ରହସ୍ୟ

ଏକ ସମୁଚିତ ‘ଉପସଂହାର’ର ଉପକ୍ରମ

Shastrijinka Hatyaara Rahasya

ଶାସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗକୁ ଘୋଡ଼ାଇ ରଖିବାର ଦୋଷ କେବଳ ଇନ୍ଦିରା ଗାନ୍ଧୀ ସରକାରଙ୍କୁ ନୁହେଁ ତତ୍ପରବର୍ତ୍ତୀ ସରକାରଙ୍କୁ ମଧ୍ୟ ଅନୁରୂପ ଦାୟୀ କରାଯାଇପାରେ ।

ଏକ ସମୁଚିତ ‘ଉପସଂହାର’ର ଉପକ୍ରମ

ତାସକନ୍ଦ ଘଟଣାର ୫୨ବର୍ଷ ପରେ, ଐଶ୍ୱରିକ ଲୀଳା/ସିଦ୍ଧାନ୍ତ ଅନୁଯାୟୀ, ଭାରତର ସବୁଠାରୁ ଦୀର୍ଘମିଆଦୀ ବିବାଦର ଯବନିକା ନିମନ୍ତେ ଏକ ଉତ୍ତମ ସୁଯୋଗ ଆମ ଦିଗରେ ଅଗ୍ରସର । ଆଶା କରାଯାଇପାରେ ଯେ ଯେଉଁ ଦୃଶ୍ୟର ଅବତରଣ ହେବାକୁ ଯାଉଛି ତାହା ୧୯୯୧ରେ ଆମେରିକାରେ ଘଟିଥିବା କିଛି ଘଟଣାର ଅବିକଳ ପ୍ରତିରୂପ ହୋଇପାରେ । ନବେ ଦଶକର ଆଦ୍ୟ ସୋପାନରେ ଚଳଚିତ୍ର ନିର୍ମାତା ଓଲିଭର ଷ୍ଟୋନ, ୧୯୬୩ରେ ଜନ୍‌ ଏଫ୍‌ କେନେଡ଼ିଙ୍କ ହତ୍ୟା ପ୍ରଚ୍ଛଦରେ ନିହିତ ଅନେକ ଷଡ଼ଯନ୍ତ୍ର ମତବାଦର ପୃଷ୍ଠଭୂମିରେ ‘ଜେଏଫ୍‌କେ’ ଶୀର୍ଷକ ଏକ ଧ୍ୟାନ ଆକର୍ଷଣକାରୀ ଚଳଚିତ୍ର ନିର୍ମାଣ କରିଥିଲେ । ଏହା ଦ୍ୱାରା ଆମେରିକୀୟଙ୍କ ଅବରୁଦ୍ଧ ପୀଢ଼ାର ପ୍ରଶମନ ସହିତ ଡଲାସ୍‌ରେ ଆତଙ୍କି ଗୁଳିବର୍ଷଣର ପ୍ରକୃତ ସତ୍ୟ ଉନ୍ମୋଚନ ସକାଶେ ସେମାନଙ୍କ ଦୀର୍ଘ ଅଭିଳାଷ ସାକାର ହେଲା । ଚଳଚିତ୍ରର ଉପକ୍ରମ ହୋଇଥିଲା, ଇଲା ୱିଲରଙ୍କ ଭାବତ୍ମକ ଉଦ୍ଧୃତି କ୍ରମେ : “ଯେତେବେଳେ ଆମକୁ ପ୍ରତିବାଦ କରିବା କଥା, ସେତେବେଳେ ନୀରବ ରହିବା ପାପ, ଏହା କାପୁରୁଷପଣିଆ” । ଅନେକ ସମୀକ୍ଷକଙ୍କ କଟୁ ସମାଲୋଚନା ସତ୍ୱେ ‘ଜେଏଫ୍‌କେ’ ସଫଳତା ଅର୍ଜନ କଲା । ସିନେମା ସମୀକ୍ଷକ ବର୍ଗରେ ପ୍ରଥମ ପୁଲିତ୍ଜର ପୁରସ୍କାରରେ ସମ୍ମାନିତ ରଜର ଇର୍ବଟ ମଧ୍ୟ ସିନେମାର ପ୍ରସଂଶା କରିଥିଲେ । ତାଙ୍କ ମତରେ ସିନେମାଟି “୧୯୬୩ରୁ ଜାତୀୟ ମାନସକୁ ଜର୍ଜରିତ କରୁଥିବା ବିକ୍ଷିପ୍ତ କ୍ରୋଧୋଚ୍ଛ୍ୱାସକୁ ସମ୍ୟଷ୍ଟି ପୂର୍ବକ ଏକ ପୂର୍ଣ୍ଣାଙ୍ଗ ସ୍ୱରୂପ ଦେବାରେ ସକ୍ଷମ ହେଲା ।

ବିବେକ ଅଗ୍ନିହୋତ୍ରୀଙ୍କ ଚଳଚିତ୍ର ‘ଦ ତାସକନ୍ଦ ଫାଇଲସ୍’ରେ ମଧ୍ୟ ଅନୁରୂପ ସମ୍ଭାବନା ନିହିତଥିବା ଆଶା କରାଯାଏ । ସ୍ୱାଧୀନତା ସଂଗ୍ରାମୀଙ୍କ ସନ୍ତାନ ଅଗ୍ନିହୋତ୍ରୀ, ଜଣେ ବଲିଉଡ଼ ବ୍ୟକ୍ତି ହୋଇଥିଲେ ମଧ୍ୟ ବିିଭିନ୍ନ ବିଷୟରେ ମତ ରଖୁଥିବା ଜଣେ ଚିନ୍ତାନାୟକ । ଏପରି ବ୍ୟକ୍ତିତ୍ୱ ବଲିଉଡ୍‌ ଜଗତରେ କ୍ୱଚିତ୍ ଦେଖାଯାଆନ୍ତି । ସୋସିଆଲ ମିଡିଆରେ ‘ଦ ତାସକନ୍ଦ ଫାଇଲସ୍’ ଲଗାତାର ଚର୍ଚ୍ଚା ରହିଲା । ନସିରୁଦ୍ଧିନ ଶାହା, ମିଥୁନ ଚକ୍ରବର୍ତ୍ତୀ, ଓ ଶ୍ୱେତା ବସୁ ପ୍ରସାଦଙ୍କ ଭଳି ପ୍ରତିଭାବାନ ସିନେ ତାରକାଙ୍କ ଅଭିନୟରେ ସମୃଦ୍ଧ ଏହି ଚଳଚିତ୍ର । କୌଣସି ବିଷୟ ପ୍ରତି ଜାଗରଣ ସୃଷ୍ଟି କରିବାରେ ଚଳଚିତ୍ର ଏକ ବଳିଷ୍ଠ ମାଧ୍ୟମ । ତେଣୁ ‘ଦ ତାସକନ୍ଦ ଫାଇଲସ୍’ର ଶାସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଯିବାର ଆଶା କରାଯାଏ ।

ଏହି ଦୁଃଖଦ ଘଟଣାର କେବେଠାରୁ ଆପାତତଃ ସନ୍ତୋଷଜନକ ପରିସମାପ୍ତି ହୋଇସାରିଥାଆନ୍ତା, ଯଦି ସରକାର ସର୍ବୋଚ୍ଚ ନ୍ୟାୟଳୟର ତତ୍ତ୍ୱବଧାନରେ ଏକ ତଦନ୍ତ କମିଟି ଗଠନ କରିଥା’ନ୍ତେ । ସରକାର ଅନ୍ତତଃ ତାସକନ୍ଦ ଘଟଣା ସମ୍ବନ୍ଧିତ ସମସ୍ତ ନଥିପତ୍ରକୁ ସାର୍ବଜନୀନ କରିଥା’ନ୍ତେ ଓ ପରେ ସାଂସଦ ତଥା ମିଡ଼ିଆକୁ ଏହାର ପରୀକ୍ଷଣ କରିବାର ସୁଯୋଗ ଦେବା ସହ ଘଟଣାକ୍ରମର ପ୍ରତ୍ୟକ୍ଷ ସାକ୍ଷୀ, ଅନ୍ୟାନ୍ୟ ଅଧିକାରୀବୃନ୍ଦ, ଯେମିତି କି ମସ୍କୋରେ ଅବସ୍ଥାପିତ ଆମ ରାଷ୍ଟ୍ରଦୂତ ଆଦିଙ୍କୁ ଜେରା କରିବାର ଅବସର ପ୍ରଦାନ ତ କରିପାରିଥା’ନ୍ତେ । କିନ୍ତୁ ଏମିତି କିଛି ହୋଇନଥିଲା କାରଣ ସରକାର ବିବାଦଟିରୁ ପର୍ଦ୍ଧା ନ’ହଟାଇବାକୁ ଯେମିତି ପଣ କରିଥିଲେ । ବାରମ୍ବାର ଦାବି ସତ୍ୱେ, ‘ସନ୍ଦେହଜନକ କିଛି ନାହିଁ’ ର ଆଳରେ ଏକ ବିଧିଯୁକ୍ତ ତଦନ୍ତକୁ ଏଡ଼ାଇ ଦିଆଯାଉଥିଲା । ଜନଅସନ୍ତୋଷକୁ ପ୍ରତିହତ କରିବାକୁ ହିଁ ଆଂଶିକ ପ୍ରକଟନ କରାଯାଇଥିଲା କିନ୍ତୁ ଡ.ଚୁଗ୍‌ଙ୍କ ଭଳି ମୁଖ୍ୟ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କୁ ସଂପୂର୍ଣ୍ଣ ରୂପେ ପୃଥକ ରଖାଯାଇଥିଲା । ସଂସଦୀୟ କମିଟିକୁ, ଡାକ୍ତର ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ଘଟଣାର ବିସ୍ତୃତ ଅଙ୍ଗନିଭା ବିବରଣ ପ୍ରଦାନ କରାଯାଇଥିଲେ ଅନ୍ତତଃ ବିବାଦ ଅଧିକ ଜଟିଳ ହୋଇନଥାନ୍ତା । ସଂସଦରେ, ଏକ ଆଲୋଚନା କାଳରେ ସରକାର କହିଥିଲେ, ଚୁଗ୍‌ଙ୍କୁ ପ୍ରଶ୍ନ ପଚାରିବା ଲାଗି ସାଂସଦଙ୍କୁ ସୁଯୋଗ ଦିଆଯିବ, କିନ୍ତୁ ଏହା କରାଗଲା ନାହିଁ । ପ୍ରତ୍ୟକ୍ଷଦର୍ଶୀମାନେ ଯେ ଏକ ପ୍ରକାରର ବାହ୍ୟ ଚାପର ସମ୍ମୁଖୀନ ହେଉଛନ୍ତି, ଏ ଆରୋପର ଯୁକ୍ତିଯୁକ୍ତ ପ୍ରମାଣ ମୁଁ (ଅନୁଜ ଧର) ନିଜ ଗବେଷଣା କାଳରେ ଉପଲବ୍ଧି କରିଥିଲି । ଏମିତି ଗୋଟିଏ ଗଣମାଧ୍ୟମ ବିବରଣ ମୁଁ (ଅନୁଜ ଧର) ପାଇନାହିଁ ଯାହା ସେମାନଙ୍କ (ଚାକ୍ଷୁଷ) ମୁଖନିସ୍ତୃତ ବ୍ୟାଖାନ ପର୍ଯ୍ୟବେସିତ ହୋଇଥିବ । ‘ଧର୍ମଯୁଗ’ଠୁ ‘ହିନ୍ଦୁସ୍ତାନ ଟାଇମସ୍’ ଭଳି ଆଗଧାଡ଼ିର ଖବରସରବରାହ ସଂସ୍ଥା ଡ. ଚୁଗ୍‌, ରାମନାଥ ଓ ଅନ୍ୟମାନଙ୍କ ସହ ସାକ୍ଷାତକାର ପ୍ରକାଶିତ କରିବା ଉଚିତ୍ ପଦକ୍ଷେପ ଥିଲା । ଯେବେ ସୁବାଷ ଚନ୍ଦ୍ର ବୋଷ୍‌ଙ୍କ ବିମାନ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲା, ତାଙ୍କ ଅନ୍ତିମ ଦିନମାନ ବାବଦରେ ପ୍ରତ୍ୟକ୍ଷ ସୂଚନା ରଖିଥିବା ଅବା ସେହିଭଳି କିଛି ଦାବି କରୁଥିବା ବ୍ୟକ୍ତିବିଶେଷ ସ୍ୱାଧୀନ ଭାବେ ନିଜ ମନ୍ତବ୍ୟ ଖବରକାଗଜ ମାଧ୍ୟମରେ ରଖିଥିଲେ । ସେତେବେଳେ ଭାରତ ସ୍ୱାଧିନ ରାଷ୍ଟ୍ର ନଥିଲା ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ମାତ୍ର କିଛି ଦିନ ପୂର୍ବେ ସମାପ୍ତ ହୋଇଥିଲା ।

୧୯୬୬ ଓ ପରବର୍ତ୍ତୀ ଅନେକ ବର୍ଷ ପର୍ଯ୍ୟନ୍ତ ଶାସ୍ତ୍ରୀ ମୃତ୍ୟୁ ବିବାଦ ତଦନ୍ତରେ ସରକାରଙ୍କ ପରିଚାଳନାଗତ ଅପାରଗତା ସ୍ପଷ୍ଟ ଜଣାପଡେ଼ । କ’ଣ ହୋଇପାରେ ଏହାର କାରଣ? ଏହା ବି ହୋଇପାରେ ଯେ, ଦୁଃଖଦ ଘଟଣାଟିର ତଦନ୍ତ ଗୁରୁଭାର ସମ୍ଭାଳିିବାକୁ ସମ୍ଭବତଃ ସରକାର ଘାବରେଇ ଗଲେ । ଗୁଲଜାରିଲାଲ୍‌ ତ ମାତ୍ର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଥିଲେ । ଘଟଣା ପ୍ରବାହର ଅପ୍ରତ୍ୟାଶିତତାରେ ସ୍ତବ୍ଧ ତଥା ପଡେ଼ାଶୀ ସହ ଯୁଦ୍ଧ ସମାପ୍ତି ତତ୍ପରେ, ଏକ ମହାଶକ୍ତି ବନ୍ଧୁ ରାଷ୍ଟ୍ର ସହ ସଂପର୍କ ବିଗାଡ଼ିଯିବାର ଭୟ ସତ୍ତାଧାରୀମାନଙ୍କୁ କିଛି କରାଇଦେଲା ନାହିଁ ଯାହା ସେମାନେ କରିବାକୁ ସମର୍ଥ ଥିଲେ । ଶାସ୍ତ୍ରୀ ତ ଚାଲିଗଲେ ଓ ଏହି ପ୍ରସଙ୍ଗ ଛିନ୍ଦ୍ରାନ୍ୱଷଣ କରି କିଛି ଲାଭ ହୋଇନଥାନ୍ତା; ଅତୀତକୁ ପାଶୋରି ଆଗକୁ ବଢ଼ିବା ହିଁ ଜୀବନ ।

ଅନ୍ୟ ଏକ କାରଣ ଏହା ହୋଇପାରେ ଯେ, ତାସକନ୍ଦଠାରେ କିଛି ଅସୁବିଧା ହୋଇଥିଲା ନିଶ୍ଚୟ । ଏହି ଦୁଃଖଦ ଘଟଣାରେ ଷଡ଼ଯନ୍ତ୍ର ନିହିତ ଅଛି ବୋଲି ଅନେକ ଆରୋପ ମଧ୍ୟରେ ଆମେରିକୀୟଙ୍କ ପ୍ରତି ଦୋଷାରୋପ ତ ସଂପୂର୍ଣ୍ଣ ଅସଙ୍ଗତ ଓ ରୁଷୀୟଙ୍କ ବିପକ୍ଷରେ ଯାହାସବୁ କୁହାଗଲା, ଅପସ୍ଥାପିତ । ମୋ (ଅନୁଜ ଧର) ବ୍ୟକ୍ତିଗତ ମତ ଯାହାହେଉ ନା କାହିଁକି, ୧୯୪୫ରେ ନେତାଜୀଙ୍କ ସରକାରୀ ପ୍ରକାଶିତ ମୃତ୍ୟୁର ପରବର୍ତ୍ତୀ ସମୟରେ ସେ ଜୀବିତ ଥିବା ଯେ ପର୍ଯ୍ୟନ୍ତ ପ୍ରମାଣିତ ନହୋଇଛି ଶାସ୍ତ୍ରୀ ଘଟଣା ସହ ନେତାଜୀ ଅନ୍ତର୍ଦ୍ଧାନ ରହସ୍ୟ ସଂଯୋଜନ ମତ ଅବାନ୍ତର ଅଟେ । ଶାସ୍ତ୍ରୀ ପ୍ରସଙ୍ଗରେ ଆମକୁ କେବଳ ସରକାରଙ୍କ ବିଶେଷ କରି ରାଷ୍ଟ୍ରଦୂତ (ପରେ ବୈଦଶିକ ସଚିବ) ଟି.ଏନ୍ କୌଲ୍‌ଙ୍କ ତ୍ରୁଟି ବିଚ୍ୟୁତି ସଂପର୍କିତ କିଛି ଗମ୍ଭୀର ପ୍ରଶ୍ନ ଛଡ଼ା ଆଉ କିଛି ନାହିଁ । ଶାସ୍ତ୍ରୀଙ୍କ ନକଲି ଚିଠି ବିଷୟରେ କାହିଁକି ସରକାର ଅନୁସନ୍ଧାନ କଲେ ନାହିଁ ? ମୃତ୍ୟୁ ବିବାଦ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ଭୟ କ’ଣ ଏହାର କାରଣ ହୋଇପାରେ ? ଶାସ୍ତ୍ରୀଙ୍କ ମୃତ୍ୟୁର ତତ୍‌କ୍ଷଣାତ୍ ପରେ ରୁଷୀୟ କର୍ତ୍ତୃପକ୍ଷଙ୍କ ବିଷ ପ୍ରୟୋଗ ସନ୍ଦେହ ସତ୍ତ୍ୱେ କାହିଁକି ଭାରତର ଜନତାଙ୍କୁ ମିଥ୍ୟା ବୃତ୍ତାନ୍ତ କୁହାଗଲା ? କେଜିବି ଦ୍ୱାରା ପଚରାଉଚରା ସକାଶେ ମହମ୍ମଦ ଜାନ୍‌କୁ ଜିମାରେ ନେବା ପରେ ମଧ୍ୟ କାହିଁକି ସରକାର ତାଙ୍କ ବିଶ୍ୱାସନୀୟତା ଉପରେ ବାରମ୍ବାର ଜୋର ଦେଉଥିଲେ ? କାହିଁକି ଶାସ୍ତ୍ରୀଙ୍କ ସୁଇଟ୍‌ରେ ଟେଲିଫୋନ୍‌ର ସ୍ଥିତି ବିଷୟରେ ଦେଶକୁ ବିଭ୍ରାନ୍ତ କରାଯାଉଥିଲା ? ଭାରତରେ ପହଞ୍ଚିବା ପରେ ଶାସ୍ତ୍ରୀଙ୍କ ମରଶରୀରର ଅବସ୍ଥାକୁ କାହିଁକି ସରକାର ଅଣଦେଖା କରିଥିଲେ ? କାହିଁକି ତାଙ୍କ ମୁଖରେ ଚନ୍ଦନର ପ୍ରଲେପ ବୋଳି ଦିଆଗଲା ଯେବେ ତାଙ୍କ ପରିବାର ସଦସ୍ୟ ମୁଖକୁ ବିକୃତ କରାଯାଇଛି ବୋଲି କହିଲେ ? କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପ୍ରତିଷ୍ଠିତ ଡାକ୍ତର ଓ ମହାତ୍ମା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସୁଶୀଳା ନାୟାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ? ଦ୍ୟୟାଭାଇ ପଟେଲଙ୍କ ଯୁକ୍ତିରେ ଉପାଦାନ ଥିଲା । ସେ କହିଥିଲେ ଏଠାରେ କିଛି ଦୁରଭିସନ୍ଧୀସୂଚକ ଅଛି ‘କାରଣ ଏକ ସଂକୀର୍ଣ୍ଣ ବିଚାରଧାରୀ ଅମଲାତନ୍ତ୍ର ଅଧିକାରୀ ମଧ୍ୟ ନିଜ ନିକଟ ସଂପର୍କୀୟଙ୍କୁ ଶାସ୍ତ୍ରୀଙ୍କ ମରଶରୀର ନିକଟକୁ ଯିବା ପାଇଁ ବାରଣ କରିପାରିନଥାନ୍ତେ’ ଯଦି କିଛି ଲୁଚାଇବାର ନଥାନ୍ତା ।

ଶାସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗକୁ ଘୋଡ଼ାଇ ରଖିବାର ଦୋଷ କେବଳ ଇନ୍ଦିରା ଗାନ୍ଧୀ ସରକାରଙ୍କୁ ନୁହେଁ ତତ୍ପରବର୍ତ୍ତୀ ସରକାରଙ୍କୁ ମଧ୍ୟ ଅନୁରୂପ ଦାୟୀ କରାଯାଇପାରେ । ଏହା ପରେ କେହି ମଧ୍ୟ ଏ ପ୍ରସଙ୍ଗରେ କୌଣସି ପ୍ରୟାସ କରିନାହାଁନ୍ତି । ଅକ୍ଟୋବର ୧୯୬୭ରେ, ଦିଲ୍ଲୀସ୍ଥ ୱେଲିଙ୍ଗଟନ୍ ହାସପାତାଳ(ବର୍ତ୍ତମାନ ଲୋହିଆଙ୍କ ନାମରେ ନାମିତ)ରେ ଡ. ରାମ ମନୋହର ଲୋହିଆଙ୍କ ଅସ୍ତ୍ରପୋଚାର ଉପରାନ୍ତ ମୃତ୍ୟୁରେ ବିବାଦ ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ଆରୋପ ଓ ତଦନ୍ତ ଦାବିର ଉତ୍ତରରେ ଇନ୍ଦିରା ନେତୃତ୍ୱଧୀନ ସରକାର କହିଲେ ବରିଷ୍ଠ ଚିକିତ୍ସାଧୀକାରୀଙ୍କ ଦ୍ୱାରା ଚିକିତ୍ସା ରିପୋର୍ଟର ପୁନଃଅନୁଧ୍ୟାନରେ କୌଣସି ଅବହେଳା ଦୃଷ୍ଟିଗୋଚର ହେଲାନାହିଁ । ୧୯୭୭ରେ ଜନତା ଦଳ ଶାସନକୁ ଆସିବା ପରେ ଏକ କମିଟି ଘଟଣାଟିର ତଦନ୍ତ କରନ୍ତେ ଜାଣିବାକୁ ପାଇଲେ ପ୍ରାକ୍ ଅସ୍ତ୍ରପୋଚାର କାଳରେ ଓ ଉତ୍ତର ଅସ୍ତ୍ରପୋଚାର ସମୟରେ ଅବହେଳା କରାଯାଇଛି । ଶବ ବ୍ୟବଚ୍ଛେଦ ବିନା ମୃତ୍ୟୁର ସଠିକ୍ କାରଣ ନିରୂପିତ କରିବ ସମ୍ଭବ ନୁହେଁ ତେଣୁ କାହାକୁ ଏ ବାବଦରେ ଦୋଷ ଦିଆଯାଇପାରିବ ନାହିଁ । ନେତାଜୀଙ୍କ ପ୍ରସଙ୍ଗରେ ମଧ୍ୟ ଜନତା ଦଳ ସରକାର ପୂର୍ବ କଂଗ୍ରେସ ସରକାରଙ୍କ ଦ୍ୱାରା ଗଠିତ କମିଟିର ଅନୁସନ୍ଧାନକୁ ଅସଂପୂର୍ଣ୍ଣର ଆଖ୍ୟା ଦେଇଥିଲେ । ଏକ ଗୁଜବ ଜୋର ଧରିଥିଲା ଯେ ଶାସ୍ତ୍ରୀଙ୍କ ମାମଲାରେ ରାଜ ନାରାନଙ୍କ ନେତୃତ୍ୱରେ କମିଟି ଗଠନ କରାଯିିବ । ମୋରାରଜୀ ଦେଶାଇ ସରକାର କାହିଁକି ଏହା କଲେ ନାହିଁ ? ଏହା କ’ଣ ଦେଶାଇଙ୍କ ବ୍ୟକ୍ତିଗତ ଆଭିମୁଖ୍ୟର ଫଳ ? ଶାସ୍ତ୍ରୀଙ୍କ ସହିତ ତାଙ୍କ ପୂର୍ବ ପ୍ରତିଦ୍ୱନ୍ଦ୍ୱିତା ହିଁ କ’ଣ ଏହାର କାରଣ ହୋଇପାରେ ? ଜଣେ କେବଳ ଅନୁମାନ କରିପାରିବ, ସଠିକ୍ କିିଛି କୁହାଯାଇପାରିବ ନାହିଁ । କୁଲଦୀପ ନାୟାରଙ୍କ ଅନୁସାରେ ଡ. ଚୁଗ୍‌ ଓ ସିପି ଶ୍ରୀବାସ୍ତବଙ୍କ ସହ ଆଲୋଚନା ପରେ ଦେଶାଇ ନିଶ୍ଚିତ ହୋଇଯାଇଥିଲେ ଯେ ଶାସ୍ତ୍ରୀଙ୍କ ମୃତୁ୍ୟରେ କିଛି ସନ୍ଦେହଜନକ ନଥିଲା । ୧ (ମୋରାରଜୀ ଦେଶାଇ କ୍ଷମତାରେ ଆସୀନ ହେଲାବେଳକୁ ଡ. ଚୁଗ୍‌ଙ୍କ ମୃତ୍ୟୁ ହୋଇସାରିଥିଲା । ତେଣୁ ଦେଶାଇ, ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ହିଁ ଚୁଗ୍‌ଙ୍କୁ ପ୍ରଶ୍ନ ନିଶ୍ଚୟ କରିଥିବେ । )

ଅଶୀ ଦଶକ ଶେଷାର୍ଦ୍ଧ୍ୟରେ ସୋଭିଏତ ପତନମ୍ନଖୀ ହେଉଥିଲା ବେଳେ କେଜିବିର ଅନେକ ଗୁପ୍ତ ନଥିପତ୍ର ପ୍ରକଟିତ ହେଉଥିଲା । ଏହା ଏକ ସୁବର୍ଣ୍ଣ ସୁଯୋଗ ଥିଲା । ପଶ୍ଚିମର ବିଭିନ୍ନ ବିଶ୍ୱବିଦ୍ୟାଳୟ ପରିସ୍ଥିତିର ଫାଇଦା ଉଠାଇଲେ ଓ ଅନେକ ଦସ୍ତାବିଜ କରଗତ କଲେ । ବିଶ୍ୱର ଅନେକ ସରକାର ମଧ୍ୟ ଏଥି ନିମନ୍ତେ ପ୍ରୟାସ କଲେ । ରୁଷର ନୂତନ ନେତା ବୋରିସ୍ ୟଲତ୍ସିନ୍ ଅନୁରୋଧ ସବୁକୁ ଗ୍ରହଣ କରୁଥିଲେ ମଧ୍ୟ । କେନେଡ଼ିଙ୍କ ହତ୍ୟା ସହିତ କେଜିବିର ସଂପୃକ୍ତିକୁ ନେଇ ଏକ ଷଡ଼ଯନ୍ତ୍ର ମତବାଦର ସୃଷ୍ଟି ହୋଇଥିଲା । ୧୯୯୯ରେ ବ୍ୟକ୍ତିଗତ ଭାବେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବିଲ କ୍ଳିଣ୍ଟନ୍‌ଙ୍କୁ ଅଶୀଟି କପଟ ହତ୍ୟା ସମ୍ପର୍କିତ ଦସ୍ତାବିଜ୍ ହସ୍ତାନ୍ତର କରି ୟଲତ୍ସିନ୍ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଲେ ।

୧୯୯୧ରେ ‘ସୋଭିଏତ ଲାଣ୍ଡ’ରେ ପ୍ରକାଶିତ ଏକ ଖବର ଅନୁସାରେ ଡାଚାଠାରେ ଶାସ୍ତ୍ରୀଙ୍କ କକ୍ଷରେ ଗୁପ୍ତ ଯନ୍ତ୍ର ଖଞ୍ଜାଯାଇଥିଲା । ଭାରତୀୟ ନେତାଙ୍କ ଶେଷ ସମୟରେ କ’ଣ ହୋଇଥିଲା ଗୁଇନ୍ଦା ଅଧିକାରଦଳ ଏହା ମାଧ୍ୟମରେ ସବୁ ଶୁଣୁଥିଲେ ତଥା ସମ୍ଭବତଃ ରେକର୍ଡ ମଧ୍ୟ କରିନଥିବେ । ଏହି ତଥ୍ୟ ପ୍ରକାଶନ ଆଧାରରେ ବୈଦେଶିକ ମନ୍ତ୍ରଣାଳୟ ରୁଷୀୟ ବିଦେଶ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାର ଥିଲା । ସୁନିଲ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ସିଂହଙ୍କୁ ଏ ବିଷୟରେ ଲେଖିଥିଲେ କିନ୍ତୁ ଜବାବ୍‌ରେ ଏକ ଧାଡ଼ିକିଆ ଉତ୍ତର ମିଳିଥିଲା । ଏହାକୁ ମୁଁ(ଅନୁଜ ଧର) ଅକ୍ଷମଣୀୟ ବିବେଚନା କରେ । କାରଣ ଆମ ପାଖରେ ପ୍ରମାଣ ଅଛି ଯେ ନବେ ଦଶକରେ, କେଜିବି ରେକର୍ଡ଼ ଆଧାରରେ, ରୁଷରେ ନେତାଜୀଙ୍କ ବିଷୟରେ କିଛି ପ୍ରକାଶିତ ହେବାକୁ ଯାଉଥିବା ସମୟରେ ଆମ ସରକାର ଏହା ଜାଣିପାରି ପ୍ରକାଶନକୁ ରୋକିବାକୁ ଅପପ୍ରୟାସ କରିଥିଲେ । ନେତାଜୀଙ୍କ ଅନୁଗାମୀଙ୍କ ଚାପ ଯୋଗୁଁ ପ୍ରଥମେ ଭି.ପି ସିଂହ ସରକାର ନେତାଜୀଙ୍କ ବିଷୟରେ ରୁଷ ସହିତ ଯୋଗାଯୋଗ କରିଥିଲେ, ଯଦିଓ ଏହା ପର୍ଯ୍ୟାପ୍ତ ନଥିଲା । ନରସିଂହ ରାଓ ସରକାରଙ୍କୁ ମଧ୍ୟ ବାଧ୍ୟ କରାଯାଇଥିଲା କିନ୍ତୁ ସେ ବି ପୂର୍ଣ୍ଣ ପ୍ରୟାସ କରିନଥିଲେ । ଦେଖିବାକୁ ଗଲେ, ଶାସ୍ତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ବ୍ୟାପାରରେ ଯେଭଳି କୌଣସି ପ୍ରୟାସ ହିଁ ହୋଇନଥିଲା । ବୈଦେଶିକ ମନ୍ତ୍ରଣାଳୟ ମୋତେ (ଅନୁଜ ଧର) ତାଙ୍କ ପ୍ରଥମ ସୂଚନା ଅଧିକାର ଆଇନ ଅର୍ନ୍ତଭୁକ୍ତ ପ୍ରଶ୍ନର ଉତ୍ତରରେ କହିଥିଲେ, ବିଦେଶରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ନାହିଁ । ମୋର ପରବର୍ତ୍ତୀ ଆରଟିଆଇ ଆବେଦନରେ ମୁଁ ଯେବେ ଉଲ୍ଲେଖ କଲି ଯେ ଏହା କେବେ ସମ୍ଭବ ନହୋଇପାରେ, ସେମାନଙ୍କ ନିଲର୍ଜ ଉତ୍ତର ଥିଲା ବିଦେଶ ରାଷ୍ଟ୍ର ସହିତ ସଂପର୍କ ଅବନତି ଭୟରେ ସୂଚନା ଦିଆଯାଇପାରିବ ନାହିଁ ।

ଏବେ ଏ ସବୁ ଇତିହାସ । ତା’ହେଲେ ଏବେ କ’ଣ କରାଯାଇପାରିବ, ଯେତେବେଳେ ‘ତାସକନ୍ଦରେ କ’ଣ ହୋଇଥିଲା’ର ପ୍ରତ୍ୟକ୍ଷ ଜ୍ଞାନ ରଖୁଥିବା ପ୍ରାୟ ସମସ୍ତ ବ୍ୟକ୍ତି ମୃତ୍ୟୁ ବରଣ କରିସାରିଛନ୍ତି ? ଯାହା ମୁଁ (ଅନୁଜ ଧର) ଭାବୁଛି ପୂର୍ବରୁ ଯାହା ଅନ୍ୟମାନେ କରିପାରିନାହାଁନ୍ତି ତାହା କରିଦେଖାଇବାର ଦାୟିତ୍ୱ ଏବେ ଆମର । ଭବିଷ୍ୟତର ଉତ୍ତର ପୀଢି ଏ ମାମଲାରେ କିଛି କରିବାର ସ୍ପୃହା ନଥିବ କାରଣ ଅନେକ ବର୍ଷ ବିତିଯାଇଥିବା ହେତୁ ଶାସ୍ତ୍ରୀଙ୍କ ସ୍ତୃତିଠାରୁ ମାନସିକ ଭାବେ ସେମାନେ ଦୂରେଇ ଯାଇଥିବେ । ସେ ସମୟରେ ଆମ ବଂଶଧରମାନେ ଏଭଳି ଦୁଃଖଦ ଘଟଣାକୁ ଅଣଦେଖା କରିଥିବାରୁ ଆମକୁ ହିଁ ଦାୟୀ କରିବେ । ସରକାରଙ୍କୁ ପସନ୍ଦ କରନ୍ତୁ ବା ନ’କରନ୍ତୁ , କିନ୍ତୁ ‘ତାସକନ୍ଦ ଫାଇଲସ୍’ ଚଳଚିତ୍ର ଓ ଏହି ପୁସ୍ତକ ଅଗଣିତ ଭାରତୀୟ ଓ ବିଶ୍ୱବ୍ୟାପି ପ୍ରବାସୀ ଭାରତୀୟଙ୍କ ମନରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ ନିଶ୍ଚୟ ।

ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ବିବାଦର ସମାଧାନ ସେହିଭଳି ଗୁରୁତ୍ୱର ସହିତ ସମ୍ପାଦିତ ହେବା ଉଚିତ୍ ଯାହା ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ, ଚମକ୍‌ପ୍ରଦ ଏମିତିକି ଅନୈତିକ ଅନେକ ମାମଲାରେ କରାଯାଇଛି । ଏସବୁ ପ୍ରସଙ୍ଗରେ ତଥ୍ୟ ନିଶ୍ଚିତ କରିବା ସକାଶେ ସତ୍ୟ ଓ ନ୍ୟାୟର କଥା ଉଠେ, ଆକାଶ ପାତଳ ଏକ କରାଯାଏ । ୨୦୧୨ରେ ଭୱଁରି ଦେବୀ ହତ୍ୟା ଘଟଣାକୁ ସ୍ମରଣ କରାଯାଉ । ସ୍ଥାନୀୟ ମନ୍ତ୍ରୀଙ୍କ ସହିତ ଅନୈତିକ ସମ୍ବନ୍ଧ ରଖିଥିବା ପ୍ରକଟ ହୋଇଯିବା ପରେ ମହିଳା ଜଣକ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଏକ ବ୍ୟାପକ ତଦନ୍ତ କରାଯାଇଥିଲା । ସିବିଆଇର ତଦନ୍ତ ଅଧିକାରୀ ଦଳ ରାଜସ୍ଥାନ ସାରା ଖେଦିଯାଇ, ଏକ ସୁଦୂର ଗ୍ରାମରୁ ସେ ମହିଳାଙ୍କ ଅସ୍ଥିକଙ୍କାଳ ଖୋଳି ବାହାର କରିଥିଲେ । ଏହି ଅସ୍ଥି ପ୍ରକୃତରେ ନିଖୋଜ ମହିଳାଙ୍କର ନା ନୁହେଁ ପ୍ରତିପାଦିତ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ଏଫବିଆଇ) କୁ ପରୀକ୍ଷଣ ନିମନ୍ତେ ପଠାଯାଇଥିଲା । ଏଫ୍‌ବିଆଇ ରିପୋର୍ଟ ଆଧାରରେ ଅସ୍ଥିଗୁଡ଼ିକ ଭୱଁରି ଦେବୀଙ୍କ ପ୍ରମାଣିତ ହେବା ପରେ ମାମଲାଟିର ସମାଧାନ ହୋଇଥିଲା । ଏଭଳି ଚମତ୍କାର ଏହି ଦେଶରେ ହୋଇଥିଲା ଯେଉଁଠାରେ ନେତାଜୀଙ୍କ କଥିତ ଭସ୍ମାବଶେଷର ଆନୁବଂଶିକ ପରୀକ୍ଷଣ (ଡିଏନ୍‌ଏ) ସକାଶେ ସରକାର ଅସମ୍ମତ ଥିଲେ ଏବଂ ଅନେକ ଇତିହାସକାର କହିଥିଲେ ତାଙ୍କ ମୃତ୍ୟୁର ତଦନ୍ତ କେବଳ ସମୟ ଓ ଅର୍ଥ ବରବାଦ କରିବ ସିନା ନେତାଜୀ ତ ଆଉ ଫେରିବ ନାହିଁ ।

ଶାସ୍ତ୍ରୀଙ୍କ ମୃତ୍ୟୁ ଘଟଣାକୁ ଅନେକ ବର୍ଷ ଅବଶ୍ୟ ବିତିଗଲାଣି ତଥାପି ଏହାର ତଦନ୍ତ ସେହିଭଳି ଆଗ୍ରହର ସହିତ ହେବା ଆବଶ୍ୟକ ଯେଉଁଭଳି କୌଣସି ଭାବେ ଶାସ୍ତ୍ରୀଙ୍କ ସମସ୍କନ୍ଧ ନଥିବା ବ୍ୟକ୍ତିବିଶେଷଙ୍କ ପରିପ୍ରେକ୍ଷୀରେ କରାଯାଇଥିଲା । ୧୨ ଜାନୁଆରୀ ୨୦୧୮ରେ, ଯେଉଁ କ୍ଷେତ୍ରରେ କେବେ କୌଣସି ବିଶୃଙ୍କଳା ଦେଖାଯାଇନାହିଁ ସେଠାରୁ ଏକ ଅଦ୍ଭୁତପୂର୍ବ ଜାତୀୟ ସଙ୍କଟାବସ୍ଥାର ଉତ୍ପତ୍ତି ହେଲା । ଖବର ୱେବସାଇଟ୍ ‘ଦ ୱାର’ରେ ପ୍ରକାଶିତ ହେଲା ଯେ ସୁପ୍ରିମ କୋର୍ଟର ଚାରିଜଣ ବିଚାରପତି-ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ନ୍ୟାୟାଧୀଶ- ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କଲେ । ଉଚ୍ଚତମ ନ୍ୟାୟଳୟକୁ ପ୍ରପୀଡ଼ିତ କରିଥିବା କିଛି ପ୍ରସଙ୍ଗ ଆଲୋଚନା କରିବା ଏହାର ଉଦ୍ଧେଶ୍ୟ ଥିଲା । ବିଏଚ୍ ଲୋହା ନାମକ ଜଣେ ବିଶେଷ ସିବିଆଇ ନ୍ୟାୟାଧୀଶଙ୍କ ମୃତ୍ୟୁ ତଥା ଉଚ୍ଚତମ ନ୍ୟାୟଳୟରେ ନ୍ୟାୟାଧୀଶମାନଙ୍କ କାର୍ଯ୍ୟପର୍ଯ୍ୟାୟ (Roster) ପରିପ୍ରେକ୍ଷୀରେ ଏହା କରାଯାଇଥିଲା । ୨(Loya Case the tipping Point, Four SC Judges Say Democracy Is in Danger. Accessed from: https://thewire.in/law/sc-justices-hold-historic-press-conference-triggered-judge-loya-case.) ଏହାର ପ୍ରଭାବ ସାରା ଦେଶରେ ଗୁଞ୍ଜରିତ ହେଲା । କଂଗ୍ରେସ ଦଳ କାଳବିଳମ୍ବ ନକରି ଏକ ବିବୃତି ଜାରିକଲା, ଯେଉଁଥିରେ ସର୍ବାଗ୍ରେ ଲୋହାଙ୍କ ମୃତ୍ୟୁ ଉପରେ ଦାୟର ଏକ ଜନସ୍ୱାର୍ଥ ଆବେଦନର ଉଲ୍ଲେଖ ଥିଲା । ଲୋହାଙ୍କ ମୃତ୍ୟୁ ସନ୍ଦେହଜନକ ପରିସ୍ଥିତିରେ ହୋଇଥିବା ତାଙ୍କ ପରିବାରବର୍ଗ କହୁଥିଲେ । ବିବୃତିଟିରେ ଉଲ୍ଲେଖ ଥିଲା ଯେ ଲୋହାଙ୍କ ମୃତ୍ୟୁ ଘେନି ପି.ଆଇ.ଏଲ୍‌ (RTI)କୁ ଗୃହୀତ କରି ଉଚ୍ଚତମ ନ୍ୟାୟଳୟର ବରିଷ୍ଠ ନ୍ୟାୟଧୀଶଙ୍କ ତତ୍ତ୍ୱବଧାନରେ ଫୁ୍ଙ୍ଖାନୁଫୁଙ୍ଖ ଓ ନିରପେକ୍ଷ ତଦନ୍ତ ସକାଶେ ଏକ ସ୍ୱତନ୍ତ୍ର ଏସ୍ଆଇଟି (SIT) ଗଠନ କରାଯାଉ । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସରକାରଙ୍କ ମତକୁ ସ୍ପଷ୍ଟ ରୂପେ ବୟାନ କରି କହିଥିଲେ, ଆମେ ଆଶ୍ଚର୍ଯ୍ୟ ଯେ କଂଗ୍ରେସ ଦଳ ଉଚ୍ଚତମ ନ୍ୟାୟଳୟର ‘ଆଭ୍ୟନ୍ତରୀଣ ବ୍ୟାପାର’ରୁ ‘ରାଜନୈତିକ ଫାଇଦା’ ଲାଭ କରିବାକୁ ଚେଷ୍ଟା କରୁଛି । ଯଦ୍ୟପି କୌଣସି ‘ରାଜନୈତିକ ଖେଳ ଖେଳିବା ଅନୁଚିତ୍‌ ବୋଲି ସେ କହିଥିଲେ ।

ଦେଖିବାକୁ ଗଲେ,ଲୋହାଙ୍କ ମୃତ୍ୟୁକୁ ନେଇ ଗଢ଼ି ଉଠିଥିବା ‘ବିବାଦ’ ଶାସ୍ତ୍ରୀଜୀଙ୍କ ମୃତୁ୍ୟ ବିବାଦ ଅନୁରୂପ । ବ୍ରିଜଗୋପାଳ ହରିକିଶନ ଲୋହା, ଦୁର୍ଦ୍ଧାନ୍ତ ଅପରାଧୀ ସୋରାବୁଦ୍ଧିନ ଶେଖର ନ୍ୟାୟ ଦୃଷ୍ଟିରୁ ଅନୁଚିତ (Extra-judicial killing) ହତ୍ୟାଜନିତ ମାମଲାର ପୌରାହିତ୍ୟ କରୁଥିଲେ । ଆରୋପ ଥିଲା ଯେ ବର୍ତ୍ତମାନର ବିଜେପି ସଭାପତି ତଥା ଗୁଜୁରାଟର ତତ୍କାଳୀନ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଧେଶରେ ବରିଷ୍ଠ ପୋଲିସ ଅଧିକାରୀ ହତ୍ୟା ସଙ୍ଘଠିତ କରିଥିଲେ । ୨୦୧୪ରେ ଲୋହାଙ୍କୁ ସୋରାବୁଦ୍ଧିନ ମାମଲାର ଶୁଣାଣି ସକାଶେ ମୁମ୍ବାଇଠାରେ ବିଶେଷ ସିବିଆଇ ଅଦାଲତରେ ନିଯୁକ୍ତି ଦିଆଗଲା । ନିଜ ରାଜ୍ୟରେ ଅମିତ ଶାହା ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି କିଛି ଲୋକ ଆଶଙ୍କା ବ୍ୟକ୍ତ କରିଥିଲେ । ତେଣୁ ୨୦୧୨ରେ ଉଚ୍ଚତମ ନ୍ୟାୟାଳୟ ମୁମ୍ବାଇକୁ ମାମଲାର ସ୍ଥାନାନ୍ତକରଣ କରିଥିଲେ । ଅକ୍ଟୋବର ୨୦୧୪ରେ, ଜଷ୍ଟିସ୍ ଲୋହା ୧୫ ଡିସେମ୍ବରକୁ ରାୟ ଦିନ ଧାର୍ଯ୍ୟ କଲେ । କିନ୍ତୁ ୧ ଡିସେମ୍ବରରେ ନାଗପୁରଠାରେ ୪୮ ବର୍ଷୀୟ ଲୋହା, ନିଜ ସହକର୍ମୀଙ୍କ କନ୍ୟାର ବିବାହ ଉତ୍ସବରେ ଯୋଗଦାନ ପରେ ହଠାତ୍ ହୃଦ୍‌ଘାତରେ ପ୍ରାଣତ୍ୟାଗ କଲେ । ମୃତ୍ୟୁ ସମୟରେ ତାଙ୍କ ସହକର୍ମୀ ନ୍ୟାୟାଧୀଶମାନେ ଉପସ୍ଥିତ ଥିଲେ । ଲୋହାଙ୍କ ମୃତ୍ୟୁ ପରେ ସିବିଆଇ କୋର୍ଟରେ ତାଙ୍କ ଉତ୍ତରାଧିକାରୀ ସୋରାବୁଦ୍ଧିନ ମାମଲାରେ ଶାହାଙ୍କ ବିରୁଦ୍ଧରେ ସବୁ ଆରୋପକୁ ଖାରଜ କରିଥିଲେ । ଏହା ୩୦ ଡିସେମ୍ବର ୨୦୧୪ର ଘଟଣା ।

ତିନି ବର୍ଷ ପରେ ଖବର ପତି୍ରିକା ‘ଦ କାରାଭାନ’ରେ ଲୋହାଙ୍କ ମୃତ୍ୟୁରେ ସନ୍ଦେହ ପ୍ରକଟପୂର୍ବକ କ୍ରମାନ୍ୱୟରେ ଅନେକ ଆଲେଖ୍ୟ ପ୍ରକାଶ ପାଇଲା । ଏହି ପର୍ଯ୍ୟନ୍ତ ହିଁ ଲୋହା ଓ ଶାସ୍ତ୍ରୀଙ୍କ ମାମଲାରେ ସାଦୃଶ୍ୟତା ଥିବା ପରିଲକ୍ଷିତ ହୋଇଥିଲା । କଂଗ୍ରେସ ଦଳ ଲୋହା ମାମଲାକୁ ସକ୍ରିୟ ରଖିବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା ଚଳାଇ ରଖିଲା । ୩୧ ଜାନୁଆରୀ ୨୦୧୮ରେ ପୂର୍ବତନ ମନ୍ତ୍ରୀ ତଥା ପ୍ରମୁଖ ଆଇନଜୀବୀ କପିଳ ଶିବାଲ, ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଆଇନଜୀବୀ ସଲମାନ ଖୁର୍ଶିଦ ଓ ଦଳ ପ୍ରବକ୍ତା ରଣଦୀପ ସିଂହ ସୂରଜୱାଲା ଗଣମାଧ୍ୟମ ପ୍ରତିନଧିଙ୍କୁ କହିଲେ ଯେ, ଯଦି ଉଚିତ୍ ତଦନ୍ତ ନ’କରାଯାଏ ତେବେ “ଦେଶର ପ୍ରତ୍ୟେକ ଗ୍ରାମ୍ୟକୁ ଯିବେ” । ‘ଗଣତନ୍ତ୍ର ବିପଦରେ’ ବୋଲି ଆରୋପ କରି ଶିବାଲ ନାଗପୁରର ଜଣେ ଆଇନଜୀବୀଙ୍କୁ ସମ୍ମୁଖକୁ ଆଣିଲେ । ଖ୍ୟାତନାମା ବ୍ୟକ୍ତି ସଂପୃକ୍ତ ଥିବା ମାମଲାର ପରିଚାଳନା କରୁଥିବାରୁ ଲୋହା ଅନେକ ‘ଚାପ’ର ସମ୍ମୁଖୀନ ହେଉଥିବା ଏହି ଓକିଲ ଜଣକ ଜାଣିଥିବାର ଶିବଲ ଦାବି କରିଥିଲେ । ଶବ ବ୍ୟବଚ୍ଛେଦ ଦସ୍ତାବିଜରେ “ହେରଫେର କରାଯାଇଛି” ବୋଲି ଶିବଲ ଜୋର ଦେଇଥିଲେ ।

“ଲୋହାଙ୍କ ମୃତ୍ୟୁ କିଭଳି ହେଲା ଆମେ ସିନା କହିପାରିବା ନାହିଁ, କିନ୍ତୁ ପରିସ୍ଥିତି ଭିନ୍ନ କିଛି ବ୍ୟାଖାନ କରୁଛି”, ଶିବଲ କହିଲେ । “ଆମର ଦାବି ଏହା ଯେ, କେଶ୍‌ଟିର ତଦନ୍ତ ଏକ ସ୍ୱାଧୀନ ଏସ୍ଆଇଟି ଦ୍ୱାରା କରାଯାଉ, ଯେଉଁଥିରେ କୌଣସି ସିବିଆଇ ଅଧିକାରୀ ନଥିବେ, କୌଣସ ଏନ୍‌ଆଇ୍‌ଏ ଅଧିକାରୀ ନଥିବେ । ତଦନ୍ତର ଅଗ୍ରଗତି ସକାଶେ ଏକ ସ୍ୱାଧୀନ ଏସ୍ଆଇଟିର ଗଠନ ନିତାନ୍ତ ଜରୁରୀ” । ୩( 3Judge Loya case : Congress raises more questions, Financial Express 31 January 2018) ‘ଦ ୱାର’ର ଏକ ରିପୋର୍ଟ ଅନୁସାରେ କଂଗ୍ରେସ ଦଳ “ ଆଇନଜୀବୀ ତଥା କର୍ମୀ ଶ୍ରୀକାନ୍ତ ଖଣ୍ଡଲକାର ଓ ସେବା ନିବୃତ୍ତ ନ୍ୟାୟାଧୀଶ ପ୍ରକାଶ ଥୋମ୍ବ୍ରେଙ୍କ ଅସମାହିତ ମୃତ୍ୟୁ ରହସ୍ୟ” ବିଷୟରେ ମଧ୍ୟ ପ୍ରଶ୍ନ ଉତ୍ଥାପିତ କରିଥିଲା । କଂଗ୍ରେସ ନେତୃବୃନ୍ଦ ଆରୋପ କରିଥିଲେ ଯେ, “ଖଣ୍ଡଲକାର ଓ ଥୋମ୍ବ୍ରେଙ୍କୁ ସୋରାବୁଦ୍ଧିନ ହତ୍ୟାକାଣ୍ଡରେ ଆରୋପୀକୁ ଦୋଷମୁକ୍ତ କରିବାକୁ ଚାପ ପଡ଼ୁଥିଲା ବୋଲି ଲୋହା ସଗୋପନେ ଅବଗତ କରିଥିଲେ ।” ୪ (Congress for Probe Into Loya’s death, Sees Foul Play in Death of Two Associates. Accessed from https://thewire.in/law/congress-will-collaborate-if-sc-sets-up-sit-to-probe-loyas-death-kapil-sibal )
ଏହା ପରେ ଭାରତର ମୁଖ୍ୟ ନ୍ୟାୟଧୀଶଙ୍କ ବିପକ୍ଷରେ ଉଚ୍ଚତମ ନ୍ୟାୟାଳୟର ନ୍ୟାୟାଧୀଶମାନେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ ଏପ୍ରିଲ ୧୯ରେ, ଲୋହା ମୃତ୍ୟୁ ତଦନ୍ତ ଦାବି ସମ୍ବନ୍ଧୀୟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇଥିଲେ ଏହା କଂଗ୍ରେସ ନେତା ତେହେସିନ ପୁନାୱାଲାଙ୍କ ଦ୍ୱାରା ଦାଖଲ ହୋଇଥିଲା । ୧୨ ଜାନୁଆରୀରେ,ପୁନାୱାଲା ଅଭିଯୋଗ କରିଥିଲେ ଯେ ଜଣେ ବରିଷ୍ଠ ଓକିଲ ଅର୍ଜିକୁ ପ୍ରତ୍ୟାହାର କରିନେବାକୁ ଚାପ ପ୍ରୟୋଗ କରୁଛନ୍ତି । ଉକ୍ତ ଓକିଲଙ୍କ ନାମ ପ୍ରକଟନ କରିବାକୁ ମନା କରି ପୁନାୱାଲା କହିଥିଲେ ଯେ, “ନ୍ୟାୟପାଳିକା ଉପରେ ତାଙ୍କର ସଂପୂର୍ଣ୍ଣ ଆସ୍ଥା ଅଛି । ମାମଲାକୁ ନେଇ ଯେଉଁ ରାଜନୀତି ଚାଲିଛି ସେଥିରେ ତାଙ୍କର କିଛି ସଂପୃକ୍ତି ନାହିଁ” । ୫ (I was presumed to withdraw Loya plea in SC: Congress leader Tehseen Poonawalla. Accessed from https://timesofindia.indiatimes.com/india / i-waspressured-to-withdraw-loya-plea-in-sc-congress-leader-tehseen-poonawalla/articleshow/62479621.cms.)) ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏମ୍ ଖାନୱିଲକର ଓ ଡିୱାଇ ଚନ୍ଦ୍ରାଚୁଡ଼ଙ୍କ ଖଣ୍ଡପୀଠ ପୁନାୱାଲାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ସେମାନେ କହିଥିଲେ,“ଲୋହାଙ୍କ ମୃତ୍ୟୁର କାରଣ ବା ପରିସ୍ଥିତି ସମ୍ବନ୍ଧରେ କୌଣସି ସନ୍ଦେହ ଯଥାର୍ଥ ନୁହେଁ, ତେଣୁ ଅଧିକ ତଦନ୍ତର ଆବଶ୍ୟକତାର କୌଣସି ଭିତ୍ତି ନାହିଁ ।” ଉଚ୍ଚତମ ନ୍ୟାୟଳୟର ରାୟକୁ ମାନି ନେବା ପରିବର୍ତ୍ତେ କଂଗ୍ରେସ ଦଳ ପ୍ରଶ୍ନ କରିଥିଲା, ଯାହା ମୋ(ଅନୁଜ ଧର) ମତ ଅନୁସାରେ ଉଚ୍ଚତମ ନ୍ୟାୟଳୟକୁ ବଦ୍‌ନାମ କରିବାକୁ ଅନ୍ୟ ଏକ ଅପଚେଷ୍ଟା ଥିଲା । ଏ ରାୟକୁ “ଭାରତ ଇତିହାସରେ ଏକ ଦୁଃଖଦ ଦିବସ” ଭାବେ ବର୍ଣ୍ଣନା କରିଥିଲା କଂଗ୍ରେସ । ଏ.ଏନ୍‌.ଆଇ.ର ଖବର ଅନୁଯାୟୀ କଂଗ୍ରେସ ମୁଖପାତ୍ର ଆର ଏସ୍ ସୂରଜୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହୁଥିବାର ଶୁଣାଗଲା ଯେ, ରାୟରେ ଅନେକ ପ୍ରଶ୍ନ ଅସମାହିତ ରହିଗଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅସଙ୍ଗତି, ଏମିତି କି ପୀଡ଼ିତର ନାମ ମଧ୍ୟ ସଠିକ୍ ଲେଖା ଯାଇନଥିଲା । ବରିଷ୍ଠ ନେତା ଓ ଆଇନଜୀବୀ ଅଭିଷେକ ମନୁ ସିଂହଭୀ ଟ୍ୱିଟ କରିଥିଲେ ଯେ, “ଲୋହା ରାୟ ଭାବାବେଗରହିତ ବିଷ୍ଲେଷଣର ଅପେକ୍ଷା ରଖେ । ଏହି ରାୟ କେଉଁ ଯୁକ୍ତିରେ ଗ୍ରହଣୀୟ ହେବ? ଯେପର୍ଯ୍ୟନ୍ତ ଯୁକ୍ତିଯୁକ୍ତ କାରଣ ନ’ମିଳିଛି ଅନେକ ପ୍ରଶ୍ନ ଉଠାଯିବ ଓ ଅନେକ ପ୍ରଶ୍ନର ଉତ୍ତର ମିଳିବନି ।”

କଂଗ୍ରେସ ଦଳ କ’ଣ ଆପତ୍ତି କଲା ତାହା ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ରାୟର ସଂପୂର୍ଣ୍ଣ ପାଠ ପରେ ଏହା ସ୍ପଷ୍ଟ ପ୍ରତୀତ ହୁଏ ଯେ ଉଚ୍ଚତମ ନ୍ୟାୟଳୟ ପ୍ରତି ଆରୋପକୁ ଉତ୍ତମ ରୂପେ ବିଷ୍ଲେଷଣ ପୂର୍ବକ ରାୟ ଦେଇଛନ୍ତି । ରାୟର ପ୍ରଥମ ଭାଗରେ ‘କାରାଭାନ’ର ପ୍ରକାଶିତ କିଛି ଅଂଶକୁ ଉଦ୍ଧୃତ କରାଯାଇଛି ଯାହାର ଆଧାରରେ ପୁନାୱାଲା ଆବେଦନ କରିଥିଲେ । ଏହି ଯାଚିକାରେ ଦାବି କରାଯାଇଥିଲା ଯେ ସଂପୂର୍ଣ୍ଣ ସମାଜର ଉପକାର ଓ ମଙ୍ଗଳ ସକାଶେ…କୌଣସି ମନ୍ଦ ଉଦ୍ଧେଶ୍ୟରେ ନୁହେଁ” । ଏହି ବାବଦରେ ଅନ୍ୟ ଆବେଦନକାରୀ ମଧ୍ୟ ଥିଲେ, କିନ୍ତୁ ସେମାନେ କାରାଭାନ ପତ୍ରିକା ବ୍ୟତୀତ ‘ଦ ଇଣ୍ଡିଆନ ଏକ୍ସପ୍ରେସ୍’ ତଥା ‘କ୍ୱିଣ୍ଟ୍‌’, ‘ଦ ୱାର’ ଓ ‘ସ୍କ୍ରୋଲ୍‌’ରେ ପ୍ରକାଶିତ ଖବରକୁ ମଧ୍ୟ ବ୍ୟବହାର କରିଥିଲେ ।

ଏସବୁରେ ପ୍ରକାଶିତ କିଛି ଖବର କଂଗ୍ରେସ ଦଳ ସପକ୍ଷରେ ଥିଲା ।

‘କାରାଭାନ’ରେ ପ୍ରକାଶିତ କିଛି ନିବନ୍ଧରେ ଉପସ୍ଥାପିତ ଦାବିକୁ ଉଦାହରଣ ନିଆଯାଇପାରେ ।

– କ୍ରମଶଃ –

ଲୋକପ୍ରିୟ ଲେଖା

To Top