ରହସ୍ୟ

ମୃତ୍ୟୁର ନିଃଶବ୍ଦ ପ୍ରହାର

Shastrijinka Hatyaara Rahasya

ସେ କହିଥିଲେ, ସେମାନେ ଯାହା ଉଚିତ୍ ଭାବୁଛନ୍ତି ତାହା ହିଁ କରନ୍ତୁ ।

ମୃତ୍ୟୁର ନିଃଶବ୍ଦ ପ୍ରହାର

ପୂର୍ବରୁ

ସେଦିନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ତାଙ୍କ ଚାରି ପଟେ ଥିଲା ସୌହାର୍ଦ୍ଧ୍ୟପୂର୍ଣ୍ଣ କୋଳାହଳ ଓ ସମସ୍ତେ ଓ ସବୁକିଛି ଭାରତର ଏହି ପ୍ରଧାନମନ୍ତ୍ରୀଙ୍କ ଚାରିପଟେ ଘୁରିବୁଲୁଥିଲେ । କିନ୍ତୁ ଯଦି ମୃତ୍ୟୁର କେହି ଦୂତ ଥାଆନ୍ତି, ତେବେ ସମସ୍ତଙ୍କ ନଜର ଆଢ଼ୁଆଳରେ ସେଦିନ ସେ ଚୁପ୍‌ଚାପ୍ ତାସକନ୍ଦ(ତାସ୍କେଣ୍ଟ)ର କେଉଁ କୋଣରେ ଛପି ବସିଥିଲା ନିଶ୍ଚୟ । ଲାଲ ବାହାଦୂର ଶାସ୍ତ୍ରୀ ଓ ତାଙ୍କ ପାକିସ୍ଥାନୀ ପ୍ରତିପକ୍ଷ ଜେନେରାଲ ଅୟୂବ ଖାନ୍‌ଙ୍କୁ ଦୁଇଟି ଭିନ୍ନ ଭିନ୍ନ ଭିଲା ବା ସ୍ଥାନୀୟ ଭାଷାରେ ଡାଚାରେ ରହିବାର ବନ୍ଦୋବସ୍ତ କରାଯାଇଥିଲା । ଦୁଇଙ୍କ ମଝିରେ ଏକ ସନ୍ଦେଶବାହାକ ଭଳି ଯାତଆତ ହେଉଥିଲେ, ବିଶ୍ୱର ଦ୍ୱିତୀୟ ପ୍ରଭାବଶାଳୀ ରାଷ୍ଟ୍ର ସୋଭିଏତ ଋଷର ପ୍ରଧାନମନ୍ତ୍ରୀ ତଥା ସୋଭିଏତ ସଂଘର ମନ୍ତ୍ରୀ ପରିଷଦର ସଭାପତି ଆଲେକ୍ସଇ କୋସିଗିନ୍ ଯିଏକି ଦୁଇ ପ୍ରମୁଖ ଋଷିୟ ନେତାଙ୍କଠାରୁ ଅପେକ୍ଷାକୃତ ବେଶ ଭଦ୍ର ଓ ମାର୍ଜିତ । ସୋଭିଏତ ଋଷର ଅନ୍ୟ ବିଶିଷ୍ଟ ନେତା ହେଲେ ଲିଓନିଡ ବ୍ରେଜ୍ୟନେଭ, ସୋଭିଏତ ସଂଘର କମ୍ୟୁନିଷ୍ଟ ଦଳର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ।

୧୦ ଜାନୁଆରୀ ୧୯୬୬ର ହେମାଳିଆ ସକାଳ ଭାରତ ଓ ପାକିସ୍ଥାନୀ ପ୍ରତିନିଧିଙ୍କ ଗତ ସାତ ଦିନର ଅଭିଶ୍ରାନ୍ତ ଆଲୋଚନାର ଏକ ସଫଳ ପରିସମାପ୍ତି ଆଣିଥିଲା । ଯଦି ଆପଣ ସମୟର ସେହି ମୁହୂର୍ତ୍ତକୁ ଫେରିଯାଇପାରନ୍ତେ ତ ଆପଣଙ୍କୁ ଶାସ୍ତ୍ରୀଙ୍କ ସଦା ହସ ହସ ମୁହଁରେ ବ୍ୟସ୍ତତାର କୌଣସି ଚିହ୍ନ ପରିଲକ୍ଷିତ ହେଇନଥାଆନ୍ତା । ସି.ପି ଶ୍ରୀବାସ୍ତବ, ଭାରତୀୟ ପ୍ରତିନଧି ଦଳର ମୁଖ୍ୟଙ୍କ ନଜରରେ ସେଦିନ ଶାସ୍ତ୍ରୀ ବହୁତ ଖୁସି ଥିଲେ । ସେ ଏତେ ଚଳ ଚଞ୍ଚଳ ଥିଲେ ଯେ କେହି ବି ବିଶ୍ୱାସ କରିବେ ନାହିଁ ସେ ଦୁଇ ଦୁଇଥର ଛୋଟକାଟର ହୃତଘାତ୍ର ଶିକାର ହୋଇସାରିଥିଲେ; ଶେଷଥର ତାଙ୍କ ୧୯୬୪ରେ ହୃଦ୍‌ଘାତ ହେଇଥିଲା । ସି.ଆଇ.ଏ ବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ସେହି ବର୍ଷର ଅନୁଶୀଳନ ଅନୁଯାୟୀ ଶାସ୍ତ୍ରୀଜୀଙ୍କୁ ‘ହୃଦ୍‌ଘାତରୁ ସଂପୂର୍ଣ୍ଣ ଆରୋଗ୍ୟ’ର ଆଖ୍ୟା ଦିଆଯାଇସାରିଥିଲା । ୩୧ ଡ଼ିସେମ୍ବର ୧୯୬୫ରେ ଦିଲ୍ଲୀରେ ଡାକ୍ତରମାନେ ଶାସ୍ତ୍ରୀଙ୍କୁ ପରୀକ୍ଷା କରିବା ପରେ ‘ପୁରାପୁରୀ ସୁସ୍ଥ’ର ସାର୍ଟିଫିକେଟ ଦେଇଥିଲେ ।

ଭାରତ ଓ ପାକିସ୍ଥାନ ମଧ୍ୟରେ ତାସକନ୍ଦ ରାଜିନାମା ୧୧ ଜାନୁଆରୀ ୧୯୯୬ ରେ ସନ୍ଧ୍ୟା ପ୍ରାୟ ୪ଟା ରେ ସମସ୍ତ ପକ୍ଷର ଅଧିକାରୀ, କର୍ମକର୍ତ୍ତାଗଣ, ଓ ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା । ସମସ୍ତଙ୍କ ଦୃଷ୍ଟିର ପରିଧିରେ ଥିଲେ ଭାରତ ଓ ପାକିସ୍ଥାନର ମୁଖ୍ୟ । କ୍ଷୀଣକାୟ, ପାଞ୍ଚଫୁଟ ଉଚ୍ଚତାର ଶ୍ରୀ ଶାସ୍ତ୍ରୀ ହସ ହସ ମୁହଁରେ ଡ଼େଙ୍ଗା ଓ ମୋଟା ନିଶ ଥିବା ଅୟୂବ ଖାନ୍‌ଙ୍କୁ ମୁଣ୍ଡ ଉଠାଇ ଚାହିଁଥିଲେ । ସେତେବେଳେ ସେମାନେ କରମର୍ଦ୍ଧନ କଲେ, ସେଠାରେ ଉପସ୍ଥିିତ ସମସ୍ତେ କରତାଳି ଦେଇ ସ୍ୱାଗତ କଲେ । ଇତିହାସ ରଚନା ହୋଇଗଲା । ସନ୍ଧ୍ୟା ଆଠଟାରେ ସେମାନଙ୍କ ଉଦ୍ଧେଶ୍ୟରେ କୋସିଗିନଙ୍କ ଦ୍ୱାରା ଆୟୋଜିତ ଏକ ନୈଶ ଭୋଜିରେ ଯୋଗ ଦେଲେ । ସେ ସନ୍ଧ୍ୟା ବେଶ୍ ଉତ୍ସବମୁଖର ଥିଲା । ସଙ୍ଗୀତ, ନୃତ୍ୟ ଓ ଖାଦ୍ୟପେୟର ସମାହାରରେ ଝଲସୁଥିଲା ସେଦିନର ସ୍ମରଣୀୟ ସନ୍ଧ୍ୟା । ଶାସ୍ତ୍ରୀଜୀ ପ୍ରଫୁଲ୍ଲ ଦେଖାଯାଉଥିଲେ ଓ ସ୍ୱଭାବନୁଯାୟୀ ସହଜ ଥିଲେ । ବିଦେଶ ସଚିବ, ସି.ଏସ୍ ଝା କହନ୍ତି ଯେ ଶାସ୍ତ୍ରୀଜୀ ଅୟୂବ ଖାନଙ୍କ ସହିତ ବାର୍ତ୍ତାଳାପରେ ବ୍ୟସ୍ତ ଥିଲେ; ବାତାବରଣରେ ଯଦିଓ ତଥାପି ଥିଲା କିଛି ଅସ୍ୱସ୍ତିର ଛିଟା । ରାତି ୯ଟାରେ ଶାସ୍ତ୍ରୀ, ବିଦେଶ ମନ୍ତ୍ରୀ ସ୍ୱର୍ଣ୍ଣ ସିଂହ ଓ ରକ୍ଷା ମନ୍ତ୍ରୀ ୱାଇ.ବି ଚଭାନ ଭୋଜିସ୍ଥଳ ଛାଡ଼ିଥିଲେ ।

ରାତି ଦଶଟା ସୁଦ୍ଧା ଶାସ୍ତ୍ରୀଜୀ, ତାଙ୍କ ଋଷୀୟ ଯଜମାନଙ୍କ ଦ୍ୱାରା ସ୍ଥିରୀକୃତ ଡାଚାରେ ପହଞ୍ଚିଲେ । ଡାଚାଟି ଭାରତୀୟ ପ୍ରତିନିଧିଦଳ ଓ ସାମ୍ବାଦିକଗଣ ରହୁଥିବା ଇନ୍‌ଟୁରିଷ୍ଟ ହୋଟେଲ୍‌ଠାରୁ ଅଳ୍ପ ଦୂରରେ ଅବସ୍ଥିତ ଥିଲା । ଅବଶ୍ୟ ଡାଚାରେ ଶାସ୍ତ୍ରୀଜୀ ଏକାକୀ ନଥିଲେ । ତାଙ୍କ ସହ ଥିଲେ ବ୍ୟକ୍ତିଗତ ଡାକ୍ତର ଆର.ଏନ ଚୁଗ୍, ସୁରକ୍ଷା ଅଫିସର ଆର. କପୁର, ବ୍ୟକ୍ତିଗତ ସଚିବ ଜେ.ଏନ୍ ସହାୟ, ବ୍ୟକ୍ତିଗତ ସହକାରୀ ଏମ.ଏମ.ଏମ. ଶର୍ମା ଓ ରାମନାଥ, ଶାସ୍ତ୍ରୀଜୀଙ୍କ ବ୍ୟକ୍ତିଗତ ଭୃତ । ଡଃ ଚୁଗ୍ ୧୯୫୫ର ଶାସ୍ତ୍ରୀଜୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଥିଲେ ଓ ରାମନାଥ ଗତ ୨୦ ବର୍ଷ ହେଲା ଶାସ୍ତ୍ରୀଜୀଙ୍କ ପରିବାର ସହିତ ଜଡ଼ିତ । ସେ ମଧ୍ୟ ଶାସ୍ତ୍ରୀଜୀଙ୍କ ସମସ୍ତ ବ୍ୟକ୍ତିଗତ ଜିନିଷପତ୍ରଆଦିର ତଦାରଖ କରୁଥିଲେ ଓ ଖାଦ୍ୟ ପ୍ରସ୍ତୁତିରେ ରୋଷେୟାଙ୍କୁ ସାହାଯ୍ୟ କରୁଥିଲେ । ଶାସ୍ତ୍ରୀଜୀ ତଳ ମହଲାରେ ତାଙ୍କ ସୁଇଟ୍‌କୁ ଚାଲିଗଲେ । ସୁଇଟ୍‌ରେ ଏକ ଶୋଇବାଘର ସହିତ ସ୍ନାନାଗାର ଓ ଅଧ୍ୟୟନଗାର/ଷ୍ଟଡ଼ିରୁମ ଥିଲା । ଆଗନ୍ତୁକଙ୍କ ନିମନ୍ତେ ଅଧ୍ୟୟନଗାର ସମୀପସ୍ଥ ଅଭର୍ଥନା କକ୍ଷଟିଏ ମଧ୍ୟ ଥିଲା । ଅଭର୍ଥନା କକ୍ଷର ଅପର ପାଶ୍ୱର୍ରେ ଡଃ ଚୁଗ୍ ଓ ଆର କପୁରଙ୍କ ପାଇଁ ଶୟନ କକ୍ଷର ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ମହଲାର ଦୁଇଟି କକ୍ଷରେ ଶର୍ମା ଓ ରାମନାଥଙ୍କ ବ୍ୟତୀତ ମହମ୍ମଦ ଜାନ୍‌ଙ୍କ ରହିବାର ବନ୍ଦୋବସ୍ତ କରାଯାଇଥିଲା । ମହମ୍ମଦ ଜାନ୍‌ ଥିଲେ ମସ୍କୋରେ ଅବସ୍ଥିତ ଭାରତୀୟ ଦୂତଙ୍କ ରୋଷେଇଆ ।

ଶାସ୍ତ୍ରୀ ଲୁଗାପଟା ବଦଲେଇ ସାରିଲା ପରେ ରାମନାଥ ତାଙ୍କୁ ରାତ୍ରିଭୋଜନ ବାବଦରେ ପଚାରିଲେ । ଭୋଜିରେ କିଛି ଖାଇନେଇଥିବା ହେତୁ ଶାସ୍ତ୍ରୀ ପ୍ରଥମେ ଅନିଚ୍ଛା ପ୍ରକାଶ କଲେ, କିନ୍ତୁ ପରେ କିଛି ହାଲକା ଖାଦ୍ୟ ପାଇଁ ଆଗ୍ରହ କଲେ । ରାମନାଥ ତଳ ମହଲାରେ ଥିବା ରନ୍ଧନ କକ୍ଷକୁ ଗଲେ । ଋଷୀୟ ରୋଷେଇଆଙ୍କ ସହାୟତାରେ ମହମ୍ମଦ ଜାନ ପ୍ରସ୍ତୁତ କରିଥିବା ପାଳଙ୍ଗ ଓ ଆଳୁର ଏକ ବ୍ୟଞ୍ଜନ ତଥା ଅନ୍ୟ ଏକ ତରକାରୀ ଆଣିଲେ । ଭୋଜନ ସମାପ୍ତେ ଶାସ୍ତ୍ରୀଜୀ ଅଧ୍ୟୟନଗାରକୁ ଗଲେ । ସେଠାରେ ସହାୟ ତାଙ୍କ ସହ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ପାଇଁ ଉପସ୍ଥିତ ଥିଲେ । ଏହି ସମୟ ଅର୍ଥାତ୍ ରାତ୍ରି ୧୦:୨୦ ବା ଭାରତୀୟ ସମୟ ୯:୫୦ ମିନିଟରେ ନୂଆ ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଏକ ଡାକରା ଆସିଲା । ଶାସ୍ତ୍ରୀଜୀଙ୍କ ଅଫିସ୍‌ ୧୦ ଜନପଥରେ ଅବସ୍ଥିତ ଥିଲା କିନ୍ତୁ ସେ ଓ ତାଙ୍କ ପରିବାରବର୍ଗ ନିକଟସ୍ଥ ୧ ମୋତିଲାଲ ନେହେରୁ ମାର୍ଗ ବଙ୍ଗଳାରେ ରହୁଥିଲେ । ବାସଭବନ ସଂଲଗ୍ନ ଏକ ଗଳିପଥ (କରିଡ଼ର) ସହ ସଂଯୁକ୍ତ ଥିଲା ୧୦ ଜନପଥ ଅଫିସ । ଜବାହାରଲାଲ ନେହେରୁ ତିନି ମୂର୍ତ୍ତି ହାଉସରେ ରହୁଥିଲେ । ପ୍ରସାଦ ସଦୃଶ୍ୟ ଏହି ବାସଗୃହକୁ ବ୍ରିଟିଶ ଶାସନ ସମୟର ଦ୍ୱିତୀୟ ପ୍ରଭାବଶାଳୀ ବ୍ୟକ୍ତିତ୍ୟ ହିସାବରେ ଗଣାଯାଉଥିବା ବ୍ରିଟିଶ ଇଣ୍ଡିଆନ୍ ଆର୍ମିର ସେନାମୁଖ୍ୟଙ୍କ ରହିବା ନିମନ୍ତେ ଗଢ଼ା ହୋଇଥିଲା ।

ଭି.ଏସ ଭେଙ୍କଟରମଣ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ସହାୟଙ୍କୁ ଦିଲ୍ଲୀରୁ ଟେଲିଫୋନ କରିଥିଲେ । ସେ ଜାଣିବାକୁ ଚାହିଁଥିଲେ ଯଦି ଶାସ୍ତ୍ରୀ ଭାରତ ଲେଉଟାଣୀ ଅବସରରେ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କ ଅଭ୍ୟର୍ଥନା ବାବଦ କିଛି ଖାସ୍ ଆୟୋଜନ ଇଚ୍ଛା କରନ୍ତି । ସହାୟ ଏହା ତୁରନ୍ତ ଶାସ୍ତ୍ରୀଙ୍କୁ ଜଣାଇଲେ । ଶାସ୍ତ୍ରୀ କେବେ ବି ଜଣେ ଆଡ଼ମ୍ବର ପ୍ରିୟ ଉପରିସ୍ଥ ନଥିଲେ । ସେ କହିଥିଲେ, ସେମାନେ ଯାହା ଉଚିତ୍ ଭାବୁଛନ୍ତି ତାହା ହିଁ କରନ୍ତୁ ।

ସହାୟ ଭେଙ୍କଟରମଣଙ୍କ ସହିତ ବାର୍ତ୍ତାଳାପରେ ବ୍ୟସ୍ତ ଥିବା ବେଳେ ଶାସ୍ତ୍ରୀ ଜାଣିବାକୁ ଚାହିଁଲେ, ତାସକନ୍ଦ ରାଜିନାମା ବିଷୟରେ ଭାରତରେ ପ୍ରତିକ୍ରିୟା । ସହାୟ ଏହି ପ୍ରଶ୍ନ ଭେଙ୍କଟରମଣଙ୍କୁ ପଚାରନ୍ତେ, ସେ କହିଲେ, ଘୋଷଣାପତ୍ର ଭାରତରେ ସାଦରେ ଗ୍ରହଣୀୟ ହେଇଛି ମାତ୍ର ଅଟଳ ବିହାରୀ ବାଜପେୟୀ ଓ ଏସ. ଏନ ଦ୍ୱିବେଦୀ କିଛିଟା ସମାଲୋଚନା କରିଛନ୍ତି । ଶାସ୍ତ୍ରୀ ଏହାର ପ୍ରତିକ୍ରିୟାରେ କହିଥିଲେ -ସି.ପି ଶ୍ରୀବାସ୍ତବଙ୍କୁ ସହାୟ ଦେଇଥିବା ବକ୍ତବ୍ୟ ଅନୁଯାୟୀ – ସମାଲୋଚନା କରିବାର ପୂର୍ଣ୍ଣ ସ୍ୱାଧୀନତା ସେମାନଙ୍କର ଅଛି କାରଣ ସେମାନେ ବିରୋଧୀ ଦଳର । ୧

ଏହା ପରେ ଦିଲ୍ଲୀରୁ ଶାସ୍ତ୍ରୀଙ୍କୁ ଦ୍ୱିତୀୟ ଟେଲିଫୋନ୍‌ ଡାକରା ଆସିଲା; ପରିବାରରୁ ତରଫରୁ । ଶାସ୍ତ୍ରୀ ତାଙ୍କ ପତ୍ନୀଙ୍କ ସହିତ କିଛି କଥା ହେବାକୁ ଚାହିଁଥିଲେ, କିନ୍ତୁ ଶବ୍ଦ ତରଙ୍ଗ ନିମ୍ନମାନ ଥିବାରୁ ଏହା ସମ୍ଭବ ହୋଇନଥିଲା । ସେ ନିଜ ସାନ ଜ୍ୱାଇଁ ଭି.ଏନ୍‌ ସିଂହଙ୍କ ସହିତ କଥା ହେଲେ । ଲାଲ ବାହାଦୂର ଶାସ୍ତ୍ରୀ ଓ ଲଲିତା ଶାସ୍ତ୍ରୀଙ୍କର ଛ’ ସନ୍ତାନ । ଦୁଇ ଝିଅ କୁସୁମ ଓ ସୁମନଙ୍କ ତଳେ ଥିଲେ ପୁଅ,ହରି କୃଷ୍ଣ, ଅନିଲ, ସୁନିଲ ଓ ଆଶୋକ । ସୁନୀଲ ଓ ଅନୀଲଙ୍କ ବ୍ୟତୀତ ଅନ୍ୟ ସମସ୍ତେ ମୃତ୍ୟୁ ବରଣ କରି ସାରିଛନ୍ତି । ସାନ ଜ୍ୱାଇଁଙ୍କ ସହିତ କଥା ହେଲା ବେଳେ ସେ ତଉଳିବାକୁୁ ଚାହିଁଥିଲେ ଭାରତୀୟ ଜନତାଙ୍କ ତାସକନ୍ଦ ରାଜିନାମା ସମ୍ବନ୍ଧୀୟ ମନୋସ୍ଥିତିକୁ । ଏହି ଆଳାପ ତାଙ୍କ ପରିବାରବର୍ଗଙ୍କ ସହ ଶେଷ ଆଦାନପ୍ରଦାନ ଥିଲା ।

ମଧ୍ୟରାତ୍ରୀ ଉପନୀତ ପ୍ରାୟ । ସେତେବେଳେ ଫିଲ୍ମ ବିଭାଗର ବୈଦ୍ୟ ଶାସ୍ତ୍ରୀଙ୍କ କିଛି ଫଟୋ ଉତ୍ତୋଳନ ନିମନ୍ତେ ଅନୁମତି ଅପେକ୍ଷାରତ ଥିଲେ । ଆଜିର ସମୟରେ ବୈଦ୍ୟ ପ୍ରାମାଣିକ ଚଳଚିତ୍ର ଜଗତର ଏକ କିମ୍ବଦନ୍ତୀ ବିଶାରଦ । ଅନୁମତି ପ୍ରାପ୍ତ କରି ସେ ଓ ଦୁଇ ଅନ୍ୟ ସାମ୍ବାଦିକଙ୍କ ସହ ଡାଚା ବାହାରେ ରହି ଶାସ୍ତ୍ରୀଙ୍କୁ ଲକ୍ଷ୍ୟ କରୁଥିଲେ । ୨୦୦୯ରେ ଫିଲ୍ମ ଡ଼ିଭିଜନ ଦ୍ୱାରା ପ୍ରକାଶିତ ନିଜ ଆତ୍ମକଥାରେ ବୈଦ୍ୟ ଲେଖିଥିଲେ-ଡାଚା ବାହାରେ ଘନ ଅନ୍ଧକାରରେ ଏକ ଆଲୋକିତ କକ୍ଷର ଫ୍ରେନ୍ସ ବାତାୟନ ସମ୍ମୁଖରେ ଉପସ୍ଥିତ ରହି ଆମେ ଦେଖୁଥିଲୁ ଏକ ଛାୟା ମୂର୍ତ୍ତି ଚଳପ୍ରଚଳ ଅବସ୍ଥା । ଶାସ୍ତ୍ରୀଙ୍କ ଶେଷ ସମୟର ଏହି ଅନ୍ତିମ ଦୃଶ୍ୟକୁ ସେ ନିଜ କ୍ୟାମେରାରେ ତୋଳିନେଇ ଥିଲେ ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ।

ଯେବେ ଶାସ୍ତ୍ରୀ ଶୋଇବାକୁ ଗଲେ, ରାମନାଥ ସବୁଦିନ ଭଳି ତାଙ୍କୁ ଦୁଗ୍ଧ ସହିତ ଇଶବ୍‌ଗୁଲ ଦେଲେ । ସ୍ୱୟଂ ରାମନାଥ ରୋଷେଇ ଘରେ ଦୁଗ୍ଧ ଗରମ କରିଥିଲେ । ଚିନ୍ତାରେ ନିମଗ୍ନ ପ୍ରଧାନମନ୍ତ୍ରୀ କିଛି ସମୟ ପର୍ଯ୍ୟନ୍ତ ଡାଚାରେ ମୃଦୁ ପଦଚାଳନା କରୁଥିଲେ । କିଛି ସମୟ ପରେ ସେ ରାମନାଥଙ୍କୁ ପାଣି ମାଗିଲେ । ଶୋଇବା ଘରେ ଥିବା ଏକ ଫ୍ଲାକ୍ସରୁ ରାମନାଥ ପାଣି ଦେଲେ । ସେ ୧୨: ୩୦ ପର୍ଯ୍ୟନ୍ତ ତାଙ୍କ ନିକଟରେ ରହିଲେ ଓ ଶାସ୍ତ୍ରୀ ଯେବେ ତାଙ୍କ ଯିବାକୁ କହିଲେ ସେ ଆଲୋକ ଲିଭେଇ ଚାଲିଗଲେ ।

ଇତିମଧ୍ୟରେ ସହାୟ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଶୟନ କକ୍ଷରୁ ଫେରିଯାଇଥିଲେ । ଏମ.ଏମ.ଏମ ଶର୍ମା, ଡଃ ଚୁଗ୍ ଓ ସୁରକ୍ଷା ଅଫିସର କପୁରଙ୍କ ସହିତ ମିଶି ଜିନିଷପତ୍ର ବନ୍ଧାବନ୍ଧି କରିସାରିଥାନ୍ତି । ଡଃ ଚୁଗ୍ ଶୋଇଯାଇଥିଲେ । ସେତେବେଳେ ପ୍ରାୟ ୧:୨୦ ୧୧ ଜାନୁଆରୀ । ପ୍ରଧାନମନ୍ତ୍ରୀଙ୍କ କକ୍ଷରେ ଆରମ୍ଭ ହୋଇଯାଇଥିବା ବିଧିର ସାଂଘାତିକ ବିଡ଼ମ୍ବନା ବିଷୟରେ ସହାୟ, ଶର୍ମା ଓ କପୁର କିଛି ବି ଟେର୍ ପାଇନଥିଲେ । ସେମାନେ ଆଲୋକ ଲିଭାଇବାକୁ ଯାଉଛନ୍ତି କି କାହାର ଚାଲିବାର ଶବ୍ଦ ଶୁଣିଲେ । ହଠାତ୍ ପ୍ରଧାନମନ୍ତ୍ରୀ ତାଙ୍କ ଦୁଆରେ ଉପନୀତ ଥିବାର ଜାଣିପାରିଲେ । ସେ ରାତ୍ରି ପୋଷାକରେ ଥିଲେ ଓ ବହୁତ ପୀଡ଼ାରେ ଥିବା ଜଣାଯାଉଥିଲେ । ‘ଡ଼ାକ୍ତର’!, ବହୁତ କ୍ଷୀଣ ସ୍ୱରରେ କହି ସେ ବୁଲିପଡ଼ିଲେ । ମାତ୍ର ଅଧ ସେକେଣ୍ଡ୍‌ରେ କର୍ମଚାରୀମାନେ ଜାଣିପାରିଲେ କିଛି ଗୋଟେ ବଡ଼ ଘଟଣା ଘଟିବାକୁ ଯାଉଛି । ସେମାନେ ଶାସ୍ତ୍ରୀଙ୍କ ଆଡ଼କୁ ଝପଟି ଗଲେ ଓ ତାଙ୍କୁ ଧରି ପକାଇଲେ । ସହାୟ ଦୌଡ଼ିଯାଇ ଡଃ ଚୁଗ୍‌ଙ୍କୁ ନିଦରୁ ଉଠାଇଲେ ।

ସହାୟ ଓ ଶର୍ମାଙ୍କ ସହିତ କିଛି ବାଟ ଯାଇଛନ୍ତି କି ନାହିଁ, ଶାସ୍ତ୍ରୀ କାଶି ଚାଲିଲେ । ବହୁତ କଷ୍ଟରେ ସେ ପଲଙ୍କ ନିକଟରେ ପହଞ୍ଚିଲେ ଓ ତାଙ୍କୁ ଶୁଆଇ ଦିଆଗଲା । କାଶ ଏତେ ତୀବ୍ର ହେଲା ଯେ, ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ । ସେ ଉଠି ବସି ନିଜ ଛାତିକୁ ହାତରେ ଚାପି ଧରିଲେ । ତାଙ୍କ ମୁହଁ ଶେତା ପଡ଼ି ଆସିଲା । ‘ହେ ! ରାମ’ ବୋଲି ସେ ବାରମ୍ବାର କହି ଚାଲିଲେ କେବଳ । ପଲଙ୍କ ନିକଟରେ ଥୁଆ ହେଇଥିବା ଫ୍ଲାକ୍ସକୁ ସେ ଅଙ୍ଗୁଳି ନିର୍ଦ୍ଦେଶ କଲେ । ଏହି ମୁହୂର୍ତ୍ତରେ ଡଃ ଚୁଗ୍ ପହଞ୍ଚିଲେ । ସେ ପରୀକ୍ଷା କରି ଦେଖିଲେ ଯେ, ଶାସ୍ତ୍ରୀଜୀଙ୍କ ନାଡ଼ି ବହୁତ ତୀବ୍ର କିନ୍ତୁ ଦୂର୍ବଳ ଚାଲିଛି । ରକ୍ତ ଚାପ ବି ମପାଯାଇପାରିଲା ନାହିଁ । ହୃଦସ୍ୱନ୍ଦନ ବାରି ହଉନଥିଲା । ପ୍ରଧାନମନ୍ତୀଙ୍କୁ ଏକ ବଡ଼ ହୃଦ୍‌ଘାତ ହୋଇଥିଲା । ଆତଙ୍କିତ ଚୁଗ୍ ତାଙ୍କୁ ପଳଙ୍କରେ ଲେଟାଇ ମାଂସପେଶୀରେ ମେପ୍‌ଥେନଟିନ୍ ସଲ୍‌ଫେଟ ୧ ମି.ଲି(୧୫ ମି.ଲି) ଓ ମାଇକୋରେନାର ୧ମି.ଲିର ଇେଞ୍ଜକ୍‌ସନ୍ ଦିଆଗଲା । ହେଲେ ଏହାର କୌଣସି ପ୍ରଭାବ ଶାସ୍ତ୍ରୀଙ୍କ ଶରୀରରେ ଲକ୍ଷିତ ହେଲା ନାହିଁ । ଡ଼ଃ ଚୁଗ୍ ସାଙ୍ଗେ ସାଙ୍ଗେ ଶାସ୍ତ୍ରୀଙ୍କ ହୃଦୟକୁ ପୁନଃସକ୍ରୀୟ ଚିକିତ୍ସା ପଦ୍ଧତି ଆରମ୍ଭ କଲେ ଯଥା ପରୋକ୍ଷ ମାଲିସ ଓ ପବନ ନଳୀ ସାହାଯ୍ୟରେ ମୁଖ ବାଟେ କୁତ୍ରିମ ଶ୍ୱାସକ୍ରିୟା ଆରମ୍ଭ ହେଲା । କିନ୍ତୁ ଏବେ ଚୁଗ୍ ପ୍ରାୟ ନିରାଶ ହୋଇସାରିଥିଲେ । ‘ବାବୁଜୀ, ଆପଣ ମୋତେ ସୁଯୋଗ ଦେଲେନି ।’ କହି ସେ ବିଳାପ କଲେ କେବଳ ।

ସେତେବେଳେ ତାସକନ୍ଦରେ ରାତି ୧: ୩୨ । ଭାରତରେ ସେତେବେଳକୁ ଗୋଟାଏ ବାଜିସାରିଥିଲା ଓ ଦେଶ ନିଘୋଡ଼ ନିଦରେ ଅଚେତ । କେହି ଜାଣିପାରିନଥିଲେ ସେମାନେ କେତେ ବଡ଼ ବିପତ୍ତିର ସମ୍ମୁଖୀନ ।

ସୋଭିତ ପ୍ରଫେସର ଇଭ୍ଜେନିଆ ୟେରେମେନ୍କୋ ମଧ୍ୟ ପରୀକ୍ଷା କରି ଦେଖିଲେ । ନାଡ଼ିର ଗତି ଶୀତିଳ । ହୃଦୟ ନିସ୍ପନ୍ଦ ଓ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ଓ ଆଖି ଡୋଳା ନିସ୍କ୍ରିୟ । ପର ମୁହୂର୍ତ୍ତରେ ଉଜ୍‌ବେକିସ୍ଥାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଉକ୍ତମ୍ ଅରିପୋଭିଚ୍‌ଙ୍କ ନେତୃତ୍ୟରେ ବରିଷ୍ଠ ଚିକିତ୍ସକଙ୍କ ଏକ ଦଳ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଲେ । ପୁନଃସକ୍ରୀୟ ପଦ୍ଧତି ( ରିଭାଇଭାଲ ଟ୍ରିଟ୍ମେଣ୍ଟ୍‌) ଓ ହୃଦୟରେ ପରୋକ୍ଷ ମାଲିସ୍ ଆରମ୍ଭ ହେଲା । ହୃଦୟର ବାମ ଅଳିନ୍ଦରେ କାଲ୍‌ସିଅମ କ୍ଳୋରାଇଡ଼, ଆଡ଼ରିନାଲିନ ଓ ଗ୍ଳୁକୋଜର ମିଶ୍ରଣର ଇଞ୍ଜେକ୍‌ସନ୍ ଦିଆଗଲା, ପ୍ରତି ପନ୍ଦର ମିନିଟର ବ୍ୟବଧାନରେ । ଇନଟୁବେସନ୍ ଟ୍ୟୁବ୍ ନାମକ ଏକ ମେସିନ ମାଧ୍ୟମରେ କୁତ୍ରିମ ଶ୍ୱାସ ଦେବାର ଚେଷ୍ଟା କରାଗଲା । କିନ୍ତୁ ପ୍ରାୟ ୧ ଘଣ୍ଟାର ଅକ୍ଳାନ୍ତ ପ୍ରଯତ୍ନ ବ୍ୟର୍ଥ ହେଲା ।

ଏହା ମଧ୍ୟରେ ଇନ୍‌ଟ୍ୟୁଟିଷ୍ଟ ହୋଟେଲ୍‌ରେ ଖବର ପହଞ୍ଚିଯାଇଥିଲା । କ୍ଳାନ୍ତ ସି.ଏସ୍ ଝା ଅଧା ନିଦରୁ ଉଠିପଡ଼ିଲେ ବାହାରେ ସ୍ୱର୍ଣ୍ଣ ସିଂହ ଓ ଭାରତୀୟ ଦୂତ ଟି.ନ. କୌଲଙ୍କ ବ୍ୟସ୍ତ ବିବ୍ରତ ଉଚ୍ଚ ସ୍ୱରରେ କଥାବାର୍ତ୍ତା ଶୁଣି । କୁଲଦୀପ ନାୟର, ଶାସ୍ତ୍ରୀଙ୍କ ମିଡ଼ିଆ ପରାମର୍ଶଦାତାଙ୍କୁ ଏହି ଖବର ଏଭଳି ଝଟ୍କା ଦେଲା ଯେ ସେ ଏଥିରୁ କେବେ ବି ପୂରାପୁରି ଉବୁରି ପାରିଲେନି । ସେ ବି ନିଦରୁ ଉଠିପଡ଼ିଲେ; ତାଙ୍କ କକ୍ଷର ଦ୍ୱାରରେ କାହାର ଦୁମ୍ ଦୁମ୍ ବାଡ଼େଇବାର ଶବ୍ଦ ଶୁଣି । ସେ ଦ୍ୱାର ଖୋଲିଲେ, ତ ବାହାରେ ଉପସ୍ଥିତ ଏକ ଋଷୀୟ ମହିଳା କହିଲେ ‘ଆପଣଙ୍କ ପ୍ରଧାନମନ୍ତ୍ରୀ ମୃତ୍ୟୁ ଶଯ୍ୟାରେ’ । ସାମ୍ବାଦିକ ପ୍ରେମ ପ୍ରକାଶ (ଏବେ ନ୍ୟୁଜ୍ ଏଜେନ୍ସିର ସଭାପତି)ଙ୍କୁ ତ ସବୁଠୁ ଖରାପ ଖବର ମିଳିଲା । ମଧ୍ୟରାତ୍ରିରେ ଟେଲିଫୋନ୍‌ ବାଜିଉଠିଲା । ସେପଟେ ଜଣେ କେହି ବୋମା ପକାଇଲା ଯେମିତି, ‘ତୁମ ପ୍ରଧାନ ମନ୍ତ୍ରୀ ଆଉ ନାହାଁନ୍ତି । ଯେତେ ଜଲଦି ପାର ତଳକୁ ଚାଲି ଆସ ।’୨ ଯେତେବେଳେ କୁଲଦୀପ ନାୟାର ଡାଚାରେ ପହଞ୍ଚିଲେ, ଦେଖିଲେ, କୋସିଗିନ ବି ବାରଣ୍ଡାରେ ଠିଆହୋଇଛନ୍ତି । ତାଙ୍କ ଚେହେରାରେ କୌଣସି ଅଘଟଣର ଆଶଙ୍କାରେ ଜର୍ଜରିତ ବୋଲି ବାରି ହେଇପଡ଼ୁଥିଲା । ନାୟାର ଜଲଦି ଜଲଦି ଡ଼ାଇନିଂ ହଲରେ ପହଞ୍ଚିଲେ । ଦେଖିଲେ ଡ଼ଃ ଚୁଗ୍, କିଛି ଋଷୀୟ ଡାକ୍ତରଙ୍କ ସହ ବିଚାରବିମର୍ଶରେ ବ୍ୟସ୍ତ । ତାଙ୍କ ଛାତି ଧଡ଼ ଧଡ଼ ହେଲା । ସେ ଶାସ୍ତ୍ରୀଙ୍କ ଶୟନ କକ୍ଷକୁ ଗଲେ । ଦେଖିଲେ, ବିଶାଳ ପଲଙ୍କ ଉପରେ ଶାସ୍ତ୍ରୀ ନିସ୍ତେଜ ହେଇ ପଡ଼ିଛନ୍ତି । ତାଙ୍କ ମୁହଁଟି ଶୁଖି ଯାଇଥିଲା, କିନ୍ତୁ ସ୍ନିଗ୍ଧ ଦେଖାଯାଉଥିଲା, ସେମିତି ସେ ପ୍ରକୃତ ଜୀବନରେ ଥିଲେ । ତାଙ୍କ ସ୍ଳିପର ଦୁଇଟି ଯଥା ସ୍ଥାନରେ ଗାଲିଚାଚ୍ଛାଦିତ ଚଟାଣରେ ସଜାଡ଼ି ହେଇ ରହିଥିଲା । କିନ୍ତୁ ଡ୍ରେସିଂ ଟେବୁଲଟି ଓଲଟି ପଡ଼ିଥିଲା; ଲାଗୁଥିଲା ସତେ କି ଶାସ୍ତ୍ରୀଜୀ ତା’ ଉପରେ ଥିବା ର୍ଥମୋଟିକୁ ଧରି ଉଠାଇବାା ପାଇଁ ବହୁତ ଚେଷ୍ଟା କରିଛନ୍ତି ।

ନାୟାର ଚୁଗ୍‌ଙ୍କୁ ପଚାରିଲେ କ’ଣ ହେଇଛି, ଉତ୍ତର କେବଳ ଏତିକି ମିଳିଲା ‘ଶାସ୍ତ୍ରୀଜୀ ମତେ ସମୟ ଦେଲେନି ।’ ସହାୟ କହିଲେ ମଧ୍ୟରାତ୍ରିର କିଛି କ୍ଷଣ ପରେ ଶାସ୍ତ୍ରୀ ତାଙ୍କ କକ୍ଷର ଦ୍ୱାରଦେଶ ପର୍ଯ୍ୟନ୍ତ ଆସିଥିଲେ । ଚୁଗ୍ କହିଲେ, ସେ ବୋଧେ ସେତେବେଳକୁ ସେ ହୃତ୍‌ଘାତ୍‌ରେ ପୀଡ଼ିତ ହେଇସାରିଥିଲେ ଓ ଏତେ ବାଟ ଏପରି ଚାଲିଚାଲି ଆସିବା ମାରାତ୍ମକ ସାବ୍ୟସ୍ତ ହେଲା । ବିଦେଶ ସଚିବ ଝା ପହଞ୍ଚିବା ପର୍ଯ୍ୟନ୍ତ ଋଷୀୟ ଡାକ୍ତରମାନେ ତଥାପି ପ୍ରୟାସ ଜାରି ରଖିଥିଲେ । ଝା ଦେଖିଲେ ସ୍ୱର୍ଣ୍ଣ ସିଂହ ଓ ଚଭାନ ଜଡ଼ ଭଳି ଠିଆ ହେଇଛନ୍ତି । ଝାଙ୍କ ଅନୁସାରେ ଯେବେ ଡାକ୍ତରମାନେ ନାସ୍ତିବାଣୀ ଶୁଣାଇଲେ, ସ୍ୱର୍ଣ୍ଣ ସିଂହ ଓ ଚଭାନ ତତ୍‌କ୍ଷଣାତ୍ ରାଷ୍ଟପତି ରାଧାକୃଷ୍ଣନ୍‌ଙ୍କୁ ଏକ ଟେଲିଗ୍ରାମ୍‌ ପ୍ରେରଣ କଲେ । ଗୃହ ସଚିବ ଏଲ.ପି ସିଂହ ପରେ ଲେଖିଲେ, ଏଭଳି ଗୁରୁଦାୟିତ୍ୱ ପ୍ରୋଟକଲ ଅନୁସାରେ ତାଙ୍କ ଉପରେ ନ୍ୟସ୍ତ ଥିଲା । ଉଚ୍ଚ ପଦାସୀନ କୌଣସି ପଦାଧିକାରୀଙ୍କ ମୃତ୍ୟୁ ଖବର ଗୃହ ସଚିବ ହିଁ ସବୁ ଅଧିକାରୀଙ୍କୁ ଦେବାକୁ ପଡ଼େ । ଯେବେ ଫୋନ୍‌ରେ ସେ କାହା ସହିତ ଯୋଗାଯୋଗ କରିବାରେ ବିଫଳ ହେଲେ, ଗୃହ ମନ୍ତ୍ରୀଙ୍କ ବାସଭବନକୁ ଫୋନ୍‌ କଲେ ଓ ଗୁଲଜାରୀଲାଲ ନନ୍ଦାଙ୍କ ସହ ଯୋଗାଯୋଗ କରିବାରେ ସଫଳ ହେଲେ । ଏପରି ଖବର ଶୁଣି ଗୁଲଜାରିଲାଲ ସ୍ତବ୍ଧ ହେଇଗଲେ ।

ଶାସ୍ତ୍ରୀଙ୍କ ଏଭଳି ଆକସ୍ମିକ ନିଧନ ପରେ କୋସିଗିନ କହିଥିଲେ-ବିଶ୍ୱବାସୀ ଜଣେ ମହାନ୍ ନେତାଙ୍କୁ ହରାଇଲା । ୩:୩୦ ସୁଦ୍ଧା ଜେନେରାଲ ଅୟୂବ ବି ପହଞ୍ଚି ଯାଇଥିଲେ । ଝା ଓ ନାୟାରଙ୍କ ଅନୁଯାୟୀ ସେ ପ୍ରକୃତରେ ଶୋକାତୁର ଜଣାପଡ଼ୁଥିଲେ । ଅୟୂବ ଖାନ୍ କହିଥିଲେ , ‘ଶାସ୍ତ୍ରୀ ଜଣେ ଶାନ୍ତିପ୍ରିୟ ନେତା, ଯିଏକି ଭାରତ ଓ ପାକିସ୍ଥାନ ଭିତରେ ବନ୍ଧୁତା ସ୍ଥାପନା ପାଇଁ ଚେଷ୍ଟିତ ଥିବା ସମୟରେ ନିଜ ଜୀବନର ବଳିଦାନ ଦେଲେ ।’ ସମୟ ଗଡ଼ିଚାଲିଲା ଓ ଅନେକ ଶୋକବାର୍ତ୍ତା ପହଞ୍ଚିବାରେ ଲାଗିଲା । ଆମେରିକାର ରାଷ୍ଟ୍ରପତି ଲିନ୍‌ଡନ୍‌ ଜନସନ କହିଲେ, ‘ଶାସ୍ତ୍ରୀଙ୍କ ମୃତ୍ୟୁ, ଶାନ୍ତି ଓ ପ୍ରଗତି ପାଇଁ ମାନବ ସମାଜର ଆଶାକୁ ଏକ ଧକ୍କା ସଦୃଶ୍ୟ’ । ପୋପ୍ ଜନ୍‌ ପଲ୍‌ କହିଲେ, ଶାନ୍ତି ପାଇଁ ପ୍ରୟାସ ପଥରେ ଆଗେଇ ଚାଲିଥିବା ସମୟରେ ଶାସ୍ତ୍ରୀଙ୍କ ଏଭଳି ଚାଲିଯିବାର ଖବରରେ ସେ ବହୁତ ମର୍ମାହତ । ରାଣୀ ଏଲିଜାବେଥ୍ କହିଥିଲେ, ‘ଏହି ଅପୂରଣୀୟ କ୍ଷତିର ପ୍ରଭାବ ବିଶ୍ୱବାସୀ ନିଶ୍ଚୟ ଅନୁଭବ କରିବେ ।’

ଭୋର ହେବା ସହିତ ଶାସ୍ତ୍ରୀଙ୍କ ମରଶରୀରକୁ ଭାରତ ପଠାଇବାର ସମସ୍ତ ବନ୍ଦୋବସ୍ତ ଆରମ୍ଭ ହେଇଯାଇଥିଲା । ତାସକନ୍ଦ ସମୟ ୯:୩୦ ସୁଦ୍ଧା ମରଶରୀରକୁ ତ୍ରିରଙ୍ଗାରେ ଘୋଡ଼ାଇ ଏକ କାଠ କଫିନରେ ଶୁଆଇ ଗନ କ୍ୟାରେଜ(ତୋପ ବାହାକ)ରେ ରଖାଗଲା । ବିମାନ ବନ୍ଦର ଅଭିମୁଖେ ଶୋଭଯାତ୍ରାର ପଛେ ପଛେ ଗାଡ଼ିରେ ଯାଉଥିଲେ, ଋଷୀୟ ରାଷ୍ଟ୍ରପତି କୋସିଗିନ, ଉଜ୍‌ବେକିସ୍ଥାନର ପ୍ରଧାନମନ୍ତ୍ରୀ କୁଶାନଭ, ବିଦେଶ ମନ୍ତ୍ରୀ ସ୍ୱର୍ଣ୍ଣ ସିଂହ ଓ ରକ୍ଷା ମନ୍ତ୍ରୀ ଚଭାନ । ୧୭ କି.ମି.ର ସେ ଦୀର୍ଘ ଯାତ୍ରା ପଥରେ ପ୍ରବଳ ଥଣ୍ଡାକୁ ଖାତିର ନକରି ନିଜର ପ୍ରିୟ ଅତିଥିଙ୍କୁ ବିଦାୟ ଦେବା ନିମନ୍ତେ ଉପସ୍ଥିତ ଥିଲେ ସଂଖ୍ୟାଧିକ ହତବାକ୍ ସ୍ଥାନୀୟ ଜନତା ।

ବିମାନ ବନ୍ଦରରେ ମଧ୍ୟ ହଜାର ହଜାର ଶୋକସନ୍ତପ୍ତ ଲୋକଙ୍କ ଗହଳି ଥିଲା । କଫିନଟି ଉଡ଼ାଜାହାଜ ମଧ୍ୟକୁ ନିଆଗଲା । ସ୍ୱର୍ଣ୍ଣ ସିଂହ, ଚଭାନ, ଅୟୂବ ଖାନ ଓ କୋସିଗିନ୍ କଫିନକୁ ଧରି ଉଡ଼ାଜାହାଜ ମଧ୍ୟକୁ ନେଲେ ବା ଶବ ବାହକର ଦାୟିତ୍ୱ ନିର୍ବାହ କଲେ । ଅୟୂବ ଖାନ୍ ସି.ଏସ. ଝାଙ୍କୁ ବିଦାୟ ଦେଇ କହିଲେ, ‘ଝା ସାହେବ, ଏ କ’ଣ ହେଇଗଲା? ଖୁଦା ନକରନ୍ତୁ ଏହାର ଫଳାଫଳ ଆମ ଦେଶ ଉପରେ ନକରାତ୍ମକ ହେଉ ।’ ଝାଙ୍କ ମର୍ମକୁ ଏ କଥା ଛୁଇଁଗଲା ।୩

ଭାରତୀୟ ସମୟ ୨:୩୧ ମିନିଟରେ ପାଲାମ ବିମାନ ବନ୍ଦରରେ ଶାସ୍ତ୍ରୀଙ୍କ ମରଶରୀର ସହିତ ଅବତରଣ କଲା ସୋଭିଏତ ଏରୋପ୍ଲଟ ଇଲ୍ୟୁଶିନ୍-୧୮ ଉଡ଼ାଜାହାଜ । ସ୍ୱର୍ଣ୍ଣ ସିଂହ ଓ ଚଭାନ ପ୍ରଥମେ ବାହାରି ଆସି ଶାସ୍ତ୍ରୀଙ୍କ ଶୋକାଭିଭୂତ ଜ୍ୟେଷ୍ଠ ପୁତ୍ର ହରିକିଶନଙ୍କୁ ଉଡ଼ାଜାହାଜ ମଧ୍ୟକୁ ନେଲେ । ଅଧା ଘଣ୍ଟା ପରେ ଶାସ୍ତ୍ରୀଙ୍କ ପାର୍ଥିବ ଶରୀରକୁ ନେହେରୁଙ୍କ ଅନ୍ତେଷ୍ଟିକ୍ରିୟାରେ ବ୍ୟବହୃତ ଗନ କ୍ୟାରେଜରେ ବିମାନ ବନ୍ଦରରୁ ନିଆଗଲା । ଅପରାହ୍ନ ୪:୧୦ ରେ ଜନପଥରେ ପହଞ୍ଚିଲାବେଳକୁ ଶୋଯାତ୍ରା ମାଇଲଟିଏ ଅତିକ୍ରମ କରିସାରିଥିଲା । ତାସକନ୍ଦ ଭଳି ଦିଲ୍ଲୀରେ ବି କିନ୍ତୁ ଅପେକ୍ଷାକୃତ ଅଧିକ ଲୋକ ବିମାନ ବନ୍ଦରଠୁ ଲୁଟିୟନସ୍ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ନୀରବରେ ଅପେକ୍ଷାରତ ଥିଲେ । ଏହା ଏକ ଅକଳ୍ପନୀୟ ଦୁଃସ୍ୱପ୍ନ ଭଳି । ଜବାହରଲାଲ ନେହେରୁ ଯିବାର ମାତ୍ର ଦୁଇ ବର୍ଷ ପରେ ତାଙ୍କର ଉତ୍ତରାଧିକାରୀ ବି ଚାଲିଗଲେ; ବାସ୍ କିଛି ସମୟ ଆନ୍ତର୍ଜାତୀୟ ଖବରର ଶୀର୍ଷକର ଛାଇ ଯିବା ପରେ ।

ସହାୟକ ଉତ୍ସ ସମୁହ

୧. ସି.ପି ଶ୍ରାବାସ୍ତବ- ଲାଲ ବାହାଦୂର ଶାସ୍ତ୍ରୀ : ଏ ଲାଇଫ ଅଫ ଟ୍ରୁଥ୍ ଇନ୍ ପଲିଟିକସ୍
୨. କମ୍ ଡାଉନ୍, ଇୟୋର ପ୍ରାଇମ୍ ମିନିସଷ୍ଟର ଇଜ୍ ଡେଡ଼- ଏ ଫାଷ୍ଟ ଆକାଉଣ୍ଟ ଅଫ ଦ ନାଇଟ ପି.ଏମ ଶାସ୍ତ୍ରୀ ଡାଇଡ {www.aninews.in )
୩. ସି.ଏସ୍ ଝା ପ୍ରମ୍ ବାନଡୁଙ୍ଗ ଟୁ ତାସକେଣ୍ଟ: ଗ୍ଳିମସେସ୍ ଅଫ ଇଣ୍ଡିଆଜ୍ ଫରେନ ପଲିସି, ୧୯୮୩

-: ତା’ପରେ :-

ଲୋକପ୍ରିୟ ଲେଖା

To Top