ଅନୁଭୂତି

ଆମ ଘର

Odia Author Mr Ramakanta Mishra

ସେତେବେଳେ ଶୈଳଶ୍ରୀବିହାରରେ ବେଶୀ ଲୋକ ରହୁ ନ ଥିବାରୁ ଘର ଗୁଡାକ ସବୁ ଖାଲି ପଡି ରହୁ ଥିଲା ତେଣୁ ଭଡା ଲାଗିବାର ପ୍ରଶ୍ନ ନ ଥିଲା ।

ଆମ ଘର

ମୁଁ ପିଲାଟି ଦିନରୁ ନିଜସ୍ୱ ଘରର ସ୍ୱପ୍ନ ଦେଖୁ ଥିଲି । ବୋଧ ହୁଏ ଘର ସମ୍ବନ୍ଧରେ ବେଶୀ ସଚେତନ ହେବାର କାରଣ ଥିଲା ନନାଙ୍କ କେଉଁଠି ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ଉପଯୁକ୍ତ ଘରଟିଏ ନ ଥିଲା । ଆମ ଗାଁ ଶ୍ରୀ ରାମଚନ୍ଦ୍ରପୁର ସାକ୍ଷୀଗୋପାଳ ରେ ନନା ତାଙ୍କର ଯୁବାବସ୍ଥାରେ ନିଜର ପୈତୃକ ଘରଟିକୁ ଭାଇ ଆଳି ମାନଙ୍କୁ ଦେଇ ଦଣ୍ଡାମୁଣ୍ଡ ଠାରେ ଖଣ୍ଡେ ଜମି କିଣି ଘର ଗୋଟିଏ ତୋଳାଇ ଥିଲେ । ମୁଁ ଭାଇନାଙ୍କ ସାଙ୍ଗରେ ପିଲାଦିନ ରେ ଥରେ ଯାଇଥିଲି ସେ ଘରକୁ । ସାମ୍ନାରେ ଗୋଟେ ଘର, ମଝିରେ ଅଗଣା ଆଉ ପଛ ପଟକୁ ଦୁଇ ଖଞ୍ଜା ଥିଲା । ମଝି ଅଗଣାରେ ଗୋଟାଏ ବଡ଼ ଆମ୍ବ ଗଛ ମଧ୍ୟ ଥିଲା । ଯେହେତୁ ଆମେ ସବୁ ଜାମସେଦପୁରରେ ରହୁ ଥିଲୁ ତେଣୁ ମୋର ମନେ ଅଛି ଜଣେ କିଏ ସେ ଘରେ ରହୁଥିଲେ । ମୋ ବୟସ ସେତେବେଳେ ଅତି କମ୍‌, ବୋଧ ହୁଏ ୭ ବର୍ଷ ହୋଇଥିବ । ଦିନେ ମାଇ ସଞ୍ଜ ବେଳେ ନନା ମତେ ଆଉ ଭାଇନାକୁ ନେଇ ସେ ଘରକୁ ଯାଇ ଥିଲେ । ମୁଁ ସାକ୍ଷୀଗୋପାଳ ଷ୍ଟେସନରୁ ଚାଲି କରି ଏତେ ଦୁରକୁ ଯାଇ ପାରିନଥିଲି ବୋଲି ନନା ମତେ ତାଙ୍କ କାନ୍ଧରେ ବସାଇ ନେଇଥିଲେ । ଏ କଥା ମୋର ଆଜିବି ମନେ ଅଛି । ତେବେ ସେ ଗାଁ ଘରକୁ ନନା ଆଉ ଠିକ୍‌ ରଖି ପାରିଲେ ନାହିଁ । ଟାଟା କମ୍ପାନୀରେ ଚାକିରୀ ଆଉ ପରିବାର ବଡ଼ ହୋଇଯିବାରୁ ବର୍ଷ ବର୍ଷ ଧରି ଆଉ ଗାଁ କୁ ଯାଇ ପାରିଲେ ନାହିଁ । ଆଗେ ଗାଁ ର ଜମି ଭାଗୁଆଳି ମାନେ ଧାନ, ଚାଉଳ, ବିରି, ମୁଗ, ସପୁରି, ପଣସ ଆଉ ନଡ଼ିଆ ହେରିକା ଦେଉଥିଲେ ଏବଂ ପ୍ରତିବର୍ଷ ଘର ଛାଉଣୀ ମଧ୍ୟ କରୁ ଥିଲେ । ପରେ ପରେ ସେମାନେ ଆଉ କିଛି ଦେଲେ ନାହିଁ କି ଘର ଛପର ମଧ୍ୟ ହେଲା ନାହିଁ, ଫଳରେ ଘରଟା ଖରାପ ହୋଇଗଲା । ନନା ସବୁ ବୁଝୁଥିଲେବି ତାଙ୍କର କିଛି କରିବାର ଉପାୟ ନ ଥିଲା । ରିଟାୟାର କଲାପରେ ଯାଇ ଯଦିବା ଘରଟାକୁ ସଜାଡି ରହି ଥାନ୍ତେ କିନ୍ତୁ ବୋଉ ର ମୃତ୍ୟୁ ହୋଇଗଲା ଦୁଇ ବର୍ଷ ପୂର୍ବରୁ, ତେଣୁ ଆଉ ନନାଙ୍କର ଘର କରିବା ନୋହିଲା । ତେବେ ରିଟାୟାର କଲା ପରେ ନନାଙ୍କୁ ଯାହା ଟଙ୍କା ମିଳିଥିଲା ସେଥିରେ ମଧ୍ୟ ଭଲ ଘର ଖଣ୍ଡେ ହୋଇ ପାରିଥାନ୍ତା କିନ୍ତୁ ବୋଉ ନାହିଁ, ଚାରି ପୁଅ ଯଦିଓ ଭଲ କାମ କରୁଥିଲେ କେହି ଆଉ ଘର ତିଆରିରେ ମୁଣ୍ଡ ଦେଲେ ନାହିଁ । ତେଣୁ ଅବସର ପରେ ନନା ଏ ପୁଅ ଆଉ ସେ ପୁଅ ହୋଇ ଜୀବନ କାଟି ଦେଲେ । ଏଥିରୁ ଗୋଟାଏ କଥା ପ୍ରମାଣିତ ହେଉଛି ଯେ ଘର ତିଆରି କରିବା ଆଉ ନିଜ ଘରେ ରହିବା ବହୁତ ଭାଗ୍ୟର କଥା ଆଉ ଭଗବାନ ନ ଚାହିଁଲେ ପାଖରେ ପଇସା ଥିଲେ ମଧ୍ୟ ଘର ଖଣ୍ଡିଏ ହୋଇ ପାରିବ ନାହିଁ । ଏହି ସବୁ କାରଣରୁ ମୁଁ ଚାକିରୀ କଲା ପରେ ପରେ ଭୁବନେଶ୍ୱରରେ ଘର ଖଣ୍ଡିଏ କରିବାର ସ୍ୱପ୍ନ କୁ ସାକାର କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲି । ମୁଁ ବିଭା ହେଲା ପରେ ମୋ ସ୍ତ୍ରୀ ଗୀତା ଆସି ଏଥିରେ ଆହୁରି ସହଯୋଗ କଲେ, କାରଣ ସେ ବେଶ୍‌ ଜମି ଜମା ଆଉ ବଡ଼ ଘରର ଝିଅ ଥିଲେ ତେଣୁ ବାହା ପରଠାରୁ ସେ ଜିଦ୍‌ କଲେ ନିଜସ୍ୱ ଘର ଖଣ୍ଡେ କରିବା ପାଇଁ । ମୁଁ ନନାଙ୍କର ଅବସର ପରର ଦୟନୀୟ ମାନସିକ ଅବସ୍ଥା ଦେଖି ସାରିଥିଲି, ଯଦିଓ ପୁଅ ମାନେ ତାଙ୍କର କିଛି ଅଭାବ କରି ନ ଥିଲେ, କିନ୍ତୁ ବୋଉ ମଲା ପରେ ଏକା ହୋଇ ଯାଇଥିବାରୁ ସେ ମାନସିକ ଭାବରେ ରୁଗ୍ଣ ହୋଇଯାଇଥିଲେ, ଆଉ ମୁଁ ଯେତେଦୂର ଜାଣିଛି ତାଙ୍କର ନିଜସ୍ୱ ଘର ନ ଥିବାରୁ ସେ ପୁଅ ମାନଙ୍କ ପାଖରେ ରହିବାକୁ ବାଧ୍ୟ ହୋଇଥିଲେ ଯେଉଁଟା ହୁଏତ ତାଙ୍କ ଭଳି ସ୍ୱାଧୀନଚେତା ଲୋକକୁ ଭଲ ଲାଗୁ ନ ଥିବ, ତେଣୁ ରିଟାୟାର ପରେ ସେ ବେଶୀ ଦିନ ବଞ୍ଚିନ ଥିଲେ ମଧ୍ୟ । ଏହି ସବୁ ଅନୁଭୂତି ରୁ ମୁଁ ମନେ ମନେ ଭାବିଥିଲି ନନାଙ୍କର ହେଲେ ଚାରି ପୁଅ ଥିଲେ କିନ୍ତୁ ମୋର ତ ଦୁଇ ଝିଅ ତେବେ କାହା ଭରସାରେ ମୁଁ ବିନା ନିଜସ୍ୱ ଘରରେ ଅବସର କଟାଇବି ?

ଚାକିରୀ କରିବା ପରେ ମୁଁ କେମିତି ଶୀଘ୍ର ଘର ଖଣ୍ଡିଏ କରିବି ସେହି ଚିନ୍ତାରେ ଥାଏ । ବିଭା ହେବା ପରେ ଗୀତା ମଧ୍ୟ ମତେ ଶୀଘ୍ର ଘର ଖଣ୍ଡିଏ କରିବା ପାଇଁ ବାଧ୍ୟ କରୁ ଥାନ୍ତି । କିନ୍ତୁ ମୋର ସେ ସମୟର ଆୟ ମଧ୍ୟ ଏତେ ଅଧିକ ନ ଥିଲା ଯେ ଶୀଘ୍ର ଘର ଖଣ୍ଡିଏ କରି ପାରିଥାନ୍ତି । ତା ଛଡ଼ା ସେତେବେଳେ ଆଜିକା ପରି ଏ ଗୃହ ରୃଣ କରିବାର ସୁବିଧା ମଧ୍ୟ ଉପଲବ୍ଧ ନ ଥିଲା, ତା ହେଲେ ବା ଚିନ୍ତା କରି ଥାନ୍ତି ?

ଅତି କଷ୍ଟରେ ଉପାର୍ଜିତ ଧନକୁ ନେଇ ଯେଉଁଠୁ ସେଠୁ ଜମି କିଣିବାର ମନୋବୃତ୍ତି ମଧ୍ୟ ମୋର ନ ଥିଲା, ତେଣୁ କରି ମୁଁ ସବୁବେଳେ ଗୃହ ନିର୍ମାଣ ସଂସ୍ଥା ବା ଭୁବନେଶ୍ୱର ଉନ୍ନୟନ ସଂସ୍ଥା ଠାରୁ ହିଁ ଘର କିଣିବାକୁ ଚାହୁଁଥିଲି । ମୁଁ ବିଭିନ୍ନ ସ୍ଥାନରେ ଓଡିଶା ଗୃହ ନିର୍ମାଣ ସଂସ୍ଥାର ଘର ତିଆରି ପାଇଁ ବିଜ୍ଞାପନ ବାହାରିଲେ ଦେଖୁଥାଏ । ସେତେବେଳେ ମୁଁ ରହିଥାଏ ବେଲପାହାଡ଼ରେ । ଝିଅ ଦୁଇଜଣ ଅତି ଛୋଟ ଥାନ୍ତି । ସେତେବେଳେ ବେଲପାହାଡ଼କୁ ନିୟମିତ ଭାବରେ ଓଡ଼ିଆ ଖବର କାଗଜ ମଧ୍ୟ ଯାଉ ନ ଥିଲା, ତେଣୁ ମୁଁ ସବୁ ବିଜ୍ଞାପନ ଗୁଡିକ ମଧ୍ୟ ଦେଖି ପାରୁ ନ ଥିଲି ।

ତା ଛଡ଼ା ଘର ପାଇଁ ଖାଲି ଦରଖାସ୍ତ କଲେ ଚଳିବ ନାହିଁ, ସେଥିପାଇଁ ନିର୍ଦେଶ ଅନୁସାରେ ଅମାନତ ଟଙ୍କା ମଧ୍ୟ ପୈଠ କରିବାକୁ ହୋଇ ଥାଏ । ମୋ ପାଖରେ ସେତେବେଳେ ସେତିକି ଟଙ୍କା ମଧ୍ୟ ନ ଥାଏ । କେତେଗୁଡିଏ ସ୍କିମର ଦରଖାସ୍ତ ମାଗି ଟଙ୍କା ଅଭାବରୁ ଚୁପ ରହିଥାଏ । ସେତେବେଳେ ଆମ କମ୍ପାନୀର ନିୟମ ଅନୁସାରେ ସାତବର୍ଷ ସ୍ଥାୟୀ ଚାକିରୀ କରି ସାରିବା ପରେ ଯାଇ ଘର ତିଆରି କରିବା ପାଇଁ ଲୋନ୍‌ ମିଳୁ ଥିଲା, ସେ ମଧ୍ୟ ମାତ୍ର ପଚାଶ ହଜାର ଟଙ୍କା । ଆହୁରି ମଧ୍ୟ ଯେତେବେଳ ପର୍ଯ୍ୟନ୍ତ ଘରର କାଗଜ ପତ୍ର ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ପାଖରେ ବନ୍ଧକ ନ ପଡିବ ସେ ପର୍ଯ୍ୟନ୍ତ ଲୋନ୍‌ ଟଙ୍କା ମିଳିବା ସମ୍ଭବପର ନୁହେଁ । ଖାଲି ସେତିକି ନୁହେଁ କମ୍ପାନୀର ଗୋଟାଏ ଲୋନ୍‌ ସାଂକ୍ସନ୍‌ କରିବାର କମିଟି ଥାଏ ଯେ ବିଚାର କରିବ ଆଉ ଉପଯୁକ୍ତ ଯୋଗ୍ୟତା ଅନୁସାରେ ଲୋନ୍‌ ସାଂକ୍ସନ ହେବ ।

ମୋର ସେତେବେଳେ ବେଲପାହାଡ଼ରେ ମାତ୍ର ୫ ବର୍ଷ ଚାକିରୀ ହୋଇଥାଏ । ୧୯୮୫ ବେଳର କଥା ମୋ ହାତରେ ‘ସମାଜ’ ଖବର କାଗଜର ଗୋଟାଏ କ୍ରୋଡ଼ ପତ୍ର ପଡିଥିଲା । ବୋଧହୁଏ ସେ ଖବର କାଗଜଟି ମୋର ଜଣେ ଗ୍ରାଜୁଏଟ ଟ୍ରେନି ସେନାପତି ଆଣିକରି ମତେ ଦେଇଥିଲା । ସେଥିରେ ବାହାରି ଥିଲା ଓଡିଶା ଗୃହ ନିର୍ମାଣ ସଂସ୍ଥାର ପଟିଆରେ ଗୃହ ନିର୍ମାଣ ପାଇଁ ବିଜ୍ଞାପନ । ମୁଁ ସେଥିରୁ ଠିକଣା ନେଇ ପୋଷ୍ଟ ଦ୍ୱାରା ଗୋଟାଏ ଫର୍ମ ମଗାଇ ତାକୁ ପୁରଣ କରି ଆବଶ୍ୟକୀୟ ଅମାନତ ଟଙ୍କା ସହ ସଂଗେ ସଂଗେ ପଠାଇ ଦେଇଥିଲି ଓଡିଶା ଗୃହ ନିର୍ମାଣ ସଂସ୍ଥା, ଭୁବନେଶ୍ୱର କୁ ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ।

ସରକାରୀ ସବୁ କାମରେ ବିଳମ୍ବ ହେବା ପରି ଏ ପଟିଆ ସ୍କିମ୍‌ରେ ମଧ୍ୟ ଯଥେଷ୍ଟ ବିଳମ୍ବ ହୋଇଥିଲା । ମୁଁ ଧୀରେ ଧୀରେ ସେ ସ୍କିମ୍‌ କଥା ଭୁଲିବାକୁ ଆରମ୍ଭ କରି ଥିଲି । ପ୍ରାୟ ଦୁଇ ବର୍ଷ ପରେ ମୁଁ ଗୃହ ନିର୍ମାଣ ସଂସ୍ଥା ଠାରୁ ଚିଠି ଖଣ୍ଡିଏ ପାଇଲି ଯେ – “ଆପଣ ପଟିଆର ଯେଉଁ ସ୍କିମ୍‌ରେ ଆବେଦନ କରିଥିଲେ ସେଥିରେ ଲଟେରୀରେ ଆପଣଙ୍କ ନାମ ଉଠିଲା ନାହିଁ, ତେଣୁ ଆମେ ଆପଣଙ୍କୁ ଘର ଦେଇ ପାରୁ ନାହୁଁ କିନ୍ତୁ ଆପଣଙ୍କ ପାଇଁ ନିଜସ୍ୱ ଖର୍ଚ୍ଚରେ ମାନେ ସେଲ୍ଫ ଫାଇନାନସିଙ୍ଗ୍‌ ସ୍କିମ୍‌ରେ ଆମେ ଶୈଳଶ୍ରୀ ବିହାର ଠାରେ କିଛି ମଧ୍ୟମ ଆୟକାରୀ ମାନଙ୍କ ପାଇଁ ଘର ତିଆରି କରୁଛୁ । ଯଦି ଆପଣ ଆଗ୍ରହୀ ତେବେ ଆମକୁ ଶୀଘ୍ର ଜଣାନ୍ତୁ ।” ସେଥିରେ ସେମାନେ ପ୍ରତି ତିନି ମାସରେ ୩୫.୦୦୦ ଟଙ୍କା କରି ଦୁଇ ବର୍ଷରେ ଦୁଇ ଲକ୍ଷ ଦଶ ହଜାର ଟଙ୍କା ଜମା କରିବା ପାଇଁ ଲେଖି ଥିଲେ ।

ମୁଁ ଭାବିଥିଲି ଏଇଟାହିଁ ସୁବର୍ଣ୍ଣ ସୁଯୋଗ ଭୁବନେଶ୍ୱରରେ ଘର ଖଣ୍ଡିଏ କରିବା ପାଇଁ । ଯେତେ କଷ୍ଟ ପଡୁ ପଛେ ଏ ହାତକୁ ଆସିଥିବା ପ୍ରସ୍ତାବକୁ ହାତଛଡା କଲେ ଭବିଷ୍ୟତରେ ଆଉ ଘର କରି ହେବ ନାହିଁ । ମନ ସିନା କହୁଥାଏ କରିବା ପାଇଁ କିନ୍ତୁ ପାଖରେ ସେତେବେଳେ ଏତେ ଟଙ୍କା ମଧ୍ୟ ନ ଥିଲା ତେଣୁକରି ମନ କରୁଥିଲେ ମଧ୍ୟ ମୁଁ ପଛ ଘୁଞ୍ଚା ଦେଉଥିଲି । କିନ୍ତୁ ଗୀତା ଅଡ଼ି ବସିଥିଲେ, ନାହିଁ କେମିତି ହେଲେ ବି ଟଙ୍କା ଯୋଗାଡ଼ କରି ଏ ସ୍କିମ୍‌ରେ ଘରଟିଏ କରିବାକୁ ହେବ ଭୁବନେଶ୍ୱରରେ ।

ମୋର ସେତେବେଳକୁ ବେଲପାହାଡ଼ରେ ଆଠ ବର୍ଷ ହୋଇ ସାରି ଥାଏ ତେଣୁ ୫୦,୦୦୦ ଟଙ୍କା ଲୋନ୍‌ ମିଳିବାରେ କୌଣସି ଅସୁବିଧା ନ ଥିଲା । ମୁଁ ସଂଗେ ସଂଗେ ଟଙ୍କା ପାଇଁ ଦରଖାସ୍ତ କଲି ଆଉ କୁହା ବୋଲା କରି ଶୀଘ୍ର ଟଙ୍କାଟାକୁ ବାହାର କରି ନେଲି । କିନ୍ତୁ ମତେ ଆହୁରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାଇଁ ଚିନ୍ତା କରିବାକୁ ହୋଇଥିଲା । ମୋର ପ୍ରୋଭିଡେଣ୍ଟ ଫଣ୍ଡରେ ଯେତେ ଥିଲା ସେଥିରୁ କିଛି ବାହାର କରିବା ପାଇଁ ଚେଷ୍ଟା କଲି ଆଉ ସେଠାରୁ ମତେ ୫୦,୦୦୦ ଟଙ୍କା ମିଳିଯାଇଥିଲା । ଶୈଳଶ୍ରୀବିହାର ସେଲ୍ଫ ଫାଇନାନସିଙ୍ଗ୍‌ ସ୍କିମରେ ଘର କିଣିବା ପାଇଁ ପ୍ରାୟ ଅଧା ଟଙ୍କାର ଯୋଗାଡ଼ ହୋଇ ଯିବାରୁ ମୁଁ ଟିକିଏ ଅଶ୍ୱସ୍ଥ ହୋଇଥିଲି ।

ସେଲ୍ଫ ଫାଇନାନସିଙ୍ଗ୍‌ ସ୍କିମ୍‌ରେ ପ୍ରତି ତିନି ମାସରେ ୩୫,୦୦୦ ଟଙ୍କା ଗୃହ ନିର୍ମାଣ ସଂସ୍ଥା କୁ ଦେବା ସେତେବେଳେ କିଛି ସହଜ କଥାନଥିଲା । ତେବେ ମୋର ଗୋଟାଏ ଭଲ ଅଭ୍ୟାସ ଥିଲା ଯେ ମୁଁ ଚାକିରୀରେ ଯୋଗ ଦେବା ଦିନଠାରୁ ଅନେକ ଟଙ୍କା ସଂଚୟ କରୁ ଥିଲି । ଜାତୀୟ ସଂଚୟ ଯୋଜନାରେ ମାସକୁ ୧୦ ଟଙ୍କା କରି ସେ ସମୟରେ ଜମା କରୁ ଥିଲେ ଦଶ ବର୍ଷ ବା କୋଡିଏ ବର୍ଷ ରେ ସେ ସବୁ ଛୋଟ ଛୋଟ ଟଙ୍କା ମଧ୍ୟ ବଡ଼ ଆକାରରେ ଦେଖାଯାଉଥିଲା ଏବଂ ଅନେକ କାମରେ ଆସୁଥିଲା । ମୁଁ ଏ କଥାର ପ୍ରମାଣ ପାଇଥିଲି ଯେତେବେଳେ ସେହି ସମୟରେ ସେ ପ୍ରକାର ୨୦ ଟା ସଂଚୟ ପରିପକ୍ଵ ହୋଇଯାଇଥିଲା । ଇଚ୍ଛାଶକ୍ତି ଆଉ ଦୁରଦୃଷ୍ଟି ଥିଲେ ମଣିଷ ଚାହିଁ ଥିବା କାମ ନିଶ୍ଚୟ ହୋଇଥାଏ । ମତେ ୩ ମାସରେ ୩୫,୦୦୦ ଟଙ୍କା କରି ୨,୧୦,୦୦୦ ଟଙ୍କା ଦେବାରେ ବହୁତ କଷ୍ଟ ହୋଇଥିଲା ତେବେ ବି ମୁଁ ୧୯୮୮ ରୁ ୧୯୯୦ ମଧ୍ୟରେ ଦରକାର ହେଉଥିବା ସବୁ ଟଙ୍କା ଜମା କରିବାରେ ସଫଳ ହୋଇଥିଲି ।

ଲଟେରୀ ମାଧ୍ୟମରେ ଘର ଆବଣ୍ଟନ ହେଲା ପରେ ମୋ ପାଖକୁ ଖବର ଯାଇଥିଲା ଯେ ଆପଣଙ୍କୁ ଭି. ଆଇ.ଏମ୍‌.-୨୬୮ ନମ୍ବର ଘରଟି ଆଲଟ କରାଯାଇଛି । ଭି. ଆଇ.ଏମ୍‌. ର ଅର୍ଥ ହେଲା ସିକ୍ସଥ୍‌ ଫେଜ୍‌ ଏମ୍‌. ଆଇ.ଜି. ପ୍ଲଟ । ୧୯୯୧ ରେ ସେପ୍ଟେମ୍ବର ମାସରେ ମୁଁ ଆଉ ଗୀତା ଦିନେ ଘର ଦେଖିବାକୁ ଯାଇଥିଲୁ ବେଲପାହାଡ଼ରୁ ଭୁବନେଶ୍ୱର । ଝିଅ ଦୁଇଜଣଙ୍କୁ ଛାଡି ଦେଇ ଯାଇଥିଲୁ ମୋର ବନ୍ଧୁ ସେନାପତି ରାଉଳଙ୍କ ଘରେ ।

ଭୁବନେଶ୍ୱରେ ଆମେ ଆସି ଉଠିଥିଲୁ ମୋ ସାନଭାଇ ଉମାକାନ୍ତ ଘରେ । ସେ ଓଡିଶା ଷ୍ଟେଟ୍‌ ଇଲେକଟ୍ରିସିଟି ବୋର୍ଡ଼ରେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ କାର୍ଯ୍ୟରତ ରହିଥିଲ। ଏବଂ ଆଇ.ଆର୍‌.ସି. ଭିଲେଜ୍‌ରେ ଗୋଟିଏ ସରକାରୀ ଜି.ଏ. ପ୍ଲଟ ଏନ-୪- ୨୯୩ କିଣି ଘର କରି ରହୁଥିଲା । ସେତେବେଳେ ତା ଘର ପାଖରୁ ଏପଟକୁ ମାନେ ଚନ୍ଦ୍ରଶେଖରପୁର କୁ ଯିବା ଆସିବା ପାଇଁ ଏତେ ସୁବିଧା ନ ଥିଲା । ଜୟଦେବ ବିହାର ଠାରୁ ଗୋଟାଏ ସଂକୀର୍ଣ୍ଣ ରାସ୍ତା ସିଧା ଯାଇଥାଏ ନନ୍ଦନ କାନନ ଆଡକୁ । ବହୁତ କମ୍‌ ଟାଉନ ବସ୍‌ ମଧ୍ୟ ସେତେବେଳେ ଏ ରୁଟ୍‌ରେ ଚାଲୁଥିଲା । ଏବେକା ଭଳି ଅଟୋ ରିକ୍ସା ମଧ୍ୟ ଏତେ ସହଜରେ ଉପଲବ୍ଧ ହୋଇ ପାରୁ ନ ଥିଲା ।

ମୁଁ ଆଉ ଗୀତ। ଦିହେଁ ବସ୍‌ରେ ଯାଇ ଓହ୍ଲାଇ ଥିଲୁ ଡମଣା ଛକରେ । ସେତେବେଳେ ଡମଣା ଛକରୁ ବାମ ଦିଗକୁ ଗୋଟାଏ ଚଲାବାଟ ଟିଏ ପଡିଥିଲା ଶୈଳଶ୍ରୀ ବିହାର କୁ । ଡମଣାରୁ ଚାଲିକରି ଯିବା ଛଡ଼ା ଅନ୍ୟ କୌଣସି ଉପାୟ ନ ଥିଲା । ସେତେବେଳେ ଖୋଲାରେ ହେଉଥିଲା ଡମଣାହାଟ ତା ପରେ ଆମ୍‌ ବାଗନ ଆଉ ତା ପରେ ବଡ଼ ନାଳଟେ ଥିଲା । ମୁଁ ଆଉ ଗୀତା ବସ୍‌ ରୁ ଓହ୍ଲାଇ ଚାଲି ଚାଲି ଯାଇଥିଲୁ ଆମ ଘର ଦେଖିବା ପାଇଁ । ଡମଣା ଛକରୁ ପ୍ରାୟ ଦୁଇ କିଲୋମିଟର ଥିଲା ଆମ ଘର । କିନ୍ତୁ ସେତେବେଳେ ବାଟ ନ ଥିବାରୁ ଆମକୁ ବହୁତ ଦୂର ଲାଗିଥିଲା । ଗୀତ। ପୁଣି ଚାଲି ପାରୁ ନ ଥିଲେ । ମୁଁ ମନେ ମନେ ବିରକ୍ତ ହେଉଥିଲି କାରଣ ସେ ବେଶୀ ଜିଦ୍‌ କରିଥିଲେ ଘର କିଣିବେ ବୋଲି । ମୁଁ ଗୀତାଙ୍କୁ କହିଲି ମଧ୍ୟ – “ଏ କି ଜାଗାରେ ଆମେ ଘର ତିଆରି କଲେ, ଏଠି କ’ଣ ଆମେ ରହି ପାରିବା ? ସେତେବେଳେ ଯାହା ପରିସ୍ଥିତି ଥିଲା ମୁଁ କେବେବି ଭାବି ପାରି ନ ଥିଲି ଯେ ଶୈଳଶ୍ରୀ ବିହାର ଏବେ ଯେପରି ହୋଇଛି ସେପରି ହେବ ବୋଲି ।

୧୯୯୨ ଜୁନ୍‌ ମାସରେ ଶୈଳଶ୍ରୀବିହାର ଘର ଆମକୁ ହସ୍ତାନ୍ତର ହେଲା ବିଧିବଦ୍ଧ ଭାବରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଠାରୁ । ସେହି ବର୍ଷ ଅକ୍ଟୋବେର ୫ ତାରିଖ ବିଜୟା ଦଶମୀ ରେ ମୁଁ ଘରର ପ୍ରତିଷ୍ଠା କରିଥିଲି । ମୋର ଦୁଇ ଭାଇ, ଦୁଇ ଭଉଣୀ ଯେଉଁ ମାନେ ଭୁବନେଶ୍ୱରରେ ରହୁଥିଲେ ଆସିଥିଲେ । ମୁଁ ସେତେବେଳେ ଅନନ୍ତ ବାସୁଦେବଂକ ପ୍ରସାଦ ମଗାଇ ଖୁବ ଭଲରେ କରିଥିଲି ଗୃହ ପ୍ରତିଷ୍ଠା । ସେତେବେଳେ ଖୁବ କମଲୋକ ଶୈଳଶ୍ରୀବିହାର ଘର ଗୁଡିକୁ ହସ୍ତାନ୍ତର କରିଥିଲେ ତେଣୁ ଅଧିକାଂଶ ଘର ଖାଲି ରହୁଥିଲା । କିନ୍ତୁ ଯେଉଁ ମାନେ ଥିଲେ ମୁଁ ସମସ୍ତଙ୍କୁ ଡାକି ଥିଲି ପ୍ରସାଦ ସେବନ କରିବା ପାଇଁ ।

ସେତେବେଳେ ଶୈଳଶ୍ରୀବିହାରରେ ବେଶୀ ଲୋକ ରହୁ ନ ଥିବାରୁ ଘର ଗୁଡାକ ସବୁ ଖାଲି ପଡି ରହୁ ଥିଲା ତେଣୁ ଭଡା ଲାଗିବାର ପ୍ରଶ୍ନ ନ ଥିଲା । ତେବେବି ମୁଁ ଚେଷ୍ଟା କରିଥିଲି ମାସିକ ୩୦୦ ଟଙ୍କାରେ କିନ୍ତୁ ତାହା ମଧ୍ୟ ମିଳି ନ ଥିଲା । ତେଣୁ କରି ମୁଁ ଘରେ ତାଲା ପକାଇ ବେଲପାହାଡ଼କୁ ଫେରି ଯାଇଥିଲି ।

୧୯୯୩ ମସିହାରେ ମେ ଏବଂ ଜୁନ ରେ ପ୍ରାୟ ଦେଢ଼ ମାସ ଛୁଟି ନେଇ ମୁଁ ମୋର ୧୯୯୨ ରେ କିଣିଥିବା ନୂଆ ମାରୁତି ୮୦୦ ଗାଡ଼ିରେ ପିଲାମାନଙ୍କୁ ନେଇ ଶୈଳଶ୍ରୀବିହାରର ଖାଲି ପଡିଥିବା ଘରଟାରେ ରହିଥିଲି । ଗାଡି ରେ ସିଧା ବେଲପାହାଡ଼ରୁ ଭୁବନେଶ୍ୱର ଆସିଥିବାରୁ ଗରମ ଦିନରେ ରହିବା ଭଳି ଜିନିଷ ପତ୍ର ଗାଡ଼ିରେ ପକାଇ ନେଇ ଯାଇ ଥିଲି । ସେତେବେଳକୁ ଟିକିଏ ବେଶୀ ଲୋକ ଶୈଳଶ୍ରୀବିହାରରେ ରହିବାକୁ ଆରମ୍ଭ କରି ଥିଲେ । ମୁଁ ପରିବାର ସହିତ ପ୍ରାୟ ଦେଢ଼ ମାସ ଭୁବନେଶ୍ୱରରେ ନିଜ ନୂଆ ଘରେ ରହି ମଜା ନେଇ ଥିଲି । ଗାଡ଼ିଟା ସାଙ୍ଗରେ ଥିବାରୁ ଯିବା ଆସିବାରେ କିଛି ଅସୁବିଧା ନ ଥିଲା । ଆମେ ସେ ସମୟରେ ପୁରୀକୁ ଯାଇ ଆମ କମ୍ପାନୀର ଗେଷ୍ଟ ହାଉସ ରେ ମଧ୍ୟ କିଛି ଦିନ କାଟି ଥିଲୁ । ତା ଛଡ଼ା ପୁରୀରେ ଥିବା ପି.କେ.ଆର. ଆଇ.ଟି କଲୋନୀରେ ଥିବା ମୋର ନିଜ ଘରକୁ ମଧ୍ୟ ଯାଇ ଥିଲୁ । ସେ ବର୍ଷ ଫେରିବା ବେଳକୁ ମୁଁ ପତି ବୋଲି ଗୋଟାଏ ଓକିଲ କୁ ଅତି କମ୍‌ ଟଙ୍କାରେ ଭଡାରେ ଦେଇ ଆସି ଥିଲି ଘରଟାକୁ ।

ସତରେ କୁହନ୍ତି ଓକିଲ ଆଉ ପୋଲିସ ମାନଙ୍କୁ କେବେବି ଘର ଭଡା ଦେବ ନାହିଁ । ପରବର୍ତ୍ତୀ କାଳରେ ସେ ଓକିଲ ପତି ଯେ ନିଜ ଭଉଣୀ ସହିତ ରହୁଥିଲା ମତେ ଅସୁବିଧାରେ ପକାଇ ଥିଲା । ଅବଶ୍ୟ ତାର ଏପରି କରିବା ମୂଳରେ ମୋର ଗୋଟେ ଘର ଛାଡି ରହିଥିବା ଘର ମାଲିକ ଯାହାଙ୍କୁ ମୁଁ ବନ୍ଧୁ ଭାବରେ ପାଇ ଭୁଲି ଯାଇଥିଲି ଯେ ଏ ଭୁବନେଶ୍ୱରେ କାହାରିକୁ ବିଶ୍ୱାସ କରିବା ଉଚିତ ନୁହେଁ । ମୁଁ ମୋର ନୂଆ ଗାଡ଼ିରେ ସେମାନଙ୍କୁ ବୁଲାଇଥିଲି । ପୁରୀ ଆଉ କୋଣାର୍କ କୁ ନିଜେ ଚଳାଇ ନେଇ ଯାଇ ଥିଲି । ଖୁଆଇ ପିଆଇ ନିଜ ଲୋକ ଭଳି ସମ୍ମାନ କରିଥିଲି । ସେ ବୟସରେ ମୋ ଠାରୁ ସାନ ଥିବାରୁ ତାଙ୍କୁ ସାନ ଭାଇ ଭଳି ଭଲ ପାଇଥିଲି । ଆଉ ସେହି ବିଶ୍ୱାସରେ ମୁଁ ତାଙ୍କୁ ମୋ ଘରର ଭଡ଼ାତକ ନିଜ ପାଖରେ ରଖିବାକୁ କହିଥିଲି । କିନ୍ତୁ ସେ ମୋର ବିଶ୍ୱାସରେ ବିଷ ଦେଲେ, ଏ କଥା ମୁଁ ଜାଣି ପାରିଲି ସେହି ବର୍ଷ ଅକ୍ଟୋବେର ମାସରେ । ପିଲା ମାନଙ୍କୁ ନେଇ ଅକ୍ଟୋବେର ୨୫ ତାରିଖରେ ବେଲପାହାଡ଼ରୁ ବାହାରି ମୁଁ ଭୁବନେଶ୍ୱରରେ ନିଜ ଘରକୁ ଗଲି କିନ୍ତୁ ପତି ମୋ ନିଜ ଘରେ ଦିନେ ରଖିବାକୁ ଅମଙ୍ଗ ହେଲା । ପରେ ମୁଁ ଜାଣିପାରିଥିଲି ପତି ଏ ପ୍ରକାର ବ୍ୟବହାର କରିଥିଲା ତାଙ୍କ କଥାରେ ପଡି । ମୁଁ ବାଧ୍ୟ ହୋଇ ମୋ ଭାଇ ଘରକୁ ଯାଇ ରହିଥିଲି ।

ସେଠାରୁ ଫେରିବା ବେଳେ ମୁଁ ସେ ପତି କୁ ଘର ଛାଡିବା ପାଇଁ କହି ଆସିଥିଲି । ସେ ହଁ ନାହିଁ କରି ଜାନୁଆରୀ ୧୯୯୪ ରେ ଘର ଖାଲି କରି ଚାଲି ଗଲା । ମୁଁ ସେହି ବର୍ଷ ପୁଣି ଗାଡ଼ିରେ ପିଲାମାନଙ୍କୁ ନେଇ ଯାଇ ରହିଥିଲି ମୋ ଘର ଶୈଳଶ୍ରୀବିହାରରେ ପ୍ରାୟ ଦୁଇମାସ ଧରି ପିଲା ମାନଙ୍କ ଗ୍ରୀଷ୍ମ ଛୁଟି ବେଳକୁ । ପତି ଭଳିଆ ଭଡାଟିଆଠାରୁ ତିକ୍ତ ବ୍ୟବହାର ପାଇ ଥିବାରୁ ମୁଁ ୧୯୯୪ ରେ ମୋ ଘରର ସୀଢୀ ଘରକୁ ଲାଗି ସାମ୍ନାରେ ଗୋଟାଏ ଗ୍ୟାରେଜ ଘର ଆଉ ତା ଉପରେ ଗୋଟାଏ ରୁମ୍‌ ଏବଂ ବାଲ୍କୋନି ତିଆରି କରାଇଲି ଆଉ ସୀଢୀ ତଳେ ଗୋଟାଏ ବାଥରୁମ ଓ ଗାଧୁଆ ଘରର ବନ୍ଦୋବସ୍ତ କରି ଦେଲି ଯେପରି ଭଡା ଦେବା ପରେ ମୁଁ ବା ମୋ ପରିବାର ଭୁବନେଶ୍ୱର ଆସିଲେ ଗ୍ୟାରେଜ୍‌ ରେ ଗାଡି ଟାକୁ ରଖି ପାରିବେ ଆଉ ଉପରଘରଟାରେ ଭଲରେ ଦୁଇ ଚାରିଦିନ ରହି ପାରିବେ, ମାନେ ଗୋଟାଏ ଅଲଗା ଛୋଟିଆ ଘରଟିଏ ନିଜ ପାଇଁ କରି ଦେଲି । ଏତେ ସବୁ କରି ସାରି ମୁଁ ସେ ବର୍ଷ ଫେରିଲା ବେଳକୁ ସୁବାସ ସାହୁ ବୋଲି ଜଣଙ୍କୁ ଭଡାରେ ଦେଇ ନିଜ ଗ୍ୟାରେଜ ଘରଟାରେ ତାଲା ଦେଇ ବେଲପାହାଡ଼କୁ ଫେରିଯାଇ ଥିଲି ।

ସୁବାସ ସାହୁ ଲୋକଟି ଭଲ ହେଲେ ମଧ୍ୟ ଭାରି କଂଜୂସ ପ୍ରକୃତିର ଥିଲେ, ସେ ତାଙ୍କ ପୁତୁରା ଯେ କି ବେଲପାହାଡ଼ରେ ମୋର ଟ୍ରେନି ଥିଲେ ତାଙ୍କର ପରିଚୟ ଦେଇ ମୋ ମନରେ ପ୍ରତ୍ୟୟ ସୃଷ୍ଟି କରିଥିଲେ ଆଉ ଅତି କମ୍‌ ଟଙ୍କା ରେ ଘର ଭଡା ନେଇ ରହିଗଲେ । ତାପରେ ଯେତେ କହିଲେ ବି ଆଉ ଭଡା ମଧ୍ୟ ବଢ଼ାଇଲେ ନାହିଁ । ମୋର ସେହି ଘରେ ସେ ରହୁ ରହୁ ଦୀର୍ଘ ୧୨ ବର୍ଷ ରହି ଯାଇ ଥିଲେ ଏବଂ ମୋ ଘରେ ତାଙ୍କର ତିନୋଟି ଅଭିଆଡ଼ି ଝିଅଙ୍କର ବିଭାଘର ମଧ୍ୟ ସମ୍ପର୍ଣ୍ଣ କରିଦେଇଥିଲେ । ତେବେ କମ୍‌ ଭଡା ଦେଉଥିଲେ ମଧ୍ୟ ସେ ପ୍ରତି ମାସରେ ଘରଭଡା ଠିକ ସମୟରେ ପଠାଇ ଦେଉ ଥିଲେ ଏବଂ ଆମେ କେତେବେଳେ ଭୁବନେଶ୍ୱରକୁ ଯାଇ ନିଜ ଗ୍ୟାରେଜ୍‌ ଉପର ଘରଟାରେ ରହିଲା ବେଳକୁ ଭଲ ଖାତିର ମଧ୍ୟ କରୁଥିଲେ । ତେଣୁକରି ମୁଁ ତାଙ୍କୁ କେବେ ବି ଘର ଛାଡିବା ପାଇଁ କହି ନ ଥିଲି ।

ମୁଁ ୨୦୦୬ ଅକ୍ଟୋବେର ମାସରେ ସୁବାସ ସାହୁଙ୍କୁ ମୋ ଘର ଛାଡିବା ପାଇଁ କହିଲି କାରଣ ମୋର ଜାନୁଆରୀ ୨୦୦୭ ରେ ରିଟାୟାରମେଣ୍ଟ ହେବାର ଥିଲା । ସେ ବହୁତ କୁଂଥୁ କୁଂଥୁ ହୋଇ ମୋ ବିଲ୍‌ଡର ଡ଼ରାଇବା ପରେ ଯାଇଁ ଘର ଛାଡିଲେ । ଘର ଖାଲି ହେବାପରେ ମୁଁ ସମ୍ପୂର୍ଣ୍ଣ ନୂତନ ଭାବରେ ଘରଟାକୁ ଗଢାଇଲି ଗୋଟିଏ ବିଲ୍ଡରକୁ ଯାହାର ନାମ ନିରଞ୍ଜନ ସାହୁକୁ ଦେଇ । ସେ ଆଗ ତଳ ଘରଟାକୁ ଭଲ କରି ତିଆରି କରି ଦେଲା ଆଉ ମୁଁ ୧୦ ମାର୍ଚ୍ଚ ୨୦୦୭ ରେ ଆସି ତଳ ଘରଟାରେ ରହିଲି ଗୀତାସାଙ୍ଗରେ । ପିଲାମାନେଟା ଆଉ କେହି ମୋ ପାଖରେ ନ ଥିଲେ । ଦିହେଁ ବାହା ହୋଇ ଯେ ଯାହାର ସଂସାର ସମ୍ଭାଳୁ ଥିଲେ । ଆମେ ଦିହେଁ ତଳ ଘରଟାରେ ରହିଲୁ ଯଥାସମ୍ଭବ କମ୍‌ ଜିନିଷ ଆଣିଥିଲି ମୁଁ ସାଙ୍ଗରେ ଆସିଲା ବେଳକୁ କାରଣ ମୁଁ ଜାଣିଥିଲି ଆମେ ରହିବା ପରେ ଉପର ମହଲା ଗୁଡାକ ତିଆରି ହେବ ତେଣୁ ବାଲି, ସିମେଣ୍ଟ ଆଉ ପାଣିରେ ସବୁ ଖରାପ ହୋଇ ଯିବ । ମାର୍ଚ୍ଚ ୧୦, ୨୦୦୭ ରେ ଆମେ ରହିଥିଲୁ ତଳ ଘରଟାରେ ଆଉ ଘରଟାକୁ ତିନି ମହଲା କରି ସମ୍ପୂର୍ଣ୍ଣ କରିବା ପାଇଁ ଲାଗିଗଲା ଅହୁରି ୮ ମାସ । ହେଉ ହେଉ ତିନି ମହଲା ଘର ହୋଇଗଲା । ମୁଁ କେବେ ବି ଏତେ ବଡ଼ ଘର ହେବ ବୋଲି ଆଶା କରି ନ ଥିଲି । ସବୁ ସେହି ଭଗବାନଙ୍କର ଇଚ୍ଛା । ୨୦୦୮ ଫେବୃଆରୀ ମାସ ୧୧ ତାରିଖ ସରସ୍ୱତୀ ପୂଜା ଦିନ ଆମେ ପ୍ରଥମ ମହଲାକୁ ଗଲୁ ଆଉ ତଳ ଏବଂ ଉପର ଘର ଗୁଡିକୁ ଭଡାରେ ଦେଇ ଦେଲୁ । ଏବେ ଏହି ଘରଟାହିଁ ଆମର ଆନନ୍ଦ ।

To Top