ଅନୁଭୂତି

ଗୁରୁ, ଅନ୍ଧକାର ଜୀବନର ସୂର୍ଯ୍ୟାଲୋକ

Odia Author Mrs. Paramita Mishra

ମୁଁ ସେଇ ଠକ ତପୁ ଯିଏ ଗଣିତ ନାଁ ରେ ପାଞ୍ଚଦିନ ମିଛ ପେଟକଟା ବାହାନା କରି ଘରେ ପଡିଥିଲା ।

ଗୁରୁ, ଅନ୍ଧକାର ଜୀବନର ସୂର୍ଯ୍ୟାଲୋକ

କାହାଣୀ ନବେ ମସିହାର । ଆମେ ସବୁ ପ୍ରାଥମିକ ବିଦ୍ୟାଳୟ ଛାଡି ମାଧ୍ୟମିକ ବିଦ୍ୟାଳୟ ଆଡକୁ ଗତି କରୁ ଥିଲୁ । ଯଦି ଆପଣଙ୍କ ଭିତରୁ କେହି ସେ ସମୟରେ ଗାଁରେ ରହି ପାଠ ପଢିଥିବେ ତେବେ ମୋ ସହ ଏକମତ ହେବେ ଯେ ଗୁରୁ ସେତେବେଳ ଆମ ଜୀବନରେ କଣ ମହତ୍ତ୍ୱ ରଖୁଥିଲେ। ପ୍ରାଥମିକ ବିଦ୍ୟାଳୟରେ ଦୁଇ ଜଣ ହିଁ ଗୁରୁ ଥିଲେ। ସ୍କୁଲ ସରିଲା ବର୍ଷ ମାନେ ପଞ୍ଚମ ଶ୍ରେଣୀରେ ଗୁରୁ ଦକ୍ଷିଣା ସ୍ୱରୂପ ଭଲ ଧୋତି ଗାମୁଛା ନାରିକେଳ ଦେଇ ଆଶିର୍ବାଦ ନେଇ ସ୍କୁଲ ତ୍ୟାଗ କରିଥାଉ।

ସେ ଯାହା ହେଉ ମୁଁ ଆଉ ମୋର କିଛି ସହପାଠୀ ଘର ପାଖ ମାଧ୍ୟମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଜଏନ କଲୁ । ସତ କହିଲେ ଏବେର ପାଠ ଆଉ ଆମ ବେଳ ପାଠରେ ଆକାଶ ପାତାଳର ତଫାତ । ଚତୁର୍ଥ ଶ୍ରେଣୀରେ ଆମେ ଇଂରାଜୀର ବେଣ୍ଟ ଧରିବା ଶିଖିଥିଲୁ । କିନ୍ତୁ ଅସଲ ପାଠ ଷଷ୍ଠ ଶ୍ରେଣୀ ରେ ଯାଇକି ହୁଏ । ଆଉ ମୁଁ ପଞ୍ଚମ ଶେଷ ଯାଏଁ ଭଲକି ସ୍କୁଲ ଯାଉନଥାଏ ପାଠ ତ ତେଣିକି ଥାଉ । ଷଷ୍ଠ ଶ୍ରେଣୀର ପାଠ ମୋ ପାଇଁ ଏମିତି ଥିଲା ଯେମିତି ପହଁରା ଜାଣି ନଥିବା ପିଲା କୁ ନେଇ ମଝି ଦରିଆରେ ଫିଙ୍ଗିଦେଇ ଆସିବା । ସବୁଠୁ ବଡ କଷ୍ଟ ଥିଲା ବିଶ୍ୱାମିତ୍ର ସାର୍ । ବାପ୍ ରେ ଠିକ୍ ନାମ ଖଣ୍ଡେ ପାଇଥିଲେ । ଜମ ସାଂଗେ ସମାନ ସେ । ଶ୍ରେଣୀ ରେ କେହି ଗୋଟାଏ ବି ପିଲା ଥିବେ ଯିଏ ତାଙ୍କୁ ପସନ୍ଦ କରୁଥିବେ । ପାଠ ପଢା ଆରମ୍ଭ ହେଲା । ବିଶୁ ସାର୍ ଗଣିତ ପଢାନ୍ତି । କିନ୍ତୁ ଗଣିତ ସବୁ ବାଷ୍ପ ହୋଇଯାଏ ମୁଣ୍ଡ ରେ କିଛି ପଶେନି । ଆଉ ତା ଉପରେ କି ଛେଛା ଲୋ ମା । ବାଡି ଖଣ୍ଡକ ଏବେବି ମନେ ପଡି ଯାଉଛି । ଯୋଡିଏ ଦିନ ଯାଇଛି ତାପରେ ତ ମୋର ପେଟ କଟା ଆରମ୍ଭ ଆଉ । ଆଉ କି ସ୍କୁଲ । ମାଆ କେତେ କଣ ବାଟି କି ପିଆଇଲା । ବାପା କମ୍ପାଉଣ୍ଡର ଡାକି କି ମେଡିସିନ୍ ବି ଦେଲେ ହେଲେ ପାଞ୍ଚ ଦିନ ହେଇଗଲା । କାଟୁଥିଲେ ତ ଭଲ ହେବ । ଷଷ୍ଠ ଦିନ ସଂଧ୍ୟା ରେ ମୁଁ ମନମୌଜରେ ଦାଣ୍ଡରେ ଖେଳୁଥାଏ । ସାଥୀ ପିଲାମାନେ ସ୍କୁଲ୍‌ରୁ ଫେରିବା ଦେଖି ଇଲେଇ ହେଉଥାଏ କି ହଠାତ୍ ମୋର ନଜର ପଡିଲା ଗୋଟିଏ ସାଇକଲ ଆଗରେ ଲାଗିଥିବା ଲାଇଟ ଉପରେ । ଚିହ୍ନା ଚିହ୍ନା । ବିଶୁ ସାର୍‌ଙ୍କ ସାଇକଲ । ଆଉ କି ଅଛି ପୁଣି ପେଟ କାମୁଡି ଦୌଡିଲି ଘକୁ । ଦୂଖିଲା ବେଳକୁ ସାର୍ ମୋରି ଘରକୁ ଆସିଲେ । ମୋର ଗୋଡ ହାତ ସବୁ ପିଳେହି ପାଣି । ମୁଁ ଯାଇ ସିଧା ଖୁଡି ପାଖରେ ହାଜର। ଜାଣିଛି ଧରା ତ ପଡିଗଲିଣି ହେଲେ ବାପା ବାଡେଇବାକୁ ଏଇ ଆଡକୁ ଆସିବେନି । ବାପା ଡାକ ଛାଡିଲେ, ବୋଉ ହାତ ଧରି ଝିକି ଝିକି ଧରିକି ଆସିଲା । ମୋର ଆଜିବି ମନେ ଅଛି ତଳେ ଗଡି ଯାଇ କାନ୍ଦି ଥିଲି । ସାର୍ ଗୋଟିଏ ପାଟିରେ ସାଷ୍ଟାଙ୍ଗ ଠିଆ ହେଲେ ଆସି । କହିଲେ କାଲି କୁ ବାଟେ ବାଟେ ସ୍କୁଲ ଆସିଥିବୁ ଆଉ ସ୍କୁଲରୁ ଫେରିଲା ପରେ ଟିକିଏ ଡେଇଁ ଖେଳି ସିଧା ପାଠାଗାରରେ ହାଜରା ପକେଇବୁ, ଗୋଟେ ବି ଦିନ ଖାଇବାକୁ ହବନି । ବିଶୁ ସାର୍ କଥା ବାପା ସଙ୍ଗେ ସଙ୍ଗେ ମୁଣ୍ଡ ଟୁଙ୍ଗାରି ହଁ ମାରିଲେ । ସେ ଗଲା ପରେ ମୁ ଯେତିକି ଛେଚି ବାଡ଼େଇ ହୋଇ କାନ୍ଦିଛି । ବୋଉ ଯେତକ ବୁଝାଇବା ବୁଝାଇଲା ଶେଷକୁ ଛାଞ୍ଚୁଣି ଧରି ଡରେଇଲା କହିଲା ମଣିଷ ହେଇଯିବୁରେ କୁଳାଙ୍ଗାର, ତୁ ଯେତିକି କାନ୍ଦୁଚୁ କାନ୍ଦେ ହେଲେ କାଲିଠୁ ବିଶୁ ଆଜ୍ଞା ଟୁସନ ତ ଯିବଚ ହିଁ ଯିବୁ । ଆଉ କଣ ହେବ ଗଲି ମୁଁ । ସେଠି ଯାଇ ଦେଖିଲା ବେଳକୁ ମୋ ଶ୍ରେଣୀ ର ସବୁତକ ଅକାଳକୁଷ୍ମାଣ୍ଡ ସେଇଠି । ରତନ ଆମ ଶ୍ରେଣୀରେ ପଢେ ମୁଁ ତା ପାଖେ ବସିଲି । ରତନ କହିଲା ଆସିଗଲୁ ! ମୁଁ କହିଥିଲି ହଁ ଯେ ମାତ୍ର ଦୁଇଦିନ ଦେଖିବୁ ରହିଥା । ରତନ ତାତ୍ସଲ୍ୟର ହସ ଦେଇ କହିଲା ଆଜି ଆସିବାକୁ କାନ୍ଦୁଛୁ କାଲି ଗଲାବେଳେ କାନ୍ଦିବୁ । ମୁଁ ବୁଝିପାରି ନଥିଲି । ବେଶି ସମୟ ଲାଗିଲାନି ବୁଝିବାକୁ ମତେ । ଏ ଟ୍ଯୁସନ ଆମ ପରି ଗରିବ ପିଲାଙ୍କ ପାଇ ମାଗଣା ସଂମ୍ପୂର୍ଣ୍ଣ ମାଗଣା ଥିଲା । ଯିଏ ସ୍ୱଇଚ୍ଛା ରେ ଯାହା ଦେଲେ ସେ ରଖୁଥିଲେ । ରତନର ବାପା ନାହିଁ ଆଉ ପାଠ ତ ଦୁର ଖାଇବା ବି ନଥିଲା ତାର । ତା ଭଲି କେତେ ପିଲା ବିଶୁ ସାର୍ ଙ୍କ ସାଙ୍ଗରେ ତାଙ୍କ ଘରେ ରହୁଥିଲେ । କେଜାଣି କେତେ ପିଲା ଏଇ ଘରୁ ମଣିଷ ହୋଇ ବାହାରିଛନ୍ତି । ସେମାନଙ୍କ ଖାଇବା ପିନ୍ଧିବା ଠୁ ସବୁ ପ୍ରକାର ପରିକ୍ଷା ପାଇଁ ବି ସାର୍ ଆର୍ଥିକ ସାହାଯ୍ୟ କରନ୍ତି । ଆମ ସମୟର ମାଟ୍ରିକ ପରିକ୍ଷା ବେଳେ ସାର୍ ରାତିସାରା ନସୋଇ ଡିବି ବତି ଧରି ବସନ୍ତି ପୁଣି ପରଦିନ ପ୍ରତିକ୍ଷା କେନ୍ଦ୍ର ବାହାରେ ପହରା ବି ଦିଅନ୍ତି । ଖାଲି ସେତିକି ନୁହେଁ କେବଳ ଆମରି ପରି ପିଲାଙ୍କ ଶିକ୍ଷା ପାଇଁ ବିଶୁ ସାର୍ ନିଜର ସର୍ବସ୍ୱ ବଳିଦାନ ଦେଇ ଦେଇ ଥିଲେ ଏମିତିକି ସେ ବିବାହ ବି କରିନଥିଲେ।

ମାଗଣା ଟ୍ୟୁସନ ପାଇଁ ହୁଏତ ସେ ସ୍କୁଲ୍‌ର ଅନ୍ୟ ସାର୍ ମାନଙ୍କର ଏତେ ପ୍ରିୟଭାଜନ ନଥିଲେ । ପ୍ରଥମ ନଜରରେ ସେ ପିଲାଟିର ଦୁର୍ବଳତା ଜାଣି ନେଉଥିଲେ । ପଢାଇବା ଶୈଳୀ ବି ସମ୍ପୂର୍ଣ୍ଣ ଅଲଗା । ଗୋଟିଏ ଝଟକା ରେ ବଡବଡ ଜଟିଳ ଅଙ୍କ ଗୁଡିକ ସମାଧାନ କରିଦିଅନ୍ତି ।

ଉଦାହରଣ ସ୍ୱରୂପ ପଚାଶ ହଜାର କୁ ସେ କହିବେ ତୁ ପ୍ରଥମେ ପାଞ୍ଚ କୁ ନେ ତାପରେ ପଚାଶ କୁ ହିସାବ କର। ଆହୁରି କେତେ କ୍ଷୁଦ୍ର ସମାଧାନ ରେ ବଡ ବଡ ଗୁଣନ, ହରଣ ବତାନ୍ତି ।

ପ୍ରଥମ ଦେଖାରେ ଯାହାକୁ ମୁଁ ମୋ ଜୀବନରେ ଜମ ସହ ତୁଳନା କରିଥିଲି ସେ ପ୍ରକୃତ ରେ ମୋ ଅନ୍ଧକାର ଜୀବନର ସୂର୍ଯ୍ୟାଲୋକ ଥିଲେ । ପାଞ୍ଚ ବର୍ଷ ମୁଁ ତାଙ୍କ ପାଖରେ ପଢିଲି। । ଆମ ଆଗରୁ କେତେ ପିଲା ଜାଇଥିଲେ । ପ୍ରତି ଥର ଗୁରୁଦିବସରେ ପିଲାମାନେ ସାର୍‌ଙ୍କୁ କିଛି ଉପହାର ଦେବାପାଇଁ ଚାହାଁନ୍ତି କିନ୍ତୁ ସାର୍ ଉପହାର ନାଁରେ ରାଗି ଯାଆନ୍ତି । ସେବର୍ଷ ଆମର ମାଟ୍ରିକ ଥିଲା । ଆମ ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ରଖା ଯାଇଥିଲା । ରତନ କହିଥିବା କଥା ସତ ହେଲା ମୁଁ କାନ୍ଦି କାନ୍ଦି ଆସିଥିଲି ଆଉ ସେଦିନ ବି ନଯିବା ପାଇଁ ଛୁଆ ପରି ଘୁମୁରି ଘୁମୁରି କାନ୍ଦି ଥିଲି ଖାଲି ମୁଁ ଦଶମ ଶ୍ରେଣୀର ସବୁ ପିଲା ସେଦିନ ବିଶୁ ସାରଙ୍କ ଗୋଡ ତଳେ ପଡି କାନ୍ଦି ଥିଲୁ । ସାର ବି କହିଥିଲେ ଏଇତ ମୋର ଗୁରୁଦକ୍ଷିଣା ।

ସେଦିନ ଆମର ଶେଷ ପରିକ୍ଷା ଥିଲା । ପରିକ୍ଷାକେନ୍ଦ୍ର ବାହାରେ ତାଙ୍କୁ ଦେଖିଥିଲୁ । ବାସ୍ ଫେରିକି ଆସିଲା ବେଳକୁ ସେ ନଥିଲେ । ଗାଁ ରେ ଆସି ବହୁତ୍ ଖୋଜିଲୁ ତାଙ୍କୁ କିନ୍ତୁ କିଛି ଖୋଜ ଖବର ନାହିଁ । ମନ ଜମା ଭଲ ଲାଗୁନଥାଏ । ନିତି ପାଠାଗାରରେ ଆସି ବସିବସି ଆସୁ । କିନ୍ତୁ ସାର୍‌ଙ୍କର ଦେଖା ନାହିଁ । ସପ୍ତାହ ପରେ ସ୍କୁଲରୁ ଡାକରା ହଠାତ୍ ଅସିଲା । ଯାଇ ଦେଖିଲା ବେଳକୁ କିଛି ପୋଲିସ ଅଧିକାରୀ ହାତରେ କିଛି ଲୁଗାପଟା ଆଉ କାଗଜ ପତ୍ର ନେଇ ଆସିଥିଲେ । ପ୍ରଧାନଶିକ୍ଷକ ଜଣାଇଲେ ଯେ ବିଶୁ ସାର୍ ଏକ ଜଟିଳ ରୋଗର ଶିକାର ହୋଇଥିଲେ । ତାରି ଚିକିତ୍ସା ପାଇଁ ସେ ଦିଲ୍ଲୀ ଯାଉଥିଲେ । ଅକସ୍ମାତ କି ଜାଣିଶୁଣି କେଜାଣି ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ଚିହ୍ନଟ ନହୋଇ ପାରିବାରୁ ସେଇଠି ତାର ଅନ୍ତିମସଂସ୍କାର କରିଦିଆଗଲା । ଛାତିରୁ କଲିଜା ଯେମିତି ବାହାରି ପଡିଲା । ଆମ ଆଦରର ବିଶୁ ସାର ଆମ ସମସ୍ତଙ୍କୁ ପର କରି ଚାଲିଯାଇଥିଲେ ଠକିଦେଇ । ଏମିତି ଏକ ପୁଣ୍ୟତ୍ମା ବଣ ମଲ୍ଲୀ ପରି ବଣରେ ସମସ୍ତଙ୍କ ଅଗୋଚରରେ ଝଡି ପଡିଲେ । ତାପରେ ତାଙ୍କ ବିଷୟରେ ଆଉ କିଛି ବି ଜଣା ପଡିଲାନି । ବିଶୁ ସାର୍ ଆତ୍ମହତ୍ୟା ତ କେବେ କରିନଥିବେ ତେଣୁ ତାକୁ ଏକ ଦୈବି ଦୁର୍ଘଟଣା ବୋଲି ଧରି ନିଆଗଲା । ସାର୍ ସିନା ଚାଲିଗଲେ କିନ୍ତୁ ଆମ ମନ ମନ୍ଦିରରେ ସେ ସବୁଦିନ ପାଇଁ ସର୍ବୋଚ୍ଚ ସ୍ଥାନରେ ରହିଥିବେ । ଆଜିବି ଗାଁ ର ସେହି ପାଠାଗାର ଟି ତାଙ୍କରି ନାମରେ ଚାଲେ । ତାଙ୍କରି ଛାତ୍ରଛାତ୍ରୀ ମାନେ ଏଇ ପାଣ୍ଠିକୁ ଦାନ ଦେଇଥାନ୍ତି । ପାଣ୍ଠି କେବେ ଖାଲି ହୁଏନି କେହି ଜାଣି ନାହାଁନ୍ତି କୋଉଠୁ କିଏ ଟଙ୍କା ପଠାଏ କିନ୍ତୁ ଗରିବ ନିରାଶ୍ରୟ ପିଲାମାନଙ୍କୁ ସେଠାରେ ପାଠ ପଢିବାର ସବୁ ସାହାଯ୍ୟ ମିଳେ ।

ମୁଁ ସେଇ ଠକ ତପୁ ଯିଏ ଗଣିତ ନାଁ ରେ ପାଞ୍ଚଦିନ ମିଛ ପେଟକଟା ବାହାନା କରି ଘରେ ପଡିଥିଲା । ଆଜି ସେ ଗଣିତ ରେ ଡକ୍ଟରେଟ ପାଇ ବିଶ୍ୱ ଦରବାରରେ ସୁନାମଧନ୍ୟ ଗଣିତଜ୍ଞ । ବିଶୁ ସାର୍ ଙ୍କ ସବୁ ଛାତ୍ରଛାତ୍ରୀ ବର୍ତ୍ତମାନ ସମସ୍ତେ ପ୍ରାୟ ନିଜ ନିଜ ଜୀବନରେ ସଫଳତା ପାଇଛନ୍ତି । ଆମ ସମୟର ସବୁ ପିଲା ତ ଭଲଭଲ ଜାଗାରେ କାର୍ଯରତ କିନ୍ତୁ ରତନ ସେହି ନିରାଶ୍ରୟ ଦରିଦ୍ର ପିଲାଟି ଆଜି ବିଦେଶରେ ଜଣେ ବିଶିଷ୍ଟ ବୈଜ୍ଞାନିକ ।

To Top