ରହସ୍ୟ

ଲଲିତା ଶାସ୍ତ୍ରୀଙ୍କ ‘ଧର୍ମଯୁଗ’କୁ ସାକ୍ଷାତକାର ଅବସରରେ: କିଛି ବ୍ୟଥା, କିଛି ଅଭିଯୋଗ

Shastrijinka Hatyaara Rahasya

ପଟେଲଙ୍କ ମତରେ ଭାରତ ଓ ସୋଭିଏତ ସରକାରଙ୍କ “ଉଚିତ୍ ତଦନ୍ତ ସକାଶେ କୌଣସି ପଦକ୍ଷେପ ନନେବା” ହିଁ ସ୍ପଷ୍ଟ କରୁଛି ଯେ “ଶାସ୍ତ୍ରୀଙ୍କ ଅସମୟ ମୃତ୍ୟୁ ପଛରେ କିଛି ତ ରହସ୍ୟ ଅଛି ଯାହା ଉଭୟ ସରକାର ଲୁଚେଇବାକୁ ଶତଚେଷ୍ଟା କରୁଛନ୍ତି ।”

ଲଲିତା ଶାସ୍ତ୍ରୀଙ୍କ ‘ଧର୍ମଯୁଗ’କୁ ସାକ୍ଷାତକାର ଅବସରରେ: କିଛି ବ୍ୟଥା, କିଛି ଅଭିଯୋଗ

ଲାଲ ବାହାଦୂର ଶାସ୍ତ୍ରୀଙ୍କ ବିୟୋଗକୁ ନେଇ ଉପୁଜିଥିବା ବିବଦମାନ ପରିସ୍ଥିତି ତାଙ୍କ ବିଧବା ପତ୍ନୀ ଲଲିତା ଶାସ୍ତ୍ରୀଙ୍କ ପାଇଁ ଏକ ଅସରନ୍ତି ଦୁଃସ୍ୱପ୍ନ ସଦୃଶ୍ୟ ଥିଲା । ୧୯୬୬ ଜାନୁଆରୀର ସେହି ଦୁଃଖଦ ଘଟଣାର ଆତିଶଯ୍ୟତା ତାଙ୍କୁ ,ତାଙ୍କ ପିଲାମାନଙ୍କୁ ଓ ନିକଟ ସମ୍ପର୍କୀୟଙ୍କୁ ଏକପ୍ରକାର ଜଡ଼ କରିଦେଇଥିଲା । ଶାସ୍ତ୍ରୀଙ୍କ ୧୬ ବର୍ଷୀୟ ପୁଅ ଅନିଲ ଶାସ୍ତ୍ରୀତ ନିଜକୁ ସବୁଠାରୁ ଅଭାଗା ବୋଲି ଭାବୁଥିଲେ । ସେ ନିଜ ପିତାମାତାଙ୍କ ସହ ତାସ୍କନ୍ଦ ଯିବାକୁ ଇଚ୍ଛା କରିଥିଲେ । କିନ୍ତୁ ପରେ ଶାସ୍ତ୍ରୀଜୀ ଏକାକୀ ଯିବାର ସ୍ଥିର ହେବାରୁ ସେ ଅଭିମାନ କରି ତକିଆରେ ମୁହଁ ଲୁଚେଇ ଶୋଇଯାଇଥିଲେ । ଶାସ୍ତ୍ରୀ ଅନିଲଙ୍କ ପାଖକୁ ବିଦାୟ ନେବାକୁ ଆସିଲେ କିନ୍ତୁ ଅନିଲଙ୍କ ଅଭିମାନ ଭାଙ୍ଗିନଥିଲା; ସେ ସେମିତି ମୁହଁ ମାଡ଼ି ପଡ଼ିରହିଥିଲେ । ଶାସ୍ତ୍ରୀ ତାଙ୍କ କେଶ ସାଉଁଳେଇ ଚାଲିଗଲେ । ୧୧ଜାନୁଆରୀ ୧୯୬୬ ର ରାତ୍ରୀର ଶେଷ ପ୍ରହରରେ ଯେବେ ଅନୀଲ ଦୁଃଖଦ ଖବର ପ୍ରାପ୍ତ ହେଲେ ତ ବହୁତ କାନ୍ଦିଥିଲେ ।

ଘଟଣାର ଚାରି ବର୍ଷ ଉପରାନ୍ତ ତଦନ୍ତ ପାଇଁ ସାଧାରଣରେ ଜୋର ଦାବି ଓ ଅନ୍ୟ ପଟେ ଅନେକ ଅକୁହା ବେଦନାରେ ଛଟପଟ ହେଉଥିବା ଲଲିତା ଶାସ୍ତ୍ରୀ ଶେଷରେ ନିଜ ମୁହଁ ଖୋଲିଲେ । ତାଙ୍କ ମୁହଁ ଖୋଲିବାର ଅନ୍ୟ ଏକ କାରଣ ବୋଲି ଏହା ମଧ୍ୟ କୁହାଯାଏ ଯେ ପ୍ରଥମଥର ପାଇଁ ଗଣମାଧ୍ୟମ ତାଙ୍କୁ କିଛି କହିବା ପାଇଁ ଅନୁରୋଧ କରିଥିଲା । ସେ ଯାହା ହେଉ ଲଲିତା ଶାସ୍ତ୍ରୀ ହିନ୍ଦୀ ସାପ୍ତାହିକ ପତ୍ରିକା ‘ଧର୍ମଯୁଗ’ର ୪ ଅକ୍ଟୋବର ୧୯୭୦ସଂସ୍କରଣରେ ସାକ୍ଷାତକାର ଦେଇ ନିଜ ମନର ଅବସ୍ଥା ବଖାଣିଥିଲେ । ସେ ସମୟରେ ‘ଧର୍ମଯୁଗ’ ମୁଖ୍ୟସ୍ରୋତରେ ପ୍ରସିଦ୍ଧ ଅନେକ ପ୍ରକାଶନଙ୍କ ମଧ୍ୟରେ ଏକ ଆଗଧାଡ଼ିର ପ୍ରକାଶନ ଥିଲା । ତାଙ୍କର ସାକ୍ଷାତକାର ନେଉଥିବା ପ୍ରଭାତ ମିତ୍ତଲଙ୍କୁ ଲଲିତା ଶାସ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ରହିବାର ସମସ୍ତ ବ୍ୟବସ୍ଥା ଟି.ଏନ କୌଲ କରିଥିଲେ । ମହମ୍ମଦ ଜାନ ରୋଷେଇ ଦାୟିତ୍ୱରେ ଥିଲେ ଓ ରାମନାଥ ଖାଦ୍ୟ ପରିଷିବା କର୍ତ୍ତବ୍ୟ ନିର୍ବାହ କରୁଥିଲେ । ଶାସ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀ ତଥା ଅନ୍ୟମାନଙ୍କ ସୂଚନା ଆଧାରରେ ଲଲିତା ଶାସ୍ତ୍ରୀ ଯେଉଁ ବୟାନ ଦେଲେ ତାହା ସରକାରୀ ବିବୃତିଠାରୁ କିଛି ଭିନ୍ନ ଥିଲା ।

‘ଆପଣ କହିଲେ ଦୁଗ୍ଧରେ କିଛି ହୁଏତ ମିଶିଥିବ, କିନ୍ତୁ ଆମେ ଭାବୁଛୁ ସେମିତି କିଛି ହେଇନଥିବ । ଦୁଗ୍ଧ ପିଇସାରିବା ପରେ ଆମ ସହ ଶାସ୍ତ୍ରୀଜୀ ଫୋନ୍‌ରେ କଥା ହେଇଥିଲେ । ବୋଧହୁଏ ୧୫ ମିନିଟ୍‌ ପରେ । ଏହାର ୧୦/୧୨ ମିନିଟ୍‌ ପରେ ସେ ପାଣି ମାଗିଲେ । ପୂର୍ବରୁ ଏକ ପାଣି ଭର୍ତ୍ତି ଫ୍ଳାକ୍ସ ସେଠାରେ ରଖାଯାଇଥିଲା । ରାମନାଥ ସେଥିରୁ ପାଣି କାଢ଼ି ଶାସ୍ତ୍ରୀଜୀଙ୍କୁ ଦେଲେ । ଏହାର କିଛି ମିନିଟ୍‌ ପରେ ସେ ରାମନାଥଙ୍କୁ ଫାଇଲ, କାଗଜପତ୍ର ଇତ୍ୟାଦି ନେଇଯାଇ ଡ୍ରୟରରେ ରଖିବା ପାଇଁ କହିଲେ । ସେ ଟିକେ ଗଡ଼ପଡ଼ ହେବାକୁ ଚାହିଁଲେ । ମୁଣ୍ଡ କିଛି ଓଜନିଆ ଲାଗୁଥିଲା । ପରଦିନ ସକାଳେ ଶୀଘ୍ର ଉଠିବାକୁ କହି ରାମନାଥଙ୍କୁ ବିଶ୍ରାମ କରିବା ନିମନ୍ତେ ପଠାଇଦେଲେ ।’

‘ଧର୍ମଯୁଗ’ରେ ପ୍ରକାଶିତ ଲଳିତା ଶାସ୍ତ୍ରୀଙ୍କ ବୟାନ ଅନୁଯାୟୀ ସେ ନିଜ ଅନ୍ତିମ କ୍ଷଣରେ ଠିକ୍‌କରି କଥା କହିପାରୁନଥିଲେ । ଇସାରାରେ ସେ ବୋଧେ କହିବାକୁ ଚାହୁଁଥିଲେ, ଯେ କିଛି ସମୟ ପୂର୍ବେ ସେ ପିଇଥିବା ପାଣିରେ କିଛି ତ ‘ସନ୍ଦେହଜନକ’ ଥିଲା ।

‘ଫ୍ଲାସ୍କ ଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ସେଠି ଉପସ୍ଥିତ ଲୋକେ ଭାବିଲେ ଶାସ୍ତ୍ରୀଜୀ ପାଣି ପିଇବାକୁ ଚାହୁଁଛନ୍ତି । ତେଣୁ ସେମାନେ ତାଙ୍କ ପାଣି ଦେଲେ କିନ୍ତୁ ସେ ନେଲେ ନାହିଁ । ବରଂ ପୁଣି ସେହି ଦିଗକୁ ଇସାରା କଲେ ।’

ଲଲିତା ଶାସ୍ତ୍ରୀ “ଚୁଗଙ୍କୁ ଦୋଷୀ ଭାବିବା ଠିକ୍ ନୁହେଁ” କହି ତାଙ୍କ ପ୍ରତି କୌଣସି ସନ୍ଦେହ ମନୋଭାବ ମଧ୍ୟ ନାହିଁ ବୋଲି ସ୍ପଷ୍ଟ କଲେ । ସେ କହିଲେ “ତଥାପି ସେ ଅବହେଳା କରିଛନ୍ତି; ଏହା ନିଃସନ୍ଦେହରେ କୁହାଯାଇପାରେ ।” ଶାସ୍ତ୍ରୀଜୀଙ୍କ ମରଶରୀରର ଅବସ୍ଥା ଓ ପରିବାରବର୍ଗଙ୍କୁ ମଧ୍ୟ ତାଙ୍କ ଦେହବାଶେଷ ନିକଟକୁ ଛଡ଼ାନଯିବା ପାଇଁ ଚେଷ୍ଟା କରିବା ସମଗ୍ର ବୟାନର ସବୁଠାରୁ ଚାଞ୍ଚଲ୍ୟକର ଅଂଶ ଥିଲା ।

‘ବିମାନ ବନ୍ଦରରେ ଶାସ୍ତ୍ରୀଙ୍କ ମରଶରୀର ନିକଟକୁ ଆମ ପରିବାରର ଜଣଙ୍କୁ ମଧ୍ୟ ଛଡ଼ା ଯାଇନଥିଲା । ମୁଁ ତ ଶୋକାଭିଭୂତ ଥିଲି କିନ୍ତୁ ହରିର କହିବା ଅନୁସାରେ ସେ ବହୁତ କଷ୍ଟରେ ତାଙ୍କ ନିକଟରେ ପହଞ୍ଚି ପାରିଥିଲା । ଶାସ୍ତ୍ରୀଙ୍କ ଶରୀରର ଅନେକ ଅଂଶରେ ନେଳି ଦାଗ ଲକ୍ଷ୍ୟ କରାଯାଇଥିଲା । ମରଶରୀରକୁ ଗାଧୋଇ ଦେଲା ବେଳେ ମଧ୍ୟ ଆମକୁ ତାଙ୍କ ନିକଟକୁ ଯିବାକୁ ଦିଆଯାଇନଥିଲା । ବହୁତ ଅନୁରୋଧ କଲା ପରେ ହିଁ ଆମକୁ ଅନୁମତି ମିଳିଲା । ଶାସ୍ତ୍ରୀଙ୍କ ଶରୀର ଓ ମୁହଁ ନେଳି ପଡ଼ିଯାଇଥିଲା ଓ ବହୁତ ଫୁଲିଯାଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ଦେହ ଏତେ ଫୁଲିଯାଇଥିଲା ଯେ ସେ ପିନ୍ଧିଥିବା ଗଞ୍ଜିକୁ ଚିରି ବାହାର କରିବାକୁ ପଡ଼ିଲା ଓ କୁର୍ତ୍ତାକୁ ମଧ୍ୟ ବହୁ କଷ୍ଟରେ ଖୋଲିହେଲା । ସେତେବେଳେ ମୋତେ ସଂନ୍ଦେହ ଅବଶ୍ୟ ହେଲା କିନ୍ତୁ ଖୁବ୍ ବ୍ୟଥିତ ଥିବାରୁ ସେ ବିଷୟରେ ବେଶି ଭାବିବାକୁ ବା ପ୍ରଶ୍ନକରିବାର ଅବସ୍ଥାରେ ନଥିଲି । ତାଙ୍କ ପେଟରେ ମଧ୍ୟ କିଛି ଅପରେସନ୍‌ ପରେ ସିଲେଇ ହେବା ଭଳି ଚିହ୍ନ ଥିଲା । କେହି ଜାଣିନଥିଲେ ଏଭଳି ଚିହ୍ନ କିଭଳି ସୃଷ୍ଟି ହେଲା କାରଣ ଶବକୁ ସଂରକ୍ଷିତ ରଖିବା ପାଇଁ ଔଷଧ ତ ବେକର ପଛ ପାର୍ଶ୍ୱରେ ଦିଆଯାଇଥିଲା ଓ ସେ ଜାଗାରୁ ମଧ୍ୟ ସେପର୍ଯ୍ୟନ୍ତ ରକ୍ତ ଝରୁଥିଲା । ପରେ ଯେବେ ଲୋକେ ମୁହଁରେ ଦୃଶ୍ୟ କିଛି ‘ଦାଗ’କୁ ନେଇ ଟିପ୍ପଣୀ କଲେ ତ କେହିଜଣେ ଏକ ଛୋଟ ପାତ୍ରରେ ଚନ୍ଦନ ବଟା ଆଣି ପୁରା ମୁହଁରେ ଲେପି ଦେଲା । ଚନ୍ଦନ ପ୍ରଲେପ ସତ୍ୱେ ବି ଦାଗ ଲୁଚିଲା ନାହିଁ ।’

ସେ ସମୟରେ ଉତ୍ତୋଳିତ ଫଟୋ ଚିତ୍ର ଓ ଅନ୍ୟମାନଙ୍କ ମନ୍ତବ୍ୟ ଲଲିତା ଶାସ୍ତ୍ରୀଙ୍କ ବୟାନକୁ ପ୍ରତିପାଦିତ/ ସତ୍ୟ ସାବ୍ୟସ୍ତ କରିଥିଲା । ପୂବର୍ତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଓ ଶାସ୍ତ୍ରୀଙ୍କ ଅନୁଗାମୀ ଜଗଦୀଶ କୋଡ଼େସିଆ ଅନ୍ୟ ବ୍ୟକ୍ତି ବିଶେଷଙ୍କ ସହିତ ମିଶି ଅନ୍ତିମ ସଂସ୍କାର ପୂର୍ବରୁ ମରଦେହକୁ ରୀତିନୀତି ଅନୁଯାୟୀ ଗାଧୋଇ ଦେଇଥିଲେ । ୧୯୯୦ରେ ଭାରତର ରାଷ୍ଟ୍ରପତି ଭେଙ୍କଟରମଣଙ୍କୁ କୋଡ଼େସିଆ ଏକ ପତ୍ର ଲେଖିଥିଲେ-

‘ଆମେ ବେକ ପଛ ପାର୍ଶ୍ୱରେ ଓ ପେଟ ଉପରେ କଟା ଦାଗ ଦେଖିଲୁ । ପେଟର କଟା ଅଂଶରେ ପ୍ଳାଷ୍ଟର ଦ୍ୱାରା ମୁଦି ଦିଆଯାଇଥିଲା; ନିର୍ଗମନକୁ ରୋକିବା ଉଦ୍ଧେଶ୍ୟରେ । କିନ୍ତୁ ବେକର କଟା ଜାଗାରୁ ତଥାପି ରକ୍ତ ଝରୁଥିଲା ଓ ବିଛଣା, ତକିଆ, ଓ ତାଙ୍କ ପରିଧାନ ସବୁକିଛି ରକ୍ତରେ ଭିଜିଯାଇଥିଲା । ଆମେ ଦେହବାଶେଷର ବ୍ୟବଚ୍ଛେଦ ପାଇଁ ନେତୃବୃନ୍ଦଙ୍କୁ ନିବେଦନ କରିଥିଲୁ । ଆମକୁ କୁହାଗଲା ଏଭଳି ନିବେଦନରୁ କ୍ଷାନ୍ତ ରହିବାକୁ କାରଣ ଏହା ଗ୍ରହଣ କରାଗଲେ ଅନ୍ତର୍ଜାତୀୟ ସଂପର୍କ ପ୍ରଭାବିତ ହୋଇପାରେ ।’

୨୩ ନଭେମ୍ବର ୧୯୭୦ରେ ହରି ଶାସ୍ତ୍ରୀ ଗଣମାଧ୍ୟମକୁ କହିଲେ, ତାଙ୍କ ପରିବାର ପ୍ରଥମରୁ ହିଁ “ଶାସ୍ତ୍ରୀଙ୍କ ମୃତ୍ୟୁକୁ ‘ଅସ୍ୱାଭାବିକ’ ବୋଲି ମାନି ଆସୁଛି ।” ପିତାଙ୍କ ମରଶରୀର ଭାରତର ପହଞ୍ଚିବା ପରେ ହିଁ ସେ ଏ ବିଷୟରେ ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଜଣାଇଥିଲେ; କିନ୍ତୁ “ଏଭଳି କହିବା ପାଇଁ ଏହା ପ୍ରକୃଷ୍ଟ ସମୟ ନୁହେଁ” ବୋଲି କହି ତାଙ୍କୁ ଚୁପ୍ କରାଇଦିଆଗଲା । ‘ଧର୍ମଯୁଗ’ରେ ସାକ୍ଷାତକାର ଅବସରରେ ଲଲିତା ଶାସ୍ତ୍ରୀ ଭିନ୍ନ ଏକ ସନ୍ଦେହ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଡାଏରୀ ଓ ଫ୍ଳାକ୍ସ-ଯେଉଁଥିରୁ ସେ ଶେଷଥର ପାଇଁ ପାଣି ପିଇଥିଲେ- ହଜିଯିବା ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

‘ଡାଏରୀଟି ସବୁବେଳେ ସେ ନିଜ ପାଖରେ ରଖିଥାନ୍ତି । ସେସବୁ ଏବେ ମିଳୁନାହିଁ; ମୁଁ କାହାକୁ ଦୋଷ ଦେବି, ଜାଣିନି । ମୁଁ ସଦାବେଳେ ଭାବୁଛି ଶାସ୍ତ୍ରୀଜୀ ହୁଏତ ସେ ଡାଏରୀରେ ମୋ ଉଦ୍ଧେଶ୍ୟରେ କିଛି ଲେଖିଥିବେ ଯାହା ମୁଁ ଆଉ ଜାଣିବାର ଉପାୟ ନାହିଁ । ଡାଏରୀ ଓ ଫ୍ଳାକ୍ସଟି ତାସକନ୍ଦରୁ ଆଉ ଫେରିଲାନି ।’

ଶେଷରେ ଲଲିତା ଶାସ୍ତ୍ରୀଙ୍କ ଏକରକମ ନିଶ୍ଚିତ ହୋଇଯାଇଥିଲେ ଯେ ଶାସ୍ତ୍ରୀଜୀଙ୍କୁ ହତ୍ୟା କରାଯାଇଛି କିନ୍ତୁ କାହାକୁ ଏଥିପାଇଁ ଦୋଷାରୋପ କରିବେ ସେ ସ୍ଥିର କରିପାରୁନଥିଲେ । ଋଷୀୟଙ୍କ ପ୍ରତି ତାଙ୍କର କୌଣସି ଅଭିଯୋଗ ନଥିଲା । ତାଙ୍କ ମତରେ “ଶ୍ରୀ କୋସିଗିନ୍ ଜଣେ ଭଲ ବ୍ୟକ୍ତ । କୌଣସି ଦେଶ କାହିଁକି ବା ଜଣେ ବନ୍ଧୁ ରାଷ୍ଟ୍ରର ମୁଖ୍ୟଙ୍କୁ ନିଜ ଦେଶକୁ ନିମନ୍ତ୍ରିତ କରି ହତ୍ୟା କରିବ ?” ୧୯୬୬ରେ କୋସିଗିନ୍ ଲଲିତା ଶାସ୍ତ୍ରୀଙ୍କୁ ଭେଟି ନିଜର ଶୋକବ୍ୟକ୍ତ କରିଥିଲେ । କିଛି ମାସ ପରେ ଲଲିତା ଶାସ୍ତ୍ରୀଙ୍କ ତାସକନ୍ଦ ଯିବାର ସମସ୍ତ ବନ୍ଦୋବସ୍ତ ମଧ୍ୟ କରିଥିଲେ ।

ଲଲିତା ଶାସ୍ତ୍ରୀଙ୍କ ଗଣମାଧ୍ୟମରେ ସାକ୍ଷାତକାର ଉଭୟ ଭାରତ ଓ ଋଷ ସରକାରଙ୍କୁ ବ୍ୟସ୍ତବିବ୍ରତ କଲା । ୠଷୀୟ ରାଷ୍ଟ୍ରଦୂତ ନିକୋଲାଇ ପେଗଭ୍ ବିଦେଶ ମନ୍ତ୍ରଣାଳୟରେ ଏ ସଂକ୍ରାନ୍ତରେ ଆପତ୍ତି କଲେ । ସେ କହିଲେ ତାଙ୍କ ଦେଶକୁ ଲାଲ ବାହାଦୂର ଶାସ୍ତ୍ରୀଙ୍କ ତାସକନ୍ଦରେ ନିଧନରେ ଜଡ଼ିତ କରିବା ପାଇଁ ରାଜନୈତିକ ଦଳଙ୍କ ଷଡ଼ଯନ୍ତ୍ର;ଏହା ଅତ୍ୟନ୍ତ ନିନ୍ଦନୀୟ । ୨୦ ନଭେମ୍ବରରେ ‘କରେଣ୍ଟ ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ସୋଭିଏତ ରେଡ଼ିଓରେ ଏ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ଶାସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ଦାବିକୁ ସେମାନେ “ନିନ୍ଦନୀୟ, କୁତ୍ସିତ‘ ଓ ଏହା ବିଦେଶୀ ଶକ୍ତି ପ୍ରୋତ୍ସାହିତ” ବୋଲି ଭର୍ତ୍ସନା କଲେ । ଲଲିତା ଶାସ୍ତ୍ରୀ ସାକ୍ଷାତକାରରେ ଦେଇଥିବା ବିବୃତିକୁ ଆଧାର କରି ସେମାନେ କହିଲେ, ଜାଣିଶୁଣି ଏଭଳି ସଂନ୍ଦେହଜନକ ବାତାବରଣ ସୃଷ୍ଟି କରାଯାଉଛି ଯେ କଂଗ୍ରେସର କିଛି ପ୍ରମୁଖ ନେତା ଓ ଇନ୍ଦିରା ଗାନ୍ଧୀଙ୍କ ସମର୍ଥକ ଅପରାଧ ପରିସରକୁ ସ୍ୱାଭାବିକ ଭାବେ ଆସିଯିବେ ।

ଶାସ୍ତ୍ରୀଙ୍କ ମୃତ୍ୟୁ ତଦନ୍ତ ଦାବି ଏକ ‘ନିର୍ବାଚନୀ ତମାସା’ ବୋଲି ସୋଭିଏତ ରୁଷର ରେଡ଼ିଓ ପ୍ରସାରଣ ଅଭିହିତ କରିଥିଲା । ଏହା ଏକ କଦର୍ଯ୍ୟ ଖେଳ ବୋଲି ଆକ୍ଷେପ କରି ଏହାର ପଶ୍ଚାତ୍‌ରେ ଆମେରିକା ଅଛି ବୋଲି ଦୋଷାରୋପ ମଧ୍ୟ ଋଷର ବେତାର ମାଧ୍ୟମରେ ପ୍ରଚାର ହେଇଥିଲେ । ଆମେରିକା ଓ ଭାରତରେ ତା’ର ସମର୍ଥକଗଣ ସୋଭିଏତ୍ ଓ ଭାରତ ମଧ୍ୟରେ ବଢ଼ୁଥିବା ବନ୍ଧୁତାକୁ ଦେଖି ଶଙ୍କି ଯାଉଛନ୍ତି । ଇନ୍ଦିରା ଗାନ୍ଧୀଙ୍କୁ ସେମାନେ ଉପଦେଶ ଦେଲେ “ଏହି ଭଳି ତତ୍ତ୍ୱମାନଙ୍କ ଚାପରେ ଦବିଯାଇ ତଦନ୍ତ ନିର୍ଦେଶ ଦେବା ଉଚିତ୍ ହେବନାହିଁ ।” ଏଭଳି ତଦନ୍ତର ମାନେ “ସୋଭିଏତ ସଙ୍ଘ ଓ ଏହାର ଜନସାଧାରଣଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ।”ସେମାନେ ଏପ୍ରକାରର ଚେତାବନୀ ଦେଲେ ଯେ, “ଏଭଳି ପଦକ୍ଷେପ ଦୁଇ ଦେଶ ମଧ୍ୟ ଥିବା ବନ୍ଧୁତାକୁ ଓପାଡ଼ି ଦେବ । ସୋଭିଏତ ସଙ୍ଘ ଓ ଏହାର ଜନସାଧାରଣ ଏପରି ଅପମାନକୁ ବରଦାସ୍ତ କରିବେ ନାହିଁ ଓ ଏହାର ପରିଣାମ ପାଇଁ ଭାରତ ସରକାର ଦାୟୀ ରହିବେ ।”

ଏହା ମଧ୍ୟରେ ଲଲିତା ଶାସ୍ତ୍ରୀଙ୍କ ବୟାନ ପରିପ୍ରେକ୍ଷୀରେ ଏକ ଜାତୀୟ କମିଟି ଗଠିତ ହୋଇସାରିଥିଲା ଓ ଏହାର ମୁଖ୍ୟ ଉଦ୍ଧେଶ୍ୟ ଅନୂରୂପ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ଦାବିରେ ଲାଗିପଡ଼ିଲା । କମିଟିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଦସ୍ୟ ଥିଲେ; କମିଟିର ମୁଖ୍ୟ ପଦରେ ଥିଲେ ଡ଼ଃ ହୃଦୟନାଥ କୁଞ୍ଜରୁ, ସ୍ୱାଧୀନତା ସଂଗ୍ରାମୀ ଓ ବରିଷ୍ଠ ସାଂସଦ । ଅନ୍ୟ ସଦସ୍ୟମାନେ ହେଲେ ଟି.ଏନ ସିଂହ, ଆଚାର୍ଯ୍ୟ କ୍ରିପାଲିନୀ, ସୁଚିତ୍ରା କୃପାଲିନୀ, ମହାବୀର ତ୍ୟାଗୀ, ଏଚ. ଭି. କାମାତ, ନାଥ ପାଇ, ଏମ.ସି. ଚାଗ୍ଲା, ଅଟଳ ବିହାରୀ ବାଜପେୟୀ, ପ୍ରକାଶ ଭୀର ଶାସ୍ତ୍ରୀ, ରାଓ. ପି.କୋଣ୍ଡନା, ଏଡ଼ି ମାନୀ, କେ.ଲ. ଗୁପ୍ତା, ଏମ.ପି, ଭାର୍ଗବ, ଏମ. ପି ଦାସ, ରାଜ, ନାରାନ, ବିପି ମଣ୍ଡଳ, ଡ଼ିପି ଗୁଣ୍ଡପ୍ପା, ଏଚ.ଏସ ଗୁରୁପଦସ୍ୱାମୀ, ଡ଼ିଲ ସେନଗୁପ୍ତା, ଜଗଦୀଶ କୋଡ଼େଶିଆ, ଦହ୍ୟାଭାଇ ପଟେଲ ।

କମିଟିର ସେକ୍ରେଟେରୀ ଭାବେ ମନୋନୀତ ଧରମ ୟାଶ ଦେବ ଜଣେ ବହୁମୁଖୀ ପ୍ରତିଭା । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, କୁଟନୀତିଜ୍ଞ ଓ ତାଙ୍କ ସମୟର ଜଣେ ଜଣାଶୁଣା ଅନୁସନ୍ଧାନୀ ସାମ୍ବାଦିକ । ୧୯୭୦ରେ ତାଙ୍କର ଅନେକ ବିଚକ୍ଷଣ ଓ ପ୍ରଭାବଶାଳୀ ପ୍ରବନ୍ଧରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁର ସରକାରୀ ତଥ୍ୟରେ ଥିବା ତ୍ରୁଟିକୁ ଦର୍ଶାଇବାକୁ ସଦା ଚେଷ୍ଟିତ ଥିଲେ । ୧୬ ମଇ ‘ଇଣ୍ଡିଆନ ମନିଟର’ରେ ତାଙ୍କ ଲିଖିତ ଏକ ଆଲେଖ୍ୟ ଅନୁସାରେ-

‘ଅପରାଧ ଅନୁସନ୍ଧାନ ନ୍ୟାୟିକଶାସ୍ତ୍ର ଅନୁସାରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପେଟରେ ଯେଭଳି ଛିଦ୍ର ଥିଲା, ତାହା କେବଳ ଶବ ବ୍ୟବଚ୍ଛେଦ ନିମନ୍ତେ କରାଯାଇଥାଏ । ପେଟ ମଧ୍ୟରେ ଥିବା ପଦାର୍ଥ ଓ ପେଟ ସଫା ପାଇଁ ମଧ୍ୟ ସାଧାରଣତଃ ଏଭଳି ଛିଦ୍ର କରାହୁଏ । ଯଦି ଶାସ୍ତ୍ରୀଙ୍କ ପେଟ ସେ ଛିଦ୍ରଟି ଉପରୋକ୍ତ କୌଣସି କାରଣ ପାଇଁ କରାଯାଇଥାଏ ତାହେଲେ ମନରେ ସ୍ୱତଃ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ଜାଗ୍ରତ କରେ ।

ଶବ ବ୍ୟବଚ୍ଛେଦ କଲା ଭଳି ପଦକ୍ଷେପ ନେବାକୁ ଋଷ କର୍ତ୍ତୃପକ୍ଷଙ୍କୁ କ’ଣ ବାଧ୍ୟ କଲା?

ଯଦି ଶବ ବ୍ୟବଚ୍ଛେଦ କରିବା ପାଇଁ କିଛି ଉପଯୁକ୍ତ କାରଣ ଥାଏ ତେବେ ସେଗୁଡ଼ିକ କ’ଣ ?

ଶବ ବ୍ୟବଚ୍ଛେଦର ଫଳ କ’ଣ ହେଲା?

ଏହି ପରିଣାମ/ ଫଳ କ’ଣ ଭାରତୀୟ ଡାକ୍ତର ଡ଼ଃ ଚୁଗ୍ ବା ଭାରତୀୟ ପ୍ରତିନିଧି ଦଳର ସଦସ୍ୟ ଓ ଶାସ୍ତ୍ରୀଜୀଙ୍କ ସହିତ ତାସକନ୍ଦରେ ଉପସ୍ଥିତ ଥିବା ଭାରତୀୟ ରାଷ୍ଟ୍ରଦୂତ କୌଲଙ୍କୁ ଜଣାଇ ଦିଆଯାଇଥିଲା କି?’

୧୯୭୦ର ଶେଷାର୍ଦ୍ଧ୍ୟ ସୁଦ୍ଧା ଦହ୍ୟାଭାଇ ପଟେଲ ‘କ’ଣ ଶାସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା’ ଶୀର୍ଷକ ଏକ ପୁସ୍ତିକା ପ୍ରକାଶିତ କରିସାରିଥିଲେ । ପଟେଲ ସ୍ତୁତିଚାରଣ କରି କହିଥିଲେ ପ୍ରଥମରୁ ହିଁ ତାସ୍କନ୍ଦରେ କିଛି ଷଡ଼ଯନ୍ତ୍ର ହେଇଛି ବୋଲି କଥା ଉଠିଥିଲା; କିନ୍ତୁ ସେସବୁ ଅଯଥା କଳ୍ପନା ବା ଦ୍ୱେଷ ପ୍ରସୂତ ବୋଲି କୁହାଗଲା । ସେ ଠିକ ନିରୀକ୍ଷଣ କରିଥିଲେ, ଯେ ଯେତେବେଳେ କୌଣସି ଜନନେତାଙ୍କ ମୃତ୍ୟୁ ହୁଏ ଅନେକ ଚାଞ୍ଚଲ୍ୟ ସୃଷ୍ଟିକାରୀ ତଥ୍ୟ ମନେ ମନେ ଅସ୍ୱସ୍ତିକର ନିଷ୍କର୍ଷରେ ପହଞ୍ଚିଯାଆନ୍ତି । ପ୍ରାୟ ପ୍ରସଙ୍ଗରେ ବିଷୟର ଅବୋଧ୍ୟତାକୁ ସହଜରେ ବୋଧଗମ୍ୟ କରାଯାଏ ଓ ସନ୍ଦେହକାରୀଙ୍କୁ କୁତ୍ସିତ କାରୀ ବୋଲି ଅଭିହିତ କରାଯାଇ ହସରେ ଉଡ଼ାଇ ଦିଆଯାଏ । କିନ୍ତୁ ଶାସ୍ତ୍ରୀଙ୍କ କ୍ଷେତ୍ରରେ ଏହାର ବିପରୀତ ହେଲା । ପ୍ରଥମରେ ତ କିଛି ହାତ ଗଣତି ଲୋକ ହିଁ ଏ ସଂକ୍ରାନ୍ତରେ ସରକାରୀ ବିବୃତି ଉପରେ ପ୍ରଶ୍ନ ଉଠାଇଲେ । କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ଏ ସଂଖ୍ୟା ଏତେ ବଢ଼ିଗଲା ଯେ ଆଜି ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସମ୍ବାଦପତ୍ର, ସାଂସଦ ଓ ଅନେକ ଗଣମାନ୍ୟ ବ୍ୟକ୍ତି ଦାବି କରୁଛନ୍ତି । ଏ ସବୁଙ୍କୁ ଦାୟିତ୍ୱହୀନ ବା କଳ୍ପନାପ୍ରବଣ ତ କୁହାଯାଇପାରିବ ନାହିଁ । ଅନେକ ପ୍ରହେଳିକା ଭଳି ଟୁକୁଡ଼ା ଟୁକୁଡ଼ା ତଥ୍ୟ ତ ପ୍ରଥମରୁ ହିଁ ସାମ୍ନାକୁ ଆସିସାରିଛି, କିନ୍ତୁ ଏସବୁ ମୂଳ କୁହେଳିକୁ ଖାପ୍ ଖୁଆଉନି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମରୁ ହିଁ କୌଣସି ଯୁକ୍ତି ବା ସ୍ପଷ୍ଟୀକରଣରେ ତାଳମେଳ ନଥିଲା ଓ ଅନେକ ସନ୍ଦେହର ଅବକାଶ ଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଏହାର ଉତ୍ତର ଦେବାକୁ ପ୍ରଯତ୍ନ ବା ସାହାସ କରିପାରୁନାହାନ୍ତି ।

ପଟେଲ ମସ୍କୋ ରେଡ଼ିଓ ଉଦ୍‌ଘୋଷଣ ଉଦାହରଣ ଦେଇ କହିଲେ “୧୧ ଜାନୁଆରୀ ୧: ୨୦ ଘଟିକା ସମୟରେ ସହାୟ, କପୁର, ଶର୍ମା, ଅନ୍ୟ କକ୍ଷରେ ଥିବା ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସକ ( ଡ଼. ଆରଏନ ଚୁଗ୍)ଙ୍କୁ କହିଲେ ସେ ଶାସ୍ତ୍ରୀଙ୍କ ଦେହ ଭଲ ଲାଗୁନାହିଁ । ଡ଼. ଚୁଗ୍ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଗଲେ ଓ ଦେଖିଲେ ଶାସ୍ତ୍ରୀ ପଲଙ୍କରେ ବସିଛନ୍ତି ଓ ଲଗାତାର କାଶି ଚାଲିଛନ୍ତି । ତାଙ୍କ ଚେହେରା ଶେତା ପଡ଼ିଯାଇଛି ଓ ସେ ହାତରେ ଛାତିକୁ ଚାପି ଧରିଛନ୍ତି; ପବନର ଅଭାବକୁ ନେଇ କ୍ଷୀଣ ଆପତ୍ତି କରୁଛନ୍ତି ।”

ପଟେଲ ଦୃଢ଼ ଭାବେ କହିଲେ, କେଉଁଠି ତ କାହିଁ ଉଦ୍‌ଘୋଷଣା କହିଲା ନାହିଁ ଯେ “ଶାସ୍ତ୍ରୀ କଷ୍ଟେମଷ୍ଟେ ସାହାଯ୍ୟ ପାଇଁ ଅନ୍ୟ ବଖରାକୁ ଯିବାର କଥା ।” ଋଷୀୟ ରେଡ଼ିଓ ଅନୁଯାୟୀ ଡ଼ ଚୁଗ୍‌ଙ୍କ ଅନୁରୋଧ କ୍ରମେ ଯେବେ ଡ଼ ଇଭ୍‌ଜେନିଆ ୟରେମେନ୍‌କୋ ଆସିଲେ, ସେ ଦେଖିଲେ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ମୃତ୍ୟୁବରଣ କରିସାରିଛନ୍ତି । ‘ତଥାପି’ ପଟେଲ ଲେଖିଥିଲେ, “ବହୁତ ଥର ସଂସଦରେ ଓ ଭାରତୀୟ ସମ୍ବାଦପତ୍ରରେ ଏହା କୁହାଯାଇସାରିଛି ଯେ, ଡ଼.ୟରେମେନ୍‌କୋ ଆସିଲା ବେଳକୁ ଶାସ୍ତ୍ରୀ ବଞ୍ଚିଥିଲେ ଓ ଏହି ତଥ୍ୟକୁ ଖଣ୍ଡନ ମଧ୍ୟ କରାଯାଇନି ।” ସେ ଆଶ୍ଚର୍ଯ୍ୟ ପ୍ରକଟ କଲେ “କାହିଁକି ଶ୍ରୀ ସ୍ୱର୍ଣ୍ଣ ସିଂହଙ୍କ ଦ୍ୱାରା ଆଗତ ମୃତ୍ୟୁ ରିପୋର୍ଟରେ ୟରେମେନ୍‌କୋ ନାମ ନାହିଁ ?”ପ୍ରକୃତରେ “ୟରେମେନ୍‌କୋ ହିଁ ସର୍ବପ୍ରଥମେ ଶାସ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲେ ।” ‘କ’ଣ ଶାସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା’ରେ ଧରମ ୟାଶ ଦେବଙ୍କ ଦ୍ୱାରା ଲିଖିତ ଓ ୭ ନଭେମ୍ବର ୧୯୭୦ରେ ପ୍ରକାଶିତ ଏକ ପ୍ରବନ୍ଧ ‘ରହସ୍ୟଜନକ ଦୁଇଟି ମେଡ଼ିକାଲ ରିପୋର୍ଟ’ର କିଛି ଅଂଶ ଉଦ୍ଧୃତ କରାଯାଇଥିଲା । ଦହ୍ୟାଭାଇ ପଟେଲଙ୍କ ଦ୍ୱାରା ଲିଖିତ ‘କ’ଣ ଶାସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା’ରେ ୧୬ ଫେବୃୟାରୀ ୧୯୬୬ରେ ଆଗତ ମୃତ୍ୟୁ ରିପୋର୍ଟର ଇଂରାଜୀ ସଂସ୍କରଣର ଓ ନୂଆ ଦିଲ୍ଲୀସ୍ଥିତ ସୋଭିଏତ ଦୂତବାସ ଦ୍ୱାରା ପ୍ରଣୀତ ‘ସୋଭିଏତ ୟୁନିୟନ ସେୟାରସ୍ ଇଣ୍ଡିଆଜ୍ ଗ୍ରିପ୍’ ନାମକ ଏକ ପୁସ୍ତିକାରେ ଉଲ୍ଲେଖ ଥିବା ମେଡ଼ିକାଲ ରିପୋର୍ଟ ବିଷୟରେ ଲେଖାଯାଇଥିଲା । ସାଂସଦରେ ଉପସ୍ଥାପିତ ରିପୋର୍ଟଠାରୁ ପୁସ୍ତିକାରେ ଉଲ୍ଲେଖ ରିପୋର୍ଟ ମେଳ ଖାଉନଥିଲା ।

ଇଂରାଜୀ ସଂସ୍କରଣରେ ଆଠ ଜଣ ସୋଭିଏତ ଚିକିତ୍ସକଙ୍କ ନାମ ଉଲ୍ଲେଖ ଥିଲା କିନ୍ତୁ ଭାରତ ସରକାରଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ରିପୋର୍ଟରେ ମାତ୍ର ଛ’ଜଣଙ୍କ ନାମ ଦେଖିବାକୁ ମିଳେ ।

ସାଂସଦରେ ଗୃହୀତ ରିପୋର୍ଟ ଅନୁସାରେ ‘ଶାସ୍ତ୍ରୀଙ୍କ ମୃତ୍ୟୁ ‘ଇନଫାର୍ଟୋ ମାଓକାର୍ଡା’ନାମକ ଏକ ମାରାତ୍ମକ ହୃଦ୍‌ରୋଗ ଜନିତ ହୃଦ୍‌ଘାତ ଯୋଗୁଁ ହେଇଥିଲା କିନ୍ତୁ ଦୂତବାସର ରିପୋର୍ଟ ଅନୁସାରେ ମୃତ୍ୟୁର କାରଣ ବାରମ୍ବାର ଇନଫାର୍ଟୋ ମାଓକାର୍ଡା ଜନିତ ହୃଦ୍‌ଘାତ ହୋଇଥାଇପାରେ । ଦେବ କହିଲେ, ‘ଏହା ହୋଇଥିଲା’ ଓ ‘ହୋଇଥାଇପାରେ’ ମଧ୍ୟରେ ଅନେକ ତାରତମ୍ୟ ରହିଛି ।

କେ.ଜି.ବି ହିଁ ମୁଖ୍ୟ ଆରୋପୀ ବୋଲି ଏକ ଦୃଢ଼ ଓ ବଳିଷ୍ଠ ତଥ୍ୟ ବାଢ଼ି ପଟେଲ ନିଜ ମତାମତ ଦେଲେ, “ସବୁଠାରୁ ଉତ୍ତମ ଓ ସଠିକ୍ ରାସ୍ତା ହେଉଛି ଯଥା ଶୀଘ୍ର ଏକ ତଦନ୍ତ କମିଶନ ଗଢ଼ାଯାଇ ଏ ବିଷୟରେ ସ୍ପଷ୍ଟତା ଆଣିବା । ସରକାର ଶାସ୍ତ୍ରୀଙ୍କ ମୃତ୍ୟୁକୁ ସାଧାରଣ ହୃଦ୍‌ଘାତ ଜନିତ ମାନିନେଇଛନ୍ତି ବୋଲି ଭାରତର ଜନସାଧାରଣ ବି ଏଥିରେ ସହମତ ହେବେ ଏହା ଭାବିବା ବୋକାମି । କେହି ବି ବିନା ପ୍ରମାଣରେ ସରକାରଙ୍କ ଏଭଳି ଯୁକ୍ତିକୁ ଗ୍ରହଣ କରିବେ ନାହିଁ । ଏହି ପରିସ୍ଥିତିରେ ତ କେବେ ନୁହେଁ ଯେବେ ଗଦା ଗଦା ପ୍ରମାଣ ଏକ ଘୃଣ୍ୟ ଷଡ଼ଯନ୍ତ୍ର ଆଡ଼କୁ ଇସାରା କରୁଛି ।”

ପଟେଲଙ୍କ ମତରେ ଭାରତ ଓ ସୋଭିଏତ ସରକାରଙ୍କ “ଉଚିତ୍ ତଦନ୍ତ ସକାଶେ କୌଣସି ପଦକ୍ଷେପ ନନେବା” ହିଁ ସ୍ପଷ୍ଟ କରୁଛି ଯେ “ଶାସ୍ତ୍ରୀଙ୍କ ଅସମୟ ମୃତ୍ୟୁ ପଛରେ କିଛି ତ ରହସ୍ୟ ଅଛି ଯାହା ଉଭୟ ସରକାର ଲୁଚେଇବାକୁ ଶତଚେଷ୍ଟା କରୁଛନ୍ତି ।”

ଲୋକପ୍ରିୟ ଲେଖା

To Top