କବିତା

ଦନେଇର ଭବିଷ୍ୟତ

ଏ ପୁଣି କେମିତି କଥା
ମଇଁଷି ଫେରିବ ନାହିଁ ଗୋଠକୁ
କି, ଦନେଇ ଫେରିବ ନାହିଁ
ମା’ କୋଳକୁ କେବେ ବି !
ଦୃଶ୍ୟଟିଏ ହୋଇଯିବ ସ୍ଥିରଚିତ୍ର
ଚେତନାର ଅନ୍ଧମୁହାଣିରେ
ଏ ପୁଣି କେମିତି କଥା !

ଦନେଇର ଭବିଷ୍ୟତ

ଦୃଶ୍ୟଟିକୁ ଦେଖ, ଅଭୟ !
କେଉଁ ଏକ ପଡ଼ିଆ ମଝିରେ
ମୁହାଁ ମୁହିଁ ଦୁଇଟି ଚରିତ୍ର:
ଅବାଧ୍ୟ ମଇଁଷି
ଯା ଆଖିରେ ନିଦ ନାହିଁ ଓ
ଅବୋଧ ଦନେଇ ଯା ଆଖିରେ ନିଦ ଏକ ନଈ

ଏମିତି ଦାରୁଣ ଦୃଶ୍ୟକୁ
ନିହାତି ମାମୁଲି କହି
ବାଟ ଭାଙ୍ଗୁଥିବା ଲୋକଙ୍କ କଥା ଛାଡ଼
ସେମାନେ ନଈରେ ନିଜ ଛାଇ ନ ଦେଖି
ମାଛ ଖୋଜୁଥିବା ବଗ

ମୁଁ ଜାଣେ,
ଏ ଦୃଶ୍ୟ ହୋଇପାରେ
ଆଖିପାଇଁ ବୃନ୍ଦାବନ
ହେଲେ, ଛାତି ପାଇଁ ଏରକାର ବଣ
ଏଦୃଶ୍ୟର କ୍ଲାଇମାକ୍ସ୍ କଣ
ଚାହିଁରହିବାର ନିଦାଘରେ ଜଳୁଥିବ ?
ନାହିଁ ନାହିଁ ଉପଦେଶ ଭଉଁରୀରେ
ଦନେଇର ପିଲାବେଳ ବୁଡ଼ିଯିବ ?

ଏ ପୁଣି କେମିତି କଥା
ମଇଁଷି ଫେରିବ ନାହିଁ ଗୋଠକୁ
କି, ଦନେଇ ଫେରିବ ନାହିଁ
ମା’ କୋଳକୁ କେବେ ବି !
ଦୃଶ୍ୟଟିଏ ହୋଇଯିବ ସ୍ଥିରଚିତ୍ର
ଚେତନାର ଅନ୍ଧମୁହାଣିରେ
ଏ ପୁଣି କେମିତି କଥା !

ଖେଳ ବାଉଳା ପିଲା
ପଡ଼ିଆରେ ଅକସ୍ମାତ
ଅରଣା ମଇଁଷି ଦେଖି
ଉଚ୍ଚାଟ ତଟସ୍ଥ ହେବା
ଅତି ସ୍ୱାଭାବିକ

ତା ବୋଲି ବେଳ ବୁଡ଼ିଯିବ
ପଡ଼ିଆରୁ ଚାଲିଯିବେ ପ୍ରିୟଜନ
ସୂର୍ଯ୍ୟ ଓ ପବନ

କେଉଁ ଆତତାୟୀ ଅନ୍ଧାରର
ନଜରବନ୍ଦୀରେ କଟିବ
ଦନେଇର ବାଲ୍ୟକାଳ
ଅତ୍ୟାଚାରୀ ମଇଁଷିର ହୁକୁମ ନାମାରେ ?

ଦନେଇର ଭବିଷ୍ୟତ
ମୋର ମୁଣ୍ଡବଥା ।

ସେ ଏମିତି ରହିଗଲେ ନଜରବନ୍ଦୀରେ
କିଏ ପୋଛିଦେବ
ମା’ ଆଖିର ଲୁହ
କିଏ ଖୋଜି ଆଣିବ ପ୍ରଜାପତି
ପ୍ରଳୟ କୋଳରୁ ?

ଏଥର ମତେହିଁ ଯିବାକୁ ହେବ
ପଡ଼ିଆକୁ ନାୟକ ଭାବରେ
ସେଇ ପରିଚିତ ଦୃଶ୍ୟର ମଧ୍ୟାନ୍ତର ହୋଇ
ମଇଁଷି ଆଖିରେ ଜାଳି ଆଲୋକ ବର୍ଣ୍ଣାଳୀ
ଫେରାଇ ଆଣିବି ଦନେଇକୁ ଘରକୁ
ସାରାରାତି ମଇଁଷି ଅସ୍ଥିର ହେବ କ୍ରୋଧରେ, କୋହରେ
ପଡ଼ିଆର ଘାସ ଦିଶୁଥିବ
ବଷ ମାସ ତାରିଖର କ୍ୟାଲେଣ୍ଡର ପରି

ଏଣେ ବିଧବା ମା’ କୋଳରେ
ଫୁଟୁଥିବ ପଦ୍ମଫୁଲ : ଦନେଇର ଭବିଷ୍ୟତ
ନିରାଭରଣ ସକାଳର ଜଳ ଦର୍ପଣରେ ।

ଲୋକପ୍ରିୟ ଲେଖା

To Top