ଅଭୁଲା ସ୍ମୃତି

Dr Anita Panda

“ନା, ଇଏ ମୋ ଉପାର୍ଜିତ ପଇସା । ସ୍କୁଲ୍ ଛାଡ଼ିବା ଦିନରୁ ବାପା ମତେ ଆଉ ହାତ ଖର୍ଚ୍ଚ ଦିଅନ୍ତିନି । ଜମା ମିଛ କହୁନି । ବାପାଙ୍କୁ ପଚାରନ୍ତୁ ।” ବାପାଙ୍କ ଆଡ଼କୁ ଚାହିଁ କହିଲି ।

ଅଭୁଲା ସ୍ମୃତି

-: ପୂର୍ବରୁ :-

ଛୁଆନନା ସେଦିନ ଅପେକ୍ଷାକୃତ ଶୀଘ୍ର ଆସି ଯାଇଥିଲେ । ବାହାଦୂରୀ ଦେଖାଇ କହିଲି । “କେଉଁ କେଉଁ ବାବୁମାନେ ଆସୁଛନ୍ତି ମୁଁ ଜାଣିଛି ନାଁ ଗୁଡ଼ା ତୁମକୁ କହିବି ?”

ଜାଣେ ମୁଁ ଲିଷ୍ଟ୍ ତିଆରି କରି ବାପାଙ୍କ ଟେବୁଲ୍ ଉପରେ ରଖି ଯାଇଥିଲି ।

ମୋ ମୁହଁ ଶୁଖି ଏତିକି ଟିକିଏ ହୋଇଗଲା । ଗାଁର ପ୍ରାୟ ସମସ୍ତଙ୍କ ସାମ୍ନାରେ ମୋର ଭିନ୍ନ ଭିନ୍ନ ବାହାଦୂରୀ ପ୍ରକଟ କରି ପ୍ରଶଂସା ପାଇଥାଏ । ହେଲେ ଛୁଆନନାଙ୍କ ପାଖରେ ମୁଁ ସବୁ କଥାରେ ହାର ମାନିଥାଏ । ତା’ର କାରଣ ହେଲା ସେ ବେଶୀ ପାଠ ପଢ଼ିଛନ୍ତି । ତେଣୁ ବିଚକ୍ଷଣ ।

ମୁହଁ କାହିଁକି ଶୁଖାଇଲୁ ? କ’ଣ ହେଲା ?? ନା କିଛି ନୁହେଁ ଛୁଆନା, ମୁଁ ଭାବୁଥିଲି ଇଏ ସେଇ ମାଟିର ମଣିଷ ଲେଖକ ଶ୍ରୀ କାଳିନ୍ଦୀ ପାଣିଗ୍ରାହୀ ନୁହଁନ୍ତି ତ । ଯାହାଙ୍କ ଦର୍ଶନ ପାଇଁ ବହିଟି ପଢ଼ିବା ପରେ ମୋ ଆତ୍ମା କାନ୍ଦି ଉଠିଥିଲା ।

ଠିକ୍ ଚିହ୍ନିଲୁ । ଇଏ ସେଇ ମାଟିର ମଣିଷ ଲେଖକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ । ଜାଣିଛୁ, ଏଇ ବହିଟିକୁ (ଗପଟିକୁ) ଭିତ୍ତି କରି ବଡ଼ ପର୍ଦ୍ଦା ଉପରେ ଗୋଟିଏ ଚଳଚ୍ଚିତ୍ର ଗଢ଼ାଯାଉଛି ।

ଚଳଚ୍ଚିତ୍ର ଉପରେ ମୋର କୌଣସି ଧାରଣା ନ ଥିଲା । ଶବ୍ଦଟି ଶୁଣି ମୋର ମନେ ହେଲା “ଚଳ” ଅର୍ଥାତ୍ ଚାଲୁଥିବା ଚିତ୍ର ଅର୍ଥାତ୍ “ଫଟୋ” । ବଡ଼ ପର୍ଦ୍ଦା ଉପରେ ବିରଜୁ, ଛକଡ଼ି, ହାରା ବୋଉ ଏବଂ ନେତ୍ରମଣିର ଫଟୋ ଚାଲୁଥିବ । ଛୁଆନନାଙ୍କୁ କହିଲି, “ଯୋଉ ପର୍ଦ୍ଦା ଉପରେ ଚାଲୁ ପଛକେ ଛକଡ଼ି ଆଉ ନେତ୍ରମଣିକୁ ଦେଖିଲେ ମୁଁ ପାଟି ଫିଟେଇବିନି । କେଡ଼େ ଖରାପ ମଣିଷ ଦି’ଟା ।” ବାପାଙ୍କର ଅବାଧ୍ୟ ହେଲେ ଆଉ ଶେଷରେ ରାମ, ସୀତାଙ୍କ ଭଳି ଭାଇ ଭାଉଜଙ୍କୁ ବନକୁ ପଠାଇ ଦେଲେ । ମନରେ ଅବଶୋଷ ବି ନାହିଁ । ଭରତଙ୍କୁ ଦେଖ, କେଡ଼େ ଅନୁତାପ କରୁଥିଲେ । ରାମଚନ୍ଦ୍ରଙ୍କ କଠଉ ଦୁଇଟିକୁ ବାରବର୍ଷ ଧରି ପୂଜା କରୁଥିଲେ ।

ଆଜିକାଲି ଦେଶରେ ଭରତ ନୁହଁ ଛକଡ଼ି ଭର୍ତ୍ତି ହୋଇଛି ।

ସେଇ ଛକଡ଼ି ନାଁ ନେଇ ତୁମେ ବାହାଦୂରୀ ମାରୁଛ । ତୁମେ ବି ଦିନେ ସେମିତି ବଡ଼ନନାଙ୍କୁ ଘରୁ ବାହାର କରିଦେବ ।

ଆମ ପାଟିଗୋଳ ଶୁଣି ବାପା ଚଉପାଡ଼ୀ ଘରୁ କହିଲେ, “କିରେ କ’ଣ ହେଉଛି ?”

ଆମ କଳି କେରାଳ ସେଇଠି ବନ୍ଦ ହେଲା । ଚିନାବାଦାମ ଡବା ଖୋଲି ତିନିଜଣ ଯାକ ଚିନାବାଦାମ ଖାଇବା ଆରମ୍ଭ କରିଦେଲୁ ।

ଆଜି ଚିନାବାଦାମ ଛଡ଼ା ମୋ ଯୋଗେ ଠିକ୍‌ରେ ହେଉନଥିଲା । ମନେ ମନେ ଚିନ୍ତା କରି ଚାଲିଥିଲି, ଛୁଆନନା ବଡ଼ନନାଙ୍କର ବହୁତ ସମ୍ମାନ କରନ୍ତି । ତାଙ୍କୁ ଏମିତି କହି ମୁଁ ବଡ଼ ଭୁଲ୍ କରିଛି । ଆମ ଘରର ଆର୍ଥିକ ଅବସ୍ଥା ଖରାପ ହେବା ପରେ ସେ ନିଜେ ପାଠ ଛାଡ଼ି ଘର ସମ୍ଭାଳିବାର ଭାର ନେଇ ବଡ଼ନନାଙ୍କ ପଢ଼ାରେ ବ୍ୟାଘାତ ଆସିବାକୁ ଦେଇ ନାହାନ୍ତି । ମୋର ଦୋଷ ହୋଇଗଲା “ଭଗବାନ୍, କ୍ଷମା କର !”

ମୋ ଉଦାସୀନତା ଦେଖି ଛୁଆନନା କହିଲେ, “ଆଜି ତୋ ହାତ ଦି’ଟା କେମିତି ଧିମା ପଡ଼ିଯାଇଛି ? ସବୁଦିନ ତ ରେସ୍‌ରେ ଥାଏ ।”

ମୁଁ ଭାବୁଥିଲି ଏବେ ଆମ ଘକୁ ସେଇ କାଳିନ୍ଦୀ ପାଣିଗ୍ରାହୀ ଆସୁଛନ୍ତି । ତାଙ୍କୁ ନିଶ୍ଚେ ପଚାରିବି ସେ ଛକଡ଼ି କୋଉଠି ରହେ ? ଆମେ ମିଶି ତାକୁ ପୁଲିସ୍‌ରେ ଦେଇ ଦେବା ।

ଡିସେମ୍ୱର ୨୪ ତାରିଖ । ପାହାନ୍ତାରୁ ଉଠି ନିଜର ନିତ୍ୟକର୍ମ ସାରି ନାନୀ ରନ୍ଧା ଘରେ ବ୍ୟସ୍ତ । ମା’ (ବଡ଼ନନାଙ୍କର ଦାଇ ମା’) ରୋଷେଇ ଘର ବାହାରେ ବସି ପରିବା କାଟୁଛି । ସୁଶୀନାନୀ ହେମଦସ୍ତାରେ କ’ଣ କୁଟି ଚାଲିଛି । ଶିଳ ପାଖରେ ଗୋଟାଏ ଛୋଟ ଅଧବେଲୀରେ ଭର୍ତ୍ତି ହୋଇ ମସଲା ବଟା ରଖାଯାଇଛି । ଆଉ ଗୋଟାଏ ଅଧବେଲୀରେ ଗୁଡ଼ାଏ ମୁଣ୍ଡଗଡ଼ା (ଗୋଟା ସୋରିଷ), ଖଣ୍ଡେ ହଳଦୀ, ୪/୬ଟା କଞ୍ଚାଲଙ୍କା, ଖଣ୍ଡେ ଅଦା ରଖାଯାଇଛି । ନାନୀ କହେ ସୋରିଷ ମସଲା ବଟା ହୋଇ ରହିଲେ ପିତା ହୋଇଯାଏ । ହୁଏତ ସେଇଥି ପାଇଁ ବଟା ହୋଇନି । ବାହାର ଚୂଲୀ ପାଖରେ ଗୋଟିଏ ପାଠିଆରେ ହଳଦୀ ଲୁଣ ଗୋଳା ହୋଇ ଚାଳିଶ ପଚାଶ ଖଣ୍ଡେ ମାଛ ରଖା ହୋଇଛି । ଗୋଟିଏ କଡ଼କୁ ତିନି ତିନିଟା ବଡ଼ ବଡ଼ ମାଛ ମୁଣ୍ଡ । ଆଜି ନିଶ୍ଚୟ ଦୁଇ ପ୍ରକାର ମାଛ ତରକାରୀ ରନ୍ଧା ହେବ । ପାଖରେ ଥିବା ଛୋଟ ଚାଙ୍ଗୁଡ଼ିଟି ଉପରେ ନଜର ପଡ଼ିଲା । ଚାରିଟା ବଡ଼ ବଡ଼ ମାଛ ମଞ୍ଜି ଅର୍ଥାତ୍ ତରକାରୀ ସାଙ୍ଗକୁ ମାଛ ମଞ୍ଜି ଭଜା, ବାଃ. . . ବହୁତ ମଜା ଆସିବ । ଖୁବ୍ ଉତ୍ସାହିତ ହୋଇ ବାହାଦୂରୀ ମାରିବା ଭଙ୍ଗୀରେ କହିଲି, “ମୁଁ କ’ଣ କାମ କରିବି ?” ରନ୍ଧାଘର ଭିତରୁ ନାନୀ ବଡ଼ ପାଟି କରି କହିଲା, “ତୋ ଯୋଗେ କିଛି କାମ ହେବନି । ତୁ ବାଡ଼ି ଖଣ୍ଡେ ହାତରେ ଧରି ମାଛ ପାଖେ ଜଗି ବସି ବିଲେଇ ହୁରୁଡ଼ୋଉ ଥାଏ ।” ସମସ୍ତେ ଦଉଡ଼ା ଦଉଡ଼ି କରି କିଛି ନା କିଛି କାମ କରି ଚାଲିଥାନ୍ତି । ବାହାରୁ ସଜନା ମତେ ପଙ୍ଗୁ ଭଳି ବସି ରହିବା ଦେଖି କହିଲା, “ଗେହ୍ଲୀ ନାନୀ କ’ଣ ତପସ୍ୟା କରୁଛ ?” ବାଡ଼ି ଖଣ୍ଡକ ଖଟ୍ ଖଟ୍ କରି କହିଲି “ବିଲେଇ ଜଗିବା କ’ଣ ଛୋଟ କାମ ?” କହିଲି ସିନା, ମାତ୍ର ସତ କହିବାକୁ ଗଲେ ପଙ୍ଗୁ ଭଳି ବସି ବସି ମନେ ମନେ ବିରକ୍ତ ହୋଇ ଯାଉଥିଲି । କ’ଣ କରିବି, କାହାକୁ ଦୋଷ ଦେବି ? ନିଜ ଅର୍ଜିତ ଫଳ । ଟାଇମ୍ ପାସ୍ କରିବା ପାଇଁ ଆରମ୍ଭ କଲି. . . ।

“. . . ପଙ୍ଗୁ ଲଘୟତେ ଗିରି
ଯତ୍ କୃପାତମହଂ ବନ୍ଦେ, ପରମାନ୍ଦ ମାଧବମ୍ ।”

ବାରଣ୍ଡାରେ ସପ ଖଣ୍ଡକ ଉପରେ ବସି ଛୁଆନନା କ’ଣ ଗୁଡ଼ାଏ ଖାତା ପଢ଼ିବାରେ ମନ ଦେଇଥିଲେ, ଜୋର୍‌ରେ କହିଲେ, “ଭୁଲ୍, ଅଧାରୁ କହୁଛୁ ।”

ମନେ ନାହିଁ । ତୁମେ କହିଦିଅ ।

ଏଇଠିକି ଆ । ସେଠି ଗୋଟାଏ ପଙ୍ଗୁ ଭଳି ବସି ପଙ୍ଗୁ ଲଙ୍ଘୟତେ ଗିରି କରି ଚାଲିଛି ।

ସତରେ ମୁଁ ଏବେ ପଙ୍ଗୁ ଛୁଆନା । ଏଠୁ ଉଠିଗଲେ ବିଲେଇ ମାଛ ଖାଇଯିବ । ରୁହ. . . ରୁହ. . . ଆଉ ମୋର ଯିବା ଦରକାର ନାହିଁ । ମନେ ପଡ଼ିଗଲା । “ମୂକଂ କରୋତି ବାଚାଳମ୍, ପଙ୍ଗୁ ଲଙ୍ଘୟତେ. . . ।”

ହଁ, ହଁ. . . ଠିକ୍ ଅଛି । ସେଇଠି ବସି ଥା’ । ହାତରେ ଥାଳିଆ ଖଣ୍ଡେ ଧରି ଥା’ । ପ୍ରଥମ ମାଛ ଭଜା ନିଶ୍ଚେ ତତେ ମିଳିବ ।

ଦିନ ପ୍ରାୟ ଚାରିଟା ହେବ । ଖିଆପିଆ ପର୍ବ ଶେଷ ହୋଇ ଯାଇଥିଲା । ଅଇଁଠା ବାସନ ଗୁଡ଼ା ନେଇ ମା’ କୂଅମୂଳେ ମାଜୁଛି । ଏ ଯାକେ ମତେ କାଳିନ୍ଦୀ ବାବୁଙ୍କୁ ଦର୍ଶନ କରିବାର ଆଶା ସଫଳ ହୋଇପାରିନି । ରାମ ଭାଇ ହରି ବାରିକ ସାହାଯ୍ୟରେ ଖାଦ୍ୟ ପରଶୁ ଥିଲେ । ମୁଁ କିଛି ନେଇ ପରଶିବାକୁ କହିଲି । ନାନୀ ନାଲି ଆଖି ଦେଖାଇଲା । ରାମ ଭାଇଙ୍କ ଠାରୁ ଜାଣିଲି ଯେଉଁ ଅତିଥି ଜଣଙ୍କ କାନ୍ଧ ଉପରେ ଏକ ସୁନ୍ଦର ଉତ୍ତରୀୟ ଅଛି, ସେ ହେଉଛନ୍ତି କାଳିନ୍ଦୀ ବାବୁ । ଝରକା ପାଖରେ ରଖା ଯାଇଥିବା ଗୋଟାଏ ମୁଗ ବସ୍ତା ଉପରେ ଛିଡ଼ା ହୋଇ ମୁଁ ଅପଲକ ଦୃଷ୍ଟିରେ କାଳିନ୍ଦୀ ବାବୁଙ୍କୁ ଦେଖୁଥିଲି । ସମସ୍ତ ଅତିଥିମାନେ ଅନର୍ଗଳ କିଛି ନା କିଛି କହି ଚାଲିଥାନ୍ତି । କେତେବେଳେ ଖୁବ୍ ଜୋର୍ ଜୋର୍‌ରେ ହସୁଥାନ୍ତି ତ ପୁଣି କିଛି କହି ସମସ୍ତେ ଗମ୍ଭୀର । ବିରକ୍ତିରେ ମୁଗବସ୍ତା ଉପରୁ ଓହ୍ଲାଇ ରନ୍ଧାଘର ଆଡ଼କୁ ମୁହାଁଇଲି । ନାନୀ ଗୋଟାଏ ବଡ଼ ମାଟି ବଢ଼ାରେ ଚାହା ବସାଇଛି । ପାଖରେ ଆଠଟା କାଚ କପ୍ ପ୍ଲେଟ୍ । ତିନିଟା ଛୋଟ କାଚ ଗ୍ଲାସ୍ (ହୃଷିଭାଇ, ଗୁମାସ୍ତା, ହୃଷି ଜେନା, ରାମଭାଇ ଏବଂ ହରି ବାରିକ ପାଇଁ) । ନାନୀ ଗୋଟାଏ ବଡ଼ ରୂପା ଜଗ୍‌ରେ ଚାହା ଛାଣି ରଖିଲା । ରାମ ଭାଇ, ହରି ବାରିକ ଦୁହେଁ ମିଶି ସବୁ ସରଞ୍ଜାମ ଅତିଥିମାନଙ୍କ ପାଖକୁ ନେଲେ । ପରେ ପରେ ଆଉ ତିନିଟି ବଡ଼ ବଡ଼ କାଚ ଥାଳିରେ ନାନମାନ, କାକରା ଏବଂ ପୋଡ଼ପିଠା ରାମଭାଇ ନେଇଗଲେ । ହରି ବାରିକ ଦଶଟା ଛୋଟ କାଚ ଥାଳିଆ ଏବଂ ଦଶଖଣ୍ଡ ରୁମାଲ୍ ନେଇ ପରଶିବା ଆରମ୍ଭ କଲା ।

ଅତିଥିମାନଙ୍କ ପାଖକୁ ଯିବାକୁ ମନଟା ହମ ହମ ହେଉଥାଏ । ମାତ୍ର ବାପାଙ୍କ ଡରରେ ବନ୍ଧ ଡେଇଁ ଯାଇପାରୁନଥାଏ । ସେଇଠି ଠିଆ ହୋଇ କାନ ପାତି ଥାଏ ।

ସେଇ ଝିଅଟି କାହିଁ ?

ଆନନ୍ଦରେ ଉଛୁଳି ପଡ଼ିଲି । ଅତିଥିମାନେ ମତେ ଖୋଜୁଛନ୍ତି । ଏଥର ବାପା ନିଶ୍ଚୟ ମତେ ଡାକିବେ ।

କୋଉ ଝିଅ କଥା କହୁଛନ୍ତି ? ବାପାଙ୍କ କଣ୍ଠସ୍ୱର ।

ରାମବାଗ ସ୍କୁଲ୍‌ର ସେଇ ଝିଅଟି ।

ସାର୍‌ମାନେ ପରୀ କଥା ପଚାରୁଛନ୍ତି ବାପା, ରାମଭାଇ କହିଲେ ।

ପରୀ । ଆଉ ଥରେ ବାପାଙ୍କ କଣ୍ଠସ୍ୱର ।

ରାମବାଗ ହାଇସ୍କୁଲ୍‌ରେ ପଢ଼େ । ଭାରି ସ୍ମାର୍ଟ ଝିଅଟିଏ ।

ସତରେ ଆଜ୍ଞା, ରିଲିଫ୍ ବାଣ୍ଟିବାରେ ଗୋପବନ୍ଧୁ ସ୍କୁଲ୍ ପ୍ରଥମ ହୋଇଥିଲେ ମଧ୍ୟ ସେଇ ଝିଅଟି ପାଖରେ ଆମେ ମାଡ଼ ଖାଇଗଲୁ । ଆଜି ପର୍ଯ୍ୟନ୍ତ ଆମ ସ୍କୁଲ୍‌ର କେହି ଝିଅ ରିଲିଫ୍ କାମରେ ଭାଗ ନେଇ ନାହାନ୍ତି । ଆପଣଙ୍କ ତତ୍ତ୍ୱାବଧାନରେ ପ୍ରଥମ ଥର ପାଇଁ ରାମବାଗ ସ୍କୁଲ୍ ସ୍ୱେଚ୍ଛାସେବୀ ଦଳ ଗଢ଼ିଥିଲେ ମଧ୍ୟ ଏଇ ଝିଅଟିର ଦାନ ଅତୁଳନୀୟ କହିଲେ ଗୋପବନ୍ଧୁ ସ୍କୁଲ୍‌ର ମୁଖ୍ୟ । ମୋର ସେ ଝିଅଟିକୁ ନେଇ ଗୋଟିଏ ଉପନ୍ୟାସ ଲେଖିବାକୁ ଇଚ୍ଛା ହେଉଛି । କାଳିନ୍ଦୀ ବାବୁଙ୍କର କଣ୍ଠସ୍ୱର ।

ମୋ ମୁହଁ ଶୁଖି ଏଡ଼ିକି ଟିକିଏ ହୋଇଗଲା । ଏଇ ଅଦୃଶ୍ୟ ପରୀ ନାଁରେ ସେ ଉପନ୍ୟାସ ଲେଖିବେ । ଆଉ ଦି’ଘଣ୍ଟା ହେଲା ମୁଁ ଏଠି ଅଧିଆ ପଡ଼ିଛି ମୋ ପାଇଁ କିଛି ନୁହେଁ ।

ପରୀ ତ ସ୍ୱେଚ୍ଛାସେବୀମାନଙ୍କ ଦଳରେ ନ ଥିଲା । ତେବେ ଆପଣମାନେ ତା’ ଦାନ ବିଷୟରେ ଜାଣିଲେ କେମିତି ? କହିଲେ ରାମ ଭାଇ ।

ସ୍ୱେଚ୍ଛାସେବୀ ଦଳର ପିଲାମାନେ ଗୋଟିଏ ଲଫାପାରେ ୨୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ହାତରେ ଧରାଇଥିଲେ । ଯାହା ଉପରେ ଲେଖାଥିଲା ବନ୍ୟା ପୀଡ଼ିତମାନଙ୍କ ପାଇଁ ଅନିନ୍ଦିତା ଠାରୁ ଲଫାପାଟି ଦେଖି ମୁଖ୍ୟମନ୍ତ୍ରୀଙ୍କର (ଶ୍ରୀ ନବକୃଷ୍ଣ ଚୌଧୁରୀ) ଆଖି ଛଳଛଳ ହୋଇ ଉଠିଥିଲା । ନିଜେ ଆସିବାକୁ ଇଚ୍ଛୁକ ଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତ ଜୀବନରୁ ସମୟ ବାହାର କରିପାରିଲେ ନାହିଁ ।

ବାପାଙ୍କ ଇଶାରାରେ ରାମଭାଇ ଆସି ମତେ ନେଇଗଲେ । ମତେ ସେତେବେଳେ ଛଅ ପୁରି ସାତ ଚାଲିଥାଏ । ମୁଁ ସେଠାରେ ସମସ୍ତଙ୍କୁ ଆଣ୍ଠୁମାଡ଼ି ମୁଣ୍ଡ ତଳେ ଲଗାଇ ପ୍ରଣାମ କଲି ।

ଅତିଥିମାନଙ୍କ ମଧ୍ୟରୁ ଜଣେ ପଚାରିଲେ, “ତୋ ନାମ ଅନିନ୍ଦିତା ?”

ଅନିନ୍ଦିତା ବି ଅନ୍ନପୂର୍ଣ୍ଣା ବି !

ତୋ ବାପାଙ୍କ ନାଁ କ’ଣ ? ଏଇ ଟଙ୍କାତକ ତୁ ତୋର ବାପା ଦେଇଥିବା ହାତ ଖର୍ଚ୍ଚରୁ କାଟି ପଠାଇଛୁ ?

ଏଥର ମୁଁ ସିଧା ହୋଇ ଛିଡ଼ା ହେଲି । ଦୃଢ଼କଣ୍ଠରେ ପ୍ରତିବାଦ କଲି, “ନା, ଇଏ ମୋ ଉପାର୍ଜିତ ପଇସା । ସ୍କୁଲ୍ ଛାଡ଼ିବା ଦିନରୁ ବାପା ମତେ ଆଉ ହାତ ଖର୍ଚ୍ଚ ଦିଅନ୍ତିନି । ଜମା ମିଛ କହୁନି । ବାପାଙ୍କୁ ପଚାରନ୍ତୁ ।” ବାପାଙ୍କ ଆଡ଼କୁ ଚାହିଁ କହିଲି ।

ଇଏ ଆପଣଙ୍କ ଝିଅ । ଯେମିତି ବାପକୁ ସେମିତି ଝିଅ । ହରେକୃଷ୍ଣ ବାବୁ ବାପାଙ୍କ ଉଦ୍ଦେଶ୍ୟରେ କହିଲେ ।

“ଆଲୋ ମା, ତୁ ୟା’କୁ କେମିତି ଉପାର୍ଜନ କଲୁ ?”

କାଳିନ୍ଦୀ ବାବୁ ମତେ ପଚାରୁଛନ୍ତି, ମୁଁ ଦଶଗୁଣା ଉଲ୍ଲାସିତ ହୋଇ କହିଲି, “ଗତ ଅଗଷ୍ଟ ମାସରେ ଘଟିଥିବା ବନ୍ୟା ପାଇଁ ବାପା ରାମବାଗ ହାଇସ୍କୁଲ୍‌ର ପିଲାମାନଙ୍କୁ ନେଇ ଏକ ସ୍ୱେଚ୍ଛା ସେବକ ଦଳ ଗଠନ କରିଥିଲେ । ରିଲିଫ୍ ସାମଗ୍ରୀ ଯେମିତି କି ଚୁଡ଼ା, ଗୁଡ଼, ଚାଉଳ ଏବଂ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀମାନ ବାଟ ମାରଣା ନ ହୋଇ କେମିତି ଠିକ୍ ଭାବରେ ବଣ୍ଟା ହେବ ତାହା ବଡ଼ପିଲାମାନଙ୍କୁ ଟ୍ରେନିଂ ଦେଉଥିଲେ ।”

ରିଲିଫ୍, ବନ୍ୟା ଏ ସବୁ କ’ଣ ?

ଆପଣ ଜାଣିଛନ୍ତି କି ନାହିଁ ମୁଁ କହି ପାରିବିନି । ମାତ୍ର ଦଳେଇ ଘାଇ ଭାଙ୍ଗିଥିବାରୁ ଜଗତସିଂହପୁର ପୁରା ଭାସିଗଲା ।

ସତେ । ତୁ କେମିତି ଜାଣିଲୁ ? କୌତୂହଳ ଦେଖାଇ କାଳିନ୍ଦୀବାବୁ କହିଲେ ।

ଖବର କାଗଜରୁ ପଢ଼ିଥିଲି । ରେଡ଼ିଓରୁ ମଧ୍ୟ ଶୁଣିଥିଲି । ତା’ ଛଡ଼ା ଦିନ ରାତି ତ ବାପା ସେଇ କଥା ଜପି ହେଉଥିଲେ । ଖାଇବା ପିଇବା ଭୁଲି ସେ ସ୍ୱେଚ୍ଛାସେବୀମାନଙ୍କୁ ଟ୍ରେନିଂ ଦେଉଥିଲେ । ମୁଁ ନାନୀକୁ ପଚାରିଲି । କିଛି ଦାନ ଧର୍ମ କରିବାକୁ ହେଲେ ବାପା ଅଜସ୍ର ଟଙ୍କା ବିଞ୍ଚୁଡ଼ି ଦିଅନ୍ତି । ଏଥର କାହିଁକି ନିଜେ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡୁଛି ।

ଏଇ କଥା ଶୁଣି ମୁଁ କିଛି ଅର୍ଥ ଉପାର୍ଜନ କରିବାକୁ ଭାବିଲି । ଦୋଳ ମେଳଣ ବେଳେ ଯାତ୍ରାପାର୍ଟିମାନେ ଯାତ୍ରା ଦେଖାଇ, ସର୍କସ ପାର୍ଟି ସର୍କସ ଦେଖାଇ ପଇସା ଅର୍ଜନ କରିଥଆନ୍ତି । ମେଳା ମାନଙ୍କରେ ନାଚ ଦେଖାଇ ପଇସା ରୋଜଗାର କଥା ମଧ୍ୟ ଶୁଣିଛି । ମାତ୍ର ବାପା କହନ୍ତି, “ଅତି ବେଶରମ ସଭାରେ ନାଚେ ।” ଅର୍ଥାତ୍ ବାପା ମୋ ନାଚିବା ପସନ୍ଦ କରିବେନି । ସରସ୍ୱତୀ ପୂଜା ପରେ ସରସ୍ୱତୀ ମୂର୍ତ୍ତିକୁ ଥାଳିରେ ଘର ଘର ବୁଲାଇ ଗୀତ ଗାଇ ବହୁ ପଇସା ଏକାଠି କରୁ । ତେଣୁ ଭଗବାନ୍‌ଙ୍କ ନାମରେ ରିଲିଫ୍ ଫଣ୍ଡ୍ ପାଇଁ ମଧ୍ୟ କିଛି ପଇସା ଏକାଠି କରିପାରିବି । ସକାଳେ ଯାଜପୁର ଶିବ ମନ୍ଦିରରେ ଭଜନ ଏବଂ ଶିବ ପୁରାଣ ପାଠ କରି ଏବଂ ଦ୍ୱିପହରେ ସ୍କୁଲ୍ ଘରେ ବସି ଗାଁ ବାସୀଙ୍କୁ ଭାଗବତ ଶୁଣାଇ ଏଇ ଉପାର୍ଜିତ ପଇସାତକ ଲଫାପାରେ ରଖି ସ୍ୱେଚ୍ଛାସେବୀମାନଙ୍କ ହାତରେ ରିଲିଫ୍ ପାଇଁ ବାପାଙ୍କ ହାତରେ ଦେଇଥିଲି । ଦେଲା ବେଳେ ଲକ୍ଷ୍ୟ କରିଥିଲି ବାପାଙ୍କ ଆଖି ଏବେ ଯେମିତି ଦିଶୁଛି ସେଇମିତି ଦେଖା ଯାଉଥିଲା ।

ତା’ପରେ

To Top