ତାତ୍ତ୍ୱିକ ବ୍ୟାଖ୍ୟା

ସାବିତ୍ରୀ ଉପାଖ୍ୟାନ

Odia Writer Shreebatsa Prasad Nath

ସାବିତ୍ରୀ ଅମାବାସ୍ୟା ପର୍ବଟି ଆମ୍ଭେମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ ପରିକ୍ରମା ସମୟରେ ଗ୍ରୀଷ୍ମକାଳର ମଧ୍ୟଭାଗରେ ଜ୍ୟେଷ୍ଠ ଅମାବାସ୍ୟା ତିଥିର ଦିବା ଦ୍ୱିପ୍ରହର ବେଳରେ ପାଳନ କରିଥାଉ ।

ସାବିତ୍ରୀ ଉପାଖ୍ୟାନ

ପୁରାଣରେ ବର୍ଣ୍ଣନା କରାଯାଇଅଛି- ରାଜା ଅଶ୍ୱପତିଙ୍କର କନ୍ୟା ସତୀଶିରୋମଣି ସାବିତ୍ରୀ ସ୍ୱଇଚ୍ଛାରେ ରାଜ୍ୟହରା ବନବାସୀ ଅନ୍ଧରାଜାଙ୍କ ପୁତ୍ର ଯୁବରାଜ ସତ୍ୟବାନଙ୍କ ପାଣିଗ୍ରହଣ କରିଥିଲେ । ସତ୍ୟବାନ ଅଳ୍ପାୟୁ ଏକଥା ଜାଣି ମଧ୍ୟ ସାବିତ୍ରୀ ଏଭଳି ଗୁରୁତର ନିଷ୍ପତ୍ତି ଗ୍ରହଣ କରିଥିଲେ । ଯେତେ ବେଳେ ସତ୍ୟବାନଙ୍କର ଅନ୍ତିମ ସମୟ ଉପସ୍ଥିତ ହେଲା ଏବଂ ଗତାୟୁ ସତ୍ୟବାନଙ୍କୁ ଯମରାଜା ସ୍ୱଦେହରେ ବହନ କରିନେବାକୁ ଆସିଲେ, ସେତେବେଳେ ସାବିତ୍ରୀଙ୍କର ସତୀତ୍ୱର ପ୍ରଭାବରେ ମୁଗ୍ଧ ହୋଇ ମହାକାଳ ଯମ ତାଙ୍କୁ ତିନିଗୋଟି ବର ପ୍ରଦାନ କରିଥିଲେ । ପ୍ରଥମରେ ଅନ୍ଧରାଜା (ସାବିତ୍ରୀଙ୍କର ଶ୍ୱଶୁର) ତାଙ୍କର ଚକ୍ଷୁ ଓ ରାଜ୍ୟ ଲାଭ କରନ୍ତୁ । ଦ୍ୱିତୀୟରେ ରାଜା ଅଶ୍ୱପତି ପୁତ୍ରବାନ ହୁଅନ୍ତୁ । ତୃତୀୟରେ ସାବିତ୍ରୀ ଅମିତ ତେଜ ମହାବୀର ଶତପୁତ୍ରର ଜନନୀ ହୁଅନ୍ତୁ । ସମସ୍ତ ବର ଫଳପ୍ରଦ ହେଲା । କିନ୍ତୁ ଯମରାଜାଙ୍କର ଶେଷ ଆଶୀର୍ବାଦ ଅତ୍ୟନ୍ତ ଜଟିଳ ହୋଇପଡ଼ିଲା । ସେ ତା’ର ସମାଧାନ ନିଜେ କରି ନ ପାରି ବାଧ୍ୟ ହୋଇ ସାବିତ୍ରୀଙ୍କ ନିକଟରେ ହାର ମାନିଲେ ଏବଂ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଶତାୟୁ ବର ପ୍ରଦାନ କଲେ । ଏହା ହିଁ ଏହି ଉପାଖ୍ୟାନଟିର ଉପଜୀବ୍ୟ ବସ୍ତୁ ।

ଅଶ୍ୱ ଶବ୍ଦର ବ୍ୟୁତ୍ପତ୍ତି – ଅଶ୍ + ବ । ଅଶ୍ ଶବ୍ଦରୁ ଅଶ୍ମାନ ଓ ଆଶ୍ମାନ ଶବ୍ଦର ସୃଷ୍ଟି ହୋଇଛି । ଏହି ଶବ୍ଦ ଗୁଡ଼ିକର ଅର୍ଥ ଆକାଶ । ଅଶ୍ ଅର୍ଥ ବ୍ୟାପ୍ତ । ତେଣୁ ଅଶ୍ୱ ଶବ୍ଦର ପ୍ରକୃତ ଭାବାର୍ଥ ହେଲା – ରଶ୍ମିମଣ୍ଡଳ । ରଶ୍ମିମଣ୍ଡଳର ପତି ଅର୍ଥାତ୍ ଅଶ୍ୱପତି ହେଉଛନ୍ତି ସୂର୍ଯ୍ୟ । ତାଙ୍କର ସପ୍ତ ଅଶ୍ୱ ବା ସପ୍ତରଙ୍ଗର ସୌରରଶ୍ମି ସଚରାଚର ବିଶ୍ୱରେ ପ୍ରଧାବିତ ହେଉଛନ୍ତି । ସୃଷ୍ଟିର ପ୍ରାରମ୍ଭରେ ସୌରଶକ୍ତି ନିଷ୍କ୍ରିୟ ଅବସ୍ଥାରେ ଥିଲା । ସେତେବେଳେ ପୃଥିବୀରେ କୌଣସି ଶକ୍ତି କାର୍ଯ୍ୟକାରୀ ଅବସ୍ଥାରେ ନଥିଲା । ସେହି ଶକ୍ତିରୁ ସୃଷ୍ଟି, ସ୍ଥିତି, ଲୟ ଏହି ତ୍ରିଧାରା ବିଚ୍ଛୁରିତ ହୋଇ କ୍ରମଶଃ ପୃଥିବୀ ଗଢ଼ି ଉଠିଲା ଏବଂ ନାନା କ୍ରିୟା ପ୍ରକ୍ରିୟା ସଂଘଟିତ ହେଲା । ପରିବ୍ୟାପ୍ତ ଜଗତରେ ଯେଉଁ ସୌରଶକ୍ତି କାର୍ଯ୍ୟ କରୁଥିଲା, ବିଶେଷତଃ ସୃଷ୍ଟିର ଆରମ୍ଭରେ ତାଙ୍କୁ ଅଶ୍ୱପତି ରାଜା ରୂପରେ ଗ୍ରହଣ କରାଯାଇଅଛି । ସେହି ଅଶ୍ୱପତି ଅର୍ଥାତ୍ ସୂର୍ଯ୍ୟଙ୍କର ସ୍ନେହମୟୀ କନ୍ୟା ହେଲେ – ସାବିତ୍ରୀ ( ସବିତୃ + ଅ + ଈ) ସୃଜନଶକ୍ତି । ଏହା ସୃଷ୍ଟିର ପ୍ରଥମ ହିତକାରୀ ଶକ୍ତି ରୂପରେ ଦେଖାଦେଲେ । ତେଣୁ ସାବିତ୍ରୀଙ୍କୁ ଆଦିମାତା ଗାୟତ୍ରୀ, ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ପତ୍ନୀ ବୋଲି କଳ୍ପନା କରାଯାଇଛି । ସେ ଜଗତର ଆଦିମାତା ଓ ପ୍ରଜନ୍ନୟିତା । ସୂର୍ଯ୍ୟ ସକଳ ଶକ୍ତିର ଆଧାର; ତେଣୁ ସୂର୍ଯ୍ୟ ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ହିସାବରେ ମଧ୍ୟ ସାବିତ୍ରୀଙ୍କୁ ଗ୍ରହଣ କରାଯାଇଅଛି । ସାବିତ୍ରୀ ଅମାବାସ୍ୟା ପର୍ବଟି ଆମ୍ଭେମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ ପରିକ୍ରମା ସମୟରେ ଗ୍ରୀଷ୍ମକାଳର ମଧ୍ୟଭାଗରେ ଜ୍ୟେଷ୍ଠ ଅମାବାସ୍ୟା ତିଥିର ଦିବା ଦ୍ୱିପ୍ରହର ବେଳରେ ପାଳନ କରିଥାଉ । ସାଧାରଣତଃ ପୂର୍ଣ୍ଣାତିଥିରେ ଚନ୍ଦ୍ରଙ୍କର ଓ ଅମାବାସ୍ୟାତିଥିରେ ସୌରଶକ୍ତିର ପ୍ରାଧାନ୍ୟ ବିଶେଷ ଭାବରେ ପରିଲକ୍ଷିତ ହୋଇଥାଏ ।

ଯଜ୍ଞାନୁଷ୍ଠାନ ପାଇଁ ଉପଯୁକ୍ତ ସ୍ଥାନ ଓ ମୃତ୍ତିକା ନିର୍ଣ୍ଣୟ କରିବା ଉଦ୍ଦେଶ୍ୟରେ ବେଦରେ ନିର୍ଦ୍ଦେଶ ଅଛି- ସାବିତ୍ରୀ ମନ୍ତ୍ର ଜପ କରି କର୍ଷିତ ଭୂମିରେ ତିଳବୀଜ ବପନକଲେ ତା’ର ପ୍ରଜନନ ଶକ୍ତିରୁ ଅର୍ଥାତ କେତେ ଦିନରେ ଉକ୍ତ ବିଜରୁ ବୃକ୍ଷ ଉଦ୍‌ଗମ ହେଉଅଛି – ତହିଁରୁ ମୃତ୍ତିକାର ଉପାଦେୟତା ନିର୍ଦ୍ଧାରଣ କରାଯାଇଥାଏ । ବିଶେଷତଃ ପ୍ରଜନନ ଶକ୍ତି ଅଧିକ ଥିଲେ – ଏହାର ଅର୍ଥ ଏହି କି – ଅଳ୍ପ ଦିନରେ ଗଛ ଉଠିଲେ ତାହା ବ୍ରାହ୍ମଣ ବା ଶ୍ରେଷ୍ଠ ମୃତ୍ତିକା ବୋଲି ଜାଣିବ ଏବଂ ସେଠାରେ ଯଜ୍ଞାଧିକାର୍ଯ୍ୟ କରଣୀୟ । ଉପରୋକ୍ତ ବିଷୟରୁ ସହଜରେ ନିର୍ଦ୍ଧାରଣ କରାଯାଇପରେ ଯେ’- ରାଜା ଅଶ୍ୱପତିଙ୍କର କନ୍ୟା ସୃଷ୍ଟିର ଆରମ୍ଭରେ ସୃଜନଶକ୍ତି ରୂପରେ ଦେଖାଦେଲେ । ସେତେବେଳେ ବିଶ୍ୱ ବ୍ରହ୍ମାଣ୍ଡରେ ସୃଷ୍ଟି, ସ୍ଥିତି ଓ ଲୟ ଏହି ତ୍ରିଧାରା ପ୍ରଖର ଗତିରେ କାର୍ଯ୍ୟକରି ଚାଲୁଥିଲା । ମୁହୂର୍ତ୍ତକ ମଧ୍ୟରେ ଜୀବ ଓ ଉଦ୍ଭିଦ ଜଗତରେ ଏହି ତ୍ରିଧାରା କାର୍ଯ୍ୟକାରୀ ହୋଇ ଯାଉଥିଲା । ସେ ସମୟରେ ଜଗତ ଥିଲା ଅଳ୍ପାୟୁ । ଅଜ୍ଞାନ ଅନ୍ଧକାରରେ ପୂର୍ଣ୍ଣ ଅନୁନ୍ନତ ମସ୍ତିଷ୍କର ଜୀବମାନଙ୍କୁ ଯଦି ଅନ୍ଧ ରାଜା ବୋଲି ଧରାଯାଏ, ତେବେ ତାଙ୍କ ଠାରୁ ଏକ ଉନ୍ନତ ମସ୍ତିଷ୍କ ସତ୍ୟବାନ୍ ଅଳ୍ପାୟୁ ପ୍ରାଣୀ ଜାତ ହେଲେ । ସତ୍ = ଉତ୍କୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଥାଏ । ସର୍ବଗ୍ରାସୀ କାଳ ବା ଯମ କବଳରେ ସେମାନେ ସମସ୍ତେ ନିପତିତ ହେଉଥିଲେ । ଯାହାକି ଜୀବଜଗତର ପୁରୁଷାନୁକ୍ରମିକ ବଂଶରକ୍ଷା ହୋଇପାରୁ ନଥିଲା । ଶେଷରେ ଏହି ସୃଜନଶକ୍ତି ସାବିତ୍ରୀଙ୍କ ଦ୍ୱାରା ମହାକାଳ ବା ଅସୀମ ସମୟ ତା’ର ଧ୍ୱଂସକାରୀ ଶକ୍ତି ପରାଭୂତ ହୋଇ ମନ୍ଥର ଗତିରେ କାର୍ଯ୍ୟନିର୍ବାହ କରିବାକୁ ଲାଗିଲା । ସୃଷ୍ଟିରେ ପ୍ରଳୟ ଯେତେ ଶୀଘ୍ର ସଂଘଟିତ ହେଉଥିଲା, ତାହା ଆଉ ହେଲା ନାହିଁ । ପୃଥିବୀ କ୍ରମଶଃ ଶୀତଳ ଓ ଶିଥିଳ ହୋଇ ଆସିଲା । ଏ ସଂପର୍କରେ ବୈଜ୍ଞାନିକମାନେ ମଧ୍ୟ ଏକମତ । ଶେଷରେ ଅନ୍ଧରାଜା ଚକ୍ଷୁଦାନ ପାଇଲା ପରି ଜୀବଜଗତ ଉନ୍ନତ ମସ୍ତିଷ୍କ ପ୍ରାପ୍ତ ହୋଇ କ୍ରମଶଃ ଜ୍ଞାନଚକ୍ଷୁ ଲାଭ କଲେ । ତାଙ୍କର ପୁତ୍ର ସତ୍ୟବାନ୍ ଅଳ୍ପାୟୁ ପରିବର୍ତ୍ତେ ଦୀର୍ଘାୟୁ ହେଲେ । ସୃଷ୍ଟିର ଆଦ୍ୟରେ ପ୍ରଜନନ ଶକ୍ତିର ବହୁଗୁଣରେ ଯେଉଁ ଧ୍ୱଂସଲୀଳା ଚାଲିଥିଲା ତାହା ବନ୍ଦ ହୋଇ ଯାଇ ସୃଷ୍ଟି ଓ ସ୍ଥିତି ଏହି ଦୁଇ ଧାରାର ପ୍ରାବଲ୍ୟ ଦେଖାଦେଲା । ସତ୍ୟବାନ ଶତାୟୁ ହୋଇ ଶତ ପୁତ୍ରର ଜନକ ହେଲେ ଏବଂ ପୃଥିବୀ ପ୍ରାଣୀବହୁଳ ହୋଇ ଉଠିଲା ।

ସର୍ବଶେଷରେ ଏତିକି କୁହାଯାଇ ପାରେ ଯେ – ଏହି ସୃଜନ ଶକ୍ତି ଅର୍ଥାତ୍ ସାବିତ୍ରୀ ପୃଥିବୀର କ୍ଷଣଭଙ୍ଗୁର ଅନିଶ୍ଚିତ ଅବସ୍ଥାରେ ଘୋର ପରିବର୍ତ୍ତନ ଆଣି ସୃଷ୍ଟି କାର୍ଯ୍ୟରେ ସତ୍ୟବାନ୍ ବା ଚିରନ୍ତନ ସତ୍ୟରୂପୀ ଶକ୍ତି, ବସ୍ତୁ ଓ ଜୀବ ଉଦ୍ଭବରେ ସହାୟକ ହୋଇଥିଲେ । ଏଣିକି ସୃଷ୍ଟିକାର୍ଯ୍ୟର ଅନିଶ୍ଚୟତା ଲୋପ ପାଇ ନିଶ୍ଚିତ ଓ ଦୀର୍ଘାୟୁ ଶକ୍ତି, ବସ୍ତୁ ଓ ଜୀବର ଆବିର୍ଭାବ ଘଟିଲା ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

ଲୋକପ୍ରିୟ ଲେଖା

To Top