ଅନୁଭୂତି

ପିଲା ଦିନର କଥା

Odia Author Mr Ramakanta Mishra

ପରେ ଭାଇନା ଅବଶ୍ୟ ଆଉ ଲେଖାଲେଖି କରି ନ ଥିଲେ କିନ୍ତୁ ତାଙ୍କ ଠାରୁ ସଂକ୍ରମିତ ହୋଇ ଲେଖା ଲେଖି କରିବା ମୋର ପିଲାଦିନରୁ ଗୋଟିଏ ଅଭ୍ୟାସରେ ପରିଣତ ହୋଇ ଯାଇ ଥିଲା ଯାହା ଏବେବି ଅଛି

ପିଲା ଦିନର କଥା

ଅତି ପିଲା ଦିନର କଥା ଏବେ ଯାହା ମୋର ଝାପ୍ସା ଭାବରେ ମନେ ଅଛି, ତାହା ବୋଧହୁଏ ଆଈଙ୍କର ମରିଯାଇଥିବା କଥା । ମୋ ବୋଉ ଭିଙ୍ଗାରପୁର ଚୌଧୁରୀ ବଂଶର ଝିଅ । ମୋ ଅଜାଙ୍କ ନାମ ଥିଲା ଶ୍ରୀ ଗୋପୀନାଥ ଦଶ ଚୌଧୁରୀ । ଅଜା ଜମିଦାର ଥିଲେ ଆଉ ଭିଙ୍ଗାରପୁରରେ ତାଙ୍କର ଜମିଦାରୀ ଥିଲା । ଆମର ୪ ଭାଇ ଆଉ ପାଞ୍ଚ ଭଉଣୀ ଭିତରୁ ଆଗର ଦୁଇ ଭାଇ ଆଉ ଦୁଇ ଭଉଣୀ ଭିଙ୍ଗାରପୁରରେ ଜନ୍ମ ହୋଇଥିଲେ । ଏଇଟା ମୋ ବୋଉ ମୁହଁରୁ ଶୁଣିବା କଥା । ମୋ ଭାଇନା ଶ୍ରୀ ଶ୍ରୀକାନ୍ତ ମିଶ୍ର ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ଅଜାଙ୍କ ଘରେ ମଣିଷ ହୋଇଥିଲେ । ମୁଁ ଭାଇନାଙ୍କ ଠାରୁ ପ୍ରାୟ ୪ ବର୍ଷ ସାନ ଥିଲି । ଆଈ ମରିଗଲା ବେଳକୁ ଭାଇନାଙ୍କୁ ୮ ବର୍ଷ ଖଣ୍ଡେ ହୋଇଥିଲା । ଯେହେତୁ ଭାଇନା ଆଈଙ୍କ ଘରେ ପିଲା ଦିନରୁ ଥିଲା ତେଣୁ ଆଇ ମଲା ପରେ ଭାଇନା ବହୁତ କାନ୍ଦୁ ଥିଲା । ମୋର ସେ ସମୟରେ ଭାଇନାଙ୍କର ଜମିଦାର କୋଠର ଗୋଟିଏ ଖୁମ୍ବକୁ ଧରି ବଡ଼ ବିକଳ ହୋଇ କାନ୍ଦିବାର କଥା ଏବେବି ଝାପ୍ସା ଭାବରେ ମନରେ ଅଛି । ଆମେ ସବୁ ବୋଧହୁଏ ଆଈ ମରାର ଖବର ଶୁଣି ସେଠାରେ ଯାଇ ପହଂଚି ଥିଲେ । ପହଂଚିବା ପରେ ପୁଣି ଥରେ ଘରେ କାନ୍ଦ ବୋବାଳି ଆରମ୍ଭ ହୋଇ ଥିଲା । ଘରର ସବୁ ଲୋକ ଭାଇନାକୁ ବୁଝାଉ ଥିଲେ ଆଉ କହୁଥିଲେ -“ଆଉ ତତେ କିଏ ଗେଲ କରିବରେ ! ତୋର ସବୁ ସରାଗ ଗଲା !!” ମତେ ସେତେବେଳକୁ ୪ ବର୍ଷ ହୋଇଥିବ । ଏବେ ସେ କଥା ଅତି ହାଲୁକା ଭାବରେ ମନେ ଅଛି । ଆମ ଅଜା ଥିଲେ ଘରର ବଡ଼ ପୁଅ । ସେମାନେ ଥିଲେ ୭ ଭାଇ । ସେମାନଙ୍କର ବହୁତ ବଡ଼ ପରିବାର ଥିଲା । ସେମାନେ ୭ ଭାଇ ମିଶି ଭିଙ୍ଗାରପୁରରେ ଗୋଟିଏ ଅଲଗା ଖଂଜା ରେ ୭ ଟି ଘର କରି ଏକା ସାଙ୍ଗରେ ରହୁଥିଲେ । ମୁଁ ହାଇୟର ସେକଣ୍ଡାରୀ ପରୀକ୍ଷା ପରେ ଥରେ ଯାଇଥିଲି ବଡ଼ ମାମୁଙ୍କ ଦେଖା କରିବାକୁ, ହଂସପାଳ ଦେଇ ଭିଂଗାରପରକୁ ଯାଇ ଥିଲି । ସେତେବେଳେ ବଡ଼ ମାମୁଁ ଶ୍ରୀ ନୃସିଂହ ଚରଣ ଦାଶ ଚୌଧୁରୀ ଅଣ୍ଡର ସେକ୍ରେଟାରୀ ଭାବରେ ସଚିବାଳୟରୁ ରିଟାୟାର କରି ତାଙ୍କର ଟାଇପ (ଭି) ଘର ଛାଡି ଗାଁକୁ ଯାଇଥାନ୍ତି ଆଉ ସେଠାରେ ରହୁଥାନ୍ତି । ସେତେବେଳେ ସେହି ମରାମତି ବିହୀନ ଜର୍ଜର କୋଠା କୁ ଦେଖି ପିଲାବେଳର କଥା କିଛି କିଛି ମନେ ପଡିଥିଲା ।

ଅତି ପିଲା ଦିନର ଆଉ ଗୋଟାଏ ଝାପ୍ସା କରି ମନେ ରହିଥିବା କଥାଟି ହେଲା ଦିନେ କେବେ ନନା ମତେ କାନ୍ଧରେ ବସାଇ ନେଉଥାନ୍ତି, କାରଣ ମୁଁ ସେମାନଙ୍କ ସହିତ ତାଳ ଦେଇ ଚାଲି ପାରୁ ନ ଥାଏ, ସାଙ୍ଗରେ ଥାନ୍ତି ଭାଇନା ଆଉ ଆଶା ନାନୀ । ଭାଇନା ମୋ ଠାରୁ ୪ ବର୍ଷ ବଡ଼ ଆଉ ଆଶା ନାନୀ ୨ବର୍ଷ ବଡ଼ ଥିଲେ । ଆମେ ଗାଁର ଗୋଟାଏ ନୂଆ କରି ତିଆରି ହୋଇଥିବା ମାଟି କାନ୍ଥର ଘରକୁ ଯାଇ ଥିଲୁ । ପରେ ମୁଁ ଜାଣିଥିଲି ଆମେ ଯେଉଁ ଗାଁ କୁ ଯାଇ ଥିଲୁ ତାହାର ନାମ ହେଲା ଶ୍ରୀ ରାମଚନ୍ଦ୍ର ପୁର ଶାସନ । ଆଉ ନନା ସେ ଦିନ ଯେଉଁ ଘରକୁ ନେଇ ଯାଇଥିଲେ ସେଇଟାକୁ ନନା ତିଆରି କରାଇଥିଲେ ଠିକ ଦୁଇ ଖଣ୍ଡି ଗାଁର ମଝି ଦଣ୍ଡାମୁଣ୍ଡରେ । ଗାଁ ମୁଣ୍ଡରୁ ପୁରା ରତ୍ନଚିରା ନଈ ପର୍ଯ୍ୟନ୍ତ ଜାଗା ଥିଲା । ସାମ୍ନା ଦୁଇ ବଖରା ମଝିରେ ଖାଲି ଜାଗା ଆଉ ତା ପଛକୁ ଦୁଇ ବଖରା ଆଉ ପଛ ପଟରୁ ପୁରା ନଈ ପର୍ଯ୍ୟନ୍ତ ଜାଗା ପଡିରହିଥିଲା । ମୁଁ ଏବେ ଭାବୁଛି ନନା କେତେ ଖୁସିରେ ଚାକିରିର ଆରମ୍ଭ କାଳରେ ଗାଁରେ ଘର କରିଥିଲେ ଯେମିତି ସେଠାରେ ପରେ ଯାଇଁ ରହି ପାରିବେ, କିନ୍ତୁ ପରେ କେବେବି ଆମେ ସବୁ ଯାଇ ସେ ଘରେ ରହି ନ ଥିଲୁ । ମଝିରେ କେବେ ଗାଁକୁ ଗଲେ, ଆମେ ଅନ୍ୟ କାହାରି ଘରେ ରହୁଥିଲୁ । କାରଣ ସେ ଘରେ ଲୋକ ନ ରହିବ ଫଳରେ ଆଉ ବାର୍ଷିକ ଠିକ ଭାବରେ ମରାମତି ନ ହେବା ଫଳରେ, ସେ ଘର ଆଉ ମଣିଷ ରହିବା ଯୋଗ୍ୟ ହୋଇ ରହୁ ନ ଥିଲା । ପରେ ସେ ଘର ମଧ୍ୟ ଭାଙ୍ଗି ଯାଇ ଥିଲା । ନାନା ବି ପରେ କେବେବି ସେ ଘରେ ରହି ପାରି ନ ଥିଲେ । ବାହାରେ ଟାଟା ଭଳି ଜାଗାରେ ଚାକିରୀ କରିଥିବାରୁ ଆଉ ଧୀରେ ଧୀରେ ପରିବାର ବଡ଼ ହୋଇ ଯାଇ ଥିବାରୁ ମଣିଷ କେମିତି ଅଣ ନିଶ୍ୱାସୀ ହୋଇଯାଏ ସେ କଥା ମୁଁ ପରେ ନନାଙ୍କୁ ଦେଖି ଜାଣିଥିଲି ।

ପିଲା ବେଳରେ ଯେଉଁଠାରୁ ମୋର କଥା ଗୁଡାକ ପୂରା ମନେ ଅଛି, ସେ ଗୁଡିକ ହେଲା ….

କାଲି ଭଳିଆ ମନେ ଅଛି, ଆମେ ସବୁ ସେତେବେଳେ ଜାମସେଦପୁର ର କଦମା ଏରିଆରେ ଏନ.୧ ଟାଇପ କ୍ୱାଟର ରେ ରହୁଥିଲୁ । ଘରଟି ବେଶ ବଡ଼ ନ ଥିଲା, ସେ ପୁଣି ସବା କଣ ଘର । ବାଡ଼ି କିନ୍ତୁ ପ୍ରଚୁର ବଡ଼ । ସେତେବେଳେ ଘରର ବାଡ଼ିରେ ନନା ଅନେକ ପନ ପରିବା ଚାଷ କରୁ ଥିଲେ । ଘରର ଚାରିପଟ ବାଉଣ୍ଡ୍ରିରେ ଯେଉଁ କଣ୍ଟା ତାର ବାଡ଼ ଦିଅ ଯାଇ ଥିଲା, ସେଥିରେ ଚାରିପଟେ ସିଜୁ ଗଛ ଲଗା ହୋଇ ଥାଏ । ଘର ସାମ୍ନାରେ ରାସ୍ତା ଆଉ ସାଇଡ଼କୁ ମଧ୍ୟ ରାସ୍ତା । ଠିକ ଦୁଇ ରାସ୍ତାର କଣିଆ ଜାଗାରେ ଗୋଟିଏ ବସିବା ପାଇଁ ପୋଲ ତିଆରି ହୋଇଥିଲା । ସେଥିରେ ଆମେ ସବୁ ବସୁ ଥିଲୁ । ବାହାରେ ଯିବା ଆସିବା କରୁଥିବା ଲୋକମାନେ ମଧ୍ୟ ବସୁଥିଲେ ।

ଯେବେକାର କଥା ଲେଖୁଛି ସେ ଦିନ ମୁଁ ପୋଲ ଉପରେ ବସିଥିଲି । ସେତେବେଳେ ମତେ ୫-୬ ବର୍ଷ ହୋଇଥିବ । ମୁଁ ସେତେବେଳ ପର୍ଯ୍ୟନ୍ତ ପଢା ଆରମ୍ଭ କରି ନ ଥିଲି । ଆମେ ସବୁ ପିଲାଦିନେ ୫ ବର୍ଷ ପୁରିବା ପରେ ଯାଇଁ ପଢା ଆରମ୍ଭ କରୁ ଥିଲୁ । ମୁଁ ପୋଲ ଉପରେ ବସି ଥିଲି । ସନ୍ଧ୍ୟା ବେଳ ଥିଲା । ଆମ ଘରକୁ ଆସିଥିଲେ ‘ମିଶ୍ର ସାର’ । ମୁଁ କେବଳ ତାଙ୍କର ଏତିକି ପରିଚୟ ଜାଣି ଥିଲି । ସେ କଦମା ଲୋୟର ପ୍ରାଇମେରୀ ସ୍କୁଲର ଶିକ୍ଷକ ଥିଲେ । ମିଶ୍ର ସାର ପ୍ରାୟ ଆମ ଘରକୁ ଯିବା ଆସିବା କରୁଥିଲେ । ସେ ସ୍କୁଲ ହତା ଭିତରେ ଗୋଟାଏ ଘରେ ରହୁଥିଲେ । ତାଙ୍କର ଦୁଇ ଝିଅ ଥିଲେ । ସାନ ଝିଅଟିର ନାମ ଥିଲା ଚୁଇଁ, ତାକୁ ଆମେ ଛୁଇଁ ବୋଲି ଚିଡ଼ାଇଲେ ସେ ଚିଡିଯାଉଥିଲା ଏବଂ ଆମେ ସବୁ ପିଲାମାନେ ମଜା ନେଉ ଥିଲୁ । ମିଶ୍ର ସାର ବେଳେ ବେଳେ ଆମ ଘରେ ନିମନ୍ତ୍ରିତ ହୋଇ ଆସି ଖିଆ ପିଆ ମଧ୍ୟ କରୁଥିଲେ । ଯେଉଁ ଦିନର କଥା ଲେଖୁଛି ସେ ଦିନ ମିଶ୍ର ସାର ଆସି ନନାଙ୍କ ସାଙ୍ଗରେ କଣ ସବୁ କଥା ହୋଇଥିଲେ ଆଉ ନନା ମତେ ଦେଖାଇ କହି ଥିଲେ – “ହଉ ଏ ବର୍ଷ ତାକୁ ସ୍କୁଲ୍ ରେ ଭର୍ତ୍ତି କରିଦେବା ।” ଆଉ ତା ପରଦିନ ନନା ମତେ ସାଙ୍ଗରେ ନେଇ କଦମା ପ୍ରାଇମେରୀ ସ୍କୁଲରେ କ୍ଲାସ -୧ ରେ ଆଡ଼ମିସନ କରି ଦେଇ ଥିଲେ । ଆଉ ମିଶ୍ର ସାର ମୋର ସ୍କୁଲ ରେଜିଷ୍ଟରରେ ଡେଟ ଅଫ ବର୍ଥ (ଜନ୍ମ ଦିନ) ସ୍ଥାନରେ ଲେଖିଥିଲେ ୧୪ ଜାନୁଆରୀ ୧୯୪୭ ।

ମୁଁ ଯେଉଁ ସ୍କୁଲରେ ପଢା ଆରମ୍ଭ କରିଥିଲି ତାର ନାମ ମୁଁ ଲେଖି ସାରିଛି – “କଦମା ପ୍ରାଇମେରୀ ସ୍କୁଲ” । ସେହି ସ୍କୁଲରେ ସେ ସମୟରେ ତିନୋଟି ଭାଷାରେ ଶିକ୍ଷା ଦାନ ହେଉଥିଲା ଯଥା ଓଡ଼ିଆ, ହିନ୍ଦୀ, ଏବଂ ବଙ୍ଗଳା । ସ୍କୁଲଟି ଟାଟାଙ୍କ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା । ସ୍କୁଲ ଶିକ୍ଷକ ମାନେ ଟାଟା କମ୍ପାନୀର କର୍ମଚାରୀ ଥିଲେ । ସ୍କୁଲ ଏବଂ ତାର ସମସ୍ତ ତତ୍ୱାବଧାରଣ କମ୍ପାନୀ ଖର୍ଚ୍ଚରେ ହେଉଥିଲା । ଏପରିକି ପ୍ରତି ପିଲାଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ କମ୍ପାନୀର ଦାୟିତ୍ୱ ଭାବରେ ପରିଗଣିତ ହେଉଥିଲା । ପ୍ରତିଦିନ ପିଲାମାନଙ୍କୁ ଗଜା ଚଣା ଏବଂ ଫଳ ଦିଆ ଯାଉଥିଲା ଆହୁରି ମଧ୍ୟ ମାଛ ତେଲ ଏକ ଚାମଚ କରି ପିଇବାକୁ ଦିଆ ଯାଉଥିଲା । ପ୍ରତି ମାସରେ ସ୍କୁଲକୁ କମ୍ପାନିର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସହଯୋଗୀ ମାନେ ଆସି ପ୍ରତି ପିଲାଙ୍କର ଓଜନ ନେଉଥିଲେ, ଆଖି, ନାକ, କାନ, ଗଳା ଏବଂ ସମ୍ପୂର୍ଣ୍ଣ ଶରୀରର ଯାଞ୍ଚ କରାଯାଇ ରିପୋର୍ଟ ରଖା ଯାଉଥିଲା ଏବଂ ଦରକାର ପଡିଲେ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା କର ଯାଉଥିଲା । ସେତେବେଳେ ଟାଟା କମ୍ପାନୀର ସ୍କୁଲ ଶିକ୍ଷା ନୀତିରେ ଏ ସମସ୍ତ ଅନ୍ତର୍ଭୁକ୍ତ ଥିଲା । ଏ ସବୁ ମୁଁ ନିଜେ ଗ୍ରହଣ କରିଥିବାରୁ ଏବେକାର ଟାଟା କମ୍ପାନୀ ଆଉ ଏ ପ୍ରକାରର ସେବା ଦେଉ ନାହିଁ ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରିପାରେ ।

ସେତେବେଳେ ଜାମସେଦପୁରରେ ଟାଟା କମ୍ପାନୀ ପରିଚାଳିତ ବିଦ୍ୟାଳୟ ନଚେତ ସରକାରୀ ପରିଚାଳିତ ବିଦ୍ୟାଳୟମାନ ଥିଲା । ଆଜିଭଳି ପୁଳା ପୁଳା ବେସରକାରୀ ବିଦ୍ୟାଳୟ ମାନ ନ ଥିଲା । ସେତେବେଳେ ଇଂରାଜୀ ମିଡିୟମ କଥା କେହି ଚିନ୍ତା କରୁ ନ ଥିଲେ । ସବୁ ପିଲା ମାତୃଭାଷାରେହିଁ ଶିକ୍ଷା ଆରମ୍ଭ କରୁଥିଲେ । ମୋର ମନେ ଅଛି ସେତେବେଳେ ବି ଜାମସେଦପୁରରେ “ଲୟଲା ସ୍କୁଲ” ଥିଲା ଯେଉଁ ଠାରେ କେବଳ ପୁଅ ମାନଙ୍କୁ ଇଂଲିଶ ମାଧ୍ୟମରେ ଶିକ୍ଷା ଦିଆ ଯାଉ ଥିଲା ଆଉ ଝିଅ ମାନଙ୍କ ପାଇଁ ‘ସକ୍ରେଡ଼ ହାର୍ଟ କନଭେନ୍ଟ’ ସ୍କୁଲ ଥିଲା ଇଂରାଜୀ ମାଧ୍ୟମରେ ଶିକ୍ଷା ଦାନ କରିବା ପାଇଁ । ଏ ସବୁ ଇଂରାଜୀ ସ୍କୁଲରେ ଟାଟା କମ୍ପାନୀର ଉଚ୍ଚ ପାହ୍ୟା ଅଫିସର ମାନଙ୍କ ପିଲାମାନେ ପଢୁ ଥିଲେ । ତେବେ ସବୁ ଉଚ୍ଚ ପଦାଧିକାରୀଙ୍କ ପିଲା ମାନେ ନୁହେଁ କାରଣ ମୋ ସାଙ୍ଗରେ ଅନେକ ଉଚ୍ଚ ପଦାଧିକାରୀ ଇଂଜିନିୟର ଓ ଡାକ୍ତରଂକ ପିଲା ମାନେ ପଢୁଥିଲେ ଯେଉଁମାନଙ୍କ ସହିତ ଏବେବି ମୋର ବନ୍ଧୁତା ରହିଛି । ଆଉ ତା ଛଡା ଇଂଲିଶ ମିଡ଼ିୟମରେ ପଢିବା ଓ ପଢ଼ାଇବା ପାଇଁ ଆଜିକାର ଅଭିଭାବକ ମାନଙ୍କ ଭିତରେ ଯେପରି ଗୋଟାଏ ପ୍ରବଳ ଆଗ୍ରହ ଅଛି ସେପରି ଜମାରୁ ନ ଥିଲା । ବରଂ କମ୍ପାନୀ ପରିଚାଳିତ ସ୍କୁଲ ର ପିଲାମାନେ ହିଁ ଅନ୍ୟ ମାନଙ୍କ ଠାରୁ ଯଥେଷ୍ଟ ଭଲ କରୁ ଥିଲେ ।

ମୁଁ ଓଡ଼ିଆ ବିଭାଗର ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇ ଥିଲି । ଆମ ଓଡ଼ିଆ ବିଭାଗରେ ସେତେବେଳେ ତିନି ଜଣ ଶିକ୍ଷକ ଥିଲେ – ‘ମିଶ୍ର ସାର’, ‘ନନ୍ଦ ସାର’ ଓ ଜଣେ ମହିଳା ଶିକ୍ଷିକା ଥିଲେ ଯାହାଙ୍କୁ ଆମେ ସବୁ ‘ମାଷ୍ଟ୍ରାଣୀ ସାର’ ବୋଲି ଡାକୁଥିଲୁ । ପ୍ରାଇମେରୀ ସ୍କୁଲ ରେ ୧ମ ରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଥିଲା । ଆମର କ୍ଲାସ ସବୁଦିନ ୧୧ଟା ରୁ ଆରମ୍ଭ ହୋଇ ଦିନ ୪ ଟା ପର୍ଯ୍ୟନ୍ତ ଚାଲୁ ଥିଲା । ଆମ ଘରେ ସେତେବେଳେ ଘଡି ନ ଥିଲା କିନ୍ତୁ ଆମେ ସୂର୍ଯ୍ୟଙ୍କୁ ଦେଖି ସେ ସମୟରେ ସମୟର ପ୍ରାୟତଃ ଠିକ ଅନୁମାନ କରି ପାରୁ ଥିଲୁ ଏ କଥା ମୋର ଆଜିବି ଭଲ ଭାବରେ ମନେ ଅଛି । ଏହି କାରଣରୁ ସ୍କୁଲରେ ପହଂଚିବାରେ ମୋର କେବେବି ବିଳମ୍ବ ହେଉ ନଥିଲା । ମୁଁ ସ୍କୁଲରେ ସାରବର୍ଷ ଉପସ୍ଥିତ ରହି ‘ପୂର୍ଣ୍ଣ ଉପସ୍ଥାନ’ ର ପୁରସ୍କାର ପ୍ରାପ୍ତ ହେଉଥିଲି ।

ଆମେ ସ୍କୁଲରେ ପଢ଼ିବାର ଅନେକ ଦିନ ପରେ ନନା ଦିନେ ଗୋଟିଏ ସୁନ୍ଦର ଟେବୁଲ ଘଣ୍ଟାଟିଏ କିଣି ଆଣି ଥିଲେ ଯାହାର ନାମ ଥିଲା ଜାଜ ଘଣ୍ଟା ଯାହା ଜର୍ମାନୀରେ ତିଆରି ହୋଇଥିଲା । ସେଥିରେ ପ୍ରତିଦିନ ରାତିରେ ନନା ଚାବି ଦେଉ ଥିଲେ । ସେଥିରେ ଯେତେବେଳେ ନୂଆ କରି ଆଲାର୍ମ ବାଜିଲା ଆମେ ଭାଇ ଭଉଣୀ ଶୁଣି ଅତ୍ୟନ୍ତ ଆନନ୍ଦିତ ହୋଇଥିଲୁ ।

ମୁଁ ପ୍ରଥମ ଶ୍ରେଣୀରେ ପଢିଲା ବେଳକୁ ମୋ ବଡ଼ ନାନୀ ଆଶାଲତା ମିଶ୍ର ୩ୟ ଶ୍ରେଣୀରେ ଆଉ ବଡ଼ ଭାଇନା ଶ୍ରୀକାନ୍ତ ମିଶ୍ର ୫ମ ରେ ପଢୁ ଥିଲେ । ମାନେ ମୁଁ ପ୍ରଥମରେ ପଢିଲା ବେଳକୁ ଭାଇନା ମାଇନର ସ୍କୁଲ୍ କୁ ଚାଲି ଯାଇଥିଲେ । ୪ ର୍ଥ ଶ୍ରେଣୀ ଠାରୁ ମିଡଲ ସ୍କୁଲ କୁ ଯିବାକୁ ହେଉ ଥିଲା । ୪ ର୍ଥ ଠାରୁ ୭ ମ ମାଇନର ଆଉ ତା ପରେ ୭ ମ ଠାରୁ ଏକାଦଶ ପର୍ଯ୍ୟନ୍ତ ଥିଲା ହାଇସ୍କୁଲ । ମୁଁ ୧ ମ ଶ୍ରେଣୀରେ ପଢିଲା ବେଳକୁ ଆଶା ନାନୀ ସାଙ୍ଗରେ ଗୋଟାଏ ବର୍ଷ ପର୍ଯ୍ୟନ୍ତ ସ୍କୁଲ୍ କୁ ଯାଇଥିଲି । ତା ପରେ ଆଶା ନାନୀ ୪ ର୍ଥ ଶ୍ରେଣୀ ଠାରୁ କଦମା ଗାର୍ଲସ ମିଡଲ ସ୍କୁଲ୍ କୁ ପଢିବାକୁ ଚାଲି ଯାଇଥିଲା ।

ପିଲାବେଳରୁ ମୋର ଅଭ୍ୟାସ ଯେ ମୁଁ କେବେବି ସ୍କୁଲରୁ କୌଣସିଦିନ ବି ଅନୁପସ୍ଥିତ ରହୁ ନ ଥିଲି କି ସ୍କୁଲ କୁ ବିଳମ୍ବରେ ପହଂଚୁ ନ ଥିଲି । ମୋ ପାଖରେ ଯଦିଓ ସ୍କୁଲରେ ପିନ୍ଧିବା ପାଇଁ ଦୁଇ ତିନୋଟି ଜାମା ପେଣ୍ଟ ହଳ ଥିଲା କିନ୍ତୁ ସେ ଗୁଡିକ ସର୍ବଦା ସଫା ରହୁଥିଲା । ମତେ ସଫା ରହିବା ପାଇଁ, ଭଲ ସ୍ଵଛ ପୋଷାକ ପିନ୍ଧିବା ପାଇଁ ଆଉ ସବୁବେଳେ ଉପସ୍ଥିତ ରହିବ ପାଇଁ ପିଲା ଦିନରୁ ପୁରସ୍କାର ମାନ ମିଳୁଥିଲା । ସେ ସମୟରେ ଆଜିକା ପରି ୟୁନିଫର୍ମ ପିନ୍ଧିବାର ନିୟମ ନ ଥିଲା । ସମସ୍ତେ ନିଜେ ନିଜର ଇଚ୍ଛା ଆଉ ସାମର୍ଥ୍ୟ ଅନୁସାରେ ପୋଷାକ ପିନ୍ଧୁ ଥିଲେ । ପଢ଼ାରେ ଯଦିଓ ମୁଁ ବହୁତ ଭଲ ନ ଥିଲି, କିନ୍ତୁ ଭଲପିଲା ଭାବରେ ମୋର ଗଣନା ହେଉ ଥିଲା । ମୋ ଭାଇନା ଶ୍ରୀକାନ୍ତ ମିଶ୍ର କିନ୍ତୁ ପଢ଼ାରେ ଅତି ବିଚକ୍ଷଣ ଥିଲେ । ସେ ପ୍ରତି ଶ୍ରେଣୀରେ ପ୍ରଥମ ହେଉ ଥିଲେ ଆଉ ଅନେକ ପୁରସ୍କାର ପାଉ ଥିଲେ । ସେ ସମୟରେ ପିଲାଙ୍କୁ ପୁରସ୍କାର ହିସାବରେ ବହିମାନ ଦିଅ ଯାଉ ଥିଲା । ଭାଇନା, ନାନୀ ଆଉ ମୁଁ ଭିଭିନ୍ନ ପୁରସ୍କାର ପାଇ ଘରେ ଅନେକ ବହି ରଖିଥିଲୁ, ଯେଉଁଥିରୁ ଅନେକ ବହି ଏବେବି ମୋ ପାଖରେ ଅଛି । ମୁଁ ଗୋଟିଏ ପୁସ୍ତକ ପ୍ରେମୀ ହୋଇଥିବାରୁ ବହି ସବୁକୁ ଭଲରେ ସାଇତି ରଖି ଥାଏ । ଭାଇନା ଭଲ ଲେଖା ଲେଖି ମଧ୍ୟ କରୁଥିଲେ । ପ୍ରତିବର୍ଷ ବାର୍ଷିକ ସ୍ମରଣିକାରେ ତାଙ୍କର ଅନେକ ଲେଖା ଛପୁ ଥିଲା ଏବଂ ଆଦୃତ ହେଉଥିଲା । ପରେ ଭାଇନା ଅବଶ୍ୟ ଆଉ ଲେଖାଲେଖି କରି ନ ଥିଲେ କିନ୍ତୁ ତାଙ୍କ ଠାରୁ ସଂକ୍ରମିତ ହୋଇ ଲେଖା ଲେଖି କରିବା ମୋର ପିଲାଦିନରୁ ଗୋଟିଏ ଅଭ୍ୟାସରେ ପରିଣତ ହୋଇ ଯାଇ ଥିଲା ଯାହା ଏବେବି ଅଛି । ଭାଇନା କେବଳ ଲେଖା ଲେଖି କରୁ ନ ଥିଲେ ତା ସହିତ ଭଲ ବକ୍ତୃତା ଦେଇ ପାରୁଥିଲେ, ଭଲ ଆବୃତ୍ତି କରି ପାରୁ ଥିଲେ ଏବଂ ସେ ସବୁରେ ମଧ୍ୟ ପ୍ରଥମ ହେଉ ଥିଲେ ଓ ପୁରସ୍କାର ପାଉ ଥିଲେ । ମୁଁ ତାଙ୍କ ଠାରୁ ଶିଖି ଭଲ ବକ୍ତୃତା ଦେବା ଆଉ ଆବୃତ୍ତି କରି ପାରୁ ଥିଲି । ମୋ ଆଶା ନାନୀ ମଧ୍ୟ ବହୁତ ଭଲ ପଢୁଥିଲା ଆଉ ସେ ମଧ୍ୟ ପ୍ରତି ଶ୍ରେଣୀରେ ପ୍ରଥମ ହେଉ ଥିଲା । ଅଙ୍କରେ ସେ ଅତି ବିଚକ୍ଷଣ ଥିଲା, ୧୦୦ ରୁ ୧୦୦ ପାଉ ଥିଲା । ମୁଁ କିନ୍ତୁ ପଢ଼ାରେ ସେମାନଙ୍କ ପରି ବିଚକ୍ଷଣ ନ ଥିଲି, ତେବେବି ଭଲ ପିଲାରେ ମୋର ଗଣା ହେଉଥିଲା ।

ପ୍ରାଥମିକ ବିଦ୍ୟାଳୟରେ ସେତେବେଳେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢା ହେଉ ଥିଲା । ସେତେବେଳର ଯେଉଁ ସବୁ କଥା ମୋର ମନେ ଅଛି ସେ ଗୁଡିକ ନିମ୍ନରେ ଉଲ୍ଲେଖ କରୁଛି । ସେତେବେଳେ ଆମେ ରହୁଥିଲୁ କଦମା ଏନ – ୧ ଟାଇପ ଘରେ । ସେ ଘର ପାଖରେ ଗୋଟାଏ ବଡ଼ ପଡିଆ ଥିଲା ଆଉ ସେଥିରେ ଆମ ଘରକୁ ପଛ କରି ଗୋଟାଏ ବଡ଼ ଧଳା କାଂଥ ତିଆରି କରା ଯାଇ ଥିଲା ଟିସ୍କୋର କମ୍ୟୁନିଟି ଡେଭେଲପମେଣ୍ଟ ଡିପାର୍ଟମେଣ୍ଟ ତରଫରୁ । ତାକୁ ସାଧାରଣରେ ‘ଫୋକଟିଆ ସିନେମା ଦିବାଲ’ ବୋଲି କୁହା ଯାଉଥିଲା । ସେ କାନ୍ଥରେ ସପ୍ତାହକୁ ଥରେ ବା ଦୁଇଥର ମାଗଣାରେ ହିନ୍ଦୀ ସିନେମା ଦେଖା ଯାଉଥିଲା । ତା ଛଡା ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ନିର୍ଦିଷ୍ଟ ସମୟରେ ହିନ୍ଦୀ ରେ ଖବର ପଢିବା ଏବଂ ଭଲ ଭଲ ହିନ୍ଦୀର ପୁରୁଣା ଗୀତ ସବୁ ବଜା ଯାଉ ଥିଲା ଲୋକଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ । ସେ କାନ୍ଥର ସାମ୍ନାରେ ଚାରିପଟେ ଲୁହା ଏବଂ କାଠର ବେଞ୍ଚ ମାନ କରାଯାଇଥିଲା ଯେଉଁଥିରେ ବସି ଲୋକମାନେ ଖବର, ଗୀତ ଏବଂ ସିନେମା ଆଦି ଦେଖି ପାରୁଥିଲେ । ସପ୍ତାହକୁ ଥରେ ମୁଖ୍ୟତଃ ଶନିବାର ସନ୍ଧ୍ୟାରେ ସେଠାରେ ମାଗଣାରେ ଭଲ ଭଲ ପୁରୁଣା ସିନେମା ହେଉଥିବାରୁ ଯଥେଷ୍ଟ ଭିଡ଼ ହେଉଥିଲା । ସେତେବେଳେ ଜାମସେଦପୁରର ବିଭିନ୍ନ ସ୍ଥାନ ମାନଙ୍କରେ ଏ ପ୍ରକାର ବନ୍ଦୋବସ୍ତ ହୋଇଥିଲା ସାଧାରଣ ଲୋକଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ । ସେତେବେଳେ ମୁଁ ଅନେକ କଳା ଧଳା ସିନେମା ଦେଖିଥିଲି ଯାହା ଏବେବି ମୋର ମନେ ଅଛି । ଆମ ନନା ଭାରି କଡା ଲୋକ ଥିଲେ । ସେ ଆମ ମାନଙ୍କୁ ସିନେମା ଦେଖିବାକୁ ଛାଡୁ ନ ଥିଲେ । ଆମେ ସବୁ ମାନେ ମୁଁ ବିଶେଷ କରି ଲୁଚିକରି ଯାଉଥିଲି, କାରଣ ପିଲାଦିନରୁ ହିନ୍ଦୀ ଗୀତ ଏବଂ ସିନେମା ପ୍ରତି ମୋର ଗୋଟାଏ ଦୁର୍ବଳତା ଥିଲା ।

– ତା’ପରେ –

To Top