କବିତା

Annapurna Mohanty

ଥରେ ଶୁଣିବି ବୋଲି
ଚାହିଁଛି ତମଠୁଁ
ଆଜିକାଲି ଦେଖା ହୁଏନା
ତମେ ଇଚ୍ଛା ନ କଲାଯାଏ
ସ୍ୱପ୍ନରେ ବି !

ବେଶୀ ନୁହଁ

ମୋତେ
ଅସ୍ଥିର କରୁଚି
ତମ ନୀରବତା
ଦୂରସ୍ଥାନ, ଅଜଣା ଠିକଣା
ଅଚିହ୍ନା ଗହଳିରେ
କେଉଁଠି ବୁଲୁଥିବ ଏକା ଏକା ?

ଥରେ ଶୁଣିବି ବୋଲି
ଚାହିଁଛି ତମଠୁଁ
ଆଜିକାଲି ଦେଖା ହୁଏନା
ତମେ ଇଚ୍ଛା ନ କଲାଯାଏ
ସ୍ୱପ୍ନରେ ବି !

ଇଚ୍ଛାକୁ ସମ୍ମାନ ଦେଇ
ଛନ୍ଦି ହୋଇଚି ଚିନ୍ତାରେ
ଭାରି କଷ୍ଟ ଲାଗେ
ମୁଁ ବନ୍ଦୀ ଯେଣୁ ଏଠି
ମୋ ଇଚ୍ଛା ବିରୋଧରେ ?

ଖାଲି ଖାଲି ଲାଗୁଛି
ଆଖ ପାଖ, ଖରାବେଳ ଭଳି
ଯେତେ ଥିଲା ହସ ଖୁସୀ
ଭିତରେ ବାହାରେ
ସବୁଥିରେ ଶୂନ୍ୟତା ଭରିଛି ।

ଫେରିବା କଥା ଶୁଣିଲେ
ଗୋଳମାଳ ହୋଇଯାଏ
ଜଳବିନା ମାଛ ପରି
ନା ମରେ ନା ଜୀଇପାରେ ।

କେତେଥର ପଢ଼ି ହୁଅନ୍ତା
ଅଳ୍ପଧାଡ଼ିର, ସ୍ୱଳ୍ପ ଲିଖିତ ଚିଠି
ଥରଥର ଚିଠି ଛୁଇଁ
ଗୋଟେଇ ହୁଅନ୍ତା କେତ
ଦେହ ବାସ୍ନା,
ଯାହା କେବେ ଚିଠିରେ ମିଳେନି ।

କାହାର ମାୟାରେ
ସମୟ ବ୍ୟସ୍ତ ତମର
ଏଠି ବ୍ୟସ୍ତ
ମୋ ଅପେକ୍ଷାର ଉଦଗ୍ର ଆଗ୍ରହ ।

ଯୁଆଡେ଼ ଚାହୁଁଛି
ଷୋହଳ ପଦ୍ମ ପାଖୁଡ଼ାରେ
ଦିଶୁଚ ଠାକୁର ଭଳି
ତମସ’ ନିଜକୁ ମିଶାଇ
ସ୍ୱପ୍ନରେ ହଜେ ଦିବା ନିଶି ।

ଏଠି ଅଛି ଏଠି ନାହିଁ
ପରି ମୋ ଅବସ୍ଥା
ଗ୍ରହ ନକ୍ଷତ୍ର ପରି
ବ୍ୟବଧାନ ଦିନୁ ଦିନ
ଲମ୍ୱେଇ ରହୁଛି
ମଝିରେ ମଝିରେ ଆସି
କହିଲେ ଶୁଣିଲେ କିଛି
ଦ୍ରୁମ ପାଲଟନ୍ତା
ସଂପର୍କ ବିଶ୍ୱାସ
ଦେଖନ୍ତ ପ୍ରେମ ଆମର
ମାଟିଘର ଝୋଟି ପରି
ଝଟକି ଉଠୁଛି ।

ଲୋକପ୍ରିୟ ଲେଖା

To Top