ଅନୁଭୂତି

ପ୍ରଥମ କବିତା

Dr Anita Panda

ବାପା ମନ୍ତବ୍ୟ ଦେଲେ ଆଜିର ଏ ଟାଇଁ ଟାଇଁଆ ଖରା ବାୟୁମଣ୍ଡଳକୁ ପ୍ରଦୂଷିତ କରିଦେଲା । ତେଣୁ ବର୍ଷା ନିଶ୍ଚୟ ହେବ ।

ପ୍ରଥମ କବିତା

-: ପୂର୍ବରୁ :-

ରଜପର୍ବ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ପର୍ବ ରୂପେ ବଡ଼ ଧୂମଧାମ୍‌ରେ ଓଡ଼ିଶାରେ ପାଳନ କରାଯାଏ । କୁହାଯାଏ ଅଭିଆଡ଼ୀ ଝିଅମାନଙ୍କ ପର୍ବ, ମାତ୍ର ଯୁବକ, କିଶୋରମାନେ ମଧ୍ୟ ମନଭରି ଉପଭୋଗ କରନ୍ତି । ପୌଢ଼ ପୌଢ଼ାମାନେ ମଧ୍ୟ ବାଦ୍ ଯାଇନଥାନ୍ତି । ଏଇ ଖାଇବା ଖେଳିବା କୁଆଁରୀ ପର୍ବଟି ପଲ୍ଲୀମାନଙ୍କରେ ଖୁବ୍ ଆନନ୍ଦ ଦାୟକ ପର୍ବ । ଆମ ଘରେ ଏଇ ରଜ ପର୍ବ ପାଳନଟି ଟିକିଏ ନିଆରା । ତା’ର କାରଣ ହେଉଛି, ଜମିଦାରୀ ଚାଲିଗଲେ ମଧ୍ୟ କୋଡ଼ିଏ ଖଣ୍ଡ ଗାଁରେ ଆମକୁ ବାବୁ ଘର ବୋଲି ମାନନ୍ତି । ଆମର ଦୁଇଟା ବଡ଼ ବଡ଼ ବଗିଚା । ବଗିଚାରେ ନାନା ଗଛପତ୍ର ସହ ଆମ୍ୱଗଛର ମାତ୍ରା ବେଶି । ଏଇ ଦୁଇଟି ବଗିଚାକୁ ଛାଡ଼ି ଦେଲେ ଘର ପଛକୁ ଏକ ପ୍ରଶସ୍ତ ବାଡ଼ି (ବଗିଚା), ଯାହାକୁ ନଈବାଡ଼ି ବୋଲି କୁହାଯାଏ । ଏହା ବେଙ୍ଗଭଦ୍ରା (ପବିତ୍ର ବୈତରଣୀ ନଦୀର ଗୋଟିଏ ଶାଖା) ନଦୀକୁ ଯିବା ପାଇଁ ରାସ୍ତା । ଏଇ ରାସ୍ତା ଉପରେ ମଧ୍ୟ କଟକଣା । ଏଇ ରାସ୍ତାରେ ଭିନ୍ନଜାତି ଲୋକମାନଙ୍କୁ ଯିବା ପାଇଁ ଆଦେଶ ନାହିଁ । ତେଣୁ ମଝିରେ ବାଉଁଶ ପାତିଆ ବ୍ୟବହାର କରି ଏକ ବାଡ଼ ଦିଆଯାଇଛି । ବାଡ଼ର ଅନ୍ୟ ପାର୍ଶ୍ୱରେ ବିରାଟ ତୋଟା ବରଗଛ ପାଇଁ ପ୍ରସିଦ୍ଧ । ସେଇଥିରେ ଥିଲା ଜନ ସାଧାରଣମାନଙ୍କ ପାଇଁ ରାସ୍ତା । ଜମିଦାରୀ ଯିବା ପରେ ଗୋଟାଏ କୋଣକୁ ନିଜ ଇଚ୍ଛାରେ ଭାଙ୍ଗି ଦେଇ ନଈପାରିକୁ ଯିବା ପାଇଁ ଯାତାୟାତ ରାସ୍ତା ଖୋଲି ଯାଇଛି । ଏଇ ବଗିଚାଟି (ବାଡ଼ି) ଆମ୍ୱଗଛ, ବାଉଁଶ ଗଛରେ ପରିପୂର୍ଣ୍ଣ । ସୂର୍ଯ୍ୟ କିରଣ ଟିକିଏ ବି ଆସେନା । ଏମିତିକି ଝଡ଼ି ବର୍ଷାର ପ୍ରକୋପ ମଧ୍ୟ ଖୁବ୍ କମ୍ ଅନୁଭବ କରାଯାଏ । ଘର ପାଖ ବଗିଚାରେ ଦୋଳି ବନ୍ଧାଗଲେ ଘରର ଶୃଙ୍ଖଳତାରେ ବ୍ୟାଘାତ ଘଟିବ ବୋଲି ବାପା, କୂଅମୂଳ ବାଡ଼ି ଆମ୍ୱଗଛର ଶାଖାଟି ବହୁ ଉଚ୍ଚରେ । ତେଣୁ ଏହା ପାଇଁ ଖୁବ୍ ଲମ୍ୱ ବାଉଁଶର ଆବଶ୍ୟକତା ପଡ଼ିଥାଏ । ଆପାତତଃ ଏଇ ଦୋଳିଟିକୁ ଖୁବ୍ ଜୋର୍‌ରେ ଉଠାଇବା ପାଇଁ ବହୁ ତାକତ (ଜୋର୍) ଲଗାଇବାକୁ ହୁଏ । ଦୋଳି ଖୁବ୍ ଜୋର୍‌ରେ ନ ଉଠିଲେ କି ମଜା । ତେଣୁ ଆମେ ନଈକୂଳ ବାଡ଼ିରେ ଏକଜୁଟ ହେଉ । ଜୁନ୍ ମାସ (ଜ୍ୟେଷ୍ଠ ଶେଷ) ଆଡ଼କୁ ଗଛରୁ ଆମ୍ୱ ଶେଷ ହୋଇ ଯାଇଥିଲେ ମଧ୍ୟ କେଉଁଠି କେମିତି ପତ୍ର ଗହଳିରେ ଗୋଟାଏ ଗୋଟାଏ ଲୁଚି ରହିଥାଏ । ଝଡ଼ି ପଡ଼ିଲେ ସେ ଗୁଡ଼ା ପୁଅମାନଙ୍କର ବୋଲି ଆମେ କହିଥାଉ । ତେଣୁ ଛୋଟ ଛୋଟ ପୁଅମାନେ ଦୋଳି ପାଖେ ବସି ଦୋଳି ଖେଳ ମଜା ନିଅନ୍ତି । ସାଙ୍ଗରେ ଆମ୍ୱ ଖାଇବା, ସମୟେ ସମୟେ ସବୁ ଝିଅମାନେ ମିଶି ସେମାନଙ୍କୁ ମାଇଚିଆ ଆଖ୍ୟା ଦେଇଥାଉ । ଆମ କଥାରେ ପ୍ରତିବାଦ କରି ସେମାନେ କହନ୍ତି । କେଇଖଣ୍ଡ ଗାଁ ଭିତରେ ତୁମ ଘରେ ହିଁ କେବଳ ପଟା ଦୋଳି ବନ୍ଧା ହୁଏ, ଅନ୍ୟ କେଉଁଠି କେମିତି ଦଉଡ଼ି ଝୁଲି । ସେଥିରେ ମଜା ଆସେ ନା । ବଡ଼ ପିଲାମାନେ ବାଗୁଡ଼ି (କବାଡ଼ି) ଖେଳରେ ମିଶିବାକୁ ଦିଅନ୍ତିନି । ତା’ ଛଡ଼ା ତୁମ ଝିଅ ପିଲାମାନଙ୍କର ଦୋଳି ଉଡ଼ାଇବାକୁ ତାକତ କାହିଁ ?

ଦୋଳି ଖେଳିବା ପାଇଁ ମଧ୍ୟ ଆଉ କିଛି ନିତିନିୟମ ଥିଲା । ସେ ହେଲା । ଦୁଇ ପହର ସମୟରେ ପାନ ଖାଇ ଓଠ ନାଲି କରିବା ।

ସଜନା ଡବା ଡବା ଭଙ୍ଗା ପାନ ଆଣି ଯୋଗାଏ । ହେତୁ ହେବା ଦିନୁ ମୁଁ ପାନ ଖାଏନା । ତା’ର କାରଣ ହେଲା ଗୋପାଳ ମଉସାଙ୍କର (ବାପାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ) ଜିଭ କର୍କଟ ରୋଗରେ କଟକ ଡାକ୍ତରଖାନାରେ ସ୍ୱର୍ଗବାସ ହୋଇଥିଲା । ବାପା କହୁଥିଲେ ଭାରି ଭଲ ମଣିଷଟାଏ ଥିଲା ଗୋପାଳ । ସବୁ କାମରେ ମୋର ଡାହାଣ ହାତ ଥିଲା । ହେଲେ ପାନ ଖାଇବା ବଦ ଅଭ୍ୟାସଟି ତା’ର ଛଡ଼ାଇ ପାରିଲିନି । ଶେଷରେ ତାକୁ ହରାଇଲି । ମୋର ସ୍ପଷ୍ଟ ମନେଅଛି ବାପାଙ୍କ ଆଖି ଦୁଇଟି ସଜ୍ଜଳ ହୋଇ ଉଠିଥିଲା ।

ମରିବା ଭୟ ନୁହେଁ, ଏଇ ବଦ ଅଭ୍ୟାସ ଶବ୍ଦଟି ମୋ ମନରେ ବସା ବାନ୍ଧି ଦେଇଥିଲା । ପାନ ଖାଇବା ଯଦି ବଦ୍ ଅଭ୍ୟାସ । ତେବେ ତା’ଠାରୁ ଲୋକମାନେ ଦୂରରେ ରହନ୍ତି ନାହିଁ କାହିଁକି ? ବାସନ୍ତୀ କହିଲା ନନ୍ଦ ଭାଇ କଲିକତାରେ କାମ କରନ୍ତି । କହୁଥିଲେ ପାନପତ୍ର ଖରାପ ନୁହେଁ, ସେଥିରେ ଦିଆଯାଉଥିଲା ଚୂନ, ଖଇର ଖରାପ । ଶୁକନନା କହିଲେ ତୁମମାନଙ୍କୁ କିଛି ଜଣା ନାହିଁ ପିଲେ, ସେଥିରେ ଥିବା ଦୋକତା ହାନିକାରକ । ଆକବର ଖାଁ ଗୁଡ଼ାଖୁ କମ୍ପାନୀରେ କାମ କରନ୍ତି ଶୁକନନା । ହେଲେ କେହି ମଧ୍ୟ ଏ ବଦଅଭ୍ୟାସ ଶବ୍ଦଟି ମୋ ମନରୁ ବାହାର କରିପାରି ନଥିଲେ ।

ଆମ ଘରେ ପାନ ଖାଇବା ଅଭ୍ୟାସ କାହାର ନାହିଁ, କେବଳ ନାନୀ ବ୍ୟତୀତ । ତେଣୁ ନାନୀ ଯେତେବେଳେ ପାନ ଭାଙ୍ଗୁଥାଏ ମୁଁ ସେଠାରୁ ମୁହଁ ମୋଡ଼ି ଚାଲିଯାଇଥାଏ । ବେଳେ ବେଳେ ସାହସ କରି କହିଥାଏ ପାନ ନ ଖାଇ ଲବଙ୍ଗ ଖାଆ । ପାନ ଖାଇବା ବଦ ଅଭ୍ୟାସ । ସେ ମୋ ଉପରେ ଖୁବ୍ ରାଗିଯାଇଥାଏ । କହେ କାଲିକା ପିଲାଟା, ତୁ ମତେ ଅଭ୍ୟାସ ଶିଖେଇବୁ । ନାନୀ କଥା ମତେ ଜମା କାଟେନା । କାହିଁକି ନା, ବାପାଙ୍କ ଠାରୁ ଶୁଣି ଆସିଛି ନିଶା ଥରେ ଲାଗିଗଲେ ଆଉ ଛାଡ଼ିବା ସମ୍ଭବ ନୁହେଁ । ସେ ପାନ, ଦୋକତା, ମଦ କିମ୍ୱା ଚାହା । ତା’ ଛଡ଼ା ମୁଁ ଜାଣେ ନାନୀ ବହୁତ ଜିଦିଖୋର୍ । ସ୍ୱୟଂ ଭଗବାନ ମଧ୍ୟ ତା’ ଜିଦି ଛଡ଼ାଇ ପାରିବେନି । ତା’ ନିଜ କାମ, ନିଜ ଗୁଣ ଏମିତିକି ସେ ମାନୁଥିବା ଦେବତା ଦୁନିଆଁରେ ଶ୍ରେଷ୍ଠ, ଖୁଡ଼ି, ଦେଠେଇ, ରାଧାନାନୀଙ୍କର କହିବା ଶୁଣିଛି, ଏବେ ସିଏ ସର୍ବେସର୍ବା, ଆଗକୁ ଆଗକୁ ସମୟ ଆସୁଛି । କିଏ ତାକୁ ସମ୍ଭାଳିବ । ଦୁନିଆଁରେ କେଇଟା ଲୋକ ସହିଷ୍ଣୁ ଅଛନ୍ତି । ସେ ପୁଣି ଆମର ଦ୍ୱିତୀୟ ପୀଢ଼ି ।

ମୁଁ ପାନ ଖାଏନା ବୋଲି ସଜନା ମୋ ପାଇଁ ପୋଡ଼ପିଠା ନେଇ ଆସିଥାଏ । ସାଙ୍ଗମାନେ ପାଟି କରନ୍ତି । ସଜନା ପାତର ଅନ୍ତର କରୁଛି । ଦୃଢ଼ ହୋଇ ସଜନା ଉତ୍ତର ଦିଏ ତୁମେ ସବୁ ତ ପାନ ଚରି ଯାଉଛ । ଗେହ୍ଲୀ ନାନୀ ପାନ ଖାଏନା ଯେ, କହି ବଳକା ପିଠାଗୁଣ୍ଡାତକ ମୋ ପାଟିରେ ଗେଞ୍ଜି ଦେଇ ଘର ଆଡ଼େ ମୁହାଁଏ । ପଛରୁ ଝିଅମାନେ ତାକୁ ଚିଡ଼ାନ୍ତି ବାହାନ. . . ବାହାନ. . . ବାହାନ. . . ତା’ର ଅର୍ଥ ହେଲା ଯାଜପୁର ପୂଜା ଦେଖିବାକୁ ମୁଁ ଚାଲି କରି ଯାଇପାରୁ ନ ଥିଲି ବୋଲି ସେ ମତେ କାନ୍ଧରେ ବସେଇ ନେଉଥିଲା ।

ତୃତୀୟ ନିୟମଟି ଆହୁରି ମହତ୍ତ୍ୱପୂର୍ଣ୍ଣ । ଦୋଳି ଖେଳ ଶେଷ ହେବା ପରେ ସମସ୍ତେ କୂଅ ପାଖକୁ ଯାଇ ହାତ ମୁହଁ ଧୋଇ ପରିଷ୍କାର ହୋଇ ଲାଇନ୍ କରି ବସିବେ । ଭାତ, ତରକାରୀ ପରଶିବା ସୁଶୀନାନୀର କାମ । ରଜରେ ଘରମାନଙ୍କରେ ମାଂସ ରନ୍ଧା ହୋଇଥାଏ । ମାତ୍ର ଆମର ଠାକୁରଘର ବୋଲି ସାଦା ଖାଇବାକୁ ହୁଏ । (ନିରାମିଷ) ହେଲେ ସେଇ ନିରାମିଷ ଖାଦ୍ୟ କି ଅମୃତ । ନାନୀ ମଝିରେ ମଝିରେ ଆସି ତଦାରଖ କରିଯାଏ । ଖାଇବା ଶେଷରେ ଆମ୍ୱ କଟା, ମଞ୍ଜି ବାହାରିଥିବା ପଣସ. . . କି ଆନନ୍ଦଦାୟକ ! ଝିଅମାନେ ବିଦା ହେବା ପୂର୍ବରୁ ନାନୀ ସମସ୍ତଙ୍କ ହାତରେ ଖିଲେ ଲେଖାଏଁ ସାଦା ପାନ ଧରାଇ ଥାଏ । ଅତି ସାଙ୍ଗ କେତେଜଣ ରଜ ଘରେ ଆଡ୍ଡା ଦେଉ । ଲୁଡ଼ୋ, ତାସ ଖେଳ, ରଜଦୋଳି ଗୀତର ଧୂମ୍ । ଚାରିଟା ପରେ ସାଇବୁଲା ପର୍ବ । ଜମିଦାର ଘର ଝିଅକୁ ସରସ୍ୱତୀ ପୂଜା ସମୟରେ ସରସ୍ୱତୀ ମାତାଙ୍କୁ ଥାଳିରେ ବୁଲାଇ ବୁଲାଇ ଚାନ୍ଦା ମାଗିବା ଏବଂ ରଜ ତିନିଦିନ ସାଇବୁଲା ମଞ୍ଜୁର । ସମବୟସୀ ଝିଅମାନଙ୍କ ସଙ୍ଗେ ପ୍ରଥମ ରଜଦିନ ସାଇବୁଲାର ମଜା ଅବର୍ଣ୍ଣନୀୟ ।

ଏ ବର୍ଷ (୧୯୫୯ ମସିହା) ପ୍ରଥମ ରଜଟି ଏକ ସ୍ମୃତିଦାୟକ ।

ମୁଁ ଜମା ଖରା ସହିପାରେନା । ଦିନରେ ମୁଣ୍ଡ ଫଟା ଖରା ଥିଲା । ଆମ୍ୱପତ୍ରମାନଙ୍କ ଗହଳିରେ ଦୋଳି ଖେଳିବା ସମୟରେ ଜଣା ପଡ଼ିଲାନି । ମାତ୍ର ରଜ ଘରେ ବସି ମଜା କରିବା ମଧ୍ୟ ଅସହଣୀୟ ହେଲା । ଚାରିଟା ସମୟରେ ମନେ ହେଲା ଦିନ ବାରଟା । ବାଧ୍ୟ ହୋଇ ସାଇ ବୁଲିବା ସଉକଟାକୁ ଚାପି ଦେବାକୁ ପଡ଼ିଲା । ମନକୁ ଦୃଢ଼ କଲି । କାଲି ସକାଳୁ ସକାଳୁ ସାଇ ବୁଲା କାମ ଶେଷ କରି ଟାଣ ଖରା ଆସିବା ପୂର୍ବରୁ ଦୋଳିବା ଖେଳିବା । ହେଲେ ଆମ ଠାରୁ ବଡ଼ଧିଅମାନେ ମନ୍ତବ୍ୟ ଦେଇଥିଲେ, ସକାଳ ଓଉତା (ଓଳି) ସମସ୍ତେ ଘର କାମରେ ବ୍ୟସ୍ତ ରହନ୍ତି । ଆମମାନଙ୍କର ସମ୍ଭାଷଣ କରିବାକୁ କାହା ପାଖେ ସମୟ ଥିବ । ବିନା ସମ୍ଭାଷଣରେ କି ମଜା ! ! ! !

ସାଇ ଝିଅମାନେ ଚାଲିଗଲା ପରେ ମନମାରି ବସିଥିଲି । ହଠାତ୍ ଧୂମାଳ ମାଡ଼ି ଆସିଲା । ଘର ଭିତରେ ଆଲୋଚନା । ବଡ଼ ବର୍ଷାଟାଏ ହେବ । ବାପା ମନ୍ତବ୍ୟ ଦେଲେ ଆଜିର ଏ ଟାଇଁ ଟାଇଁଆ ଖରା ବାୟୁମଣ୍ଡଳକୁ ପ୍ରଦୂଷିତ କରିଦେଲା । ତେଣୁ ବର୍ଷା ନିଶ୍ଚୟ ହେବ । ଏଥିରେ ବହୁ ବୈଜ୍ଞାନିକ କାରଣ ନିହିତ ରହିଛି ।

ହଁ, ଏତେ ଗରମରୁ ତ ରକ୍ଷା ମିଳିବ । ଇନ୍ଦ୍ରଦେବ କ’ଣ ଉପରେ ରହି ଆମ ଦୁଃଖ ଦେଖୁ ନାହାନ୍ତି ।

ନା ରଙ୍ଗିଆ, ଇଏ ସବୁ ଆଧ୍ୟାତ୍ମିକ କଥା ନୁହେଁ । ଏଥିରେ ବିଜ୍ଞାନ ଜଡ଼ିତ ।

ସେ କେମିତି ? କହିଲା ଭିକାରୀ ।

ବାପା ସବୁ ଜିନିଷର ଗୋଟାଏ ଲେଖାଏଁ ବୈଜ୍ଞାନିକ କାରଣ ବାହାର କରିଥାନ୍ତି । ତାଙ୍କୁ କେମିତି ଏତେ କଥା ଜଣା । ନିଶ୍ଚୟ ବେଶୀ ପାଠ ପଢ଼ିଛନ୍ତି ବୋଲି । ହଁ ସେଇଥିପାଇଁ ବୋଧେ ବଡ଼ନନା ଏତେ ଜ୍ଞାନୀ । ତୃତୀୟ ଶ୍ରେଣୀ ବହିର ଗୋଟିଏ ଗଦ୍ୟ ମନେ ପଡ଼ିଲା । ଛୋଟ ପିଲାଟି ତା’ର ବାପାଙ୍କୁ ପଚାରୁଛ, ରାତିରେ ଆକାଶରେ ଏତେ ସୁନ୍ଦର ସୁନ୍ଦର ତାରା, ସକାଳେ କୁଆଡ଼େ ଚାଲିଯାଆନ୍ତି । ପଢ଼ିଲେ ଜାଣିବୁ ।

ଏକ ଲାଇନ୍‌ରେ ଥିବା ଏ ସାତୋଟି ତାରାଙ୍କୁ କାହିଁକି ସପ୍ତର୍ଷିମଣ୍ଡଳ କୁହାଯାଏ ।

ପଢ଼ିଲେ ଜାଣିବୁ ।

ଧ୍ରୁବ ତାରା କାହିଁକି ସ୍ଥିର ?

ପଢ଼ିଲେ ଜାଣିବୁ ।

ଅସମ୍ଭବ ଭାବରେ ଉଦାସ ହୋଇ ନିଜକୁ ନିଜେ କହିଲି, ସବୁ କଥା ପଢ଼ିଲେ ଜାଣିବୁ । ଆମେ ପାଠ ପଢ଼ିନୁ ବୋଲି ସଂସାରର କିଛି କଥା ଜାଣିବୁନି । ନୂଆ କରି ଶିଖିଥିବା ବଙ୍ଗଳାର ଗୋଟିଏ ଧାଡ଼ି ମନକୁ ଆସିଲା, ବେଲ୍ ପାକ୍ଲେ କାକେର କି ! ତଥାପି ବାପାଙ୍କ କଥା ଆଡ଼େ କାନେଇଲି ।

ବହୁ ଖରାହେଲେ ଧୂଳି ଗରମ ହୋଇ ଯାଇଥାଏ । ଅତ୍ୟନ୍ତ ଗରମ ହେବା ପରେ ଉଡ଼ି ଏହା ଆକାଶରେ ଆଦ୍ରତା ସୃଷ୍ଟି କରିଥାଏ ।

ବୁଝିଗଲି ବାବୁ, ସେଇଥି ନାଗି ବଇଶାଖ, ଜ୍ୟେଷ୍ଠରେ ଆମ ଦିହରୁ ଝାଳ ବୋହିଥାଏ । କହିଲା ଜଟିଆ ।

ଜଟିଆ କଥା ଉପରେ ଗୁରୁତ୍ୱ ନ ଦେଇ ବାପା ତାଙ୍କର ପୂର୍ବ ଭାଷଣ ଜାରୀ ରଖିଲେ । ସେଇ ବିନ୍ଦୁଗୁଡ଼ିକ ଓଜନ ହୋଇଗଲେ ପାଣି ହୋଇ ଭୂମି ଉପରେ ବର୍ଷିଯାଏ । ଯାହାକୁ ଆମେ ବର୍ଷା କହିଥାଉ । ଏଇ ବର୍ଷା ସମସ୍ତ ପ୍ରଦୂଷଣକୁ ମଧ୍ୟ ସଫାକରି ପରିବେଶକୁ ନିର୍ମଳ କରିଥାଏ ।

ମୋ ମୁଣ୍ଡ ଚକ୍କର ଖାଇଗଲା । ଖରା, ଧୂଳି, କାକର ବିନ୍ଦୁ, ପାଣି ବର୍ଷା । ହେ ଭଗବାନ୍ ! ପାଠ ପଢ଼ିଲେ ଏତେ କଥା ମନେ ରଖିବାକୁ ପଡ଼ିବ । ଦରକାର ନାହିଁ ମୋର ପାଠ ପଢ଼ା ।

ଉଦାସୀ ମନଟା ଅଧିକତର ଅବଶ ମନେ ହେଲା । ହଠାତ୍ ମନର କେଉଁ କୋଣରେ ଏକ ଆଶାରେଖା ଖେଳିଗଲା । ବାପା କହିଲେ ବର୍ଷା ପରେ ଖରାର ପ୍ରକୋପ କମ୍ ହୋଇଯିବ । ଅର୍ଥାତ୍ କାଲି ଖରା ତାପ ବେଶୀ ଲାଗିବନି । ଆଜି ନ ହେଲା ନାହିଁ । କାଲି ମଜାରେ ସାଇ ବୁଲା ହେବ ।

ଆଜି ରଜ ସଂକ୍ରାନ୍ତି । ଖୁବ୍ ଶୀଘ୍ର ନିଦ ଭାଙ୍ଗିଗଲା । ଗତ ରାତି ଭଳି ବର୍ଷା ପିଟୁନି । ଟିକିଏ ଝିପି ଝିପି ବରଷୁଛି । ମତେ ବର୍ଷା ବହୁତ ଭଲ ଲାଗେ । ବିଛଣାରୁ ଉଠିଯାଇ ମୁଣ୍ଡପାଖ ଝରକା ପାଖ ଛୋଟ କାନ୍ଥଟି ଉପରେ ଜାକି ଜୁକି ହୋଇ ବସି ପ୍ରକୃତିର ମାଧୁରିମାକୁ ଉପଭୋଗ କରୁଥିଲି । ହଠାତ୍ ଦେଖିଲି ସବୁଦିନ ଆରତୀ ପରେ ଯେଉଁ ଜାଗାରେ ବସି ମୁଁ ସାତଗୋଟି ତାରାଙ୍କୁ ଦେଖି ସେଇ ଋଷିମାନଙ୍କ ନାମ ଦୋହରାଇ ଥାଏ ସେଇ ସାତଟି ତାରା କୁଆଡ଼େ ଅଦୃଶ୍ୟ ହୋଇ ଯାଇଛନ୍ତି । ସେଇଠି ଦେଖା ଦେଇଛି ସାତଟି ଭିନ୍ନ ଭିନ୍ନ ରଙ୍ଗର ଗାର (ରେଖା) । ଅର୍ଥାତ୍ ବର୍ଷାରେ ଗାଧୋଇ କ୍ରତୁ ବାଇଗଣୀ, ପୁଲହ ଘନନୀଳ, ଅତ୍ରି ନୀଳ, ଅଙ୍ଗିରା ସବୁଜ, ବଶିଷ୍ଠ ହଳଦିଆ, ମରୀଚି ନାରଙ୍ଗୀ ଏବଂ ଦଧିଚି ଲାଲ୍ ରଙ୍ଗରେ ପରିବର୍ତ୍ତନ ହୋଇଯାଇଛନ୍ତି ।

ନା ତା’ ବି ହୋଇପାରେନା, କାରଣ ଦିନ ବେଳେ ଏଇ ତାରାମାନେ ଅଦୃଶ୍ୟ ହୋଇଯାନ୍ତି । ତେବେ ଏଇ ରଙ୍ଗ ଗୁଡ଼ିକର ମହତ୍ତ୍ୱ ଅନ୍ୟ କିଛି । ନୂଆ କରି ଶିଖିଥିବା ଗୋଟିଏ ଗୀତ ବାରମ୍ୱାର ମୋର ମନକୁ ଆସୁଛି ।

ଇନ୍ଦ୍ରଧନୁର ସପ୍ତରଙ୍ଗ ଯେ, ଲାଗିଛି ଗୋ ମୋ ମନେ ।

ଏଇ ନିଶ୍ଚୟ ସେଇ ଇନ୍ଦ୍ରଧନୁ । ଧନୁ ଆକାରରେ ତ ରହିଛି । ତାରି ଉପରେ ଆଖି ନିବିଷ୍ଟ କରି ମୁଁ ଲେଖିଲି ମୋର ପ୍ରଥମ କବିତା ଆଷାଢ଼ସ୍ୟ ପ୍ରଥମ ଦିବସ ।

Click to comment

Leave a Reply

Your email address will not be published. Required fields are marked *

To Top