ଗଳ୍ପ

ମିଛେଇ

Iti Das's odia story Michhei

ଅନୁ ଚମକି ପଡ଼ି ଭାବିଲା କ’ଣ ସବୁ ମା’ ମିଛେଇ ? ଏବେ ବୁଝିଲା ବୋଉ କାହିଁକି ଲୁଚେଇଛି ।

ମିଛେଇ

ହ୍ୟାଲୋ, ବୋଉ ! କ’ଣ କରୁଥିଲୁ କି ? ଏତେ ଡେରିରେ ଫୋନ୍‌ଟା ଉଠେଇଲୁ ? କାଲି ରାତିରେ ବି କରିଥିଲି, ଉଠେଇଲୁନି ? ତୁ ଠିକ୍ ଅଛୁ ତ ? ଅନୁର ଧାଡ଼ି ଧାଡ଼ି ପ୍ରଶ୍ନ ଶୁଣି, ଟିକେ ହସିକି ଅନୁବୋଉ କହିଲେ, ”ଆଲୋ ମା’, ରହ ! କେତେ କଥା ଏକାଥରେ ପଚାରୁଛୁ କହିଲୁ । ବାରିଆଡ଼େ ଥିଲି ପରା । କାଲି ଫୋନ୍‌ଟା ବାଜିଲା ଶୁଣି ସେଠୁ ଆସୁ ଆସୁ କଟିଗଲା । ଜାଣିପାରିଲିନି କିଏ କରିଛି ।”

ଜାଣିପାରିଲୁନି ଟି । କେତେଥର କହିଲିଣି ମୋବାଇଲ୍‌ଟେ ରଖ । କେତେ ସୁବିଧା । ଆଜିକାଲି କେତେ ଶସ୍ତାରେ ମିଳୁଛି । କଲ୍ ତ ସବୁ ମାଗଣା ପ୍ରାୟ । ହେଲେ ତୁ କ’ଣ ଶୁଣିବୁ ମୋ କଥା । ବହୁତ ଜିଦ୍ଦି ତୋର ।

ଧେତ୍, ଜିଦ୍ଦି କ’ଣ ! ମତେ ସେ ମୋବାଇଲି ଫୋବାଇଲି ଚଲେଇ ଆସିବନି । ପଛ ଘର ଟୁକୁନା ଆଣି ଦେଖଉଥିଲା ଯେ, ମତେ ସେଗୁଡ଼ା ଏ ବୁଢ଼ୀ ଦିନେ କିଛି ଆରଉନି । ଆଉ କେତେଦିନ ବଞ୍ଚିବି ଯେ । ଏତେ କଥା ଶିଖିବି ।

ବୋଉ ! ! ! ଏମିତି ବାଜେ କଥା କହିବୁ ତ ଦେଖିବୁ । ଆଉ କଥା ହେବିନି । ତୁ ଟିକେ ସବୁଦିନ ଫୋନ୍ କରିଦଉନୁ । ମତେ ଯେ କେତେ ବ୍ୟସ୍ତ ଲାଗୁଛି । ତୁ ଉଠେଇଲୁନି ବୋଲି ଭାସିଆ ଭାଇକୁ ଲଗେଇଲି । ସେ ବି ଉଠେଇଲାନି । କୁଆଡ଼େ ବ୍ୟସ୍ତ ଥିଲା ବୋଧେ ।

ଆଲୋ ! ଭାସିଆ ପରା ତା’ ମାମୁଁ ଝିଅ ଭଉଣୀ ବାହାଘରକୁ ଯାଇଛି କାଲି ସକାଳୁ । ହଉ ଛାଡ଼ । ଝିଅ ସ୍କୁଲ ଯାଇଥିବ । ମୋ ଝିଅ ଦେହରେ ଟିକେ ମାଉଁସ ଲାଗିଲାଣି ନା ନାହିଁ । (ଅନୁ ଆଉ ବୋଉ ଟିକେ ହସି ଦେଲେ) । ସୁଧୀର କେମିତି ଅଛନ୍ତି ?

ବୋଉ ! ଆମେ ସବୁ ଭଲ ଅଛୁ ଲୋ । ତୁ ଆମ ପାଇଁ ବ୍ୟସ୍ତ ହ’ନି । ସୁଧୀର ଅଫିସ୍ ଟିକେ ଆଜି ଜଲ୍ଦି ଯାଇଛନ୍ତି । ମୁଁ ଏବେ ଅଫିସ୍ ବାହାରି ଯିବି । ଦିନସାରା କାମ ଭିତରେ ତତେ ଆଉ ଲଗେଇପାରିବି କି ନାହିଁ ବୋଲି ଲଗେଇ ଦେଲି । ହଁ ! ତୁ ଠିକ୍‌ରେ ମେଡ଼ିସିନ୍ ଖାଉଛୁ ତ ? ହଁ, ହଁ, ଖାଉଛି । ସରିଗଲେ ପୁଣି ସେଇ ଭାସିଆ ଆଣିକି ଦଉଛି ।

କିଛି ମନେପଡ଼ିଲା ପରି ଅନୁ କହିଲା, ”ବୋଉ, ଆର ସପ୍ତାହରେ ତୋର ରୁଟିନ୍ ଚେକ୍ଅପ୍ ଅଛି । ଯାଇ କରେଇଦବୁ । ଖାଲିପେଟରେ ଯିବୁ, ବ୍ଲଡ୍‌ଟେଷ୍ଟ୍ ଅଛି । ମୁଁ ଗଲାଦିନ ମନେ ପକେଇଦେବି । ଆଉ, କିଛି ଟଙ୍କା ତୋ ଆକାଉଣ୍ଟ୍‌କୁ ବି ପଠେଇ ଦେବି ।”

ବୋଉ ବ୍ୟସ୍ତ ହେଇ କହିଲା, ”ଟଙ୍କା କାହିଁକି ପଠେଇବୁ ? ମୋ ପାଖେ ଅଛି ପରା, ପେନ୍‌ସନ୍ ଟଙ୍କା କ’ଣ ସବୁ ସରୁଛି ।” ଶୁଣିକି ଖାଲି ହୁଁ କହିଲା ଅନୁ । କହିଲା, ”ହଉ, ବୋଉ ଯାଏ, ଡେରି ହେଲାଣି, ମ୍ୟାନେଜର୍ ପୁଣି ଗରଗର ହେବ । ହଉଲୋ, ମା’ ଯା’, ଭଲରେ ଟିକେ କ’ଣ ଖାଇକି ଯିବୁ, କେତେ ଖଟୁଚୁ ଦିନସାରା ।”

ଅଫିସ୍‌ରେ ଥିଲା ବେଳେ, ଭାସିଆଭାଇ ଫୋନ୍ ଆସିଲା । କହିଲା, ”ସରି ଅନୁ ! କାଲି ଟିକିଲି ବାହାଘରେ ଥିଲି । ବାଜା ଗୀତରେ ତୋ ଫୋନ୍ ରିଙ୍ଗ୍ ଶୁଭିଲାନି । ରାତିରେ ଡେରିରେ ଦେଖିଲି । ଆଉ କହ କେମିତି ଅଛୁ ?” ନାଇଁ ଭାଇ, କାଲି ରାତିରେ ବୋଉ ଫୋନ୍ ଉଠେଇଲାନି ବୋଲି ବ୍ୟସ୍ତ ଲାଗିଲା ଆଉ ତତେ ଲଗେଇଦେଲି । ଭାସିଆ ଭାଇ କହିଲା, ”ଓଃ, ଆରେ ନାଇଁ, ତୁ ବ୍ୟସ୍ତ ହବୁନି ଡାକ୍ତର କହିଛି ବେଶୀ କିଛି ହେଇନି । ଗରମ ପାଣି ସେକ, ପେନ୍‌କିଲର୍ ଆଉ ମୁଭ୍‌ରେ ଧୀରେ ଧୀରେ ଭଲ ହେବ । ମାଉସୀ ବି କ’ଣ ଶୁଣୁଛନ୍ତି, ଛୋଟେଇ ଛୋଟେଇ ଚାଲି ସବୁ କାମ କରୁଛନ୍ତି ।”

ଗୋଡ଼ ! ବୋଉର ! କ’ଣ ହେଲା ? କାଇଁ କେବେ ହେଲା ମତେ ତ କହିନି ବୋଉ । ଆରେ କି କଥା କହୁଛୁ ଅନୁ । ମତେ ତ କହିଲେ, ତତେ କହିଛନ୍ତି ବୋଲି । ଅଗଣାରେ ଶିଉଳିରେ ଗୋଡ଼ ଖସି ମୋଡ଼ି ହେଇଯାଇଛି । ଭାଙ୍ଗିନି ଯାହା । ଗାଁ ଡାକ୍ତର ଆସି ଦେଖିଯାଇଛନ୍ତି । ମୁଁ ଔଷଧ ଆଣି ଦେଇଛି । ବ୍ୟସ୍ତ ହବୁନୁ । ଭାସିଆ ଭାଇ କ’ଣ କ’ଣ ସବୁ କହିଗଲା ଅନୁକୁ ଆଉ କିଛି ଶୁଭିଲାନି । ତା’ ଆଖିରେ ଲୁହ ଜାକି ଆସିଲା । ବୋଉର ଶୁଖିଲା ମୁହଁଟା ମନେପଡ଼େ ଛାତି ଭିତରଟା ଘାଣ୍ଟି ହେଇଗଲା । ଖାଲି ଏତିକି କହିଲା, ”ମିଛେଇଟା ମତେ କିଛି କହିନି, ହଉ ଭାଇ ରଖୁଛି, ମିଟିଙ୍ଗ୍ ଯିବି ।” ଫୋନ୍‌ଟା ରଖି କେତେ କ’ଣ ଭାବିଗଲା । ଦଶହରାରେ ଗାଁକୁ ଯିବ ବୋଲି ଭାବୁଛି । ହେଲେ, ସେଇ ସେପ୍ଟେମ୍ୱରରେ ଝିଅର ପରୀକ୍ଷା ଥିବ ପରା । ସୁଧୀରଙ୍କୁ ଆଉ ତାକୁ ଏଇ ଦିଲ୍ଲୀର ପ୍ରାଇଭେଟ୍ କମ୍ପାନୀ ଚାକିରୀରେ ଦଶହରାରେ କ’ଣ ଛୁଟି ମିଳିବ କି ନାହିଁ ଠିକ୍ ନାହିଁ । ଫାଇଲ୍‌ଟା ରଖୁ ରଖୁ ଭାବିଲା ଦରଜ ଗୋଡ଼ରେ ବୋଉ ଆଉ ଉଠି ଆସି କାଲି ଫୋନ୍‌ଟା ଉଠେଇନି । ଏକୁଟିଆ କେତେ ହଇରାଣ ହଉଥିବ । ବହୁତ ବର୍ଷପରେ ହଜାରେ ମାନସିକ କଲାପରେ କୁଆଡ଼େ ଅନୁ ଜନ୍ମ ହେଇଥିଲା । ବୋଉ ଆଖିର ତାରା ସେ । କେତେ ସରାଗ ତା’ ପାଇଁ । କେତେ ଖୁସିରେ ପାଠ ପଢ଼ାଇଥିଲା । ବାପା ଗଲାପରେ ବି ହଇରାଣ ହେଉ ତାକୁ ପଢ଼େଇଲା । ବୁଝେଇ ଥିଲା, ଚାକିରୀ କରିବୁ, ଆତ୍ମନିର୍ଭର ରହିବୁ । ଏମିତି କେତେ କ’ଣ ଭାବୁ ଭାବୁ ନିଦଟା ସରିଗଲା ।

ସନ୍ଧ୍ୟାରେ ଘରେ ଧୂପ ଲଗଉ ଲଗଉ ଲୁହ ଗଡ଼ିଗଲା । ତା’ ୧୦ ବର୍ଷର ଝିଅ ତାକୁ ପଛରୁ କୁଣ୍ଢେଇ କି କହିଲା, ”ମାମା, ଗଡ୍‌ଙ୍କୁ କ’ଣ କହିଲ ? ଆରେ ! ମାମା, କାନ୍ଦୁଛ କି ? ଅଫିସ୍‌ରେ କିଏ କ’ଣ କହିଲା କି ? ପାପା ସାଙ୍ଗେ ଗୁସ୍ସା ହେଇଛ ?” ତା’ ଖଣ୍ଡି ହିନ୍ଦୀ ମିଶା ଓଡ଼ିଆ ଶୁଣି ଟିକେ ହସି ଦେଇ କହିଲା, ”ନାଇଁରେ ଧନ, କିଛି ହେଇନି, ମୁଁ ତ କାଇଁ କାନ୍ଦୁନି । ମୁଁ କାହିଁକି କାନ୍ଦିବି ?” ଝିଅ ମୁହଁ ବୁଲେଇ କି ରୁଷିକି କହିଲା, ”ମୁଁ ବିଗ୍ ଗାର୍ଲ, ସବୁ ଜାଣୁଛି, ତମେ ଝୁଠ୍ କହୁଛ, ମିଛେଇ !” ଅନୁ ଚମକି ପଡ଼ି ଭାବିଲା କ’ଣ ସବୁ ମା’ ମିଛେଇ ? ଏବେ ବୁଝିଲା ବୋଉ କାହିଁକି ଲୁଚେଇଛି । ଟିକେ ହସି ଦେଇ କହିଲା, ”ଯା’ ମା’, ପାଠ ଆରମ୍ଭ କର, ମୁଁ ଆସୁଛି ।” ଝିଅ ଗଲା ପରେ ମନକୁ କହିଲା, ”ଆଉ ବୋଉ କଥା ଶୁଣିବିନି, ଏଥର ଗାଁକୁ ଗଲେ ସୁଧୀର ଆଉ ମୁଁ ଜବରଦସ୍ତି ଦିଲ୍ଲୀ ତାକୁ ନେଇଆସିବୁ । ଆଉ ସେ ଏକା ରହିବନି ।” ଏତିକି ଭାବି, ଠାକୁରଙ୍କ ଆଗେ ମୁଣ୍ଡିଆ ମାରିଲା ବେଳକୁ କଲିଂ ବେଲ୍ଟା ବାଜିଲା । ସୁଧୀର ଆସିଚନ୍ତି ଜାଣି ଖୋଲିବାକୁ ତରତର ହେଇଗଲା ବେଳକୁ ତା’ ମନ ଆଉ ପାଦ ଉଭୟ ହାଲୁକା ଲାଗୁଥିଲେ ।

ଲୋକପ୍ରିୟ ଲେଖା

To Top