ଅନୁଭୂତି

ଭଦ୍ରକ ରହଣି

Dr Anita Panda

ଟ୍ରାନ୍ସଲେସନ୍ ଖାତାରେ ଅଛି, ବାଘ ଭଳି ମୋ ମୁହଁ କୁ କାହିଁକି ଚାହିଁଛନ୍ତି ? ମୁହଁ ଉପରେ ଟ୍ରାନ୍ସଲେସନ ନାହିଁ ।

ଭଦ୍ରକ ରହଣି

-: ପୂର୍ବରୁ :-

ଶିକ୍ଷାପଥେ

ଭଦ୍ରକରେ କ୍ୱାଟର୍ସଟା ଖୁବ୍ ବଡ । ସବୁ ପାଇଁ ସ୍ୱତନ୍ତ୍ର ରୁମ୍, ଶୋଇବା ଘର,ଅତିଥି ଘର,ଖାଇବା ଘର, ପ୍ରଶାଧନ ଘର । ଏସବୁ ଭିତରେ ପ୍ରଶସ୍ତ ଅଗଣା, ବାହାରକୁ ଆସିଲେ ଗୋଟିଏ ପଟେ ଦୁଇଟି ଛୋଟ ଛୋଟ ରୁମ୍ ଯେଉଁଠାରେ ରାମ ନନା(ରାନ୍ଧୁଣିଆ)ଏବଂ ଗୋବିନ୍ଦ (ଅଫିସ୍ ପିଅନ) ରହନ୍ତି । ଦୁଇଟିକୁ ଲାଗି ଗାଡି ପାଇଁ ଗ୍ୟାରେଜ । ଅନ୍ୟ ପଟେ ଗୋଟାଏ ବିରାଟ ରୁମ୍ (ଅଫିସ୍ ଘର) ଅଫିସ୍ ରୁମ୍‌ର ଗୋଟିଏ କାନ୍ଥ ଘରକୁ ଲାଗି ତେଣୁ ଝରକା ନାହିଁ । ତାର ବିପରୀତ କାନ୍ଥରେ ଗୋଟିଏ ବଡ ଝରକା, ଦକ୍ଷିଣ କାନ୍ଥରେ ଦୁଇଟି ଝରକା, ଉତ୍ତର କାନ୍ଥରେ ଦୁଇଟି କବାଟ ମଝିରେ ଝରକା । ଆମେ ପହଞ୍ଚିବା ବେଳକୁ ସବୁ ରୁମ୍ ଗୁଡିକ ସଜା ଯାଇ ସାରିଥିଲା । ଅଫିସ୍ ରୁମ୍‌ଟି ଆଲମାରୀ ଏବଂ ଫାଇଲ୍ ଥାକ ଗୁଡିକ ଦ୍ୱାରା ରୁମ୍‌ଟି ଦୁଇଭାଗରେ ବିଭକ୍ତ ହୋଇଥିଲା । ଗୋଟିଏ ବଡ, ଅନ୍ୟଟି ସାନ, ବଡ ରୁମ୍‌ଟି ଟେବୁଲ୍, ଚେୟାର, ଫାଇଲ୍ କାଗଜ ପତ୍ରରେ ଭର୍ତ୍ତୀ ସାନ ରୁମ୍‌ରେ ଗୋଟିଏ ଛୋଟ ଟେବୁଲ୍, ଦୁଇଟି ଚେୟାର, ଗୋଟିଏ ଛୋଟ ବୁକ୍ ସେଲ୍ଫ ଏବଂ ଗୋଟିଏ ଟାଇପ୍ ରାଇଟର । ରୁମ୍‌ଟି ଦେଖି ମନେ ମନେ ଖୁସି ହୋଇଗଲି । ଖାଇବା ଟେବୁଲ୍ ରେ ନିଜ ପ୍ରସ୍ତାବ ରଖିଲି, ଅଫିସ୍ ରୁମ୍ ପାଖର ଖାଲି ରୁମ୍‌ଟି ମୋର ।

ଘର ଭିତରେ ତୋ ରୁମ୍ ତତେ ଭଲ ଲାଗୁନି ?

ଭଲ ଯେ, ମାତ୍ର ସେଇଟା ତ ଶୋଇବା ଘର ଏଇଟା ସ୍ୱତନ୍ତ୍ର ।

ଏଇ ରୁମ୍‌ଟାର ନାମ ଜାଣିଛୁ ?

ନାଁ,

ସେଇଟା ଷ୍ଟଡି ରୁମ୍, ଅର୍ଥାତ ପଢାଘର ।

କଥା ପଦକ ଶୁଣି ମୋ ମୁହଁ ଶୁଖିଗଲା । ବଡନନା ଖାଇବା ଶେଷ କରି ହାତ ଧୋଇବାକୁ ଉଠି ଯାଇଥିଲେ ।

ସେ ରୁମ୍‌ଟାର ବ୍ୟବସ୍ଥା ତୁମ ବଡନନା ତୁମ ପଢିବା ପାଇଁ ହିଁ କରିଛନ୍ତି । ଆନନ୍ଦରେ ବଡନନାଙ୍କ ଉଦ୍ଦେଶ୍ୟରେ ମୋର ଶିର ନଇଁ ଆସୁଥିଲା ।

……. ସେଦିନ ଦେଖିଲି ବୁକ୍ ସେଲ୍ଫ ଉପରେ ଦୁଇଖଣ୍ଡ ବହି, ଟେବୁଲ୍ ଉପରେ ଗୋଟିଏ କଲମ, ଖଣ୍ଡେ ଗାର ପକା ଖାତା ଏବଂ ଇଂରାଜୀ ଅକ୍ଷର ପରିଚୟ ବହି ଖଣ୍ଡିଏ ରଖା ଯାଇଥିଲା । ମୋର ପାଠ ଆରମ୍ଭ ହେଲା ।

ଇଂରାଜୀ ଅକ୍ଷର ପରିଚୟ ପରେ ପରେ ବ୍ୟାକରଣ । ବଡ ନନାଙ୍କର କଡା ହୁକୁମ ଖେଳିବା, ବୁଲିବା ବନ୍ଦ ମାତ୍ର ଆଠ ମାସରେ ସବୁ ଶେଷ କରିବାକୁ ହେବ । ଯାହା ହୋମୱାର୍କ ସନ୍ଧ୍ୟା ପୂର୍ବରୁ ଶେଷ ହେବା ଦରକାର । ଅଫିସ୍ ରୁ ଫେରି ଫ୍ରେସ୍ ହୋଇ ସେ ମୋ ପଢା ନେବାକୁ ଆସନ୍ତି । ଯେତିକି ଦେଇଥାନ୍ତି, ତା ଠାରୁ ଟିକିଏ ଅଧିକା କରି ଦେଇଥାଏ । ଖୁସି ହୋଇ ନୂଆ ବୋଉଙ୍କ ସାମ୍ନାରେ ମୋର ବଡାଇ କରନ୍ତି ।

ସେ ଦିନ ଖାଇବା ଟେବୁଲ୍‌ରେ ମୁଁ ନିତିଦିନ ଭଳି ବାହା ବା ଆଶା କରୁଥିଲି । ମାତ୍ର ଶୁଣିବାକୁ ପାଇଲି, “ତତେ ସବୁ ଇଂଲିସ୍ ଶିଖାଇ ପାରିଲି, ମାତ୍ର ଆଇ ଗୋ, ହି ଗୋଜ୍ ଶିଖାଇ ପାରିଲିନି । ତାହାର କାରଣ ହେଲା ମୁଁ ପ୍ରତ୍ୟେକ ଟ୍ରାନସଲେସନରେ ଆଇ ଗୋଜ୍, ହି ଗୋ ବ୍ୟବହାର କରୁଥିଲି ।”

ତାପର ଠାରୁ ଆଉ ସେମିତି କିଛି ଶୁଣିବାକୁ ପାଇନି । ସେ ଦିନ ସଂଧ୍ୟାରେ ନନା ନବମ ଶ୍ରେଣୀର ଦୁଇଟି ଇଂରାଜୀ ପାଠ୍ୟ ପୁସ୍ତକ ମୋ ହାତରେ ଧରାଇଲେ । ପିଲାଟି ଦିନରୁ ନୂଆ ବହି ଖଣ୍ଡେ ହାତରେ ଆସିଲେ ସରଗର ଚାନ୍ଦ ପାଇଲା ଭଳି ଲାଗେ । ପଢିବା ପାଇଁ ଖୋଲି ମୁହଁ ଶୁଖାଇ ଦେଲି ।

ବଡ ନନା ପଚାରିଲେ, “କ’ଣ ହେଲା?”

ଇଂରାଜୀ…..

ତୋ ପାଇଁ କ’ଣ ସରକାର ସବୁ ପାଠ ବହି ଓଡିଆରେ କରିବେ ?

ପଢି ତ ଦେବି ବୁଝିବି କେମିତି ?

ବାରଂବାର ପଢିବୁ, ନେପୋଲିଅନ ବୋନାପାର୍ଟ କ’ଣ କହିଛନ୍ତି?

Impossible is a word to be found only in the dictionary of fools.

ତୁ ତେବେ ଫୁଲ୍ସ ଗୋଷ୍ଠୀର ?

ଅଜାଣତରେ ପାଟିରୁ ବାହାରିଗଲା ‘ନା’

ତେବେ ଗୋଟିଏ ବିଷୟ ପଢି ତାର ସାରାଂଶ ଇଂରାଜୀରେ ଲେଖି ରଖିବୁ । ମୁଁ ସଂଧ୍ୟାରେ ଆସି କରେକ୍ସନ୍ କରିବି ।

ସେଇଆ କଲି, ହେଲେ ଲେଖିବାରେ ବହୁତ ଭୁଲ୍ ହୁଏ । ନନା କରେକ୍ସନ କରିବା ପରେ ପୁଣି ଆଉ ଥରେ ଲେଖିବାର ଆଦେଶ ମିଳେ । ହେଲେ ମୁଁ ତାକୁ ପାଞ୍ଚଥର ଲେଖିଥାଏ । ହଠାତ୍ ତାଙ୍କର ଟୁର୍ ଯିବାର ଅର୍ଡର ଆସିଲା । ନୂଆ ବୋଉ ଆଇ ଏ ପାସ୍ । ତେଣୁ ତାଙ୍କ ଉପରେ ମୋ ଲେଖା କରେକ୍ସନର ଭାର ଦେଇ ସେ ଟୁର୍ ରେ ଗଲେ । ସାତଦିନ ପରେ ଆସି ଦେଖିଲେ ମୋର କିଛି ପ୍ରଗ୍ରେସ ହୋଇନି । ଦୁହିଁଙ୍କ ମଧ୍ୟରେ କ’ଣ ଆଲେଚନା ହେଲା ମୁଁ ଜାଣିନି, ହେଲେ ତହିଁ ଆର ଦିନ ପାଞ୍ଚଟା ବେଳକୁ ଜଣେ ଟିଉସନ୍ ସାର୍ ଆସିଲେ କମଳାକାନ୍ତ ସାର୍‌ଙ୍କ ବୟସ ଅତି ବେଶୀରେ ବାଇଶି, ତେଇଶି ହେବ । କେଉଁ ଏକ ଅଫିସ୍‌ରେ କାମ କରନ୍ତି । ଅଫିସ୍‌ରୁ ସିଧା ପଢାଇବାକୁ ଆସନ୍ତି । ନୂଆବୋଉ ପିଅନ କୁ କହି ତାଙ୍କର ଚାହା ଜଳଖିଆ ବ୍ୟବସ୍ଥା କରାଇ ଦିଅନ୍ତି । ନନାଙ୍କ ଆଦେଶ ଅନୁସାରେ ମଝିରେ ମଝିରେ ଆସି ତଦାରଖ କରନ୍ତି ।

ସତ କହିବାକୁ ଗଲେ ମୁଁ ଜମା ଅଳ୍ପ ବୟସ୍କ ପୁଅ ପିଲା ମାନଙ୍କ ସହିତ ସହଜ ଅନୁଭବ କରେନା ।

ଅସ୍ୱସ୍ତିକର ପରିସ୍ଥିତି ଯୋଗୁ କିଂବା ଅନ୍ୟ କିଛି କାରଣରୁ ମୋର ଟ୍ରାନସ୍ଲେସନରେ ବହୁତ ଭୂଲ ହୁଏ ।

ନୂଆବୋଉ ରୁମ୍ ଭିତରେ ପଶିବା ବେଳକୁ ମୁଁ ଜୋର୍‌ରେ କହୁଥିଲି । ଟ୍ରାନ୍ସଲେସନ୍ ଖାତାରେ ଅଛି, ବାଘ ଭଳି ମୋ ମୁହଁ କୁ କାହିଁକି ଚାହିଁଛନ୍ତି ? ମୁହଁ ଉପରେ ଟ୍ରାନ୍ସଲେସନ ନାହିଁ ।

ନୂଆବୋଉଙ୍କୁ ଦେଖି ସେ ଉଠି ଠିଆ ହେଲେ । ପଢା ସମୟ ଶେଷ ହୋଇ ଯାଇଥିଲା । ତେଣୁ ସେ ବିଦାୟ ନେଇଥିଲେ । ସେ ଦିନ ଖାଇବା ଟେବୁଲ୍ ପାଖରେ ନୂଆବୋଉ ନନାଙ୍କୁ କହିଲେ ” ଏ ଟୋକା ମାଷ୍ଟରଙ୍କ ପାଖରେ ଇଏ ପଢି ପାରିବନି । ରଘୁନାଥ ବାବୁଙ୍କୁ କହି ଜଣେ ବୟସ୍କ ଶିକ୍ଷକଙ୍କର ବ୍ୟବସ୍ଥା କଲେ ଭଲ ହେବ ।” ନୂଆ ଶିକ୍ଷକ ତ ଆସିଲେନି ।

ତହିଁ ଆରଦିନଠୁ ଆରମ୍ଭ ହେଲା, ପୁଣି ପୂର୍ବର ରୁଟିନ୍ । ସଂଧ୍ୟାରେ ବଡନନା ମୋ ହୋମୱାର୍କ ଚେକ୍ କରନ୍ତି । ନନାଙ୍କ ବ୍ୟସ୍ତତା ଦେଖି ମୁଁ କହିଲି, ମତେ ବେଶୀ ବେଶୀ ହୋମୱାର୍କ ଦିଅନ୍ତୁ । ମୁଁ ଯେମିତି ହେଲେ ଲାଗି ପଡି ଶେଷ କରିଦେବି । ଆପଣ ଖାଲି ଚେକ୍ କରିବେ । ବେଶୀ ସମୟ ଲାଗିବନି ।

ମାର୍ଚ୍ଚ ୯ ତାରିଖ, ବଡ ନନା କହିଲେ, “ତୋର ଇଂଲିସ୍ ଷ୍ଟାଣ୍ଡାର୍ଡ ଠିକ୍ ହୋଇ ଗଲାଣି” । ତୁ ନବମର ହିଷ୍ଟ୍ରୀ, ଜୋଗ୍ରାଫି, ଓଡିଆ ବହି ଗୁଡାକ ଭଲ ଭାବେ ପଢିବା ଆରମ୍ଭ କରିଦେ । ଏ ମାସ ଇୟର ଏଣ୍ଡିଙ୍ଗ, ତେଣୁ ବହୁ କାମ । ମୁଁ ଦେଖି ପାରିବିନି । ନୂଆ ବୋଉର ହିଷ୍ଟ୍ରୀ ସବଜେକ୍ଟ ଥିଲା । ଦରକାର ପଡିଲେ ତାଙ୍କଠୁ ବୁଝି ନେବୁ । ମନେ ରଖିଥା, ପୁରା ଏପ୍ରିଲ ମାସଟା ତତେ ବିଜ୍ଞାନ ପଢାଇବି । ମେ ମାସରେ ତୋର ଇଣ୍ଟରଭିୟୁ । ମୁଁ ଉପେନ୍ଦ୍ରବାବୁ (ଭଦ୍ରକ ହାଇସ୍କୁଲର ହେଡ୍ ମାଷ୍ଟର) ଙ୍କ ସଙ୍ଗେ କଥାବାର୍ତ୍ତା କରିଛି । ତୋର ଇଂଲିଶ, ଓଡିଆ ଆଉ ବିଜ୍ଞାନ ପରୀକ୍ଷା ହେବ ।

ଆଉ ଗଣିତ

ନାଁ….ତୁ ଗଣିତ ବଦଳରେ ହୋମ ସାଇନ୍ସ ନେବୁ ।

ଇଣ୍ଟରଭିୟୁ ପାଇଁ ନିଜେ ବଡନନା ସ୍କୁଲରେ ଛାଡିଥିଲେ । ୪ଟା ବେଳକୁ ଜିପ୍ ପଠାଇ ଦେଇଥିଲେ ।

ବଡନନା ଫେରିବା ବେଳକୁ ୮ଟା ବାଜି ଯାଇଥିଲା । ଫ୍ରେସ୍ ହୋଇ ସିଧା ଖାଇବା ଟେବୁଲ୍ ପାଖକୁ ଗଲେ । ମୁଁ ଭରସି କିଛି କହି ପାରୁନ ଥିଲି । କହିଲେ ଫାଷ୍ଟ ୱାଲ୍ଡ ୱାର ୧୧ ନଭେମ୍ୱର ୧୯୧୮ରେ ଆରମ୍ଭ ହୋଇନଥିଲା । ଶେଷ ହୋଇଥିଲା । ତାଜମହଲ ନୁରଜାହାନ ନୁହେଁ ଶାହଜାହାନ ଗଢିଥିଲେ । ଲାଜରେ ମୋ ମୁହଁଟା ସେଥା ପଡିଗଲା । କହିଲି, ସେତେବେଳେ ମନେ ପଡିଲାନି ।

ହେଲେ ତୁ ହିଷ୍ଟ୍ରୀ, ଜୋଗ୍ରାଫି ଟେଷ୍ଟ ନେବା ପାଇଁ ତାଙ୍କୁ କାହିଁକି କହିଲୁ ?

ମୁଁ କହିନି, ମୋର ସବୁ ଟେଷ୍ଟ ସରିବା ପରେ ସାର୍ ପଚାରିଲେ ହିଷ୍ଟ୍ରୀ , ଜୋଗ୍ରାଫି ଉପରେ କିଛି ଉତ୍ତର ଦେଇ ପାରିବୁ ।

ଡରିଯାଇ ହୁଁ ମାରିଲି,ହେଲେ ମୁଁ ଇଂଲିଶରେ ବହୁତ ଭଲ କରିଛି ।

ଜାଣିଛି, ହନିବାବୁ କହୁଥିଲେ ତୋର ଗ୍ରାମାର ବହୁତ ଷ୍ଟ୍ରଙ୍ଗ । ଅନ୍ୟଗୁଡା ପଢିଲେ ହୋଇଯିବ । ଓଡିଆ ତୋର କଲେଜ ପିଲାମାନଙ୍କ ଷ୍ଟାଣ୍ଡାର୍ଡଠୁ ଆହୁରି ଭଲ । ବିଜ୍ଞାନରେ ଟିକିଏ ପରିଶ୍ରମ କରିବାକୁ ହେବ । ଜୁଲାଇ ମାସ ତୁ କ୍ଲାସ୍ ୧୦ମରେ ପଢିବୁ । ବାପା ଶିଖାଇଥିବା ଶ୍ଲୋକଟି ମୋର ମାନସ ପଟରେ ବାରମ୍ୱାର ଆସି ମନକୁ ଉଲ୍ଲାସିତ କରୁଥିଲା, ମୁଁ ପଢି “ନାଁ ଚୋର…

– ତା’ପରେ –

To Top