ରହସ୍ୟ

ସୁପ୍ତ ବିବାଦୀୟ ଘଟଣାଟି ପୁନଃ ଚର୍ଚ୍ଚିତ ହେବା ପରିପ୍ରେକ୍ଷୀରେ

Shastrijinka Hatyaara Rahasya

ଆକସ୍ମିକ ନିଧନର ତୁରନ୍ତ ପରେ ମିଃ ଅହମଦ ସାଟ୍ଟାରୋଭ୍‌ଙ୍କୁ ଭୋର ୪ଟାରେ ବିଷ ପ୍ରୟୋଗ ସନ୍ଦେହରେ ଗିରଫ କରାଯାଇଥିଲା ଓ ଜେଲକୁ ପଠାଇ ଦିଆଯାଇଥିଲା ।

ସୁପ୍ତ ବିବାଦୀୟ ଘଟଣାଟି ପୁନଃ ଚର୍ଚ୍ଚିତ ହେବା ପରିପ୍ରେକ୍ଷୀରେ

ଶାସ୍ତ୍ରୀଜୀଙ୍କ ମୃତ୍ୟୁ ବିବାଦକୁ ନେଇ ଉଠିଥିବା ସବୁ ତର୍କବିତର୍କ, ଆଲୋଚନା, ପ୍ରର୍ଯ୍ୟାଲୋଚନାର ଝଡ଼କୁ କେବଳ କଳ୍ପିତ ଷଡ଼ଯନ୍ତ୍ର ମତବାଦ ଥିଲା ବୋଲି ଅଭିହିତ କରାଯାଇଥିଲା । ବସ୍ତୁତଃ ଏହି ବିଷୟ ଧିରେ ଧିରେ ଶୀତଳ ପଡ଼ି ଆସୁଥିବା ବେଳେ ୧୯୮୦ ଓ ତତ୍ପରବର୍ତ୍ତୀ ମସିହାରେ ସ୍ୱଳ୍ପ ସମୟ ପାଇଁ ଲୋକମାନସରେ ପୁନଃଜାଗ୍ରତ ହୋଇଥିଲା । ତାସ୍କନ୍ଦ୍‌ରେ ଘଟଣା ଦିନ ଉପସ୍ଥିତ ସରକାରଙ୍କ ଉଚ୍ଚପଦସ୍ତ ଅଧିକାରୀ କାର୍ଯ୍ୟନିବୃ ତ ପରର ସ୍ୱତନ୍ତ୍ରତାକୁ ଉପଯୋଗ କରିବା ଅବସରରେ ନିଜ ବ୍ୟକ୍ତିଗତ ଅନୁଭୂତିକୁ ପୁସ୍ତକ ଆକାରରେ ପ୍ରକାଶିତ କଲେ । ବିଡ଼ମ୍ବନା ଯେ, ଅନ୍ୟ ସମସ୍ତ ଅଧିକାରୀଙ୍କଠାରୁ ଅପେକ୍ଷାକୃତ ବହୁପ୍ରସୁ ଲେଖକ ଭାବେ ପରିଚିତ କଥିତ ଅଧିକାରୀ ଜଣେ ଯେ ଏହି ବିବାଦୀୟ ବିଷୟରେ ବିଶେଷ ଜ୍ଞାନ ରଖୁଥିବା ବୋଲି ବିଶ୍ୱାସ କରାଯାଏ ସ୍ୱରଚିତ ପୁସ୍ତକରେ ଶାସ୍ତ୍ରୀଙ୍କ ମୃତୁ୍ୟ ସମ୍ବନ୍ଧରେ ସେମିତି କିଛି ଆଲୋକପାତ କରିନଥିଲେ ବା ନୀରବ ରହିଥିଲେ ।

୧୯୭୪ରେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ଗ୍ରହଣ କଲାପରେ ଓଭାଲ ଅଫିସ (ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକକ୍ଷ)ପ୍ରକୋଷ୍ଟରେ ରାଷ୍ଟ୍ରପତି ଗେରାଲ୍‌ଡ଼ ଫୋର୍ଡଙ୍କୁ ଭେଟିବା ଅବସରରେ ଆମେରିକୀୟ ବିଦେଶ ସଚିବ ହେନେରୀ କିସିଙ୍ଗର୍‌ ସୁଦର୍ଶନ, ଦୁଃସାହାସିକ ତଥା ନିର୍ଭୀକ ତ୍ରିଲୋକୀନାଥ କୌଲ୍‌ଙ୍କୁ ଏହି ଆଖ୍ୟା ଦେଇଥିଲେ, ‘ଭାରତୀୟ ବିଦେଶ ସେବାର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀର କାର୍ଯ୍ୟଭାର ସମ୍ଭାଳିଥିବା ତଥା ମସ୍କୋ, ପେକିଙ୍ଗ୍‌, ଓ ୱାସିଙ୍ଗଟନ୍ ଭଳି ସ୍ଥାନରେ ଅବସ୍ଥାପିତ ଜଣେ ଅତି ଦକ୍ଷ କୁଟନୀତିଜ୍ଞ ।’ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟି.ଏନ୍‌. କୌଲ ୧୯୬୭-୭୨ରେ ବିଦେଶ ସଚିବ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ ।

ଆମେରିକୀୟ ସରକାର ତାଙ୍କୁ ରୁଷୀୟ ସପକ୍ଷବାଦୀ ବୋଲି କୁହନ୍ତି, ଯାହା ମଧ୍ୟ କିଛି ଗୋପନ କଥା ନୁହେଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୩ରେ କୌଲଙ୍କର ଜନ୍ମ ଶତବାର୍ଷିକୀ ନୂଆ ଦିଲ୍ଲୀସ୍ଥିତ ରୁଷୀୟ ସାଂସ୍କୃତିକ ଭବନଠାରେ ଭାରତର ବିଦେଶ ମନ୍ତ୍ରୀ ଓ ରୁଷୀୟ ରାଷ୍ଟ୍ରଦୂତଙ୍କ ଉପସ୍ଥିତରେ ପାଳନ କରାଯାଇଥିଲା ।

୧୯୭୩ରେ ଯେବେ କୌଲ୍‌ ଆମେରିକାର ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ଗ୍ରହଣ କଲେ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିଲେ ଡାନିଏଲ ପାଟ୍ରି୍ରକ୍ ମଏନିହାନ୍ । କୌଲ୍‌ଙ୍କ ନିଯୁକ୍ତିର ପ୍ରତିକ୍ରିୟା ସ୍ୱରୂପ ମଏନିହାନ୍ ୱାସିଙ୍ଗଟନ୍‌କୁ ଏକ ବେତାରବାର୍ତ୍ତା ପଠାଇଥିଲେ ଯାହାର ବିଷୟବସ୍ତୁ ୨୦୧୩ରେ ୱିକିଲିକ୍ସ ଦ୍ୱାରା ପ୍ରକଟ ହୋଇଥିଲା- କୌଲ୍‌ଙ୍କ ପ୍ରତି ମଏନିହାନ୍‌ଙ୍କ ବ୍ୟାଖ୍ୟା ପ୍ରଶଂସନୀୟ ତ ନିଶ୍ଚୟ ନଥିଲା ।

“କୌଲ୍‌ ନେହେରୁଙ୍କ ଭଳି ଏକ କାଶ୍ମୀରୀ ବ୍ରାହ୍ମଣ ଥିଲେ । ପ୍ରଚଣ୍ଡ ଆତ୍ମବିଶ୍ୱାସୀ, ଦାମ୍ଭିକ ଓ ଜଣେ ଅହଂକାରୀ ବ୍ୟକ୍ତିତ୍ୱ । ମସ୍କୋରେ ରାଷ୍ଟ୍ରଦୂତ ଓ ୧୯୬୭-୧୯୭୨ରେ ବିଦେଶ ସଚିବ ଥିଲାବେଳେ ତାଙ୍କ ସୋଭିଏତ ପ୍ରୀତି ଓ ଆମେରିକା ବିରୋଧି ଆଭିମୁଖ୍ୟ ସ୍ପଷ୍ଟ ବାରିହୋଇପଡ଼ୁଥିଲା ।”

ମଏନିହାନ୍ ଲେଖିଥିଲେ ସେ ଅବଶ୍ୟ କୌଲ୍‌ଙ୍କୁ ଭେଟିନାହାଁନ୍ତି କିନ୍ତୁ ବିଦେଶୀମାନଙ୍କ ପ୍ରତି ତାଙ୍କ ବ୍ୟବହାର ଛଳନାରେ ପରିପୂର୍ଣ୍ଣ ।

୧୯୮୨ରେ କୌଲ୍‌ଙ୍କ ଲିଖିତ “ରେମିନିସେନ୍ସସ୍, ଡ଼ିସ୍କ୍ରିଟ୍, ଆଣ୍ଡ ଇନ୍‌ଡ଼ିସ୍କ୍ରିଟ୍” (Reminiscences: Discreet and Indiscreet) ନାମକ ଏକ ପୁସ୍ତକ ପ୍ରକାଶ ପାଏ । ପୁସ୍ତକର ଶୀର୍ଷକ ଅନୁରୂପ ବିଗତ ଦିନର ଘଟଣାବଳୀର ଚମତ୍କାର ସ୍ମୃତିଚାରଣା କରାଯାଇଛି । ପୁସ୍ତକରେ କିଛି ସମ୍ବେଦନଶୀଳ ଘଟଣାର ଅବତାରଣା କରାଯାଇଛିି । ସେ ଲେଖିଛନ୍ତି ୧୯୬୨ରେ ବ୍ରିଟେନ୍‌ରେ ଉପ ଉଚ୍ଚଆୟୁକ୍ତ ପଦବୀରେ ଥିବା ଅବସରରେ ଥରେ ମୋରାର୍‌ଜୀ ଦେଶାଇ ଲଣ୍ଡନ ଗସ୍ତରେ ଆସିଥିଲେ । “ଦେଶାଇଙ୍କ ଛଳନାତ୍ମକ ବ୍ୟବହାରରେ ବ୍ୟତିବ୍ୟସ୍ତ”, କୌଲ୍‌, ଦେଶାଇ (ମହାତ୍ମା ଗାନ୍ଧୀଙ୍କ ଦୃଢ଼ ସର୍ମଥକ) ଓ ଏମ.ସି. ଚଗ୍ଲା(ପୂର୍ବତନ ବିଚାରକ ଓ କେନ୍ଦ୍ରମନ୍ତ୍ରୀ) କାର୍ଯ୍ୟରତ ଉଚ୍ଚ ଆୟୁକ୍ତଙ୍କୁ ନାଟକ ଦେଖିବାକୁ ନେଇଗଲେ । ନାଟକ ଚାଲୁଥିବା ସମୟରେ ଦୁଇ ସୁନ୍ଦରୀ ଅଭିନେତ୍ରୀ ଦର୍ଶକଙ୍କ ମଧ୍ୟକୁ ପଶି ଆସି ଉପସ୍ଥିତ ଭାରତୀୟ ଉଚ୍ଚପଦାଧିକାରୀଙ୍କ କୋଳରେ ବସିପଡ଼ିଲେ । କୌଲ୍‌ କହିଲେ ଏପରି କୌତୁକ କ୍ରୀଡ଼ା ରଚିବାରେ ସେ ନିଜେ ହିଁ ସୂତ୍ରଧର । ଚାଗଲା ଚିପା ହସ ହସି କହିଲେ ଯେ ସେ ଏହି ଥଟ୍ଟାକୁ ବହୁତ ଉପଭୋଗ କଲେ ଓ କହିଲେ “ଦେଶାଇଙ୍କୁ ମଧ୍ୟ ଏହା ଖୁବ୍ ଭଲ ଲାଗିଲା ଯଦିଓ ପ୍ରକାଶ୍ୟରେ ‘ନ ଭଲ ଲାଗିଲା’ ଭଳି ଅଭିନୟ କଲେ ।”

ଯଦି ଏହିଭଳି ସ୍ପଷ୍ଟବାଦିତା କୌଲ୍‌ ନିଜ ପୁସ୍ତକରେ ତାସକନ୍ଦ୍‌ ଘଟଣାର ବର୍ଣ୍ଣନାରେ ଦେଖାଇ ପାରିଥାଆନ୍ତେ ତା’ହେଲେ ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ଭିନ୍ନ କିଛି ପରଦା ଉଠିପାରିଥା’ନ୍ତା । “ଶାସ୍ତ୍ରୀଜୀଙ୍କ ଦୁଃଖଦ ଓ ଅସମୟ ମୃତ୍ୟୁ” କୌଲ୍‌ଙ୍କ ପୁସ୍ତକରେ ବାସ୍ ଏହି ଖଣ୍ଡେ ବାକ୍ୟରେ ହିଁ ସୀମିତ ରହିଗଲା । କୌଲ୍‌ଙ୍କ ସ୍ତୃତି ପଟଳରେ ଲିପିବଦ୍ଧ ଏତିକି ହିଁ ପରିଣାମଦର୍ଶୀ ଓ ଅପରିଣାଦର୍ଶୀ କିଛି ଘଟଣା ସମୁହ ।

୧୯୬୬ରେ ବିଦେଶ ସଚିବ ପଦରେ ଅବସ୍ଥାପିତ ଓ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ସମୟେ ଉପସ୍ଥିତ ସି.ଏସ୍ ଝାଙ୍କ ‘ଫ୍ରମ୍ ବାନଡ଼ୁଙ୍ଗ ଟୁ ତାସକନ୍ଦ : ଗ୍ଳିମ୍ସେସ୍ ଅଫ୍‌ ଇଣ୍ଡିଆଜ୍ ଫରେନ୍ ପଲିସି’ (From Bandung to Tashkent: Glimpses of India’s Foreign Policy) ଶୀର୍ଷକ ଏକ ପୁସ୍ତକ ୧୯୮୩ରେ ପ୍ରକାଶ ପାଇଲା । କୌଲ୍‌ଙ୍କ ସ୍ତୃତିଚାରଣ ପର୍ଯ୍ୟବେସିତ ପୁସ୍ତକ ଅପେକ୍ଷା ସି.ଏସ୍ ଝାଙ୍କ ପୁସ୍ତକରେ ବେଶ୍ କିଛି ପରିଚ୍ଛେଦରେ ଶାସ୍ତ୍ରୀଙ୍କ ମୃତ୍ୟୁ ଘଟଣାର ବିଷଦ ଆଲୋକପାତ କରାଯାଇଛି । ଝା ଲେଖିଛନ୍ତି ସେ ରାତିରେ କ’ଣ ହେଇଥିଲା, କିଭଳି ସେ ଶାସ୍ତ୍ରୀଙ୍କ ହଠାତ୍ ଅସୁସ୍ଥ୍ୟ ହେଇପଡ଼ିବା ସୂଚନା ପ୍ରାପ୍ତ ହେଲେ । ସେ ଲେଖିଛନ୍ତି ‘କିଛି ବିପତ୍ତିର ଅସ୍ପଷ୍ଟ ଆଭାସ୍’ ତାଙ୍କୁ ମିଳିସାରିଥିଲା ବୋଧହୁଏ; ସେଥିପାଇଁ ଘଟଣା ରାତିରେ ଠିକ୍ ଶୋଇପାରିନଥିଲେ । ଝାଙ୍କ ପୁସ୍ତକରେ ଶାସ୍ତ୍ରୀଙ୍କ ମରଶରୀରକୁ କିଭଳି ମସ୍କୋ ବିମାନ ବନ୍ଦରକୁ ଅଣାଗଲା ଓ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କଲା, ଏସବୁର ବିସ୍ତୃତ ବିବରଣୀ ଦିଆଯାଇଛି । ସେ ଲେଖିଛନ୍ତି “ସେହି ଦୁଃଖଦ ଦୃଶ୍ୟସବୁର ମର୍ମାନ୍ତିକତା ଓ ଗମ୍ଭୀରତା ମୋ ସ୍ତୃତିରେ ଚିର ଅକ୍ଷତ ରହିବ ।”

ଏକ କ୍ଷୁଦ୍ର ପରିଚ୍ଛେଦରେ ଝା ଲେଖିଥିଲେ ସେ ଶାରୀରିକ ଓ ଭାବାତ୍ମକ ବୋଝର ଅତ୍ୟଧିକତା ବୋଧେ ଶାସ୍ତ୍ରୀଙ୍କ ମୃତ୍ୟୁର କାରଣ ହୋଇପାରେ । ଭାରତୀୟ ଜନସାଧାରଣଙ୍କଠାରେ ହାଜି ପୀର ପାସ୍ ଓ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନମାନଙ୍କରୁ କଦାପି ପ୍ରତ୍ୟାହାର ନକରିବାର ଅଙ୍ଗୀକାରତାବଦ୍ଧତାରୁ ଓହରି ଯିବାକୁ ବାଧ୍ୟ ହେବା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ଜାନୁଆରୀ ୧୦-୧୧ ମଧ୍ୟରାତ୍ରୀରେ ଶାସ୍ତ୍ରୀଜୀ ନିଜ ପୁତ୍ର ଓ ଜ୍ୱାଇଁଙ୍କ ସହିତ ବାର୍ତ୍ତାଳାପର ଉଲ୍ଲେଖ କରିଛନ୍ତି ଶ୍ରୀ ଝା । ନିଜ ପରିବାର ସଦସ୍ୟଙ୍କ ସହିତ ଏହି ଅନ୍ତିମ ବାର୍ତ୍ତାଳାପରେ ଶାସ୍ତ୍ରୀ ଜାଣିବାକୁ ପାଇଲେ ଯେ ତାସ୍କନ୍ଦ ରାଜିନାମାକୁ ଭାରତରେ ତୀବ୍ର ସମାଲୋଚନା କରାଯାଉଛି । “ଏହି ସବୁ ତଥ୍ୟର ମିଳିତ ପ୍ରହାର ତ ଶାସ୍ତ୍ରୀଙ୍କଠାରୁ ଅପେକ୍ଷାକୃତ ସ୍ୱାସ୍ଥ୍ୟବାନ ମଣିଷର ବି ପ୍ରାଣ ଶୋଷିନେବ ।” ପରିଶେଷରେ ଉପରୋକ୍ତ ବାକ୍ୟ ସହ ଝା ଶାସ୍ତ୍ରୀଙ୍କ ସମ୍ବନ୍ଧରେ ଆଉ ବିଶେଷ କିଛି ନକହି ନିଜ ବର୍ଣ୍ଣନର ପରିସମାପ୍ତି ଘଟାଇଛନ୍ତି ।

ନବେ ଦଶକରେ ଆଉ ଦୁଇ ବିବରଣ ପ୍ରକାଶ ପାଇଲା । ଏହି ବିବରଣୀ ଶାସ୍ତ୍ରୀଙ୍କ ପ୍ରଶଂସକ ଦୁଇ କାର୍ଯ୍ୟନିବୃତ୍ତ ପ୍ରଶାସନିକ ଅଧିକାରୀଙ୍କର ଥିଲା । ଅବଶ୍ୟ ଏମାନଙ୍କ ମଧ୍ୟରୁ ଜଣଙ୍କ ବିଷୟରେ ଶାସ୍ତ୍ରୀଙ୍କ ପରିବାରବର୍ଗଙ୍କ ଆଭିମୁଖ୍ୟ ଭିନ୍ନ ଥିଲା । ୧୯୬୬ ଜାନୁଆରୀରେ ଗୃହମନ୍ତ୍ରୀ ଥିବା ଏଲ୍‌.ପି.ସିଂହ ୧୯୬୬ରେ ଶାସ୍ତ୍ରୀଙ୍କର ଆତ୍ମଜୀବନୀ ପ୍ରକାଶ କଲେ । ପୁସ୍ତକଟିର ଶୀର୍ଷକ ଥିଲା “ପ୍ରୋଟ୍ରେଟ୍ ଅଫ ଲାଲ ବାହାଦୁର ଶାସ୍ତ୍ରୀ: ଏ କ୍ୱିଇ ଏସେନ୍ସିଆଲ ଗାନ୍ଧିଆନ୍ (Portrait of Lal Bahadur Shastri: A Quintessential Gandhian) (ପ୍ରକାଶକ ରବି ଦୟାଲ)” । ତାଙ୍କ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ବିବରଣୀ ପାଠ କଲେ, ନିଃସନ୍ଦେହରେ କୁହାଯାଇପାରେ ଯେ ଶାସ୍ତ୍ରୀଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା ଓ ଏଥିରେ କୌଣସି ରହସ୍ୟ ନାହିଁ ବୋଲି ସିଂହଙ୍କ ଶେଷ ମତ ଥିଲା । ସେ ମଧ୍ୟ “ଶାସ୍ତ୍ରୀଜୀ ଭୀଷଣ ଚାପର ଆବେଶରେ ଥିଲେ” ଅନୁମାନକୁ ଖଣ୍ଡନ କରିଥିଲେ । ସେ ଜୋର୍‌ ଦେଇ ଲେଖିଛନ୍ତି ଯେ ଶାସ୍ତ୍ରୀଜୀ ଦୁର୍ବଳମନା ନଥିଲେ । ସିଂହଙ୍କ ଦୃଢ଼ ମତ ଅନୁସାରେ ୧୯୭୦ରେ ସଂସଦରେ ଉପସ୍ଥାପିତ ସବୁ ବୟାନ ଏ ସମ୍ବନ୍ଧରେ ଅଯଥା ଭ୍ରାନ୍ତିର ପୂର୍ଣ୍ଣଚ୍ଛେଦ ଟାଣିବାରେ ସକ୍ଷମ ହୋଇଥିଲା । “କିନ୍ତୁ ଭାରତର କିଛି ଗୋଷ୍ଠୀ କୌଣସି ବଡ଼ ଘଟଣା ପଛରେ ଷଡ଼ଯନ୍ତ୍ର ଖୋଜିବା ଏକ ଅଭ୍ୟାସ” ବୋଲି ସିଂହ କହିଛନ୍ତି ।

ତାସ୍କନ୍ଦରୁ ଦିଲ୍ଲୀ ଫେରିବା ପରେ ଏଲ୍‌.ପି. ସିଂହ ହାବାର୍ଡ ମେଡ଼ିକାଲ ସ୍କୁଲ ସ୍ନାତକ ଓ ବିଶି ହୃଦ୍ରୋଗ ବିଶେଷଜ୍ଞ ଡ଼ଃ ଏମ.ଏମ୍. ସିଂହଙ୍କ ସହିତ ପରାମର୍ଶ କଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡ଼ଃ ସିଂହ ପରବର୍ତ୍ତୀ ସମୟରେ ନ୍ୟୁୟର୍କ ଷ୍ଟେଟ୍ ୟୁନିଭର୍‌ସିଟିର ମେଡ଼ିସିନ୍‌ ବିଭାଗ ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ । ଡ଼ଃ ସିଂହ କହିଥିଲେ ଶାସ୍ତ୍ରୀ ପ୍ରମାଣତଃ ସାଙ୍ଗାତିକ ମାୟୋକାଡ଼୍‌ରିନାଲ ଇର୍ନ୍ଫାରସେନ୍‌ରେ ଆକ୍ରାନ୍ତ ଥିଲେ । ତାଙ୍କ ଅବସ୍ଥା ଏଭଳି ସଙ୍ଗୀନ ଥିଲା ଯେ ସେ କୌଣସି ଆମେରିକୀୟ ହାସ୍‌ପାତାଳରେ ଅମ୍ଳଜାନର ସୁବ୍ୟବସ୍ଥା ମଧ୍ୟରେ ରହିଥିଲେ ସୁଦ୍ଧା ମୃତ୍ୟୁ ବରଣ କରିଥାଆନ୍ତେ । ଡ଼ଃ ସିଂହଙ୍କ ରାୟରେ ସେ ଅବଗତ ଥିବା ଘଟଣାକ୍ରମ ଯଥା ଘଟଣା ଦିନ ଶାସ୍ତ୍ରୀଙ୍କଠାରେ ପ୍ରୟୋଗ କରାଯାଇଥିବା ସମସ୍ତ ଚିକିତ୍ସା ପଦ୍ଧତିରେ ସଂନ୍ଦେହର କୌଣସି ଅବକାଶ ନାହିଁ । ଋଷୀୟ କର୍ତ୍ତୃପକ୍ଷ ତତ୍କାଳିକ ଚିକିତ୍ସା ଯୋଗାଇପାରିନଥିବା ଭଳି ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଥିଲେ ।

ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧରେ ଦ୍ୱିତୀୟ ଓ ବିଷଦ ଆଲୋଚିତ ପୁସ୍ତକ ହେଉଛି ସାର୍ ସିପି ଶ୍ରୀବାସ୍ତବଙ୍କ ୧୯୯୬ ରେ ପ୍ରକାଶିତ ପୁସ୍ତକ ଲାଲ ବାହାଦୂର ଶାସ୍ତ୍ରୀ : ଏ ଲାଇଫ୍ ଅଫ ଟ୍ରୁଥ ଇନ୍ ପଲିଟିକ୍ସ ( Lal Bahadur Shastri: A Life of Truth in Politics) (ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍) । ଲାଲ ବାହାଦୂର ଶାସ୍ତ୍ରୀଙ୍କ ଶାସନ କାଳରେ ଯୁଗ୍ମ ସଚିବ ଥିବା ଶ୍ରୀବାସ୍ତବ ଜଣେ ଅସାଧାରଣ ବ୍ୟକ୍ତିିତ୍ୱ । ସେ ୧୯୭୨ ଓ ୨୦୦୯ରେ ଯଥାକ୍ରମେ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ ହୋଇଥିଲେ । ଲଣ୍ଡନସ୍ଥିତ ଅନ୍ତର୍ଜାତୀୟ ସାମୁଦ୍ରିକ ସଂସ୍ଥାରେ ସେ ଲଗାତର ଚାରିଥର ମହାସଚିବ ପଦରେ ଅଧିକୃତ ହୋଇଥିଲେ । ସେହି ସମୟରେ ସେ ବ୍ରିଟିଶ୍‌ ରାଣୀଙ୍କ ଦ୍ୱାରା ‘ନାଇଟ’ ପଦବୀରେ ମଧ୍ୟ ଭୂଷିତ ହୋଇଥିଲେ । କିନ୍ତୁ ଅନେକ ତାଙ୍କୁ ପୃଥିବୀ ସାରା ଅଗଣିତ ଅନୁଗାମୀ ଥିବା ‘ସହଜ ଯୋଗ ଅଭିଯାନ’ର ସଂସ୍ଥାପିକା ନିର୍ମଳା ଶ୍ରୀବାସ୍ତବଙ୍କ ସ୍ୱାମୀ ରୂପେ ଜାଣିଥିଲେ ।

ବହୁଳ ଆଦୃତ ନିଜ ପୁସ୍ତକରେ ଶ୍ରୀବାସ୍ତବ ଲେଖନ୍ତି ସମ୍ଭବତଃ ଶାସ୍ତ୍ରୀଜୀ ନିଜ ସ୍ୱାସ୍ଥ୍ୟ ପ୍ରତି ଆଦୌ ଯତ୍ନଶୀଳ ନଥିଲେ । ବିନା ବିଶ୍ରାମରେ ଦୀର୍ଘ ସମୟ କାର୍ଯ୍ୟ କରୁଥିଲେ । କିନ୍ତୁ ଶ୍ରୀବାସ୍ତବ ଶାସ୍ତ୍ରୀଙ୍କ ଶେଷ ସମୟରେ ତାସକନ୍ଦ୍‌ରେ ଉପସ୍ଥିତ ନଥିଲେ । ତେଣୁ ଘଟଣାର ସ୍ପଷ୍ଟ ଚିତ୍ର ପାଇଁ ଜଗନ୍ନାଥ ସହାୟ ଓ ଏମ.ଏମ ଶର୍ମାଙ୍କ ବିବରଣୀକୁ ଆଧାର କରି ଶାସ୍ତ୍ରୀଙ୍କ ଶେଷ ମୂହୂର୍ତ୍ତକୁ ଜୀବନ୍ତ କରି ଗଢ଼ିତୋଳିଛନ୍ତି । ସହାୟ ଓ ଶର୍ମାଙ୍କୁ ‘ଶାସ୍ତ୍ରୀଙ୍କ ବିଶ୍ୱସ୍ତ ଓ ଅନୁଗତ’ ରୂପେ ଅଭିହିତ କରି ଶ୍ରୀବାସ୍ତବ ଲେଖିଛନ୍ତି ସେ ଏହି ଦୁଇଜଣଙ୍କୁ ବହୁ ବର୍ଷରୁ ଜାଣିଥିବାରୁ ସେମାନଙ୍କ ବିବରଣୀର ସତ୍ୟତା ଓ ସଠିକ୍‌ତା ଉପରେ ତାଙ୍କ ପୂର୍ଣ୍ଣ ଆସ୍ଥା ଅଛି । ଶାସ୍ତ୍ରୀଜୀଙ୍କୁ ବିଷ ଦିଆଯାଇଛି ଓ ସେଥିପାଇଁ ତାଙ୍କ ଶରୀର ନେଳି ପଡ଼ିଯାଇଥିଲା ବୋଲି ଆରୋପ ବିଷୟରେ ସେ ସେମାନଙ୍କୁ ପ୍ରଶ୍ନ ପଚାରିଥିଲେ । ସହାୟ ତାଙ୍କୁ କହିଥିଲେ ଡ଼ଃ ଚୁଗଙ୍କ୍ ଅନୁସାରେ ଶରୀର ନେଳି ପଡ଼ିବା, ଶବ ସଂରକ୍ଷିତ ରଖିବାର ପାର୍ଶ୍ୱପ୍ରତିକ୍ରିୟା । ତେଣୁ ଶ୍ରୀବାସ୍ତବଙ୍କ ନିକଟରେ ଉପଲବ୍ଧ ସମସ୍ତ ତଥ୍ୟ ଶାସ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ମୁଖ ନିସ୍ତୃତ । ଏତଦ୍ ବ୍ୟତୀତ ଶ୍ରୀବାସ୍ତବ ସୋଭିଏତ୍‌ଙ୍କ ଦ୍ୱାରା ପ୍ରଦତ୍ତ ଓ ପ୍ରତିପତ୍ତି ବ୍ରିଟିଶ୍‌ ଫୋରେନ୍ସିକ୍ ବା ବିଧିଚିକିତ୍ସାଶାସ୍ତ୍ର ବିଜ୍ଞାନୀ ଆଏନ୍ ୱେଷ୍ଟଙ୍କ ଦ୍ୱାରା ଅନୂଗୃହିତ ୧୯୬୬ ଓ ୧୯୭୦ରେ ମେଡ଼ିକାଲ ସାର୍ଟିଫିକେଟ୍ ଆଧାରରେ ମଧ୍ୟ ନିଜର ମନ୍ତବ୍ୟ ରଖିଥିଲେ ।

ଡ଼ଃ ୱେଷ୍ଟଙ୍କ ଅନୁସାରେ ଶରୀରର ରଙ୍ଗ ପରିବର୍ତ୍ତନ ସ୍ୱାଭାବିକ ମୃତ୍ୟୁରେ ଅସ୍ୱାଭାବିକ ନୁହେଁ ଓ ସଂରକ୍ଷଣ ପ୍ରକ୍ରିୟା ଯୋଗୁଁ ମଧ୍ୟ ହୋଇଥାଏ । ବିଷ ଦିଆଯାଇଥିବାର ଆରୋପ ଉପରେ ସେ କହିଥିଲେ ଶବ ବ୍ୟବଚ୍ଛେଦ ଓ ଏହା ଉପରେ ବିଷ ବିଜ୍ଞାନର ଜ୍ଞାନ ଓ ଗଭୀର ଅନୁଧ୍ୟାନ ବିନା ଏହି ସନ୍ଦେହ ବାବଦରେ ନିଶ୍ଚିତ ରୂପେ କିଛି କୁହାଯାଇପାରିବ ନାହିଁ । ଶାସ୍ତ୍ରୀ ବିଷ ଖାଇଦେଇଛନ୍ତି ବୋଲି କୌଣସି ପ୍ରମାଣ ବି ନାହିଁ ଓ ଉପଲବ୍ଧ ସମସ୍ତ ପ୍ରମାଣ କହୁଛି ସେ ସ୍ୱାଭାବିକ ମୃତ୍ୟୁ ପ୍ରାପ୍ତ ହୋଇଥିଲେ ।

ସି.ଏସ୍ ଝା, ଏଲ. ପି. ସିଂହ ଓ ସି.ପି. ଶ୍ରୀବାସ୍ତବଙ୍କ ବ୍ୟାଖ୍ୟାନ ସବୁ ଆଶଙ୍କା ଓ ସନ୍ଦେହରେ ପୂର୍ଣ୍ଣଛେଦ ଟାଣିବାରେ ସକ୍ଷମ ଥିଲା । କିନ୍ତୁ ୧୯୮୮ରେ ଏକ ତଥ୍ୟର ଉନ୍ମୋଚନ ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟର ମୋଡ଼ ବଦଳାଇଦେଲା । ଗୋଟିଏ ଝଟକାରେ ସରକାରୀ ବିବୃତି ଓ ପୂର୍ବତନ ସରକାରୀ ଅଧିକାରୀ ସମୟାନ୍ତରରେ ଦେଉଥିବା ମତାମତ ଉପରେ କଳା ବାଦଲ ଘୋଟାଇଦେଲା । ସେ ସମୟରେ ଏହି ନିର୍ଣ୍ଣାୟକ ତଥ୍ୟ ପ୍ରକଟନ ବିଷୟରେ ନା କୌଣସି ପ୍ରେସ୍ ରିପୋର୍ଟ ପ୍ରକାଶିତ ହୋଇଥିଲା ନା ସଂସଦରେ କିଛି କଥନ । ସବୁ ଭାରତୀୟଙ୍କ ଅଜାଣତରେ ମସ୍କୋରେ କିଛି ତଥ୍ୟ ପ୍ରକଟିତ ହେଇସାରିଥିଲା ।

ସେହି ବର୍ଷ ଚହଳ ସୃଷ୍ଟିକାରୀ ଖବର ପରିବେଷଣକାରୀ ରୁଷୀୟ କ୍ଷୁଦ୍ର ପତ୍ରିକା “କୋମ୍‌ସୋମେଲ୍‌ସ୍କାୟା ପ୍ରବ୍‌ଦା” ୧୯୫୯ରୁ ୧୯୭୨ ସୋଭିଏତ ନେତାଙ୍କ ପାଇଁ ରୋଷେୟା କାର୍ଯ୍ୟରେ ନିୟୋଜିତ ଥିବା ଅହମଦ ସାଟ୍ଟାରୋଭ୍ ନାମକ ବ୍ୟକ୍ତି ଉପରେ ଏକ ଆଲେଖ୍ୟ ପ୍ରକାଶ କଲା । ଏହି ଖବର ଅନୁଯାୟୀ ଜାନୁୟାରୀ ୧୧, ୧୯୬୬ ସେହି ଅଭାବନୀୟ କାଳ ରାତ୍ରିରେ ଡାଚାରେ ଶାସ୍ତ୍ରୀଜୀଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତି ଦାୟିତ୍ୱରେ ମହମ୍ମଦ ଜାନ୍‌ଙ୍କ ସହିତ କିଛି ରୁଷୀୟ କର୍ମଚାରୀ ମଧ୍ୟ ସଂଯୁକ୍ତ ଥିଲେ । ତନ୍ମଧ୍ୟରୁ ଅହମଦ ସାଟ୍ଟାରୋଭ୍ ଅନ୍ୟତମ । ଭାରତୀୟ ପତ୍ରକାରଗଣ ଏହି ଖବରକୁ ନଜରଅନ୍ଦାଜ କରିଥିବାବେଳେ (ମସ୍କୋସ୍ଥିତ ଭାରତୀୟ ଦୂତବାସ ଏ ବାବଦରେ ଅବଗତ ଥିବାର କୌଣସି ପ୍ରମାଣ ମଧ୍ୟ ନାହିଁ) ବ୍ରିଟିଶ୍‌ ଦୈନିକ ‘ଦ ଟେଲିଗ୍ରାଫ’ର ମସ୍କୋ ସମ୍ବାଦଦାତା ଗୁରୁତ୍ୱର ସହ ନେଇଥିଲେ । ୧୮ ଫେବୃଆରୀ ୧୯୮୮ରେ ଅଲାନ ଫିଲିଫ ନାମକ ଉକ୍ତ ସାମ୍ବାଦିକ ନିଜ ମତାମତ ରଖିଲେ ।

‘ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୯୬୬ରେ ତାସକନ୍ଦ୍‌ଠାରେ (ସେତେବେଳେ ସୋଭିଏତ ୟୁନିୟନର ଅଂଶ) ଆକସ୍ମିକ ନିଧନର ତୁରନ୍ତ ପରେ ମିଃ ଅହମଦ ସାଟ୍ଟାରୋଭ୍‌ଙ୍କୁ ଭୋର ୪ଟାରେ ବିଷ ପ୍ରୟୋଗ ସନ୍ଦେହରେ ଗିରଫ କରାଯାଇଥିଲା ଓ ଜେଲକୁ ପଠାଇ ଦିଆଯାଇଥିଲା । ଫିଲିଫ ନିଜ ଲେଖାର ଶେଷରେ ଏହା କହିଛନ୍ତି । ଏହା ଲୋମ ଟାଙ୍ଗୁରା ପ୍ରକଟନ ଥିଲା । ଏ ପର୍ଯ୍ୟନ୍ତ ସରକାରୀ ବିବୃତି ଅନୁଯାୟୀ ଶାସ୍ତ୍ରୀଙ୍କ ପରିବାରବର୍ଗ ମୃତ ଶରୀର ଦର୍ଶନ ପରେ ହିଁ ମୃତ୍ୟୁ ରହସ୍ୟ ଘେରକୁ ଆସିଥିଲା । କିନ୍ତୁ ଉକ୍ତ ରାତ୍ରିରେ ସାଟ୍ଟାରୋଭ୍‌ଙ୍କ ଗିରଫ ଘଟଣା ପୂରା ସିଦ୍ଧାନ୍ତକୁ ଭିନ୍ନ ମୋଡ଼ ଦେବା ପାଇଁ ଯଥେଷ୍ଟ ଥିଲା । ପ୍ରକୃତରେ ଡାଚାରେ ଶାସ୍ତ୍ରୀଙ୍କ ମୃତ ଶରୀର ଥିବାବେଳେ ହିଁ ପ୍ରଥମେ ରୁଷୀୟ କର୍ମୀବୃନ୍ଦ ହିଁ ହତ୍ୟା ସନ୍ଦେହ ଆଧାରରେ ଚିନ୍ତନ ଓ କାର୍ଯ୍ୟାନୁଷ୍ଠାନ କରିସାରିଥିଲେ ।

ଲୋକପ୍ରିୟ ଲେଖା

To Top