ରହସ୍ୟ

ଶାସ୍ତ୍ରୀଜୀଙ୍କ ମୃତ୍ୟୁକୁ ନେଇ ବିବାଦର ସୂତ୍ରପାତ

Shastrijinka Hatyaara Rahasya

ସେ କହିଥିଲା, ଯଦି ଏହି ପତ୍ର ଅସଲି ହେଇଥାଏ ତେବେ ଏହାର ଏକ ନକଲ ତ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ (ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଉପଲବ୍ଧ ଥିବ ନିଶ୍ଚୟ ।

ଶାସ୍ତ୍ରୀଜୀଙ୍କ ମୃତ୍ୟୁକୁ ନେଇ ବିବାଦର ସୂତ୍ରପାତ

ସାଧାରଣତଃ ଅକସ୍ମାତ୍ ମୃତ୍ୟୁ ସହଜରେ ଗ୍ରହଣଯୋଗ୍ୟ କି ବିଶ୍ୱାସ କରିହୁଏନା । ଲାଲ ବାହାଦୂରଙ୍କ ମୃତ୍ୟୁ ତ ସେମିତି କେହି ବିଶ୍ୱାସ କରିପାରୁନଥିଲେ କାରଣ ତାଙ୍କର ନିଧନ କେବଳ ଅପ୍ରତ୍ୟାଶିତ ନଥିଲା, ନିଜ ଦେଶଠୁ ଅନେକ ଦୂର, ପରଦେଶରେ ଘଟିଥିଲା । ଅବିଶ୍ୱାସ ସନ୍ଦେହର ରୂପ ନେବାକୁ ବେଶି ଡେରି ହୋଇନଥିଲା । ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ନିକଟତମ ବନ୍ଧୁ ଓ ସମ୍ପର୍କୀୟ ମହଲରେ ଏହି ଘଟଣା ଉପରେ ଚୁପ୍‌ଚୁପ୍‌ ଚର୍ଚ୍ଚା ଆରମ୍ଭ ହେଇଗଲା । ଧିରେ ଧିରେ ଏହି ଆଲୋଚନା ଅରଣ୍ୟର ନିଆଁ ଭଳି ଦେଶସାରା ବ୍ୟାପିଗଲା । ସଂସଦରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପରେ ପରେ ହିଁ ଜଣାପଡ଼ିଲା ଶାସ୍ତ୍ରୀଙ୍କ ଅସମୟ ମୃତ୍ୟୁ ଏକ ବିବଦମାନ ସ୍ୱରୂପ ନେଇସାରିଛି ।

୧୪ ଫେବୃୟାରୀ ୧୯୬୬ରେ ରାଜ୍ୟସଭା ଅଧିବେଶନ ସମୟରେ ପ୍ରଥମେ ଅଟଳ ବିହାରୀ ବାଜପେୟୀ ଶାସ୍ତ୍ରୀଜୀଙ୍କ ଅସମୟ ନିଧନରେ ଦୁଃଖ ପ୍ରକାଶ କଲେ । ଏହି ଦରଦୀପ୍ରାଣ ଜନସଙ୍ଗ ନେତାଙ୍କ ମନପ୍ରାଣ ବିବେକର ତାଡ଼ନାରେ ଉଦ୍‌ବେଳିତ ହେଉଥିଲା ନିଶ୍ଚୟ । ସେ ତାସକନ୍ଦ ରାଜିନାମାକୁ ଅତ୍ୟନ୍ତ କଟୁ ସମାଲୋଚନା କରିଥିଲେ, ସମ୍ଭବତଃ ଏପରି କଠୋର ପ୍ରତିକ୍ରିୟା ଶାସ୍ତ୍ରୀଙ୍କୁ ତାଙ୍କ ଜୀବନର ଅନ୍ତିମ ଦିବସରେ ଅନେକ ବ୍ୟଥା ଦେଇଥାଇପାରେ ବୋଲି ସେ ଆଶଙ୍କା କରୁଥିଲେ । ଏଣୁ ଅଟଳ ବିହାରୀ ବାଜପେୟୀ ହିଁ ପ୍ରଥମେ ପଚାରିଲେ, “ଶାସ୍ତ୍ରୀଜୀ କାହିଁକି ନିଜ ପଲଙ୍କ ନିକଟରୁ ତାଙ୍କ ବ୍ୟକ୍ତିଗତ ପରିଚାରକଙ୍କୁ ଡକାଇ ପାରିଲେ ନାହିଁ?”

୧୬ ଫେବୃୟାରୀ ୧୯୬୬ରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସ୍ୱର୍ଣ୍ଣ ସିଂହ ଶାସ୍ତ୍ରୀଜୀଙ୍କ ଅସମୟ ତଥା ସନ୍ଦେହ ଉଦ୍ରେକାରୀ ମୃତ୍ୟୁ ଘଟଣା ପର୍ଯ୍ୟବେସିତ କିଛି ତଥ୍ୟ ଉପସ୍ଥାପନ କଲେ । ସେ ସ୍ୱୀକାର କଲେ ଯେ ସେଦିନ ତାସକନ୍ଦରେ ଶାସ୍ତ୍ରୀଙ୍କ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ସବୁକିିଛି ଠିକ୍‌ଠାକ୍ ଚାଲିଥିଲା । “ମୋ ସହକର୍ମୀ, ପ୍ରତିରକ୍ଷା ମନ୍ତ୍ରୀ, ମୁଁ ତଥା ପ୍ରତିନିଧି ଦଳର ଅନ୍ୟ ସଦସ୍ୟଗଣ ତାସକନ୍ଦ ରହଣୀ ସମୟରେ ପ୍ରତ୍ୟେକ ଦିନ ତାଙ୍କ ପାଖେ ପାଖେ ସଦା ରହୁଥିଲୁ । ସେ ବହୁତ ପୂର୍ତ୍ତି ଓ ସହଜ ମନେ ହେଉଥିଲେ । ତାଙ୍କ ଦୈନିକ କାର୍ଯ୍ୟ ନିର୍ଘଣ୍ଟର ଚାପ ଦିଲ୍ଲୀ ଅପେକ୍ଷା ତାସକନ୍ଦରେ ଅପେକ୍ଷାକୃତ କମ୍ ଥିଲା ଓ ଏହି ସମୟ ମଧ୍ୟରେ ସେ କେବେ ନିଜ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ କୌଣସି ଆପତ୍ତି କରିନଥିଲେ । ପ୍ରକୃତରେ କ୍ଳାନ୍ତି ବା ଚାପର କୌଣସି ଚିହ୍ନବର୍ଣ୍ଣ ନଥିଲା ତାଙ୍କ ଚେହେରାରେ । ” ସ୍ୱର୍ଣ୍ଣ ସିଂହ ଯୋଡ଼ିଲେ, “ତାସକନ୍ଦର ଶାସ୍ତ୍ରୀଜୀଙ୍କ ରହିବାର ସବୁ ବନ୍ଦୋବସ୍ତ ଆମ ମସ୍କୋ ରାଷ୍ଟ୍ରଦୂତଙ୍କ ସହିତ ଆଲୋଚନା ଓ ତତ୍ତ୍ୱାବଧାନରେ କରାଯାଇଥିଲା । ତା’ପରେ ମନ୍ତ୍ରୀ ମହୋଦୟ ସୋଭିଏତ ମହାସଂଘର ସରକାରଙ୍କୁ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀଙ୍କ ଶେଷ ସମୟ ପର୍ଯ୍ୟନ୍ତ ବିବିଧ ଆରାମ ଓ ସୁବିଧାର ସୁବନ୍ଦୋବସ୍ତ ଓ ସୁପରିଚଳାନା କରିବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଓ କୃତ୍ୟଜ୍ଞତା ଜ୍ଞାପନ କରିଥିଲେ । ”

“ଶାସ୍ତ୍ରୀଙ୍କ କୋଠରୀରେ କାହିଁକି ଟେଲିଫୋନର ବନ୍ଦୋବସ୍ତ ନଥିଲା” ଭଳି ଏକ ତୀକ୍ଷ ପ୍ରଶ୍ନର ସ୍ପଷ୍ଟିକରଣରେ ମନ୍ତ୍ରୀ କହିଲେ, ପ୍ରକୃତରେ ତାଙ୍କ ସୁଇଟ (ସମ୍ଭ୍ରାନ୍ତ ହୋଟେଲରେ ଖାସ୍ ଅତିଥିଙ୍କ ଅବସ୍ଥାନ ଉଦ୍ଧେଶ୍ୟରେ ବର୍ଣ୍ଣାଢ୍ୟ କକ୍ଷସମୁହ) ରେ ଦେଶୀୟ ଓ ଅର୍ନ୍ତଦେଶୀୟ କଲ ନିମନ୍ତେ ଦୁଇଟି ଟେଲିଫୋନ ବ୍ୟତୀତ ଏକ ତୃତୀୟ ଟେଲିଫୋନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ବଜର ସଂଯୋଜିତ ତୃତୀୟ ଟେଲିଫୋନଟିର ରିସିଭର ଉଠାଇବା ମାତ୍ରକେ ତାହା ବାଜି ଉଠିବ । ପ୍ରଧାନମନ୍ତ୍ରୀ ନିଜ ବ୍ୟକ୍ତିଗତ କର୍ମଚାରୀ ବା ଡାକ୍ତରଙ୍କୁ ଡକାଇବା ଉଦ୍ଧେଶ୍ୟରେ ଏହି ଟେଲିଫୋନର ବ୍ୟବସ୍ଥା କରାଯାଇଥିଲା । ଡଃ ଚୁଗ୍ ଓ ଛ’ ଅନ୍ୟ ସୋଭିଏତ ଡାକ୍ତରଙ୍କ ସ୍ୱାକ୍ଷରିତ ଏକ ମେଡ଼ିକାଲ ରିପୋର୍ଟକୁ ମଧ୍ୟ ସ୍ୱର୍ଣ୍ଣ ସିଂହ ଗୃହରେ ଉପସ୍ଥାପିତ କରିଥିଲେ । ଏହି ରିପୋର୍ଟ ସ୍ୱର୍ଣ୍ଣ ସିଂହଙ୍କ ମନ୍ତବ୍ୟର ପୃଷ୍ଟି କରିବା ସହିତ ଦର୍ଶାଇଥିଲା ଯେ ତାସକନ୍ଦ ରହଣୀ ସମୟରେ ଓ ଖାସ୍ କରି ୧୦ ଜାନୁଆରୀ ସନ୍ଧ୍ୟାରେ ଶାସ୍ତ୍ରୀଜୀ ‘ବେଶ୍ ସୁସ୍ଥ’ ଥିଲେ ଓ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଆପତ୍ତି କରିନଥିଲେ । କିନ୍ତୁ ହଠାତ୍ ୧୧ ଜାନୁଆରୀ ମଧ୍ୟରାତ୍ରି ପରେ ସେ ଚାଲିଗଲେ । ପରିଶେଷରେ ରିପୋର୍ଟ ଉଲ୍ଲେଖଥିଲା:

‘ଲାଲ ବାହାଦୂର ଶାସ୍ତ୍ରୀ ପୂର୍ବରୁ ହୃଦ୍‌ଘାତ ବା ଡାକ୍ତରୀ ଭାଷାରେ ଇନ୍‌ଫାର୍ଟ ମାଓକାର୍ଡାର (ମାଓକାର୍ଡିଆଲ ଇନ୍‌ଫାର୍କସନ) ଶିକାର ହେଇଥିଲେ । ୧୦ ଓ ୧୧ ଜାନୁଆରୀର ମଧ୍ୟରାତ୍ରିରେ ସେ ଏହି ରୋଗରେ ପୁନଃ ଆକ୍ରାନ୍ତ ହେଲେ । ତେଣୁ ତାଙ୍କ ପୂର୍ବ ସ୍ୱାସ୍ଥ୍ୟ ଇତିହାସ ଓ ଘଟଣା ଦିନର ସବୁ ତଥ୍ୟର ସାମଗ୍ରିକ ବିଶ୍ଳେଷଣ କୁହେ ଯେ ସେ ଇନ୍‌ଫାର୍ଟ ମାଓକାର୍ଡରେ ହିଁ ମୃତ୍ୟୁବରଣ କରିଥିଲେ । ’

ସ୍ୱର୍ଣ୍ଣ ସିଂହଙ୍କ ଏହି ବୟାନ ଯେ ସବୁ ସଂନ୍ଦେହର ପୂର୍ଣ୍ଣଛେଦ ପକାଇବ ଏଭଳି ସମ୍ଭାବନା କ୍ଷୀଣସ୍ଥାୟୀ ଥିଲା । ଆଲୋଚନାର ମଙ୍ଗ ଏଥର ଅଟଳବିହାରୀ ବାଜପେୟୀ ଧରିଲେ, ତାଙ୍କର ସିଧା ପ୍ରଶ୍ନ ଥିଲା, “ଶାସ୍ତ୍ରୀଙ୍କୁ ଦୁଗ୍ଧ ଗ୍ଳାସ୍ କିଏ ଦେଲା?” ଏହି ସମୟ ଭିତରେ ଶାସ୍ତ୍ରୀଙ୍କ ନିକଟ ସମ୍ପର୍କୀୟ ଓ ବନ୍ଧୁଗଣ ମହମ୍ମଦ ଜାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଦେଇଥିଲେ । “ତାସକନ୍ଦରୁ ଭାରତୀୟ ସମ୍ବାଦଦାତାଙ୍କ ଅନୁଯାୟୀ ଶାସ୍ତ୍ରୀ ଶେଷ ଖାଦ୍ୟ ରୂପେ ଏକ ଗ୍ଳାସ ଦୁଗ୍ଧ ପିଇଥିଲେ । ତେଣୁ ମୁଁ ଜାଣିବାକୁ ଚାହିଁବି କିଏ ସେହି ବ୍ୟକ୍ତି ଯିଏ ତାଙ୍କୁ ଦୁଗ୍ଧ ଯାଚିଥିଲା ?”

“ଏହାର ଜବାବରେ ମୁଁ କିଛି କହିପାରିବି ନାହିଁ କାରଣ ଭୃତ୍ୟ ଶ୍ରୀ ରାମନାଥ ହିଁ ତାଙ୍କର ସବୁ ସେବା କରୁଥିଲେ । ମୁଁ ଜାଣେ ନାହିଁ ଯେ ସେ ଶେଷଥର ଦୁଗ୍ଧ ପିଇଥିଲେ ଓ ଯଦି ପିଇଥିଲେ ମୋତେ ଜଣାନାହିଁ କିଏ ଏହା ତାଙ୍କୁ ଯୋଗାଇଥିଲା । ” ସ୍ୱର୍ଣ୍ଣ ସିଂହଙ୍କ ଏହି ଉତ୍ତର ଅସ୍ପଷ୍ଟ ଥିଲା । ବାଜପେୟୀ ତଥାପି ତାଙ୍କ ଉପରେ ଚାପ ସ୍ୱରୂପ ଜିଦ୍ ଧରିଲେ: “ତା’ହେଲେ ମନ୍ତ୍ରୀ ମହୋଦୟ, ତଦନ୍ତ କରନ୍ତୁ, ଶୋଇବା ପୂର୍ବରୁ କ’ଣ ଶାସ୍ତ୍ରୀଜୀଙ୍କୁ ଦୁଗ୍ଧ ଦିଆଯାଇଥିଲା ନା ନାହିଁ । ମୋତେ ଏହି ସୂଚନା ଦରକାର । ସୂଚନାର କୌଣସି ନିଷ୍କର୍ଷ ନୁହେଁ । କିନ୍ତୁ ମାନନୀୟ ମନ୍ତ୍ରୀ ମହୋଦୟ ଉପରୋକ୍ତ ତଥ୍ୟକୁ ସ୍ୱୀକାର କରନ୍ତୁ ଅବା ଖଣ୍ଡନ କରନ୍ତୁ । ”

ସ୍ୱର୍ଣ୍ଣ ସିଂହ ଏହାର ଯଥାଯଥ ଉତ୍ତର ଦେବାକୁ ଯାଇ କହିଲେ, “ମୁଁ ଏହାକୁ ସ୍ୱୀକାର ବା ଖଣ୍ଡନ କରିବାର ଅବସ୍ଥାରେ ନାହିଁ । ସେ ଶେଷଥର କ’ଣ ନେଇଥିଲେ ଓ ଏହା ତାଙ୍କୁ କିଏ ଯୋଗାଇଥିଲା ଏ ସମ୍ବନ୍ଧୀୟ କୌଣସି ତଥ୍ୟ ମୋ ନିକଟରେ ନାହିଁ । ସମ୍ମାନନୀୟ ସଦସ୍ୟ ଯଦି ଚାହାଁନ୍ତି ମୁଁ ଏହାର ଅନୁସନ୍ଧାନ କରିବି । ଏହି ପ୍ରସଙ୍ଗରେ ମୁଁ ଏତିକି କହିବି, ଆମେ ସମସ୍ତେ ଦେଶର ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା, ଅନିଚ୍ଛାକୁ ସମ୍ମାନ ଜଣାଇ ଚଳୁଥିଲୁ । ତେଣୁ ମୁଁ ହୁଏ ବା ଆଉ କିଏ ଏଥିରେ ଅଧିକା କ’ଣ କରି ପାରିବ? ସେ ହିଁ କହିପାରିବେ ତାଙ୍କର ପାଇଁ କେଉଁଟା ବେଶି ସୁବିଧାଜନକ । ଡାକ୍ତର ସେହି କୋଠାରେ ଥିଲେ; ତାଙ୍କ ସହକାରୀ ମଧ୍ୟ । ପ୍ରଧାନମନ୍ତ୍ରୀଙ୍କ କକ୍ଷରେ ବଜରର ବନ୍ଦୋବସ୍ତ କରାଯାଇଥିଲା । ରିସିଭର ଉଠାଇଲା ମାତ୍ରେ ତାଙ୍କ ସହାୟକ, ଡାକ୍ତର ଓ ତାଙ୍କ ସହକର୍ମୀଙ୍କ କକ୍ଷରେ ଏହା ବାଜିଉଠିବ । ସେମାନେ ସମସ୍ତେ ଧାଇଁ ଆସିବେ । ଏହା ତାଙ୍କ ଉପରେ ନିର୍ଭର କରେ ସେ ଏହା ବ୍ୟବହାର କରିବେ କି ନାହିଁ । ମୁଁ କିଏ କହିବାକୁ ଯେ ସେ ନିଜ ପାଖରେ ସହକାରୀ ବା ଅନ୍ୟ କାହାକୁ ରଖିବାକୁ ବାଧ୍ୟ । ସେ ହିଁ ନିର୍ଣ୍ଣୟ ନେବେ; ତାଙ୍କ କକ୍ଷରେ ହିଁ କୌଣସି ସହକାରୀ ଶୋଇବେ ବା ଅନ୍ୟ କେଉଁ କକ୍ଷରେ । ଏସବୁ ର ଉତ୍ତର ମୁଁ ଦେଇପାରିବି ନାହିଁ । ”

ଦ୍ୟୟାଭାଇ ଭି ପଟେଲ ଏ ପ୍ରସଙ୍ଗରେ ନିଜ ଶଙ୍କା ଜାହିର କଲେ । “ମୁଁ ଜାଣିପାରେକି ଅମ୍ଳଜାନ ବ୍ୟବସ୍ଥା ହୋଇଥିଲା କି ଓ ଯଦି ହୋଇଥିଲା ଶାସ୍ତ୍ରୀଙ୍କୁ ଏହା ଦିଆଯାଇଥିଲା କି ନା ? ଏପରି ପରିସ୍ଥିତିରେ ଅମ୍ଳଜାନ ହୃଦ୍ରୋଗୀଙ୍କୁ ବହୁତ ଉପଶମ ଦେଇଥାଏ । ଅମ୍ଳଜାନ ଦିଆଯାଇଥିଲା କି ?”

ମନ୍ତ୍ରୀଙ୍କ ଉତ୍ତର ଥିଲା, “ମୋତେ ସୂଚିତ କରାଯାଇଥିଲା ଯେ ଅମ୍ଳଜାନର ସମସ୍ତ ବ୍ୟବସ୍ଥା ଡ଼ଃ ଚୁଗ୍ କରିଥିଲେ ଓ ଯାହା ପ୍ରୟୋଜନୀୟ ସବୁକିଛି କରାଯାଇଥିଲା । ” ବାଜପେୟୀଙ୍କୁ ଏହି ଉତ୍ତର ସନ୍ତୋଷଜନକ ନଲାଗିବାରୁ ସେ ପ୍ରେସ୍ ରିପୋର୍ଟ କଥା ଉଠାଇଲେ ଯେ ରିପୋର୍ଟ ଅନୁସାରେ ଅମ୍ଳଜାନ ଦିଆଯାଇନଥିଲା । ସ୍ୱର୍ଣ୍ଣ ସିଂହ କହିଲେ, ଡାକ୍ତରୀଙ୍କ ରିପୋର୍ଟରେ ଦିଆଯାଇଥିବାର ତଥ୍ୟ ବାଦ୍ ଅଧିକା କିଛି ବା ଅନ୍ୟ କୌଣସି ସୂଚନା ଆଧାରରେ ସେ ମନ୍ତବ୍ୟ ଦେଇପାରିବେନି ।

ଏମ. ପି ଭାର୍ଗବ ନାମକ ଅନ୍ୟ ଜଣେ ସାଂସଦ ସୋଭିଏତ ସରକାରଙ୍କ ସହିତ ଏକ ବାଦନୁବାଦର ସତ୍ୟାସତ୍ୟ ଜାଣିବାକୁ ଚାହିଁଲେ । ସୋଭିଏତ ସରକାରଙ୍କ କ’ଣ ଭାରତୀୟ ଦୂତବାସ ସହିତ ଶାସ୍ତ୍ରୀଙ୍କ ରହଣୀ ସ୍ଥାନକୁ ନେଇ ବାଦନୁବାଦ ଥିଲା ? କ’ଣ ସୋଭିଏତ ସରକାର ଚାହୁଁଥିଲେ ‘ଶାସ୍ତ୍ରୀ ଅନ୍ୟ ଭାରତୀୟ ପ୍ରତିନିଧିଙ୍କ ସହ ଗୋଟିଏ ହୋଟେଲରେ ରୁହନ୍ତୁ ଯେଉଁଠି ହୃଦ୍ ବିଶେଷଜ୍ଞମାନଙ୍କ ୨୪ ଘଣ୍ଟିଆ ରହଣୀର ସମସ୍ତ ବନ୍ଦୋବସ୍ତ କରାଯାଇଛି ?’ ନାସ୍ତିସୂଚକ ଉତ୍ତରରେ ମନ୍ତ୍ରୀ ମହୋଦୟ କହିଲେ, “ଶାସ୍ତ୍ରୀ ରହୁଥିବା ଭିଲା ହିଁ ପୂର୍ବରୁ ତାଙ୍କ ରହିବା ସକାଶେ ନିର୍ଦ୍ଧାରିତ ଥିଲା । ”

ସାଂସଦରେ ଏହି ସଂକ୍ଷିପ୍ତ ଆଲୋଚନା ପରେ ହିଁ ପ୍ରସଙ୍ଗଟିରେ ପୂର୍ଣ୍ଣଛେଦ ପଡ଼ିଲା ବୋଲି ସମସ୍ତେ ଧରିନେଲେ । କିନ୍ତୁ ଏହି ନୀରବତା ସାମୟିକ ଥିଲା । ହଠାତ୍ ୧୯୬୭ରେ ଏହି ବିବାଦୀୟ ପ୍ରସଙ୍ଗଟି ସତେ ଯେମିତି ପୁନଃ ଜୀବନ୍ୟାସ ପାଇଲା । ମୁମ୍ବାଇରୁ ପ୍ରକାଶିତ ଦୁଇଟି ପତ୍ରିକାର ସମ୍ପାଦକ ଦ୍ୱୟ ପରସ୍ପରକୁ ଆମେରିକୀୟ ତଥା ସୋଭିଏତ ଗୁଇନ୍ଦା ସଂସ୍ଥା ଦ୍ୱାରା ପରିଚାଳିତ ଭଳି ଘୃଣ ଆରୋପ ଓ ପ୍ରତ୍ୟାରୋପରେ ଲିପ୍ତ ଯୋଗୁ ଶାସ୍ତ୍ରୀଙ୍କ ବିବାଦୀୟ ପରିସ୍ଥିତିରେ ମୃତ୍ୟୁ ପୁଣି ଲୋକମାନସକୁ ଆନ୍ଦୋଳିତ କଲା । ଏହି ଆରୋପ ପ୍ରତ୍ୟାରୋପର ସୂତ୍ରପାତ ହେଇଥିଲା ଯେବେ କଥିତ ସୋଭିଏତ ୟୁୁନିଅନ ସପକ୍ଷବାଦୀ ‘ବ୍ଳିଜ’ ପତ୍ରିକା ୧୫ ଜାନୁୟାରୀ ୧୬୬ ସଂଖ୍ୟାରେ ଶାସ୍ତ୍ରୀଙ୍କ ସଫଳ ନେତୃତ୍ୱ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ଏକ ଲେଖା ପ୍ରକାଶିତ କଲା । ସମ୍ପାଦକ ରୁଶି କରଞ୍ଚିଆ ଲେଖିଥିଲେ ଗୌରବର ଶୀର୍ଷରେ ଥିବା ଅବସ୍ଥାରେ ଶାସ୍ତ୍ରୀ ମୃତ୍ୟୁବରଣ କଲେ । ସେ ଲେଖିଥିଲେ ଶାସ୍ତ୍ରୀଜୀ ତାସକନ୍ଦ ଗସ୍ତରେ ପୂର୍ବରୁ ତାଙ୍କୁ ଏକ ପତ୍ର ଲେଖିଥିଲେ- ଏହା ଶାସ୍ତ୍ରୀଙ୍କ ଶେଷ ଗସ୍ତ ପୂର୍ବ ଅନ୍ତିମ ବାର୍ତ୍ତା ବୋଲି ମଧ୍ୟ କୁହାଯାଇପାରେ । ଶାସ୍ତ୍ରୀ ନିଶ୍ଚିତତାର ସହିତ ଲେଖିଥିଲେ ଭାରତ ସ୍ଥାୟୀ ଶାନ୍ତି ସ୍ଥାପନାର ଦୃଢ଼ ସଂକଳ୍ପ ନେଇ ଏହି ବୈଠକରେ ଯୋଗ ଦେବାକୁ ଯାଉଛି । କରଞ୍ଚିଆ ଜଣାଇଥିଲେ ୨ ଜାନୁୟାରୀର ତାରିଖ ଯୁକ୍ତ ଏହି ଚିଠିଟି ‘ବ୍ଳିଜ’ର ଜାନୁଆରୀ ସଂଖ୍ୟାରେ ପ୍ରକାଶ କରାଯାଇଥିଲା । ନିଜ ମତାମତ ଦେବାକୁ ଯାଇ ସେ କହିଲେ ଭବିଷ୍ୟତ ପିଢ଼ି ଏହି ପାଞ୍ଚ ଫୁଟିଆ କିନ୍ତୁ ତେଜ୍ୟୋଦିପ୍ତ କିମ୍ବଦନ୍ତୀ ପୁରୁଷ ହିସାବରେ ଶାସ୍ତ୍ରୀଜୀଙ୍କୁ ସଦା ମନେ ରଖିବ । ଏହି ପରିପ୍ରେକ୍ଷୀରେ ଚିଠିଟିର ଐତିହାସିକ ଗୁରୁତ୍ୱ ରହିଛି କାରଣ ଉତ୍ତର ପୀଢ଼ିକୁ ଏହି ଚିଠି ହିଁ ଶାସ୍ତ୍ରୀଜୀଙ୍କୁ ଶାନ୍ତି ସପକ୍ଷବାଦୀ ଏକ ଦୃଢ଼ ପ୍ରତିଜ୍ଞ ନେତା ବୋଲି ପ୍ରମାଣ ଦେବ । ସେ ଯୋଡ଼ିଲେ ଶାସ୍ତ୍ରୀଙ୍କ ଏହି ଶେଷ ବାର୍ତ୍ତା ବିନା କୌଣସି ପ୍ରରୋଚନା ବା ଯାଚନାରେ ଆମ ପାଖକୁ ପ୍ରେରିତ କରାଯାଇଥିଲା । ପତ୍ରଟିରେ ଶାସ୍ତ୍ରୀଙ୍କ ଶାନ୍ତି ପ୍ରତି ପ୍ରଗାଢ଼ ପ୍ରେମକୁ ସୂଚାଏ ।

‘ମଣିଷ ଭଗବାନଙ୍କଠାରେ ଆଉ କେତେ ବଡ଼ ଗୌରବ ବା ଉପସଂହାରର ଆଶା ରଖିବ? ଦେଶ ଶୋକାବିଭୂତ; ଆମ ଲୋକେ ନିଜକୁ ଅନାଥ ମଣୁଛନ୍ତି; କିନ୍ତୁ ଶାସ୍ତ୍ରୀଜୀ ଗୌରବର ଏକ ପ୍ରଜ୍ଜ୍ଵଳିତ ଶିଖା ଉପରେ ଆସୀନ ହୋଇ ଇହଧାମ ତ୍ୟାଗ କଲେ, ବିଧ୍ୱଂସକାରୀ ଯୁଦ୍ଧରେ ନୁହେଁ ବରଂ ଶାନ୍ତିର ଆଲୋଚନାରେ ସଫଳ ପୂର୍ବକ ନିଜର ଦାୟିତ୍ୱ ନିର୍ବାହ କରି ସେ ମହାନ୍ । ପ୍ରକୃତରେ ଶାନ୍ତିର ପ୍ରୟାସରେ ଅନେକ ପରିଶ୍ରମ କରି ଶେଷରେ ଜୀବନ ହାରିଥିବା ଏକ ଶହୀଦ୍‌ ଶ୍ରୀ ଶାସ୍ତ୍ରୀ । ଶାନ୍ତି ତଥା ଭାଇଚାରାର ଆଦର୍ଶରେ ତେଜୀୟାନ ତାସକନ୍ଦ ଆମର ସ୍ତୃତି ମନ୍ଦିର, ଯାହା ବାସ୍ତବରେ ପୂରା ବିଶ୍ୱର ସ୍ତୃତି ମନ୍ଦିର ସେହି ମହାନ୍ କମ୍ ଉଚ୍ଚତା ବିଶିଷ୍ଟ ମଣିଷଙ୍କ ପାଇଁ ଯାହାଙ୍କ ଆତ୍ମା ଏବେ ଅନନ୍ତକାଳ ବ୍ୟାପୀ ଅଜୟ, ଅମର । ’

ପ୍ରାୟ ବର୍ଷକ ପରେ ୨୫ ମାର୍ଚ୍ଚ ୧୯୬୭ରେ ‘ ମାର୍ଚ୍ଚ ଅଫ ଦ ନେସନ୍‌’ ଖବର କାଗଜରେ ଏକ ଛାଞ୍ଚଲ୍ୟକର ଆଲେଖ୍ୟ, ସେହି ଦୁଃଖଦ ଘଟଣାର ଉପରୋକ୍ତ ଆବେଗିକ ବ୍ୟାଖ୍ୟାନଟିକୁ ଏକ ଛଳନାପୂର୍ଣ୍ଣ ମନ୍ତ୍ରଣାର ଅଂଶବିଶେଷ ବୋଲି ପ୍ରକଟନ କରିଥିଲା । ଖବରକାଗଜର ପରିଚାଳକ ଲୋକସଭା ସାଂସଦ ପିଲୁ ମୋଦିଙ୍କୁ ଭାରତର କେତେକ ଗୋଷ୍ଠୀ ସି.ଆଇ.ଏ ଏଜେଣ୍ଟ ବୋଲି କଟାକ୍ଷ କରନ୍ତି । ସେ ଆମେରିକାରେ କେବଳ ଶିକ୍ଷା ପ୍ରାପ୍ତ କରିନଥିଲେ ଜଣେ ଆମେରିକୀୟ ମହିଳାଙ୍କୁ ବିବାହ ମଧ୍ୟ କରିଥିଲେ । ତେଣୁ ସ୍ୱାଭାବିକ ଭାବେ ଆମେରିକା ପ୍ରତି ତାଙ୍କର ଥିଲା ନରମ ମନୋଭାବ ।

‘ମାର୍ଚ୍ଚ’ ଖବରକାଗଜରେ ପ୍ରକାଶିତ ଆଲେଖ୍ୟଟି ପ୍ରକୃତରେ ଅଲ ଯମାନ ନାମକ ବେରୁଟର ଏକ ଲେବାନିଜ୍ ସମ୍ବାଦପତ୍ର ତାର ୨୭ ଫେବୃୟାରୀ ସଂଖ୍ୟାରେ ନୂଆ ଦିଲ୍ଲୀରେ ଅବସ୍ଥାପିତ ଲେବାନିଜ୍ କୁଟନୀତିିଜ୍ଞଙ୍କ ଏକ ଲେଖା ଉପରେ ପର୍ଯ୍ୟବେସିତ ।

‘ଅଲ ଯମାନ’ ଲେଖାଟିରେ ତିନୋଟି ଆରୋପ କରାଯାଇଥିଲା । ପ୍ରଥମ ସୋଭିଏତ ୟୁନିୟନ ନିମ୍ନମାନର ରକେଟ ବିକି ଭାରତକୁ ଠକିଥିଲା । ତେଣୁ ୧୯୬୫ ଯୁଦ୍ଧରେ ଏହା ସଠିକ୍ କାମ କଲା ନାହିଁ । ଦ୍ୱିତୀୟ ଭାରତ ଓ ପାକିସ୍ଥାନକୁ ନିଜର ଅସ୍ତ୍ର ରୂପେ ବ୍ୟବହାର କରିବାକୁ ତାସକନ୍ଦ ଶିଖର ବୈଠକ ଆୟୋଜନ ସୋଭିଏତ ସଂଘର ଏକ କୁଟନୈତିକ ଚାଲ୍‌ ଥିଲା । ତାତ୍ପର୍ଯ୍ୟ ଏହି ଯେ ତାସକନ୍ଦ ଶିଖର ବୈଠକରେ ସୋଭିଏତ ସଂଘକୁ ବହୁତ ଫାଇଦା ମିଳିଥିଲା କିନ୍ତୁ ପ୍ରକୃତରେ ଏହା ଭାରତ ପାଇଁ ଏକ ବିଫଳତା ଥିଲା । ଯଦିଓ ଭାରତ ସରକାର ଏହାକୁ ଏକ ସଫଳ ବୈଠକର ଆଖ୍ୟା ଦେବାକୁ ଚେଷ୍ଟିତ ଥିଲେ । ତୃତୀୟରେ ‘ବ୍ଳିଜ’ରେ ପ୍ରକାଶିତ ଶାସ୍ତ୍ରୀଙ୍କ ବାର୍ତ୍ତା ନକଲି ଥିଲା । ଏହି ଜାଲ ପତ୍ରର ପ୍ରକାଶନ ଉଦ୍ଧେଶ୍ୟପ୍ରଣୋଦିତ ଥିଲା । ତାସକନ୍ଦ ସପକ୍ଷରେ ଭାରତୀୟ ଜନତାଙ୍କ ସମର୍ଥନ ହାସଲ କରିବା ଏହାର ମୁଖ୍ୟ ଉଦ୍ଧେଶ୍ୟ ଥିଲା । ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ତଥାକଥିତ ପତ୍ରଟି ଏହି ଉଦ୍ଧେଶ୍ୟ ସ୍ଫୂର୍ତ୍ତିରେ ସହାୟକ ହୋଇଥିବା କୁହାଯାଏ ।

‘ମାର୍ଚ୍ଚ ଅଫ ଦ ନେସନ୍‌’ ଏହି ପତ୍ର ବ୍ୟାପାରେ ଅନୁସନ୍ଧାନ ଚାହିଁଲା । ସେ କହିଥିଲା, ଯଦି ଏହି ପତ୍ର ଅସଲି ହେଇଥାଏ ତେବେ ଏହାର ଏକ ନକଲ ତ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ (ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଉପଲବ୍ଧ ଥିବ ନିଶ୍ଚୟ । ସେ ପୁଣି କହିଲା ଯଦି ପତ୍ରଟି ଜାଲ ବୋଲି ଜଣାପଡ଼େ ତା’ହେଲେ ତାସକନ୍ଦ ବୈଠକ ଏକ ଭିନ୍ନ ରଙ୍ଗ ନେବ ଓ ଏହି ଐତିହାସିକ ରାଜିନାମାକୁ ଆଗେଇ ନେବାରେ ସୋଭିଏତ ସଂଘର ଭୂମିକା ବି ସନ୍ଦେହ ଘେରକୁ ଆସିଯିବ ।

‘ବ୍ଳିଜ’ ପ୍ରତ୍ରିକା ଏଭଳି ଆରୋପକୁ ଖଣ୍ଡନ କରିବାକୁ ଯାଇ ପ୍ରତ୍ୟାରୋପ ଓ ବ୍ୟକ୍ତିଗତ ଚରିତ୍ର ସ୍ଫଳନର ଲାଗିପଡ଼ିଲା । ୨ ଜୁଲାଇ ୧୯୬୭ରେ କରଞ୍ଚିଆଙ୍କ ‘ବ୍ଳିଜ’ ପତ୍ରିକାରେ ବଡ଼ ବଡ଼ ଅକ୍ଷର ଶୀର୍ଷକ ଖବରରେ ଲେଖିଥିଲା- ‘ବ୍ଳିଜ’କୁ ବଦନାମ କରିବାରୁ କ୍ଷାନ୍ତ ରୁହ, ସି.ଆଇ.ଏ… ନହେଲେ ତୁମେ ବିଶେଷ ବଦନାମ୍ ଓ କ୍ଷତିଗ୍ରସ୍ତ ହେବ । କରଞ୍ଚିଆ ଦୃଢ଼ୋକ୍ତିର ସହିତ କହିଲେ, ଭାରତ ସରକାର ଏହି ପତ୍ରର ପ୍ରାମାଣିକତାକୁ ସନ୍ଦେହ କରିବାର କୌଣସି ଅବକାଶ ନାହିଁ । ଏହା ସହିତ ‘ଅଲ-ଯମାନ’କୁ ଆମେରିକା ସପକ୍ଷବାଦୀର ଆଖ୍ୟା ଦେଲେ । ନିଜ ୨୨ ଜୁଲାଇ ସଂସ୍କରଣରେ ‘ବ୍ଳିଜ’ ଭାରତର ଜନସାଧାରଣଙ୍କୁ ଦେଶର ବ୍ୟାପାରରେ ସି.ଆଇ.ଏର ଅଦୃଶ୍ୟ ହାତ ପ୍ରତି ସାବଧାନ ରହିବାକୁ ଚେତାଇ ଦେଲା । ପରବର୍ତ୍ତି ସପ୍ତାହର ସଂସ୍କରଣରେ କରଞ୍ଚିଆ ଦାବୀ କଲେ ଯେ ଏହି ‘ଜାଲ୍‌’ ତଥ୍ୟକୁ ଅଭିସନ୍ଧିମୂଳକ ଭାବେ କେହି ଜଣେ ଆବିଷ୍କାର କରିଛି (ବୋଧହୁଏ ସି.ଆଇ.ଏ) ।

ନଛୋଡ଼ବନ୍ଧା ‘ମାର୍ଚ୍ଚ’ ପୁଣି ନିଜ ୫ ଅଗଷ୍ଟ ସଂଖ୍ୟାରେ ପ୍ରଥମ ପୃଷ୍ଠାରେ ଏକ ବିସ୍ତୃତ ଆଲେଖ୍ୟରେ କହିଥିଲା- ଚିଠିଟି ପୁରା ନକଲି ବୋଲି ସ୍ପଷ୍ଟ ଜଣାପଡ଼ୁଛି । ପ୍ରଧାନମନ୍ତ୍ରୀ କେବେଠୁ ବିନା ପତ୍ର ସଂଖ୍ୟାରେ ଚିଠି ଲେଖିବା ଆରମ୍ଭ କଲେ । ଆମେ ଶାସ୍ତ୍ରୀଙ୍କୁ ଏକ ନିଡ଼ାମ୍ବରପ୍ରିୟ ବ୍ୟକ୍ତିତ୍ୱ ହିସାବରେ ଜାଣୁ । ଆଶ୍ଚର୍ଯ୍ୟର କଥା ଯେ ଅଶୋକ ଚକ୍ର ସଂଯୁକ୍ତ ଏକ ଚିଠି(ଲେଟର ହେଡ଼) ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ପ୍ରେରଣ କରାଗଲା…ରାତାରାତିି ଭାରତୀୟ ଜନତାଙ୍କ ମତକୁ ପ୍ରଭାବିତ କରିି ତାସକନ୍ଦ ରାଜିନାମାର ସଫଳ ରୂପାୟନରେ ସହାୟକ ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଏଭଳି ଚିଠି ପାଇଁ ବ୍ୟବହୃତ କାଳି ଓ ଟାଇପ ମେସିନ୍‌ର ମାନକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇପାରେ । ‘ମାର୍ଚ୍ଚ’ର ସେହି ସଂଖ୍ୟାରେ ଅନ୍ୟ ଏକ ଆଲେଖ୍ୟରେ ସରକାର ତଥା ‘ବ୍ଳିଜ’କୁ ଉଭୟ ମୂଳ ଚିଠି ଓ ତାହାର ନକଲ ଜନସାଧାରଣଙ୍କ ପ୍ରର୍ଯ୍ୟବେକ୍ଷଣ ପାଇଁ ପ୍ରଦର୍ଶନ କରିବାକୁ ଆହ୍ୱାନ କରାଯାଇଥିଲା । “ଯଦି ଏହା ପ୍ରକୃତରେ ଅଛି, ତ ପ୍ରମାଣ କରିବା ତ ଅତି ମାମୁଲି କଥା” ।

ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗିର ଏହି ଧାରା ଜାରିରହିଲା । ଏହା ମଧ୍ୟରେ ୩୦ ଡ଼ିସେମ୍ବର ମାସରେ ‘ମାର୍ଚ୍ଚ’ ତର୍କ ତାତ୍ପର୍ଯ୍ୟତା ଭିତ୍ତିରେ କହିଲା, “ଯଦି ଚିଠିଟି ଜାଲ୍‌, ପ୍ରକୃତରେ ଯିଏ ବି ଏହାକୁ ବ୍ଳିଜ ପତ୍ରିକାରେ ପ୍ରକାଶିତ କରିପାରିଲା, ସେ ଜାଣିଥିଲା ଶାସ୍ତ୍ରୀଜୀ ଫେରିଆସି ଏହି ଚିଠିକୁ ପ୍ରତ୍ୟାଖାନ କରିବାର କୌଣସି ବିପଦରୁ ସେ ମୁକ୍ତ । ” ‘ମାର୍ଚ୍ଚ’ ଦୃଢ଼ୋକ୍ତି କଲା, “ଏହା ନୁହେଁ ଯେ ସୋଭିଏତ ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ କୋସିଗିନ୍‌ଙ୍କ ଶାସ୍ତ୍ରୀଙ୍କ ମୃତ୍ୟୁରେ କିଛି ଭୂମିକା ଅଛି ବୋଲି, କିନ୍ତୁ ମଧ୍ୟେ ମଧ୍ୟେ କେ.ଜି.ବି ଗୁପ୍ତରେ ନିଜ ଇଚ୍ଛାରେ କାର୍ଯ୍ୟ କରେ । ” ଆଉ ବେଶି କିଛି ନଲେଖି ସୋଭିଏତ ଗୁଇନ୍ଦା ବିଭାଗ ବା ଅନ୍ୟ କୌଣସି ତତ୍ତ୍ୱକୁ ସେ ଶାସ୍ତ୍ରୀଙ୍କ ମୃତ୍ୟୁ ଘଟଣା ସହିତ ସଂଯୋଜିତ କଲା ।

‘ପରିଶେଷରେ ଏତିକି କୁହାଯାଇପାରେ କି ଏହା ସୋଭିଏତ ହିତରେ ହେବ ଯଦି ସେ ଘଟଣାର ଉପଯୁକ୍ତ ଅନୁସନ୍ଧାନ କରାଯାଇ ଏହାର ପୃଷ୍ଟଭୂମିରେ କୌଣସି କେ.ଜି.ବି କର୍ମକର୍ତ୍ତା ସଂପୃକ୍ତି ଯଥା ଚିଠିକୁ ‘ବ୍ଳିଜ’ରେ ପ୍ରକାଶିତ କରିବାରେ ଭୂମିକା ଓ ଅନ୍ୟ ଏମିତି କିଛି କାର୍ଯ୍ୟକଳାପରେ ଜଡ଼ିତ (ଯାହା ନକହିବା ଠିକ୍ ହେବ) । ’ ବିବାଦୀୟ ନକଲି ଚିଠି ପ୍ରସଙ୍ଗ ୧୯୬୭ ଡିସେମ୍ବରରେ ପ୍ରଥମେ ରାଜ୍ୟସଭା ସାଂସଦ ଅବିଦ୍‌ ଅଲ୍ଲୀ ସଂସଦରେ ଉପସ୍ଥାପନ କରିଥିଲେ । ଅବିଦ୍‌ ଅଲ୍ଲୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ‘ବ୍ଳିଜ ଓ ମାର୍ଚ୍ଚର ଦାବୀ ପରିପ୍ରେକ୍ଷୀରେ’ “ସରକାରଙ୍କ ଦ୍ୱାରା କିପରି ପଦକ୍ଷେପ ନିଆଯାଇଛି” ଓ “ତଦନ୍ତର ଫଳାଫଳ କ’ଣ ହେଲା” ବୋଲି ପ୍ରଶ୍ନ କଲେ । ଆରୋପର ଗମ୍ଭୀରତା ସତ୍ୱେ, ଇନ୍ଦିରା ଗାନ୍ଧୀଙ୍କ ଉତ୍ତର ଅପେକ୍ଷାତୀତ ଥିଲା । “କୌଣସି ପ୍ରକାର ତଦନ୍ତ କରାଯାଇନାହିଁ କାରଣ ଏଭଳି କରିବାର କୌଣସି ଆବଶ୍ୟକତା ନଥିଲା” । ଆଶ୍ଚର୍ଯ୍ୟଚକିତ ଆବିଦ୍‌, ତାଙ୍କୁ ପୁନଃ ପ୍ରଶ୍ନ କଲେ “ଏହା କ’ଣ ସତ୍ୟ ନୁହେଁ କି, ‘ବ୍ଳିଜ’ ପତ୍ରିକା ଅନୁସାରେ ପ୍ରତିରକ୍ଷା ମନ୍ତ୍ରାଣାଳୟ, ବିଦେଶ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀଙ୍କ ସଚିବାଳୟ, ସୂଚନା ଓ ପ୍ରଂସାରଣ ମନ୍ତ୍ରାଣାଳୟ ଓ ସରକାରଙ୍କ ଅନ୍ୟ ବିଭାଗରେ ତଦନ୍ତ ସଂମ୍ପର୍କିତ ଅନେକ ଦସ୍ତାବିଜ ଗଚ୍ଛିତ ହେଇ ରହିଛି । ମୁଁ ତ କାହିଁ ସରକାରଙ୍କ ତରଫରୁ ଏ ତଥ୍ୟକୁ ଖଣ୍ଡନ କରିବାର ଦେଖୁନାହିଁ । ତାହା ପୁଣି ସେ ସବୁଥିରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏଥିରେ ଆଲୋକପାତ କରାଯାଇଥିବା ସତ୍ୱେ… । ”

ଏହି ସମୟରେ ସଂସଦରେ କୋଳାହଳ ହେତୁ ଅଲ୍ଲୀ ଚୁପ୍ ରହିଲେ । ସଂସଦର କାର୍ଯ୍ୟ ପୁନଃଆରମ୍ଭ ହୁଅନ୍ତେ, ସେ ନିଜ ଭାଷଣ ଚାଲୁରଖିଲେ, “ଏହି ବ୍ୟାପାରରେ ଋଷୀୟ ଗୁପ୍ତଚର ସଂସ୍ଥା ଲିପ୍ତ ଅଛି ବୋଲି ଅଭିଯୋଗ ହେଉଛି । ୠଷୀୟ ପ୍ରଧାନମନ୍ତ୍ରୀଙ୍କ ଅବଶ୍ୟ କୌଣସି ସଂପୃକ୍ତି ନାହିଁ । ମୋର ତାଙ୍କ ପ୍ରତି ଶ୍ରଦ୍ଧା ଅଛି । କିନ୍ତୁ ଯଦି କେ.ଜି.ବି, ଆମେରିକୀୟ ଗୁଇନ୍ଦା ସଂସ୍ଥା ସି.ଆଇ.ଏର ପ୍ରତିପକ୍ଷର କଥା ଉଠୁଛି, ମୁଁ ମାନନୀୟା ପ୍ରଧାନମନ୍ତ୍ରୀଙ୍କଠୁ ଜାଣିପାରେକି କ’ଣ ଏ ସଂକ୍ରାନ୍ତୀୟ କିଛି ଅନୁସନ୍ଧାନ କରାଯାଇଛି ? ଯଦି କିଛି ତଦନ୍ତ କରାଯାଇନାହିଁ ମୁଁ ଜାଣିପାରେକି କାହିଁକି କୌଣସି ତଦନ୍ତର ବିଚାର କରାଗଲା ନାହିଁ ? ଜାଲ୍‌ ଚିଠି ଭଳି ସଙ୍ଗୀନ କଥା ଉଲ୍ଲେଖ ଥିବା ସତ୍ୱେ ?”

ଇନ୍ଦିରା ଗାନ୍ଧୀଙ୍କ ନିଜ ପୂର୍ବ ଉତ୍ତର ଦୋହରାଇଲେ, “କୌଣସି ତଦନ୍ତ କରାଯାଇନାହିଁ କାରଣ ଏଭଳି କରାଯିବାର କୌଣସି ଆବଶ୍ୟକତା ଥିଲା ବୋଲି ଆମେ ଭାବିଲୁ ନାହିଁ” । ସେ ସ୍ମରଣ କଲେ, ଯେ ଏହି କଥା ଅନ୍ୟ କେତେ ଜଣ ବି ପୂର୍ବରୁ କହିଛନ୍ତି । ଜଣେ ଆଇନଜ୍ଞ ୟୁ.ଏନ ତ୍ରିବେଦୀ ପ୍ରସ୍ତାବ ଦେଇଥିଲେ “ଅସଲି ଚିଠି ବିଷେଶଜ୍ଞ ଯାଞ୍ଚ ନିମନ୍ତେ ପ୍ରସ୍ତୁତ କରିବା ପାଇଁ କରଞ୍ଚିଆଙ୍କୁ ନିର୍ଦ୍ଧେଶ ଦିଆଯାଉ” । ତଥାପି ଇନ୍ଦିରା ଗାନ୍ଧୀ ଜବାବରେ ଆବିଦ୍‌ ଅଲ୍ଲୀଙ୍କୁ କହିଥିଲେ “ମୁଁ ଏହି ବ୍ୟାପାର ଉପରେ ଅଧିକ କିଛି ମନ୍ତବ୍ୟ ଦେଇପାରିବିନି । ” ଏତିିକି କହି ସେ ଏଭଳି ସ୍ପର୍ଶକାତର ପ୍ରସଙ୍ଗରୁ ନିଜକୁ ଦୂରେଇନେଲେ । “ଅବଶ୍ୟ ଯଦି କରଞ୍ଚିଆ ଚାହାଁନ୍ତି ତାହେଲେ ସେ ସେହିମାନଙ୍କ ସମ୍ମୁଖରେ ଚିଠିଟିକୁ ଦେଖାନ୍ତୁ ଯେଉଁମାନେ ଚିଠିଟିର ଯଥାର୍ଥତା ଉପରେ ସନ୍ଦେହ କରୁଛନ୍ତି । କିନ୍ତୁ ଏହା କରିବା ନକରିବା ତାଙ୍କ ଉପରେ ନିର୍ଭର କରେ” ।

ସାଂସଦର ପ୍ରକାଶିତ ଦସ୍ତାବିଜ ଏହିଭଳି :

ଶ୍ରୀ ଅବିଦ୍‌ ଅଲ୍ଲୀ : ପ୍ରଧାନମନ୍ତ୍ରୀ ଦୟାପୂର୍ବକ ସେ ଚିଠିଟିକୁ ମଗାଇବାର ବନ୍ଦୋବସ୍ତ କରିବେ କି? ମୁଁ ଦାବୀ କରେ ଯେ ପ୍ରକୃତରେ ପାଞ୍ଚ ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟକୁ ଏକାଠି କରି ଏକ ଚିଠି ରୂପ ଦିଆଯାଇଛି । କୁହାଯାଉଛି ସେ ଚିଠିରେ ପ୍ରେରଣ ନଂ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ସମ୍ଭବ ହେବ କି ସେ ଗୃହର ରେକର୍ଡକୁ ମିଳାଇ ଦେଖିବେ ପ୍ରକୃତରେ କ’ଣ ଏଭଳି ଚିଠି ପ୍ରେରଣ କରାଯାଇଥିଲା ।
ସଭାପତି ମହୋଦୟ – ପ୍ରଶ୍ନ କାଳ ଶେଷ ହେଲା ।

ଏକ ସଦ୍ୟ ପ୍ରକାଶିତ ଖବର ଅନୁସାରେ ୨ ମଇ ୧୯୬୮ରେ ଅବିଦ୍‌ ଅଲ୍ଲୀ ପୁଣି ସେହି ସମାନ ପ୍ରଶ୍ନ ପୁନଃ ଉପସ୍ଥାପନ କଲେ ଓ ଇନ୍ଦିରା ଗାନ୍ଧି ମଧ୍ୟ ନିଜ ପ୍ରଦତ୍ତ ପୁରୁଣା ଉତ୍ତର ଦୋହରାଇଲେ “ସରକାର କୌଣସି ତଦନ୍ତର ଆବଶ୍ୟକତା ମନେ କଲେ ନାହିଁ । ”

ଏହି ସଦ୍ୟତମ ସୂଚନା ମୁମ୍ବାଇରୁ ପ୍ରକାଶିତ ଓ ଅନ୍ୟ ଏକ ପ୍ରସିଦ୍ଧ ପାର୍ସି ସମ୍ପାଦକ ଦ୍ୱାରା ସମ୍ପାଦିତ ‘କରେଣ୍ଟ୍‌’ ନାମକ ଏକ ସାପ୍ତହିକରେ ବାହାରିଥିଲା । ପାଶ୍ଚାତ୍ୟରୁ ଶିକ୍ଷା ପ୍ରାପ୍ତ ଡି.ଏଫ କାରାକା ପ୍ରଥମରୁ କରଞ୍ଚିଆଙ୍କ ଭଳି ନେହେରୁ ସପକ୍ଷବାଦୀ ଥିଲେ । କିନ୍ତୁ ସମୟକ୍ରମେ ନେହେରୁଙ୍କର ପୂରା ବିରୋଧି ହେଇଗଲେ ଓ କୁହାଯାଏ ଯେ ସେ ନଜରବନ୍ଦୀ ରହିଥିଲେ । ୬ ଜାନୁଆରୀ ୧୯୬୮ରେ ‘କରେଣ୍ଟ୍‌ ‘ ନିଜର ଏକ ଅନୁସନ୍ଧାନଭିତ୍ତିକ ଲେଖାରେ ଉଲ୍ଲେଖ କରିଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୃତରେ ବିବାଦୀୟ ଚିଠି ବିଷୟରେ ତଳରୁ ଉପର ପର୍ଯ୍ୟନ୍ତ ବହୁତ ଖୋଳତାଡ଼ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଜଣେ ସଚିବ ମିଃ ବାର୍ନାଜୀଙ୍କ ବାର୍ତ୍ତାରୁ କିଛି ଉଦ୍ଧୃତ କରିଥିଲା ‘କରେଣ୍ଟ୍‌’ । ଏହି ଚିଠିର କୌଣସି ନକଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ । ପତ୍ରିକାନୁସାରେ ଅଲ୍ଲୀଙ୍କ ପ୍ରଶ୍ନର ପ୍ରଧାନମନ୍ତ୍ରୀ ଦେଇଥିବା ଉତ୍ତର ସନ୍ତୋଜନକ ନଥିଲା । ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉତ୍ତରରେ କୌଣସି ନିର୍ଦ୍ଧିଷ୍ଟତା ନଥିବାରୁ ସଂସଦର ପରବର୍ତ୍ତୀ ଅଧିବେଶନରେ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏକ ପୂର୍ଣ୍ଣ ଆଲୋଚନା କରିବା ପାଇଁ ବିରୋଧି ସାଂସଦମାନେ ପଦକ୍ଷେପ ନେଇପାରନ୍ତି ବୋଲି ପତ୍ରିକା ଲେଖିଥିଲା ।

‘କରେଣ୍ଟ୍‌’ ମତ ରଖିଥିଲା ଏଭଳି ଆଲୋଚନାରେ ନିଶ୍ଚୟ କେ.ଜି.ବି ପ୍ରସଙ୍ଗ ଉଠିବ । “ଆମେ ଖବର ରଖିଛୁ ଯେ ‘ବ୍ଳିଜ’ କାର୍ଯ୍ୟାଳୟ, ସୋଭିଏତ ଦୂତବାସ ଓ ତାହାର ବମ୍ବେସ୍ଥିତ ଶାଖାରେ ଛାଞ୍ଚଲ୍ୟ ଖେଳିଗଲାଣି । କେ.ଜି.ବିର ଭୂମିକାକୁ ନେଇ ଖୋଳତାଡ଼ କରିବାକୁ ସାଂସଦଙ୍କ ଜିଦ୍ ଓ ଚିନ୍ତା ସେମାନଙ୍କ ନିଦ ଉଡ଼ାଇଦେଇଛି । ଏବେ ତ କଂଗ୍ରେସର କିଛି ସାଂସଦ ବି ଏହି ଦାବୀରେ ସ୍ୱର ମିଳାଇଲେଣି । ” ‘କରେଣ୍ଟ୍‌’ ବ୍ୟଙ୍ଗ ଛଳରେ କହଥିଲା “ଯଦି ‘ବ୍ଳିଜ’କୁ ଘେରି ସ୍ପଷ୍ଟିକରଣ ମଗାଯାଏ ତେବେ ସେ ନିଶ୍ଚୟ କହିବ, ଆମେରିକାର ସି.ଆଇ.ଏ ତା’ର ଗୁପ୍ତଚର ଜରିଆରେ ଏହି ଚିଠି ବ୍ୟାପାରରେ ଆମକୁ ଫସାଇଦେଇଛି” ।

ଅବଶ୍ୟ ‘ବ୍ଳିଜ’ ସେଭଳି କିଛି କରିନଥିଲା । ଶାସ୍ତ୍ରୀଙ୍କ ନକଲି ଚିଠି ସମ୍ବନ୍ଧୀୟ ପ୍ରଶ୍ନ ଉପରେ ମଇ ୧୯୬୮ରେ ପ୍ରଧାନମନ୍ତ୍ରୀଙ୍କ ସଂକ୍ଷିପ୍ତ ଉତ୍ତର ପରେ ଗୃହରେ କୌଣସି ଆଲୋଚନା କରାଯାଇନଥିଲା । କିନ୍ତୁ ପରିହାସପୂର୍ବକ ‘କରେଣ୍ଟ୍‌’ ଯାହା କହିଥିଲା ବୋଧହୁଏ ତାହା ଯଥାର୍ଥ ଥିଲା । ସମୟନୁକ୍ରମେ ସମସ୍ତେ ଏହି ବିବାଦୀୟ ପ୍ରସଙ୍ଗ ପ୍ରାୟ ଭୁଲିଯାଇଥିଲେ । ଏମିତି ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଜଣେ ଏଭଳି ବ୍ୟକ୍ତି ଘଟଣା ଉପରେ ପୁନଃ ଆଲୋକପାତ କରିଥିଲେ ଯାହାଙ୍କଠୁ ଏଭଳି ଆଶା କରିବା ସ୍ୱାଭାବିକ ନଥିଲା । ସେ ହେଲେ ୱାଲଟର ମ୍ୟାକ୍ଇନଟୋଶ, ଜଣେ ପୂର୍ବତନ ସି.ଆଇ.ଏ କର୍ମକର୍ତ୍ତା । ସି.ଆଇ.ଏର ପ୍ରକାଶନ ଅନୁମତି ପାଇଁ ପ୍ରେରଣ ଏକ ଆଲେଖ୍ୟରେ ସେ ବିବାଦୀୟ ଚିଠି ପ୍ରସଙ୍ଗରେ ନିଜକୁ ଦାୟୀ କରିଥିଲେ । କିନ୍ତୁ ସି.ଆଇ.ଲେଖାଟିରେ ଏଭଳି କାଟଛାଟ କଲା ଯେ ପ୍ରକାଶନ ଉପଯୋଗୀ କିଛି ବି ରହିଲା ନାହିଁ ।

ଏହା ପରେ ମ୍ୟାକ୍ଇନଟୋଶ ଏଭଳି ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିଲେ ସିଏ ଏହିଭଳି ବ୍ୟାପାର ଉପରେ ଗବେଷଣା ଓ ଲେଖିବାରେ ବିଶେଷ ଆଗ୍ରହ ରଖୁଥିଲେ । ଟେଡ଼ ଗୁପ୍ । ଏହି ଲେଖକ ଜଣକ ତାଙ୍କ ନିଜ ଦେଶ ଆମେରିକାରେ ସରକାରୀ ଗୋପନୀୟ ତଥ୍ୟ ପର୍ଯ୍ୟବେସିତ ବହି ଓ ପ୍ରବନ୍ଧ ଲେଖିବାରେ ସିଦ୍ଧହସ୍ତ ଓ ପ୍ରସଂଶିତ । ୧୯୯୨ରେ ତାଙ୍କ ଲିଖିତ ଏକ ପ୍ରବନ୍ଧରେ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ପରିପ୍ରେକ୍ଷୀରେ କଂଗ୍ରେସକୁ ସୁରକ୍ଷା ଦେବା ପାଇଁ ଏକ ଗୋପନୀୟ ସୁଡ଼ଙ୍ଗ ବିଷୟରେ ଆଲୋକପାତ କରାଯାଇଥିଲା । କଥିତ ଲୋକେ ଏଭଳି ଗୋପନୀୟ ତଥ୍ୟକୁ ବାହାରେ ପ୍ରକାଶ କରିଥିବାରୁ ତାଙ୍କୁ ପସନ୍ଦ କରୁନଥିଲେ । ୨୦୦୭ରେ ପ୍ରକାଶିତ ଗୁପ୍‌ଙ୍କ ‘ନେସନ ଅଫ ସିକ୍ରେଟସ୍ : ଦ ଥ୍ରେଟ ଟୁ ଡେମୋକ୍ରାସି ଆଣ୍ଡ ଦ ଆମେରିକାନ ୱେ ଅଫ ଲାଇଫ୍‌’ରେ ଶାସ୍ତ୍ରୀଙ୍କ ତଥାକଥିତ ନକଲି ଚିଠି ବିଷୟରେ ମ୍ୟାକ୍ଇନଟୋଶଙ୍କ ଯୁକ୍ତିର ଉଲ୍ଲେଖ ରହିଛି । ଏଥି ମଧ୍ୟରେ ପିଲୁ ମୋଦି, ଡି.ଏଫ କାରକା ପରଲୋକ ଗମନ କରିସାରିଥିଲେ । ବ୍ଳିଜ, ମାର୍ଚ୍ଚ, ଓ କରେଣ୍ଟ୍‌ର ପ୍ରକାଶନ ବନ୍ଦ ହେଇସାରିଥିଲା । ସେମିତି ଦେଖିଲେ ଗୁପ୍‌ଙ୍କ ବହିରେ ସେହି କିଛି ପୃଷ୍ଠାରେ ଭାରତ ସମ୍ବନ୍ଧୀୟ ପରୋକ୍ଷ ତ କିଛି ଲେଖାଯାଇନଥିଲା । ତେଣୁ ୯୪ ବର୍ଷୀୟ କରଞ୍ଜିଆ ଅନ୍ୟ ଦେଶର ଆଭ୍ୟନ୍ତରୀଣ ଗୁପ୍ତ ବ୍ୟାପାର ଉପରେ ଲିଖିତ ଏକ ବହି ଆଧାରରେ କିଛି ବି ବୁଝିବାକୁ ବା ବିବୃତି ଦେବା ଅବସ୍ଥାରେ ନଥିଲେ । ସେ ୨୦୦୮ରେ ମୃତ୍ୟୁ ବରଣ କରିଥିଲେ ।

ମ୍ୟାକ୍ଇନଟୋଶ କହିଥିଲେ କିଛି କଥାକୁ ଗୁପ୍ତ ରଖିବା ଠିକ୍ ହୋଇପାରେ କିନ୍ତୁ ସେତେବେଳେ ନୁହେଁ ଯେତେବେଳେ କୌଣସି ଅପ୍ରୀତିକର କଥାକୁ ଘୋଡ଼େଇବାର ପ୍ରଚେଷ୍ଟା ହୁଏ । ତାଙ୍କ ମତରେ ଯଦି ସି.ଆଇ.ଏ ନିକଟରେ କେ.ଜି.ବି ଜଣେ ବିଦେଶୀ ନେତାଙ୍କୁ ହତ୍ୟା କରିଥିବାର କୌଣସି ପ୍ରମାଣ ଥାଏ ତେବେ ତାହା ପ୍ରକାଶିତ ହେବା ଜରୁରୀ କାରଣ ଯେଭଳି ଭାବେ ଆମକୁ ଏହି ତଥ୍ୟ ମିଲିଲା ତାହା ଲଜ୍ଜାଜନକ । ଏହି ଭାବନା ସହିତ ମ୍ୟାକ୍ ଇନଟୋଶ ଗୁପ୍‌ଙ୍କ ତାଙ୍କ ପ୍ରବନ୍ଧ ବିଷୟରେ ଅବଗତ କରାଇଲେ; ସେହି ପ୍ରବନ୍ଧ ଯାହାକୁ ସି.ଆଇ.ଏ ବସ୍ତୁତଃ ଲଗାମ ଲଗାଇ ସାରିଥିଲା । ଏହି ପ୍ରବନ୍ଧରେ ଶୀର୍ଷକ ଛାଞ୍ଚଲ୍ୟକର ଥିଲା- କ’ଣ ସି.ଆଇ.ଏ ଅଜାଣତରେ କେ.ଜି.ବିକୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ହତ୍ୟା କରିବାରେ ସାହାଯ୍ୟ କଲା ?

ଶୀତଳ ଯୁଦ୍ଧ କେବଳ ବିଶ୍ୱର ଦୁଇ ମହାଶକ୍ତିଙ୍କ ଭାରତ ଭଳି ବୃହତ୍ ଦେଶରେ ନିଜ ପ୍ରଭୁତ୍ୱ / ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଏକ ପ୍ରତିଯୋଗିତା । ଋଷ ଭାରତର ନିକଟତର ହେବାର କାରଣ ଥିଲା ଚାଇନା, ଯିଏ କି ଏକ କମ୍ୟୁନିଷ୍ଟ ଦେଶ ହୋଇଥିବା ସତ୍ୱେ ପ୍ରତିଦ୍ୱନ୍ଦୀ ଥିଲା । ଋଷ ବିଚାରରେ ଭାରତ ଚାଇନାର ଅଜେୟ ପ୍ରତିପକ୍ଷ ହୋଇ ପାରିବ । ମ୍ୟାକ୍ଇନଟୋଶଙ୍କ ପ୍ରବନ୍ଧନୁସାରେ ନେହେରୁଙ୍କ ଅପେକ୍ଷା ଶାସ୍ତ୍ରୀ କମ୍ ଭରସାଯୋଗ୍ୟ । କିନ୍ତୁ ୧୯୬୬ରେ ପାକିସ୍ଥାନ ଓ ଭାରତ ଯୁଦ୍ଧ ସମୟରେ ୠଷ ତାସକନ୍ଦରେ ଏକ ଶିଖର ସମ୍ମଳନୀର ଆୟୋଜନ କରି କୁଟନୈତିକ ଚିତାପଟ୍ ହାସଲ କଲା । ଏହା ସି.ଆଇ.ଏ.କୁ ହଜମ ହେଲା ନାହିଁ । ତେଣୁ ରୁଷ ପାଇଥିବା ଫାଇଦାକୁ ପ୍ରତିହତ କରିବା ଲକ୍ଷ୍ୟରେ ସି.ଆଇ.ଏ. ଏକ ଛୋଟ ଅପରେସନ ଚଲାଇଲା ଯାହା କି ସ୍ୱାଧୀନଚେତା ଶାସ୍ତ୍ରୀ ଓ ସୋଭିଏତ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ଧିଷ୍ଟ ଥିଲା ।

ଗୁପ୍ ତାଙ୍କ ବହିରେ ମ୍ୟାକ୍ଇନଟୋଶଙ୍କ ଦାବି ଅନୁରୂପ ଲେଖିଲେ, ସି.ଆଇ.ଏର ବୈଷୟିକ ବିଭାଗ ‘ବ୍ଳିଜ’ରେ ଥିବା ନିଜ ଗୁପ୍ତଚର ଜରିଆରେ ସାପ୍ତାହିକରେ ଏକ ଜାଲ୍‌ ଚିଠିର ପ୍ରକାଶିତ କରିବାରେ ସକ୍ଷମ ହେଲା । ଉଦ୍ଧେଶ୍ୟ ଥିଲା ଶାସ୍ତ୍ରୀ ଭାରତ ଫେରିବା ପରେ ଏଭଳି ନକଲି ଚିଠି ବିଷୟରେ ଜାଣି ତୁରନ୍ତ ତାକୁ ଜାଲ୍‌ ଅଭିହିତ କରି ସେଥିରେ ଜଳ ଜଳ ଦିଶୁଥିବା ସୋଭିଏତ ପ୍ରୀତିର ପରିହାର କରିବେ ଓ ନିଜକୁ ମସ୍କୋଠାରୁ ଦୂରେଇ ନେବେ ।

ଜାଲ ଚିଠିରେ ଜାଣିଶୁଣି ଏଭଳି ତ୍ରୁଟି କରାଯାଇଥିଲା ଯେ ପରିଶେଷରେ ଏହା କମ୍ୟୁନିଷ୍ଟ ପାର୍ଟିର ଏକ କୁତ୍ସିତ ଷଡ଼ଯନ୍ତ୍ର ବୋଲି ଦିନେ ନା ଦିନେ ଜଣାପଡ଼ିବ ଓ ସୋଭିଏତ ସରକାର ଏଥିରେ ଜଡ଼ିତ ବୋଲି ଧରାପଡ଼ିବେ । କିନ୍ତୁ ସି.ଆଇ.ଏ ଯେଭଳି ଭାବିଥିଲା ସେଭଳି କିଛି ହେଲା ନାହିଁ । ଗୁପ୍ ତାଙ୍କ ବହିରେ ଉଲ୍ଲେଖ କରିଥିଲେ ସେ ବହୁ ବର୍ଷ ପରେ ସି.ଆଇ.ଏ ଜାଣିଲା ସେ ‘ବ୍ଳିଜ’ରେ ସଂସ୍ଥାପିତ ତା’ର ଗୁପ୍ତଚର ଜଣେ ‘ଡବଲ ଏଜେଣ୍ଟ’ ବା ଦୁଇ ପ୍ରତିପକ୍ଷଙ୍କ ପାଇଁ ସମାନ କାମ କରୁଥିବା ଜଣେ ସ୍ୱାର୍ଥନ୍ଧ ସୁବିଧାବାଦୀ ବୋଲି । ଏହି ଦିପାଖିଆ କାମ କରୁଥିବା ଆମେରିକୀୟ ଗୁପ୍ତଚର ସଂସ୍ଥା ଦ୍ୱାରା ନିଯୁକ୍ତ ଗୁପ୍ତଚର ଜଣକ କାଳବିଳମ୍ବ ନକରି ସମୟନୁସାରେ କେ.ଜି.ବି.କୁ ସି.ଆ.ଇ.ଏର ଅଭିସନ୍ଧି ବିଷୟରେ ଜଣାଉଥିଲା ।

‘ଓ ୧୧ ଜାନୁଆରୀ ୧୯୬୬ ମସିହାରେ, ତାସକନ୍ଦରେ ସଫଳ ଶିଖର ବୈଠକରେ ଯୁଦ୍ଧ ବିରତି ଓ ସୈନ୍ୟ ଅପସାରଣ ଚୁକ୍ତିର କେଇ ଘଣ୍ଟା ପରେ ନିଜ ହୋଟେଲ କକ୍ଷରେ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ଘଟିଲା । କୁହାଗଲା ତାଙ୍କୁ ହୃଦ୍‌ଘାତ ହେଇଥିଲା । କିନ୍ତୁ କେତେକ ସଂନ୍ଦେହ କଲେ ଯେ ତାଙ୍କ ମୃତ୍ୟୁ ରହସ୍ୟଜନକ ଓ ଏଥିରେ ସୋଭିଏତ ସରକାରଙ୍କ ହାତ ଅଛି । ସେମାନେ କାଳେ ଏକ ଅପେକ୍ଷାକୃତ ନିର୍ଭରଶୀଳ ଓ କମ୍ ସ୍ୱାଧୀନଚେତା ନେତା ଚାହୁଁଥିଲେ । ସି.ଆଇ.ଏ ଚାହୁଁଥିଲା ଶାସ୍ତ୍ରୀ ମସ୍କୋରୁ ଫେରିବା ପରେ ଚିଠିର ବିଷୟବସ୍ତୁକୁ ଖଣ୍ଡନ କରିବେ କିନ୍ତୁ ବିଡ଼ମ୍ବନା ଏହା ତାଙ୍କ ଶେଷ ବାର୍ତ୍ତା ବୋଲି ପ୍ରଚାରିତ ହେଲା । ସି.ଆଇ.ଏକୁ ତା’ର ବିଫଳତା ଦର୍ଶାଇବା ପାଇଁ ‘ବ୍ଳିଜ’ ନିଜ ପତ୍ରିକାରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାସୁମନ ଦେବା ଆଳରେ ସେହି ଚିଠିକୁ ପୁନଃ ପ୍ରକାଶନ କଲା । ନିଜର ୧୫ ଜାନୁଆରୀ ସଂଖ୍ୟାରେ ଶାସ୍ତ୍ରୀ ଓ କୋସିଗିନ୍‌ଙ୍କ ଏକ ଫଟୋଚିତ୍ର ସମ୍ବଳିତ ଲେଖାର ଶୀର୍ଷକ ଥିଲା, ‘ଖ୍ୟାତିର ଶିଖରଦେଶରେ ଥିବାବେଳେ ଶାସ୍ତ୍ରୀଙ୍କ ଦେହବସାନ’ ।

ଟେଡ଼ ବି ଲେଖିଛନ୍ତି ଶାସ୍ତ୍ରୀଙ୍କ ପରେ ଇନ୍ଦିର ଗାନ୍ଧୀ କ୍ଷମତାକୁ ଆସିଲେ ଓ ମସ୍କୋର ପରମ ବନ୍ଧୁ ରୂପେ ପରିଗଣିତ ହେଲେ । ଟେଡ୍ ନିଜ ବହିରେ ମ୍ୟାକ୍ଇନଟୋଶଙ୍କ ମାନସିକ ଯନ୍ତ୍ରଣାକୁ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି ମ୍ୟାକ୍ଇନଟୋଶ ବହୁତ ମର୍ମାହତ ଯେ ସି.ଆଇ.ଏର ସଦସ୍ୟ ରୂପେ କାର୍ଯ୍ୟ କରିବା ଅବସରରେ ତାଙ୍କ ଦ୍ୱାରା ସଂଯୋଜିତ ଜାଲ ଚିଠି ସୋଭିଏତ ସରକାର ଅସ୍ତ୍ର ଭାବେ ବ୍ୟବହାର କରି ଶାସ୍ତ୍ରୀଙ୍କୁ ହଟାଇ ଦେଲା ଓ ଶେଷଥର ପାଇଁ ତାଙ୍କ ମୁହଁରୁ ନିଜ ସପକ୍ଷରେ କୁହାଇ ବି ନେଲା । ଶାସ୍ତ୍ରୀ ଏଭଳି ଜାଲ ଚିଠିକୁ ପ୍ରତ୍ୟାଖାନ କରିବାକୁ ସୁଯୋଗ ବି ପାଇଲେ ନାହିଁ ।

ଲୋକପ୍ରିୟ ଲେଖା

To Top