ଗଳ୍ପ

ଦାନର ପ୍ରତିଦାନ

Shreebatsa Prasad Nath's odia story Daanara Pratidaana

ଭତ୍ସନା କରି କହିଗଲା ତା’ ପାଟିକୁ ଯା’ ଆସିଲା, ନିର୍ଲଜ ଭଳି ଏଠାକୁ କାହିଁକି ଆସିଛ ? ତୁମେ କ’ଣ ମୋର ଉପଯୁକ୍ତ ?

ଦାନର ପ୍ରତିଦାନ

ଅରଣ୍ୟ ପିଲାଦିନରୁ ମାଆ ଛେଉଣ୍ଡ । ତା’ର ବାପା ଦ୍ୱିତୀୟ ବିବାହ କରି ସାବତ ମାଆ ଓ ତା’ର ପିଲାମାନଙ୍କ ସହିତ ବସବାସ କରୁଥିଲେ । ଅରଣ୍ୟର ଖବର ଅନ୍ତର କିଛି ବୁଝନ୍ତି ନାହିଁ । ତା’ର ଖାଦ୍ୟପେୟ, ବେଶପୋଷାକ ଓ ପାଠପଢ଼ା ବିଷୟରେ ବାପା କି ସାବତ ମାଆ କେହି ହେଲେ ଯତ୍ନ ନେଉ ନଥିଲେ । ସେ କୌଣସି ପ୍ରକାରରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲା । ଅର୍ଥାଭାବରୁ ବାପା ତା’ର ପଢ଼ା ବନ୍ଦ କରିଦେଲେ । କିଛିଦିନ ପରେ ବାପା ମଧ୍ୟ ମରିଗଲେ । ସାବତ ମାଆ ତା’ର ପିଲାଛୁଆଙ୍କୁ ନେଇ ଘରେ ଦୁଃଖ କଷ୍ଟରେ ରହିଲା । ଅରଣ୍ୟ ପ୍ରତି ଦୁର୍ବ୍ୟବହାର କରି ତାକୁ ଘରୁ ବାହାର କରି ଦେଲା ।

ସେ ଗାଁରେ ଏଠି ସେଠି ବସେ, ବୁଲେ । ଦରକାର ପଡ଼ିଲେ କାହାର କେମିତି ବୋଲହାକ କରେ । ପିଲାଦିନରୁ ମାଆକୁ ହରାଇ ଥିବାରୁ ଗ୍ରାମବାସୀ ତାହା ପ୍ରତି ସହାନୁଭୂତି ଦେଖାନ୍ତି । ତାକୁ ସମସ୍ତେ ସ୍ନେହ ଶ୍ରଦ୍ଧା କରନ୍ତି । ଏପରିକି ଯିଏ ଡାକିଲା, ସେ ତାଙ୍କ ଘରେ ଖାଇ ଦିଏ । ଯେଉଁଠି ନାହିଁ ସେଠି ଶୋଇପଡ଼େ । ସେଥିପାଇଁ ଦିନେ ହେଲେ ଘର ଲୋକେ ତା’ର ଭଲମନ୍ଦ ଖବର ବୁଝନ୍ତି ନାହିଁ । ଏହିପରି ଭାବରେ ଅରଣ୍ୟର ବାଲ୍ୟ ଓ କୈଶୋର ଅବସ୍ଥା କଟିଯିବାକୁ ବସିଲା ।

ତାଙ୍କ ଗାଁର ଅଳ୍ପଦୂରରେ କଟକ-ଚାନ୍ଦବାଲି ରାସ୍ତା କଡ଼ରେ ଗୋଟିଏ ବଡ଼ ବଜାର ଅଛି । ସେଠାରେ ଦୈବାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଶାଖା ଅଫିସ୍ ଖୋଲିଲା । ଏଠାରେ ସୌଭାଗ୍ୟକ୍ରମେ ଅରଣ୍ୟ ଝାଡୁଦାର କାମରେ ରହିଗଲା । କିଛି ବର୍ଷ ପରେ ବ୍ୟାଙ୍କ କର୍ମଚାରୀ ତା’ର ବିନୟ, ନମ୍ରତା ଓ କାର୍ଯ୍ୟ ନିପୁଣତାରେ ସନ୍ତୁଷ୍ଟ ହୋଇ ଉପରିସ୍ଥ ଅଫିସରଙ୍କୁ କହି ତାକୁ ପିଅନ କର୍ମରେ ନିଯୁକ୍ତ କଲେ । ସେତେବେଳକୁ ସେ ଜଣେ ଯୁବକ । ଘରେ ତ ବାପା ମାଆ ନାହାଁନ୍ତି । ପୁଣି ସାବତ ମାଆ ତା’ ଛୁଆପିଲାଙ୍କୁ ନେଇ ଅତି କଷ୍ଟରେ ଚଳୁଛି । ତେଣୁ ତା’ର ବାହାଘର କଥା ବୁଝୁଛି କିଏ ?

ସେତେବେଳକୁ ଅରଣ୍ୟ ପାଖରେ କିଛି ପଇସା ପତ୍ର ହୋଇଗଲାଣି । ସେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କଲା । ବନ୍ଧୁବାନ୍ଧବ ଓ ଗ୍ରାମର କେତେଜଣ ସହୃଦୟ ବ୍ୟକ୍ତି ତା’ ବିବାହ ବ୍ୟବସ୍ଥା କରିବା ଦିଗରେ ସାହାଯ୍ୟ କଲେ । ତା’ ବାପାଅଜା ଅମଳର ଡିହରେ ଘର ଖଣ୍ଡିଏ ତିଆରି କରାଇ ଦେଲେ ।

ଗୋଟିଏ ଅତି ଗରିବ ଘରର ଝିଅ । ପିଲାଟି ଦେଖିବାକୁ ସୁନ୍ଦର । ନାଆଁଟି ତା’ର ଲତା । ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ୍ କରିଛି । ମାଟ୍ରିକ୍ ପାସ୍ ମଧ୍ୟ ପ୍ରଥମ ଶ୍ରେଣୀ । ଝିଅର ବାପା ମାଆ ଅର୍ଥାଭାବରୁ ଆଉ ଅଧିକ ନ ପଢ଼ାଇ ବିବାହ କରି ଦେବାକୁ ସ୍ଥିର କଲେ । ପୁନଶ୍ଚ ଯୌତୁକ ଦାଉରୁ ରକ୍ଷା ପାଇବା ପାଇଁ ଅରଣ୍ୟ ସହିତ ଲତାକୁ ବିବାହ କରିଦେଲେ । ମୂର୍ଖ କାଳିଦାସଙ୍କ ସାଙ୍ଗରେ ରାଜକୁମାରୀ ବିଦୁଷୀ ବିଦ୍ୟାବତୀଙ୍କର ପରିଣୟ ହେଲା ପରି ଏହା ହେଲା ବୋଲି ଲୋକେ କୁହାକୁହି ହେଲେ । ସେ ଯାହାହେଉ ବାପାମାଆଙ୍କୁ ହରାଇଥିବା ଅସହାୟ, ଅନାଥ ପିଲାଟି ଯେ ହାତକୁ ଦୁଇହାତ ହୋଇଗଲା- ଏଥିପାଇଁ ସମସ୍ତେ ଖୁସି । ବିବାହ ପରେ ସେମାନେ ଆନନ୍ଦରେ ରହିଲେ । ପ୍ରତିଦିନ ଅରଣ୍ୟ ବ୍ୟାଙ୍କ୍‌କୁ ଯାଏ, ଲତା ଘରେ ରହି ଘର କାମଧନ୍ଦା କରେ । ଅବସର ସମୟରେ ଏଣୁ ତେଣୁ ବହି ଓ ପତ୍ରପତ୍ରିକା ପଢ଼ି ସମୟ କଟାଇ ଦିଏ । ଏହି ଭାବରେ ପ୍ରାୟ ଗୋଟିଏ ବର୍ଷ ବିତିଗଲା ।

ଅରଣ୍ୟର କେତେକ ହିତାକାଂକ୍ଷୀ ଲତାକୁ ଅଧିକ ପଢ଼ାଇବାକୁ ପରାମର୍ଶ ଦେଲେ ଏବଂ କହିଲେ ଭଲ ପାଠ ପଢୁଆ ଝିଅଟା । ଅଧିକ ପଢ଼ିବା ପାଇଁ ସୁଯୋଗ ପାଇଲେ ନିଶ୍ଚୟ ଭଲ କରିବ । ଆଉମଧ୍ୟ ଭବିଷ୍ୟତରେ ଚାକିରୀ ପାଇଯିବ । ଫଳତଃ ଅରଣ୍ୟର ଅବସ୍ଥା ମଧ୍ୟ ହଠାତ୍ ବଦଳିଯିବ । ଲତା ମଧ୍ୟ ଏ କଥାରେ ବିଶେଷ ଆଗ୍ରହ ପ୍ରକାଶ କଲା । ଶେଷକୁ ସେଇୟା ହେଲା । ନିକଟସ୍ଥ କଲେଜରେ ଲତା ବି.ଏସ୍.ସି. ଅନର୍ସ ପଦାର୍ଥ ବିଜ୍ଞାନ ନେଇ ପାଠ ପଢ଼ିଲା । ଅରଣ୍ୟ ବ୍ୟାଙ୍କରୁ ଯାହା ପାଉଥିଲା ସେଥିରେ ଲତାର ପାଠ ପଢ଼ା ଓ ଘର ଖର୍ଚ୍ଚ କୌଣସି ପ୍ରକାରେ ଚଳିଯାଉଥିଲା । ଦୁହେଁ ସକାଳ ଦଶଟା ଭିତରେ ରୋଷେଇବାସ ଓ ଖିଆପିଆ କାମ ସାରି ଯେ ଯାହା କାମରେ ବାହାରି ଯାଆନ୍ତି । ଘରକୁ ଫେରନ୍ତି ଅପରାହ୍ଣ ଚାରିଟା ପରେ । ପ୍ରତିଦିନ ପ୍ରାୟ ଲତା ଆଗରୁ ଆସି ପହେଞ୍ଚ ଘରେ ।

ଏଭଳି ଯୋଗ ଘଟିଲା ଲତା ଯେତେବେଳେ ବି.ଏସ୍.ସି. ଅନର୍ସ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି, ଠିକ୍ ସେତିକିବେଳେ ଅରଣ୍ୟର କଟକ ମୁଖ୍ୟ ବ୍ୟାଙ୍କ କାର୍ଯ୍ୟାଳୟକୁ ବଦଳି ଆଦେଶ ଆସି ପହଞ୍ଚିଲା । ଏଣିକି ଉଭୟେ କଟକରେ ଘରଭଡ଼ା ନେଇ ରହିଲେ । ଲତାକୁ ଅରଣ୍ୟ ରେଭେନ୍ସା କଲେଜରେ ପଦାର୍ଥ ବିଜ୍ଞାନରେ ଏମ୍.ଏସ୍.ସି. ପଢ଼ାଇବା ବ୍ୟବସ୍ଥା କଲା । ଏଥିପାଇଁ ଅରଣ୍ୟକୁ ବହୁତ ଅର୍ଥ ବ୍ୟୟ କରିବାକୁ ପଡୁଥିଲା । ହେଲେ, ଭବିଷ୍ୟତର ରଙ୍ଗିନ ଛବି ଦେଖି ସେ ସବୁ ଅସୁବିଧାକୁ ହସି ହସି ସହିଯାଉଥିଲା ।

ଯଦି ଅରଣ୍ୟ କେବେକେବେ ଦୁଃଖ ଅନୁଭବ କରେ, ଲତା ତାକୁ ସାହସ ଦେଇ କହେ- ବ୍ୟସ୍ତ କାହିଁକି ? ଆଉ କେଇଟା ଦିନ ପରେ ଦେଖିବ ଆମ ଅବସ୍ଥା ସମ୍ପୂର୍ଣ୍ଣ ବଦଳି ଯିବ । ସହରରେ ଜାଗା କିଣିବା । ଘର ତିଆରି କରିବା । ଗାଡ଼ିଘୋଡ଼ା କିଣି ଆରାମରେ ଚଳିବା । ପିଲାଛୁଆଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇବା । ସେମାନଙ୍କୁ ମଣିଷ ପରି ମଣିଷ କରି ଗଢ଼ିବା । ଝିଅକୁ ଇଞ୍ଜିନିୟରିଂ ନଚେତ୍ ଡାକ୍ତରୀ ପଢ଼ାଇବା । ସେମିତିକା ଜ୍ୱାଇଁ ଦେଖି ଝିଅକୁ ବିବାହ ଦେବା । ଇତ୍ୟାଦି, ଇତ୍ୟାଦି କେତେ କଅଣ । ଲତାର ଏଭଳି କଥାରେ ଅରଣ୍ୟ ସବୁ ଦୁଃଖ ସାମୟିକ ଭାବେ ଭୁଲିଯାଉଥିଲା ।

ରେଭେନ୍ସାରେ ପଢ଼ିବା ଦିନୁ ଲତାର ସ୍ୱଭାବରେ କିଛିଟା ପରିବର୍ତ୍ତନ ଅରଣ୍ୟ ଲକ୍ଷ୍ୟ କରିଆସୁଛି । ସେ ଏବେ ତାକୁ ନ ପଚାରି ବାହାରକୁ ଚାଲିଯାଉଛି । ପୁଣି ବାହାରେ ଅଧିକ ସମୟ ରହୁଛି । ବେଳେବେଳେ ବହୁତ ବିଳମ୍ୱରେ କଲେଜରୁ ଫେରୁଛି । କେତେବେଳେ କେମିତି ରୋଷେଇ ଦାୟିତ୍ୱ ତାକୁ ଦେଇ କୁଆଡ଼େ ବାହାରକୁ ଚାଲିଯାଉଛି । ସବୁବେଳେ ବିରକ୍ତି ଭାବପ୍ରକାଶ କରୁଛି । ଦିନେ ଦିନେ ତା’ ସାଥିରେ ପୁରୁଷ ବନ୍ଧୁ ହେଉ ବା ସ୍ତ୍ରୀ ବାନ୍ଧବୀ ହେଉ ଯେ କେହି ନିର୍ବିଘ୍ନରେ ତାଙ୍କ ଭଡ଼ାଘରକୁ ଆସୁଛନ୍ତି । ଅରଣ୍ୟ ଏସବୁ ଘଟଣାକୁ ଭ୍ରୁକ୍ଷେପ ନ କରି ଭାବେ ଲତା ଯେତେବେଳେ ଏତେ ବଡ଼ କଲେଜରେ ପଢୁଛି ତା’ର ନିଶ୍ଚୟ ସାଙ୍ଗସାଥୀ ରହିବେ । ଆମର ତ ଅଭାବ ସଂସାର । ତେଣୁ ଲତାର ଆବଶ୍ୟକ ସମସ୍ତ ପାଠ୍ୟୋକରଣ ଯୋଗାଇ ପାରୁନାହିଁ । ଏଥିପାଇଁ ସେ ତା’ର ସାଙ୍ଗସାଥୀମାନଙ୍କ ପାଖକୁ ଯାଇ ପଢ଼ାପଢ଼ି ବିଷୟ କିଛି ବୁଝାବୁଝି କରୁଥିବ । ଏସବୁ ଛୋଟ କଥାକୁ ଧରି ବସିଲେ ସଂସାରରେ ଚଳି ହେବ ନାହିଁ । ଅପରନ୍ତୁ ତା’ ପଢ଼ାପଢ଼ିରେ କ୍ଷତି ହେବ । ପରୀକ୍ଷାରେ ଯଦି ଭଲ ନକଲା, ତେବେ ସବୁ ସୁଖ ସ୍ୱପ୍ନ ଆମର ଧୂଳିସାତ୍ ହୋଇଯିବ । ଏହାଭାବି ଲତାକୁ ଅଧିକ ସମୟ ଦେବା ପାଇଁ ଅରଣ୍ୟ ଘରକାମ ସବୁ ତୁଲାଇ ନିଏ ।

କିଛିଦିନ ଏହିପରି ଅତିବାହିତ ହୋଇଗଲା । ଲତା ଏହା ଭିତରେ ଏମ୍.ଏସ୍.ସି. ପରୀକ୍ଷାରେ ପ୍ରଥମଶ୍ରେଣୀ ରଖି ପାସ୍ କରିଛି । ଆଉ ଅଧିକ ନ ପଢ଼ାଇ ଖଣ୍ଡେ ଚାକିରୀ ବ୍ୟବସ୍ଥା କରିବା ତାଙ୍କ ପକ୍ଷରେ ନିତାନ୍ତ ଦରକାର ବୋଲି ଅରଣ୍ୟ ମନେ ମନେ ଭାବୁଛି । ଲତାକୁ ମଧ୍ୟ ତା’ ମନ କଥା କହି ସାରିଛି । ଏବେ ଲତା ଚାକିରୀ ଅନୁସନ୍ଧାନରେ ଲାଗି ପଡ଼ିଛି । ସରକାରୀ କଲେଜରେ ଅଧ୍ୟାପିକା ପଦ ପାଇଁ ୟୁ.ଜି.ସି. ଲିଖିତ ପରୀକ୍ଷାରେ ଭଲ ନମ୍ୱର ରଖି ଉଚ୍ଚ କ୍ରମିକରେ ରହିଛି । କେବଳ ବାକି ଅଛି ମୌଖିକ ପରୀକ୍ଷା ବା ସାକ୍ଷାତକାର ।

ଲତା ଯେତେବେଳେ ଗାଁରେ ରହି ଯୁକ୍ତତିନି ବିଜ୍ଞାନର ପ୍ରଥମ ବର୍ଷରେ ପଢୁଥିଲା, ସେତେବେଳେ ତାଙ୍କର ଝିଅଟିଏ ଜନ୍ମ ହୋଇଥିଲା । ଘରେ ନିଜ ମାଆକୁ ରଖି କୌଣସି ପ୍ରକାରରେ ପିଲାଟିର ଲାଳନ ପାଳନ କରିଥିଲା । କଟକ ଆସିଲା ବେଳେ ଝିଅଟିକୁ ତା’ ମାଆ ପାଖରେ ଅର୍ଥାତ୍ ବାପଘରେ ଛାଡ଼ିଥିଲା । କାରଣ ସହରବଜାରରେ କିଏ କାହା କଥା ବୁଝୁଛି । ସମସ୍ତେ ଯେ ଯାହା କାମରେ ବ୍ୟସ୍ତ । ମାଆକୁ ଆଣି ଏଠାରେ ରଖି ପାରିଥାନ୍ତା, କିନ୍ତୁ ତାଙ୍କର ଭରଣପୋଷଣ ଦାୟିତ୍ୱ ତୁଲାଇବା ସେବେଳରେ ସେମାନଙ୍କ ପକ୍ଷେ ଅସମ୍ଭବ ଥିଲା । ବଡ଼ ବଡ଼ ଛୁଟିମାନଙ୍କରେ ଲତା ଝିଅ ପାଖକୁ ଯାଏ । କେତେବେଳେ କେମିତି କଟକ ଘେନି ଆସେ । ତା’ପରେ ଏମ୍.ଏସ୍.ସି. ପଢ଼ିବାର ପ୍ରଥମ ବର୍ଷ ପୁଅଟିଏ ଜନ୍ମ ହେଲା, ତାକୁ ମଧ୍ୟ ମାଆ ପାଖରେ ଛାଡ଼ି ଦେଇ ଆସିଥିଲା । ଏମ୍.ଏସ୍.ସି. ପରୀକ୍ଷା ଶେଷ ହେବା ପରେ ପରେ ସେମାନେ ପିଲା ଦୁଇଟିକୁ ପାଖକୁ ଆଣିଛନ୍ତି । ଝିଅଟି ବଡ଼ ହୋଇଗଲାଣି । ତାକୁ ସହରର ଗୋଟିଏ ଇଂରାଜୀ ମାଧ୍ୟମ ସ୍କୁଲରେ ଏବଂ ସେହି ସ୍କୁଲର ନର୍ସରୀରେ ଝିଅଟିକୁ ପଢ଼ାଉଛନ୍ତି । ଏଥିପାଇଁ ଅରଣ୍ୟ ଓ ଲତାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ସାକ୍ଷାତକାରର କିଛିଦିନ ପରେ ଲତାର ନିଯୁକ୍ତି ପତ୍ର ଆସି ପହଞ୍ଚିଛି । ରମାଦେବୀ ମହିଳା କଲେଜ, ଭୁବନେଶ୍ୱରରେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଅଧ୍ୟାପିକା ପଦରେ ଯୋଗ ଦେବାକୁ ପଡ଼ିବ । ସେମାନେ ଯାହା ହେଉ ଭାରି ଖୁସି ହେଲେ । ଏତେ ଦିନେ ଭଗବାନ ତାଙ୍କ ଡାକ ଶୁଣିଲେ । ଲତା କଟକରୁ ଭୁବନେଶ୍ୱର ଦୈନିକ ଯିବା ଆସିବା କଲା । ସବୁ ଠିକ୍‌ଠାକ୍ ହୋଇଗଲା, କିନ୍ତୁ ପିଲା ଦୁଇଟିଙ୍କ ପାଇଁ ଅସୁବିଧା ଉପୁଜିଲା । ସେମାନଙ୍କ ଯତ୍ନ ନେଇହେଲା ନାହିଁ । ସୁତରାଂ ଅରଣ୍ୟକୁ ଲତା ବୁଝାଇ କହିଲା- ମୁଁ ଭୁବନେଶ୍ୱର ନିତି ଯିବା ଆସିବା କରିବାରୁ ପିଲାମାନଙ୍କର ସୁବିଧା ଅସୁବିଧା ଦେଖି ହେଉନାହିଁ । ବି.ଡ଼ି.ଏ. କଲୋନୀରେ ମୁଁ ଗୋଟିଏ ଘରଭଡ଼ା ବୁଝିଛି । ସେଠାରେ ପିଲାମାନଙ୍କୁ ନେଇ ରହିବି । ସେମାନେ ସେଠାରେ ପଢ଼ିବେ । ଆଉ ତୁମେ ଏଠାରେ ରହିବ ଏକୁଟିଆ । ଅରଣ୍ୟ ବାଧ୍ୟ ହୋଇ ଲତା କଥାରେ ରାଜି ହେଲା । ଆଉ ଅନ୍ୟ ଉପାୟ କିଛି ନ ଥିଲା ତା’ ପାଖରେ ।

ସେଇଆ ହେଲା । ଶନିବାର-ରବିବାର ହେଲେ ଅରଣ୍ୟ ପିଲାମାନଙ୍କ ପାଖକୁ ଯାଏ । ଏମିତି କିଛି ଦିନ ଚାଲିଗଲା । ଦିନେ ଅରଣ୍ୟ ତା’ ମୁଣ୍ଡରୁ ବୁଦ୍ଧି ବାହାର କରି କହିଲା- “ଆଚ୍ଛା ଲତା ! ମୁଁ ଯଦି କଟକ ଘର ଛାଡ଼ି ଏଠାରେ ରହନ୍ତି, ତାହାହେଲେ ତ ଭଲ ହୁଅନ୍ତା । ଦୁଇଟା ଜାଗାରେ ଘରଭଡ଼ା ଦେବାକୁ ପଡ଼ନ୍ତା ନାହିଁ । କିମ୍ୱା ଦୁଇଟା ଚୁଲୀ ଜଳନ୍ତା ନାହିଁ । ମୁଁ ପ୍ରତିଦିନ ଭୁବନେଶ୍ୱରରୁ କଟକ ଯାଇ ବ୍ୟାଙ୍କ କାମ ସାରି ପୁଣି ସନ୍ଧ୍ୟା ଭିତରେ ଘରକୁ ଫେରି ଆସନ୍ତି । କ’ଣ କହୁଛ ? ଭଲ ହୁଅନ୍ତା ନାହିଁ ।” ଉକ୍ତ ପ୍ରସ୍ତାବରେ ଲତା କାହିଁକି ଏକମତ ହେବାର ଦେଖାଗଲା ନାହିଁ । ସେ ଖାଲି ଏଣୁ ତେଣୁ କହି ଅରଣ୍ୟକୁ ଭୁଲାଇ ଦେବାକୁ ଚେଷ୍ଟା କଲା । ଅରଣ୍ୟ ଅବା କହିବ କ’ଣ ? ସେଇ କଟକରେ ସେମିତି ପିଲାଛୁଆ ଛାଡ଼ି ଏକୁଟିଆ ପଡ଼ିରହିଲା । ରବିବାର ଛୁଟିଦିନ ଦେଖି ସେମାନଙ୍କ ପାଖକୁ ଯାଏ । କିନ୍ତୁ ପିଲାମାନେ ବାପା ବୋଲି ଡାକୁଥିଲେ ସୁଦ୍ଧା, କ୍ରମେ ଲତା ଠାରୁ ଆଦର ଅଭ୍ୟର୍ଥା ପାଇଲା ନାହିଁ । ଅଥବା ତା’ ଠାରୁ ମନଖୋଲା କଥା ପଦେ ଶୁଣିବାକୁ ମିଳିଲା ନାହିଁ । ତା’ ଚାଲିଚଳନରେ ଥିଲା ଏପରି ଏକ ଭାବ ଯାହାକି ସେ ତାକୁ ପୂର୍ବରୁ ଚିହ୍ନେନାହିଁ କି ଜାଣେ ନାହିଁ । ସତେ ଯେମିତି ସେ ତାଙ୍କ ଘରର ଚାକର । ସେହିଭଳି କଥାବାର୍ତ୍ତା ସେମିତିକା ଆଚରଣ । ଅରଣ୍ୟ କୌଣସି ପ୍ରକାରରେ ସେସବୁ ସମ୍ଭାଳି ନେଉଥିଲା । ଧୈର୍ଯ୍ୟଧରି ସହି ଯାଉଥିଲା । କାରଣ ସେତେବେଳେ ତା’ ପକ୍ଷରେ ଅନ୍ୟ ବାଟ ନଥିଲା । ଏଭଳି ପରିସ୍ଥିତିରେ ତା’ର ମାନସିକ ଅବସ୍ଥା ଭଲ ରହିଲା ନାହିଁ । ସେ କିଛିଦିନ ଭୁବନେଶ୍ୱର ଆସିବା ବନ୍ଦ କରିଦେଲା । ତଥାପି ଲତାର କୌଣସି ଖୋଜ୍ ଖବର ନାହିଁ ।

ଦୀର୍ଘଦିନ ସମ୍ପର୍କ କ’ଣ ସହଜରେ ଛିଡ଼ିଯାଏ ! ପୁଣି ଅଗ୍ନିକୁ ସାକ୍ଷୀ ରଖି ସେମାନେ ସ୍ୱାମୀ-ସ୍ତ୍ରୀ ଭାବରେ ବନ୍ଧା । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମୟିକ ମନୋମାଳିନ୍ୟକୁ ଲୋକେ ଦାମ୍ପତ୍ୟ କଳହ ରୂପେ ବିବେଚନା କରନ୍ତି । ତେଣୁ ଆଗକାଳରେ ଏସବୁ କଥାକୁ କେହି ଗୁରୁତ୍ୱ ଦେଉନଥିଲେ । କାରଣ ଆଜି ସ୍ତ୍ରୀ-ପୁରୁଷଙ୍କ ଭିତରେ କଳି ଲାଗିଛି, ଅଥଚ କାଲିକି କିମ୍ୱା ପରମୁହୂର୍ତ୍ତକୁ ତୁମେ ମୋର, ମୁଁ ତୁମର ହୋଇଯିବେ । ଆମ ଭାରତୀୟ ସଂସ୍କୃତିରେ ଦାମ୍ପତ୍ୟ ଜୀବନ ପରା ଏଇଆ । ଅରଣ୍ୟ ମନକୁ ବୁଝାଏ । ତା’ ଜୀବନ ଦୁଃଖରେ ଗଢ଼ା, ତେଣୁ ସେ ବେଳେବେଳେ ବୁଝିଯାଏ । କେବଳ ଅଭିମାନ କରି ଭାବେ, ଯାହା ପାଇଁ ସେ ଏତେ ବଡ଼ ତ୍ୟାଗ କରିଥିଲା, ତା’ ଠାରୁ କ’ଣ ଏଇଆ ଆଶା କରେ ? ଧିକ୍ ଏ ସଂସାର ! ଧିକ୍ ଏ ମଣିଷ ପଣିଆ ! ମଣିଷ ଉଚ୍ଚଶିକ୍ଷା ପାଇବା ପରେ କ’ଣ ପଶୁ ପାଲଟି ଯାଏ ? ପଶୁ ହୃଦୟରେ ତ କୃତଜ୍ଞତା ପୁରି ରହିଛି । ଭଲମନ୍ଦ ବିଚାର କରିବା ଶକ୍ତି ତା’ର ଅଛି । ସେ ଆଶ୍ଚର୍ଯ୍ୟ ହୁଏ ଲତା ଏତେ ଶୀଘ୍ର ସବୁକଥା ଭୁଲିଗଲା କେମିତି ?

ଅରଣ୍ୟ ଏକଥା ଭାବି ଅତି ଦୁଃଖରେ ଭାଙ୍ଗି ପଡୁଥିବାବେଳେ ଲତା କିନ୍ତୁ ଅତି ଆନନ୍ଦରେ ରହିଛି । ପାଖ ଘରେ ଜଣେ ଅବିବାହିତ ଇଞ୍ଜିନିୟରଙ୍କ ସହିତ ତା’ର ଘନିଷ୍ଟ ପ୍ରେମ ସମ୍ପର୍କ ବଢ଼ି ଉଠିଛି । ଧନବନ୍ତ, ରୂପବନ୍ତ ଇଞ୍ଜିନିୟରଙ୍କୁ ପାଇ ସେ ବର୍ତ୍ତମାନ ପ୍ରେମପାଗଳିନୀ ହୋଇଯାଇଛି । ତା’ ବଦଳରେ ଅରଣ୍ୟ ପ୍ରତି ତା’ର ଘୃଣାଭାବ ଜାତ ହୋଇଛି । ସେ ଅପ୍ସରା ଭୁବନରେ ଥାଇ ଭୁଲିଯାଇଛି ତା’ର ଦୁଃଖର ଦିନଗୁଡ଼ିକକୁ ।

ଯେତେ ଯାହା ହେଲେ ସୁଦ୍ଧା ଅରଣ୍ୟ ତଥାପି ଛୁଟିଦିନ ଦେଖି ଦିନେ ଯାଇଛି ଲତା ପାଖକୁ ବିଶେଷତଃ ତା’ ପିଲାଛୁଆଙ୍କୁ ସେ ଅନେକ ଦିନରୁ ଦେଖିନାହିଁ । ମନଟା ସେମାନଙ୍କ ପାଇଁ ବ୍ୟାକୁଳ ହୋଇ ଉଠୁଛି । ସେଠାରେ ପହଞ୍ଚିବା ମାତ୍ରେ ଘର ଆଗ ଖୋଲା ସ୍ଥାନରେ ଖେଳୁଥିଲେ ପିଲାମାନେ । ଦେଖି ପକାଇ ଦୌଡ଼ିଆସି ବାପା ବୋଲି କହି ନମସ୍କାର କଲେ । ପୁଅଝିଅ ଦୁଇଜଣଙ୍କୁ କୋଳେଇ ନେଇ କାଖେଇ କରି ଘର ଭିତରକୁ ଚାଲିଲା ଅରଣ୍ୟ । ଘର ଭିତରେ ପାଦ ଦେଇ ଦେଖିଲା, ସୋଫା ଚେୟାର ଉପରେ କେହି ଜଣେ ବାବୁ ବସି ଚା’ ପିଉଛନ୍ତି । ତାଙ୍କ ବେଶପୋଷାକରୁ ଜଣାପଡୁଛି ସେ ଯେପରି ସେହି ଘରର ଲୋକ । ପୂର୍ବରୁ ଥିଲେ । ଆଜି ମଧ୍ୟ ଅଛନ୍ତି । ସେ ତାଙ୍କୁ ପଚାରିଲା- “ଲତା ଘରେ ନାହିଁ କି ?” ସେ ବାବୁ ଜଣକ କିଛି ନ କହି ଆଙ୍ଗୁଳି ନିର୍ଦ୍ଦେଶ କରିଦେଲା ସଂଲଗ୍ନ କୋଠରୀ ଆଡ଼କୁ । ଅରଣ୍ୟ ସେ ଆଡ଼କୁ ଚାଲିଗଲା ନିର୍ଭୟରେ । ଲତା ସେଠାରେ ଥାଇ ମୁଣ୍ଡ କେଶ ସାଉଁଳାଉଛି । ବୋଧହୁଏ କୁଆଡ଼େ ଯିବ । ଅରଣ୍ୟକୁ ଦେଖି କିଛି ନ କହି ଫସ୍ କରି ବାହାରକୁ ପଳାଇଗଲା । ସେ ବାଧ୍ୟ ହୋଇ ଆର ଘରକୁ ଫେରି ଆସି ଦେଖିଲା ସେଠାରେ ବସିଥିବା ବାବୁ କୁଆଡ଼େ ପଳାଇ ଗଲେଣି । ପିଲାମାନେ ସେତେବେଳେ ପୁଣି ଖେଳିବାକୁ ଚାଲିଯାଇଛନ୍ତି । ସେ ବାଧ୍ୟ ହୋଇ ଏକୁଟିଆ ସେହି ସୋଫା ଉପରେ ବସି ରହିଲା । ଘର ମୁକୁଳା, ପୁଣି ପିଲାମାନେ ବାହାରେ ଖେଳୁଛନ୍ତି ।

କିଛି ସମୟ ପରେ ଲତା ଫେରି ଆସିଲା ଏକା ଏକା । ମନେ ହେଉଥିଲା ସେ କୌଣସି କାମରେ ଯାଇଥିଲା ବାହାରକୁ । ଘରେ ସେ ପର୍ଯ୍ୟନ୍ତ ଅରଣ୍ୟକୁ ବସିଥିବା ଦେଖି ଅତି ବିରକ୍ତ ହୋଇ ଉଠିଲା ଲତା । ଭତ୍ସନା କରି କହିଗଲା ତା’ ପାଟିକୁ ଯା’ ଆସିଲା, ନିର୍ଲଜ ଭଳି ଏଠାକୁ କାହିଁକି ଆସିଛ ? ତୁମେ କ’ଣ ମୋର ଉପଯୁକ୍ତ ? ତୁମ ପିଲାମାନଙ୍କୁ ଏଠାରୁ ନେଇଯାଅ । କାରଣ ମୁଁ ସେମାନଙ୍କୁ ମୋ ବାପଘରୁ ଆଣି ନଥିଲି । ତୁମ ସହିତ ମୋର ଆଉ କିଛି ସମ୍ପର୍କ ନାହିଁ । ଖବରଦାର୍, ଏଣିକି ଆଉ ଏଠିକି ଆସିବ ନାହିଁ । ତୁମ ପିଲାମାନଙ୍କୁ ନେଇ ଏଠାରୁ ଶୀଘ୍ର ଯାଅ । ଏହିପରି ଯାହା ଇଚ୍ଛା ତାହା କହି ଚାଲିଥିଲା କ୍ରୁଦ୍ଧିତା ସର୍ପିଣୀ ତୁଲ୍ୟ ଅଧ୍ୟାପିକା ଲତା ।

ସେକାଳରେ ଅରଣ୍ୟ କେବଳ ଶୁଖିଲା ମୁହଁ ଓ ଲୁହ ଛଳଛଳ ଆଖିରେ ଚାହିଁ ରହିଥିଲା ପ୍ରଚଣ୍ଡ ରୂପଧାରିଣୀ ଲତାକୁ ନିର୍ବାକ ଓ ନିସ୍ପନ୍ଦ ଅବସ୍ଥାରେ ।

ଲୋକପ୍ରିୟ ଲେଖା

To Top