ଅନୁଭୂତି

ଯାତ୍ରା ୨୦୧୬

Odia Author Mr Ramakanta Mishra

ପୁରାଣ କାଳରେ ଏହି କ୍ଷେତ୍ର ପ୍ରଭାସ କ୍ଷେତ୍ର ଭାବରେ ଖ୍ୟାତ ଥିଲା । ଏଠାରେ ଶ୍ରୀକୃଷ୍ଣ ଜରା ନାମକ ଅସୁରକୁ ବଦ୍ଧ କରିଥିଲେ ।

ଯାତ୍ରା ୨୦୧୬

କୌଣସି ନୂତନ ମନ ପସନ୍ଦର ବା ପୂର୍ବରୁ ଭାବିଥିବା ତୀର୍ଥସ୍ଥଳ ଦର୍ଶନ କରିବାର ସୁଯୋଗ ଭଗବାନଙ୍କ କୃପାରୁ ହିଁ ମଳିଥାଏ । ଯେତେବେଳ ପର୍ଯ୍ୟନ୍ତ ଭଗବାନଙ୍କର ଡାକରା ନ ଆସିବ ଯାତ୍ରା ସଂଭବପର ନୁହେଁ । ଏ କଥା ଲେଖିବାର କାରଣ ହେଲା ଯେ ଏବେ ଆମର ତୀର୍ଥଯାତ୍ରାରେ ଯିବାର କୌଣସି ଯୋଜନା ନ ଥିଲା, କିନ୍ତୁ ମୋର ବଡ଼ ଜୋଇଁ ଶ୍ରୀଯୁକ୍ତ ଆଭାସ ମିଶ୍ର ଯେ ଏବେ କିଛି ଦିନ ପାଇଁ ଭୁବନେଶ୍ୱରରେ ଆସି ରହିଛନ୍ତି ତାଙ୍କର ବଡ଼ ଝିଅ ହର୍ଷିତ। (ଖୁସି) କୁ ନେଇ ତ୍ରଏଂବକେଶ୍ୱରଙ୍କୁ ପୂଜାରେ ଯିବେ ବୋଲି କହିଲେ ଏବଂ ମୋତେ ମଧ୍ୟ ସାଙ୍ଗରେ ଡାକିଲେ । ମୁଁ କହିଲି ଯଦି ତ୍ରଏଂବକେଶ୍ୱରଙ୍କୁ ଦର୍ଶନରେ ଯିବା ତେବେ ତା ସହିତ ଶ୍ରୀ ସୋମନାଥଙ୍କ ମଧ୍ୟ ଦର୍ଶନ କରି ଆସିବା ଏବଂ ସେହି ଅନୁସାରେ ଯୋଜନା କରା ଯାଉ । ସେ ରାଜି ହେଲେ ଏବଂ ସେହି ଅନୁସାରେ ମହାରାଷ୍ଟ୍ର ଏବଂ ଗୁଜରାଟର ସମଗ୍ର ତୀର୍ଥସ୍ଥଳୀ ପାଇଁ ଗୋଟାଏ ଯୋଜନା ପ୍ରସ୍ତୁତକରି ମତେ ଜଣାଇଲେ । ମୁଁ ସେଥିରେ ସମ୍ମତି ଦେଲି ଏବଂ ଆମର ଯାତ୍ରା ସେପ୍ଟେମ୍ବର ମାସର ୬ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖରେ ସରିଲା । ସେହି ଯାତ୍ରାର ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରୁଛି ।

୬ ତାରିଖ ସକାଳେ ମୁଁ ଓ ମୋ ସ୍ତ୍ରୀ ଗୀତା ବାହାରିଲୁ ଶୈଳଶ୍ରୀ ବିହାର ରୁ ଆଉ ମୋ ଜୋଇଁ ଆଭାସ ଏବଂ ଝିଅ ଶୁଭଶ୍ରୀ ଓ ନାତୁଣୀ ଖୁସି ଏବଂ ନାତି ୟସ ବାହାରିଲେ ତାଙ୍କ ଘର କପିଳ ପ୍ରସାଦରୁ ଆଉ ଆମେ ମିଶିଲୁ ଭୁବନେଶ୍ୱର ଷ୍ଟେସନରେ ଚଢ଼ିଲୁ ପୁରୀ – ଲୋକମାନ୍ୟତିଳକ ସୁପରଫାଷ୍ଟ ଟ୍ରେନରେ ତା ଆରଦିନ ୭ ତାରିଖରେ ଯାଇ ପହଞ୍ଚିଲୁ ‘ମନମାଡ଼’ ଷ୍ଟେସନ ରେ ଆଉ ସେଠାରେ ଓହ୍ଲାଇଲୁ । ଟ୍ରେନରେ ଯିବାଟା ସୁଖକର ହେଲା କାରଣ ସାଥିରେ ନାତୁଣୀ ଆଉ ନାତି ଥିବାରୁ ଭଲରେ ସମୟ କଟିଗଲା ।

୭ ତାରିଖ ମନମାଡ଼ ରୁ ସକାଳ ୯ ଟାରେ ବାହାରି ଟୋୟୋଟା ଗାଡ଼ିରେ ଯେଉଁଟା ଆଗରୁ ବୁକ କରା ଯାଇଥିଲା ରେ ବାହାରିଲୁ ‘ସିରିଡ଼ି ସାଇ’ କୁ ଆଉ ରହିଲୁ ହୋଟେଲ ସାଇ ରାମାନନ୍ଦରେ । ଗଲାବେଳେ ଡାହାଣ ପଟ ପର୍ବତ ଶୃଙ୍ଖଳାରେ ଦେଖିଲି “ଅଙ୍ଗୁଳି ପାହାଡ଼”, ମନେ ହେଉଥିଲା ଯେମିତି ଜଣେ ହାତ ମୁଠା କରି ବୃଦ୍ଧାଙ୍ଗୁଳି ଟାକୁ ଟେକିକରି ରଖିଛି; ଏମିତି ସୁନ୍ଦର ପ୍ରାକୃତିକ ପାହାଡ଼ ମୁଁ ଆଗରୁ ଦେଖି ନ ଥିଲି । ପ୍ରସ୍ତୁତ ହୋଇ ଆମେ ଗଲୁ ଆଗ ସିରିଡ଼ି ସାଇଙ୍କର ଦର୍ଶନ କଲୁ ତା ପରେ ‘କାମାତ’ ହୋଟେଲରେ ଖାଇଲୁ । ଏଠାରେ ମହାରାଷ୍ଟ୍ରରେ ଖାଇବାଟା ଟିକିଏ ରାଗ ଯାହାକୁ ମୁଁ ବରଦାସ୍ତ କରିପାରେ ନାହିଁ ।

୮ ତାରିଖ ସକାଳେ ଆମେ ପ୍ରସ୍ତୁତ ହୋଇ ଗାଡ଼ିରେ ବାହାରିଗଲୁ ‘ଶନି ଶିଗନାପୂର’ ଯେଉଁଠାରେ ପ୍ରସିଦ୍ଧ ଶନିଙ୍କର ମନ୍ଦିର ଅଛି ଆଉ ଦର୍ଶନ କଲୁ । ବାଟରେ ଗଲା ବେଳେ ବହୁତ ଡାଳିମ୍ବ କିଆରୀ ଦେଖିଲୁ ଏବଂ କିଛିଟା ସାଙ୍ଗରେ କିଣିନେଲୁ, ଭାରି ଭଲ ଲାଗିଲା । ସେଠାରେ ଦର୍ଶନ ସାରି ଆମେ ବାହାରି ଗଲୁ ଔରଙ୍ଗାବାଦ କୁ ଯେଉଁଠାରେ ଆଦିଲାବାଦ ଅଛି ଏବଂ ଯେଉଁଠାରେ ଘୁଷୁନେଶ୍ୱର ମହାଦେବଙ୍କ ଜ୍ୟୋତିର୍ଲିଙ୍ଗ ଅଛି । ଜ୍ୟୋତିର୍ଲିଙ୍ଗ ଘୁଷୁନେଶ୍ୱରଙ୍କ ଦର୍ଶନ କଲୁ ଏବଂ ତାଙ୍କର ପ୍ରସାଦ ମଧ୍ୟ ପାଇଲୁ । ବାଟରେ ଖୁଲ୍‌ସା ବାଦ୍‌ ରେ ” ଶାନ୍ତ ମାରୁତି” ଙ୍କୁ ଦର୍ଶନ କରି ‘ଜଗଦମ୍ବା ମନ୍ଦିର’ ମଧ୍ୟ ଦର୍ଶନ କଲୁ । ଦ୍ୱାଦଶ ଶିବଲିଙ୍ଗ ରୁ ମୁଁ ପୂର୍ବରୁ କେବଳ ବାରଣାସୀ ଏବଂ ରାମେଶ୍ୱରମରେ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିଥିଲି, ମହାଦେବଙ୍କର ଅପାର କରୁଣାରୁ ଏ ଯାତ୍ରାରେ ମୋର ଆଉ ଚାରୋଟି ଦର୍ଶନ ହେଲା; ଏଇଟା ପ୍ରଥମ ଜ୍ୟୋତିର୍ଲିଙ୍ଗ ଏହି ଯାତ୍ରାର । ଆମେ ସନ୍ଧ୍ୟାରେ ନାସିକରେ ପହଞ୍ଚି ହୋଟେଲ ନିୟୁ ହଲି ଡେ ପ୍ଲାଜାରେ ରହିଲୁ ।

୯ ତାରିଖ ସକାଳେ ଆମେ ପ୍ରସ୍ତୁତ ହୋଇ ବାହାରିଲୁ ହୋଟେଲ ହଲିଡ଼େ ପ୍ଲାଜା ରୁ । ସୁରଜ ବୋଲି ଡ୍ରାଇଭର ପିଲାଟି ଟୋୟୋଟା ଇନୋଭା ଗାଡି ଧରି ଆସିଥିଲା । ଆମେ ସମସ୍ତେ ବାହାରିଲୁ ତ୍ରୟଂବକେସ୍ୱର ଙ୍କୁ ଦର୍ଶନ କରିବା ପାଇଁ । କେଉଁ କାଳରୁ ମୁଁ ଭାବୁଥିଲି ତ୍ରୟଂବକେସ୍ୱର ଜ୍ୟୋତିର୍ଲିଙ୍ଗକୁ ଦର୍ଶନ କରିବା ପାଇଁ, ଭଗବାନ ସଦାଶିବ ମୋ ପରି ବୃଷ ରାଶିର ଲୋକଙ୍କ ଉପରେ ଯଥେଷ୍ଟ କୃପା କରି ମତେ ସସ୍ତ୍ରୀକ ଝିଅ, ଜୋଇଁ, ନାତି, ନାତୁଣୀଙ୍କ ସହିତ ଦର୍ଶନ ଦେବାର କୃପା କଲେ । ଏଥିପାଇଁ ମୁଁ ଭଗବାନ ଶିବଙ୍କ ପାଖରେ ଚିର ଋଣୀ । ତ୍ରୟଂବକେସ୍ୱର ଜ୍ୟୋତିର୍ଲିଙ୍ଗକୁ ଦର୍ଶନ କରିବା ପାଇଁ ଯିବାର ସଡ଼କ ଟି ଅତ୍ୟନ୍ତ ସୁନ୍ଦର ଏବଂ ପ୍ରଶସ୍ତ, ସର୍ବୋପରି ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ସବୁଜ ଗିରୀଶୃଙ୍ଗ ମାଳ। ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଥାଏ ।

ତ୍ରୟଂବକେସ୍ୱର ଜ୍ୟୋତିର୍ଲିଙ୍ଗକୁ ଦର୍ଶନ କରିବା ପରେ ଆମେ “ସୁଲା ଉଆଇନ ୟାର୍ଡ଼” ଦେଖିବାକୁ ଗଲୁ । ଏହା ଏକ ଅତି ମନୋରମ ଅଙ୍ଗୁର ବଗିଚା ଏବଂ ଅନ୍ୟାନ୍ୟ ଫୁଲ ମଧ୍ୟ ଥାଇ ଏକ ସୁନ୍ଦର ଉଦ୍ୟାନ । ସେଠାରୁ ଗଲୁ ‘ଭେଙ୍କଟେଶ୍ୱର ବାଲାଜୀ’ ମନ୍ଦିରକୁ । ବହୁତ ଭଲ ଲାଗିଲା । ତାପରେ ଆମେ ଗୋଦାବରୀ ନଦୀ ତଟରେ ଥିବା ‘ସୋମେଶ୍ୱର’ ଙ୍କୁ ଦର୍ଶନ କଲୁ । ଖାଇବା ସମୟ ହୋଇ ଯାଇଥିବାରୁ ସୁରଜ ଆମକୁ ନେଇ “ହୋଟେଲ ରାଜଭୋଗରେ’ ରେ ଛାଡିଲା । ଖାଇବାଟା ଅତି ଉତ୍ତମ ଥିଲା । ପ୍ରାୟ ୨୫ ପ୍ରକାରର ବ୍ୟଞ୍ଜନ ଖାଇବାକୁ ଦେଇଥିଲେ, ମୂଲ୍ୟ ଥିଲା ୨୩୦ ଟଙ୍କା ଆଉ ରାଜଭୋଗ ସ୍ପେଶାଲ ପାନ ୪୦ ଟଙ୍କା । ସେଠାରୁ ବାହାରି ଆମେ ଗଲୁ ‘ସୀତା ଗୁମ୍ଫା’ ଦେଖିଲୁ । ଏଠାକାର ପୁରାତନ ‘ରାମ ମନ୍ଦିର’, ‘ଲଖମଣ ରେଖା, ଏବଂ ତପୋବନ ମଧ୍ୟ ଦେଖିଲୁ । ନାସିକର ନାମ ଏଥିପାଇଁ ପଡିଛି ଯେ ଏଠାରେ ଲଖମଣ ସୁପର୍ଣ୍ଣଖାର ନାକକୁ କାଟି ଦେଇଥିଲେ । ତାହାର ମଧ୍ୟ ଏକ ମନ୍ଦିର ଅଛି । ଏ ସବୁ କଥାରେ କିଛି ସତ୍ୟତା ଥାଇ ପାରେ । ଆଜି ଦିନରେ ଆମେ ନାସିକ ସହରକୁ ପୁରା ବୁଲାବୁଲି କରିଦେଲୁ । ତେବେ ତ୍ରୟଂବକେସ୍ୱର ଜ୍ୟୋତିର୍ଲିଙ୍ଗକୁ ଭଲ ଦର୍ଶନ ପାଇଥିବାରୁ ମନ ବହୁତ ଖୁସି ହେଲା ।

୧୦ ତାରିଖ ଦିନ ସକାଳେ ଆମେ ରେଡି ହୋଇ ଆଗ ଗଲୁ ନାସିକ ରୋଡ଼ ଷ୍ଟେସନ କୁ ଏବଂ ସେଠାରୁ ଏ.ସି. ଚେୟାର କାର ରେ ଗଲୁ ମୁମ୍ବାଇ ଲୋକମାନ୍ୟ ତିଳକ ଷ୍ଟେସନକୁ । ସେଠାରୁ ଗଲୁ ମୁମ୍ବାଇ ଏୟାରପୋର୍ଟ ଓ ଗଲୁ ଅହମଦାବାଦ କୁ । ତା ପରେ ଅହମଦାବାଦ ଷ୍ଟେସନ ରୁ ରେଳ ଯୋଗେ ଗଲୁ ଭିରାବଲ ଷ୍ଟେସନ କୁ କାରଣ ସେହିଠାରୁହିଁ ଶ୍ରୀ ସୋମନାଥଙ୍କ ଦର୍ଶନରେ ଯିବାକୁ ହୁଏ । ଆଜି ମୋର ନାତୁଣୀ ‘ଖୁସି’ ର ଦ୍ୱାଦଶ ଜନ୍ମଦିନ ଟା କେଵେକ ଟ୍ରେନ ଆଉ ଫ୍ଲାଇଟରେ କଟିଗଲା ।

୧୧ ତାରିଖ ରବିବାର ସକାଳେ ଆମେ ଭିରାବଲ ଷ୍ଟେସନ ରୁ ବାହାରି କାର ଯୋଗେ ଗଲୁ ସୋମନାଥ ମନ୍ଦିର ପାଖ ବାଇପାସରେ ଥିବା ହୋଟେଲ ‘ସୁଖ ସାଗର’ କୁ ଏବଂ ରହିଲୁ । ଜୀବନର ଗୋଟେ ବହୁତ ବଡ଼ ଆଶା ମୋର ଆଜି ସ୍ୱୟଂ ଶିବ ଭଗବାନ ପୂର୍ଣ୍ଣ କରି ଦେଲେ । ମୁଁ ସକାଳ ଏବଂ ସନ୍ଧ୍ୟା ଦୁଇବେଳା ଶ୍ରୀ ସୋମନାଥଙ୍କ ଦର୍ଶନ କଲି । ମୋର ଜନ୍ମ ସଫଳ ହୋଇ ଗଲା । ପିଲା ଦିନରୁ ସୋମନାଥଙ୍କ ଦର୍ଶନ କରିବି ବୋଲି ଭାବିଥିଲି ଯାହା ୭୦ ବର୍ଷରେ ପୂର୍ଣ୍ଣ ହେଲା । ସୋମନାଥଙ୍କ ମନ୍ଦିର ଏବଂ ମନ୍ଦିର ପରିସର ଅତ୍ୟନ୍ତ ମନୋରମ । ଆରବ ସମୁଦ୍ର କୁଳର ଏହି ବର୍ତ୍ତମାନର ମନ୍ଦିରଟିର ଶୋଭା ଅବର୍ଣ୍ଣନୀୟ । ଶ୍ରୀ ସୋମନାଥଙ୍କ ସମ୍ବଂଦ୍ଧରେ ମୁଁ ନିମ୍ନରେ ଲେଖୁଛି ।

୧୨ ତାରିଖ ଦିନ ଆମେ ସୋମନାଥରୁ ସକାଳେ ବାହାରି ଟୋୟୋଟା ଇନୋଭା ଯୋଗେ ସମୁଦ୍ର କୂଳେ କୂଳେ ପୋରବନ୍ଦରକୁ ଗଲୁ । ପୋରବନ୍ଦର ରେ ଆଗ ଆମେ ‘ସୁଦାମା ମନ୍ଦିର’ କୁ ଦର୍ଶନ କଲୁ । ତାପରେ କାଠିଆବାଡ଼ରେ ଆମେ ଗାନ୍ଧୀଜୀଙ୍କର ଜନ୍ମସ୍ଥାନ ‘କୀର୍ତି ମନ୍ଦିର’ କୁ ଦେଖିଲୁ । ବାପୁଜୀଙ୍କର ଜନ୍ମସ୍ଥାନକୁ ଦେଖି ମୁଁ ସୁଖ ଓ ଦୁଖଃ ରେ ମ୍ରିୟମାଣ ହୋଇ ଗଲି । ମୁଁ ଟିକିଏ ଭାବୁକ ମଧ୍ୟ ହୋଇ ଗଲି । ମନେ ମନେ ଭାବୁଥିଲି ବାପୁଜୀଙ୍କର ଉପରେ ତିନି ଭାଇ ଥିଲେ , ତାଙ୍କର ନିଜର ଚାରି ପୁଅ ଥିଲେ , କିନ୍ତୁ ଆଉ କେହି କାହିଁକି ଗାନ୍ଧିଜୀ ହୋଇ ପାରିଲେ ନାହିଁ ? ଏହାର ଉତ୍ତର ମୋ ପାଖରେ ନାହିଁ ବା ଅନ୍ୟ ମାନଙ୍କ ପାଖରେ ମଧ୍ୟ ନ ଥାଇ ପାରେ । ତା ପାରେ ଆମେ ଗଲୁ “ଦ୍ଵାରକା ପୁରୀ” କୁ ଏବଂ ହୋଟେଲ ‘ନନ୍ଦ ନନ୍ଦନ’ରେ ରହଣି କଲୁ । ସନ୍ଧ୍ୟା ବେଳେ ପ୍ରସ୍ତୁତ ହୋଇ ଆମେ ଚାରୀଧାମରୁ ଅନ୍ୟତମ ଦ୍ଵାରକା ଧାମ କୁ ଦର୍ଶନ କଲୁ । ଦ୍ୱାରକାଧିଶଙ୍କର ମନ୍ଦିର ଅତ୍ୟନ୍ତ ସୁନ୍ଦର ଏବଂ ସ୍ୱୟଂ ଦ୍ୱାରିକାଧିଶ ଶ୍ରୀକୃଷ୍ଣ ମଧ୍ୟ ଏଠାରେ ଅତ୍ୟନ୍ତ ମନୋରମ ବେଶରେ ପୂଜାପାଉଛନ୍ତି । ସମୁଦ୍ର କୁଳର ଏହି ମନ୍ଦିର ଅତ୍ୟନ୍ତ ପ୍ରାଚୀନ ଏବଂ ପବିତ୍ର । ଚାରି ଧ।ମରୁ ଗୋଟିଏ ଧାମ ଦର୍ଶନ କରି ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ହେଲା ।

୧୩ ତାରିଖ ସକାଳେ ଆମେ ଦ୍ୱାରିକା ପିଠ ପାଖରେ ଥିବା ହୋଟେଲ ନନ୍ଦ ନନ୍ଦନ ରୁ ବାହାରିଲୁ ‘ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ’ଙ୍କ ଦର୍ଶନ କରିବା ପାଇଁ । ଏଥରକର ଡ୍ରାଇଭର ମୟୁର ତ୍ରିବେଦୀ ଲୋକଟା ଆମ୍ବିଳାମୁହାଁଟିଏ, କିଛି କଥାର ଉତ୍ତର ଠିକ ଭାବରେ ଦେଇ ପାରେ ନାହିଁ, ପଚାରିଲେ ଚୁପ ରହିଯାଏ । ନାଗେଶ୍ୱର ମନ୍ଦିରରେ ଅତି ଉତ୍ତମ ଭାବରେ ଆମେ ଦର୍ଶନ କଲୁ ଏବଂ ବହୁତ ଶାନ୍ତି ମିଳିଲା । ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ସମ୍ବନ୍ଧରେ ମୁଁ ପରିଶିଷ୍ଟରେ ଲେଖିବି । ସେଠାରୁ ଆମେ ଗଲୁ ‘ଭେଟ ଦ୍ଵାରକା’ ଦର୍ଶନ କରିବା ପାଇଁ, ମନ୍ଦିରଟି ଆରବ ସାଗର ଭିତରେ ଥିବାରୁ ଆମକୁ ସେଠାକୁ ମୋଟର ବୋଟ ରେ ଯିବାକୁ ହେଲା । ଅତି ସୁନ୍ଦର ଦ୍ୱାରିଅକାଧିଶଙ୍କର ମନ୍ଦିରକୁ ଦେଖି ମନ ପ୍ରଫୁଲ୍ଲିତ ହୋଇଗଲା । ଭେଟ ଦ୍ଵାରକା ନାମ କରଣ ହେବାର କାରଣ ହେଲା ଯେ ଏହିଠାରେହିଁ ଭକ୍ତ ସୁଦାମାଙ୍କ ସହିତ ଶ୍ରୀକୃଷ୍ଣଙ୍କର ମିଳନ ହୋଇଥିଲା । ସେଠାରୁ ଫେରି ଆମେ ଯାଇ ‘ରୁକ୍ମିଣୀ ମନ୍ଦିର’ ଦର୍ଶନ କଲୁ । ଏ ସ୍ଥାନରେ ଜମାରୁ ଜଳ ମିଳେ ନାହିଁ । ଏହା ଏକ ଅତି ପୁରାତନ, ସୁନ୍ଦର କାରୁକାର୍ଯ୍ୟ ଖଚିତ ମନ୍ଦିର କିନ୍ତୁ କାଳକ୍ରମେ ଏହାର କାରୁକାର୍ଯ୍ୟ ସମୁଦ୍ର ହାୱାରେ ନଷ୍ଟ ହେବାରେ ଲାଗିଛି । ଏହିଠାରେହିଁ ଶ୍ରୀକୃଷ୍ଣ ଏବଂ ରୁକ୍ମିଣୀ ମୁନି ଦୁର୍ବାସାଙ୍କ ଠାରୁ ଶାପିତ ହୋଇ ଥିଲେ । ସେଠାରୁ ଫେରି ଆମେ ପୁଣି ହୋଟେଲ କୁ ଆସିଲୁ । ଆସିଲା ବେଳେ ଆମେ ଯେଉଁ ସଡ଼କରେ ଆସିଲୁ ତାହା ଗୁଜରାଟ ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ ଏରିଆ ହୋଇଥିବାରୁ ସେ ରାସ୍ତାରେ ଆମେ ଟାଟା କେମିକାଲ ମିଠାପୁର, ଏସାର କାରଖାନା ଏବଂ ରିଲାଏନ୍ସ ପରି ବଡ଼ ବଡ଼ ଶିଳ୍ପ ଏବଂ ତାହାର ପରିପାର୍ଶ୍ଵିକ ସ୍ଥାନ ଗୁଡିକୁ ଗାଡି ଭିତରୁ ଦେଖି ବୁଝି ପାରୁଥିଲୁ ଯେ ସତରେ ଶିଳ୍ପ ଦିଗରେ ଗୁଜରାଟର ବିକାଶ ହୋଇଛି । ହୋଟେଲ କୁ ଫେରି ଆମେ ପ୍ରସ୍ତୁତ ହୋଇ ଗଲୁ ଜାମନଗର ଷ୍ଟେସନକୁ ଏବଂ ସେଠାରୁ ସୌରାଷ୍ଟ୍ର ଏକ୍ସପ୍ରେସରେ ଚଢିଲୁ ଅହମଦାବାଦ ଯିବା ପାଇଁ ।

୧୪ ତାରିଖ ବୁଧବାର ଦିନ ସକାଳେ ଆମେ ସୌରାଷ୍ଟ୍ର ଟ୍ରେନରେ ଜାମନଗରରୁ ଆସି ଅହମଦାବାଦ ଷ୍ଟେସନରେ ପହଂଚିଲୁ ଏବଂ ଆମର ପୂର୍ବରୁ ବୁକିଂ ହୋଇ ରହିଥିବା ହୋଟେଲ କବିର ରେ ଯାଇ ରହିଲୁ । ପ୍ରସ୍ତୁତ ହୋଇ ସାରି ଆମେ ଗୋଟାଏ ଟୋୟୋଟା ଇନୋଭା କରି ଅହମଦାବାଦକୁ ବୁଲି ବାହାରିଲୁ । ଆମେ ଦେଖି ଥିବା ସ୍ଥାନ ଗୁଡିକ ହେଲା ‘ବୈଷ୍ଣବ ଦେବୀ’ ମନ୍ଦିର ଯେଉଁଟା ପାହାଡ଼ ଗୁମ୍ଫା ଆକାରରେ ତିଆରି ହୋଇଛି ଏବଂ ଦର୍ଶନ କରି ଭଲ ଲାଗିଲା । ତା ପରେ ଆମେ ଯାଇ ଦେଖିଲୁ ‘ସ୍ଟେପ ଉଏଲ’ ମାନେ ପାହାଚ କୁଅଁ ଯେଉଁଟାକୁ ଅହମଦ ସାହ, ଯାହାଙ୍କର ନାମ ଅନୁସାରେ ଅହମଦାବାଦ ହୋଇଛି; ୧୫୫୫ ଖ୍ରୀଷ୍ଟାବ୍ଦରେ ତିଆରି କରି ଥିଲେ । କଥିତ ଅଛି ସେ ଏହାକୁ ତାଙ୍କ ରାଣୀ ମାନଙ୍କ ସ୍ନାନ ପାଇଁ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ‘ବାବଡୀ କୁଆଁ’ ନାମ କାରଣ କରି ଥିଲେ । ସେ ଯାହା ହେଉ ଏହା ଆମ ଭାରତର ବହୁ ପୂର୍ବରୁ ଜଳ ସଂରକ୍ଷଣର ଏକ ଉତ୍କୃଷ୍ଟ ଉଦାହରଣ । ତା ପରେ ଆମେ ‘ଅକ୍ଷର ଧାମ’ ଦେଖିବାକୁ ଗଲୁ । ସ୍ୱାମୀ ନାରାୟଣଙ୍କ ଏହି ମନ୍ଦିର ଏଠାରେ ଅତି ସୁନ୍ଦର ଭାବରେ କରା ଯାଇଛି । ଅକ୍ଷର ଧାମରେ କିଛି ସମୟ ବସିଲା ଭିତରେ ଅନେକ ଗୁଣ୍ଡୁଚି ମୂଷା ମାନେ ଆସି ପାଖରେ ଖେଳୁ ଥିଲେ । ଏଠାରେ ମୁଁ ବିଭିନ୍ନ ସ୍ଥାନରେ ବହୁତ ଗୁଣ୍ଡୁଚି ମୂଷା ମାନଙ୍କୁ ଦେଖିବାକୁ ପାଇଲି । ଅତି ଖୁସିରେ ମୁଁ ଦୁଇ ପଦ ଲେଖି ଦେଲି :

ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା
କେତେ ସୁନ୍ଦର ତୋ ଚାଲି !
ଡେଇଁ ଡେଇଁ କରି କ୍ଷଣକେ ଆସି
କ୍ଷଣକେ ଯାଉ ଚାଲି ।
ଖାଇବା ଜିନିଷ ପାଇବା ମାତ୍ରକେ
ଆଗ ଦୁଇ ହାତ ରେ ଧରି
କୁଟ କୁଟ କରି ଖାଉ ।

ସେତେବେଳେ ତୁ ଠିକ
କଙ୍ଗାରୁ ପରି ଦେଖା ଯାଉ ।
ତୋ ଗୁଣରେ ମୁଗ୍ଧ ହୋଇ
ରାମଚନ୍ଦ୍ର ତତେ କଲେ ଗେଲ
ସତରେ ତୁ କେତେ ସୁନ୍ଦର
ଦେଖିଲେ ତତେ ଲାଗେ ଭଲ ।

ସେଠାରୁ ଆମେ ଗଲୁ ‘ସାବରମତୀ’ ଆଶ୍ରମ କୁ ଯେଉଁଠାରେ ମହାତ୍ମା ଗାନ୍ଧୀଙ୍କର ଅନେକ ସ୍ମୃତି ସଂରକ୍ଷିତ କରି ରଖ। ଯାଇ ଅଛି । ତେବେ ସମ୍ପୂର୍ଣ୍ଣ ଆଶ୍ରମକୁ ଦେଖିବାର ଧୈଯ୍ୟ ରହିଲା ନାହିଁ କାରଣ ଆମେ ବହୁତ ଥକି ଯାଇ ଥିଲୁ । ହୋଟେଲ କୁ ଫେରି ବିଶ୍ରାମ ନେଲୁ ।

୧୫ ତାରିଖ ଗୁରୁବାର ଦିନ ଆମେ ସକାଳ ୪ ଟାରୁ ଅହମଦାବାଦରୁ ଫ୍ଲାଇଟ ଯୋଗେ ଆଗ ଗଲୁ ମୁମ୍ବାଇ ଏୟାରପୋର୍ଟ ଆଉ ସେଠାରେ ଜଳଖିଆ କରି ୧୦.୩୦ ରେ ମୁମ୍ବାଇ ରୁ ଫ୍ଲାଇଟ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିଲୁ ଦିନ ୧ ଟା ବେଳେ ଏବଂ ଆମର ଯାତ୍ରା ଶେଷ ହେଲା

ଯାତ୍ରା ୨୦୧୬ ରେ ଦେଖିଥିବା ଚାରୋଟି ଜ୍ୟୋତିର୍ଲିଙ୍ଗଙ୍କର ସଂକ୍ଷିପ୍ତ ବର୍ଣ୍ଣନା

ଶ୍ରୀ ସୋମନାଥ

ଗୁଜରାଟର କାଠିଆବାଡ଼ ସାଗର ତଟ ଦେଶରେ ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିର ବିଦ୍ୟମାନ । ପୁରାଣ କାଳରେ ଏହି କ୍ଷେତ୍ର ପ୍ରଭାସ କ୍ଷେତ୍ର ଭାବରେ ଖ୍ୟାତ ଥିଲା । ଏଠାରେ ଶ୍ରୀକୃଷ୍ଣ ଜରା ନାମକ ଅସୁରକୁ ବଦ୍ଧ କରିଥିଲେ । ପୌରାଣିକ ଉପଖ୍ୟାନରୁ ଜଣା ଯାଏ ଯେ ଚନ୍ଦ୍ରଦେବଙ୍କ ସହିତ ଦକ୍ଷ ପ୍ରଜାପତିଙ୍କ ସାତ କନ୍ୟା ବିବାହ କରି ଥିଲେ । ସେହି କନ୍ୟା ମାନଙ୍କ ମଧ୍ୟରୁ ରୋହିଣୀଙ୍କ ଉପରେ ଚନ୍ଦ୍ରଙ୍କର ବିଶେଷ ଅନୁରାଗ ଥିଲା । ଚନ୍ଦ୍ରଦେବଙ୍କ ଏହି ପାତରଅନ୍ତର ବ୍ୟବହାରରେ ଅତିଷ୍ଟ ହୋଇ ଅନ୍ୟ ଛଅ ପତ୍ନୀ ସହ୍ୟ କରି ନ ପାରି ପିତା ପ୍ରଜାପତିଙ୍କୁ ଜଣାଇ ଥିଲେ । ପ୍ରଜାପତି ଏହି ବିଷୟରେ ହସ୍ତକ୍ଷେପ କରି ଚନ୍ଦ୍ର ଦେବଙ୍କୁ ବୁଝାଇ ଥିଲେ ମଧ୍ୟ ରୋହିଣୀଙ୍କର ପ୍ରଭାବରେ ବଶୀଭୂତ ଚନ୍ଦ୍ରଙ୍କ ହୃଦୟରେ ପରିବର୍ତ୍ତନ ହୋଇ ନ ଥିଲା । ତେଣୁ ଦକ୍ଷ କ୍ରୋଧାନ୍ୱିତ ହୋଇ ଚନ୍ଦ୍ରଙ୍କୁ କ୍ଷୟ ପ୍ରାପ୍ତିର ଅଭିଶାପ ଦେଇ ଥିଲେ ।ଏହି ଅଭିଶାପରେ ଚନ୍ଦ୍ର କ୍ଷୟପ୍ରାପ୍ତ ହେବା ଦ୍ୱାରା ପୃଥିବୀରେ ଚନ୍ଦ୍ରଙ୍କର ଶୀତଳ ସୁଧା ଧାରା ବ୍ୟାହତ ହେବା ସହିତ ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି ହେଲା । ତ୍ରାହି ତ୍ରାହି ଡାକ ଦେଇ ପୃଥିବୀବାସୀ, ଦେବତାଗଣ ବ୍ରହ୍ମାଙ୍କ ଶରଣାପନ୍ନ ହେବାରୁ ତାଙ୍କ ପରାମର୍ଶରେ ଚନ୍ଦ୍ରଦେବ ଦଶ କୋଟି ଥର ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇ ଚନ୍ଦ୍ରଙ୍କୁ ଅମରତ୍ୱ ପ୍ରଦାନ କରିଥିଲେ । ତେବେ ଦକ୍ଷଙ୍କ ସତ୍ୟ ବଚନ ରକ୍ଷା ପାଇଁ କୃଷ୍ଣ ପକ୍ଷରେ ଚନ୍ଦ୍ରଙ୍କର ଏକ କଲା କ୍ଷୟ ହେବ ଏବଂ ସେହି କ୍ଷୟ ଶୁକ୍ଳପକ୍ଷରେ କ୍ରମାନୁସାରେ ବୃଦ୍ଧି ପାଇ ପୂର୍ଣିମାରେ ପୂର୍ଣ୍ଣ ଚନ୍ଦ୍ରତ୍ଵ ପ୍ରାପ୍ତି ହେବ ଶିବ ବର ପ୍ରଦାନ କରି ଥିଲେ ।

ଚନ୍ଦ୍ରଦେବ ଅଭିଶାପରୁ ମୁକ୍ତ ହୋଇ ଶିବଙ୍କୁ ବିନତି କଲେ ଯେ ଆପଣ ସୃଷ୍ଟିକୁ ରକ୍ଷା କରି ଦେଲେ । ତେଣୁ ମାତା ପାର୍ବତୀଙ୍କ ସହିତ ସମସ୍ତ ପ୍ରାଣୀଙ୍କ ଉଦ୍ଧାର ପାଇଁ ପ୍ରଭାସ କ୍ଷେତ୍ରରେ ଅବସ୍ଥାନ କରନ୍ତୁ । ଭଗବାନ ଶିବ ଏହି ପ୍ରାଥନାକୁ ରକ୍ଷା କରି ଜ୍ୟୋତିର୍ଲିଙ୍ଗ ରୂପେ ମାତା ପାର୍ବତୀଙ୍କ ସହ ସୋମନାଥ ନାମରେ ପୂଜା ପାଉଛନ୍ତି । ପ୍ରବାଦ ଅଛି ସୋମନାଥଙ୍କ ଦର୍ଶନ ଦ୍ୱାରା ଶିବ ପାର୍ବତୀଙ୍କ ଅକ୍ଷୟ କୃପା ମିଳିବ ସହ ମୋକ୍ଷର ମାର୍ଗ ପରିପୃଷ୍ଟ ହୋଇଥାଏ ।

ଶ୍ରୀ ତ୍ରୟମ୍ୱବକେଶ୍ଵର

ମହାରାଷ୍ଟ୍ରର ନାସିକ ଠାରୁ କିଛି ଦୂରରେ ଶ୍ରୀ ତ୍ରୟମ୍ୱବକେଶ୍ଵର ଜ୍ୟୋତିର୍ଲିଙ୍ଗ ଅବସ୍ଥିତ । ଶିବ ପୁରାଣ ବ୍ୟାଖାନ ଅନୁଯାୟୀ ତପୋବନରେ ବସବାସ କରୁଥିବା ବ୍ରାହ୍ମଣ ମାନଙ୍କ ପତ୍ନୀ ମାନେ କୌଣସି କାରଣରୁ ମହର୍ଷି ଗୌତମଙ୍କ ପତ୍ନୀ ଅହଲ୍ୟାଙ୍କ ଉପରେ ଅସନ୍ତୁଷ୍ଟ ଆଚରଣ ପ୍ରଦର୍ଶନ କରୁ ଥିଲେ । ତେଣୁ ସେମାନେ ରୃଷୀ ଗୌତମଙ୍କ କ୍ଷତି କରିବା ପାଇଁ ଷଡଯନ୍ତ୍ର ଚଳାଇଲେ । ଗୌତମଙ୍କୁ ଏହି ଆଶ୍ରମରୁ ତଡି ଦେବା ପାଇଁ ବ୍ରାହ୍ମଣ ମାନଙ୍କ ପତ୍ନୀ ମାନେ ସେମାନଙ୍କ ସ୍ୱାମୀ ମାନଙ୍କୁ ବାଧ୍ୟ କରି ଥିଲେ । ଏଥିରେ ବ୍ରାହ୍ମଣ ମାନେ ସମ୍ମତି ପ୍ରକାଶ କରି ନ ଥିଲେ ମଧ୍ୟ ସ୍ତ୍ରୀ ମାନଙ୍କ ପ୍ରରୋଚନାରେ ସେମାନେ ଗଣନାଥଙ୍କୁ ଆରାଧନା କରି ଏହି ଆଶ୍ରମରୁ ଗୌତମଙ୍କୁ ବହିଷ୍କାର କରି ଦେବାକୁ ବର ମାଗିଲେ । ଏହିଭଳି ବର ନ ମାଗିବା ପାଇଁ ଗଜାନନ ବୁଝାଇ ଥିଲେ ମଧ୍ୟ ପତ୍ନୀଙ୍କ ତାଗିଦା ଯୋଗୁ ବ୍ରାହ୍ମଣମାନେ ନିଜ ଜିଦରେ ଅଟଳ ରହିଲେ । ସେଥିପାଇଁ ଗଣେଶ ତଥାସ୍ତୁ କହିଥିଲେ । ବରଦାନ ସାକାର କରିବା ଲକ୍ଷରେ ଶ୍ରୀ ଗଣେଶ ଏକ ଦୁର୍ବଳ ଗାଈ ରୂପ ଧାରଣ କରି ଗୌତମଙ୍କ ବଗିଚାରେ ଫସଲ ଖାଇବାକୁ ଲାଗିଲେ । ଏହା ଦେଖି ଋଶିବର ଗାଇଟିକୁ ମୃଦୁ ଆଘାତ କରିବା ଦ୍ୱାରା ଗାଈଟି ମରି ଯାଇ ଥିଲା । ଏହି ଦୁଃସମ୍ବାଦରେ ଚତୁର୍ଦିଗରେ ହାହାକାର ପଡିଗଲା । ଋଶି ଗୌତମ ଗୋହତ୍ୟା କରିଛନ୍ତି; ଯେ ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଗଲା । ବ୍ରାହ୍ମଣ ମାନେ ମଧ୍ୟ ଗୌତମଙ୍କୁ ତିରସ୍କାର କଲେ । ସେମାନେ ମତ ଦେଲେ ଯେ ଗୋହତ୍ୟାକାରୀ ଏହି ଆଶ୍ରମରେ ରହିବ ଉଚିତ ନୁହେଁ । ଶେଷରେ ଗୌତମ ଆଉ ତାଙ୍କ ସ୍ତ୍ରୀ ଅହଲ୍ୟା ଅନ୍ୟତ୍ର ଚାଲି ଯାଇଥିଲେ । ସେ ଯେଉଁଠାକୁ ଯାଉଥିଲେ ସେଠାରେ ମଧ୍ୟ ବ୍ରାହ୍ମଣମାନେ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ । ଅତ୍ୟନ୍ତ କାତର ହୋଇ ଋଶି ଗୌତମ ପ୍ରାୟଶ୍ଚିତ୍ତ ର ମାର୍ଗ ପଚାରିବାରୁ ବ୍ରାହ୍ମଣ ମାନେ କହିଲେ ତୁମେ ନିଜ ମୁହଁରେ ନିଜ ପାପ କଥା ଉଚ୍ଚାରଣ କରି ସମଗ୍ର ପୃଥିବୀ ତିନି ଥର ପରିକ୍ରମା କର ଓ ପରେ ବ୍ରହ୍ମଗିରିକୁ ୧୦୧ ଥର ପରିକ୍ରମା କର । ବ୍ରାହ୍ମଣ ମାନଙ୍କ ଏପରି କଥା ଶୁଣି ଗୌତମ ରୃଷୀ ମହାଦେବଙ୍କୁ ପ୍ରାର୍ଥନା କଲେ । ମହାଦେବ ସନ୍ତୁଷ୍ଟ ହୋଇ ପ୍ରକଟ ହେବାରୁ ଗୌତମ ରୃଷୀ ତାଙ୍କ ଗୋହତ୍ୟା କଥା ବ୍ୟାଖ୍ୟାନ କଲେ । ମହାଦେବ କହିଲେ ଗୌତମ ତୁମେ ସଦା ନିଷ୍ପାପ । ବ୍ରାହ୍ମଣ ମାନଙ୍କ ଛଳନା ଦ୍ୱାରା ତୁମକୁ ଗୋହତ୍ୟାକାରୀ ଭାବେ କୁହାଯାଇଛି । ତେଣୁ ବ୍ରାହ୍ମଣ ମାନଙ୍କୁ ମୁଁ ଅଭିଶାପ ଦେବି । ଏଥିରେ ଗୌତମ ବିନୟ ହୋଇ କହିଲେ “ହେ ପ୍ରଭୁ ! ସେମାନେ ଏହି କାର୍ଯ୍ୟ କରିଥିବାରୁ ମୁଁ ଆଜି ଆପଣଙ୍କର ଦର୍ଶନ ପାଇଲି । ତେଣୁ ବ୍ରାହ୍ମଣମାନେ ଉପକାରୀ, ସେମାନଙ୍କୁ କ୍ଷମା କରି ଦିଅନ୍ତୁ” । ଏହି ତ୍ୟାଗ ସମର୍ପିତ, ଏକନିଷ୍ଠତା ଓ ଦୟଭାବ ପ୍ରଦର୍ଶନକୁ ଦେବଙ୍ଗ ଅବଲୋକନ କରି ଗୌତମଙ୍କୁ ଆଶୀର୍ବାଦ କଲେ । ଗୌତମ ଓ ସଦାଶିବଙ୍କ ମିଳନ ହୋଇଥିବାରୁ ଏହି କ୍ଷେତ୍ରରେ କୈଳାଶପତି ବାସ କରନ୍ତୁ ବୋଲି ଦେବଙ୍ଗ ନିବେଦନ କରିଥିଲେ । ପରେ ସ୍ୱୟଂ ଶିବଙ୍କ ଇଚ୍ଛାରେ ଗୌତମ ପୂଜା କରୁଥିବା ତ୍ରୟମବକେସ୍ୱର ଜ୍ୟୋତିର୍ଲିଙ୍ଗ ଏଠାରେ ସ୍ଥାପିତ ହୋଇଛି । ରୃଷୀ ଗୌତମଙ୍କ ଆରାଧନାରେ ଗଙ୍ଗା ମଧ୍ୟ ସେହି ସ୍ଥାନରେ ଗୋଦାବରୀ ନାମରେ ପ୍ରବାହିତ ହେବାକୁ ଲାଗିଲେ । ଏଠାରେ ଲିଙ୍ଗ ଦର୍ଶନ ଦ୍ୱାରା ସମସ୍ତ ପ୍ରକାର ପୂଣ୍ୟଫଳ ଲାଭ ହୋଇଥାଏ ।

ଶ୍ରୀ ନାଗେଶ୍ୱର

ଗୁଜରାଟର ଦ୍ୱାରକାପୁରୀ ଠାରୁ ୧୧ କିଲୋମିଟର ଦୂରତ୍ୱରେ ଏହି ଜ୍ୟୋତିର୍ଲିଙ୍ଗ ପୀଠ ଅବସ୍ଥିତ । କଥିତ ଅଛି ଯେ ସୁପ୍ରିୟ ନାମକ ସଦାଚାରୀ ଶିବ ଭକ୍ତ ଜଣଙ୍କ ନିରନ୍ତର ଶିବ ଆରାଧନାରେ ମଗ୍ନ ହେବ ଦ୍ୱାରା ଦାରୂଫ ନାମକ ଏକ ରାକ୍ଷସ କ୍ଷୁବ୍ଧ ହୋଇ ସୁପ୍ରିୟର ସାଧନାରେ ବାଧା ଉପୁଯାଇଲା । ଥରେ ସୁପ୍ରିୟ ନୌକା ପାରି ହେଉଥିଲା ବେଳେ ତାଙ୍କ ସହିତ ନୌକାରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ଦାରୂଫର ଅନୁଚର ମାନେ ବନ୍ଦୀ କରି ନେଇ ଥିଲେ । ବନ୍ଦୀଶାଳାରେ ମଧ୍ୟ ସୁପ୍ରିୟ ଶିବ ଆରାଧନାରୁ ବିରତ ହୋଇ ନ ଥିଲେ । ବରଂ ଅନ୍ୟ ବନ୍ଦୀ ମାନେ ଶିବ ପୂଜାରେ ଆକୃଷ୍ଟ ହେବାକୁ ଲାଗିଲେ । ଦାରୂଫ ଏଥିରେ କ୍ରୋଧାନ୍ୱିତ ହୋଇ ଅଧିକ ଅତ୍ୟାଚାର କଲା । ତଥାପି ସୁପ୍ରିୟ ଶୈବ ସାଧନାରୁ ବିରତ ହୋଇ ନ ଥିଲେ । ଶେଷରେ ବନ୍ଦୀ ମାନଙ୍କୁ ଦାରୂଫ ହତ୍ୟା କରିବା ପାଇଁ ଉଦ୍ୟମ କରୁଥିବାବେଳେ ସ୍ୱୟଂ ଶିବ ପ୍ରସନ୍ନ ହୋଇ କାରାଗାରରେ ଅବତୀର୍ଣ୍ଣ ହେଲେ ଏବଂ ଦାରୁଫ କୁ ମାରି ଥିଲେ । ଏହିଠାରେ ଶିବଙ୍କ ଇଚ୍ଛାରେ ଶ୍ରୀ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା ହୋଇଛି । ଏହି ଲିଙ୍ଗ ଦର୍ଶନ କଲେ ପାପରୁ ମୁକ୍ତି ଓ ସୁଖ ଭୋଗ ହୋଇଥାଏ ।

ଶ୍ରୀ ଘୁଷଣେଶ୍ୱର

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଅନ୍ତିମ ଜ୍ୟୋତିର୍ଲିଙ୍ଗ ହେଉଛି ଶ୍ରୀ ଘୁଷଣେଶ୍ୱର । ଏହା ମହାରାଷ୍ଟ୍ରର ଦୌଲତାବାଦ ଠାରେ ଅବସ୍ଥିତ । ଲୋକ ମୁଖରୁ ଜଣାଯାଏ ଯେ ଦକ୍ଷିଣ ଦେବଗିରି ପର୍ବତ ନିକଟରେ ସୁଧର୍ମା ନାମକ ତପୋନିଷ୍ଟ ବ୍ରାହ୍ମଣ ତାର ପତ୍ନୀ ସୁଦେହା ସହିତ ବାସ କରୁଥାଏ । ସୁଦେହା ନିଃସନ୍ତାନ ଥିବାରୁ କୁଳରକ୍ଷା ନିମିତ୍ତ ତା’ର ଭଉଣୀ ଘୁଷ୍ମା ସହିତ ସୁଧର୍ମାର ବିବାହ କରାଇଥିଲା । କିଛିମାସ ପରେ ଘୁଷ୍ମା ର ପୁତ୍ର ସନ୍ତାନ ଜନ୍ମ ହେଲା । କିନ୍ତୁ କାଳକ୍ରମେ ସୁଦେହା ପ୍ରତିକ୍ରିୟାଶୀଳ ହୋଇ ପଡିଲା । ତା’ ସ୍ୱାମୀ ଉପରେ ଘୁଷ୍ମା ଆଧିପତ୍ୟ ଜାହିର କରୁଛି ବୋଲି ସୁଦେହା ଭାବିଲା । ତେଣୁ ସୁଦେହା କ୍ରୋଧନ୍ଧ ପୂର୍ବକ ନିଶା ଅନ୍ଧକାରରେ ଘୁଷ୍ମା ର ପୁତ୍ରକୁ ହତ୍ୟା କରି ଘର ପଛ ଗାଡ଼ିଆରେ ପକାଇ ଦେଇଥିଲା । ଘୁଷ୍ମା ଶିବ ଭକ୍ତ ଏବଂ ପ୍ରତ୍ୟହ ଶିବ ପୂଜା କରିବା ପରେ ସେହି ଗାଡ଼ିଆକୁ ଯାଇ ପୂଜାର ଅବଶିଷ୍ଟାଂଶ ଜଳରେ ସମର୍ପଣ କରିଥାଏ । ସେ ଦିନ ମଧ୍ୟ ଗାଡ଼ିଆ ପାଖକୁ ଯାଇ ଦେଖେ ଯେ ପୁଅ ଗାଡ଼ିଆରୁ ଉଠି ଆସୁଛି । ଏହି ଘଟଣା ପ୍ରକାଶ ପାଇବା ପରେ ସଦାଶିବ କ୍ରୋଧାନ୍ୱିତ ହୋଇ ସୁଦେହା କୁ ଅଭିଶାପ ଦେବା ପାଇଁ ଉଦ୍ୟମ କରିବାରୁ ଘୁଷ୍ମା ର ବିନତୀରେ ସେଥିରୁ ବିରତ ରହି ଥିଲେ । ଘୁଷ୍ମା ର ଏହି ଉଦାରତା ଓ ଶିବ ଭକ୍ତିର ସ୍ମାରକୀ ପାଇଁ ସେହି ସ୍ଥାନରେ ଶିବ ଜ୍ୟୋତିର୍ଲିଙ୍ଗ ଘୁଷଣେଶ୍ୱର ରୂପେ ଆବିର୍ଭୁତ ହୋଇଥିଲେ । ଏହି ପୀଠ ଦର୍ଶନ କଲେ ଇହକାଳ ଓ ପରକାଳ ପାଇଁ ଅମୋଘ ଫଳ ପ୍ରାପ୍ତି ହୁଏ ।

Click to comment

Leave a Reply

Your email address will not be published. Required fields are marked *

To Top