ଅନୁଭୂତି

ଆଉ ତାଙ୍କୁ ଖୋଜୁନି …

Odia Author Biswajeeban Mishra

ଆଉ କିଛି ନ କହି ଚୁପ ଚାପ୍ ଯାଇ ତାଙ୍କ ଗାଡ଼ିରେ ବସି ପଡିଲି ସୁନା ପିଲା ଭଳି । ମୁଁ ଯୋଉଠିକି ଯିବା କଥା ଠିକ୍ ସେହି ଜାଗାରେ ନେଇ ସେ ମୋତେ ଛାଡିଦେଲେ ।

ଆଉ ତାଙ୍କୁ ଖୋଜୁନି ...

ମୁଁ ଚାଲି ଚାଲି ଯାଉଥିଲି … ଏକୁଟିଆ, ମୁହଁ ସନ୍ଧ୍ୟାରେ .

ରାସ୍ତାରେ ବତୀ ଖୁଣ୍ଟ ନଥିବାରୁ ବହୁତ ରାତି ଭଳିଆ ଲାଗୁଥିଲା ।

ଓଭର ବ୍ରିଜରେ ପାଦ ଦଉ ଦଉ ହଠାତ୍ କେହି ଜଣେ ଅତି ପରିଚିତ କଣ୍ଠରେ ପଛରୁ ଡାକିଲେ ।

ମୁଁ ରହିଗଲି | କହିଲେ , “ଚାଲ ଯିବା ଲିଙ୍କ ରୋଡ୍, ରିକ୍ସାରେ ବସ !”

“କି ଆଶ୍ଚର୍ଯ୍ୟ ! ମୁଁ ଲିଙ୍କ ରୋଡ୍ ଯିବି ବୋଲି ଏ କେମିତି ଜାଣିଲେ “- ମନେ ମନେ ଭାବିଲି । ପକେଟରେ ପଇସା ନ ଥିବାରୁ ବିନମ୍ରତାର ସହ ତାଙ୍କୁ କହିଲି , “ନାଇଁ ଆଜ୍ଞା , ମୁଁ ଚାଲିକି ପଳେଇବି, ବ୍ୟସ୍ତ ହୁଅନ୍ତୁନି…ଆପଣ ଯାଆନ୍ତୁ ।” ୟାର ଉତ୍ତରରେ ସେ କହିଲେ “ଓହୋ ତୁମେ ପଇସା କଥା ଭାବୁଛ କି ?? ମୋ’ର ପଇସା ବା କ’ଣ ହବ! ମୁଁ କ’ଣ ତୁମକୁ ପଇସା କଥା ଏ ଯାଏଁ କହିଲିଣି ? ତୁମକୁ ନେବାରେ ହିଁ ମୋର ଖୁସି । ଏମିତି ତୁମକୁ ନ ନେଇ ଚାଲିଗଲେ ମୋତେ ଜମା ଭଲ ଲାଗିବନି । ତୁମେ ମୋ’ କଥା ମାନି ଟିକେ ବସ ।”

“ସେ ତ ସବୁ ଜାଣି ଦଉଛନ୍ତି !”

ଭାଙ୍ଗି ପାରିଲିନି ତାଙ୍କ କଥା !

ଆଉ କିଛି ନ କହି ଚୁପ ଚାପ୍ ଯାଇ ତାଙ୍କ ଗାଡ଼ିରେ ବସି ପଡିଲି ସୁନା ପିଲା ଭଳି । ମୁଁ ଯୋଉଠିକି ଯିବା କଥା ଠିକ୍ ସେହି ଜାଗାରେ ନେଇ ସେ ମୋତେ ଛାଡିଦେଲେ । ଓହ୍ଲାଇଲାବେଳକୁ କହିଲେ , “୫ ଟଙ୍କିଆଟି ଚୌଦ୍ୱାର ଗାଡିକୁ ଦବ । ସେ ତୁମକୁ ନେଇ ଘରେ ଛାଡ଼ିଦେବ !”

ହତବମ୍ବ ଆଉ ନିର୍ବାକ ମଣିଷଟିଏ ପରି ମୁଁ ପକେଟ୍ ଅଣ୍ଡାଳନ୍ତେ ସତରେ ବି ୫ ଟଙ୍କାର ମୁଦ୍ରାଟେ ମୋ ହାତରେ ଲାଗିଲା ଆଉ ସେଦିନ ମୁଁ ଘରକୁ ବି ଗଲି !

ଘଟଣାଟିକୁ ଆଜକୁ ପନ୍ଦର ବର୍ଷ ପୁରିଲା । ତାଙ୍କ ସହ ତାହା ମୋର ପ୍ରଥମ ଆଉ ଶେଷ ଭେଟ ଥିଲା ।

‘କେମିତି ତାଙ୍କୁ ତାଙ୍କର ପ୍ରାପ୍ୟ ଦେବି’ ଏହି ବିଚାରରେ ବ୍ୟସ୍ତ ହୋଇ ପ୍ରଥମେ ପ୍ରଥମେ ତାଙ୍କୁ ମୁଁ ବହୁତ ଖୋଜଲି । ହେଲେ ଯୋଉ ଦିନ ‘ସେ ଯିଏ’-‘ମୁଁ ବି ସିଏ’ ବୋଲି ଜାଣିଗଲି ତାଙ୍କୁ ଖୋଜିବାର ଅବକାଶ ଆଉ ରହିଲା ନାହିଁ । ‘ପ୍ରାପ୍ୟ-ଅପ୍ରାପ୍ୟର’ ଜାଗତିକ ସମୀକରଣରୁ ଯେ ସେ ବହୁ ଉର୍ଦ୍ଦ୍ୱରେ ତାହା ସ୍ପଷ୍ଟ ରୂପେ ଅନୁଭବ ହୋଇଗଲା ! ତାଙ୍କୁ ସିନା ସେହି ନିର୍ଦିଷ୍ଟ ରୂପରେ ଆଉ ଥରେ କେବେ ପାଇନି, ହେଲେ ଅନେକ ନୂଆ ନୂଆ ରୂପରେ ତାଙ୍କୁ ମୁଁ ନିତିଦିନ ଭେଟୁଛି । ସବୁଠି, ସମାନ ଭାବେ !

To Top