ତାତ୍ତ୍ୱିକ ବ୍ୟାଖ୍ୟା

ମହାପାପୀ ଅଜାମ୍ୱିଳ

Odia Writer Shreebatsa Prasad Nath

ସୃଷ୍ଟି କାର୍ଯ୍ୟରେ ସହାୟତା କରିଥିବାରୁ ସେ ବ୍ରାହ୍ମଣ ହେଲେ ସୁଦ୍ଧା ତା’ର କାର୍ଯ୍ୟ ଚଣ୍ଡାଳର କାର୍ଯ୍ୟପରି ।

ମହାପାପୀ ଅଜାମ୍ୱିଳ

ଅଜାମ୍ୱିଳ ଶବ୍ଦର ଉତ୍ପତ୍ତି ଅଜ ଅମ୍ୱ ଇଳ, ଏହି ତିନିଗୋଟି ଶବ୍ଦରୁ ହୋଇଅଛି । ଅଜ (ଅ + ଜ) ଶବ୍ଦର ଅର୍ଥ ଯେ ଜନ୍ମରହିତ ଅର୍ଥାତ୍ କୌଣସି ଭୌତିକ ବସ୍ତୁରୁ ତା’ର ଜାତ ହୋଇନାହିଁ । ଅମ୍ୱ ଅର୍ଥ ଜଳ । ତେଣୁ ଅଜ ଅମ୍ୱର ତାତ୍ତ୍ୱିକ ଅର୍ଥ ହେଉଛି – ଯେଉଁ ଜଳ ଜନ୍ମରହିତ ଅର୍ଥାତ୍ ତୁଷାରମଣ୍ଡଳର ଜଳରାଶି । ତୁଷାରକଣା ଆପେ ଆପେ ଜାତ ହୋଇଥାଏ । ପର୍ବତ ଗାତ୍ରରେ ଲାଗି ରହି ଶୀତଳତା ପ୍ରାପ୍ତ ହେତୁରୁ ବରଫରେ ପରିଣତ ହୁଏ । ଜଳର ଏହା ଗୋଟିଏ ଅବସ୍ଥା ବା ରୂପାନ୍ତର ମାତ୍ର । ଇଳ ଶବ୍ଦର ଅର୍ଥ କର୍ଦ୍ଦମ ବା ମୃତ୍ତିକା । ତେଣୁ ଇଳା ଶବ୍ଦର ଅର୍ଥ ପୃଥିବୀ ବୋଲି ଶବ୍ଦକୋଷରେ ଉଲ୍ଲେଖ ଅଛି । ମୃତ୍ତିକା ବା ଇଳରୁ ଜାତ ବୋଲି ପୃଥିବୀର ଅନ୍ୟନାମ ଇଳା । ତୁଷାର ତରଳା ଜଳରାଶି ଇଳଯୁକ୍ତ କର୍ଦ୍ଦମାକ୍ତ ହେଲେ ତାକୁ ଆବିଳଜଳ ବା ଗୋଳିଆ ପାଣିବୋଲି କୁହାଯାଇଥାଏ । ଏଠାରେ ଅଜ + ଅମ୍ୱ + ଇଳ = ଅଜାମ୍ୱିଳ, ସେହି ଆବିଳଜଳ ବା ମାଟିକାଦୁଅମିଶା ଜଳକୁ ବୁଝାଇବ । ଏହି ଆବିଳଜଳ ସଦାକାଳରେ ଅପବିତ୍ର କୁତ୍ସିତ ଆବର୍ଜନାପୂର୍ଣ୍ଣ ରୂପ ପରିଗ୍ରହଣ କରିଥିବାରୁ ତାକୁ ମହାପାପୀ ରୂପରେ ଚିତ୍ରଣ କରାଯାଇଅଛି । ସୃଷ୍ଟି କାର୍ଯ୍ୟରେ ସହାୟତା କରିଥିବାରୁ ସେ ବ୍ରାହ୍ମଣ ହେଲେ ସୁଦ୍ଧା ତା’ର କାର୍ଯ୍ୟ ଚଣ୍ଡାଳର କାର୍ଯ୍ୟପରି । ଅତ୍ୟୁଚ୍ଚ ଗିରିଶୃଙ୍ଗ ଉପରୁ ତୁଷାର ତରଳା ଜଳରାଶି ଧାରଧାର ହୋଇ ଗଡ଼ିଆସି ଯେତେବେଳେ ପର୍ବତମାନଙ୍କର କଟିଦେଶ ବା ମଧ୍ୟଭାଗରେ ଥିବା ମାଳଭୂମିମାନଙ୍କରେ ପହେଞ୍ଚ , ସେତେବେଳେ ତାହା ଗୈରିକ ମୃତ୍ତିକାର ସଂପର୍କରେ ଆସି ଆବିଳଜଳରେ ପରିଣତ ହୁଏ । ଏହି ଆବିଳଜଳ ନାନା ଆବର୍ଜନା ବହନ କରେ । ପୁଣି ମୃତ୍ତିକାକୁ କ୍ଷୟ କରେ । ଶୈବାଳ ଓ ତୃଣ ବନ ମଧ୍ୟରେ ପ୍ରବେଶ କରି ସେଗୁଡ଼ିକକୁ ତା’ର ପଟୁମାଟି ବା ମୃତ୍ତିକା ପ୍ରଭାବରେ ପୋତି ପକାଇ ବିନାଶ କରେ । ପୁନଶ୍ଚ ବଡ଼ବଡ଼ ବୃକ୍ଷମାନଙ୍କର ମୂଳସ୍ଥ ମୃତ୍ତିକା ଧୌତ କରି ସେମାନଙ୍କୁ ଉତ୍ପାଟନ କରେ ଏବଂ ସର୍ବୋପରି ଆବିଳଜଳ ପ୍ଳାବନ ବା ବନ୍ୟାଜଳରେ ଜୀବଜଗତକୁ ବିନାଶ କରି ସେ ମହାପାପୀ ଆଖ୍ୟା ପ୍ରାପ୍ତ କରିଅଛି । ଏହି ଆବିଳଜଳର ଗତିପଥ ବା ଜୀବନର ସ୍ରୋତ ନାନା ଦୁଷ୍କର୍ମରେ ପରିପୂର୍ଣ୍ଣ । ତେଣୁ ସେ ଆଜୀବନ ମହାପାପୀ କାର୍ଯ୍ୟରେ ଲିପ୍ତ ରହିଛି । ଶେଷ ଅବସ୍ଥାରେ ତା’ର ପୁତ୍ର ନାରାୟଣ ନାମ ଉଚ୍ଚାରଣ କରି ସେ ସର୍ବମୋକ୍ଷ ପଦ ପ୍ରାପ୍ତ ହୋଇଛି । ନାରାୟଣ ଶବ୍ଦର ବ୍ୟୁତ୍ପତ୍ତି-ନାରା + ଅୟନ । ନାର ବା ନାରା ଶବ୍ଦର ଅର୍ଥ ହେଉଛି – ଜଳ ଏବଂ ଅୟନ ଶବ୍ଦର ଅର୍ଥ ହେଉଛି ଗତିପଥ ବା ମାର୍ଗ । ତେଣୁ ନାରାୟଣ ଶବ୍ଦର ତାତ୍ତ୍ୱିକ ଅର୍ଥ ହେଉଛି – ଜଳର ସ୍ରୋତପଥ – ନଦ ଓ ନଦୀ । ମାଳଭୂମି ମାନଙ୍କରୁ ପ୍ରବାହିତ ଏହି ଆବିଳଜଳର ଧାରଗୁଡ଼ିକ କ୍ରମଶଃ ଏକୀଭୂତ ହୋଇ ମହାସ୍ରୋତ ବା ସରିତର ପରିଣତ ହୋଇଥାଏ । ତେଣୁ ଅଜାମ୍ୱିଳ ବା ଆବିଳ ଜଳର ପୁତ୍ରର ନାମ ନାରାୟଣ ଅର୍ଥାତ୍ ନଦୀର ଜଳସ୍ରୋତ ପଥ । ଯେତେବେଳେ ଆବିଳ ଜଳସ୍ରୋତ ମହା ଜଳସ୍ରୋତର ନାମ ଉଚ୍ଚାରଣ କରି ତହିଁରେ ମିଳିତ ହେବାକୁ ଚେଷ୍ଟା କରିଛି ; ସେତେବେଳେ ତା’ର ମୁକ୍ତିର ପଥ ସୁଗମ ହୋଇଯାଇଛି । ଆବିଳଜଳ ମହାସ୍ରୋତ ପଥ ବା ସରିତରେ ମିଳିତହୋଇ ସାଗର ସଙ୍ଗମ ଲାଭ କରିଛି । ସେତେବେଳେ ତା’ର ଆବିଳତା ବା ପାପରାଶି ଧୋଇ ହୋଇଯାଇ ସେ ଶୁଦ୍ଧ ପୂତ ଜୀବନରେ ମହାସାଗରରେ ଲୀନ ହୋଇ ସର୍ବମୋକ୍ଷ ପଦପ୍ରାପ୍ତ ହୋଇଅଛି । ଏଠାରେ ସାଗର ସହିତ ସରିତର ମିଳନ ପରମାତ୍ମା ସହିତ ଆତ୍ମାର ମିଳନ ସଙ୍ଗେ ତୁଳନୀୟ ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

ଲୋକପ୍ରିୟ ଲେଖା

To Top