ରହସ୍ୟ

ଏକ ତଥ୍ୟ ସମ୍ବଳିତ ସରକାରୀ ବିବୃତି

Shastrijinka Hatyaara Rahasya

ପିତାମ୍ବର ଦାସ କହିଲେ, ସେ ଋୁଷୀୟ ଭାଷାର ଡାକ୍ତରୀ ରିପୋର୍ଟ ଓ ତା’ର ଇଂରାଜୀ ଅନୁବାଦରେ ସେ କିଛି ଅସଙ୍ଗଗତତା ଲକ୍ଷ୍ୟ କରିଛନ୍ତି ।

ଏକ ତଥ୍ୟ ସମ୍ବଳିତ ସରକାରୀ ବିବୃତି

‘ଧର୍ମଯୁଗ’ରେ ଲଳିତା ଶାସ୍ତ୍ରୀଙ୍କ ସାକ୍ଷାତକାର ପରେ ଜନଅସନ୍ତୋଷ ବଢ଼ିବାରେ ଲାଗିଲା । ଫଳତଃ ୧୯୭୦ର ଶେଷାର୍ଦ୍ଧ ଆଡ଼କୁ ବାଧ୍ୟ ହୋଇ ସରକାର ତାସକନ୍ଦରେ ଘଟିଥିବା ଶାସ୍ତ୍ରୀଙ୍କ ଅସମୟ ଦୁଃଖଦ ମୃତ୍ୟୁ ସମ୍ପର୍କରେ ବିଷଦ ବିବରଣୀ ଦେବାକୁ ବାଧ୍ୟ ହେଲେ । ୩ ଡ଼ିସେମ୍ବର ୧୯୭୦ରେ ଜେ.ପି. ୟାଦବ, ଗୁରଚରଣ ସିଂହ ତୋହାରା, ଥିଲାଇ ଭିଲ୍ଲାଲାନ, ଚିତ୍ତ ବସୁ, ଇନ୍ଦର ସିଂହ ଭଳି ନେତୃବୃନ୍ଦ, ରାଜ୍ୟସଭାରେ ଏ ବିଷୟରେ ଉଠାଇବାରୁ ଏହା ସମ୍ଭବ ହେଲା । ସେମାନେ ପଚାରିଲେ ସରକାର କ’ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଉପ ଗୃହମନ୍ତ୍ରୀ କେ.ସି. ପନ୍ଥ କହିଲେ ଲଲିତା ଶାସ୍ତ୍ରୀଙ୍କ ସାକ୍ଷାତକାରର ଏକ ପ୍ରେସ୍ ରିପୋର୍ଟ ଛଡ଼ା ସରକାରଙ୍କ ପାଖରେ ଅନ୍ୟ କୌଣସି ଖବର ନାହିଁ । କିନ୍ତୁ ସରକାର ଜନସାଧାରଣଙ୍କ ପାଇଁ କିଛି ତଥ୍ୟ ପ୍ରକାଶ କରିବାକୁ ପଦକ୍ଷେପ ନେଉଛନ୍ତି । ଶେଷରେ ୧୮ ଡ଼ିସେମ୍ବର ୧୯୭୦ରେ ଏକ ତଥ୍ୟ ସମ୍ବଳିତ ବିବୃତି ସାଂସଦର ଉଭୟ ଗୃହରେ ପେଶ୍ କରାଗଲା ।

ଏହି ବିବୃତି ସରକାରଙ୍କ ବିରୋଧରେ ହେଇଥିବା ସମସ୍ତ ଅଭିଯୋଗ ଓ ପୂର୍ବରୁ ସାଂସଦଙ୍କ ଦ୍ୱାରା ଦର୍ଶାଯାଇଥିବା ତଦନ୍ତରେ ରହିଯାଇଥିବା କିଛି ଫାଙ୍କ / କମିର ମଧ୍ୟ ସ୍ପଷ୍ଟିକରଣ ଦିଆଯାଇଥିଲା । ଏହି ୧୮ ଦଫାବିବୃତିକୁ ବଲିଷ୍ଠ କରୁଥିଲା ଏଥିରେ ସଲଗ୍ନ ୧୯୬୬ରେ ସୋଭିଏତ ଡାକ୍ତର ମାନଙ୍କ ପ୍ରଦତ୍ତ ଏକ ସାଟିଫିକେଟର ନକଲ ସହ ଅନ୍ୟ ବିଶେଷ ସ୍ପଷ୍ଟିକରଣ । ଏହାର ଇଂରାଜୀ ଅନୁବାଦ ମଧ୍ୟ ସଂଯୁକ୍ତ ଥିଲା ।

ପ୍ରଥମ ବାକ୍ୟରେ ସ୍ପଷ୍ଟ ଭାବେ ସୂଚାଇ ଦିଆଯାଇଥିଲା ଯେ ଶାସ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀମାନେ ତାଙ୍କ ପ୍ରତି ବହୁତ ଅନୁଗତ ଥିଲେ ।

‘୧୯୫୫ ମସିହାରୁ ଡ଼. ଆରଏନ ଚୁଗ୍ ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଚିକିତ୍ସକ ହିସାବରେ କାମ କରୁଥିଲେ । କେବଳ ମଝିରେ ୧୯୫୯-୬୨ରେ ସେ ବିଦେଶରେ ତାଲିମ ନେବା ଉଦ୍ଧେଶ୍ୟରେ ବିରତି ନେଇଥିଲେ । ସେ ନିୟମିତ ଶାସ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ, ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଥିଲେ ଓ ତାଙ୍କର ସବୁ ଗସ୍ତରେ ସେ ପାଖେ ପାଖେ ରହୁଥିଲେ । ଦିଲ୍ଲୀରେ ଥିଲାବେଳେ ଡ଼ଃ ଚୁଗ୍ ଅନ୍ୟ ଦକ୍ଷ ଅନୁଭବୀ ଚିକିତ୍ସକଙ୍କ ସହ ଶାସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବିଚାର ବିମର୍ଶ କରୁଥିଲେ । ୩୧ ଡ଼ିସେମ୍ବର ୧୯୬୫ରେ ଶାସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କୁହାଯାଇଥିଲା । ଡ଼ଃ ଚୁଗ୍ ଜରୁରୀ ଚିକିତ୍ସା ପରିପ୍ରେକ୍ଷୀରେ ସମସ୍ତ ଆବଶ୍ୟକୀୟ ଔଷଧପତ୍ର ଓ ଚିକିତ୍ସା ଡାକ୍ତରୀ ଯନ୍ତ୍ରପାତି ଆଦି ନିଜ ସହିତ ତାସକନ୍ଦ ନେଇଯାଇଥିଲେ । ଶ୍ରୀ ରାମନାଥ ମଧ୍ୟ ବିଗତ ୨୦ ବର୍ଷ ହେଲା ଶାସ୍ତ୍ରୀଙ୍କ ପରିବାର ପାଇଁ କାର୍ଯ୍ୟ କରିଆସୁଛନ୍ତି । ଶାସ୍ତ୍ରୀଙ୍କ ସବୁ ବ୍ୟକ୍ତିଗତ ଜିନିଷପତ୍ର ଶ୍ରୀ ରାମ ନିଜ ଜିମାରେ ରଖନ୍ତି । ତାସକନ୍ଦରେ ରହଣୀ ସମୟରେ ତାଙ୍କ ଦାୟିତ୍ୱ ଥିଲା ଶାସ୍ତ୍ରୀଙ୍କ ସବୁ ବ୍ୟକ୍ତିଗତ ଆବଶ୍ୟକତାର ଦାୟିତ୍ୱ ନେବା ଓ ଦରକାର ବେଳେ ସେଙ୍ଗ ସେଙ୍ଗ ତାଙ୍କ ସେବାରେ ହାଜିର ହେବା ଆଦି । ସେ ମଧ୍ୟ ଶାସ୍ତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି କରିବାରେ ସାହାଯ୍ୟ କରୁଥିଲେ । ଶ୍ରୀ ଆର କପୁର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ଥିଲେ । ପ୍ରାୟତଃ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ଫ୍ଳାକ୍ସରେ ହିଁ ଜଳ ନେଇ ଯାଉଥିଲେ ।’

ଏହି ସରକାର ବିବୃତି ମଧ୍ୟ ଶାସ୍ତ୍ରୀଙ୍କ ଅଲଗା ହୋଟେଲ ବା ଡାଚାରେ ରହିବାରେ ବନ୍ଦୋବସ୍ତର କାରଣଗୁଡ଼ିକ ଦର୍ଶାଇଥିଲା ।

‘ଭାରତୀୟ ଦୂତବାସର ଅନ୍ୟ ସଦସ୍ୟମାନେ ରହୁଥିବା ଇନ୍ଟୁରିଷ୍ଟ୍‌ ହୋଟେଲଠାରୁ ଡାଚାଟି ପ୍ରାୟ ୨୫୦ ଗଜ ଦୂରରେ ଅବସ୍ଥିତ । ଅଭିଯୋଗ ଉଠୁଛି ପ୍ରଥମେ ତ ଶାସ୍ତ୍ରୀଙ୍କୁ ଇନ୍ଟୁରିଷ୍ଟ ହୋଟେଲ୍‌ରେ ରହିବାର ବନ୍ଦୋବସ୍ତ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ କାଳରେ କାହିଁକି ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ତାଙ୍କୁ ଡାଚାରେ ରଖାଗଲା । ୧୯୬୬ରେ ରାଜ୍ୟସଭାରେ ବିଦେଶ ମନ୍ତ୍ରୀ ଦେଇଥିବା ବିବୃତି ଅନୁସାରେ ଉପରୋକ୍ତ ଅଭିଯୋଗ ନିରାଧାର ଅଟେ । ପ୍ରଧାନମନ୍ତ୍ରୀଙ୍କ ପାଇଁ ଭିନ୍ନ ଭିଲାର ପ୍ରୟୋଜନ ଥିଲା କାରଣ ଡାଚାରେ-

୧. ତାଙ୍କୁ ସିଡ଼ି ଚଢ଼ିବାକୁ ପଡ଼ିନଥାନ୍ତା । ଇନ୍ଟୁରିଷ୍ଟ ହୋଟେଲ୍‌ର ପ୍ରଥମ ମହଲାରେ ହିଁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପଯୁକ୍ତ କୋଠରୀ ଥିଲା କିନ୍ତୁ ହୋଟେଲରେ ଲିପ୍ଟର ବନ୍ଦୋବସ୍ତ ନଥିଲା । ତେଣୁ ଶାସ୍ତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତେ ।

୨. ଭିଲା ବା ଡାଚାରେ ତାଙ୍କ ସହିତ ବ୍ୟକ୍ତିଗତ ଚିକିତ୍ସକ ବା ସୁରକ୍ଷା ଦଳ ରହିପାରିବାର ବନ୍ଦୋବସ୍ତ ଥିଲା କିନ୍ତୁ ଇନ୍ଟୁରିଷ୍ଟ ହୋଟେଲରେ ରହିଥିଲେ, ସେମାନଙ୍କୁ ଭିନ୍ନ ମହଲାରେ ହିଁ ରହିବାକୁ ପଡ଼ିଥାଆନ୍ତା ।

୩. ଭିଲାରେ ଅତିଥିଙ୍କୁ ଭେଟିବା ଓ ଚର୍ଚ୍ଚାଦି କରିବା ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ ସମ୍ଭବ ଥିଲା; କିନ୍ତୁ ଇନ୍ଟୁରିଷ୍ଟ ହୋଟେଲ୍‌ରେ ସେମିତି କିଛି ସ୍ୱତନ୍ତ୍ର କକ୍ଷ ନଥିଲା । ଏକ ମାତ୍ର ଭୋଜନ କକ୍ଷରେ ହିଁ ପୂରା ପ୍ରତିନିଧି ଦଳଙ୍କ ଅଭର୍ଥନା ଦିଆଯିବାର ବ୍ୟବସ୍ଥା ଥିଲା ।

୪. ସୋଭିଏତ ଓ ପାକିସ୍ଥାନର ନେତାଙ୍କ ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କର ବି ରହିଣୀର ସ୍ୱତନ୍ତ୍ର ବ୍ୟବସ୍ଥା ଉପଯୁକ୍ତ ହେବ ବୋଲି ବିଚାର କରାଗଲା ।

ସରକାର ସ୍ୱୀକାର କଲେ ଯେ ପ୍ରଧାନମନ୍ତ୍ରୀଙ୍କ କକ୍ଷରେ କୌଣସି ବେଲ ବା ଘଣ୍ଟି ବା ଫୋନର ବ୍ୟବସ୍ଥା ନଥିଲା । କିନ୍ତୁ ତାଙ୍କ କକ୍ଷ ସଂଲଗ୍ନ ପଲଙ୍କଠାରୁ ମାତ୍ର ୪/୫ ମିଟର ଦୂରତାରେ ଏକ କକ୍ଷର ମଝିଆମଝି ତିନୋଟି ତିନୋଟି ଫୋନର ବ୍ୟବସ୍ଥା କରାଯାଇଥିଲା । ତୃତୀୟ କଳା ରଙ୍ଗର ଫୋନରେ ‘ବଜର’ର ବନ୍ଦୋବସ୍ତ କରାଯାଇଥିଲା । ରିସିଭର ଉଠାଇବା ମାତ୍ରେ ବଜରଟି ବାଜିଉଠିବ । ଏହି ଫୋନଟି ମେଡ଼ିକାଲ ଅଫିସର ଓ ସୁରକ୍ଷା ଅଧକାରୀଙ୍କ କକ୍ଷ ସହିତ ସଂଯୁକ୍ତ କରାଯାଇଥିଲା । ଏହାର ବ୍ୟବହାରିତା ବିଷୟରେ ଶାସ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଓ ସେ ତାସକନ୍ଦରେ ରହଣୀ ସମୟରେ ଏକାଧିକବାର ବଜର ସଂଯୁକ୍ତ ଫୋନକୁ କାମରେ ଲଗାଇଛନ୍ତି ।

ଭିଲାରେ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ସୋଭିଏତ ସରକାର କରିଥିଲେ । ବିବୃତିନୁସାରେ ଏହି ବ୍ୟବସ୍ଥା “ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା ଓ ଏହା ସନ୍ତୋଷଜନକ ବୋଲି କୁହାଯାଇଥିଲା ।”

ମହମ୍ମଦ ଜାନଙ୍କ ବିଷୟରେ କୁହାଯାଇଥିଲା-

‘ମସ୍କୋରେ ଅବସ୍ଥାପିତ ଭାରତୀୟ ଦୂତଙ୍କ ରୋଷେୟା ହିସାବରେ କାର୍ଯ୍ୟରତ ମହମ୍ମଦ ଜାନ୍ ଶାସ୍ତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତିରେ ଅନ୍ୟ ଋଷୀୟ ରୋଷେୟାଙ୍କ ସହିତ ନିଯୁକ୍ତ ଥିଲେ । ସ୍ୱାଧୀନତାର ଅନେକ ବର୍ଷ ପୂର୍ବରୁ ଜାନ୍ ଅନେକ ଉଚ୍ଚସ୍ତରୀୟ ସରକାରୀ କର୍ମକର୍ତ୍ତାଙ୍କ ପାଇଁ କାର୍ଯ୍ୟ କରିଥିଲେ । ୧୯୪୬ରୁ ପ୍ରାୟ ୧୧ ବର୍ଷ ଧରି ସେ ସ୍ୱର୍ଗୀୟ ମୌଲାନା ଆବୁଲ କଲାମ ଆଜାଦଙ୍କ ରୋଷେୟା ହିସାବରେ କାମ କରୁଥିଲେ । ଆଜାଦଙ୍କ ମୃତ୍ୟୁ ଅନ୍ତେ ସେ ନାଇଜେରିଆରେ ଭାରତୀୟ ଦୂତ ଶ୍ରୀ ଆଇ.ଜେ.ବାହାଦୂର ସିଂହଙ୍କ ପାଇଁ କାମ କଲେ । ମସ୍କୋସ୍ଥିତ ଭାରତୀୟ ଦୂତବାସରେ ସେ ମୁଖ୍ୟ ରୋଷେୟା ଦାୟିତ୍ୱରେ ଥିଲେ । ଅନେକ ଉଚ୍ଚସ୍ତରୀୟ ବ୍ୟକ୍ତିମାନଙ୍କ ସହିତ ତାଙ୍କ ଦୀର୍ଘଦିନର ସଂଯୁକ୍ତି ଥିଲେ ମଧ୍ୟ କେବେ ବି ତାଙ୍କ ବିଶ୍ୱାସନୀୟତାକୁ ନେଇ କୌଣସି ପ୍ରକାରର ସଂନ୍ଦେହ ଉପୁଜି ନାହିଁ । ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ମହମ୍ମଦ ଜାନ୍ ଆମର ରାଷ୍ଟ୍ରଦୂତଙ୍କ ରୋଷେୟାର କାର୍ଯ୍ୟ ସୂଚାରୂ ରୂପେ ୧୯୬୬ ପର୍ଯ୍ୟନ୍ତ ନିର୍ବାହ କରିଥିଲେ । ଏହାପରେ ସେ ରୋମ୍‌ରେ ସ୍ଥିତ ଆମର ରାଷ୍ଟ୍ରବାସରେ ରୋଷେୟା ନିଯୁକ୍ତି ପାଇଲେ । ୧୯୬୯ରୁ ଆଜି ପର୍ଯ୍ୟନ୍ତରେ ରାଷ୍ଟ୍ରପତି ଭାବନରେ କାର୍ଯ୍ୟ କରୁଛନ୍ତି ଓ କେବେ ତାଙ୍କ ବିରୁଦ୍ଧରେ କୌଣସି ପ୍ରକାର ଅଭିଯୋଗ ଏଯାଏଁ ଆମ ଦୃଷ୍ଟିକୁ ଆସିନାହିଁ ।

ସରକାର ଦୃଢ଼ୋକ୍ତି ପ୍ରକାଶ କଲେ ଯେ ଶ୍ରୀ ରାମନାଥଙ୍କ ନିର୍ଦ୍ଧେଶିତ ମେନୁ ବା ଖାଦ୍ୟ ସାରଣୀନୁସାରେ ମହମ୍ମଦ୍‌ ଜାନ ଓ ଅନ୍ୟମାନେ ଖାଦ୍ୟ ପ୍ରସ୍ତୁତ କରିଥିଲେ । ରାମନାଥ ଶାସ୍ତ୍ରୀଙ୍କ ସେହି ଖାଦ୍ୟ ପରଷିବା ଦାୟିତ୍ୱରେ ଥିଲେ । ସରକାର ନିଜ ପୂର୍ବ କଥାକୁ ଦୋହରାଇ କହିଲେ, “ରାମନାଥ ହିଁ ସେଦିନ ଅର୍ଦ୍ଧରାତି୍ରରେ ଶାସ୍ତ୍ରୀଙ୍କୁ ଇସବ୍‌ଗୁଲ ମିଶ୍ରିତ ଦୁଗ୍ଧ ଦେଇଥିଲେ । ରାମନାଥ ନିଜେ ମଧ୍ୟ ରୋଷେଇ ଘରେ ଦୁଗ୍ଧକୁ ଗରମ କରିଥିଲେ । କିଛି ସମୟ ଅନ୍ତରାଳେ ରାମନାଥ ହିଁ କକ୍ଷରେ ମହଜୁଦ ଫ୍ଳାକ୍ସରୁ ପାଣି କାଢ଼ି ଶାସ୍ତ୍ରୀଙ୍କ ଦେଇଥିଲେ ।” ଶ୍ରୀ ରାମନାଥ ପ୍ରଧାନମନ୍ତ୍ରୀଙ୍କ ସୁଇଟରେ ପ୍ରାୟ ୧୨:୩୦ ପର୍ଯ୍ୟନ୍ତ ଥିଲେ । ଶାସ୍ତ୍ରୀ ତାଙ୍କୁ ଭୋଜନ ନିମନ୍ତେ ପ୍ରସ୍ଥାନ କରିବାକୁ କହିବାରୁ ସେ କକ୍ଷର ଲାଇଟ ଲିଭାଇ ଚାଲିଗଲେ । ସେହି ସମୟ ପର୍ଯ୍ୟନ୍ତ ତ ଶାସ୍ତ୍ରୀ ପୂରାପୂରି ସୁସ୍ଥ ଓ ସ୍ୱାଭାବିକ ଥିବାର ଜଣାଯାଏ ଓ କୌଣସି ଅସୁସ୍ତିର ଅନୁଭବ କରୁଥିବାର କହିନଥିଲେ ।

ଶାସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟ୍‌ ଘେନି ଲାଗିରହିଥିବା ଅନେକ ବିବାଦ ଯଥା-ଏବେ ଏହା କାହାର ତତ୍ତ୍ୱାବଧାନରେ ଅଛି, ଋଷୀୟ ଓ ଇଂରାଜୀ ଅନୁବାଦରେ କାହିଁକି ଏତେ ତଫାତ୍ ଇତ୍ୟାଦିର ମଧ୍ୟ ସରକାର ସ୍ପଷ୍ଟିକରଣ ଦେଇଥିଲେ ।

ମେଡ଼ିକାଲ ରିପୋର୍ଟ ଋଷୀୟ ଭାଷାରେ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଡ଼ଃ ଚୁଗ୍‌ଙ୍କ ଓ ଆଠ ସୋଭିଏତ ଡାକ୍ତରଙ୍କ ସହ ଉଜବେକ୍ ସୋଭିଏତ ସୋସିଆଲିଷ୍ଟ ରିପବ୍ଳିକ୍ର ସ୍ୱାସ୍ଥ୍ୟ ଉପମନ୍ତ୍ରୀ ଓ ଡ଼ଃ ୟେରେମେନ୍‌କୋଙ୍କ ସ୍ୱାକ୍ଷର ରହିଛି । ରିପୋର୍ଟଟି ଜଣେ ଭାରତୀୟ ଅନୁବାଦକଙ୍କ ଦ୍ୱାରା ଇଂରାଜୀରେ ଅନୁବାଦ କରାଯାଇଛି । ଇଂରାଜୀ ଅନୁଦିତ ମେଡ଼ିକାଲ ରିପୋର୍ଟଟିରେ ମଧ୍ୟ ଡ଼ଃ ଚୁଗ୍ ଓ ଛ’ଜଣ ସୋଭିଏତ ଡାକ୍ତରଙ୍କ ସହ ଉଜବେକ୍ ସୋଭିଏତ ସୋସିଆଲିଷ୍ଟ ରିପବ୍ଳିକ୍ର ସ୍ୱାସ୍ଥ୍ୟ ଉପମନ୍ତ୍ରୀଙ୍କ ସ୍ୱାକ୍ଷର ଅଛି । ଇଂରାଜୀ ଅନୁଦିତ ରିପୋର୍ଟଟି ସଙ୍ଗେ ସଙ୍ଗେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ଏବେ ଗୃହ ମନ୍ତ୍ରଣାଳୟର ହେପାଜତରେ ସଂରକ୍ଷିତ ଅଛି । ଋଷୀୟ ସ୍ୱାକ୍ଷରିତ ମେଡ଼ିକାଲ ରିପୋର୍ଟର ନକଲ ଜୁଲାଇ ୧୯୭୦ରେ ଋୁଷୀୟ କର୍ତ୍ତୃପକ୍ଷଙ୍କଠାରୁ ହସ୍ତଗତ ହେଲା । ୧୪ ଜାନୁଆରୀ ୧୯୬୬ରେ ନୂଆ ଦିଲ୍ଲୀସ୍ଥିତ ସୋଭିଏତ ଦୂତବାସ ଦ୍ୱାରା ପ୍ରକାଶିତ ‘ଦ ସୋଭିଏତ ରିଭ୍ୟୁ’ରେ ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧରେ ଇଂରାଜୀ ମେଡ଼ିକାଲ ରିପୋର୍ଟଟି ସଂଯୁକ୍ତ ଏକ କ୍ରୋଡ଼ପତ୍ରରେ ପ୍ରକାଶିତ ହେଲା । ରିପୋର୍ଟଟିରେ ଆର.ଏନ ଚୁଗ୍, ଆଠ ସୋଭିଏତ ଡାକ୍ତର ଓ ଉଜବେକ୍ ସୋଭିଏତ ସୋସିଆଲିଷ୍ଟ ରିପବ୍ଳିକର ସ୍ୱାସ୍ଥ୍ୟ ଉପମନ୍ତ୍ରୀଙ୍କ ସ୍ୱାକ୍ଷର ଥିବା ସ୍ପଷ୍ଟ । ଏହି ମେଡ଼ିକାଲ ରିପୋର୍ଟଟି ମୂଳ ଋଷୀୟ ରିପୋର୍ଟର ଇଂରାଜୀ ଅନୁବାଦ । ଉଭୟ ଋଷୀୟ ଓ ଇଂରାଜୀ ମେଡ଼ିକାଲ ରିପୋର୍ଟରେ କୌଣସି ତଥ୍ୟଗତ ପାର୍ଥକ୍ୟ ଥିବା ଜଣାଯାଏନାହିଁ । ତଥାପି ଦୁଇଟି ଛୋଟିଆ ପାର୍ଥକ୍ୟ ଦିଗରେ ଦୃଷ୍ଟି ଆକର୍ଷଣ କରିବା ଠିକ୍ ହେବ । ପ୍ରଥମତଃ ଇଂରାଜୀ ମେଡ଼ିକାଲ ରିପୋର୍ଟରେ ଡ଼ଃ ଚୁଗ୍‌ଙ୍କ ସହିତ ଛ’ ଜଣ ସୋଭିଏତ ଡାକ୍ତରଙ୍କ ସ୍ୱାକ୍ଷର ରହିଥିବା ରହିଥିବା ସ୍ଥଳେ ଋଷୀୟ ଭାଷାର ରିପୋର୍ଟଟିରେ ଡ଼ଃ ଚଗ୍ ଓ ଆଠ ସୋଭିଏତ ଡାକ୍ତରଙ୍କ ସ୍ୱାକ୍ଷର ରହିଛି । ରିପୋର୍ଟଟି ପ୍ରଥମେ ଋଷୀୟ ଭାଷାରେ ହିଁ ଲେଖା ଯାଇଥିଲା ଓ ଡ଼ଃ ଚୁଗ୍ ଓ ଆଠ ସୋଭିଏତ ଡାକ୍ତର ଏଥିରେ ସ୍ୱାକ୍ଷର କରିଥିଲେ । ପରେ ରିପୋର୍ଟଟି ଇଂରାଜୀରେ ଅନୁବାଦ କରାଗଲା ଓ ମାତ୍ର ଛ’ ଜଣ ସୋଭିଏତ ଡାକ୍ତରଙ୍କ ସ୍ୱାକ୍ଷର ଥିବା ଲକ୍ଷ୍ୟ କରାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରିପୋର୍ଟ ଦ୍ୱୟ ଘଟଣାସ୍ଥଳରେ ହିଁ ସ୍ୱାକ୍ଷରିତ ହେଇଛି, ତେଣୁ କୌଣସି ରିପୋର୍ଟକୁ ସଂନ୍ଦେହ କରିବା ଅଯୌକ୍ତିକ ମନେହୁଏ । ଯେବେ ଏ ବିଷୟରେ ସଂସଦରେ ଆଲୋଚନା କରାଗଲା, କିଛି ସାଂସଦ ଇଂରାଜୀ ଅନୁଦିତ ରିପୋର୍ଟରେ ଡ଼ଃ ଇଜି ୟେରେମେନ୍‌କୋଙ୍କ ସ୍ୱାକ୍ଷର ନଥିବା କଥା ଉଠାଇଲେ । କିନ୍ତୁ ଲକ୍ଷ୍ୟ କରିବାର କଥା ଯେ ୟେରେମେନ୍‌କୋ ହିଁ ପ୍ରଥମେ ଘଟଣାସ୍ଥଳ ବା ସେହି ଋଷୀୟ ଭିଲାରେ ପହଞ୍ଚିବାରେ ସର୍ବପ୍ରଥମ ଡାକ୍ତର ଥିଲେ । ଅବଶ୍ୟ ତାଙ୍କ ସ୍ୱାକ୍ଷର ଋଷୀୟ ଭାଷାରେ ଲିଖିତ ମୂଳ ରିପୋର୍ଟରେ ଦେଖାଯାଏ ।

ଋଷୀୟ ଓ ଇଂରାଜୀରେ ଅନୁଦିତ ରିପୋର୍ଟରେ ଦୁଇ ଭିନ୍ନ ଭିନ୍ନ ଔଷଧର ନାମଥିବା ଘେନି ମଧ୍ୟ ଆରୋପ କରାଯାଇଥିଲା । ୧୯୬୫ର ରାତ୍ରିର ସେହି ଘଡ଼ିସନ୍ଧି ସମୟରେ ଶାସ୍ତ୍ରୀଜୀଙ୍କ ଶରୀରକୁ ପୁନଃ କ୍ରିୟାଶୀଳ କରିବା ଉଦ୍ଧେଶ୍ୟରେ ପ୍ରକୃତରେ କେଉଁ ଔଷଧ ଦିଆଯାଇଥିଲା ସେ ନେଇ ଲାଗିରହିଥିବା ବିବାଦରେ ସରକାରଙ୍କ ଜବାବ କିଛିଟା ଗ୍ରହଣୀୟ ଅବଶ୍ୟ ଥିଲା ।

‘ଡାକ୍ତରୀ ରିପୋର୍ଟ ଦ୍ୱୟରେ ଦ୍ୱିତୀୟ ପାର୍ଥକ୍ୟର ପ୍ରସଙ୍ଗ ଥିଲା ଋଷୀୟ ଭାଷାର ମେଡ଼ିକାଲ ରିପୋର୍ଟରେ କାଲ୍ସିୟମ୍ କ୍ଳୋରାଇଡ଼, ଆଡ଼ରିନାଲିନ୍ ଓ ଗ୍ଳୁକୋଜର ଏକ ମିଶ୍ରଣ ଶାସ୍ତ୍ରୀଙ୍କ ଶରୀରରେ ଡାକ୍ତରୀ ଦଳଙ୍କ ଦ୍ୱାରା ଅନ୍ତ-କ୍ଷେପଣ କରାଯାଇଥିଲା । କିନ୍ତୁ ଇଂରାଜୀ ଅନୁଦିତ ରିପୋର୍ଟ ଔଷଧୀୟ ମିଶ୍ରଣଟି ପୋଟାସିୟମ୍ କ୍ଳୋରାଇଡ଼, ଆଡ଼ରିନାଲିନ୍ ଓ ଗ୍ଳୁକୋଜରେ ପ୍ରସ୍ତୁତ କରାଯାଇଥିଲା । ପ୍ରକୃତରେ ମିଶ୍ରଣଟି କାଲ୍ସିୟମ୍ କ୍ଳୋରାଇଡ଼, ଆଡ଼ରିନାଲିନ୍ ଓ ଗ୍ଳୁକୋଜରେ ପ୍ରସ୍ତୁତ ବୋଲି ଖୋଦ୍ ବୋଲି ଋଷ କର୍ତ୍ତୃପକ୍ଷ ସାବ୍ୟସ୍ତ କରିଛନ୍ତି । ଅନୁବାଦରେ ତ୍ରୁଟି ହେତୁ ଏପରି ପାର୍ଥକ୍ୟର ଉପୁଜିଲା । କାଲ୍ସିୟମ୍ ଓ ପୋଟାସିୟମ୍ର ଋଷୀୟ ଶବ୍ଦ ସମାନ । ପୋଟାସିୟମ ପାଇଁ ଋଷୀୟ ଶବ୍ଦ ‘କାଳୀ’, ହୋଇଥିବା ସ୍ଥଳେ କାଲସିୟମ ପାଇଁ ‘କାଇ ସି’ । ଅନୁମାନ କରାଯାଉଛି ଯେ ଭାରତୀୟ ଅନୁବାଦକ ଭୁଲରେ ‘କାଇ ସି’କୁ ପୋଟାସିୟମ ବୋଲି ଅନୁବାଦ କରିଛନ୍ତି । ଆଣ୍ଟି ଶକ୍ ବା ହୃଦ୍ଘାତଜନିତ ସ୍ଖଳନ ନିିରୋଧ ଚିକିତ୍ସା ସୋଭିଏତ ଡାକ୍ତର ଦଳଙ୍କ ଦ୍ୱାରା କରାଯାଇଥିଲା । ତେଣୁ ମେଡ଼ିକଲ ରିପୋର୍ଟ ସ୍ୱାକ୍ଷର କଲାବେଳେ ଡ଼ଃ ଚଗ୍ ଏହି ତ୍ରୁଟିକୁ ଲକ୍ଷ୍ୟ କରିବାର କୌଣସି ଅବକାଶ ନଥିଲା । ଏଣୁ ନିଃସଂନ୍ଦେହ ଯେ ଜଡ଼ବତ୍ ପଡ଼ିଥିବା ଶାସ୍ତ୍ରୀଜୀଙ୍କ ଶରୀରକୁ ପୁନଃ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଚିକିତ୍ସା ସମୟରେ ଦିଆଯାଇଥିବା ଔଷଧୀୟ ମିଶ୍ରଣର ଏକ ଉପାଦାନ ହିଁ ଦ୍ୱନ୍ଦର କାରଣ ଥିଲା । ତେଣୁ ଏହି ପାର୍ଥକ୍ୟକୁ ଶାସ୍ତ୍ରୀଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ସଂନ୍ଦେହ ଦୃଷ୍ଟିରେ ଦେଖିବା ସମୀଚୀନ ହେବନାହିଁ ।’

ଏହା ପରେ ସରକାରୀ ବିବୃତି ଶାସ୍ତ୍ରୀଙ୍କ ଶରୀରରେ ଲକ୍ଷ୍ୟ କରାଯାଇଥିବା କିଛି କଟା ଦାଗ ଓ ଠାଏଁ ଠାଏଁ ନୀଳ ଦାଗକୁ ନେଇ ଆରୋପରେ କେନ୍ଦୀଭୂତ ହେଲା । ଉତ୍ତରରେ ସରକାର କହିଥିଲେ, ‘ପୁନଃ କ୍ରିୟାଶୀଳ ଚିକିତ୍ସା ଅସଫଳ ହେଲା ପରେ, ଶାସ୍ତ୍ରୀଙ୍କ ମୃତ ଶରୀରର ତଡ଼ିତ୍ ବିଘଟନଶୀଳତାକୁ ରୋକିବା ଉଦ୍ଧେଶ୍ୟରେ ସୋଭିଏତ ଡାକ୍ତରମାନେ ଲେପନ ପଦ୍ଧତି ଦ୍ୱାରା ଶବ ସଂରକ୍ଷଣରେ ଲାଗିପଡ଼ିଲେ । ଏହି ସମୟରେ ଡ଼ଃ ଆର.ଏନ ଚୁଗ୍‌ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏଥିରେ ବ୍ୟବହୃତ ତରଳ ପଦାର୍ଥଟି ତିନି ଲିଟର ଖାଣ୍ଟି ସ୍ପିରିଟ, ଏକ ଲିଟର ଫର୍ମାଲିନ ଓ ୨୦୦ ଗ୍ରାମ ୟୁରୋଟ୍ରୋପାଇନ୍‌ରେ ପ୍ରସ୍ତୁତ କରାଯାଇଥିଲା । ଏହି ତରଳ ମିଶ୍ରଣ ତଳ ପେଟରେ ଏକ ଛିଦ୍ର ଦ୍ୱାରା ଫିମୋରାଲ ଧମନୀରେ ନିକ୍ଷେପ କରାଯାଇଥିଲା । ଏହା ପରେ ଛିଦ୍ରଟି ପ୍ଳାଷ୍ଟିକ୍ ଟେପ୍ ଦ୍ୱାରା ବନ୍ଦ କରିଦିଆଗଲା । ଅନ୍ୟ କୌଣସି ଛିଦ୍ର କରାଯାଇନଥିଲା କିି ଶରୀରର କୌଣସି ଅଂଶ ପରୀକ୍ଷା ବା ଅନ୍ୟ କାର୍ଯ୍ୟ ପାଇଁ କାଢ଼ି ନିଆଯାଇନଥିଲା । ଶାସ୍ତ୍ରୀଙ୍କ ଶରୀରରେ ଠାଏଁ ଠାଏଁ ରଙ୍ଗ ପରିବର୍ତ୍ତନ ସ୍ୱାଭାବିକ; କାରଣ ପ୍ରାୟତଃ ଶବ ସଂରକ୍ଷଣ ନିମନ୍ତେ ପଦ୍ଧତିର ପ୍ରୟୋଗ ପରେ ଏପରି ରଙ୍ଗ ପରିବର୍ତ୍ତନ ଏକ ପାର୍ଶ୍ୱ ପ୍ରତିକ୍ରିୟା ।’

୧୯୭୦ରେ ସୋଭିଏତ ଡାକ୍ତରଙ୍କ ପ୍ରେରିତ ସ୍ପଷ୍ଟିକରଣକୁ ଆଧାର କରି ସରକାର ତାଙ୍କ ବିବୃତିରେ ଦର୍ଶାଇଥିଲେ “ସେମାନେ ଶାସ୍ତ୍ରୀଙ୍କ ଶରୀରର ବେକ ପାଖରେ ନା କୌଣସି ଇେଞ୍ଜସନ ଦେଇଥିଲେ ନା ଛିଦ୍ର କରିଥିଲେ । ବେକ ମୂଳରେ କୌଣସି ଘାଁରୁ ରକ୍ତ କ୍ଷରଣ ହେବାର ମଧ୍ୟ ସେମାନେ ଲକ୍ଷ୍ୟ କରିନାହାନ୍ତି ।” ବିବୃତିରେ ମଧ୍ୟ କୁହାଯାଇଥିଲା ଯେ, ଭାରତୀୟ ପ୍ରତିନିଧି ଦଳ ବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀମାନେ ମଧ୍ୟ ବେକ ପାଖରୁ କୌଣସି ରକ୍ତକ୍ଷରଣ ଦେଖିନଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଭାରତୀୟ ଖବରକାଗଜରେରେ ପ୍ରକାଶିତ ଅନେକ ମନଗଢ଼ା କାହାଣୀର ଜବାବ୍‌ରେ/ ପ୍ରତିହତ କରିବା ଉଦ୍ଧେଶ୍ୟରେ ସୋଭିଏତ ଡାକ୍ତର ସ୍ପଷ୍ଟିକରଣ ଦେବାକୁ ବାଧ୍ୟ ହେଲେ । ସେମାନେ ଆହୁରି କହିଥିଲେ ଯେ ଶାସ୍ତ୍ରୀଙ୍କ ରହଣୀସ୍ଥଳ ନିକଟରେ ଦକ୍ଷ, ସୋଭିଏତ ଡାକ୍ତରଙ୍କୁ ଉଜ୍‌ବେକ୍ ଗଣତନ୍ତ୍ରର ସ୍ୱାସ୍ଥ୍ୟ ବିଭାଗ ଅନେକ ଗୁଡ଼ିଏ ୨୪ ଘଣ୍ଟିଆ ଚିକିତ୍ସା ଶିବିରର ମଧ୍ୟ ବନ୍ଦୋବସ୍ତ କରିଥିଲା । ସମସ୍ତ ପ୍ରକାରର ଆଧୁନିକ ଚିକିତ୍ସା ଯନ୍ତ୍ର ଓ ଚିକିତ୍ସା ସାମଗ୍ରୀ ଆଦି ମଧ୍ୟ ଏହି ଶିବିରରେ ଉପଲବଧ୍ ଥିଲା ।

ଶାସ୍ତ୍ରୀଙ୍କ ସମସ୍ତ ବ୍ୟକ୍ତିଗତ ଜିନିଷପତ୍ରର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ଓ ଏସବୁ ରାମନାଥଙ୍କ ଦ୍ୱାରା ବନ୍ଧାବନ୍ଧି କରାଯାଇଥିଲା ବୋଲି ବିବୃତି ଦିଆଯାଇଥିଲା । ତାସକନ୍ଦ ଡାଚାର ସମସ୍ତ ଆଲମିରା, ଡ୍ରୟର ଇତ୍ୟାଦି ଭଲ ଭାବେ ତନଖି ହୋଇଥିଲା, କାଳେ କିଛି ଜିନିଷ ଯଦି ରହିଯାଇଥିବ । ଦୁଇଟି ଥର୍ମୋଫ୍ଲାସ୍କ ରଖିବା ପାଇଁ ଉଦ୍ଧିଷ୍ଟ ଖୋଳକୁ ଜଣେ ସୁରକ୍ଷା ଅଫିସର ଘେନି ଆସିିଥିଲେ । ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଜିନିଷପତ୍ରରେ ‘କୌଣସି ଡାଏରି ନଥିବା’ ତଥା ‘ତାଙ୍କ ପାଖରେ ଡାଏରି କେହି ଦେଖିନଥିବା’ ଅତ୍ୟନ୍ତ ଦୃଢ ମନ୍ତବ୍ୟ ରଖିଥିଲେ ସରକାର । ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରସ୍ତୁତ ତାଲିକାନୁସାରେ ସବୁ ଜିନିଷପତ୍ରର ସଂଖ୍ୟା ଠିକ୍ ଅଛି ବୋଲି ନିଶ୍ଚିତ ହେଇଥିଲେ କର୍ମଚାରୀ । ଶାସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ କରାଯାଉ ବୋଲି ଶାସ୍ତ୍ରୀଙ୍କ ଜଣେ ନିକଟ ସଂର୍ପକୀୟ, କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଗୁଲଜାରିଲାଲ ନନ୍ଦାଙ୍କୁ ପ୍ରସ୍ତାବ ଦେଇଥିଲେ ନା ନାହିଁ, ଏ ସୂଚନାର ସତ୍ୟାସତ୍ୟ ଉପରେ ଶେଷରେ ସରକାର ବିବୃତି ରଖିଥିଲେ । ଏଭଳି ପ୍ରସ୍ତାବ ଦିଆଯାଇଥିଲା ବୋଲି ଆମ ପାଖରେ କୌଣସି ସରକାରୀ ନଥି ନାହିଁ । କେହି ତାଙ୍କୁ ଶବ ବ୍ୟବଚ୍ଛେଦ ପ୍ରସ୍ତାବ ଦେଇଥିବା କଥା ତାଙ୍କର ମଧ୍ୟ ସ୍ମରଣ ବୋଲି ସ୍ୱୟଂ ଶ୍ରୀ ନନ୍ଦା କହିଥିଲେ ।

ଉପରୋକ୍ତ ସରକାରୀ ବିବୃତି ସତ୍ୱେ ବିରୋଧି ସଭ୍ୟମାନେ ଅସନ୍ତୁଷ୍ଟ ଥିଲେ । ରାଜ୍ୟ ସଭାରେ ଏ ବିଷୟରେ ଆଗତ ବିତର୍କରେ ଭାଗ ନେଇଥିଲେ ଅନେକ ସଦସ୍ୟ । ବିତର୍କ ବେଳେ ବେଳେ ଉଗ୍ର ରୂପ ନେଉଥିଲା । ସର୍ବପ୍ରଥମେ ଏଲ.କେ. ଆଡ଼ଭାନୀ ସରକାରଙ୍କ ପଦ୍ଧତି (ପଏଣ୍ଟ୍‌ଅଫ ଅର୍ଡର ବା ଏକ ସାଂସଦୀୟ ନିୟମ ଯାହା ଦ୍ୱାରା ଜଣେ ସାଂସଦ କୌଣସି ବିଚାରଧୀନ ପ୍ରସ୍ତାବ ଉପରେ ଆପତ୍ତି ଉଠାଇପାରିବେ) ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ସଂସଦ ଅଧିବେଶନ ଆରମ୍ଭରୁ ସାଂସଦମାନେ ସରକାରଙ୍କଠୁ ବିବୃତି ଆଶା କରୁଥିଲେ । ‘ମୁଁ ନିଜେ ଏ ସଂକ୍ରାନ୍ତରେ ମନ୍ତ୍ରୀଙ୍କୁ ପଚାରିଥିଲି, ସେ କହିଲେ ସେମାନେ ପ୍ରାୟ ପ୍ରସ୍ତୁତ ହେଇସାରିଲେଣି । ଏବେ ଆମେ ଦେଖୁଛୁ ସଂସଦର ଅନ୍ତିମ ଦିବସରେ ବିବୃତି ଦିଆଗଲା ।’

‘ଏହି ପ୍ରସଙ୍ଗରେ ବିବୃତି ଦେବାର ସମୟ ନିର୍ଘଣ୍ଟ ଅଭିସନ୍ଧିମୂଳକ । ଏହା ମନ୍ଦ ଉଦ୍ଧେଶ୍ୟ ପ୍ରଣୋଚିତ ଓ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିତର୍କ ଏଡ଼ାଇ ଦିଆଯିବା / ସୁଯୋଗ ନଦେବା ପାଇଁ ଅଭିପ୍ରେତ । ସରକାରଙ୍କ ଏଭଳି ଆଚରଣକୁ ଅଧ୍ୟକ୍ଷ ମହୋଦୟ ଦୃଢ଼ ନିନ୍ଦା କରିବା ଉଚିତ୍ ।’

ଏହା ପରେ ଗୃହର ଉପସଭାପତି ଓ ଅନ୍ୟାନ୍ୟ ସଦସ୍ୟ ଖାସ୍ କରି ରାଜ ନାରାନଙ୍କ ମଧ୍ୟରେ ପ୍ରବଳ ବାକ୍ୟ ବିନିମୟ ଚାଲିଲା । ଶେଷରେ ଗୃହକୁ ମୁଲତବି ରଖାଗଲା । ପୁନଶ୍ଚ ୩:୧୫ରେ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ରାଜ ନାରାନ ଏଭଳି ଗୁରୁତ୍ୱପୂର୍ଣ୍ଣ ବିବୃତି ପାଇଁ ସଂସଦର ଶେଷ ଦିନ ଚୟନ କରାଯିବା ନେଇ ବିରକ୍ତି ପ୍ରକାଶ କରି ଥିଲେ । ସେ କହିଲେ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ବିଷୟ ସେ ହିଁ ରାଜ୍ୟସଭାରେ ସର୍ବପ୍ରଥମେ ଉଠାଇଥିଲେ ଓ ସ୍ୱର୍ଗତ ରାମ ମନୋହର ଲୋହିଆ ଲୋକସଭାରେ । ଶାସ୍ତ୍ରୀଙ୍କ ହତ୍ୟା କରାଯାଇଛି ବୋଲି ଉଭୟ ସହମତ ଥିଲେ । ସେ ନିଜ ପୂର୍ବମତ ଦୋହରାଇ କହିଲେ ଯେ ଶାସ୍ତ୍ରୀଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା ବରଂ ଥିଲା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ସେ ଦାବି କଲେ ୧୪ ଡ଼ିସେମ୍ବରରେ ଯେ ହୃଦୟନାଥ କୁନ୍ଜରୁଙ୍କ ନେତୃତ୍ୱରେ ପରିଚାଳିତ ଜାତୀୟ କମିଟି ଜାଣିବାକୁ ପାଇଲେ ଯେ ସଂସଦର ଅନ୍ତିମ ଦିବସରେ ସରକାର ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧରେ ବିବୃତି ଦେବେ ବୋଲି ସ୍ଥିର ହେଇଥିଲା ଯାହାର ଫଳସ୍ୱରୂପ ସଂସଦମାନେ ଏ ବିବୃତି ଉପରେ ଏକ ବିସ୍ତୃତ ଆଲୋଚନା କରିବାର ସୁଯୋଗରୁ ବଞ୍ଚିତ ହେବାର ସମ୍ଭାବନା ଅଧିକ ।

“କ’ଣ ଏହା ସଂନ୍ଦେହ ଜାଗ୍ରତ କରିବନି?” ସେ ପଚାରିଲେ, “ନିଶ୍ଚୟ ସଂନ୍ଦେହ ଉପୁଜିବ । ଏଭଳି କୌଶଳ ଦେଶର କୋଣ ଅନୁକୋଣରେ ଏକ ବାର୍ତା ପ୍ରେରଣ କରିବ ଯେ ସରକାର ଶାସ୍ତ୍ରୀଙ୍କ ମୃତ୍ୟୁ ପଛର କାରଣଗୁଡ଼ିକୁ ଉଜାଗର କରିବାକୁ କୁଣ୍ଠିତ ।” ସେ ନିଜ ଯୁକ୍ତି ବାଢ଼ି କହିଲେ, ସରକାର ପ୍ରଦତ୍ତ ବିବୃତିକୁ ଉତ୍ତମ ରୂପେ ପାଠ କରି ପ୍ରଶ୍ନ ପ୍ରସ୍ତୁତ କରିବାକୁ ସାଂସଦମାନଙ୍କ ଯଥେଷ୍ଟ ସମୟ ଦେବାର ଥିଲା । ଶାସକ ଦଳକୁ ସମର୍ଥନ କରୁଥିବା ସାଂସଦମାନଙ୍କ ସହିତ ବାକ୍ୟୁଦ୍ଧ ସମୟରେ ରାଜ ନାରାନ ଗୋଟିଏ ପରେ ଗୋଟିଏ ଆରୋପ ଆଣିଲେ । ସେ କହିଲେ ଶାସ୍ତ୍ରୀ ଦେଶର ପ୍ରଥମ ‘ଭାରତୀୟ’ ପ୍ରଧାନମନ୍ତ୍ରୀ କାରଣ ତାଙ୍କ ପୂର୍ବରୁ ଭାରତର ଜଣେ ଇଂରାଜୀ ପ୍ରଧାନମନ୍ତ୍ରୀ (ନେହେରୁ) ଥିଲେ । ଗରିବ ଘରେ ଜନ୍ମିତ ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ପଦ ଅଲଙ୍କୃତ କରିପାରିଥିଲେ । ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଅନେକ ବ୍ୟକ୍ତି ଶାସ୍ତ୍ରୀଙ୍କ ମୃତ୍ୟୁ ଚାହୁଁଥିଲେ । “ଶାସ୍ତ୍ରୀଙ୍କୁ ହତ୍ୟା କରାଗଲା କିନ୍ତୁ ଏହି ସରକାର ଘଟଣାର ତଦନ୍ତ କରିବା ପାଇଁ କୌଣସି କମିଟି ଗଠନ କଲେ ନାହିଁ ।” ଦ୍ୟୟାଭାଇ ପଟେଲ ରାଜ ନାରାନଙ୍କୁ ସମର୍ଥନ ଜଣାଇ କହିଲେ “ସପ୍ତାହେ ହେଲାଣି ସେ ରାଜ୍ୟସଭା ବାଚସ୍ପତିଙ୍କୁ କହୁଛନ୍ତି ସରକାରଙ୍କୁ ଯଥାଶୀଘ୍ର ବିବୃତି ଦେବାପାଇଁ କୁହାଯାଉ ।” ବିବୃତି ରଖିବା ପାଇଁ ସରକାରଙ୍କ ଆନ୍ତରିକତାକୁ ସେ ସଂନ୍ଦେହ କରୁଛନ୍ତି । “ଏବେ ମୋର ସଂନ୍ଦେହ ନିରାଧାର ନଥିଲା ବୋଲି ମୁଁ ଜାଣୁଛି ।”

ଏସବୁ ସବୁ ବାଧା ସତ୍ୱେ ବିତର୍କ ଜାରିରହିଲା । ଏଥର ଗୃହର କାର୍ଯ୍ୟପ୍ରଣାଳୀ ଉପରେ ବିତର୍କ ହେଲା । ସରକାରଙ୍କ ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ବିବୃତି ଉପରେ ବିସ୍ତୃତ ଆଲୋଚନା ପାଇଁ ରାଜ୍ୟସଭାର କାର୍ଯ୍ୟ ଅବଧି ବଢ଼ାଇବା ଠିକ୍ ହେବ କି ନାହିଁ ସେ ଉପରେ ସାଂସଦଙ୍କ ତର୍କବିତର୍କ ହେଲା । କଂଗ୍ରେସ ସାଂସଦ କିନ୍ତୁ ଏହି ପ୍ରସ୍ତାବକୁ ବିରୋଧ କଲେ । “ଆମେ ରାଜ୍ୟସଭା ଅଧିବେଶନ ଅବଧି ବଢ଼ାଇବା ବିରୁଦ୍ଧରେ” ବୋଲି କହିଲେ ପୂରବୀ ମୁଖୋପଧ୍ୟାୟ । “ସୋମବାରଠାରୁ ଆମର ଅନ୍ୟ କାର୍ଯ୍ୟସ୍ଥିରୀକୃତ ହେଇସାରିଛି । ତେଶୁ ମହାଶୟ ଆଜି ଗୃହର ଶେଷ କାର୍ଯ୍ୟଦିବସ ହେଇଥିବା ହେତୁ ଅଯଥା ବାକ୍‌ବିତଣ୍ଡାରେ ସମୟ ଅପଚୟ ନକରି ଆଜିର କାର୍ଯ୍ୟସାରଣୀ ସୂଚାରୂ ରୂପେ କିଭଳି ସମ୍ପାଦିତ ହେବ ସେଥିପ୍ରତି ଧ୍ୟାନ ଦିଆଯାଉ ।”

ରାଜ ନାରାନ ଏଭଳି ମନ୍ତବ୍ୟରେ ଉତ୍‌କ୍ଷିପ୍ତ ହେଲେ ଓ ସଭାପତି ପକ୍ଷପାତିତା ନୀତି ଅବଲମ୍ବନ କରୁଛନ୍ତି ବୋଲି ଆକ୍ଷେପ କଲେ । ସେ ପୁଣି ସରକାରଙ୍କ ଉପରେ ବାକ୍‌ସ୍ପୋଟନ କରିଚାଲିଲେ । କହିଲେ ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଭୃତ୍ୟ ସରକାରଙ୍କ ଚାପରେ ବୟାନ ରଖିଛନ୍ତି । ତାଙ୍କୁ ଧମକ ଦିଆଯାଉଛି ଓ ପ୍ରବର୍ତ୍ତାଯାଉଛି ମଧ୍ୟ । ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଡାଏରୀ କାହିଁ ? କାହିଁ ତାଙ୍କ ଦ୍ୱାରା ସଦା ବ୍ୟବହୃତ ଥର୍ମୋଫ୍ଳାକ୍ସ ? ଶାସ୍ତ୍ରୀଙ୍କ ମରଶରୀରକୁ ମୃତ୍ୟୁର ମାତ୍ର କିଛି ଘଣ୍ଟା ମଧ୍ୟରେ ଭାରତ ଅଣାଗଲା । ଏତିକି କମ୍ ସମୟ ଶରୀରରେ ବିଘଟନ ପ୍ରକ୍ରିୟା ଆରମ୍ଭ ହେବା ପାଇଁ ପର୍ଯ୍ୟାପ୍ତ ନୁହେଁ । ସେ ସଙ୍ଗୀନ ଆରୋପ ଆଣି କହିଲେ ଶାସ୍ତ୍ରୀଙ୍କୁ ବିଷ ଦିଆଯାଇଥିଲା । ତେଣୁ ଶବ ବ୍ୟବଚ୍ଛେଦ କରାଗଲା ନାହିଁ ଓ ସରକାର ଜାଣିଶୁଣି ଏ ବିଷୟରେ ସର୍ବସାଧାରଣଙ୍କୁ ଅନ୍ଧାରରେ ରଖିଲେ ।

କିଛି ସମୟର କଟୁ ବାକ୍‌ବିନିମୟ ପରେ ପିତାମ୍ବର ଦାସ କହିଲେ, ସେ ଋୁଷୀୟ ଭାଷାର ଡାକ୍ତରୀ ରିପୋର୍ଟ ଓ ତା’ର ଇଂରାଜୀ ଅନୁବାଦରେ ସେ କିଛି ଅସଙ୍ଗଗତତା ଲକ୍ଷ୍ୟ କରିଛନ୍ତି । ସେ ରିପୋର୍ଟର କିଛି ଅଂଶ ପଢ଼ି ଶୁଣାଇଲେ । ମେଡ଼ିକାଲ ରିପୋର୍ଟ ସର୍ବପ୍ରଥମେ ଋଷୀୟ ଭାଷାରେ ଲେଖାଯାଇଥିଲା ଓ ଏଥିରେ ଡ଼ ଚୁଗ୍ ଓ ଅନ୍ୟ ଆଠଜଣ ସୋଭିଏତ୍ ଡାକ୍ତରଗଣ ସ୍ୱାକ୍ଷର କଲେ । ଏହା ପରେ ରିପୋର୍ଟର ଇଂରାଜୀ ଅନୁବାଦ କରାଗଲା ଓ ମାତ୍ର ଛ’ଜଣ ସୋଭିଏତ ଡାକ୍ତର ଏଥିରେ ସ୍ୱାକ୍ଷର କଲେ ।

‘ କିନ୍ତୁ ଆପଣ ଦେଖିବେ ଏହି ଛ’ ଡାକ୍ତରଙ୍କ ମଧ୍ୟ ଜଣେ ଡାକ୍ତର ଅଛନ୍ତି ଯେ ମୂଳ ଋଷୀୟ ଭାଷାର ରିପୋର୍ଟରେ ଆଦୌ ସ୍ୱାକ୍ଷର କରିନାହାଁନ୍ତି । ସେ କିଭଳି ଦୃଶ୍ୟପଟକୁ ଆସିଲେ ଅର୍ଥାତ୍ ଇଂରାଜୀ ଅନୁଦିତ ରିପୋର୍ଟରେ ସ୍ୱାକ୍ଷର କଲେ ?’

ଦାସ୍‌ଙ୍କ ବ୍ୟାଖାନ ଅନୁଯାୟୀ “କୌଣସି ଗୋଟିଏ ରିପୋର୍ଟ ବା ଉଭୟ ଋଷୀୟ ଓ ଇଂରାଜୀ ରିପୋର୍ଟ ଜାଲ୍‌ ।”

ସେ ସରକାରଙ୍କଠାରୁ ଏହାର ସ୍ପଷ୍ଟକରଣ ଚାହିଁଲେ । କହିଲେ ‘ଏହି ପୁରା ପ୍ରସଙ୍ଗ ଉପରୁ ପରଦା ହଠାଇବା ପାଇଁ ଏକ ଉପଯୁକ୍ତ ତଦନ୍ତ ଜରୁରୀ ।’ ରାମ ନିୱାସ ମିର୍ଦ୍ଧା, ଗୃହ ଉପମନ୍ତ୍ରୀ କହିଲେ ଜବାବ୍ ରଖିଲେ, ମୁଁ ଯେତେବେଳେ ଅନୁଚ୍ଛେଦ ୧୦ ପାଠ କଲି ମୁଁ ନିଜେ ହିଁ କହିଛି ଯେ ଗୋଟିଏ ରିପୋର୍ଟରେ ଡ଼ ଚୁଗ୍ ଓ ଆଠ ସୋଭିଏତ୍ ଡାକ୍ତରଙ୍କ ସ୍ୱାକ୍ଷର ଥିବାବେଳେ ଇଂରାଜୀ ଅନୁଦିତ ରିପୋର୍ଟରେ ଡ଼. ଚୁଗ୍ ଓ ଛ’ ସୋଭିଏତ୍ ଡାକ୍ତରଙ୍କ ସ୍ୱାକ୍ଷର ଅଛି ।” ଉତ୍ତେଜିତ ଦାସ ମଝିରେ ତାଙ୍କୁ ରୋକି କହିଲେ, “ଆପଣଙ୍କ ବ୍ୟାଖାନ ଅନୁସାରେ ରିପୋର୍ଟଟି ପ୍ରଥମେ ଋଷୀୟ ଭାଷାରେ ଲେଖାଗଲା ଓ ଡ଼ ଚୁଗ୍ ଓ ଆଠ ସୋଗିଏତ୍ ଡାକ୍ତର ସେଥିରେ ସ୍ୱାକ୍ଷର କଲେ । ଏ ପର୍ଯ୍ୟନ୍ତ କଥା ଠିକ୍ ଅଛି । ଏହା ପରେ ରିପୋର୍ଟଟି ଇଂରାଜୀରେ ଅନୁଦିତ ହୋଇ ଡ଼ ଚୁଗ୍‌ଙ୍କ ସହ ଛ’ ସୋଭିଏତ ଡାକ୍ତର ମଧ୍ୟ ସ୍ୱାକ୍ଷର କଲେ, ମାନେ ପୂର୍ବୋକ୍ତ ଆଠ ଡାକ୍ତରଙ୍କ ମଧ୍ୟରୁ ମାତ୍ର ଛ’ଜଣ ଡାକ୍ତର ସ୍ୱାକ୍ଷର କଲେ । ଆପଣ ଯଦି ରିପୋର୍ଟ ଉପରେ ନଜର ପକାଇବେ ଦେଖିବେ ଡ଼. ୱାଇ ୱାଇ ଗଡର଼୍ନ ମଧ୍ୟ ସ୍ୱାକ୍ଷର କରିଛନ୍ତି । ଏହି ଡାକ୍ତରଙ୍କ ସ୍ୱାକ୍ଷର ଋଷୀୟ ରିପୋର୍ଟଟିରେ ଦେଖାଯାଉ ନାହିଁ । ଏଭଳି କେମିତି ହେଲା ?…..ଜଣେ ନୂଆ ଡାକ୍ତର କିଭଳି ସ୍ୱାକ୍ଷର କଲେ?” ମିର୍ଦ୍ଧା ଜବାବ୍‌ରେ କହିଲେ, କୌଣସି ତତ୍ୱକୁ ଗୋପନ ରଖିବା ସରକାରଙ୍କ ଉଦ୍ଧେଶ୍ୟ ନୁହେଁ ଓ ପାଲଟା ଅଭିଯୋଗ କଲେ ଯେ କିଛି ସାଂସଦ ତଥ୍ୟ ସମୁହର ବିକୃତିକରଣ କରୁଛନ୍ତି ଓ କିଛି ଅପତଥ୍ୟ ନଥିବା ସତ୍ୱେ ତଥ୍ୟ ଖୋଜୁଛନ୍ତି ।

ଏହା ପରେ ପିତାମ୍ବର ଦାସ ଓ ରାମ ନିୱାସ ମିର୍ଦ୍ଧାଙ୍କ ମଧ୍ୟରେ ପ୍ରବଳ ବାକ୍‌ବିତଣ୍ଡା ଚାଲିଲା । ଉପସଭାପତିଙ୍କ ଉଦ୍ଧେଶ୍ୟରେ ରାମ ନିୱାସ ମିର୍ଦ୍ଧା କହିଲେ, “ମହୋଦୟ, ଦୁଇଟି ରିପୋର୍ଟ ଥିଲା; ଗୋଟିଏ ଋଷୀୟ ଭାଷାରେ ଅନ୍ୟଟି ଏହାର ଇଂରାଜୀ ଅନୁବାଦ ରିପୋର୍ଟ ଓ ମୁଁ ଦୋହରାଇବାକୁ ଚାହିଁବି ଯେ ଉଭୟେ ରିପୋର୍ଟରେ ଡ଼. ଗଡର଼୍ନ ନାମ ଉଲ୍ଲେଖ ଅଛି । ଉଭୟରେ ତାଙ୍କ ସ୍ୱାକ୍ଷର ବିଦ୍ୟମାନ ।”

ଦାସ ଏଥିରେ ରାଜି ହେଲେନି । “କେଉଁ ନମ୍ବରରେ ଡ଼. ଗର୍ଡନଙ୍କ ନାମ ଉଲ୍ଲେଖ ଅଛି ? ମୁଁ ଏହି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେଉଛି କାରଣ ନଂ ୩ ଇଂରାଜୀ ରିପୋର୍ଟରେ ନାହିଁ , ନଂ ୮ ମଧ୍ୟ ନାହିଁ, ନଂ ୯ ମଧ୍ୟ ନାହିଁ । ତେଣୁ ଆପଣ କହିବେକି କେଉଁ ଋଷୀୟ ରିପୋର୍ଟରେ ଡ଼. ଗଡର଼୍ନଙ୍କ ନାମ ଅଛି ?”

ଦାସ କହିଲେ, “ପ୍ରଥମ ସାତ ସ୍ୱାକ୍ଷର ଯାହା ଋଷୀୟ ରିପୋର୍ଟ ଅଛି ତାହା ମଧ୍ୟ ଇଂରାଜୀ ଅନୁଦିତ ରିପୋର୍ଟରେ ଅଛି ।”

“ନା, ଗଡର଼୍ନଙ୍କ କେଉଁଟା ?”

ଏବେ ଅଧିକ ସଂଖ୍ୟକ ସାଂସଦ ବିତର୍କରେ ଯୋଗ ଦେଲେ । ମହାବୀର ତ୍ୟାଗୀ ମିର୍ଦ୍ଧାଙ୍କୁ ପରାମର୍ଶ ଦେଲେ ଯେ ସେ “ଋଷୀୟ ରିପୋର୍ଟରେ ଥିବା ଡାକ୍ତରଙ୍କ ନାମ ପଢ଼ି ଶୁଣାନ୍ତୁ ।” ସୁନ୍ଦର ସିଂହ ଭଣ୍ଡାରୀ ପଚାରିଲେ, ଋଷୀୟ ଭାଷାର ରିପୋର୍ଟରେ କେଉଁ କ୍ରମିକ ନଂରେ ଡ଼.ଗଡର଼୍ନଙ୍କ ନାମ ଉଲ୍ଲେଖ ଅଛି ? ଯେବେ ମିର୍ଦ୍ଧା ପୁଣି ଦୋହରାଇଲେ , “ଉଭୟ ରିପୋର୍ଟରେ ସାତଜଣ ଡାକ୍ତରଙ୍କ ନାମ ଅଛି ଓ ଉଭୟ ଋଷୀୟ ଓ ଇଂରାଜୀ ରିପୋର୍ଟରେ ତୃତୀୟ ସ୍ୱାକ୍ଷରଟି ଡ଼. ଗଡର଼୍ନଙ୍କର” ଦାସ ଉପସଭାପତିଙ୍କ ଅନୁରୋଧ କଲେକି, ଉଭୟ ରିପୋର୍ଟକୁ ତୁଳନା କରାଯାଉ । ଉପସଭାପତି କହିଲେ, ‘ପିତାମ୍ବର ଦାସଙ୍କ ଦୃଷ୍ଟିରେ ଉଭୟ ରିପୋର୍ଟରେ ଥିବା ତୃତୀୟ ସ୍ୱାକ୍ଷରଟି ସମାନ ନୁହେଁ । କିନ୍ତୁ ଆମେ ଯଦି ଋଷୀୟ ରିପୋର୍ଟର ଏହି ନକଲକୁ ଦେଖିବା ତୃତୀୟ ସ୍ୱାକ୍ଷର ଆଗରେ ମିଃ ଗଡର଼୍ନ ଲେଖାଯାଇଅଛି । ନାମ ଓ ସ୍ୱାକ୍ଷରରେ ମୁଁ କୌଣସି ପାର୍ଥକ୍ୟ ଦେଖିପାରୁନାହିଁ । ଯଦି ନାମ ଓ ସ୍ୱାକ୍ଷରରେ କୌଣସି ତାରତମ୍ୟ ଥାଆନ୍ତା, ତା’ହେଲେ ଏହା ବହୁତ ବଡ଼ ତ୍ରୁଟି ହୁଅନ୍ତା ଓ ମୁଁ ଭାବୁନି କେହି ଏମିତି ସୁସ୍ପଷ୍ଟ ତ୍ରୁଟି କରିବ ବୋଲି । ଏହା ହେଲା ଗୋଟିଏ କଥା ଓ ଦ୍ୱିତୀୟରେ ଋଷୀୟ ରିପୋର୍ଟରେ ମିଃ ଗଡର଼୍ନଙ୍କ ସ୍ୱାକ୍ଷର ଏତେଟା ସ୍ପଷ୍ଟ ନୁହେଁ । ଅବଶ୍ୟ ମୁଁ ହସ୍ତାକ୍ଷର ବିଶେଷଜ୍ଞ ନୁହେଁ । ଯଦି ଆପଣ ଋଷୀୟ ଓ ଇଂରାଜୀ ରିପୋର୍ଟରେ ଏକ ଶବ୍ଦ “ଡ଼ନ୍”କୁ ଲକ୍ଷ୍ୟ କରିବେ, ଉଭୟ ରିପୋର୍ଟରେ ଗଡର଼୍ନର ଶେଷ ଦୁଇ ଅକ୍ଷର “ଡ଼ନ” ସମାନ ଜଣାଯାଉଛି । ଏଇଥିରୁ ଦୁଇଟିଯାକ ରିପୋର୍ଟରେ ଥିବା ସ୍ୱାକ୍ଷର ଜଣେ ବ୍ୟକ୍ତିଙ୍କର । ମୁଁ ଏପରି ଭାବୁଛି ଯଦିଓ ମୁଁ ହସ୍ତାକ୍ଷର ବିଶେଷଜ୍ଞ ନୁହେଁ ।’

“ଏହା କେବଳ ଏକ ମତ”, ଦାସ ତୁରନ୍ତ ଜବାବ୍ ଦେଲେ । ଆପଣ ଆପଣଙ୍କ ମତ ଅବଶ୍ୟ ରଖିପାରିବେ । କିନ୍ତୁ ମୁଁ ଭାବୁନି ମାନନୀୟ ମନ୍ତ୍ରୀ ସ୍ୱାକ୍ଷରଟି ଗଡର଼୍ନଙ୍କର ହୋଇନଥିଲେ ମଧ୍ୟ ଗଡର଼୍ନଙ୍କର ହିଁ ସ୍ୱାକ୍ଷର ବୋଲି କହି ନିଜ ଆଡ଼କୁ କୌଣସି ସଂକଟ ଆପଣେଇବେ । ମୁଁ ଆପଣଙ୍କ ମତ ଅବଶ୍ୟ ଗ୍ରହଣ କରିଥାଆନ୍ତି ଯଦି ଏହା ଗୃହ ବାହାରେ କରାଯାଇଥାଆନ୍ତା ଓ ମୁଁ ଏହା ବିରୁଦ୍ଧରେ ନ୍ୟାୟାଳୟର ଆଶ୍ରୟ ନେଇଥାଆନ୍ତି ।”

“ଆପଣ ଏହି ଗୃହରେ ମଧ୍ୟ ତାଙ୍କ ବିରୁଦ୍ଧରେ ‘ସ୍ୱାଧୀକାର ଭଙ୍ଗ’ ନୋଟିସ୍ ଆଣିପାରିବେ”, ଉପସଭାପତି ତ୍ୱରିତ ଉତ୍ତର ଦେଲେ ।

ଏବେ ଏଲ.କେ ଆଡ଼ଭାନୀ ଆଲୋଚନାରେ ଭାଗ ନେଲେ । ସେ କହିଲେ, ସରକାର ନିଜେ ମାନିଛନ୍ତି ଯେ ଶାସ୍ତ୍ରୀଙ୍କ ଶେଷ ମୂହୁର୍ତ୍ତରେ ଦିଆଯାଇଥିବା ସଠିକ୍ ଔଷଧର ନାମ ଉଲ୍ଲେଖରେ ବଡ଼ ପାର୍ଥକ୍ୟ ରହିଛି । ଏହା ଏକ ଗମ୍ଭୀର ବିଷୟ କାରଣ ଏହା ଏକ ପଦାସୀନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁଜନିତ ବ୍ୟାପାର । ସରକାର ଏଭଳି ଏକ ସ୍ପର୍ଶକାତର ବିଷୟରେ ଏଭଳି ଅନମନୀୟ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଓ ଏହାର ଆଶ୍ରାରେ ସବୁକିଛି ନ୍ୟାର୍ଯ ଓ ଯୁକ୍ତିଯୁକ୍ତ ବୋଲି ସଫେଇ ଦେଉଛନ୍ତି ।” ସେ ପ୍ରଶ୍ନ କଲେ ଯେ ଯେବେ ସାଂସଦମାନେ ଶାସ୍ତ୍ରୀଙ୍କ ଶରୀରରେ କଟା ଦାଗର ଉଲ୍ଲେଖ କଲେ ସରକାର କାହିଁକି ନୀରବ ରହିଲେ? “ କାହିଁକି ପୂର୍ବରୁ ଏ ବିଷୟରେ ଗୃହରେ କିମ୍ବା ଅନ୍ୟ ଗୃହରେ କୁହାଗଲା ନାହିଁ ? ଯେବେ ଖବରକାଗଜ, ପ୍ରେସରେ ଓ ‘ଧର୍ମଯୁଗ’ରେ ଏହି ସଂକ୍ରାନ୍ତୀୟ ଖବର ପରିବେଷଣ ହେଲା ସରକାର ବିବୃତି ଦେବା ପାଇଁ ତତ୍ପର ହେଲେ । ଶାସ୍ତ୍ରୀଜୀଙ୍କ ମୃତ୍ୟୁର ତଦନ୍ତ ଠିକ୍ ରୂପେ କରାଯାଇ ନାହିଁ ଓ ନ୍ୟାୟ ମିଳିନାହିଁ ବୋଲି ଜନସାଧାରଣଙ୍କ ଧାରଣା ନିରାଧାର ନୁହେଁ । ଏଭଳି ବିବୃତି ଦ୍ୱାରା ପୂରା ଘଟଣାକ୍ରମକୁ ଚପାଇ ଦିଆଯିବା ପାଇଁ ଏକ ଅପଚେଷ୍ଟା ।”

ଏହା ପରେ ଅଲୋଚନା ପ୍ରକୃତ ବିଷୟରୁ ଓହରିଯାଇ ଆରୋପ ପ୍ରତ୍ୟାରୋପର ଧାରାରେ ଚାଲିଲା । ସଦସ୍ୟମାନେ ପରସ୍ପରକୁ ଦୋଷାରୋପ ଟିକ୍କା ଟିପ୍ପଣୀ ଦେବାରେ ବ୍ୟସ୍ତ ରହିଲେ । ଏଠାରେ ଉଲ୍ଲେଖନୀୟ ଯେ କଂଗ୍ରେସର ସଦସ୍ୟ ବିଦ୍ୟାବତୀ ଚର୍ତୁବେଦୀ ଟିଏନ ସିଂହଙ୍କ ବିରୁଦ୍ଧରେ ଆରୋପ ଆଣି କହିଲେ ଯେ ସିଂହଙ୍କ ଉକ୍ତି ରାଜନୀତି ଉଦ୍ଧେଶ୍ୟ ପ୍ରଣୋଚିତ କାରଣ ସେ କ୍ରେନ୍ଦୀୟ ସରକାରରେ ଥିବା ସମୟରେ ଏ ବିଷୟ ଘେନି ନୀରବତା ଅବଲମ୍ବନ କରିଥିଲେ । ଚନ୍ଦ୍ରଶେଖର, ଭାରତର ଭାବୀ ପ୍ରଧାନମନ୍ତ୍ରୀ ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ସମର୍ଥକ ଥିଲେ । ସେ କହିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସଂସଦରେ ବିତର୍କ ହେବାପାଇଁ ଅପେକ୍ଷା କରିଥିବାବେଳେ ଏ ବିବାଦୀୟ ବିଷୟକୁ ଏକ ଧୂଆଁର ପରଦା ଭଳି ବ୍ୟବହାର କରାଯାଇ ଅନ୍ୟ ସମସ୍ତକୁ ଉପେକ୍ଷା କରାଯାଉଛି । ରାଜ ନାରାନ ଏକାକୀ ସମସ୍ତଙ୍କ ସହିତ ତର୍କ ଯୁଦ୍ଧ ଜାରି ରଖିଲେ । ସେ କହୁଥିବା ବେଳେ ଉପସଭାପତି କହିଲେ ସାଂସଦମାନେ ନିଜ ନିଜ ଭିତରେ କଳିଗୋଳରେ ବ୍ୟସ୍ତ କାରଣରୁ ସେ ଅନ୍ୟୋପାୟ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଂସଦକୁ ମୁଲତବି ରଖୁଛନ୍ତି ।

ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ କେ.ସି ପନ୍ଥ ସେହି ସମାନ ବିବୃତି ଉପସ୍ଥାପନ କଲେ । ପ୍ରଥମେ ବକଜର୍ର ସାଂସଦ ଡ଼. ରାମ ସୁଭାଗ ସିଂହ ନିଜ ମତ ରଖିଲେ । ସଂସଦର ଶେଷ ଦିବସରେ ସରକାରଙ୍କ ଦ୍ୱାରା ଆଗତ ବିବୃତିକୁ ସାର୍ବଜୀନନ କରିବାର ସେ ବିରୋଧ କଲେ । ଲୋକସଭା ସଂସଦ ଅଟଳ ବିହାରୀ ବାଜପେୟୀ, ମଧ୍ୟ ଅନୂରୂପ ମତପୋଷଣ କଲେ । ବରିଷ୍ଠ ସାଂସଦ ପ୍ରକାଶ ବୀର ଶାସ୍ତ୍ରୀ କହିଲେ ସେ ମଧ୍ୟ ସରକାରଙ୍କୁ ବାରମ୍ବାର ଚେତାଇ ଦେବାର ଉଦ୍ୟମ କରିଛନ୍ତି ଯେ ଗୃହର ଅନ୍ତିମ ଦିବସରେ ଏଭଳି ତରବରିଆ ଭାବେ ବିବୃତିକୁ ଉପସ୍ଥାପନ କରିବା ଅର୍ଥ ଏହା ଉପରେ ସାଂସଦମାନଙ୍କୁ ବିସ୍ତୃତ ଆଲୋଚନା କରିବାର ସୁଯୋଗରୁ ବଞ୍ଚିତ କରିବା । ସେ କହିଲେ ଶାସ୍ତ୍ରୀଙ୍କ ମୃତ୍ୟୁ ଏକ ରହସ୍ୟ ଓ ସଂସଦର ଶେଷ ଦିବସରେ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ବିବୃତିକୁ ଉପସ୍ଥାପନ କରିବା ଅନ୍ୟ ଏକ ରହସ୍ୟ । ସେ ମନ୍ତ୍ରୀଙ୍କଠାରୁ ଶାସ୍ତ୍ରୀଙ୍କ ତାସକନ୍ଦରେ ରହଣୀ ସମ୍ବନ୍ଧୀୟ ବିଷୟରେ ସ୍ପଷ୍ଟୀକରଣ ଚାହିଁଲେ । ସେ ଜାଣିବାକୁ ଚାହିଁଲେ ଏହା ସତ୍ୟ କି ଯେ ଶାସ୍ତ୍ରୀଙ୍କର ତାସକନ୍ଦ ଗସ୍ତ ପୂର୍ବରୁ ଜଣେ ଜି.ସି. ଦତ୍ତ ନାମକ ଜଣେ ସୁରକ୍ଷା କାର୍ଯ୍ୟକର୍ତ୍ତା ତାସକନ୍ଦ ଯାଇଥିଲେ । ସେଠାରୁ ସେ ଏକ ବେତାର ବାର୍ତ୍ତା ଯୋଗେ ଭାରତୀୟ ରାଷ୍ଟ୍ରଦୂତ ଟିଏନ କୌଲଙ୍କ ତତ୍ତ୍ୱାବଧାନରେ ଶାସ୍ତ୍ରୀଙ୍କ ରହଣୀ ବାବଦରେ କରାଯାଇଥିବା ବନ୍ଦୋବସ୍ତକୁ ନେଇ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରକାଶ ବୀର ଶାସ୍ତ୍ରୀ ଜିଜ୍ଞାସା ପ୍ରକଟ କଲେ ଯେ କେବେ କ’ଣ ସରକାର ଦତ୍ତଙ୍କ ସେଇ ତଥାକଥିତ ବାର୍ତ୍ତାକୁ ସାର୍ବଜନୀନ କରିବେ ।

ଜେ.ସି ଦତ୍ତଙ୍କ ନାମ ପୂର୍ବରୁ ମଧ୍ୟ ଉଠିଥିଲା । ଦତ୍ତ ବା ଜାନ୍‌ଙ୍କ ନାମ ପ୍ରତ୍ୟକ୍ଷରେ ନ ନେଇ ଧରମ ୟାଶ ୟାଦବ ‘ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ୱିକ୍ଲି’ରେ ନିଜର ଏକ ପ୍ରକାଶିତ ପ୍ରବନ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ । ସେ ଦାବି କଲେ ଯେ ଇନ୍ଟୁରିଷ୍ଟ ହୋଟେଲ୍‌ରୁ ଶାସ୍ତ୍ରୀଙ୍କର ରହଣୀ ସ୍ଥାନ ଭିଲାକୁ ସ୍ଥାନାନ୍ତର ଆମ ମସ୍କୋସ୍ଥିତ ରାଷ୍ଟ୍ରଦୂତଙ୍କ ଶେଷ ମୂହୁର୍ତ୍ତରେ ଉଚ୍ଚ ସ୍ତରୀୟ ସୁରକ୍ଷା କର୍ମକର୍ତ୍ତାଙ୍କ ଉପଦେଶ ବିପରୀତ ଏକ ତ୍ୱରିତ୍ ଚତୁର ନିର୍ଣ୍ଣୟ । ସେ ଲେଖିଥିଲେ ଏହି ସୁରକ୍ଷା ଅଧିକାରୀବୃନ୍ଦ ପୂର୍ବରୁ ତାସକନ୍ଦ ଗସ୍ତରେ ଯାଇ ସେଠାରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ରହଣୀର ସମସ୍ତ ବନ୍ଦୋବସ୍ତର ତଦାରଖ କରି ନିଜ ମତାମତ ଦେଇଥିଲେ ।

‘ବିନା କୌଣସି ସୁରକ୍ଷା ଯାଞ୍ଚ୍‌ରେ ଜଣେ ‘ବାହାର ବ୍ୟକ୍ତି’ଙ୍କୁ ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ପରିଚାରକଙ୍କ ସହାୟତା ନିମନ୍ତେ ଭିଲା ମଧ୍ୟରେ ‘ରୋପଣ’ କରାଗଲା । ଏହି ବ୍ୟକ୍ତିଗତ ପରିଚାରକ ଜଣକ ଶାସ୍ତ୍ରୀଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସୁବିଧା-ଅସୁବିଧାର ଦେଖାରେଖା ନିମନ୍ତେ ଭାରତରୁ ଯାଇଥିଲେ । ଏହି କଥିତ ‘ବାହାର ବ୍ୟକ୍ତି’ ଜଣକ ଆମ ରାଷ୍ଟ୍ରଦୂତଙ୍କର ବ୍ୟକ୍ତିଗତ ଭୃତ ବୋଲି ଜଣାଯାଏ । ବିନା କୌଣସି ଖାସ୍ ଉଦ୍ଧେଶ୍ୟରେ ତାଙ୍କୁ ମସ୍କୋରୁ ତାସକନ୍ଦ ଅଣାଯାଇଥିଲା ।’

୧୧ ଅଗଷ୍ଟ ୧୯୬୭ରେ ରାଜ୍ୟ ସଭା ଅଧିବେଶନରେ ମହାବୀର ପ୍ରସାଦ ଭାର୍ଗବ ପ୍ରକାଶ ଭୀର ଶାସ୍ତ୍ରୀଙ୍କ ଭଳି ଅନୂରୂପ ପ୍ରଶ୍ନ କରିଥିଲେ । ଗୃହ ମନ୍ତ୍ରଣାଳୟ ତରଫରୁ ଏହାର ଲିଖିତ ଜବାବ୍ ରଖିଥିଲେ ବିଦ୍ୟା ଚରଣ ଶୁକ୍ଳା । ଜବାବ୍‌ରେ କେବଲ ‘ନା’ ଲେଖାଥିଲା । ମୋ ମତରେ ଏହି ଉତ୍ତର ଯଥେଷ୍ଟ ନଥିଲା । ଶାସ୍ତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ଭାର୍ଗବ ଯାହା କହିଲେ ସେଥିରେ ବିଶ୍ୱାସଯୋଗ୍ୟ ଅନେକ ଉପାଦାନ ଥିଲା । ତାଙ୍କ ମନ୍ତବ୍ୟ ଯୁକ୍ତିଯୁକ୍ତ ଓ ତୀକ୍ଷ୍ମଣ । ଅନେକ ଦିନ ପରେ କିଛି ପ୍ରକାଶିତ କିଛି ବହି ଓ ପ୍ରବନ୍ଧରୁ (Indian Police Journal( October- December 2012 special issue) and Train to India : Memories of Another Bengal, (2009) by IB Director Maloy Krishna Dhar)) ମୁଁ ଜାଣିବାକୁ ପାଇଲି ଯେ ଜି.ସି ଦତ୍ତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନିର୍ବାହକକାରୀ ଜଣକ ଆଇବି ବା ଗୁଇନ୍ଦା କାର୍ଯ୍ୟାଳୟର ଜଣେ ଯୁକ୍ତ ନିର୍ଦ୍ଧେଶକ । ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା ପରେ ମଧ୍ୟ ଜେ.ସି ଦତ୍ତ ସେହି ପଦବୀରେ ଆସୀନ ଥିଲେ ।

୧୮ ଡ଼ିସେମ୍ବର ୧୯୭୦ରେ ରାଜ୍ୟସଭା ଭଳି ଲୋକସଭାରେ ଏ ବିଷୟ ବାବଦରେ ଆଲୋଚନା ଦୀର୍ଘ ସମୟ ଧରି ଚାଲିପାରିଲାନି । ପ୍ରକାଶ ଭୀର ଶାସ୍ତ୍ରୀଙ୍କ ଅନୁସରଣରେ ଅନେକ ସଦସ୍ୟ ଗାଠନିକ / ଗଠନମୂଳକ ଆଲୋଚନା ଚାହିଁଲେ । କିନ୍ତୁ ବାଚସ୍ପତି ଗୁରଦିୟାଲ ସିଂହ ଧୀଲ୍ଳନ ଅନୁମତି ଦେଲେ ନାହିଁ । ‘ଆପଣ ବିଲମ୍ବ ଓ ଅନ୍ୟାନ୍ୟ ଗୃହ କାର୍ଯ୍ୟପ୍ରଣାଳୀ ବିଷୟରେ ପ୍ରଶ୍ନ ପଚାରି ପାରିବେ କିନ୍ତୁ ଆପଣ ଯଦି ଘଟଣାକ୍ରମର ବିଶେଷତା ଉପରେ ବିସ୍ତୃତ ଅଲୋଚନା କରିବାକୁ ଚାହିଁବେ ତାହା କେବଳ ନିୟମିତ ବିତର୍କ ସମୟରେ ସମ୍ଭବ ହେଇପାରିବ ।’ ବସ୍ତିରୁ ନିର୍ବାଚିତ ସାଂସଦ ଶିବ ନାରାୟଣ ଏହାର ବିରୋଧ କଲେ । ସେ କହିଲେ ଏହା ଭାରତର ସମ୍ମାନର କଥା ଓ ଏହା ଜଣେ କ୍ଷମତାସୀନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ବିଷୟ ଓ ଏହାର ଉପଯୁକ୍ତ ତଦନ୍ତ ଦାବି ସଂପୂର୍ଣ୍ଣ ଯଥାର୍ଥ । ବାଚସ୍ପତି ମହୋଦୟ ଶିବ ନାରାୟଣଙ୍କ ଭତ୍ସନା କରି କହିଲେ ସେ ଜଣେ ଅନୁଭବୀ ସାଂସଦ ଓ ଗୃହର କାର୍ଯ୍ୟପ୍ରଣାଳୀ ଉପରେ ଆଲୋକପାତ କରିଥିଲେ ଉପଯୁକ୍ତ ହୋଇଥାଆନ୍ତା । ପ୍ରକାଶ ଭୀର ଶାସ୍ତ୍ରୀ ହସ୍ତକ୍ଷେପ କରି କହିଲେ ଯେ ଶିବ ନାରାୟଣ କେବଳ କିଛି ସ୍ପଷ୍ଟିକରଣ ପାଇଁ ଅନୁମତି ଚାହୁଁଛନ୍ତି । ବାଚସ୍ପତି କିନ୍ତୁ କହିଲେ “ଏହା ସାଂସଦ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପ୍ରସଙ୍ଗ । ମୁଁ କେବଳ ସଂହିତା ପାଳନ କରିବାକୁ ଉଦ୍‌ବେଗ ।” ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କଲେ । “ମୁଁ ଭାବୁଛି ଆଜି ମୋତେ ଅନେକଗୁଡ଼ିଏ ଆସ୍ପିରିନ୍ ନେବାକୁ ପଡ଼ିବ । ଏହା ମୋ ପାଇଁ ନିତିଦିନିଆ ମୁଣ୍ଡ ବ୍ୟଥାର କାରଣ ।” ବାଚସ୍ପତି କହିଲେ ।

ପ୍ରକାଶ ବୀର ଶାସ୍ତ୍ରୀ ଗୁରୁଦିଆଲ ସିଂହ ଦୀଲ୍ଲନଙ୍କୁ ଅନୁରୋଧ କଲେ କି ସେ ଘଟଣାକୁ ସାମାନ୍ୟ ବୋଲି ଭାବିବା ଉଚିତ ନୁହେଁ । କିନ୍ତୁ ଧୀଲ୍ଳନ ନିଜ ନିଷ୍ପତ୍ତିରେ ଅଟଳ ରହିଲେ । “ ମୁଁ ଭାବିଥିଲି ଆପଣ କାର୍ଯ୍ୟପଦ୍ଧତି ବା ପାରିଭାଷିକ କଥା ଉଠାଇବେ । କିନ୍ତୁ ଏ ବିଷୟରେ ଆପଣ କୌଣସି ବିସ୍ତୃତ ଆଲୋଚନା ପାଇଁ ଅନୁମତି ପାଇବେ ନାହିଁ । ବାଚସ୍ପତିଙ୍କ ଏହି ଉତ୍ତର ପ୍ରକାଶ ବୀର ଶାସ୍ତ୍ରୀଙ୍କୁ ପ୍ରଣୋଦିତ କଲା । ସେ ତତ୍‌କ୍ଷଣାତ କହିଲେ ଯେ “ ବୋଧହୁଏ ଧୀଲ୍ଲନ ନିଶ୍ଚୟ କିଛି ବ୍ୟକ୍ତିବିଶେଷଙ୍କୁ ରକ୍ଷା କରିବାକୁ ଚାହିଁଛନ୍ତି । ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ମୃତ୍ୟୁ ବିଷୟରେ କୌଣସି ତଥ୍ୟକୁ ଲୁଚାଇବାରେ ସେ ସରକାରଙ୍କ ସହଯୋଗ କରୁଛନ୍ତି । ବାଚସ୍ପତିଙ୍କ ଶେଷ ଉତ୍ତର ଥିଲା, “ ମୁଁ ଆପଣଙ୍କୁ ଆଉ ଅଧିକ ସମୟ ଦେବିନି ।”

ଏହିପରି ଭାବେ ୧୯୭୦ ଶେଷାର୍ଦ୍ଧ ଆଡ଼କୁ ଶାସ୍ତ୍ରୀଙ୍କ ବିବାଦୀୟ ମୃତ୍ୟୁ ପ୍ରସଙ୍ଗ କ୍ରମେ ସୁପ୍ତବସ୍ଥା ପ୍ରାପ୍ତ ହେଲା । ମାର୍ଚ୍ଚ ୧୯୭୧ ସାଧାରଣ ନିର୍ବାଚନ ଓ ତତ୍ପରରେ ପାକିସ୍ଥାନ ସହିତ ଯୁଦ୍ଧ ଭାରତକୁ ଏକ ନୂତନ ଦିଗକୁ ପ୍ରେରଣ କଲା । ଏହି ଯୁଗରେ ଶାସ୍ତ୍ରୀଙ୍କ ସ୍ଥୃତି ପାଇଁ କିଞ୍ଚିତ ଜାଗା ନଥିଲା, ତାଙ୍କ ବିବାଦୀୟ ମୃତ୍ୟୁ ପ୍ରସଙ୍ଗ ଉପରେ ବିତର୍କ ତ ଦୂରର କଥା । ତାଙ୍କ ବିଧବା ପତ୍ନୀ ନୀରବରେ ଦିନ କାଟି ଚାଲିଥିଲେ । ନିଜ ପତିଙ୍କ ମୃତ୍ୟୁକୁ ଘେନି ସରକାରୀ ବିବୃତକିୁ ସେ ସହଜରେ ଗ୍ରହଣ କରିନଥିଲେ । ନିରାଶାର ଛାୟାରେ ଲଲିତା ଶାସ୍ତ୍ରୀ ତାସକନ୍ଦରେ ସ୍ୱର୍ଗତ ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଜାଣିବା ପାଇଁ ତନ୍ତ୍ରମନ୍ତ୍ରର ଆଶ୍ରୟ ନେଇଥିଲେ ବୋଲି କୁହାଯାଏ । ଲଲିତା ଶାସ୍ତ୍ରୀ କୁଆଡ଼େ “ଗୌରୀ ଶଙ୍କର” ନାମକ ଜଣେ ବ୍ୟକ୍ତିଙ୍କୁ ସାକ୍ଷାତ୍ କରିଥିଲେ ଓ ଶୁଣାଯାଏ ସେ ବ୍ୟକ୍ତି ଜଣକ ତାଙ୍କର ମୃତ ସ୍ୱାମୀଙ୍କ ଆତ୍ମା ସହିତ ଯୋଗାଯୋଗ କରାଇଥିଲେ ।

ଲୋକପ୍ରିୟ ଲେଖା

To Top