ଅନୁଭୂତି

ପଣସ ପ୍ରସଙ୍ଗ

Odia Author Mr Ramakanta Mishra

ମୁଁ ବୁଝି ପାରେ ନାହିଁ ଲୋକମାନେ ଗଛକୁ କାହିଁକି କାଟନ୍ତି ? ଗଛଟି କାହାରି କିଛି ଅନିଷ୍ଟ କରି ନ ଥାଏ । କେବଳ ତାର କଥା କହିବାର ଶକ୍ତି ନାହିଁ ବୋଲି, ପ୍ରତିବାଦ କରିବାର ଶକ୍ତି ନାହିଁ ବୋଲି ଯେ ପାରିବ ସେ କାଟି ଦେବ ? ଏଇଟା ଭଗବାନଙ୍କର ଗଛ ପ୍ରତି ବଡ଼ ଅନ୍ୟାୟ ।

ପଣସ ପ୍ରସଙ୍ଗ

ମୁଁ ପିଲା ଦିନରୁ ପଣସ ଖାଇବାକୁ ଭଲ ପାଏ । କଞ୍ଚା ପଣସରେ ବୋଉ ବିଭିନ୍ନ ପ୍ରକାର ତରକାରି କରୁଥିଲା । ମସଲା ଦିଆ ପଣସ ତରକାରି ପୁରା ମାଂସ ତରକାରି ଭଳି ଲାଗେ । ପଣସ ସିଝା ତରକାରି ଛୁଙ୍କ ଦେଇକି କଲେ ବି ଭଲ ଲାଗେ । ପଣସକୁ ଡ଼ାଲମାରେ ପକାଇ ବୋଉ ରାନ୍ଧି ଦେଉ ଥିଲା ଯେ ଏତେ ଭଲ ଲାଗୁ ଥିଲା, ସେ କଥା ଏବେ ମନେ ପଡି ଗଲେ ବଡ଼ ଦୁଃଖ ଲାଗେ । ଆମ ନନା ଟିକିଏ ଭୋଜନ ପ୍ରିୟ ଥିଲେ । ସେ ସବୁଦିନ ଅଫିସରୁ ଫେରିଲା ବେଳେ ଦୁଇଟା ବଡ଼ ବ୍ୟାଗରେ କଞ୍ଚା ପରିବା ଭରିକି ଆଣୁ ଥିଲେ । ପଣସ ଦିନରେ ତ ନନା ପ୍ରାୟ ଅନେକ ପ୍ରକାରର କଞ୍ଚା ପଣସ ଆଣୁ ଥିଲେ ଆଉ ବୋଉ ମଧ୍ୟ ଅନେକ ପ୍ରକାର ରାନ୍ଧୁ ଥିଲା । ଚେକା ଚେକା କଟା ହୋଇଥିବା ପଣସକୁ ସିଝାଇ, ଚାଉଳ ବଟା ଦେଇ ବୋଉ ଯେଉଁ ଦିନ ପଣସ ବଡା କରୁ ଥିଲା ସେ ଦିନ ତ ଆମ ଭାଇ ଭଉଣୀ ଭିତରେ କିଏ କେତେଟା ବଡା ଖାଇବ ସେଥିପାଇଁ ଗୋଟେ ପ୍ରତିଯୋଗିତା ହୋଇ ଯାଉଥିଲା । ତେବେ ସେ ଯାହା ହେଉ ପଣସ କଞ୍ଚା ଆଉ ପଣସ ପାଚିଲା ଉଭୟ ମୋର ଅତି ପସନ୍ଦର ଖାଦ୍ୟ ।

ମୁଁ ଯେତେବେଳେ ଚାକିରୀ କଲି ମତେ ଗୋଟାଏ ବିରାଟ ବଡ଼ ଡୁପ୍ଲେକ୍ସ ବଙ୍ଗଳା ମିଳିଥିଲା ରହିବା ପାଇଁ । ଭାଗ୍ୟକୁ ସେ ବଙ୍ଗଳା ପଛ ପଟେ ଗୋଟାଏ ବଡ଼ ପଣସ ଗଛ ଟିଏ ଥିଲା । ମୁଁ ଉକ୍ତ ବଙ୍ଗଳାକୁ ଯିବା ପୂର୍ବରୁ ସେଥିରେ ମୋର ସିନିଅର ଅଫିସର ଶ୍ରୀଯୁକ୍ତ ଭେଙ୍କଟ ରାମ ସପରିବାର ରହୁ ଥିଲେ । ସେ ଜଣେ ଉତ୍ତମ ସିଭିଲ ଇଂଜିନିୟର ଥିଲେ ଓ ସେହିଁ ସେଠାରେ ୫ ଟି ବଡ଼ ବଡ଼ ଡୁପ୍ଲେକ୍ସ ବଙ୍ଗଳା ତିଆରି କରିଥିଲେ କମ୍ପାନୀର ସର୍ବୋଚ୍ଚ ୫ ଜଣ ଅଫିସରଙ୍କ ପାଇଁ । କିନ୍ତୁ ଜାଗାଟା ଟିକିଏ ନିକାଞ୍ଚନ ହୋଇ ଥିବାରୁ ସେଠିକି ସେମାନେ ଆଉ ଗଲେ ନାହିଁ । ତେଣୁ ବାଧ୍ୟ ହୋଇ ନିଜେ ଭେଙ୍କଟ ରାମ ଗଲେ ଡୁପ୍ଲେକ୍ସ ନମ୍ବର ୧ କୁ ଆଉ ଅନ୍ୟ ଚାରିଜଣ ରହିଲେ ଆର ଗୁଡ଼ାକରେ । ବଙ୍ଗଳା ଗୁଡିକର ଡିଜାଇନ ଅତି ସୁନ୍ଦର ହୋଇ ଥିଲା, ତଳେ ଗୋଟାଏ ବିଶାଳ ହଲ, ଗୋଟେ ପୂଜା ଘର, ଗୋଟେ ବାଥ ରୁମ, କିଚେନ, ଏବଂ ଗୋଟାଏ ବକ୍ସ ରୁମ। ତଳୁ ଭିତର ବାଟ ଦେଇ ଉପରକୁ ସୀଢୀ ଏବଂ ଉପରେ ତିନିଟା ବଡ଼ ବଡ଼ ଆଟାଚ ବାଥ ରୁମ ଥିବା ବେଡ଼ ରୁମ । ଉପରେ ଗୋଟାଏ ସୁନ୍ଦର ବାଲ୍କୋନି । ବଙ୍ଗଳା ସାମ୍ନାରେ ପ୍ରାୟ ଏକରେ ଜାଗା ଥାଇ ବାଉଣ୍ଡ୍ରି ୱାଲ ଏବଂ ସାମନା ଗେଟ କଣକୁ ଗୋଟେ ବଡ଼ ଗ୍ୟାରେଜ । ସେମିତି ବଙ୍ଗଳା ପଛକୁ ଲାଗି ପାଚେରୀ ଥାଇ ବଡ଼ ଅଗଣା ସେଥିରେ ଗୋଟିଏ ପଟକୁ ଦୁଇଟା ସରଭ୍ୟାଣ୍ଟ କ୍ୱାର୍ଟର ଆଉ ଆର ପଟକୁ ଜାଗା କିଚେନ ଗାର୍ଡେନ ପାଇଁ । ସେହି ଠାରେ ହିଁ ସରଭ୍ୟାଣ୍ଟର ସାମ୍ନା ପଟକୁ ଆର କୋଣରେ ସମ୍ପୂର୍ଣ୍ଣ ମଝି ଜାଗାରେ ଲାଗିଥିଲା ପଣସ ଗଛଟା ! ସେ ପଣସ ଗଛଟା ଅତ୍ୟନ୍ତ ବିଶାଳ ହୋଇଥିଲା । ତାହା ମଧ୍ୟ ଆମର ଏ ଓଡିଶାର ପଣସ ଗଛ ଠାରୁ ଟିକିଏ ଭିନ୍ନ ପ୍ରକାରର ଥିଲା । ଭେଙ୍କଟ ରାମ ଯେ ପୂର୍ବରୁ ସେଠାରେ ଥିଲେ ଜଣେ ତାମିଲ ବ୍ରାହ୍ମଣ ଲୋକ । ସେ ବୋଧ ହୁଏ ତାଙ୍କର ମାଡ୍ରାସ ଭେରାଇଟିର ଗୋଟିଏ ମିଠା ଖଜା ପଣସ ଗଛଟିଏ ଆଣି ଲଗାଇ ଥିଲେ । ସେ ଗଛଟାକୁ ବଡ଼ କରିବାରେ ତାଙ୍କର ବହୁତ ଅବଦାନ ଥିଲା । ସେ କିନ୍ତୁ ଗଛର ଫଳ ଖାଇବା ପର୍ଯ୍ୟନ୍ତ ରହି ପାରିଲେ ନାହିଁ କାରଣ ତାଙ୍କର କାର୍ଯ୍ୟକାଳ ସରିଗଲା । ତାଙ୍କ ପରେ ମୁଁ ସେ ଘରକୁ ଗଲି । ମୁଁ ଯେଉଁ ବର୍ଷ ସେ ଘରକୁ ଗଲି ଠିକ ସେହି ବର୍ଷ ପଣସ ଗଛ ଟା ଫଳିବ। ଆରମ୍ଭ କଲା । ନଭେମ୍ବର ମାସ ହେଉ ହେଉ ପଣସ ଗଛଟା ରଜସ୍ୱଳା ହୋଇ ଯେଉଁ ମନ ମତାଣିଆ ଗନ୍ଧ ହୁଏ ତାହା ଯେ ଆଘ୍ରାଣ ନ କରିଛି ସେ ଜାଣି ପାରିବ ନାହିଁ । ତା ପରେ ଡିସେମ୍ବର ମାସ ଠାରୁ ଆରମ୍ଭ ହୋଇଯିବ ଫଳିବା । ଗୋଟା ଗଣ୍ଡି ରେ ଆଉ ଉପର ଡାଳରେ ବି ଭରିଯିବ ବଡ଼ ବଡ଼ ପଣସ । କେତେ ଖାଉଛ ଖାଅ । କଞ୍ଚାରେ ଖାଉଛ ଖାଅ, ପାଚିଲାରେ ଖାଅ ମନ ଭରିଯିବ । ଆମେ ଆଉ କେତେ ଖାଇବୁ ? ଖାଲି ବଣ୍ଟା ହୁଏ । ଏମିତି କିଏ ବି ନ ଥିଲେ ଯାହାକୁ ଆମେ ବାଣ୍ଟୁ ନ ଥିଲୁ । ପଣସ ଦିନେ ଯେ କେହି ଘରକୁ ଆସିଲେ ଗୋଟେ ପଣସ ତୋଳି ନେଉ ଥିଲେ । ସେ ପଣସ ବିରାଟ ବଡ଼ ବଡ଼ ହେଉ ଥିଲା । ଗଛ ପାଚିଲା ହୋଇ ଯାଉଥିଲା ଜୁଲାଇ ମାସ ବେଳକୁ । ତାର କି ସୁନ୍ଦର ବାସ୍ନା ! ମନ ଖୁସି ହୋଇ ଯିବ । ଖାଲି ବାସ୍ନା ନୁହେଁ, ପଣସ କୁଳା ଗୁଡାକ ବି ବେଶ ବଡ଼ ଆଉ ଖଜା ଭଳିଆ । ସେ ପାଚିଲା ଖଜା ପଣସ କୁ ଥରେ ଭାଙ୍ଗିଲେ ତିନି ଚାରି ପରିବାର ନ ହେଲେ ଖାଇ ଶେଷ ଶେଷ କରି ପାରୁ ନ ଥିଲେ ।

ମୁଁ ସେ ଡି.ଏସ.ବି-୧ ନମ୍ବର ବଙ୍ଗଳାରେ ରହିଥିଲି ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ । ମୋ ଝିଅ ମାନଙ୍କର ପଢା ଆଇ.ଏସ.ସି (୧୨ କ୍ଲାସ) ସରିବା ପରେ ସେମାନେ ଦୁଇଜଣ ପରକୁ ପର ଏକ ବର୍ଷ ଛାଡି ଯାଇଥିଲେ କଟକରେ ରେଭେନ୍ସା କଲେଜରେ ପଢିବା ପାଇଁ, ତା ପରେ ଘରେ ଆମେ ଦୁଇଜଣ ସ୍ୱାମୀ ସ୍ତ୍ରୀ ଏକା, କେତେ ଖାଇବୁ ? ପଣସ ସବୁ ଖାଲି ବଣ୍ଟା ହେଉଥିଲା । ଯେ ଘରକୁ ଆସିଲା ଜଚା ହୋଇ ଦିଅ। ଯାଉଥିଲା, ଆଉ ଥରେ ସେମାନେ ପଣସ ଖାଇ ସ।ରିବା ପରେ ପ୍ରତି ବର୍ଷ ନିଜେ ମାଗି କରି ନେଇ ଯାଉ ଥିଲେ । ମୋର ବନ୍ଧୁ ଏସ.ଏନ.ପଟନାୟକ ବାବୁ ଇବ୍‌ ଥର୍ମାଲ ରେ ଥିଲେ, ଥରେ ତାଙ୍କୁ ଗୋଟେ ବଡ଼ ପାଚିଲା ପଣସ ଦେଇ ଥିଲି ଯେ ଖାଇ ସ।ରିବା ପରେ ପଣସର ବହୁତ ଗୁଣ ଗାଇ ଥିଲେ । ସେମିତି ସେ ସୁବୁଦ୍ଧି ବାବୁ ମୋ ସାଙ୍ଗ ଥରେ ଆସିଥିଲେ ଇବ ଥର୍ମାଲ ରୁ, ତାଙ୍କୁ ତ ଗୋଟାଏ ଦେଇଥିଲି ତାଙ୍କ ସହିତ ଆଉ ଚାରି ଜଣଙ୍କ ପାଇଁ ମଧ୍ୟ ପଠାଇ ଦେଇଥିଲି । ସେମାନଙ୍କ ଭିତରୁ ମୋ ଭାଣିଜୀ ଜ୍ୱାଇଁ ଶିବ ବାବୁଙ୍କୁ ବି ଗୋଟାଏ ପଠାଇ ଥିଲି କାରଣ ସେ ମଧ୍ୟ ଇବ୍‌ ଥର୍ମାଲ ରେ କାମ କରୁ ଥିଲେ ।

ମୁଁ ବେଲପାହାଡ ର ଡି.ଏସ.ବି ୧ ନମ୍ବର ବଙ୍ଗଳାରେ ରହିବା ଭିତରେ ଦିନେ ଭେଙ୍କଟ ରାମ ସାହେବ ଆସି ପହଞ୍ଚି ଯାଇଥିଲେ ଆମ ଘରକୁ । ତାଙ୍କୁ ଆଦରର ସହିତ ବସାଇ ଥିଲି ଏବଂ ତାଙ୍କର ସୁସମାଚାର ବିଷୟରେ ପଚାରି ବୁଝିଥିଲି । ସେ ନିଜ ତରଫରୁ ପଣସ ଗଛ କଥା ପଚାରି ଥିଲେ, ମୁଁ ତାଙ୍କୁ ଡାକି ପଣସ ଗଛ ପାଖକୁ ନେଇ ଯାଇ ଥିଲି । ସେ ପଣସ ଗଛଟାକୁ ଦେଖି ବହୁତ ଖୁସି ହୋଇଥିଲେ । ଯେତେହେଲେ ସେ ହିଁ ସେହି ଗଛ ର ଜନକ । ମା ଯେପରି ତା ପିଲାକୁ ପର ଘରକୁ ପଠାଇ ଦେଳେବି ତାର ମମତା ଯାଇ ନ ଥାଏ, ସେମିତି ଯିଏ ଗଛଟିଏ ଲଗାଇ ଥାଏ ସେ ସମୟ ସୁବିଧା ପାଇଲେ କେବେ ନା କେବେ ଯାଇ ନିଜ ହାତ ଲଗା ଗଛଟିକୁ ନିଶ୍ଚୟ ଦେଖି ଆସେ କାରଣ ସେହି ଗଛ ବଢ଼ିବାରେ ତାଙ୍କର ସ୍ନେହ ରହିଥାଏ । ମୁଁ ଭେଙ୍କଟ ରାମ ସାହେବଙ୍କୁ ପଣସ ଟିଏ ସାଙ୍ଗରେ ନେଇ ଯିବା ପାଇଁ ଜିଦ କରିଥିଲି, ସେ କିନ୍ତୁ ଇଛା ଥିଲେ ମଧ୍ୟ ଏତେ ଦୂରକୁ ନେଇ ଯିବା ପାଇଁ ରାଜି ହୋଇ ନ ଥିଲେ । ତେବେ ମୋ ମନରେ ସନ୍ତୋଷ ହୋଇଥିଲା ଯେ ଯେଉଁ ଲୋକ ସେ ପଣସ ଗଛଟିକୁ ବଡ଼ କରିଥିଲେ ସେ ନିଜେ ଆସି ତାକୁ ଫଳନ୍ତି ଅବସ୍ଥାରେ ଦେଖି ଯାଇଥିଲେ ବୋଲି ।

ଚାକିରୀରୁ ଅବସର ଗ୍ରହଣ କରିଥିଲି ୨୦୦୭ ମସିହାରେ । ସେଠାରୁ ଆସି ମୁଁ ମୋର ଶୈଳଶ୍ରୀ ବିହାର ଘରଟାରେ ରହିଥିଲି । ଘରଟାକୁ ବଢ଼ାଇ ୩ ମହଲା କରି ରହିଲି କିନ୍ତୁ ଗଛ ଲଗାଇବା ପାଇଁ ଜମାରୁ ଜାଗା ରହିଲା ନାହିଁ । ତେବେବି ଘର ପଛ ପଟେ ପ୍ରାୟ ୧୦୦ ବର୍ଗଫୁଟ ଜାଗା ମୁଁ ଖାଲି ରଖିଥିଲି । ଘରର ବିଲ୍ଡର କହୁଥିଲା ସେ ଜାଗାଟାକୁ ସିମେଣ୍ଟ ପଲସ୍ତରା କରି ଦେବା ପାଇଁ, ମୁଁ ମନା କରିଥିଲି କହିଥିଲି ସେତିକି ଜାଗା ଖାଲି ଥାଉ ପରେ ଗଛ ଲାଗ ହେବ । ସେ ଜାଗାଟାକୁ ମୁଁ କୁଣ୍ଡ ଭଳି କରାଇ ଦେଇ ସେଥିରେ ଭଲ ମାଟି ପୁରେଇ ରଖି ଥିଲି । ଏଠି ଭୁବନେଶ୍ୱରକୁ ଆସିବା ପରେ ମୋର ନିଜ ବାଡିରୁ ଯେଉଁ ପରିବା ଖିଆ ଅଭ୍ୟାସ ହୋଇ ଯାଇଥିଲା, ବିଶେଷ କରି ପଣସ ଆଉ ଆମ୍ବ ହେରିକା ଖାଇବାର, ବହୁତ ମନେ ପଡିଲା । ଅବଶ୍ୟ ଭୁବନେଶ୍ୱରରେ ସବୁ ପରିବା ଆଉ ଫଳ କିଣିବାକୁ ମିଳେ, ତେବେ ବି କିଣିକରି ଖାଇବା ଆଉ ନିଜ ବାଡିରୁ ଖାଇବା ଭିତରେ ଯେଉଁ ପାର୍ଥକ୍ୟ ମୁଁ ସେ କଥା ଭଲ କରି ଜାଣେ ।

ପଣସ ପ୍ରତି ମୋର ଦୁର୍ବଳତା ପିଲା ଦିନରୁ । ପରେ ମୁଁ ଜାଣିଲି ଫଳ ଭିତରେ ପଣସ ସବୁଠାରୁ ବଡ଼ ଆକାରର ଫଳ । ଏହି ଫଳରେ ଭିଟାମିନ ‘ବି’ କମ୍ପ୍ଲେକ୍ସ ପ୍ରଚୁର ପରିମାଣରେ ରହିଥାଏ । ପଣସ ଭଲ ଭାବରେ ହଜମ ହେବା ସହିତ ମଣିଷର କ୍ଷୁଧା ବଢ଼ାଇ ଥାଏ । ରକ୍ତ ଚାପ ରୋଗୀ, ଶ୍ୱାସ ରୋଗୀ ଓ ଦୃଷ୍ଟି ଶକ୍ତିରେ ଦୁର୍ବଳ ଥିବା ଲୋକ ମାନଙ୍କ ପାଇଁ ଏହା ଏକ ଉତ୍ତମ ଫଳ । ଗର୍ଭବତୀଙ୍କ ପାଇଁ ଏହା ଏକ ପୁଷ୍ଟିକର ଖାଦ୍ୟ । ପାଚିଲା ପଣସ ମଧ୍ୟ ବହୁତ ସ୍ୱାଦିଷ୍ଟ । ପଣସ ମଞ୍ଜିରେ ମଧ୍ୟ ବିଭିନ୍ନ ପ୍ରକାର ତରକାରୀ କରାଯାଏ ।

ମୋର ଭୁବନେଶ୍ୱର ଘର ପୂରା ମାତ୍ରାରେ ୨୦୦୮ ବେଳକୁ ପ୍ରସ୍ତୁତ ହୋଇ ସାରିଥିଲା ଓ ଆମେ ପ୍ରଥମ ମହଲାରେ ରହିଲୁ । ତଳଟାକୁ ଭଡାରେ ଦେଇ ଥିଲୁ । ଆମର ତ ଘରେ ଫୁଲ ଆଉ ଫଳ ଗଛ ଲଗାଇବାର ଗୋଟେ ସଉକ ହୋଇ ଯାଇ ଥିଲା । ବିଶେଷ କରି ମୋ ସ୍ତ୍ରୀ ଗୀତାଙ୍କର ଗଛ ଆଦିରେ ଭାରି ସଉକ । ସେ ବେଲପାହାଡ଼ର ବଡ଼ ବଙ୍ଗଳା ଗୁଡିକର ବଡ଼ ବଡ଼ ଜାଗାକୁ ପୁରା ଫୁଲ ଆଉ ଫଳ ଗଛରେ ଭରି ଦେଉ ଥିଲେ । ଅବଶ୍ୟ ସେଠି ମତେ ବଗିଚା ପାଇଁ ମାଳି ମିଳୁ ଥିଲେ ଆଉ ସେମାନଙ୍କୁ ଦେଇ ବିଭିନ୍ନ ଋତୁରେ ବିଭିନ୍ନ ଫୁଲ ଓ ଫଳ ଚାଷ କରିବା ଗୀତାଙ୍କର ଗୋଟେ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ବଙ୍ଗଳାର ଗୋଟେ ପାଖେ ବିଭିନ୍ନ ଫୁଲର ପସରା ଆଉ ଆର ପାଖେ ଖାଲି ପରିବା ଓ କଞ୍ଚା ଏବଂ ପାଚିଲା କଦଳୀ, ଅମୃତ ଭଣ୍ଡା, ଆମ୍ବ, ପଣସ ଆଦି କରୁ ଥିଲେ । ପରିବାରେ ବିଶେଷ କରି ଥଣ୍ଡା ଦିନରେ ବନ୍ଧା କୋବି, ଫୁଲ କୋବି, ଓଲ କୋବି, ବ୍ରକୋଲି କୋବି, ଝୁଡ଼ଙ୍ଗ, ସିମ୍ବ, ବାଇଗଣ, ବିଭିନ୍ନ ଶାଗ ଇତ୍ୟାଦି । ତା ଛଡା ପିଆଜ ମଧ୍ୟ ପ୍ରଚୁର ପରିମାଣରେ ଲଗା କରାଉ ଥିଲେ । ମୋଟା ମୋଟି କହିବାକୁ ଗଲେ ପରିବା ପାଇଁ ଆମେ କେବେବି ବଜାର କୁ ଯାଉ ନ ଥିଲୁ । ସେ ପୁଣି ଏତେ ପରିମାଣରେ ହେଉଥିଲା ଯେ ଆମେ ଯାହା ଖାଇବୁ ଆଉ ତା ପରେ ଖାଲି ବଣ୍ଟା ହେଉଥିଲା । ବେଳେ ବେଳେ ମନ୍ଦିରକୁ ଆଉ ଅନ୍ୟାନ୍ୟ ଅନୁଷ୍ଠାନକୁ ମଧ୍ୟ ପଠାଇ ଦିଆ ଯାଉ ଥିଲା । ମୋର ଜଣେ ବନ୍ଧୁ ପ୍ରେମାନନ୍ଦ ବାବୁ ଥିଲେ ଯେ ଆସି ପାଚିଲା କଦଳୀ କାନ୍ଦିକୁ ନେଇ ବ୍ରହ୍ମା କୁମାରୀ ସଂସ୍ଥାରେ ଦେଉ ଥିଲେ ଯାହାର ସେ ଏକ ସକ୍ରିୟ ସଭ୍ୟ ଥିଲେ ।

ଏଠି ଭୁବନେଶ୍ୱରରେ ମଧ୍ୟ ଗୀତା ତାଙ୍କ ବଗିଚା ଆରମ୍ଭ କଲେ । ଦୁଇଶହରୁ ଅଧିକ ବଡ଼ ବଡ଼ ମାଟି ଓ ଗଛ ସହିତ କୁଣ୍ଡ ସେଠାରୁ ଛାଡି ଆସିବା ବେଳକୁ ଅଣା ଯାଇ ଥିଲା ଏବଂ ରଖା ଯାଇ ଥିଲା, ତେବେ ଆଣିବା ସମୟରେ ଏବଂ ଘର ତିଆରି ବେଳକୁ କିଛି କୁଣ୍ଡ ନଷ୍ଟ ହୋଇ ଯାଇଥିଲା । ତେବେ ଘର ହୋଇ ସାରିବା ପରେ ତଳର ବଡ଼ ହଲଟାରେ, ତିନି ମହଲା ଛାତ ଉପରେ ପୁଣି ତାଙ୍କର ଫୁଲ ଆଉ ଫଳ ଗଛ ଲଗା ଚାଲିଲା । ବଗିଚା କରିବାର ସଉକ ଥରେ ଧରି ଦେଲେ ଆଉ ସହଜରେ ଛାଡେ ନାହିଁ । ଏଠି ଭୁବନେଶ୍ୱରରେ ମଧ୍ୟ ମୁଁ ବ୍ୟସ୍ତ ଥାଏ, ଅବସର ପରେ ଯେଉଁ ଆରାମ ହୁଏ ବୋଲି ଲୋକ ମାନେ କହନ୍ତି ତାର ମଜା ମୁଁ ଆଜି ପର୍ଯ୍ୟନ୍ତ ମଧ୍ୟ ପାଇ ପାରି ନାହିଁ । ମୁଁ ଏଠାରେ ଫାକଲ୍ଟି ଭାବରେ ବିଭିନ୍ନ ଇନ୍‌ଷ୍ଟିଚ୍ୟୁଟ୍‌ ସହିତ ଜଡିତ ରହିବା ସହିତ ମୋର ଲେଖା ଲେଖି ଓ ପଢା ପଢି ଜାରି ରହି ଥାଏ । ମୋର ଦିନଟା ଯେ କେତେ ଶୀଘ୍ର ସରିଯାଏ ମତେ ଜଣ। ପଡେ ନାହିଁ । ଅବସର ନେବା ପରେ ବର୍ତ୍ତମାନ ସୁଦ୍ଧା ମୁଁ ଦଶ ଖଣ୍ଡରୁ ଅଧିକ ବହି ଇଂରାଜୀରେ ଲେଖି ସାରିଲିଣି ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ଓ ଅଗ୍ନି ସୁରକ୍ଷା, ସଡକ ସୁରକ୍ଷା ଆଦିରେ; ଯେଉଁଥିରୁ ସାତ ଖଣ୍ଡ ବହି ଏ.ଆଇ.ଟି.ବି.ଏସ୍‌. ପୁସ୍ତକ ପବ୍ଲିଶର ସଂସ୍ଥା ଦିଲ୍ଲୀଙ୍କ ଦ୍ୱାରା ପ୍ରକାଶିତ ହୋଇ ସାରିଲାଣି ଏବଂ ଅନ୍ୟ ଗୁଡିକ ପ୍ରକାଶିତ ହେବା ପାଇଁ ରହିଛି । ତା ଛଡା ଓଡ଼ିଆରେ ଲେଖା ଲେଖି କରି ବିଭିନ୍ନ ପତ୍ର-ପତ୍ରିକା ଓ ଇ-ମାଗାଜିନ୍‌ରେ ଲେଖିବା ମଧ୍ୟ ମୋର ଗୋଟେ ଅଭ୍ୟାସ ତେଣୁ ଏ ଅବସର ପରେ ମଧ୍ୟ ଏବେବି ମତେ ବେଶୀ ସମୟ ମିଳେ ନାହିଁ । ତେବେବି ମୁଁ କିଛି ସମୟ ବାହାର କରି ବଗିଚା କାମରେ ଗୀତାଙ୍କୁ ସାହାଯ୍ୟ କରେ । ଘର ପଛ ପଟେ ଆଉ ତିନି ମହଲା ଛାତ ଉପରେ ଗୀତ ତାଙ୍କ ବୁଦ୍ଧି ଅନୁସାରେ ଲୋକ ଲଗାଇ ବଗିଚା କାମ କରନ୍ତି ଆଉ ଏବେ ବି କରି ଚାଲିଛନ୍ତି । ବଗିଚାରୁ ବହୁତ ଲାଭ, ଅତି କମରେ ଠାକୁରଙ୍କ ପୂଜା ପାଇଁ ଫୁଲ ମିଳି ଯାଏ; ତା ଛଡା ବାଇଗଣ, ଲଙ୍କା, ଭେଣ୍ଡି, ପୋଇ ଆଦି ମଧ୍ୟ କୁଣ୍ଡରେ ଭଲ ହୁଏ । ସେଥିରୁ ଯାହା ସାମାନ୍ୟ ପରିବା ମିଳିଲେ ମଧ୍ୟ ଆନନ୍ଦ ଯେ ଘର ବଗିଚାର ଫଳ ଆଉ ପରିବା ଖାଉଛୁ ବୋଲି !

ତେବେ ସେ ଯାହା ହେଉ ଭୁବନେଶ୍ୱର ଆସିବା ପରେ ମୋର ପଣସ ଖିଆଟା ହୋଇ ପାରିଲା ନାହିଁ । ଖାଇବାର ଇଚ୍ଛା ହେଲେ ହାଟକୁ ଯିବି, ୪୦ ଟଙ୍କା କେ.ଜି ରେ ଗୋଟେ କିଣିକି ଆଣିବି ଆଉ ଗୀତା ରାନ୍ଧିବେ ଓ ମୁଁ ଖାଇବି । ଏମିତିରେ ମୋ ମନ ପୁରେ ନାହିଁ । ତେବେ ମୋର ଗୋଟାଏ ଶାନ୍ତ୍ୱନା ଥିଲା ଯେ ବଡ଼ ସମୁଦୀଙ୍କ କପିଳ ପ୍ରସାଦ ର ଏଚ୍‌.ଆଇ .ଜି. ଘରେ ଦୁଇଟା ବଡ଼ ବଡ଼ ପଣସ ଗଛ ଥାଏ, କିନ୍ତୁ କପିଳ ପ୍ରସାଦ ଆମ ଘର ଠାରୁ ୧୬ କି.ମି ଦୂର କିଏ ଯିବ ? ତେଣୁ ସମୁଦୁଣୀ କେବେ ଆସିଲେ ତାଙ୍କର ଚାକର ପିଲାଟି ବିଭୁତି ଦୁଇଟା ଖଣ୍ଡେ ପଣସ ଆଣିଥାଏ ବା କେବେ ମୋ ବଡ଼ ଝିଅ ଯଦି ଭୁବନେଶ୍ୱର ଆସିଥାଏ, ଯେହେତୁ ସେ ଜାଣିଥାଏ ନନା ପଣସ ଖାଇବାକୁ ଭଲପାନ୍ତି ତେଣୁ ସେ ଆମ ଘରକୁ ପଣସ ଦିନରେ ଆସିଲେ ସାଙ୍ଗରେ ଦୁଇ ଚାରିଟା ପଣସ ଧରି ଆସିଥାଏ । ଏମିତିରେ ମୋର ପଣସ ଖିଆ ଚାଲି ଥାଏ ।

ଭୁବନେଶ୍ୱରରେ ମୋ ମନରେ ଥାଏ ଘର ପଛପଟେ ଯେତିକି ଜାଗା ଅଛି ସେଥିରେ ଗୋଟେ ପଣସ ଆଉ ଗୋଟେ ଆମ୍ବ ଗଛ ଲଗାଇବି ବୋଲି । ମୁଁ ଆମ୍ବ ଗଛ ଲଗାଇଲି ହେଲା କିନ୍ତୁ ବଢ଼ିଲା ନାହିଁ କାରଣ ପଛ ପଟଟାରେ ଭଲ ସୂର୍ଯ୍ୟଙ୍କ କିରଣ ପଡେ ନାହିଁ । ମୋର ତିନି ମହଲା ଘରକୁ ପଛ ପଟର ବିକ୍ରମ ଦାସର ଘର ବି ତିନି ମହଲା । ତେଣୁ ବିଶେଷ ଖରା ପଡି ପାରେ ନାହିଁ । ଏହି ଘରେ କିନ୍ତୁ ୧୯୯୪ ରେ ଯେତେବେଳେ ଘରଟାକୁ ବଢ଼ାଇ ନ ଥିଲି ଥରେ ପିଲାମାନଙ୍କୁ ଗ୍ରୀଷ୍ମ ଛୁଟିରେ ଆସିଥିଲା ବେଳକୁ ଲେଙ୍ଗେଡା ଆମ୍ବ ଖାଇ ସେଥିରୁ ଗୋଟାଏ ପୋତି ଦେଇ ଥିଲି ଘର ସାମ୍ନା ବାଉଣ୍ଡ୍ରି ଭିତରେ, ସେ ଗଛଟା ଭଲ ବଢ଼ିଲା । ପରେ ମୁଁ ଘରଟାକୁ ସୁବାସ ସାହୁ ବାବୁଙ୍କୁ ଭଡାରେ ଦେଇଥିଲି । ସେ ତାକୁ ପାଣି ଦେଇ ବଡ଼ କରିଥିଲେ ଆଉ ୫ ବର୍ଷରେ ଗୋଟାଏ ବିରାଟ ଗଛ ହୋଇ ଫଳିବ। ଆରମ୍ଭ କରିଥିଲା । ସେ ସମୟର ଆମ୍ବ ଫଳିବା ଦୃଶ୍ୟ ଯେ ଦେଖିଥିବ ସେ ଆଜି ପର୍ଯ୍ୟନ୍ତ ଭୁଲି ନ ଥିବ । ମୁଁ ତ ସେତେବେଳେ ବେଲପାହାଡ଼ରେ ଚାକିରୀ କରୁଥିଲି ତେଣୁ କେବେ କେମିତି ଆସିଲେ ନିଜର ସାମ୍ନା ପଟ ଗ୍ୟାରେଜ ଉପରର ଘରଟାରେ ରହୁଥିଲି ଓ ଫଳିଥିବା ଅବସ୍ଥାରେ ଅନେକ ଥର ଗଛଟାକୁ ଦେଖି ବଡ଼ ଖୁସି ହେଉଥିଲି । ସେ ଆମ୍ବ ମଧ୍ୟ ଅତି ଅଧିକ ଫଳୁଥିଲା ଏବଂ ଅତି ସୁସ୍ୱାଦୁ ମଧ୍ୟ ଥିଲା । ମୁଁ ଭାବି ରଖିଥିଲି ଯେ ଗଛଟାକୁ ଭବିଷ୍ୟତରେ ଘର ବଢାଇବା ସମୟରେ ମଧ୍ୟ ରଖିବି, କିନ୍ତୁ ନିୟତିର ଅଲଗା ଉଦ୍ଦେଶ୍ୟ ଥିଲା ମୁଁ ଚାକିରୀ ଶେଷ କରି ଆସିବା ପୂର୍ବରୁ ଥରେ ବାଜ ମାରି ଗଛଟା ଜଳି ଗଲା । ପରେ ମତେ ସାହୁ ବାବୁ ଏ କଥା କହିଲେ ଆଉ ବହୁତ ଦୁଃଖ କରିଥିଲେ, ମୋତେବି ବହୁତ ଦୁଃଖ ହୋଇଥିଲା । କିନ୍ତୁ ଏତେବଡ଼ ଫଳନ୍ତି ଗଛଟା ମରିଯିବାର କାରଣ ମୋ ମତରେ ସାହୁ ବାବୁଙ୍କ ଲୋଭ । ଏତେ ଆମ୍ବ ଫଳୁଥିଲା କିନ୍ତୁ ସେ ଅଡିସା ପଡିସା କାହାରିକୁବି ଖଣ୍ଡେ ଦେଉ ନ ଥିଲେ । ଆମ୍ବ ଦିନରେ ସାହୁ ବାବୁ ଝରକା ପାଖରେ ଜଗି କରି ବସୁଥିଲେ କାଳେ କେହି ନେଇଯିବ ବୋଲି । ସେ ବଡ଼ କଂଜୂସ ପ୍ରକୃତିର ଲୋକ ଥିଲେ । ମୁଁ ଆଗରୁ କହିଛି ଗଛର ଫଳ ଏମିତି ଏକ ଜିନିଷ ତାହାକୁ ବାଣ୍ଟିବାକୁ ହିଁ ହେବ ନ ହେଲେ ଗଛ ବଞ୍ଚିବ ନାହିଁ । ଠିକ ତାହାହିଁ ହୋଇଥିଲା, ଯେହେତୁ ସାହୁ ବାବୁ କାହାରିକୁ ଖଣ୍ଡେ ଆମ୍ବ ଦେଉ ନ ଥିଲେ ବୋଲି ଅନ୍ୟ ମାନଙ୍କର ନିଶ୍ୱାସ ପଡି ସେ ଗଛଟା ଜଳି ଗଲା ଆଉ ମୁଁ ୨୦୦୭ ରେ ଆସିଲା ବେଳକୁ ମୋ ଘରେ ଆଉ କିଛି ବି ଗଛ ନ ଥିଲା ।

ମୁଁ ଏଠାରେ ଭୁବନେଶ୍ୱରରେ ପଣସ ଗଛଟିଏ ଲଗାଇ ତାକୁ ବଢାଇବା ପାଇଁ ମୋ ମନରେ ଥାଏ । ଭଗବାନ ବୋଧ ହୁଏ ମୋ ମନ କଥା ବୁଝିଥିଲେ । ଆମ ଘର ସାମ୍ନା ଦେଇ ପ୍ରତିଦିନ ଜଣେ ବାଙ୍ଗଲାଦେଶର ଜରିଗୋଟାଳୀ ସ୍ତ୍ରୀ ଲୋକଟିଏ ଯିବା ଆସିବା କରୁଥିଲେ । ମୁଁ ପ୍ରାୟ ତାଙ୍କୁ ଦେଖିଥାଏ, ସେ ସ୍ତ୍ରୀ ଜଣକ ମଧ୍ୟ ଜାଣିଥାନ୍ତି ମୁଁ ଏ ଘରର ବାବୁ ବୋଲି । ଏଇଟା ୨୦୦୯ ମସିହାର କଥା । ସଠିକ୍‌ ହୁଏତ ଖୋଜିଲେ ମୋ ଦୈନିକ ଡାଏରୀରୁ ମିଳିଯିବ, କାରଣ ମୁଁ ପ୍ରତିଦିନ ଡ଼ାଇରୀ ଲେଖେ ଏବଂ ଏଇଟା ମୋର ଦୀର୍ଘ ୫୦ ବର୍ଷର ଅଭ୍ୟାସ । ଡ଼ାଇରୀ ଗୁଡିକ ମୋର ଅତି ପ୍ରିୟ ଏବଂ ଥାକ ଥାକ କରି ମୋ ପଢା ଆଲମାରୀରେ ସଜା ହୋଇ ରଖା ହୋଇଥାଏ । ସେଇ ସ୍ତ୍ରୀ ଲୋକ ୨୦୦୯ ରେ ଦିନେ ଘର ସାମ୍ନା ରାସ୍ତାରେ ଯାଉଥିଲା ବେଳେ ତାଙ୍କ ହାତରେ ଦୁଇଟି ଗଛର ଚାରା ଦେଖି ଥିଲି, ଗୋଟିଏ ପ୍ରାୟ ଏକ ଫୁଟିଆ ସୁନ୍ଦର ପଣସ ଗଛଟିଏ ଓ ଆରଟି ଲେମ୍ବୁ ଗଛ ଟିଏ ଥିଲା । ଏଡ଼େ ସୁନ୍ଦର ପଣସ ଗଛଟିଏ ଦେଖି ମୋର ଲୋଭ ହୋଇଥିଲା ଓ ମୁଁ ସେ ସ୍ତ୍ରୀ ଲୋକଟିକୁ ଡାକି ମତେ ସେ ପଣସ ଗଛଟାକୁ ଦେଇ ପାରିବେ କି ବୋଲି ପଚାରି ଥିଲି । ସେ ହଁ କହି ମତେ ପଣସ ଆଉ ଲେମ୍ବୁ ଦୁଇଟି ଯାକ ଗଛ ଦେଇ ଚାଲି ଯାଇ ଥିଲେ । ମୁଁ ବହୁତ ଖୁସି ହୋଇଥିଲି ଆଉ ସଂଗେ ସଂଗେ ଘର ପଛ ପଟକୁ ଯାଇ ବାମ ପଟକୁ ପାଚେରୀ ଆଉ ମୋ ଘର ଠିକ ମଝିରେ ପୋତି ଦେଇ ଥିଲି ପଣସ ଗଛ ଟାକୁ ଏବଂ ଡାହାଣ ପଟେ ଲେମ୍ବୁ ଗଛଟାକୁ । ତା ପରେ ଚାଲିଥିଲା ମୋର ପଣସ ଆଉ ଲେମ୍ବୁ ଗଛର ସେବା ପ୍ରତିଦିନ ଗଛରେ ପାଣି ଦିଆ ଆଉ ତାର ଯତ୍ନ କରା ! ପଣସ ଗଛଟା ଅଳ୍ପ ଦିନରେ ବଢି ବାକୁ ଲାଗିଥିଲା । ମୁଁ ଗଛ ଗୁଡିକୁ ନିଜ ଛୁଆ ପରି ପ୍ରତିଦିନ ଗାଧୋଇ ଯତ୍ନର ସହିତ ବଢାଇବାକୁ ଲାଗି ଥିଲି । ଲେମ୍ବୁ ଗଛଟା ମଧ୍ୟ ବଞ୍ଚି ଥିଲା, କିନ୍ତୁ ଘର ପଛ ପଟେ ରଙ୍ଗ କଲା ବେଳକୁ ମରିଯାଇଥିଲା । ମୁଁ କିନ୍ତୁ ଯତ୍ନ କରି ପଣସ ଗଛଟିକୁ ବଞ୍ଚାଇ ରଖି ଥିଲି । ଦୁଇ ବର୍ଷରେ ମାନେ ୨୦୧୧ ବେଳକୁ ଗଛଟା ପ୍ରାୟ ୧୦ ଫୁଟ ପଯ୍ୟନ୍ତ ଲମ୍ବା ହୋଇ ୧ ଫୁଟ ଘେର ହୋଇଯାଇଥିଲା ।

ହାଉସିଂ ବୋର୍ଡ ର ଏମ.ଆଇ.ଜି ଘର କାନ୍ଥକୁ କାନ୍ଥ ଆଉ ପଛକୁ ପଛ ଲାଗିଥିବ, ଯଦି ଜଣେ ଘର ମାଲିକ ଟିକେ ଏପଟ କି ସେପଟ କରିବେ ତେବେ ତାର ସିଧା ପ୍ରଭାବ ପଡିଥାଏ ଅଡିସା ପଡିସା ଉପରେ । ଆମ ଘର ପଛ ପଟକୁ ବିକ୍ରମ ଦାସ ର ଘର । ମୋ ଘର ପୂର୍ବ ମୁହଁ ଆଉ ତା ଘର ପଶ୍ଚିମ ମୁହାଁ । ତେଣୁ ତା ଘରର ପଛ ପଟ ଉତ୍ତର ପୂର୍ବ କୋଣରେ ପୂଜା ଘର କରି ଥାଏ । ସେ ମୁଁ ଆସିବା ପୂର୍ବରୁ ନିଜ ପଟକୁ ବଢ଼ାଇ କରି ଘର କରି ସାରି ଥାଏ । ଲୋକଟି କେଉଁ ଏକ ବ୍ୟାଙ୍କରେ ଚାକିରୀ କରୁଥାଏ ମୁଁ ଜାଣି ନାହିଁ କି ଜାଣିବାକୁ ଚେଷ୍ଟା ମଧ୍ୟ କରି ନାହିଁ । ଏଠି ଭୁବନେଶ୍ୱରରେ ସମସ୍ତେ ଆପଣ ହସ୍ତେ ଚଉଦ ପା, କେହି କାହାରି ସହିତ ମିଶନ୍ତି ନାହିଁ କି ମିଶିବାକୁ ଇଚ୍ଛା କରନ୍ତି ନାହିଁ । ଆଉ ଯଦି ମିଶିବେ ତେବେ ଏପରି ସବୁ କଥାବାର୍ତ୍ତା କରିବେ ଯାହା ପସନ୍ଦ ଯୋଗ୍ୟ ହୁଏ ନାହିଁ । ଘର ପଛ ପଟ ବିକ୍ରମ ମଧ୍ୟ ସେହିପରି ଏକ ଲୋକ ଯାହା ଏଠାକୁ ଆସି ରହିବା ପରେ ଆମେ ବୁଝି ପାରିଥିଲୁ, ତେଣୁ ସେମାନଙ୍କ ସହିତ ଖାଲି ଔପଚାରିକତା ବ୍ୟତୀତ ଆଉ କିଛି ସମ୍ବନ୍ଧ ଆମର ନ ଥାଏ । ବିକ୍ରମ ଆଉ ତା ସ୍ତ୍ରୀ ଯେ କେଉଁ ଏକ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି ବଡ଼ ବିଚିତ୍ର ପ୍ରକାର ଲୋକ । ସେମାନଙ୍କର କାମ ହେଲା ଦିନଯାକ ଖାଲି ଦଶ ଥର ଘଣ୍ଟି ବଜାଇ ପୂଜା କରିବା । ଆମ ଜୀବନ କାଳ ଭିତରେ ଏତେ ପୂଜା କଲା ବାଲା ଦେଖି ନ ଥିଲୁ । ତାଙ୍କ ସ୍ତ୍ରୀ ସକାଳ ଚାରିଟାରୁ ଉଠି ଘଣ୍ଟି ବଜାଇ ପୂଜା କରିବେ ଯେ ସକାଳ ଛଟା ପର୍ଯ୍ୟନ୍ତ । ଆରେ ଏ କି ପୂଜା ? ସବୁଠାରୁ ଆଶ୍ଚର୍ଯ୍ୟ ବିକ୍ରମ ଦାସ ସବୁଦିନ ରାତି ୧୧ ଟା ରେ ଜୋରରେ ଘଣ୍ଟି ପିଟି ପୂଜା କରିବ । ଯେ କେହି ସେ ଘଣ୍ଟି ପିଟା ରାତି ୧୧ ଟାରେ ଶୁଣିଲେ ଡରିଯିବ । ଆରେ ରାତି ୧୧ଟାରେ ଏ କାପାଳିକ ମାନଙ୍କ ପରି କି ପୂଜା ? ଏ ସବୁ ଲେଖିବାର କାରଣ ହେଲା ଆମ ଶୟନ କକ୍ଷ ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ପଶ୍ଚିମକୁ କରାଯାଇଥିଲା । ଆମେ ଟିକିଏ ସହଳ ଶୋଇବା ଲୋକ । ତେଣୁ ରାତିରେ ଶୋଇ ଥିବା ବେଳେ ବିକ୍ରମ ଦାସର ଘଣ୍ଟି ପିଟି ପୂଜାରେ ଆମ ନିଦ ଭାଙ୍ଗି ଯାଏ ଆଉ ଆମେ ମନେ ମନେ ବଡ଼ ବିରକ୍ତ ହେଉଥିଲୁ । ତା ଛଡା ବିକ୍ରମ ଯଦି ଦିନବେଳା ଘରେ ଥିବ ତେବେ ଘଣ୍ଟି ପିଟି ପୂଜା କରିବ ଠିକ ଦିନ ଦୁଇଟା ତିରିଶରେ । ଆରେ ଏ କି ପୂଜା ! ଦିନରେ ବି ଅବେଳ ଆଉ ରାତିରେ ବି ଅବେଳ ! ସେ ପୁଣି ଜୋରରେ ଘଣ୍ଟି ପିଟି ଓଁ ଓଁ କରିବ ଯେ ବଡ଼ ବଡ଼ ବ୍ରାହ୍ମଣ ପଣ୍ଡିତ ବି ହାରିଯିବେ ! ପୂଜା ପୁଣି ପୁରା ଅଧଘଣ୍ଟା ! ମୁଁ ନିଜେ ବ୍ରାହ୍ମଣ ହୋଇ ମଧ୍ୟ ପାଞ୍ଚ ମିନିଟରୁ ବେଶୀ ଘଣ୍ଟି ପିଟିବାକୁ ଭଲ ପାଏ ନାହିଁ । ବିକ୍ରମ କିନ୍ତୁ ଅବେଳରେ ଠିକ ଆମର ଶୋଇବା ବେଳରେ ଜୋରରେ ଘଣ୍ଟି ପିଟିବି, ଜମାରୁ ଟିକିଏ ଭାବିବ ନାହିଁ ଯେ ଆର ପଟେ ମିଶ୍ର ବାବୁଙ୍କ ଶୋଇବା ସମୟଟାରେ ଘଣ୍ଟି ପିଟୁଛି ବୋଲି । ଏଠାରେ ଭୁବନେଶ୍ୱରରେ ଅନ୍ୟ ମାନଙ୍କ ପ୍ରତି ଯେ ଆମର ଗୋଟିଏ ଶିଷ୍ଟାଚାର ଅଛି, ଘରେ ହେଉ କିମ୍ବା ବାହାରେ ଏହା ଅଧିକାଂଶ ଲୋକଙ୍କର ବ୍ୟବହାରରୁ ବୁଝାଯାଏ ନାହିଁ । ଏଠି ସମସ୍ତେ ଆପଣ ହସ୍ତେ ଚଉଦପା । ସକାଳେ, ଦୁଇ ପହର, ରାତିରେ ଏମିତି ଘଣ୍ଟି ବଜାଇ ପୂଜାରେ ଆମର ଶୋଇବାରେ ଯଥେଷ୍ଟ ବ୍ୟାଘାତ ହେଉଥିଲା । ଠିକ ଭଲରେ ନିଦ ଲାଗିଥଲା ବେଳକୁ ଆମ ମାନଙ୍କୁ ଉଠାଇ ରଖି ଦେଉ ଥିଲା । ମୋ ତଳ ଘରେ ଯେଉଁ ଭଡାଟିଆ ମାନେ ରହୁଥିଲେ ସେମାନେ ମଧ୍ୟ ଡରିଯାଇ ଶୀଘ୍ର ଘର ଛାଡି ପଳାଇ ଯାଉ ଥିଲେ । ରାତି ଏଗାରଟାରେ ଘଣ୍ଟି ପିଟି ପୂଜା ଶୁଣିଲେ ଯେ କେହି ବି ଡରିଯିବା ସ୍ୱାଭାବିକ । ଶ୍ମଶାନର ଅଘୋରୀ ଗୁଡାକ ଏମିତି ପୂଜା କରନ୍ତି । ଦିନେ ମୁଁ ବିରକ୍ତ ହୋଇ ବିକ୍ରମ କୁ ଡାକି କହିଲି “ତମେ ରାତିରେ ଟିକିଏ ଧୀରେ କରି ଘଣ୍ଟି ବଜାଇ ପୂଜା କଲେ ହୁଅନ୍ତା ନାହିଁ ?” ସେ ମୋ କଥାର ଉତ୍ତର ନ ଦେଇ କହିଲା “ଏ ଯେଉଁ ପଣସ ଗଛଟାକୁ ବଢା଼ଉ ଛନ୍ତି ତାକୁ ଉଠାଇ ଦିଅନ୍ତୁ” । ବାଃ, ଭଲ କଥା ସେ ରାତିରେ ଘଣ୍ଟା ପିଟି ଅଡିସ। ପଡିଶାଙ୍କର ନିଦରେ ବ୍ୟାଘାତ କରିବ ତାକୁ ଭୁଲିଯାଇ ମୋ ପଣସ ଗଛ ଉପରେ ନଜର ! ଲୋକମାନେ କେତେ ଅଭଦ୍ର ଆଉ ଛୋଟ ନଜର ସତେ ! ଯେ ଅନ୍ୟର ସୁବିଧା ଅସୁବିଧା ବୁଝେ ନାହିଁ, ଯେ ଗଛଟିଏ ଲଗାଇ ବଞ୍ଚାଇବାର ଇଚ୍ଛା ରଖେ ନାହିଁ, ଯେ ଅନ୍ୟର ଯତ୍ନରେ ପାଳିତ ଗଛକୁ କାଟିବାର ଉପଦେଶ ଦିଏ, ସେ ଆଉ ତା ସ୍ତ୍ରୀ ପୁଣି ଠାକୁର ପୂଜା କରୁଛନ୍ତି ଦିନକୁ ତିନି ଥର । ସେ ନିର୍ଲଜ ପୂଜା ମୁହଁରେ ନିଆଁ ! ନା ଘର ସଫା, ନା ଠାକୁର ଘର ସଫା, ଖାଲି ଘଣ୍ଟି ପିଟା !

ମୁଁ ତାକୁ ବୁଝାଇ ଥିଲି ଗଛଟା ଅଛି ବୋଲି ଏ ଖରାରେ ଛାଇ ଟିକିଏ ପାଉଛ, ଭଲ ଅକ୍ସିଜେନ୍‌ ଟିକିଏ ପାଉଛ ମାଗଣାରେ ! ତା ଛାଡ ଭିନ୍ନ କର୍ମରେ ବିଶେଷ କରି ପିତୃ ପକ୍ଷରେ ପିଣ୍ଡ ଦାନ ବେଳକୁ ପଣସ ପତ୍ରର ଚାହିଦା କଣ ସେ କଥା ଜାଣ ନାହଁ ? ତୁମେ ଆଉ ତୁମ ସ୍ତ୍ରୀ ପରା ଦିନକୁ ଚାରି ଥର ଅବେଳ ସବେଳରେ ପୂଜା କରି ପାଖ ପଡୋଶୀଙ୍କ ଭଲରେ ଟିକିଏ ଶୋଇବାକୁ ଦେଉ ନାହଁ ? ଜୀବନ କାଳରେ ଗୋଟିଏ ଗଛକୁ ବଢାଇବା ନିଶ୍ଚିତ ଭାବରେ ସବୁ ଠାରୁ ବଡ଼ ଧର୍ମ, ଏତିକି କଣ ଆଜି ପର୍ଯ୍ୟନ୍ତ ବୁଝି ପାରିଲ ନାହିଁ ପୁଣି ନିଜକୁ ଶିକ୍ଷିତ ବୋଲି କହୁଛ ଆଉ ମାଷ୍ଟର ଚାକିରୀ ମଧ୍ୟ କରିଛ ? ଗୋଟିଏ ଗଛ ତା ଜୀବନ କାଳ ଭିତରେ ଯେତିକି ଉପକାର କରେ କୌଣସି ମଣିଷ ମଧ୍ୟ ସେତେ ଉପକାର କରେ ନାହିଁ ! ତାପରେ କହିଥିଲି ଫଳ ହେଲେ ତ ବାଣ୍ଟି କୁଣ୍ଟି କରି ଖାଇବା ଆଉ ଗଛ କାଟିବା ନାମ ଧରିବ ନାହିଁ । ତେବେ ସେ ମୋ କଥାରେ କାନ ଦେଇ ନ ଥିଲା ଆଉ ପୂର୍ବ ପରି ଚାରି ବେଳ ଅବେଳରେ ତାର ଘଣ୍ଟି ପିଟା ଲାଗି ରହି ଥିଲା । ମୁଁ ମଧ୍ୟ ସେ ଦିନ ଠାରୁ ତା ସହିତ ଆଉ କଥାବାର୍ତ୍ତା କରେ ନାହିଁ । ମନେ ମନେ ବିରକ୍ତ ହୁଏ – “ଭଗବାନ ଘର ଦେଲେ ତ ଦେଲେ ଏମିତି ଗୋଟାଏ ଅଭଦ୍ର ଲୋକ ପାଖରେ କାହିଁକି ଦେଲେ ?”

୨୦୧୩ ରେ ବଡ଼ ଜୋଇଁ ବଦଳି ହୋଇ ଆସିଥାନ୍ତି ବରଗଡ଼କୁ । ମୁଁ ଆଉ ମୋ ସ୍ତ୍ରୀ ଯାଇ ଥାଉ ବରଗଡ଼ । ଜୋଇଁଙ୍କୁ ଯେଉଁ ବଙ୍ଗଳାଟା ମିଳି ଥିଲା ସେଥିରେ ଗୋଟାଏ ବିରାଟ ପଣସ ଗଛ ଥିଲା । ଆମେ ଯାଇଥିଲୁ ମାର୍ଚ୍ଚ ମାସରେ । ମୁଁ ସେ ପଣସ ଗଛଟାକୁ ଦେଖି ଭାରି ଖୁସି ହୋଇ ଗଲି, କାରଣ ତଳୁ ଉପର ପର୍ଯ୍ୟନ୍ତ ସେ ଗଛରେ ଖାଲି ପଣସ ଫଳି ଥାଏ । ପ୍ରାୟ ୩୦୦ ଟା ଖଣ୍ଡେ ଫଳିଥିଲା ଏବଂ ଆହୁରି ଫଳି ଚାଲିଥିଲା । ସେଠି ଯେତିକି ଦିନ ରହିଥିଲି ମନ ଭରି କଞ୍ଚା ପଣସ ଖିଆ ହୋଇ ଥିଲା । ପଣସ ତରକାରୀ ଅନେକ ପ୍ରକାରର ଆଉ ପଣସ ବଡା, ମନ ଭରି ଯାଇଥିଲା । ସେଠାରୁ ଫେରିବା ବେଳେ ଗୋଟାଏ ବଡ଼ କାଟୁନ ରେ ପ୍ରାୟ ୨୦ ଟା ମଝି ସାଇଜର ପଣସ ନେଇ ଆସି ଥିଲି । ଏଠାରେ ଭୁବନେଶ୍ୱରକୁ ଆସି ବଣ୍ଟା ହେଲା ମୋ ଭାଇ, ଭଉଣୀ, ଆଖପାଖ, ସାଇପଡିଶା, ଭଡାଟିଆ ଆଦିଙ୍କୁ ବଣ୍ଟା ହେଲା । ଫଳ ବାଣ୍ଟିଲେ ମଧ୍ୟ ବଡ଼ ଆନନ୍ଦ । ଯେ ବାଣ୍ଟି ଥିବ ସେ ଜାଣି ଥିବ ।

ତା ପର ବର୍ଷ ମେ ମାସରେ ମୋ ବଡ଼ ଝିଅ, ଜୋଇଁ, ନାତି, ନାତୁଣୀଙ୍କୁ ନେଇ ଯାଇଥିଲୁ ବେଲପାହାଡ଼କୁ କାମରେ । ଝିଅର କିସାନ ବିକାଶ ପତ୍ର ଗୁଡିକର ମିଆଦ ପୁରା ହୋଇ ଯାଇଥାଏ, ତେଣୁ ଗଲୁ ବେଲପାହାଡ ପୋଷ୍ଟ ଅଫିସକୁ ଆଉ ତାର ଚାରୋଟି କିସାନ ବିକାଶ ପତ୍ର ଗୁଡିକର ଟଙ୍କା ଧରି ଆସିଥିଲୁ । ସେଠାରେ ଆମର ମନ ହେଲା ଏତେ ଦିନ ପରେ ଆସିଛୁ ଟିକିଏ ବୁଲି ଯିବା, ତେଣୁ ଅତି ଚିହ୍ନା ଲୋକଙ୍କ ଘରକୁ ଯାଇ ଟିକିଏ ମୁହଁ ମାରି ଦେଇଥିଲୁ । ମୋ ନାତି, ନାତୁଣୀଙ୍କୁ ସେଠାକାର ଇଂଲିଶ୍‌ ମିଡିୟମ୍‌ ସ୍କୁଲ ଦେଖାଇ ଥିଲୁ ଯେଉଁଠାରେ ମୋ ଝିଅ ମାନେ ପଢୁ ଥିଲେ । ତା ପରେ ଆମେ ଯାଇଥିଲୁ ମୋର ପୂର୍ବର ଡି.ଏସ୍‌.ବି. ବଙ୍ଗଳା କୁ । ସେଇଟାକୁ କମ୍ପାନୀ ବାଲା ଏକ ଟ୍ରେନି ହଷ୍ଟେଲରେ ପରିଣତ କରି ଦେଇ ଥାନ୍ତି । ମୁଁ ଭିତରକୁ ଯାଇ ଘର ପଛ ଅଗଣା ପଟକୁ ଯାଇ ଥିଲି । ସେତେବେଳେ କେତେଜଣ ଟ୍ରେନି ସେଠାରେ ଥିଲେ, ମୋ ପରିଚୟ ପାଇଲା ପରେ ଅତି ସମ୍ମାନ କରି ଥିଲେ । ପଛ ପଟର ପଣସ ଗଛଟାରେ ପ୍ରାୟ ୨୦ ଟା ବଡ଼ ବଡ଼ ପଣସ ଝୁଲୁ ଥିଲା । ମୁଁ ଲୋଭ ସମ୍ଭାଳି ନ ପ।ରି ପିଲା ମାନଙ୍କୁ କହି ବଡ଼ ବଡ଼ ଦୁଇଟା ପଣସ ତୋଳାଇ ଗାଡ଼ିରେ ପକାଇ ଆଣିଥିଲି । ଗୋଟାଏ ଝିଅକୁ ଦେଇଥିଲି ଆଉ ଗୋଟେ ନିଜ ପାଇଁ ରଖିଥିଲି । ପଣସ ଗୁଡାକ ଆଉ କଞ୍ଚା ଖାଇବା ଅବସ୍ଥାରେ ନ ଥିଲା ତେଣୁ ତାକୁ ଘରେ ପାଚିବା ପାଇଁ ରଖି ଦେଇଥିଲି । ତେବେ ମୋର ଦୁର୍ଭାଗ୍ୟ ପଣସ ଏମିତିରେ ପ।ଚି ନ ଥିଲା ଆଉ ପରେ ଫୋପଡ଼ା ହୋଇ ଥିଲା । ମନରେ ଦୁଃଖ ହେଲା ଏତେ ଦୂରରୁ ଆଣିଥିଲି ଆଉ ଖାଇ ପାରିଲି ନାହିଁ ବୋଲି । ତେବେ ଝିଅ ଘରୁ ଆସିଲା ବେଳେ ବଡ଼ ବଡ଼ ବନିଯାଇଥିବା ଲେଙ୍ଗେଡା ଆମ୍ବ ଦୁଇଟା କାର୍ଟୁନରେ ଭରି ଆଣି ଆସିଥିଲି, ସେ ଗୁଡାକ ଘରେ ରହି ପାଚିଗଲା ଆଉ ଅନେକ ଦିନ ପର୍ଯ୍ୟନ୍ତ ଭଲ ମିଠା ଲେଙ୍ଗେଡା ଆମ୍ବ ଖିଆ ହୋଇଥିଲା । ସେଠାରୁ ଫେରିବା ବେଳେ ମୋ ନାତୁଣୀ ଖୁସି ଜିଦି କରି ଆମ ସାଙ୍ଗରେ ଆସିଥିଲା କାରଣ ତାକୁ ତାର ଆଈର ହାତରନ୍ଧାରେ ଭରି ପସନ୍ଦ । ସେ ଯେତେଦିନ ଥିଲା ଖାଲି ପାଚିଲା ମିଠା ଲେଙ୍ଗେଡା ଆମ୍ବ ଖାଇ କି ଯାଇଥିଲା ।

ତେବେ ସେ ଯାହା ହେଉ, ମୁଁ ପଣସ ଗଛଟାକୁ ନିତ୍ୟ ପ୍ରତି ପାଣି ଦେଇ, ଭଲ ମାଟି ଦେଇ ତାର ପତ୍ରକୁ ଧୁଆ ଧୁଇ କରି ପୁରା ପିଲା ମାନଙ୍କ ପରି ଯତ୍ନ ନେଇ ବଢାଉ ଥାଏ । ତେବେ ପଛପଟ ବିକ୍ରମ ଘରର ବାମ ପଟେ ତ୍ରିପାଠୀ ବାବୁଙ୍କ ଘରେ ଉତ୍ତର ପୂର୍ବ କୋଣକୁ ଗୋଟାଏ ବଡ଼ ଚମ୍ପା ଗଛ ହୋଇଥାଏ । ତ୍ରିପାଠୀ ବାବୁ ଏଠାରେ ରୁହନ୍ତି ନାହିଁ, ତାଙ୍କ ଘରେ ଭଡାରେ ଲୋକ ଥାନ୍ତି । ବିକ୍ରମ ତ୍ରିପାଠୀ ବାବୁଙ୍କ ପଛରେ ଲାଗି ଚମ୍ପା ଗଛଟାକୁ କଟା କରାଇ ତା ମନ ଶାନ୍ତି ହେଲା, କାରଣ ଗଛର ଶୁଖିଲା ପତ୍ର ତା ଘରେ ପଡୁ ଥିଲା । ଶୁଖିଲା ପତ୍ର ଟିକିଏ ବରଦାସ୍ତ କରି ପାରିବ ନାହିଁ ଅଥଚ ନିଜ ଘର ଛାତରୁ ଥାଇ ନଗି ମାରି ଉପରୁ ଚମ୍ପା ଫୁଲ ତାଙ୍କ ତୋଳି ନେଇ ପୂଜା କରିବ ! ତ୍ରିପାଠୀ ବାବୁ ଭଲ ଲୋକ ସେ ବାଧ୍ୟ ହୋଇ ଚମ୍ପା ଗଛଟାକୁ କାଟି ଦେଲେ । ମୋ ମନରେ ଚମ୍ପା ଗଛଟା ପାଇଁ ଦୁଃଖ ହେଲା । ତେବେ ସେ ଗଛଟା କଟା ହୋଇ ଯିବା ଫଳରେ ପଣସ ଗଛଟା ପ୍ରଚୁର ଖରା ପାଇ ତିନି ବର୍ଷରେ ଭଲ ଆଖି ଦୃଶିଆ ହୋଇ ବଢି ଗଲା । ଘରର ପଛ ପଟେ ଥିବାରୁ କାହାରି ନଜରରେ ନ ଥାଏ କେବଳ ବିକ୍ରମକୁ ଛାଡି । ପଣସ ଗଛଟାର ବିକାଶରେ ମୋ ମନର ଖୁସି କହିଲେ ନ ସରେ ! ଗଛର ଗଣ୍ଡିଟା ଆଉ ଟିକିଏ ବଢି ଗଲେ ଆଉ ବର୍ଷକରେ ଫଳିବ ବୋଲି ମୁଁ ନିଶ୍ଚିତ ହୋଇଯାଇଥିଲି ।

ମୁଁ ପ୍ରତିଦିନର ଡ଼ାଇରୀ ଲେଖେ । ଏହା ମୋର ଗୋଟିଏ ବହୁ ପୁରୁଣା ଅଭ୍ୟାସ । ମୋ ପାଖରେ ବିଗତ ୫୦ ବର୍ଷର ଡ଼ାଇରୀ ସଂଗୃହିତ ହୋଇ ରହିଛି, ଯେଉଁଥିରୁ ଦରକାର ସମୟରେ ପୁରୁଣା ଖବରକୁ ଖୋଜି ପାଇଥାଉ । ୨୦୧୫ ଫେବୃଆରୀ ୧୩ ତାରିଖରେ ପଣସ ଗଛଟାରେ ପ୍ରଥମ କରି ପଣସ କଷି ହୋଇ ଥିବାର ଦେଖି ଏତେ ଖୁସି ହୋଇ ଯାଇଥିଲି ଯେ ସେ ଦିନର ଡାଇରୀରେ ମୁଁ ଲେଖିଥିଲି – “ଆଜି ମତେ ବହୁତ ଖୁସି ଲାଗିଲା, କାରଣ ପଛପଟକୁ ଯାଇ ଥିବା ବେଳେ ପଣସ ଗଛଟାରେ ତଳ ଡାଳରେ ୪-୫ ଟା ପଣସ କଷି ହୋଇଥିବାର ଦେଖିଲି । ମୁଁ ଖୁବ୍‌ ଖୁସି ହୋଇଗଲି, ମତେ ମୋ ଝିଅର ପିଲା ହେବା ପରି ଖୁସି ଲାଗିଲା । ଆଜି ଠାରୁ ପାଞ୍ଚ ବର୍ଷ ପୂର୍ବେ ଗଛଟିକୁ ସେ ଜରି ଗୋଟାଳି ବଙ୍ଗାଳି ସ୍ତ୍ରୀ ଲୋକ ଠାରୁ ମାଗି କରି ଲଗାଇ ଥିଲି । ତା ସହିତ ଗୋଟିଏ କାଗଜି ଲେମ୍ବୁ ଗଛ ମଧ୍ୟ ଲଗାଇ ଥିଲି, ସେଇଟା କିନ୍ତୁ ମରି ଯାଇଥିଲା । କିନ୍ତୁ ପଣସ ଗଛଟାକୁ ଛୋଟ ଛୁଆ ମାନଙ୍କ ପରି ଗାଧୋଇ ପାଧୋଇ ମୁଁ ବଡ଼ କରିଥିଲି । ଏବେ ଗଲା ଦୁଇ ବର୍ଷରେ ଗଛଟା ପ୍ରଚୁର ଖରା ପାଇବାରୁ ଭଲ ଭାବରେ ବଢି ପାରିଥିଲା । ମୁଁ ଭାବି ପ।ରି ନ ଥିଲି ଏ ବର୍ଷ ଗଛରେ ଫଳ ଆସିବ ବୋଲି । ଏ ଯେଉଁ ଫଳ ଆସିଛି ତାହା ରହି ନ ପ।ରେ କିନ୍ତୁ ଜଣା ପଡିଗଲା ଯେ ଗଛଟା ଭବିଷ୍ୟତରେ ଭଲ ଫଳିବ । ଗୋଟେ ଗଛ ନିଜେ ଲଗାଇ, ତାର ଫଳ ଖାଇଲେ ବଡ଼ ଆନନ୍ଦ ଲାଗେ । ଏ ଗଛକୁ ପୁଣି ବିକ୍ରମ କାଟି ଦେବା ପାଇଁ ପରାମର୍ଶ ଦେଉଥିଲା ! ଯେ ନିଜେ ଗଛଟିଏ ଜୀବନରେ ଲଗାଇ ଥିବ ଆଉ ବଡ଼ କରିଥିବ ସେ ଜାଣିବ ଗଛ ଟିକୁ ବଢ଼ାଇଥିବା ଲୋକର କି ମାୟା !”

ତେବେ ୨୦୧୫ ରେ ଏତେ କଷି ହେବା ସତ୍ୱେ ଗୋଟେ ହେଲେ ବି ପଣସ ରହିଲା ନାହିଁ । ୨୦୧୬ ରେ ମଧ୍ୟ ଅନେକ କସି ହେଲା କିନ୍ତୁ ଗୋଟାଏ ବି ଫଳ ରହିଲା ନାହିଁ । ମନଟା ଦୁଃଖ ହେଲା । ମୁଁ ମୋର ଚିହ୍ନ। ପରିଚୟ କେତେକ ବନ୍ଧୁଙ୍କୁ ପଚାରିଲି, ସେମାନେ କହିଲେ ଶିବଙ୍କର ଚରଣ ପାଦୁକା ଆଣି ଗଛ ମୂଳରେ ପକାନ୍ତୁ ତେବେ ନିଶ୍ଚୟ ଫଳ ରହିବ । ମୁଁ ତେଣୁ କାର୍ତ୍ତିକ ସୋମ ବାର ଦିନ ଈଶାନେଶ୍ଵର ମନ୍ଦିରକୁ ଯାଇ ଗୋଟେ ଢାଳରେ ଢାଳେ ଚରଣ ପାଦୁକା ଆଣି ପଣସ ଗଛଟାକୁ ପୂଜା କରି, ଧୁଆ ଧୁଇ କରି ତା ମୂଳରେ ଭଲକରି ପାଦୁକା ତକ ଢାଳିଲି, କାଳେ ଫଳିବ !

ୟା ଭିତରେ ଦିନେ ମୁଁ ମୋର ଦୁଇ ମହଲା ଛାତ ଉପରକୁ ଯାଇ ପଣସ ଗଛଟାକୁ ନିରୀକ୍ଷଣ କରୁ ଥିବା ବେଳେ ସେ ବିକ୍ରମ କେଉଁଠି ଥିଲା ଆସି ଉପରେ ପଡି ମତେ କହିଲା “ମିଶ୍ର ବାବୁ ଏ ପଣସ ଗଛଟାକୁ କାଟି ଦିଅନ୍ତୁ ମ ! ଫଳୁବିତ ନାହିଁ” । ମୁଁ ମଧ୍ୟ ଟିକିଏ ଚଢା ଗଳାରେ କହିଲି ତୁମର ଯଦି ଗଛଟା ଏତେ ଅସୁବିଧା କରୁଛି ତେବେ ଯେଉଁ ଗୋଟାଏ ଡାଳ ତୁମ ପଟକୁ ଯାଇଛି ତାକୁ କାଟିଦେଇ ମନଟାକୁ ଶାନ୍ତି କରିଦିଅ, ମୁଁ କିନ୍ତୁ ମୋ ପିଲା ଭଳି ଯତ୍ନ କରି ବଢ଼ାଇଥିବା ଗଛରେ ହାତ ଦେବି ନାହିଁ କି କାହାରିକୁ ହାତ ଦେବାକୁ ଦେବି ନାହିଁ ।

ୟା ଭିତରେ ୨୦୧୬ ରବିବାର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ସେ ବିକ୍ରମ ଦାସ କେତେବେଳେ ସୁଯୋଗ ପାଇଁ ମୋ ପଣସ ଗଛର ତା ପଟକୁ ଯାଇ ଥିବା ଡାଳ ଟାକୁ କାଟି ଦେଲା, ମୁଁ ଜାଣି ପାରିଲି ନାହିଁ । ପରେ ଜାଣିଲା ପରେ ତାକୁ ପଚାରିଲି ଯେ ମତେ ନ ପଚାରି ଚୁପ୍‌ କରି କାହିଁକି ଡାଳ ଟାକୁ କାଟି ଦେଲ ବୋଲି ? ସେ ଆଉ ତା ସ୍ତ୍ରୀ ଅଭଦ୍ର ମାନଙ୍କ ପରି ପାଟି କଲେ । ମୁଁ ତାକୁ ମୁହଁ ଉପରେ କହିଲି “ତୋର ମଙ୍ଗଳ ହେବ ନାହିଁ, ନିଜେ ଦୁଇଟା ଝିଅର ବାପ ହୋଇ ଗୋଟିଏ ଫଳିବାକୁ ଯାଉଥିବା ଗଛକୁ କାଟିଲୁ ” । ସେଦିନ ତାକୁ ମୁଁ ଆହୁରି କଡା କଥା କହି ଥାନ୍ତି, ତାର ପାଟିର ଜବାବ ମୁଁ ପାଟିରେ ଦେଇଥାନ୍ତି କିନ୍ତୁ ଆମ ଘରର ଗୋଟାଏ ଘର ଛାଡି ଯେଉଁ ଲୋକ ରୁହନ୍ତି ସେ ମଧ୍ୟ ବିକ୍ରମ ପରି ଲୋକଟିଏ , ଆସି ଛିଡା ହୋଇ ଯାଇଥିଲା ଡ୍ରାମା ଦେଖି ମଜା ନେବା ପାଇଁ ତେଣୁ କରି ମୁଁ ଆଉ ବେଶୀ ପାଟି କରି ତାକୁ ବେଶୀ କଥା କହିବାର ସୁଯୋଗ ଦେଇ ନ ଥିଲି ।

ମୁଁ ବୁଝି ପାରେ ନାହିଁ ଲୋକମାନେ ଗଛକୁ କାହିଁକି କାଟନ୍ତି ? ଗଛଟି କାହାରି କିଛି ଅନିଷ୍ଟ କରି ନ ଥାଏ । କେବଳ ତାର କଥା କହିବାର ଶକ୍ତି ନାହିଁ ବୋଲି, ପ୍ରତିବାଦ କରିବାର ଶକ୍ତି ନାହିଁ ବୋଲି ଯେ ପାରିବ ସେ କାଟି ଦେବ ? ଏଇଟା ଭଗବାନଙ୍କର ଗଛ ପ୍ରତି ବଡ଼ ଅନ୍ୟାୟ । ମୁଁ ଭାବି ଥିଲି ଏ ୨୦୧୭ ରେ ପଣସ ଫଳିବ ବୋଲି କିନ୍ତୁ ଡାଳ କାଟି ଦେବାରୁ ଗଛକୁ ବାଧା ହେଲା ଆଉ ଫଳି ନ ପାରେ ।

ତେବେ ମୋ ଭାବନା କୁ ଭୁଲ ପ୍ରମାଣିତ କରି ୨୦୧୭ ରେ ମୋର ପଣସ ଗଛରେ ଜାନୁଆରୀ ମାସଠାରୁ ପଣସ କସି ଛାଇ ଗଲା ମୂଳ ଗଣ୍ଡିରେ ପଣସ ସବୁ ବଢିବାକୁ ଲାଗିଲା ଆଉ ଚାହୁଁ ଚାହୁଁ ପ୍ରାୟ ୨୦- ୨୫ ଟା ପଣସ ରହିଗଲା । ମୋର ଖୁସି ଦେଖେ କିଏ ? ମାନସିକ କରି ଥିବାରୁ ମାର୍ଚ୍ଚ ୧୨ ତାରିଖ ଦିନ ଗୋଟାଏ ପ୍ରଥମ ପଣସ ତୋଳି ନେଇ ମା ତାରିଣୀଙ୍କ ମନ୍ଦିରରେ ଅର୍ପଣ କଲି ଏବଂ ଆଉ ଗୋଟାଏ ତୋଳି ଆଣି ଖାଇଲୁ । ଭାରି ସୁଆଦିଆ ଲାଗିଲା । ବଜାରରୁ କିଣି ଖାଇବା ଆଉ ନିଜ ହାତ ଲଗ। ଗଛରୁ ତୋଳି ଆଣି ଖାଇବାର ଯେଉଁ ଆନନ୍ଦ କେବଳ ଭୁକ୍ତ ଭୋଗିହିଁ ଜାଣି ପାରିବ ! ସେ କଥାକୁ ଭାଷାରେ ବର୍ଣ୍ଣନା କରି ହେବ ନାହିଁ ।

୨୦୦୯ ରେ ପଣସ ଗଛ ଲଗାଇ ଥିଲି ଯେ ଏବେ ଫଳ ଖାଇଲି । ୨୦୦୯ ରେ ମୋର ନାତି ଜନ୍ମ ହୋଇଛି ଯେ ଭୂଇଁରୁ ବାହାରି ନାହିଁ । ସତରେ ଗଛରୁ ବହୁତ ଉପକାର ମିଳେ, ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଜମି, ଘର, ବୃକ୍ଷ, ବିଦ୍ୟା, ଆଉ ବାପା-ମା କେବେ କାହାରି ଅନିଷ୍ଟ କରନ୍ତି ନାହିଁ, ଏମାନଙ୍କ ଠାରୁ ସର୍ବଦା ଲାଭ ହିଁ ପ୍ରାପ୍ତ ହୋଇଥାଏ । ଗଛଟିଏ ମଣିଷ ଠାରୁ ଅଧିକ ସିଏ ! ମୁଁ ମୋବାଇଲରେ ଗଛର ପଣସ ଆଉ ଘର ରନ୍ଧା ପଣସର ଫୋଟୋ ଉଠାଇ ଝିଅ ପାଖକୁ ପଠାଇ ଦେଲି ଯାହାକୁ ଦେଖି ସେ ମଧ୍ୟ ବହୁତ ଖୁସି ହେଲା ।

ଏ ବର୍ଷ ମନ ଭରି କଞ୍ଚା ଆଉ ପାଚିଲା ପଣସ ଖିଆ ହେଲା ଏବଂ ବଣ୍ଟା ହେଲା । ମୋର ଭାଇ, ଭଉଣୀ, ପାଖ ପଡୋଶୀ ଏବଂ ଚିହ୍ନା ଜଣ। ଅନେକଙ୍କୁ ନେଇ ଘରର ଆଉ ମୋ ନିଜ ହାତ ଲଗା ପଣସକୁ ବାଣ୍ଟିଲି । ସମସ୍ତେ ପ୍ରଶଂସା କଲେ । ଏହା ଠାରୁ ବଡ଼ ଆନନ୍ଦ ଆଉ କଣ ଅଛି ସଂସାରରେ ?

To Top