ଅନୁଭୂତି

ବିପଦର ବନ୍ଧୁ- ଶ୍ରୀ ଜଗନ୍ନାଥ

Pratap Chandra Rout

ମୋର ଦୁଇଜଣ ସାଥି ମୋତେ କୂଳକୁ ଆଣିବାକୁ ଚେଷ୍ଟାକରୁଥିଲେ କିନ୍ତୁ ନଦୀର ପ୍ରଖର ସ୍ରୋତଲାଗି ମୁଁ ସେମାନଙ୍କୁ ଛାଡ଼ିଦେଲି ।

ବିପଦର ବନ୍ଧୁ- ଶ୍ରୀ ଜଗନ୍ନାଥ

୨୦୦୩ ମସିହା ସେପ୍ଟେମ୍ବର ୧୧ ତାରିଖ ଶ୍ରୀ ଗଣେଶ ଚତୁର୍ଥୀ ବ୍ରତ । ମୁଁ ମୋର ସାଙ୍ଗମାନଙ୍କ ସହ ଦିଲ୍ଲୀରେ ରହୁଥାଏ । ସବୁ ସାଙ୍ଗମାନେ ମିଶି ଆନୁଷ୍ଠାନିକ ଭାବେ ଶ୍ରୀ ଗଣେଶଙ୍କ ପୂଜା ବହୁ ଆଡ଼ମ୍ୱର ସହକାରେ କରିଥିଲୁ । ଆଖ ପାଖର ଅନ୍ୟ ସାଙ୍ଗ ସାଥି ମାନେ ମଧ୍ୟ ପୂଜାରେ ଯୋଗ ଦେଇଥିଲେ । ସେ ଦିନ ପୂଜା ସରିଲା ପରେ ସମସ୍ତେ ନିଜ ନିଜ ଘରକୁ ଫେରିଲେ ।

ତା’ପର ଦିନ ନନା(ବ୍ରାହ୍ମଣ)ଙ୍କୁ ଡକାଇଲୁ ଠାକୁରଙ୍କୁ ବିସର୍ଜନ କରାଇବାକୁ । ମନ୍ତ୍ରପାଠ, ଭୋଗରାଗ ପରେ ଗୋଟିଏ ମିନି ଟ୍ରକ୍‌ରେ ଠାକୁରଙ୍କୁ ବସାଇଲୁ । ଦୁଇଜଣ ଢୋଲକିଆଙ୍କୁ ଡକାଇ ଢୋଲବଜାଇ ସବୁ ସାଙ୍ଗମାନେ ସେହି ମିନି ଟ୍ରକରେ ହର୍ସଉଲ୍ଲାସରେ ନାଚ ଗୀତ ଗାଇ ଚାଲିଲୁ ଯମୁନା ନଦୀକୁ ଶ୍ରୀ ଗଣେଶଙ୍କୁ ବିସର୍ଜନ କରାଇବାକୁ । ସେଠାରେ ଶେଷ ପୂଜାର୍ଚ୍ଚନା କରି ଠାକୁରଙ୍କୁ ଗାଡ଼ିରୁ ଓହ୍ଲାଇ ଧରିନେଇ ଯମୁନା ନଦୀରେ ବିସର୍ଜନ କରାଇଲୁ ।

ସେହି ସମୟରେ ମୋର କିଛି ସାଙ୍ଗମାନେ ନଦୀରେ ପହଁରିବାକୁ ଲାଗିଲେ । ସେମାନେ ନଦୀ କୂଳରେ ପହଁରୁଥିବାରୁ ମୁଁ ସେମାନଙ୍କୁ ଥଟ୍ଟାକରି କହିଲି -“ତୁମ୍ଭେମାନେ ଏଇଠି ପାଖରେ କଣ ପହଁରୁଛ ଦେଖ ମୁଁ କୋଉଠି ପହଁରୁଛି” । ଏତିକି କହି ମୁଁ ନଦୀ ଭିତରକୁ ପଶିଗଲି ଏବଂ ପହଁରି ପହଁରି ସମସ୍ତଙ୍କଠାରୁ ବହୁ ଆଗକୁ ଚାଲିଗଲି । ପ୍ରାୟ ମୁଁ ନଦୀର ମଝି ପର୍ଯ୍ୟନ୍ତ ଚାଲି ଯାଇଥିଲି । ନଦୀକୂଳରୁ ଅନ୍ୟମାନେ ଡାକିବାରୁ ମୁଁ ଫେରିଲି । ହେଲେ ଅଳ୍ପକିଛି ବାଟ ଫେରିଲାପରେ ମୋର ଆଉ ବଳ ପାଇଲାନି । ମୁଁ ଥକି ଯାଇଥିଲି କାରଣ ଅଧିକ ବାହାଦୁରୀ ଦେଖାଇ ନଦୀରେ ପଶିଲା ବେଳେ ମୁଁ ମୋର ପ୍ୟାଣ୍ଟସାର୍ଟ ଓହ୍ଲାଇ ନଥିଲି । ସେ ପୁଣି ମୋଟା ଜିନ୍ସ ପ୍ୟାଣ୍ଟ । ତା’ଭିତରେ ପାଣି ପଶିଯାଇଥିବାରୁ ମୁଁ ଆଉ ମୋ ଗୋଡ଼ ଉପରକୁ ଉଠାଇ ପାରିଲି ନାହିଁ । ମୋର ଦୁଇଜଣ ସାଥି ମୋତେ କୂଳକୁ ଆଣିବାକୁ ଚେଷ୍ଟାକରୁଥିଲେ କିନ୍ତୁ ନଦୀର ପ୍ରଖର ସ୍ରୋତଲାଗି ମୁଁ ସେମାନଙ୍କୁ ଛାଡ଼ିଦେଲି । ଭାବିଲି ମୁଁ ନ ଫେରିବି ନାହିଁ ସେମାନଙ୍କୁ କାହିଁକି ଅସୁବିଧାରେ ପକାଇବି । ତା’ପରେ ସେ ଦୁହେଁ କୁଳକୁ ଫେରିଗଲେ । କୂଳରେ ଥିବା ଅନ୍ୟ ସାଙ୍ଗମାନେ କେହି ସାହସ କଲେନାହିଁ ମୋ ପାଖକୁ ଆସିବାକୁ । ସମସ୍ତେ ବ୍ୟସ୍ତରେ ପାଟିକରୁଥା’ନ୍ତି “ୟେ ଡୁବ୍ ଗୟା, ଡୁବ ଗୟା, ବଚାଓ, ବଚାଓ” । କିନ୍ତୁ କେହି ସାହସ କରୁ ନଥାନ୍ତି ନଦୀ ଭିତରକୁ ପଶିବାକୁ ୟା’ଡ଼େ ମୁଁ ମୋର ପ୍ରାଣପଣେ ଚେଷ୍ଟା କରୁଥିଲି ହେଲେ ପାରୁ ନଥିଲି । ଏତେ ଥକି ଯାଇଥିଲି ଯେ ମୁଁ ମୋର ଗୋଡ଼ ତ ଗୋଡ଼ ହାତ ମଧ୍ୟ ହଲାଇ ପାରିଲିନି । ଥରେ ଦୁଇଥର ନଦୀର ମାଟିରେ ଗୋଡ଼ ଲାଗିବା ବେଳେ ଅନୁଭବ କଲି ଯେ ଉପର ପାଣିର ସୂଅ ଅପେକ୍ଷା ନଦୀତଳ ପାଣିର ପ୍ରବାହ ବହୁ ଅଧିକ । ମୁଁ ସମ୍ପୂର୍ଣ୍ଣ ଭାବେ ହାରି ଯାଇଥିଲି ।

ଠିକ୍ ସେତିକିବେଳେ ମୋର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କଥା ମନେ ପଡ଼ିଲା । ମୁଁ ମୋର ଦୁଇହାତକୁ ଉପରକୁ ଟେକି ସ୍ଥିର ହୋଇଗଲି । ବଞ୍ଚିବାର ଆଶା ତ’ ଛାଡ଼ିଦେଇଥିଲି । ତଥାପି ତାଙ୍କୁ ଡାକି ତାଙ୍କ ପାଖେ ନିଜକୁ ସମର୍ପିଦେଇ କହିଲି “ହେ ପ୍ରଭୁ ଜଗନ୍ନାଥ, ମୋତେ ରକ୍ଷା କର, ମୋ ଋଣି ଜୀବନ ଶେଷ ପର୍ଯ୍ୟନ୍ତ ମୋ ବାପା ମା’ଙ୍କ ସେବାରେ କଟାଇବାକୁ ଚାହେଁ” । ପାଟିରେ ନାକରେ ପାଣି ପଶି ଯାଉଥାଏ ତଥାପି ମନେ ମନେ ତାଙ୍କୁ ବାରମ୍ୱାର ଡାକୁଥାଏ । ଏତିକିବେଳେ ମତେ କେହି ହଠାତ୍‌ ନଦୀଭିତରୁ ଟାଣି ଟାଣି ଆଣି କୂଳରେ ଛାଡ଼ିଦେଲେ । ମୋର ସାଙ୍ଗମାନେ ମୋତେ ଶୁଆଇ ଦେଇ ଆଉଁସା ଆଉଁସି କରୁଥିଲା ବେଳେ ମୁଁ ଦୁଇ ତିନି ସେକେଣ୍ଡ୍ ସେ ଲୋକଙ୍କୁ ଦେଖିଥିଲି ଯେତେବେଳେ ସେ ତାଙ୍କର ପ୍ୟାଣ୍ଟ୍ ସାର୍ଟ ପିନ୍ଧୁଥିଲେ । ତା’ ପରେ ମୁଁ ଟିକେ ସୁସ୍ଥ ହେବାରୁ ମୁଁ ଓ ମୋର ସାଙ୍ଗମାନେ ତାଙ୍କୁ ଖୋଜିବାକୁ ଲାଗିଲୁ । ତାଙ୍କୁ ପାଇଲୁନାହିଁ । ସେ ଚାଲିଯାଇଥିଲେ । ସେଠିକାର ମାଛ ଧରାଳୀଙ୍କୁ ମଧ୍ୟ ପଚାରିଲୁ ସେମାନେ ମନାକଲେ ଓ କହିଲେ ଆଗରୁ କେବେବି ତାଙ୍କୁ ଦେଖି ନଥିଲେ ଓ ତାଙ୍କୁ ଚିହର୍ନ୍ତି ନାହିଁ ବୋଲି । ସେ କୁଆଡ଼େଗଲେ ଆମେ ଜାଣିନୁ ।

ତା’ପରେ ଆମେମାନେ ଗାଡ଼ିରେ ବସି ଫେରିଲୁ । ଫେରିବା ବାଟରେ ମୁଁ କେବଳ ତାଙ୍କରି କଥା ଭାବୁଥାଏ । ସେ କେଉଁଠୁ ଆସିଲେ ଓ କୁଆଡ଼େ ଗଲେ । ସେ ଦେଖିବାକୁ ଥିଲେ ପତଳା, ଲମ୍ୱା ଓ କଳାରଙ୍ଗର ଜଣେ ସାଧାରଣ ଲୋକ । କେହି ବିଶ୍ୱାସ କରନ୍ତୁ ବା ନାହିଁ କିନ୍ତୁ ମୁଁ ବିଶ୍ୱାସ କରେ ସେ ହିଁ ପ୍ରଭୁ ଶ୍ରୀ ଜଗନ୍ନାଥ ମୋର ଡାକ ଶୁଣି ମୋତେ ଯମୁନାରୁ ଉଦ୍ଧାର କରିଥିଲେ ।

ଏବେବି ସେଇ ସ୍ମୃତି ମୋର ମନେପଡ଼ିଲେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଁ କୃତଜ୍ଞ ହୋଇପଡ଼େ । ଏହା ନିଶ୍ଚିତ ଯେ ଭକ୍ତିର ସହିତ ଯଦି କେହି ଭଗବାନଙ୍କୁ ଡାକେ ଓ ନିଜକୁ ତାଙ୍କୁ ସମର୍ପିଦିଏ, ସେ ନିଶ୍ଚୟ ତାର ଡାକ ଶୁଣିବେ । ଆଗରୁ ମୋର ଭଗବାନଙ୍କ ଉପରେ ଯେତେ ବିଶ୍ୱାସ ଥିଲା, କିନ୍ତୁ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ମୋର ଅଟଳ ବିଶ୍ୱାସ ରହିଛି ।

To Top