ଆଖି ବନ୍ଦ ଥାଉ କି
ଖୋଲା ଥାଉ
କି ଦିନ
କି ରାତି
ଶରତ ଋତୁର ଆକାଶ ବି
ରାହୁଗ୍ରସ୍ତ
କାଳି ଜହ୍ନରେ ।
ବ୍ୟାଧି ରଙ୍କୁଣୀ ସୁନାନାକୀ
ଝିଅର ରବରେ
ରାତି ବି ନିଃଶବ୍ଦ ନୁହେଁ
ଲୋକାକୋଚା ବିଛଣାର
ମୂତ ଗନ୍ଧରେ
ତୁମ କବରୀର ବାସ୍ନା
ସବୁବେଳେ ବାସି ଫୁଲର
ଭଉଁରି ପରି ।
କାଲି, ତମାମ୍ ରାତି
ଛାଇ ଅନିଦ୍ରା
ଅଥଚ
ତମ ଅପେକ୍ଷାରେ ନୁହେଁ ।
ସକାଳୁ ସକାଳୁ
ଧାଡ଼ିଏ ମଣିଷଙ୍କ ଭିଡ଼
ଘର ସାମ୍ନାରେ ।
କାମ ନ କରି ବିଲ୍ ପାଇଁ
ଆଖି ଦେଖାଉଥିବା କଣ୍ଟ୍ରାକ୍ଟର
ବାର୍ଦ୍ଧକ୍ୟ ଭତ୍ତା ପାଇଁ ସୁପାରିଶ
ଆଣିଥିବା ଅଳ୍ପବୟସ୍କ
ଦଳୀୟ କର୍ମୀ
ଗରିବୀ ଋଣ ପାଇଁ ଲବି କରୁଥିବା
ସାହୁକାର
କଣ୍ଟ୍ରୋଲ୍ ସାମଗ୍ରୀ ବିକି ଦେଇଥିବା
ଡିଲର
ତମ୍ ତମ୍ ରାଜନେତା,
ଚାନ୍ଦା ପାଇଁ ଜୁଲମ କାରୀ
ସ୍ଥାନୀୟ ଯୁବକ ସଂଘ
ବଡ଼ ହାକିମଙ୍କ ସ୍ପେସିଆଲ
ମେସେଞ୍ଜର
ବାସି ଶବର ଇନ୍କ୍ୱେଷ୍ଟ ପାଇଁ
ଅପେକ୍ଷାରତ ପୋଲିସବାଲା ।
ଚା’ କପ୍ରେ ନିସ୍ତାର
ଖୋଜିବା ବେଳେ
ଢାଙ୍କି ହୋଇ ଆସେ ଆକାଶ
ବ୍ୟତିବସ୍ତ ବ୍ୟଗ୍ରତାରେ ।
ଘର ଭିତରେ ଠନ୍ ଠାନ୍
ଚଞ୍ଚଳତା
ପପୁନ୍ ସ୍କୁଲକୁ ଯିବ
ମାମାଲିର ଜ୍ୱର ଛାଡ଼ି ନାହିଁ
ମାଡ଼ାମ୍ଙ୍କର କ୍ଲାସ ଅଛି
ଅଧ୍ୟାପିକା
ଅଡର୍ଲି ଟୋକା
ଷ୍ଟ୍ରାଇକ୍ କରିଛି
ବାସିଘର ଝାଡ଼ୁ ହୋଇ ନାହିଁ ।
ଶ୍ରୀମତୀଙ୍କ ନାଗଫେଣୀ ନାକରେ
ଗରଗର ବିଷ
ଆକ୍ତାମାକ୍ତା ମୋ ପୁରୁଷାକାର
କାକୁସ୍ତ ମୋ ଅଫିସରପଣ ।
ତମାମ୍ ଅଫିସ
ଅଂଶୁଘାତ ପରି ଖରାବେଳ ।
ମରୁଡ଼ି ଦାବୀରେ ଧାରଣାରତ ଚାଷୀ
ରିଲିଫ୍ ପାଇଁ ପ୍ରଲୁବ୍ଧ
ଗ୍ରାମବାସୀ
ପ୍ରବଞ୍ଚନାର ଚୌହଦୀରେ
ଶାସନ କଳ
ଘେରାଉ ରାଲିରେ ଉତ୍ସୃଙ୍ଖଳ
ଉଗ୍ର ବିରୋଧୀଦଳ
କର୍ମଚାରୀଙ୍କ ଅସାଧୁତାରେ
ଶୀକାର ଇନ୍ଦିରା ଆବାସୀ
ଆଦିବାସୀ
ପର୍ସେଣ୍ଟେଜ୍ ମାଗୁଥିବା
ଅଧସ୍ତନ ଓଭରସିଅର
ଆହୁରି,
ଆହୁରି ସଂକୁଚିତ ହୁଏ
ଆକାଶ ।
ରାଜଧାନୀରୁ ଆସିଛି ଖବର
ମିତ୍ର ଘୋର ଘଡ଼ିଆଳ,
କୁମ୍ଭୀର ।
ଯିବାକୁ ତ ହେବ
ଦ୍ୱିପହର ସାରା ଖୋଜା ଚାଲିଛି
ଏମିତି ଏକ ଗଛ
ଜାମୁକୋଳି ଗଛ
ଯେଉଁଠି କୋରଡ଼ଟିଏ ଥିବ
ଓ ଛାଡ଼ିଯାଇ ହେବ ଆପଣା
କଲିଜା ।
ସୂର୍ଯ୍ୟସ୍ତ ହୁଏ
ଅଥଚ ଦେଖି ହୁଏନି
ଆକାଶ, ନିଜ ବଗିଚାରୁ ।
ଫେରିବା ବେଳକୁ
ଫିଟି ପଡ଼ିଲାଣି ତାରା
ଲୁଚିଗଲାଣି କାଳି ଜହ୍ନ ।
ଭୂକମ୍ପରେ ଫାଟିଛି ବସୁନ୍ଧରା ।
ଗାଁ’ରୁ ଆସିଛି ଚିଠି
ବୟସ ଗଲାଣି
ଏଥର ବି ସାନଭଉଣୀର
ଭାଙ୍ଗିଗଲା ବିଭାଗର
ବାପାଙ୍କର ପେନ୍ସନ୍ ଫାଇଲ ପାଇଁ
କିରାଣୀର ଲାଞ୍ଚଖୋର ହାତ
ସାଲିସବିହୀନ ବାପାଙ୍କର
ଷାଠିଏ ବର୍ଷର ମୂଲ୍ୟବୋଧ
ଧୂଳିସାତ୍ ।
ବୋଉ ଲେଖିଛି
ତମାମ୍ ଆକାଶ ତୋର
ଉଦିଅଁ କଲି,
ରକ୍ତରେ
କେହି ବି ନାହିଁ ପାଖରେ
ଆଉ ଜୁ ପାଉନି
ଆକଟିବାକୁ ଏ ବିଶାଳ
ବାଡ଼ିଘର ।
ସବୁ ରାତି ପରି
ଆଜି ବି
କଟିବ
ଛାଇ ଅନିଦ୍ରାରେ
ଏତେ ଭାଗ୍ୟ ମୋର କାହିଁ
ଶୋଇ ହେବ
ଟିକିଏ ନିଦରେ, ମାତ୍ର
ଚେନାଏ ଆକାଶର
ମହିମାରେ ।