ରହସ୍ୟ

ରାଜ୍ୟସଭାରେ କମ୍ପନ

Shastrijinka Hatyaara Rahasya

ଋଷରେ ଭାରତୀୟ ଦୂତାବାସରେ ରୋଷେୟା ଭାବେ କାର୍ଯ୍ୟରତ ମହମ୍ମଦ ଜାନ୍‌ଙ୍କ ଭୂମିକାକୁ ନେଇ ଟିଏନ ସିଂହ ସଂନ୍ଦେହ ପ୍ରକଟ କଲେ ।

ରାଜ୍ୟସଭାରେ କମ୍ପନ

୧୯୬୦ର ଶେଷାର୍ଦ୍ଧ ଆଡ଼କୁ ସୁବାଷ ଚନ୍ଦ୍ର ବୋଷଙ୍କ ଫାଇଲ ଯଦି ଖୋଲାଯାଇନଥାନ୍ତା ତା’ହେଲେ ହୁଏତ ଶାସ୍ତ୍ରୀଜୀଙ୍କ ମୃତ୍ୟୁରେ ସୃଷ୍ଟି ହେଇଥିବା ବିବାଦ ଫିକା ପଡ଼ିଯାଇଥାଆନ୍ତା । ପୂର୍ବତନ ସ୍ୱାଧୀନତା ସଂଗ୍ରାମୀ ଓ ରସାୟନ ବିଜ୍ଞାନ ପ୍ରଫେସର ସମର ଗୁଆଙ୍କଠାରେ ନେତାଜୀଙ୍କ ସମର୍ଥକମାନେ ଏକ ଦୁର୍ଜୟ ଏକକ ସେନାର ସମ୍ଭାବନା ଦେଖିଲେ । ୧୯୬୬ରେ ସେ ଲୋକସଭାରେ ଶପଥ ନେବାପରଠାରୁ ସୁବାଷଚନ୍ଦ୍ର ବୋଷଙ୍କ ଘଟଣାରେ କ୍ଷମତାସୀନ କଂଗ୍ରେସ ସରକାର ଓ ଦଳଙ୍କୁ ଘାଇଲା କରିଚାଲିଲେ । ସାଂସଦର ସେଣ୍ଟ୍ରାଲ ହଲରେ ନେତାଜୀଙ୍କ ଫଟୋଚିତ୍ରର ସ୍ଥାନିତ ନହେବାକୁ ନେଇ ସେ ନିଜ ପ୍ରଥମ ଭାଷଣରେ କହିଥିଲେ “ଏହା ତ୍ରୁଟି ନୁହେଁ…କଂଗ୍ରେସ ସରକାର ଜାଣିଶୁଣି, ସୁଚିନ୍ତିତ ପଦକ୍ଷେପ ସ୍ୱରୂପ ଏହା କରିଛନ୍ତି” ।

ଦୃଢ଼ ମନୋବଳ ଓ ଅକ୍ଳାନ୍ତ ଚେଷ୍ଟାରେ ଜନସମର୍ଥନ ହାସଲ କରି ଗୁଆ ଶେଷରେ କିଛି ସାଂସଦ ଓ ଅଣସାଂସଦ ତଥା ସମବିଚାର ସଂପନ୍ନ ବ୍ୟକ୍ତିଙ୍କୁ – ଅଟଲ ବିହାରୀ ବାଜପେୟୀ ଓ ମଧୁ ଲିମାଏଙ୍କ ଭଳି ପ୍ରମୁଖ ନେତା-ନେଇ ଏକ ଜାତୀୟ କମିଟି ଗଠନ କଲେ । ସେମାନେ ଏକତ୍ରିତ ହୋଇ ନେତାଜୀଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନର ଏକ ସଦ୍ୟ ତଦନ୍ତ ଦାବି କଲେ । ସରକାର ମାନିଲେନି କି ଗୁଆ ହାରିଲେନି । ୧୯୬୬ରେ ସମୟ ଅପଚୟ ନକରି ସରକାର ମହାତ୍ମା ଗାନ୍ଧୀ ହତ୍ୟା ପଛର ବୃହତ୍ ଷଡ଼ଯନ୍ତ୍ରର ତଦନ୍ତ ଉଦ୍ଧେଶ୍ୟରେ ଏକ କମିଶନ ଗଠନ କଲେ । ନିଜ ଲକ୍ଷ୍ୟକୁ ଆଗେଇବାରେ ଏହା ଗୁହାଙ୍କ ପାଇଁ ଏକ ବଡ଼ ସୁଯୋଗ ଥିଲା ।

ଏକ ବିବର୍ଗୀକୃ୍ତ (ବିଶେଷ ଗୋପନୀୟ ଦସ୍ତାବିଜକୁ ସର୍ବସାଧାରଣଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗୀକୃତ ବା ଅଣ-ଗୋପନୀୟ ଶ୍ରେଣୀଭୁକ୍ତ କରିବା) ପିଏମଓ ନୋଟ ଅନୁସାରେ ୪୪ ଜଣ ସାଂସଦ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେତାଜୀଙ୍କ ଘଟଣାର ବି ଅନୁରୂପ ତଦନ୍ତ ଦାବି ନେଇ ଚିଠି ଲେଖିଲେ । ଯେବେ ସରକାର ତଥାପି ମାନିଲେନି, ଗୁହା ଭାଙ୍ଗି ପଡ଼ିଲେନି ବରଂ ନିଜ ଦାବିକୁ ଅଧିକ ଜୋରଦାର କରିବା ଲକ୍ଷ୍ୟରେ ସେ ଶହେରୁ ଅଧିକ ସାଂସଦଙ୍କ ସମର୍ଥନ ଯୋଗାଡ଼ କଲେ । ସେହିସବୁ ସାଂସଦଙ୍କ ମଧ୍ୟରେ କିଛି ଶାସକ ଦଳ ଅର୍ଥାତ୍ କଂଗ୍ରେସ ସାଂସଦ ବି ଥିଲେ ।

ହିନ୍ଦୁସ୍ଥାନ ଟାଇମ୍‌ସର ରିପୋର୍ଟ ଅନୁସାରେ ଘଟଣାକ୍ରମେ ଅନେକ ମନ୍ତ୍ରୀ କ୍ୟାବିନେଟ ଆଲୋଚନାରେ ମତ ଦେଲେ ଯେ “କୋଟି କୋଟି ଜନତା ଜାଣିବାକୁ ଚାହୁଁଛନ୍ତି ସେ ପ୍ରକୃତରେ ନେତାଜୀଙ୍କ କ’ଣ ହେଲା । ତେଣୁ ଘଟଣାର ସଦ୍ୟ ତଦନ୍ତର ସପକ୍ଷରେ ନୁହଁନ୍ତି ବୋଲି ସରକାରଙ୍କ ଆଚରଣ ବା ନିଷ୍ପତ୍ତି ଆଦୌ ଉଚିତ୍ ନୁହେଁ ।” ଏପରିକି କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି ଦୋହରାଇବା ମଧ୍ୟ “ଜନତାଙ୍କ ମନରେ ଏକ ଭିନ୍ନ ପ୍ରଭାବ ପକାଇବ । ସମସ୍ତେ ଧରିନେବେ ଯେ ସରକାର ବୋଧହୁଏ କିଛି ଲୁଚାଇବାକୁ ଚାହୁଁଛନ୍ତି ।”

ତେଣୁ ପ୍ରବହମାନ ଘଟଣାଚକ୍ରରେ ସୁବାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ କଥିତ ‘ଦୁର୍ଘଟଣାଜନିତ ତିରୋଧାନ’ର ଅନୁସନ୍ଧାନ ଦାବିର ଚାପରେ ୧୯୭୦ରେ ସରକାର ଏକ ତଦନ୍ତ କମିଶନ ଗଠନ ନିମନ୍ତେ ସ୍ଥିର କଲେ । ନେତାଜୀଙ୍କ ପ୍ରସଙ୍ଗରେ ସରକାରଙ୍କ ଏହି ପଦକ୍ଷେପ ଶାସ୍ତ୍ରୀଜୀଙ୍କ ବିବାଦୀୟ ମୃତ୍ୟୁ ଘଟଣାର ତଦନ୍ତ ଦାବି କରୁଥିବା ଗୋଷ୍ଠିକୁ ପ୍ରୋତ୍ସାହିତ କଲା ଓ ସେମାନେ ତତ୍ପର ହୋଇ ଉଠିଲେ ।

ସେହି ବର୍ଷ ପ୍ରାରମ୍ଭରେ ‘ଅର୍ଗାନାଇଜର’(ଆରଏସଏସର ମୁଖପତ୍ର) ଓ ‘ଇଣ୍ଡିଆନ ମନିଟର’ ଶାସ୍ତ୍ରୀଙ୍କ ମୃତ୍ୟୁର ‘ଉଚିତ୍ ତଦନ୍ତ’ର ପୁଷ୍ଠଭୂମିରେ ଅନେକ ଲେଖା ପ୍ରକାଶ କଲେ ଯାହା ଧିମେଇ ଯାଇଥିବା ଦାବିକୁ ଇନ୍ଧନ ଯୋଗାଇଲା ଓ ଘଟଣାଟି ପୁଣି ରାଜ୍ୟସଭାରେ ପ୍ରତିଧ୍ୱନିତ ହେଲା । ଜଣେ ପୁରୁଖା ଭାରତ ଛାଡ଼ ଆନ୍ଦୋଳନ ସଂଗ୍ରାମୀ ଓ ନିଜର ସ୍ୱତନ୍ତ୍ର ବିଚାରଧାରା ପାଇଁ ପରିଚିତ ରାଜ ନାରାୟନ ଏହି ବିଷୟରେ ସରକାରଙ୍କଠୁ ପ୍ରତିକ୍ରିୟା ଚାହିଁଲେ । କିନ୍ତୁ ଉପ ସଭାପତି ବି.ଡ଼ି. ଖୋବ୍ରାଗଡେ଼ ଆଲୋଚନା ପାଇଁ ଅନୁମତି ଦେଲେ ନାହିଁ । ଫଳରେ ଟି.ଏନ ସିଂହ (ତ୍ରିଭୂବନ ନାରାୟଣ ସିଂହ), ଶାସ୍ତ୍ରୀଙ୍କ ବାଲ୍ୟବନ୍ଧୁ ତଥା ଉତ୍ତର ପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ (୧୯୭୯-୧୯୮୧ ସେ ବେଙ୍ଗଲର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ବହନ କରିଥିଲେ)ଆଗେଇ ଆସି ରାମ ନାରାୟଣଙ୍କୁ ସମର୍ଥନ କଲେ । “ଏହା ଆମ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ସମ୍ବନ୍ଧରେ । ଜୀବନକାଳରେ ତାଙ୍କ ସହ ଘନିଷ୍ଠ କିଛି ଅନ୍ତରଙ୍ଗ ବ୍ୟକ୍ତିଙ୍କୁ ଘଟଣା ସଂପର୍କରେ ସଂକ୍ଷିପ୍ତ ଆଲୋଚନା କରିବା ପାଇଁ ଅନୁମତି ନଦେବା ଯଥୋଚିତ୍ ନୁହେଁ ।”

ଖୋବ୍ରାଗଡେ଼ ନିଜର ପ୍ରତିକ୍ରିୟାରେ କହିଲେ ଯେ ସେ ସଦସ୍ୟମାନଙ୍କ ଆବେଗକୁ ହୃଦୟଙ୍ଗମ କରୁଛନ୍ତି । କିନ୍ତୁ ଆଲୋଚନା ପାଇଁ ସେମାନଙ୍କୁ ସଭାପତି (ଭାରତର ଉପ-ରାଷ୍ଟ୍ରପତି)ଙ୍କୁ ପ୍ରସ୍ତାବ ଦେବାକୁ ପଡ଼ିବ । “ମୁଁ କାହିଁକି ପ୍ରସ୍ତାବ ଦେବି?” ସିଂହ ଜବାବ୍ ଦେଲେ । ଦହୟାଭାଇ ପଟେଲ (ସର୍ଦ୍ଧାର ବଲ୍ଳଭଭାଇ ପଟେଲଙ୍କ ପୁତ୍ର) ତାଙ୍କୁ ସମର୍ଥନ କଲେ । “ଏହିଠାରେ ହିଁ ସ୍ପଷ୍ଟିକରଣ ଦିଆଯିବା ଆବଶ୍ୟକ । ଏହା କେବଳ ଗୃହର ସଦସ୍ୟମାନଙ୍କ ଭାବନା ନୁହେଁ ବରଂ ସାରା ଦେଶ ଏହା ହିଁ ଆଶା କରୁଛି ।”ତଥାପି ଖୋବ୍ରାଗଡେ଼ ଦୋହରାଇଲେ, ସାଂସଦଗଣ ସଭାପତିଙ୍କୁ ଏ ବିଷୟରେ ପ୍ରସ୍ତାବ ଦେଇପାରିବେ । ଏହା ରାଜ ନାରାୟଣଙ୍କୁ ଉତ୍ତେଜିତ କଲା । ସରକାରଙ୍କ ଏଭଳି ମନୋବୃତ୍ତିକୁ ସେ ‘ସ୍ୱେଚ୍ଛାଚାରିତା’ର ଆଖ୍ୟା ଦେଲେ ।

୪ ମାର୍ଚ୍ଚରେ ‘ଅର୍ଗାନାଇଜର’ରେ ପ୍ରକାଶିତ ଏକ ପ୍ରବନ୍ଧ ଆଧାରରେ ସାଂସଦ ଶ୍ରୀ ଲୋକନାଥ ମିଶ୍ର ଓ ଏମ.କେ ମୋହତା ସରକାରଙ୍କୁ ସିଧାସଲଖ ପ୍ରଶ୍ନ ପଚାରିଲେ । ସେମାନେ ପ୍ରବନ୍ଧର ଦାବି “କିଛି ଅଜଣା ତତ୍ୱ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ” ବିଷୟରେ ସରକାରଙ୍କୁ ପ୍ରତିକ୍ରିୟା ମାଗିଲେ । ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ୱାଇ.ବି. ଚଭାନ କହିଲେ ଶାସ୍ତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ କିଭଳି ହେଲା ତା’ର ସର୍ବିଶେଷ ବିବରଣୀ ୧୯୬୬ରେ ତତ୍କାଳୀନ ବିଦେଶ ମନ୍ତ୍ରୀ ସ୍ୱର୍ଣ୍ଣ ସିଂହ ଦେଇସାରିଛନ୍ତି । ତେଣୁ ଏବେ କୌଣସି ତଦନ୍ତର ଯଥାର୍ଥତା ନାହିଁ । ଏଭଳି ସଂକ୍ଷିପ୍ତ ଉତ୍ତର ସାଂସଦଙ୍କୁ ଆହୁରି ଉତ୍‌କ୍ଷିପ୍ତ କଲା । ସେମାନେ ଦଳବଦ୍ଧ ହୋଇ ୨ ଏପ୍ରିଲରେ ଅଧ ଘଣ୍ଟାର ଆଲୋଚନା ପାଇଁ ଅନୁମତି ପ୍ରାପ୍ତ କଲେ ।

ବନ୍ଧୁ ସ୍ୱର୍ଗତ ଶାସ୍ତ୍ରୀଙ୍କ ଅସମୟ ମୃତ୍ୟୁରେ ଶୋକ ପ୍ରକାଶ କରି ଟି.ଏନ. ସିଂହ ଆଲୋଚନା ଆରମ୍ଭ କଲେ । ସେ କହିଲେ ନିଜ ଦାୟିତ୍ୱବୋଧ ତାଙ୍କୁ ମୁହଁ ଖୋଲିବାକୁ ବାଧ୍ୟ କରୁଛି । ଯେତେବେଳେ ଶାସ୍ତ୍ରୀଙ୍କ ମରଶରୀର ଭାରତରେ ପହଞ୍ଚିଲା ସେ ମୁହଁ ଖୋଲିବାକୁ ସାହାସ ଜୁଟାଇପାରିଲେନି । ଶେଷରେ ଅପରାହ୍ନ ଶେଷ ପ୍ରହର ଆଡ଼କୁ ସେ ତାଙ୍କ ଶେଷ ଦର୍ଶନ କଲେ । ଶାସ୍ତ୍ରୀଙ୍କ ଚେହେରା ଶେତା ପଡ଼ିଯାଇଥିବା ଦେଖି ସେ ହତଚକିତ ହେଲେ । ତାଙ୍କର ସନ୍ଦେହ ହେଲା କିନ୍ତୁ ଏଭଳି ଦୁଃଖଦ ମୁହୂର୍ତ୍ତର କୋଳାହଳରେ ସେ ସର୍ବସମ୍ମୁଖରେ କିଛି କହି ପାରିଲେନି । ସ୍ୱର୍ଣ୍ଣ ସିଂହ କହିଥିବା “ଶାସ୍ତ୍ରୀଙ୍କ କକ୍ଷରେ ବଜର ସଂଯୁକ୍ତ ଟେଲିଫୋନ ଥିଲା ଯାହା ରିସିଭର ଉଠାଇବା ମାତ୍ରେ ବାଜିଉଠିବ” ଉକ୍ତିକୁ ସେ ଉଦ୍ଧୃତ କଲେ । ଏବଂ ସ୍ୱର୍ଣ୍ଣ ସିଂହଙ୍କ ଉପରୋକ୍ତ ମନ୍ତବ୍ୟକୁ ସେ ଲୋକସଭାରେ ରାମ ମନୋହର ଲୋହିଆଙ୍କ ପ୍ରତିଉତ୍ତର “ଶାସ୍ତ୍ରୀଙ୍କ କକ୍ଷର ଫଟୋ ଚିତ୍ରରେ ସେ କୌଣସି ଟେଲିଫୋନ ଦେଖିପାରୁନାହାଁନ୍ତି”କୁ ପରସ୍ପର ବିରୋଧି ବୋଲି କହିଲେ ଓ ମନ୍ତ୍ରୀ ମହୋଦୟ ଭ୍ରମିତ କରୁଛନ୍ତି ବୋଲି ଦୋଷାରୋପ କଲେ ।

ସିଂହ ଏହାପରେ ଡଃ ଚୁଗ୍‌ଙ୍କ ଶାସ୍ତ୍ରୀଜୀଙ୍କୁ, ପଲଙ୍କରେ, ଅର୍ଦ୍ଧର୍ଶାୟିତ ଅବସ୍ଥାରେ, ମାଂସପେଶୀରେ ଇଞ୍ଜେକ୍ସନ ଦେବା କ’ଣ ସଠିକ୍ ପଦ୍ଧତି ବୋଲି ପ୍ରଶ୍ନ କଲେ । ସିଂହ ଆହୁରି ମଧ୍ୟ କହିଲେ ଯେ, ଶାସ୍ତ୍ରୀଙ୍କ ଦୁଇ ଭାଇ ହୃତ୍ଘାତରେ ମୃତ୍ୟୁବରଣ କରିଥିବା ସେ ସ୍ୱୟଂ ସାକ୍ଷୀ । ସେ ପଚାରି ଚାଲିଲେ, ଶାସ୍ତ୍ରୀଙ୍କ ମୃତ୍ୟୁଶଯ୍ୟାର ନିକଟରେ ଉପସ୍ଥିତ ଥିବା ଋଷୀୟ ଡାକ୍ତର ପ୍ରଫେସର ୟେରେମେନ୍କୋ କାହିଁକି ଡ଼ଃ ଚୁଗ୍‌ଙ୍କ ସହିତ ମେଡ଼ିକାଲ ସାର୍ଟିପିକେଟରେ ସ୍ୱାକ୍ଷର କଲେ ନାହିଁ । ରାଜ ନାରାୟଣ ନିଜ ଶଙ୍କା ଜାହିର କରିବାକୁ ଯାଇ କହିଲେ, ବୋଧହୁଏ ପ୍ରଫେସର ୟେରେମେନ୍କୋ ସ୍ୱାକ୍ଷର କରିବାକୁ ମନା କରିଥିବେ ।

ଋଷରେ ଭାରତୀୟ ଦୂତାବାସରେ ରୋଷେୟା ଭାବେ କାର୍ଯ୍ୟରତ ମହମ୍ମଦ ଜାନ୍‌ଙ୍କ ଭୂମିକାକୁ ନେଇ ଟିଏନ ସିଂହ ସଂନ୍ଦେହ ପ୍ରକଟ କଲେ । “ସେ କେଉଁଠି? ସେ ଏବେ ନା ଋଷରେ ଅଛନ୍ତି ନା ଭାରତରେ । ତାଙ୍କୁ ବୋଧହୁଏ ଅନ୍ୟ ଦେଶକୁ ସ୍ଥାନାନ୍ତରିତ କରାଯାଇଛି । ମୋର ନିଜସ୍ୱ ସଂନ୍ଦେହ ଅଛି । ଅନେକ ସାହାସ ଜୁଟାଇ ଏସବୁ ଆଶଙ୍କାକୁ ଏବେ ସମସ୍ତଙ୍କ ସାମ୍ନାରେ କହିବାକୁ ମୋତେ ଦୁଃଖ ଲାଗୁଛି । ମୁଁ ଏହା ଭିତରେ ଯେଉଁ ଆଡେ଼ ଗଲି, କି ଗାଁ କି ସହର ଲୋକେ ମତେ ପଚାରିଲେ ‘ଆପଣ କ’ଣ କରୁଥିଲେ ? କାହିଁକି ଏ ବିଷୟ ଉପରେ ଆପଣ ପ୍ରତିକ୍ରିୟା ରଖିଲେନି ?”

ଉପ ଗୃହମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଳା ସରକାରଙ୍କ ତରଫରୁ ନିଜ ବ୍ୟକ୍ତବ ରଖିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧୯୭୫ର ଜରୁରୀକାଳନ ପରିସ୍ଥିତିରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଶୁକ୍ଳା ବେଶ୍ କୁଖ୍ୟାତି ଅର୍ଜିଥିଲେ । ସେ କହିଲେ, ଭଲ ହେଇଥାଆନ୍ତା ଯଦି ତାଙ୍କ ଉପରିସ୍ତ ଶ୍ରୀ ଚଭାନ ଏଠାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଥାଆନ୍ତେ । କାରଣ ସେହି ବିଷମ ରାତି୍ରରେ ଘଟଣାସ୍ଥଳରେ ଚଭାନ ଉପସ୍ଥିତ ଥିଲେ । ବ୍ୟକ୍ତିଗତ ଭାବେ ଟି.ଏନ ସିଂହଙ୍କ ପ୍ରତି ତାଙ୍କ ଉଚ୍ଚ ସମ୍ମାନବୋଧ ଅଛି ବୋଲି କହି ସେ କହିଲେ, ହେଇପାରେ, କିଛି ତ୍ରୁଟି ରହିଯାଇଥାଇପାରେ କିନ୍ତୁ ଏହା ଜ୍ଞାତସାରରେ ନହୋଇପାରେ । ଏବଂ ଘଟଣାକୁ ଘୋଡେ଼ଇ ରଖିବାକୁ ମଧ୍ୟ ସରକାରଙ୍କ କୌଣସି ଉଦ୍ଧେଶ୍ୟ ନାହିଁ । ଏହି ଉକ୍ତି ଟିଏନ ସିଂହଙ୍କୁ କିଛିଟା ଶାନ୍ତ କଲା । “କାହିଁକି ଏପରି ଜଣେ କରିବ ?” ଶୁକ୍ଳା ସ୍ପଷ୍ଟ କରିବାକୁଯାଇ କହିଲେ, ମହମ୍ମଦ ଜାନ ଅବୁଲ କାଲାମ ଆଜାଦଙ୍କ ପାଇଁ ବହୁ ବର୍ଷ କାମ କରିଥିଲେ । “ସେ ଏବେ ଦିଲ୍ଲୀରେ ଅଛନ୍ତି । ତାଙ୍କ ବିରୁଦ୍ଧରେ କୌଣସି ପ୍ରକାରର ଅଭିଯୋଗ ପୂର୍ବରୁ ନଥିଲା ଓ ଏବେ ମଧ୍ୟ ନାହିଁ ।” ଶୁକ୍ଳା ବହୁତ ନମ୍ରତାର ସହିତ ଉତ୍ତର ରଖିଲେ ଓ କହିଲେ ଏ ପ୍ରସଙ୍ଗକୁ ତୁଟାଇବା ପାଇଁ ସେ ସବୁ କରିବେ । “ଶାସ୍ତ୍ରୀଜୀ ଭାରତର ଜଣେ ମହାନ୍ ବ୍ୟକ୍ତିତ୍ୱ । ତାଙ୍କ ପାଇଁ ଯାହା କରିବାର କଥା କରାଯାଇଛି । ଯଦି କୌଣସି ତ୍ରୁଟି ଥାଏ ତାହା ଉଦ୍ଧେଶ୍ୟପ୍ରଣୋଦିତ ନୁହେଁ । ତଥାପି ଯଦି ଦରକାର ହୁଏ ଆମେ ଉଚିତ୍ ପଦକ୍ଷେପ ନେବୁ ।” ରାଜ ନାରାୟଣଙ୍କ ନେତୃତ୍ୟରେ ବହୁ ସଦସ୍ୟ ଅନେକ ବିଷୟ ଯଥା ମହିଳା ଡାକ୍ତରଙ୍କ ମୃତ୍ୟୁ ପ୍ରମାଣପତ୍ରରେ ସ୍ୱାକ୍ଷର ନକରିବା, ଶାସ୍ତ୍ରୀଙ୍କୁ ସେ ରାତ୍ରିରେ କିଏ ଦୁଗ୍ଧ ଗ୍ଳାସ ଦେଇଥିଲା ଉତ୍ୟାଦି ଉପରେ ଆଲୋଚନା ଜାରି ରଖିଲେ । ଦୁଗ୍ଧ ଓ ପାଣି ରଖିବା ପାଇଁ ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଥର୍ମୋପ୍ଳାକ୍ସ ଓ ଡାଏରି ନ ମିଳିବା / ହଜିଯିବା ପ୍ରସଙ୍ଗ ଉପରେ ମଧ୍ୟ ନାରାୟଣ ଓ ଟି.ଏନ. ସିଂହ ଆଲୋକପାତ କଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଶ୍ରୀ ନାରାୟଣ, ସତ୍ୟ ଉନ୍ମୋଚନ ଅଭିପ୍ରାୟରେ, ଟି.ଏନ. କୌଲ, ମହମ୍ମଦ ଜାନ ଓ ଶାସ୍ତ୍ରୀଙ୍କ ଚର୍ଯ୍ୟାରେ ଥିବା ଅନ୍ୟ କର୍ମକର୍ତ୍ତାଙ୍କୁ ପଚରାଉଚରା କରିବା ପାଇଁ ସରକାରଙ୍କ ଅନୁମତି ଚାହିଁଲେ ।

ଅତ୍ୟନ୍ତ ଭାବବିହ୍ୱଳ ହେଇ ରାଜ ନାରାୟଣ କହିପକାଇଲେ ଶାସ୍ତ୍ରୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି । ଏବଂ ନିଜକୁ ଦୋଷମୁକ୍ତ ରଖିବା ପାଇଁ ତଦନ୍ତ ନିର୍ଦ୍ଧେଶ ଦେବା ସରକାର କର୍ତ୍ତବ୍ୟବଦ୍ଧ । ବିଦ୍ୟା ଚରଣ ଶୁକ୍ଳାଙ୍କୁ ସେ ବ୍ୟକ୍ତିଗତ ପ୍ରଶଂସା କଲେ କିନ୍ତୁ ଡ଼ଃ ଚୁଗ୍‌ଙ୍କୁ ଦୋଷମୁକ୍ତ କରିବା ପରିପ୍ରେକ୍ଷୀରେ ନିଜର ଅସନ୍ତୁଷ୍ଟତା ବ୍ୟକ୍ତ ମଧ୍ୟ କଲେ । ଆଉ ଟିକେ ଆଗକୁ ବଢିଯାଇ ସେ କହିପକାଇଲେ ଡ଼ଃ ଲୋହିଆଙ୍କ ହତ୍ୟାରେ ଚୁଗ୍‌ ଜଡ଼ିତ ।

ଅନ୍ୟ ପକ୍ଷରେ ମହାବୀର ପ୍ରସାଦ ଭାର୍ଗବଙ୍କ ଭାବୁକତାପୂର୍ଣ୍ଣ ହସ୍ତକ୍ଷେପ ଅଧିକ ଜୋରଦାର ଥିଲା । ସେ କହିଲେ କେତେକ ପ୍ରଶ୍ନର ଉତ୍ତର ସରକାରଙ୍କୁ ସିଧା ଓ ସଠି୍କ ଭାବେ ଦେବାକୁ ପଡ଼ିବ । ତାଙ୍କର ପ୍ରଥମ ପ୍ରଶ୍ନ ଥିଲା- “କ’ଣ ଶାସ୍ତ୍ରୀଜୀ ଭାରତୀୟ ପ୍ରତିନିଧି ଦଳଙ୍କ ସହିତ ହୋଟେଲରେ ରହିବାର ବନ୍ଦୋବସ୍ତ ହେଇଥିଲା ? ଏହା ତଥ୍ୟର ସତ୍ୟତା କେତେ ? ଋଷୀୟ ସରକାର ଜାଣିଥିଲେ ଶାସ୍ତ୍ରୀ ଜଣେ ହୃଦ୍‌ରୋଗୀ । ତେଣୁ ସେହି ହୋଟେଲ୍‌ର ଏକ ଖାସ୍ କକ୍ଷରେ କ’ଣ ଜରୁରୀ ପରିସ୍ଥିତିରେ ହୃଦ୍ରୋଗ ଚିକିତ୍ସାର ସବୁ ବ୍ୟବସ୍ଥା ଉପଲବ୍ଧ ଥିଲା?”

ତାଙ୍କ ଦ୍ୱିତୀୟ ପ୍ରଶ୍ନ ହେଲା- “ଏହା ତଥ୍ୟ ନା ଅପତଥ୍ୟ ଯେ ଭାରତର ରାଷ୍ଟ୍ରଦୂତଙ୍କଠାରୁ ସରକାରଙ୍କୁ, ଏକ ଟେଲିଗ୍ରାମ ହସ୍ତଗତ ହେଇଥିଲା । ସେଥିରେ ଲେଖା ଥିଲା ଯେ ଶାସ୍ତ୍ରୀଜୀଙ୍କୁ ଭାରତୀୟ ପ୍ରତିନିଧି ଦଳଙ୍କ ସହ ହୋଟେଲରେ ନ ରଖାଯାଇ ନିକଟସ୍ଥ ଏକ ଭିଲାରେ ରହିବାର ବନ୍ଦୋବସ୍ତ କରାଯାଉ ? ଏକ ବେତାର ବାର୍ତ୍ତା ମାଧ୍ୟମରେ ଭାରତ ସରକାର ରାଷ୍ଟ୍ରଦୂତଙ୍କ ଆବେଦନର ଜବାବ୍ ସ୍ୱରୁପ ଶାସ୍ତ୍ରୀଜୀଙ୍କୁ ଭିଲାରେ ରହିବାର ଅନୁମତି ଦେଇଥିଲେ । ସେହି ଉତ୍ତର ତାରବାର୍ତ୍ତାଟି କାହିଁ ?”

ଶାସକ ଦଳର ସଦସ୍ୟ ଭାର୍ଗବ ‘ବଜର ସଂଯୋଜିତ ଟେଲିଫୋନ’ କଥା ମଧ୍ୟ ଉଠାଇଥିଲେ । ସେ କହିଲେ “ମୋର ସୂଚନା ଅନୁଯାୟୀ ଶାସ୍ତ୍ରୀଙ୍କ କକ୍ଷରେ କୌଣସି ବଜର ଫୋନ ନଥିଲା ।”

‘ଅବଶ୍ୟ ବଜର ଟେଲିଫୋନର ବ୍ୟବସ୍ଥା କରାଯାଇଥିଲା । ଯେମିକିତି ମୋ ବନ୍ଧୁ ଟିଏନ ସିଂହ ତାଙ୍କ ବୟାନରେ କହିଲେ, ବଜର ଟେଲିଫୋନ ସୁଇଟରେ ଉପଲବ୍ଧ ଥିଲା । କିନ୍ତୁ ଏହା ଶାସ୍ତ୍ରୀଜୀଙ୍କ କକ୍ଷରେ ନଥିଲା । ତେଣୁ ସୁଇଟରେ ଏକ କକ୍ଷରେ ଥିବା ଶାସ୍ତ୍ରୀଜୀ, ସୁଇଟର ଅନ୍ୟ କୋଣରେ ଥିବା ଟେଲିଫୋନକୁ କିପରି ଜରୁରୀ ପରିସ୍ଥିତିରେ ତତ୍‌କ୍ଷ୍ୟଣାତ ବ୍ୟବହାର କରିପାରିବେ? ତେଣୁ ସଂସଦକୁ ଭୂଆଁ ବୁଲାଇବାର ଅପଚେଷ୍ଟା କରାଯାଇଛି । ଏହି ବାବଦରେ ସରକାରଙ୍କ ସ୍ପଷ୍ଟିକରଣ ଅତ୍ୟାବଶ୍ୟକ ।’

ଏହା ପରେ ସେ ଏକ ସାଙ୍ଗାତିକ ଅଭିଯୋଗ ଆଣିଲେ । ଚଭାନ ଓ ସ୍ୱର୍ଣ୍ଣ ସିଂହଙ୍କୁ ଋଷ ନିବେଦନ କରିଥିଲା କି ଅନୁମତି ପ୍ରଦାନ କରାଗଲେ ଶାସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ କରାଯିବ । କାରଣ ୠଷ କର୍ତ୍ତୃପକ୍ଷ ଘଟଣାକୁ ସଂନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଥିଲେ । ସେମାନେ ନିଜ ଦେଶର ମର୍ଯ୍ୟାଦା ଓ ସୁନାମକୁ ସର୍ବୋପରି ମାନୁଥିଲେ । ତାଙ୍କ ଦେଶରେ କୌଣସି ଜଘନ୍ୟ ଷଡ଼ଯନ୍ତ୍ରର ସଫଳ ରୂପାୟନର ଫଳ ସ୍ୱରୂପ ବିଦେଶୀ ରାଷ୍ଟ୍ରର ଜଣେ କ୍ଷମତାସୀନ ସର୍ଚ୍ଚୋଚ ତଥା ଲୋକପ୍ରିୟ ନେତାଙ୍କର ଏମିତି ଅସମୟ ଓ ସଂନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁକୁ ସେମାନଙ୍କ ସହଜରେ ଗ୍ରହଣ କରୁନଥିଲେ । ଏବଂ ଏହାର ଉଚିତ୍ ତଦନ୍ତ ହେବାରର ସମସ୍ତ ପଦକ୍ଷେପକୁ ସେମାନେ ଆପଣେଇବାକୁ ଆଗଭର ଥିଲେ ।

ତାଙ୍କ ମରଶରୀରର ରଙ୍ଗ କାହିଁକି ନୀଳ ଓ କଳା ପଡ଼ିଯାଇଥିଲା ? ଯଦି ଏହା ସ୍ୱାଭାବିକ ହୃଦ୍ଘାତ୍‌ଜନିତ ମୃତ୍ୟୁ ତାହେଲେ ଶରୀରେ ଏଭଳି ରଙ୍ଗ ପରିବର୍ତ୍ତନ ତ ଦେଖା ଯିବା କଥା ନୁହେଁ । ଏହି ତର୍କର ଅନୁଶୀଳନ କଲେ ଦୁଇଟି ସମ୍ଭାବନା ଦେଖାଦିଏ । କୌଣସି ପ୍ରକାରର ଇେଞ୍ଜକ୍ସନ୍‌ର ରାସାୟନିକ ପ୍ରକ୍ରିୟା ଫଳରେ ଶରୀର ରଙ୍ଗ କଳା-ନୀଳ ପଡ଼ିଯାଇଥାଏପାରେ । ମୃତ ଶରୀରର ପ୍ରକୃତ ଅବସ୍ଥା ଲୁଚାଇବା ଉଦ୍ଧେଶ୍ୟରେ ଏପରି ପ୍ରୟୋଗ କରାଯାଇଥାଇପାରେ । ଦ୍ୱିତୀୟରେ ବିଷର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମଧ୍ୟ ଶରୀର ନୀଳ ପଡ଼ିଯାଇଥାଇପାରେ । ତା’ହେଲେ ଏହା କଦାପି ସ୍ୱାଭାବିକ ମୃତ୍ୟୁ ନୁହେଁ ।’

ନିଜ ଭାଷଣର ଶେଷରେ ଭାର୍ଗବ କହିଲେ ଶହେରୁ ଉର୍ଦ୍ଧ୍ଵ ଲୋକସଭା ସାଂସଦ ତଦନ୍ତ ଦାବିରେ ଏକ ଲିଖିତ ଦାବି ସ୍ମୃତିପତ୍ର (ମେମୋରାଣ୍ଡମ୍) ଦାଖଲ କରିସାରିଛନ୍ତି ଓ ରାଜ୍ୟସଭା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ସରକାରଙ୍କ ଉପରେ ସୁପ୍ରିମ କୋର୍ଟ ଜଜ୍‌ଙ୍କ ପୌରାହିତ୍ୟରେ ତଦନ୍ତ କମିଶନ ବସାଇବା ପାଇଁ ଚାପ ପକାଇବା ଉଚିତ୍ ।

କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ଭୁପେଶ ଗୁପ୍ତା ‘ଅର୍ଗାନାଇଜର’ରେ ପ୍ରକାଶିତ ସନ୍ଦର୍ଭ ଉପରେ ନିଜର ସଂନ୍ଦେହ ପ୍ରକଟ କଲେ । ସେଥିରେ ଉଲ୍ଲେଖ ଥିବା ବିିଭିନ୍ନ ଆରୋପର ବିଶ୍ୱାସନୀୟତା ଉପରେ ସେ ନିଜର ଆପତ୍ତି ରଖି କହିଲେ, “ଏହା ଆରଏସଏସ ପତ୍ରିକା ଓ ଏଥିରେ ପ୍ରକାଶିତ ଲେଖା ବି ରାଜନୈତିକ ଉଦ୍ଧେଶ୍ୟ ପ୍ରଣୋଦିତ । ଏପରି ଲେଖାକୁ ଗ୍ରହଣ କରିବାରେ ଆପାତଃ ମୁଁ କୁଣ୍ଠିତ । ଏହା ନିଶ୍ଚୟ ନିରପେକ୍ଷ ନୁହେଁ । ଏଥିରେ ଉଲ୍ଲିଖିତ ମୁସଲମାନ ନାମଗୁଡ଼ିକ ସର୍ବଦା ବଡ଼ ବଡ଼ ଆଖିଦୃଶିଆ ଅକ୍ଷରରେ ଛପା ଯାଇଥାଏ ।” ଗୁପ୍ତାଙ୍କ ଭାଷଣ ଦୀର୍ଘ ଥିଲା । ସେ କହିଚାଲିଲେ, “ପୁରା ଘଟଣା ରାଜିନୈତିକ ଅଭିସନ୍ଧିମୁଳକ । ତଥାପି ଯଦି କିଛି ନୂଆ ତଥ୍ୟ ସାମନାକୁ ଆସିଛି ତେବେ ତା’ର ତଦନ୍ତ କରାଯିବା ଉଚିତ୍ । ଭୁପେଶଙ୍କ ଭାଷଣରେ ରାଜ ନାରାୟଣଙ୍କୁ କ୍ରୋଧିତ କଲା । “ଦୋମୁହାଁ କଥା କୁହ ନାହିଁ ଭୁପେଶ !” । ଏବଂ ଏହା ପରେ ଦୁହିଁଙ୍କ ମଧ୍ୟରେ ବାକ୍ୟୁଦ୍ଧ ଆରମ୍ଭ ହୋଇଗଲା ।

ପରେ ଯେବେ ଆଲୋଚନା ଆରମ୍ଭ ହେଲା କୃଷ୍ଣକାନ୍ତ ମତ ରଖିଲେ । ଏହି ସମୟଠାରୁ ଦୀର୍ଘ ବର୍ଷ ଉପରାନ୍ତ କୃଷ୍ଣକାନ୍ତଙ୍କୁ ୧୯୭୫ ଜରୁରୀକାଳୀନ ପରିସ୍ଥିତି ଲାଗୁର ବିରୋଧ ସକାଶେ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା ଓ ସେ ୧୯୯୭ରେ ଭାରତ ଉପ-ରାଷ୍ଟପତି ଆସନ ଅଳଙ୍କୃତ କରିଥିଲେ । “ପ୍ରସଙ୍ଗଟିକୁ ଯଦି ଆଉ କିଏ ଉଠାଇଥାଆନ୍ତା ମୁଁ ବିରୋଧ କରିଥାଆନ୍ତି । କିନ୍ତୁ ଟି.ଏନ. ସିଂହ ଉଠାଇଥିବା ପ୍ରଶ୍ନ କେବେ ବି ରାଜନୈତିକ ଉଦ୍ଧେଶ୍ୟ ସାଧନ ପାଇଁ ନୁହେଁ । ସେ ସବୁବେଳେ ମାନବିକତା, ଜାତୀୟତା ଦୃଷ୍ଟିକୋଣରୁ ନିଜ ମତାମତ / ଦାବି ରଖନ୍ତି । ମୁଁ ଭାବୁଛି ମାନନୀୟ ଗୃହମନ୍ତ୍ରୀ ଏହି ପ୍ରଶ୍ନକୁ ଗୁରୁତର ସହିତ ନେବେ ଓ ଏ ସଂକ୍ରାନ୍ତରେ ଶ୍ରୀ ଟି.ଏନ ସିଂହ ଓ ଅନ୍ୟମାନଙ୍କ ସହ ଆଲୋଚନା କରିବେ । ସେ ସାଂସଦରେ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ରହିବା ସହିତ ଦରକାର ହେଲେ ତଦନ୍ତର ନିର୍ଦ୍ଧେଶ ମଧ୍ୟ ଦେବେ । ଯେ ପର୍ଯ୍ୟନ୍ତ ତଦନ୍ତ ନହୋଇଛି ଓ ପ୍ରକୃତ ସତ୍ୟ ଦେଶବାସୀଙ୍କ ସମ୍ମୁଖକୁ ନ’ଅଣାଯାଇଛି ଏ ବିଷୟ ଥମିବାର ନାହିଁ ।”

ଭି.ସି ଶୁକ୍ଳା ପୁଣି ଥରେ ଆଲୋଚନାରେ ଭାଗ ନେଲେ । ଶାସ୍ତ୍ରୀଜୀଙ୍କୁ ଦୁଗ୍ଧ ଗ୍ଳାସ କିଏ ଦେଲା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, “ଅନୁସନ୍ଧାନ ସମୟରେ ରାମନାଥଙ୍କୁ ସହ ଏ ବିଷୟରେ ପଚାରିଯାଇଛି । ସେ ହିଁ ଶେଷଥର ପାଇଁ ଶାସ୍ତ୍ରୀଙ୍କୁ ଦୁଗ୍ଧ ଗ୍ଳାସ ଦେଲେ ବୋଲି କହିଲେ । ସେ ଦୋହରାଇଲେ “କଥିତ ଘଟଣା ସମୟରେ ଚଭାନ ତାସକନ୍ଦରେ ଅବସ୍ଥାନ କରୁଥିବା କାରଣରୁ ବ୍ୟକ୍ତିଗତ ଭାବେ ଉଭୟ ଗୃହରେ ଉପସ୍ଥିତ ରହି ନିଜ ବ୍ୟକ୍ତିଗତ ବକ୍ତବ୍ୟ ଉପସ୍ଥାପିତ କରିପାରିବେ ।” ୪ ଅପ୍ରେଲରେ ରାଜ୍ୟସଭା ସଭାପତି ଆକବର ଅଲି ଖାନ ନିଜର ସ୍ୱୀକୃତି ଦେଲେ ଓ ଗୃହମନ୍ତ୍ରୀଙ୍କୁ ବିବୃତି ଦେବା ପାଇଁ ଅନୁରୋଧ କରାଗଲା । ଚଭାନ କହିଲେ, “ଶାସ୍ତ୍ରୀଙ୍କ ଅସମୟ ମୁତ୍ୟୁରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ । କିନ୍ତୁ ମୋର ପୁରୁଣା ବନ୍ଧୁମାନଙ୍କ ସହିତ ମୁଁ ଯୁକ୍ତିତର୍କ କରିବାକୁ ଚାହେଁ ନାହିଁ । ମୁଁ କେବଳ ଗୃହର ଅବଗତି ନିମନ୍ତେ କିଛି ତଥ୍ୟ ଉପସ୍ଥାପନ କରିବି ।

ଚଭାନ କହିଲେ “କୌଣସି ସୁରକ୍ଷା ଅଧିକାରୀ ଶାସ୍ତ୍ରୀଙ୍କର ଭିଲାର ରହିବାରେ ବନ୍ଦୋବସ୍ତକୁ ଅଗ୍ରାହ କରିନଥିଲେ । କୌଣସି ଟେଲିଗ୍ରାମ ମଧ୍ୟ ଦିଲ୍ଲୀକୁ ପଠାଯାଇନଥିଲା ।”

ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ପରିଚାରକ ରାମନାଥ ହିଁ ଶେଷଥର ପାଇଁ ଦୁଗ୍ଧ ଗ୍ଳାସ ଦେଇଥିଲେ ବୋଲି ନିଜ କଥାରେ ଦୃଢ଼ ରହିଥିଲେ ଶ୍ରୀ ଚଭାନ । ମହମ୍ମଦ ଜାନଙ୍କର ଏହି ଘଟଣା ସହ କୌଣସି ସଂପୃକ୍ତିକୁ ସେ ଖଣ୍ଡନ କରିଥିଲେ । “ଆଜି ପର୍ଯ୍ୟନ୍ତ ତାଙ୍କ ଚରିତ୍ର ବା ଅତୀତକୁ ନେଇ କୌଣସି ଆପତ୍ତି ନାହିଁ । କାମରେ ସହାୟତା କରିବା ପାଇଁ ତାଙ୍କୁ ତାସକନ୍ଦ ପଠାଯାଇଥିଲା । ଆମର ସୁରକ୍ଷା ଅଧିକାରୀ ତାଙ୍କ ଉପସ୍ଥିତି ବିଷୟରେ ଅବଗତ ଥିଲେ ।”

ଚିକିତ୍ସା ବନ୍ଦୋବସ୍ତ ଖାସ୍ କରି ଅମ୍ଳଜାନ ଉପଲବ୍ଧତା ଓ ଇେଞ୍ଜସନର ଉପଯୁକ୍ତତାକୁ ନେଇ ସଂନ୍ଦେହକୁ ସେ ଅଯାଥାର୍ଥ ବୋଲି କହିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ସୁଶୀଳା ନାୟାରଙ୍କ ଲୋକସଭାରେ ଦେଇଥିବା ଉକ୍ତିକୁ ଉଦ୍ଧାର କରି ମନ୍ତ୍ରୀ କହିଲେ “ଶାସ୍ତ୍ରୀଜୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଖରେ ମଧ୍ୟ ଅମ୍ଳଜାନ ମହଜୁଦ ଥିଲା ।” ଚଭାନ କହିଲେ, “ଚିକିତ୍ସାର ମାନଙ୍କ କିଭଳି ଥିଲା, ଏହାର ରାୟ ସବୁବେଳେ ଚିକିତ୍ସକଙ୍କ ଉପରେ ଛଡ଼ାଯିବା ଉଚିତ ।” ଋଷୀୟ ଡାକ୍ତର ୟେରେମେନ୍‌କୋଙ୍କ ମୃତ୍ୟୁ ପ୍ରମାଣପତ୍ରରେ ସ୍ୱାକ୍ଷର ନକରିବା ପ୍ରସଙ୍ଗ ଉପରେ ମନ୍ତ୍ରୀ କହିଲେ, ହଁ ଏକଥା ସତ୍ୟ ଯେ ସେ ପ୍ରମାଣପତ୍ରରେ ସ୍ୱାକ୍ଷର କରିବାକୁ ମନା କରିଥିଲେ । “ଅନେକ ବରିଷ୍ଠ ଡାକ୍ତର ଶାସ୍ତ୍ରୀଜୀଙ୍କ ଚିକିତ୍ସା କରୁଥିବା ହେତୁ ସେଇମାନେ ହିଁ ଦସ୍ତଗତ କରିଥିଲେ ।”

ଜଣେ ସଦସ୍ୟ ପଚାରିଲେ ଯଦି ଅନ୍ୟମାନେ ସ୍ୱାକ୍ଷର କଲେ, ଡାକ୍ତରୀ ଦଳର କେବଳ ଜଣେ କାହିଁକି ଏହା କରିବାକୁ ମନା କଲେ । ଚଭାନ ଜବାବ୍ ଦେଲେ “କେବଳ ଜଣେ ରିପୋର୍ଟରେ ସ୍ୱାକ୍ଷର କଲେ ନାହିଁ ବୋଲି କ’ଣ ସଂପୂର୍ଣ୍ଣ ଘଟଣାକ୍ରମ ସଂନ୍ଦେହଜନକ ହୋଇଗଲା ?” ସୋଭିଏତ ସଂଘ ଶବ ବ୍ୟବଚ୍ଛେଦ କରିବାକୁ ଚାହୁଁଥିବା କଥା ମିଥ୍ୟା ବୋଲି ସେ ସଫେଇ ଦେଲେ । “ମୁଁ ଏ ବିଷୟରେ ଜଣାଇବାକୁ ଚାହେଁ ଯେ ଶବ ବ୍ୟବଚ୍ଛେଦ ଘେନି କୌଣସି ଅନୁରୋଧ କରାଯାଇନଥିଲା, ତେଣୁ ଅନୁରୋଧକୁ ଏଡ଼ାଇ ଦିଆଯାଇଥିଲା ବୋଲି ଯେଉଁ ଆରୋପ ଉଠୁଛି ତା’ର କୌଣସି ଭିତ୍ତି ନାହିଁ ।”

ଅନେକ ସାଂସଦଙ୍କ ହଟ୍ଟଗୋଳ ସତ୍ତ୍ୱେ ଚଭାନ ନିଜ ଭାଷଣ ଶେଷରେ କହିଲେ, “ମୁଁ ଯାହା ଭାବୁଛି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ଅସ୍ୱାଭାବିକ ନଥିଲା ତେଣୁ ସନ୍ଦେହ ଅମୂଳକ । ଯେ ପର୍ଯ୍ୟନ୍ତ ମୋର କୌଣସି ସଂନ୍ଦେହ ନାହିଁ ମୁଁ କିଭଳି ଅନୁସନ୍ଧାନର ଦାବିକୁ ସମର୍ଥନ କରିବି ?”

ଟି.ଏନ. ସିଂହ ଓ ଅନ୍ୟମାନେ ତଥାପି ସନ୍ତୁଷ୍ଟ ହେଇନଥିଲେ । ସିଂହ ତ କହିଲେ ଯେତେଦିନ ପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ତଦନ୍ତର ଦାବି କରିଚାଲିବେ ।

ଲୋକପ୍ରିୟ ଲେଖା

To Top