ପ୍ରବନ୍ଧ

ଗୋପୀ ପ୍ରେମ

Dr Gauranga Samantaray's odia prose Gopee Prema

ପୂର୍ବ ଜନ୍ମରେ ଗୋପୀଙ୍କ ମଧ୍ୟରୁ ଅନେକ ମୁନିଋଷି ଥିଲେ, ଯେ ଶ୍ରୀରାମଚନ୍ଦ୍ରଙ୍କୁ ଆଲିଙ୍ଗନ କରିବାକୁ ଚାହୁଁଥିଲେ । ତେଣୁ ତାଙ୍କୁ ଆଉ ଗୋଟିଏ ଅବତାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ।

ଗୋପୀ ପ୍ରେମ

ଗୋପୀମାନେ ପୂର୍ବେ ବହୁଜନ୍ମର ତପସ୍ୟା, ସାଧନା କରି ଦ୍ୱାପର ଯୁଗରେ ଗୋପୀରୂପରେ ଜନ୍ମ ଗ୍ରହଣ କରି ଅଲୌକିକ କଳ୍ପନାତୀତ ସ୍ୱର୍ଗୀୟ ଗୋପୀ ପ୍ରେମର ଅଧିକାରୀ ହୋଇଥିଲେ । ଯେତେବେଳେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଶିବଧନୁ ଭଙ୍ଗକରି ସୀତାଙ୍କୁ ବିବାହ କଲେ । ସେହି ସମୟରେ ଜନକପୁରୀର ସ୍ତ୍ରୀଲୋକମାନେ ଶ୍ରୀରାମଚନ୍ଦ୍ରଙ୍କ ରୂପରେ ମୁଗ୍ଧ ହୋଇ ପ୍ରେମବିହ୍ୱଳ ହେଲେ ଏବଂ ତାଙ୍କୁ ସ୍ୱାମୀରୂପେ ପାଇବା ପାଇଁ ନିଜର ଅଭିଳାପ ପ୍ରକଟ କଲେ । ଦ୍ୱାପର ଯୁଗରେ ବୃନ୍ଦାବନରେ ଗୋପୀରୂପେ ଜନ୍ମ ନେବ ଓ ତୁମର ଏ ଇଚ୍ଛା ପୂର୍ଣ୍ଣ ହେବ । ତୁମ୍ଭେମାନେ କିନ୍ତୁ ଏଥିପାଇଁ ତପ ଦାନ, ତୀର୍ଥ ଶାସ୍ତ୍ରସମ୍ମତ କର୍ମ କରିଚାଲ । ରାଜପଥରେ ଯାଉଥିବା ସମୟରେ କୋଶଳ ଦେଶର ସ୍ତ୍ରୀ ଲୋକମାନେ ଶ୍ରୀରାମଚନ୍ଦ୍ରଙ୍କର ନମନୀୟ ରୂପଲାବଣ୍ୟରେ ମୁଗ୍ଧ ହୋଇ ତାଙ୍କୁ ପତିରୂପରେ ବରଣ କରିବାକୁ ଚାହାଁନ୍ତେ ସେ ତାଙ୍କୁ ବୃନ୍ଦାବନରେ ଗୋପୀ ହେବା ପାଇଁ ଆଶୀର୍ବାଦ କଲେ । ଜନକ ନନ୍ଦିନୀ ସୀତାଙ୍କୁ ସଙ୍ଗରେ ଧରି ଅଯୋଧ୍ୟା ଆସିଲେ । ଅଯୋଧ୍ୟାର ସ୍ତ୍ରୀ ଲୋକମାନେ ଦେଖିବାକୁ ଆସିଲେ । ସେମାନେ ମଧ୍ୟ ପୁରୁଷୋତ୍ତମଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ମୂର୍ଚ୍ଛିତ ହେଲେ ଓ ପତି ରୂପେ ପାଇବାର ଇଚ୍ଛା ପ୍ରକାଶ କଲେ । ସେମାନଙ୍କୁ ମଧ୍ୟ ଗୋପୀରୂପେ ଜନ୍ମ ନେବାକୁ ଆଶୀର୍ବାଦ କଲେ । ବନବାସ ସମୟରେ ଦଣ୍ଡକାରଣ୍ୟରେ ବୁଲୁଥିବା ସମୟରେ ତପସ୍ୟାରତ ମୁନିଋଷି, ମୁନିକନ୍ୟାମାନେ ଭଗବାନଙ୍କୁ ଦେଖି ମୋହିତ ହୋଇ ରାସଲୀଳା ପାଇଁ ପ୍ରାର୍ଥନା କଲେ । ଭଗବାନ ତାଙ୍କୁ ଗୋପୀ ହୋଇ ଜନ୍ମ ନେବା ପାଇଁ ବର ପ୍ରଦାନ କଲେ । ସେହିପରି ପଞ୍ଚବଟୀରେ ରହୁଥିବା ସମୟରେ ଭକ୍ତ ଶବରୁଣୀମାନଙ୍କୁ ଗୋପୀଭାବରେ ଜନ୍ମନେବାକୁ ବର ଦେଇଥିଲେ । ଶ୍ରୀରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ କରୁଥିବା ସମୟରେ ସୁବର୍ଣ୍ଣମୟୀ ପ୍ରତିମା ସୀତାମାନେ ଜୀବନ୍ତ ହୋଇ ତାଙ୍କୁ ପତିରୂପେ ଚାହିଁବାରୁ ସେମାନଙ୍କୁ ଦ୍ୱାପରଯୁଗରେ ଗୋପୀରୂପେ ଜନ୍ମ ନେବାକୁ ବର ଦେଲେ ।

ଭଗବାନ ବିଭିନ୍ନ ଅବତାରରେ ବୈକୁଣ୍ଠରେ ଲକ୍ଷ୍ମୀଦେବୀଙ୍କ ସହଚରୀ ତଥା ଅନ୍ୟ ଦେବୀମାନଙ୍କୁ, ଜଳନ୍ଧର ନଗରୀର ସ୍ତ୍ରୀମାନଙ୍କୁ, ପୂର୍ବକୃତ ବିବିଧ ପୁଣ୍ୟ ଅର୍ଜନ କରିଥିବା ଦେବୀମାନଙ୍କୁ, ଶ୍ୱେତ ଦ୍ୱୀପର ସଖୀମାନଙ୍କୁ, ସମୁଦ୍ରରୁ ବାହାରିଥିବା ଲକ୍ଷ୍ମୀଙ୍କ ସହଚରୀମାନଙ୍କୁ, ମତ୍ସ୍ୟାବତାରରେ ମତ୍ସ୍ୟ କନ୍ୟାମାନଙ୍କୁ, ବୃନ୍ଦାବନରେ ଗୋପୀରୂପେ ଜନ୍ମ ନେବା ପାଇଁ ଆଶୀର୍ବାଦ କରିଥିଲେ । ତେଣୁ ଯେଉଁ ଷୋଳ ସହସ୍ର ପରମଭକ୍ତ ବୃନ୍ଦାବନରେ ଗୋପୀରୂପେ ଜନ୍ମ ନେଲେ ସେମାନେ ବିଭିନ୍ନ ଅବତାରରେ ଭଗବାନଙ୍କୁ ପତିରୂପେ ପାଇବା ପାଇଁ, ରାସଲୀଳା କରିବା ପାଇଁ, ସାନିଧ୍ୟ ପ୍ରେମଲୀଳା କରିବା ପାଇଁ ଯୁଗଯୁଗ ଧରି ଜନ୍ମ ଜନ୍ମାନ୍ତର କଷ୍ଟସାଧ୍ୟ ତପସ୍ୟା କରିଛନ୍ତି, ଶେଷରେ ତାଙ୍କର ତପସ୍ୟା ସାର୍ଥକ ହୋଇଛି । ସେମାନେ ପୂର୍ଣ୍ଣତମ ପ୍ରେମ-ଆତ୍ମା-ପରମାତ୍ମା ମିଳନର ଲୀଳା ପ୍ରାପ୍ତ ହୋଇଛନ୍ତି ।

ଗୋପୀ ଶବ୍ଦର ଅର୍ଥ : ଗୋ ଅର୍ଥାତ୍ ଇନ୍ଦ୍ରିୟସମୂହ ପୀ ଅର୍ଥାତ୍ ପାନ କରିବା,

ଯେ ସମସ୍ତ ଇନ୍ଦ୍ରିୟମାନଙ୍କ ଦ୍ୱାରା କେବଳ ଭକ୍ତି ରସର ହିଁ ପାନ କରେ, ତାକୁ “ଗୋପୀ” କହନ୍ତି । ପ୍ରେମର ଅନିର୍ବଚନୀୟ ସ୍ଥିତି ହେଉଛି ଗୋପୀଭାବ । ଶ୍ରୀକୃଷ୍ଣ ହିଁ ଗୋପୀ ଓ ଗୋପୀ ହିଁ ହେଉଛି ବଂଶୀ । ଶ୍ରୀକୃଷ୍ଣ ଦର୍ଶନ ଲାଳସା ହିଁ ଗୋପୀ ଅଟେ । ଗୋପୀ କୌଣସି ସ୍ତ୍ରୀ ନୁହେଁ କିମ୍ୱା ପୁରୁଷ ନୁହେଁ । ପୂର୍ବ ଜନ୍ମରେ ଗୋପୀଙ୍କ ମଧ୍ୟରୁ ଅନେକ ମୁନିଋଷି ଥିଲେ, ଯେ ଶ୍ରୀରାମଚନ୍ଦ୍ରଙ୍କୁ ଆଲିଙ୍ଗନ କରିବାକୁ ଚାହୁଁଥିଲେ । ତେଣୁ ତାଙ୍କୁ ଆଉ ଗୋଟିଏ ଅବତାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା । ତେଣୁ ଗୋପୀ ପରମାତ୍ମାଙ୍କ ସହିତ ପ୍ରେମ କରେ । ଶବରୀ ନିଜର ପ୍ରେମର ପରାକାଷ୍ଠାରୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କୁ ବାନ୍ଧି ରଖିଥିଲା, ପଥର ଉପରେ ରାମ ନାମ ଲେଖିବାରୁ ସେତୁବନ୍ଧ ହୋଇଗଲା । ଏହା ମଧ୍ୟ ପ୍ରେମର କାରଣରୁ । ତେଣୁ ଗୋପୀମାନଙ୍କର ଅନନ୍ୟ ପ୍ରେମ ଯୋଗୁଁ ସେମାନେ ପରମାତ୍ମାଙ୍କ ପ୍ରେମ ଲାଭ କଲେ । ଶ୍ରୀକୃଷ୍ଣଙ୍କ ପ୍ରାଣ ଓ ଗୋପୀ ପ୍ରାଣ ମଧ୍ୟରେ କୌଣସି ଅନ୍ତର ନାହିଁ । ଗୋପୀମାନଙ୍କର ଜୀବନ ଓ ମୃତ୍ୟୁ ସବୁକିଛି ଶ୍ରୀକୃଷ୍ଣଙ୍କର ଅଧୀନ ଥିଲା । କୃଷ୍ଣ ପ୍ରେମକୁ ଛାଡ଼ି ଗୋପୀମାନେ ଆଉ କିଛି ଚାହୁଁ ନଥିଲେ । ନା ମୁକ୍ତି ନା ମୋକ୍ଷ । ଯେଉଁ ପୂତନା ସ୍ତନରେ ବିଷ ଭରି ମାରିବା ପାଇଁ କୃଷ୍ଣଙ୍କୁ ଆସିଥିଲା, ତା’ ସ୍ତନ୍ୟରୁ କ୍ଷୀର ପାନ କରି ବିଷ ସହିତ ପ୍ରାଣ ନେଇ ତାକୁ ମୁକ୍ତି ପ୍ରଦାନ କଲେ । ଗୋପୀମାନେ ତନ, ମନ, ପ୍ରାଣ ସବୁକିଛି କୃଷ୍ଣ ପାଖରେ ଅର୍ପଣ କରିଛନ୍ତି । ଇହଲୋକ ଓ ପରଲୋକରେ କୃଷ୍ଣଙ୍କୁ ଛାଡ଼ି ଆଉ ଯେ କିଛି ତତ୍ତ୍ୱ ଥାଇପାରେ, ଜାଣିନାହାନ୍ତି । ସେମାନଙ୍କର ଖାଇବା, ପିଇବା, କୌଣସି କାର୍ଯ୍ୟ କରିବା, ଉଠିବା, ଶୋଇବା, ଗୀତ ଗାଇବା, ଗାଈ ଦୁହିଁବା, ଯମୁନାରୁ ପାଣି ଆଣିବା, ସ୍ନାନ କରିବା ଇତ୍ୟାଦ ପ୍ରତ୍ୟେକ କ୍ରିୟା କୃଷ୍ଣଙ୍କୁ ସୁଖ ଦେବା ପାଇଁ ଉଦ୍ଦିଷ୍ଟ । ଥରେ ଦୁଇ ଗୋପୀ ଯମୁନାରୁ ପାଣି ଆଣିବା ସମୟରେ ଜଣେ ଅନ୍ୟ ଜଣଙ୍କୁ କହିଲା, “ହେ ଶୁଣିଲୁଣି କାଲି ବୃନ୍ଦାବନକୁ ଜଣେ ସାଧୁ ଆସିଥିଲେ ଓ କ’ଣ କହୁଥିଲେ ଜାଣିଛୁ କି ?” ଅନ୍ୟ ସଖୀଟି କହିଲା, “ସେ ଆଉ କ’ଣ କହୁଥିବେ । ଆମ କହ୍ନେଇଆ କଥା କହୁଥିବେ ଓ କହ୍ନେଇଆକୁ ଛାଡ଼ି କରି ଆଉ କହିବାର କଥା କ’ଣ ଅଛି କି ?”

ପ୍ରଥମ ଗୋପୀ କହିଲା, “ନା, ନା ସେ କ’ଣ ବଂଶୀ, ଗୋବର୍ଦ୍ଧନ ପର୍ବତ, ଯମୁନା ଇତ୍ୟାଦି କଥା କହୁଥିଲେ ।” ଦ୍ୱିତୀୟ ଗୋପୀ ଉତ୍ତରେ କହିଲା, “ବଂଶୀ, ଗୋବର୍ଦ୍ଧନ କହ୍ନେଇ, ଯମୁନା କହ୍ନେଇ, ବୃନ୍ଦାବନ କହ୍ନେଇ, ଗାଈ ଗୋରୁ କହ୍ନେଇ, ନିକୁଞ୍ଜବନ କହ୍ନେଇ, ସବୁକିଛି କହ୍ନେଇ । କହ୍ନେଇକୁ ଛାଡ଼ି ଦେଲେ କେଉଁଠି କିଛି ନାହିଁ ।” ବାସୁଦେବଃ ସର୍ବମ୍ । ବାପା ବେଳେବେଳେ ଟଙ୍କା ତଳେ ପକାଇ ଦେଇ ଶିଶୁ ପୁତ୍ରକୁ ଗୋଟାଇ ଆଣି ଦେବାକୁ କୁହନ୍ତି, ସେ ଯେତେବେଳେ ଆଣି ଦିଏ, ବାପା ଭାରି ଖୁସି ହୁଅନ୍ତି । କାରଣ ତାଙ୍କ ପୁଅ କିପରି ହସି ହସି ଖୁସି ମନରେ ଆଣି ଟଙ୍କା ଦେଉଛି । ଟଙ୍କା ବାପାଙ୍କର କିନ୍ତୁ ପୁଅ ତାଙ୍କ ଟଙ୍କା ଯେପରି ଭାବରେ ଦେଲା, ତାହା ବାପାଙ୍କୁ ଭଲ ଲାଗେ ।

ଭଗବାନ ସମସ୍ତ ଅକ୍ଷୟ ସୁଖ ଓ ଐକାନ୍ତିକ ସୁଖର ଆଶ୍ରୟସ୍ଥଳ । ତଥାପି ନିଜ ଭକ୍ତଠାରୁ ସୁଖ ପାଇବାକୁ ସେ ଚାହାଁନ୍ତି । ସେ ସୁଖ ଭକ୍ତ କେଉଁ ଭାବରେ ଦେଉଛି, ତା’ ସେ ଦେଖନ୍ତି ଓ ତାହା ତାଙ୍କୁ ଭାରି ଭଲ ଲାଗେ । ଗୋପୀମାନେ ମୋହନ ବଂଶୀର ଧ୍ୱନିରେ ଘରଦ୍ୱାର, ଗାଈ ଦୁହାଁ, ଦଧି ମନ୍ଥନ, ରୋଷେଇବାସ, ପିଲାଙ୍କୁ କ୍ଷୀର ଖୋଇବା, ଶାଶୁ ଶ୍ୱଶୁର ସେବା, ପତି ସେବା ଛାଡ଼ି ପାଗଳିନୀ ଭଳି ବଂଶୀ ଧ୍ୱନି ଆସୁଥିବା ଦିଗକୁ ଦୌଡୁଥିଲେ । ସେ ପ୍ରେମଥିଲା କେବଳ କୃଷ୍ଣ ପାଇଁ- ବିଶୁଦ୍ଧ କୃଷ୍ଣପ୍ରେମ ! ସେତେବେଳେ କେବଳ ଭଗବାନଙ୍କୁ ସୁଖ ଦେବା ପାଇଁ ଦୌଡୁଥିଲେ । ଏହାଦ୍ୱାରା ଭଗବାନ ସୁଖୀ ହେଉଥିଲେ ଓ ସେହି ସୁଖକୁ ବହୁଗୁଣିତ କରି ଗୋପୀମାନଙ୍କୁ ଦେଇ ଦେଉଥିଲେ । ଭଗବାନ ସୁଖସାଗର ! କିନ୍ତୁ ସୁଖକୁ ଗୋପୀମାନେ ଯେଉଁ ଭାବରେ ଦେଉଥିଲେ ତାହା ତାଙ୍କୁ ଭଲ ଲାଗୁଥିଲା । ସେମାନେ ନିଜ ପାଇଁ ସୁଖ ଚାହୁଁ ନଥିଲେ । ଭଗବାନଙ୍କ ସୁଖ ହିଁ ତାଙ୍କର ସୁଖ । ଭଗବାନଙ୍କୁ ସୁଖୀ ଦେଖି ନିଜେ ମଧ୍ୟ ସୁଖ ସାଗରରେ ଡୁବି ଯାଉଥିଲେ । ଏଥିରେ କାମ ଭାବ ଆଦୌ ନଥିଲା । ଏଥିରେ ଥିଲା ଶୁଦ୍ଧ ପ୍ରେମ- ଗୋପୀପ୍ରେମ- ପ୍ରିୟତମଙ୍କ ପାଇଁ ସୁଖର ପ୍ରବଳ ଆକାଂକ୍ଷା । କାମ ଭାବ ହେଉଛି ବିଷମିଶ୍ରିତ ମଧୁ ଓ ପ୍ରେମ ହେଉଛି ସ୍ୱର୍ଗୀୟ, ଅମୃତମୟ । କାମରେ ଇନ୍ଦ୍ରିୟ ବାସନା ଚରିତାର୍ଥ ହୁଏ । ପ୍ରେମରେ ନିତ୍ୟ ପରମ ସୁଖ ମିଳେ । କାମ ନାଶବାନ, ଶେଷରେ ବିଷମୟ ଫଳ ପ୍ରଦାନ କରେ । କିନ୍ତୁ ପ୍ରେମ ନିତ୍ୟ ବର୍ଦ୍ଧନଶୀଳ, ଆରମ୍ଭରେ ସୁଖମୟ-ଶେଷରେ ମଧ୍ୟ ସୁଖମୟ ।

ତା’ପରେ

ଲୋକପ୍ରିୟ ଲେଖା

To Top