ଅନୁଭୂତି

ପ୍ରଥମ ପର୍ଯାୟ

Dr Anita Panda

”ନନା ଠିକ୍ କହିଲ ଏ ସବୁ ଇମୋସନ ପିଲାମାନଙ୍କ ପାଖେ ଦେଖାଯାଏ । ତୁ ଏବେ ବଡ ହୋଇ ଗଲୁଣି” କହିଲେ ବାପା ।

ପ୍ରଥମ ପର୍ଯାୟ

-: ପୂର୍ବରୁ :-

ବହୁଦିନ ପରେ ମାଉସୀ (କୁନୁବାବୁର ମା) ବେବି(ତାଙ୍କ ଝିଅ)ସଙ୍ଗେ ଆମ ଘରକୁ ବୁଲି ଆସିଥିଲେ । ଗାଁରେ ତାଙ୍କର ଜଣେ ସମ୍ପର୍କୀୟଙ୍କର ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ଭୁବନେଶ୍ୱରରେ ଗୋଟିଏ ଘର ତିଆରି କରାଉଛନ୍ତି । ତେଣୁ ମଉସା(ସୁନ୍ଦର ରାୟ ବାବୁ) ସେଠାରେ ପୁରାଦିନ ବ୍ୟସ୍ତ ରହିବେ । ବେବି ସଙ୍ଗେ ସେ ‘ଟୁଲୁ'(ବଡନନାଙ୍କ ପୁଅ)କୁ ଦେଖିବାକୁ ଆସିଗଲେ । ମାଉସୀ ବେଶୀ କାମ କରି ପାରନ୍ତିନି ସିନା ବରାଦ କରି ସବୁ କାମ ସୁଚାରୁ ରୂପେ କରାଇ ପାରନ୍ତି । କିଏ କହେ ସେ ବହୁତ ମୋଟା ତ ତେଣୁ କାମ କରିପାରନ୍ତିନି । କିଏ କହେ କଲେକଟରଙ୍କର ପତ୍ନୀ କାମ କରିବେ? ତାଙ୍କ ଷ୍ଟେଟସ୍ କୁ ନେଇ ସେ ନିଜକୁ ସମସ୍ତଙ୍କ ଠାରୁ ଦୂରରେ ରଖିବାକୁ ଚାହାନ୍ତି । ଆଉ କିଏ କହେ ମୁଁ କିନ୍ତୁ ଏ ସବୁ ମନ୍ତବ୍ୟରେ ଟିକିଏ ବି ଏକମତ ହୁଏନା । କାହିଁକି ନା ମାଉସୀ ଖୁବ୍ ସ୍ନେହୀ, ଏବଂ ମେଳାପୀ ।

ମାଉସୀ ଆଉ ନୂଆବୋଉଙ୍କର ଚାହାପାନ ଆସର ଜମିଥିଲା । ଆମ ଦୁହିଁଙ୍କୁ ପାଖକୁ ଡାକି ଜଳଖିଆ ପ୍ଲେଟରୁ କିଛି ନେବାକୁ କହିଲେ, ମାତ୍ର ନୂଆବୋଉ ଆମ ପାଇଁ ସ୍ୱତନ୍ତ୍ର ପ୍ଲେଟ ମଗାଇ ସାରି ଥିଲେ । ବେବି ମୋ ଠାରୁ ଗୋଟାଏ ବର୍ଷ ସାନ । ମାତ୍ର ଏବେ ମୋ ଠାରୁ ଖୁବ୍ ବଡ ମନେ ହେଉଛି । କାହିଁକି ନା ଏମିତି ତ ସେ ଡେଙ୍ଗା ଏଇ ବର୍ଷକ ଭିତରେ ସେ ଖୁବ୍ ମୋଟା ହୋଇ ଯାଇଛି । ସେମାନେ ଏବେ ମଧ୍ୟ ଭଦ୍ରକ ରେ ଅଛନ୍ତି । ଭଦ୍ରକ ବିଷୟରେ ଅସରନ୍ତି ଗପ ।

ପୁଣି ଥରେ ମାଉସୀ ଆମ ଦୁହିଁଙ୍କୁ ପାଖକୁ ଡାକିଲେ । ନିଜ ନିଜର ଜଳଖିଆ ପ୍ଲେଟ,ପାଣି ଗ୍ଲାସ୍ ଉଠାଇ ନେଇ ତାଙ୍କ ପାଖରେ ବସିଲୁ । ମାଉସୀଙ୍କର ପୁଅ ଝିଅ ମିଶାଇ ସାତଟି । ତେଣୁ ସେ ପିଲାର ମନ କଥା ଭଲଭାବେ ବୁଝି ପାରନ୍ତି । କହିଲେ ୧୯୬୦ରୁ ଆଜି ଭିତରେ ତୁମ ଘରକୁ କେତେ ଖୁସି ଆସିଲାଣି ମିସେସ ପଣ୍ଡାଙ୍କର ୧୯୬୦ରେ ଲକ୍ଷ୍ମୀ ପ୍ରତିମା ଭଳି ଝିଅ,ଏବେ ପୁଅ ଏ ଦୁହେଁ ପଣ୍ଡା ବାବୁଙ୍କ ଉପରେ ଯିବେ । କେତେ କେତେ ନାଁ କମାଇବେ ।

ଭଗବାନ ଦୁହିଁଙ୍କୁ ଦୀର୍ଘାୟୁ କରନ୍ତୁ । ପୁଅ,ଝିଅଙ୍କର ପ୍ରଶଂସା ଶୁଣିଲେ କୋଉ ମା ବାପାର ଛାତି କୁଣ୍ଡେ ମୋଟ ନ ହୋଇଯାଏ । ନୂଆବୋଉ ବା ସେଥିରୁ କେମିତି ବାଦ୍ ଯାଇପାରନ୍ତି ।

ଆହୁରି କେତେ ଟା କଥା ଖୁସି ତୁମେ ଛାଡିଗଲ ମା ? ଅନୁଦେଇଙ୍କର ପାଠ ଆରମ୍ଭ ଆଉ ମାଟ୍ରିକ୍ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲାର ସବୁ ଝିଅଙ୍କ ଠାରୁ ବେଶୀ ନମ୍ୱର ରଖିଛନ୍ତି । କଲେଜରେ ତାଙ୍କୁ ସ୍କଲାରସିପ୍ ମିଳିବ । କହିଲା ବେବି ।

ଆଲୋ ହଁତ, ଅନୁ ମାଟ୍ରିକ୍ ପାସ୍ କଲାଣି । ମୁଁ ତାକୁ ସବୁବେଳେ କୁନୁବାବୁ ସଙ୍ଗେ ତୁଳନା କରେ । ଦୁହେଁ ସମବୟସୀ ତ ! କୋଉ କଲେଜରେ ନାଁ ଲେଖେଇବୁ? ନାନାଙ୍କୁ କହ ରେଭେନ୍ସା କଲେଜରେ କରାଇ ଦେବେ । ମୋ ଆଡକୁ ଚାହିଁ କହିଲେ ମାଉସୀ ।

ଆଡମିଶନ୍ କରେଇଦେବେ କ’ଣ, ଅନୁ ଦେଇଙ୍କୁ ତ ମେରିଟ୍ ରେ ମିଳିବ । ମୋ ଆଡକୁ ଚାହିଁ କହିଲା ବେବି ।

ଶୈଳବାଳା ପାଇଁ ଭାବୁଛୁ । ମୁହଁ ଖୋଲିଲେ ନୂଆବୋଉ । ଠିକ୍ ଅଛି, ଶୈଳବାଳା ବି ଭଲ । ଉଇମେନ୍ସ କଲେଜ । ୟା ନାଚ ଗାନା ବହୁ କାମରେ ଆସିବ । ତୁମେ ତ ସେଇ କଲେଜର, ତୁମକୁ ବେଶୀ ଜଣାଥିବ । ଚାଲ୍ ଲୋ ବେବି,ଡ୍ରାଇଭରକୁ ଡାକ । ପହଞ୍ଚିବାକୁ ଦି ଘଣ୍ଟା ଲାଗିଯିବ ।

ୟେ କଟକ,ଭୁବନେଶ୍ୱର ମା । ହାଓଡା ବ୍ରିଜ୍ ଭାବିଲ କି ? ବୀର ଭାଇ ପଇଁଚାଳିଶ ମିନିଟ୍ ରେ ପହୁଞ୍ଚାଇ ଦେବ । ନୂଆ ବୋଉଙ୍କ ପାଖେ ତୁମେ ଆଉ କପେ ଚାହା ପିଅ । ମୁଁ ଅନୁଦେଇଙ୍କ ରୁମ୍ ରୁ ତାଙ୍କ କାରସାଦୀ ଦେଖି ଆସୁଛି ।

ଦୁଇ ବର୍ଷ ତୋ ପାଖରେ ଥିଲା, କିଛି ଶିଖିଲୁ ତା ଠୁ? ହଉ ଯା । ହେଲେ ବେଶୀ ଡେରି କରିବୁନି । ବାପା ଅପେକ୍ଷା କରିଥିବେ ।

ମାଉସୀ, ବେବି ଯିବା ପରେ ମୁଁ ଦୁଇ କଲେଜ ବିଷୟରେ ଚିନ୍ତା କରି ଚାଲିଥିଲି । ବାପା, ବଡନନା ଦୁହେଁ ଶୈଳବାଳା ଚାହାନ୍ତିନି । ମୋ ନିଜର ଏତେ ବେଶୀ ବିଚାର କରିବାର ଶକ୍ତି ନାହିଁ । ମାତ୍ର ବଡନନା, ନୂଆବୋଉଙ୍କ ମଧ୍ୟରେ ଏଇ ବିଷୟ ନେଇ ତର୍କ ଆଜି ମୁଁ ଖାଇବା ଟେବୁଲ୍ ରେ ଶୁଣିଲି । ସୁଶୀ ନାନୀ କିଛି ମତାମତ ନ ଦେଲେ ମଧ୍ୟ ମୁଁ ତାକୁ ମୋ ଚିନ୍ତା ବିଷୟରେ କହି ମନ ହାଲ୍କା କରେ । ସେ ବି ନାହିଁ, ବାହା ହୋଇ ଶାଶୁଘରେ । ମିଲୁ(ବଡନନାଙ୍କ ଝିଅ) ମାତ୍ର ଦୁଇବର୍ଷର ପିଲାଟା । ହେ ଭଗବାନ୍, ମିଲୁକୁ ଶୀଘ୍ର ବଡ କରିଦିଅ ।

ଯେତେ ଚେଷ୍ଟା କଲେ ମଧ୍ୟ ଶୋଇ ପାରିଲିନି । ବାପା କହୁଥିଲେ, “କେବଳ ପୁରୁଣା ନୁହେଁ ପ୍ରଖ୍ୟାତ ଏବଂ ଏଷ୍ଟାବ୍ଲିସଡ୍ କଲେଜ । ଓଡିଶାର ଯେତେ ବଡ ବଡ ପ୍ରତିଷ୍ଠିତ ଲୋକମାନଙ୍କୁ ଦେଖୁଛୁ ସମସ୍ତେ ରେଭେନ୍ସା କଲେଜରୁ ପଢିଛନ୍ତି । ବଡନନାଙ୍କର ମତ ମଧ୍ୟ ସେଇଆ ଥିଲା । ”

ରେଭେନ୍ସା କଲେଜରେ ଆଡମିଶନ୍ ର ଶେଷ ତାରିଖ । ମାତ୍ର ଏଇ ବିଷୟ ନେଇ ନୂଆବୋଉ ତାଙ୍କ କଥା ନ ରହିଲା ବୋଲି ଦୁଃଖ ନ କରନ୍ତୁ । ଦୁଇଟି ଯାକ କଲେଜର ପ୍ରସପେକ୍ଟସ ଆଣି ବାରଂବାର ଆମୂଳ ଚୂଳ ପଢିଲି । ଯଦି କିଛି ଏଥିରୁ ସଲ୍ୟୁସନ ମିଳିଯାଏ । ବଡନନା ଅଫିସରୁ ଆସି ଫ୍ରେସ୍ ହୋଇ ଅଫିସ୍ ରୁମ୍ ରେ ବସିଲେ । ପାଖରେ ବାପା । ମତେ ଡାକରା ଆସିଲା ।

ମୁଁ କାଲି ଅଫିସରୁ କାହାକୁ ପଠାଇ ତୋର ଆଡମିଶନ୍ ରେଭେନ୍ସା କଲେଜରେ କରାଇ ଦେଉଛି । ଦୃଢ କଣ୍ଠରେ କହିଲେ ବଡନନା ।

ନାଁ ମୁଁ ଭାବୁଛି,ଶୈଳବାଳା ମୋ ପାଇଁ ଭଲ ରହିବ ।

ମାତ୍ର କାହିଁକି?

ମଧୁସୂଦନ ଦାସଙ୍କ ଜୀବନୀ ଖୁବ୍ ଭଲ ଲାଗେ । ବହୁ ଜ୍ଞାନୀ, ସେ ଏଇ କଲେଜଟି ତାଙ୍କ ପୋଷ୍ୟା ପୁତ୍ରୀଙ୍କର ଦ୍ୱାରା ପ୍ରତିଷ୍ଠିତ ।

ଯେଉଁ ଉତ୍କଳଗୌରବ ମଧୁସୂଦନଙ୍କ ବିଷୟରେ କହୁଛୁ,କେବଳ ସେଇ ମହାନ୍ ବ୍ୟକ୍ତି ନୁହନ୍ତି, ଉତ୍କଳମଣି ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଦାସ,ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଡକ୍ତର ପ୍ରାଣକୃଷ୍ଣ ପରିଜା,ଶ୍ରୀ ନିତ୍ୟାନନ୍ଦ କାନୁନଗୋ, ଶ୍ରୀ ବିଶ୍ୱନାଥ ଦାସ ଓଡିଶାର ମୁଖ୍ୟମନ୍ତ୍ରୀ ସମୂହ (ଶ୍ରୀ ହରେକୃଷ୍ଣ ମହାତାବ, ଶ୍ରୀମତି ନନ୍ଦିନୀ ଶତପଥୀ,ଶ୍ରୀ ବିଜୁ ପଟ୍ଟନାୟକ) ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ରବିରାୟ ଏବଂ ଓଡିଶାର ସମସ୍ତ ବଡ ବଡ ସାହିତି୍ୟକ ରେଭେନ୍ସା କଲେଜରୁ ଶିକ୍ଷା ଲାଭ କରି ଓଡିଶାର ଗୌରବ ଧ୍ୱଜା ସମ୍ପୂର୍ଣ୍ଣ ଭାରତ ବର୍ଷରେ ଉଡାଉଛନ୍ତି । ଏଇ କଲେଜଟି ହେଉଛି ଓଡିଶାର ପ୍ରଥମ କଲେଜ ।

ଶୈଳବାଳା କଲେଜଟି ଉତ୍କଳ ଗୌରବ ମଧୁସୂଦନଙ୍କ ଘରେ ଅବସ୍ଥିତ । ଏତେବଡ ଜ୍ଞାନୀ ମହାପୁରୁଷଙ୍କର ଚଳ ପ୍ରଚଳ ଯେଉଁ ଘରେ ହେଉଥିଲା, କେତେବେଳେ କେମିତି ସେଇ ସ୍ଥାନ ମାନଙ୍କରେ ବସିବାର ତ ସୌଭାଗ୍ୟ ମିଳିବ ।

ଏ ସବୁ ଜଷ୍ଟ ଇମୋସନ୍, ନଥିଙ୍ଗ ପ୍ରାକ୍ଟିକାଲ୍ । ବିରକ୍ତି ସହ କହି ଉଠିଗଲେ ବଡନନା ।

ବଡନନା ଉଠି ଯିବା ପରେ ମତେ ନିଶ୍ଚିତ ଭାବେ ଖରାପ ଲାଗିଲା । ମାତ୍ର ପ୍ରକୃତ କଥାଟି ମୁଁ କେମେତି ପ୍ରକାଶ କରିବି?

”ନନା ଠିକ୍ କହିଲ ଏ ସବୁ ଇମୋସନ ପିଲାମାନଙ୍କ ପାଖେ ଦେଖାଯାଏ । ତୁ ଏବେ ବଡ ହୋଇ ଗଲୁଣି” କହିଲେ ବାପା ।

ନୂଆବୋଉ ତ ପୁଣି ସେଇ କଲେଜରେ ପଢୁଥିଲେ । ସେ କଲେଜ କ’ଣ ଖରାପ ?

ତୋ ବାପା, ଭାଇ ଯେଉଁ କଲେଜରେ ପଢି ଏତେ ଉପରକୁ ଯାଇ ପାରିଛନ୍ତି ତାକୁ ଛାଡି ତୁ ଭାଉଜ ପିଛା ଧରିବାକୁ ଚାହୁଁଛୁ ?

ହଁ, ମୋର ଶେଷ ସିଦ୍ଧାନ୍ତ, ମୁଁ ଶୈଳବାଳା ଉଇମେନ୍ସ କଲେଜରେ ପଢିବି ।

କାଲି ଦିନଟା ଚାଲିଗଲେ ଶତ ଚେଷ୍ଟା କଲେ ବି ତୁ ଆଉ ରେଭେନ୍ସାରେ ଆଡମିଶନ୍ ପାଇବୁନି । ଟିକିଏ ଚଢା ଗଳାରେ କହିଲେ ବାପା ।

ମୁଁ କିଛି ନ କହି ତଳକୁ ମୁହଁ ପୋତି ଛିଡା ହୋଇରହିଲି ।

ବଡ ମାନଙ୍କର ଅବାଧ୍ୟତା ମଣିଷକୁ ବହୁ ଅସୁବିଧାରେ ସମ୍ମୁଖୀନ କରାଇଥାଏ । ମୋର ଯାହା ମନେ ହୁଏ ତୁ ରେଭେନ୍ସା କଲେଜ ବିଷୟରେ କିଛି ଜାଣିନୁ ।

ଦୁଇଟି ଯାକ କଲେଜର ବିଷୟରେ ମୁଁ ଖୁବ୍ ଭଲ କରି ପଢିଛି ବାପା, ମାତ୍ର ମୋର ଶେଷ ସିଦ୍ଧାନ୍ତ ମୁଁ କହି ସାରିଛି ।

ଏଥର କ’ଣ ଟିକିଏ ଚିନ୍ତା କରି ଅପେକ୍ଷା କୃତ ନରମ ଗଳାରେ ବାପା କହିଲେ ମୋର ଯାହା ମନେ ହୁଏ ତୁ ରେଭନ୍ସାକଲେଜ ବିଷୟରେ କିଚି ଜାଣିନୁ । ଯଦି ତୁ ମତେ ଦୁଇ କଲେଜର ସଂପୂର୍ଣ୍ଣ ବିବରଣୀ କହି ଶୁଣାଇବୁ ତେବେ ମୁଁ ତୋ ମତାମତକୁ ସମ୍ନାନ ଦେବି । ନଚେତ୍ ମନେ ରଖ ତତେ ମୋ କଥା ମାନିବାକୁ ହେବ । ”

ବାପାଙ୍କ କଥାରେ ମୁଁ ମନକୁ ମନ ହସି ପକାଇଲି । ଇମୋସନାଲ୍ ହେବାଟା ପିଲା ଗୁଣ, ଆଉ ବାପା ଯାହା କହୁଛନ୍ତି ତାର କଲେଜ ଆଡମିଶନ୍ ସହ ସଂପର୍କ । କେଉଁ ଏକ ବଡ ଲେଖକଙ୍କର ଗୋଟିଏ ପଂକ୍ତି ମନକୁ ଆସିଲା, “ସ୍ୱର୍ଗକୁ ନିଶୁଣୀ ନାହିଁ,ବଡ ଲୋକଙ୍କୁ ଉତ୍ତର ନାହିଁ । ” ବାପାଙ୍କ କଥାର ପ୍ରତିବାଦ ନ କରି ମୁଁ କହିବା ଆରମ୍ଭ କଲି ।

୧୮୬୬ ନିର୍ମମ ନଅଙ୍କ ଦୁର୍ଭିକ୍ଷ ପରେ ୧୮୬୯ ମସିହା ଜାନୁଆରୀ ମାସ ରେଭେନ୍ସା କଲେଜର ଜନ୍ମ,ଏହି କଲେଜର ଏଷ୍ଟାବ୍ଲିସମେଣ୍ଟ ପାଇଁ ସେତେବେଳର ଓଡିଶା କମିଶନ୍ ର ଶ୍ରୀ ଥୋମାସ୍ ଏଓୱାର୍ଡ ରେଭେନ୍ସା ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ମେରୀ ସୁସନଦା ସାଇମଣ୍ଡ ରେଭେନ୍ସାଙ୍କର ଦାନ ଅତୁଳନୀୟ । ପ୍ରାରମ୍ଭରେ ଏହି କଲେଜ ଜିଲ୍ଲା ସ୍କୁଲ ସଙ୍ଗେ ଥିଲା ଏବଂ ଏହିପରି ଚାଲୁଥିବା ପରେ ୧୮୭୫ ମସିହା ଜାନୁଆରୀ ମାସରେ କମିଶନର ରେଭେନ୍ସା ଏହାକୁ ସଂପୂର୍ଣ୍ଣ ଅଲଗା ରୂପେ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କଲେ । ବେଙ୍ଗଲ ଗଭରମେଣ୍ଟ ଏହି ଦାବୀ ଗ୍ରହଣ କରି ପ୍ରପୋଜାଲ୍ ଦେଇଥିଲେ ଯେ ଏହା କରିବା ପୂର୍ବରୁ ପବ୍ଲିକ ଜନଷ୍ଟିଟୁ୍ୟସନ ଦ୍ୱାରା ତିରିଶ ହଜାର ଟଙ୍କା ଜମା ହେବ । ଏଇ ପ୍ରସ୍ତାବଟିକୁ ଆନନ୍ଦରେ ଗ୍ରହଣ କରି ରେଭେନ୍ସା ସାହେବ କଲିକତାର ବହୁ ସରକାରୀ ଅଫିସରଙ୍କ ସାହାଯ୍ୟରେ ଆଗକୁ ବଢିଥିଲେ । ତାଙ୍କର ଅଦ୍ୟମ ପ୍ରଚେଷ୍ଟା ଏବଂ ପରେ ପରେ ମୟୁରଭଞ୍ଜ ରାଜାଙ୍କର ସାହାଯ୍ୟରେ ୧୮୭୬ମସିହାରେ ଏହା ଏକ ସ୍ୱତନ୍ତ୍ର ସରକାରୀ ଡିଗ୍ରୀ କଲେଜ (କଟକ କଲେଜ) ନାମରେ ପରିଚିତ ହେଲା ଏବଂ ଏହା କଲିକତା ବିଶ୍ୱବିଦ୍ୟାଳୟ ସହ ସଂପୃକ୍ତ ରହିଲା । ଶ୍ରୀ ସାମୁଏଲ ଏହାର ପ୍ରଥମ ପ୍ରିନ୍ସିପାଲ ଥିଲେ । ସେତେବେଳେ ଛାତ୍ର ସଂଖ୍ୟା ୧୯ ଥିଲା । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଭଞ୍ଜ ଦେଓଙ୍କ ଦ୍ୱାରା କୋଡିଏ ହଜାର ଟଙ୍କା ଦାନରେ ଏହି କଲେଜ ଉତ୍ତମ ରୂପେ ଚାଲୁ ହୋଇ ୧୮୭୮ ମସିହାରେ ଏହା ରେଭେନ୍ସା କଲେଜ ନାମରେ ପରିଚିତ ହେଲା । ୧୮୮୧ ମସିହାରେ ଏହାକୁ ସ୍ଥାୟୀ ସ୍ଥିତି(ମର୍ଯ୍ୟାଦା) ପ୍ରାପ୍ତ ହେଲା । ଚଳିତ ବର୍ଷ ଏଠାରେ ଇଣ୍ଡିଆନ ସାଇନ୍ସ କଂଗ୍ରେସ ଆସୋସିଏସନ୍ ର ୪୯ତମ ବାର୍ଷିକ ଉତ୍ସବ ପାଳନ ହେବ ବୋଲି ସ୍ଥିର କରାଯାଇଛି ।

ମତେ ଚୁପ୍ ରହିବା ଦେଖି ବାପା କହିଲେ ଆଉ ଶୈଳବାଳା କଲେଜ ?

ଶୈଳବାଳା ଉଇମେନ୍ସ କଲେଜ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନଙ୍କର ପୋଷ୍ୟା କନ୍ୟା ଶୈଳବାଳା ଦାସଙ୍କର ଦାନ ଅତୁଳନୀୟ । ୧୯୧୨ ମସିହାରେ ଶ୍ରୀମତୀ ଶୈଳବାଳାଙ୍କ ଉପରେ ମହିଳା ଓଡଶୀ ଗଉ ମାନଙ୍କ ଶିକ୍ଷା ପ୍ରଗତି କାର୍ଯ୍ୟ ନ୍ୟସ୍ତ କରିଥିଲେ । ଶ୍ରୀମତୀ ଦାସ୍ ଏବଂ ଶ୍ରୀମତୀ – ବ୍ୟାଙ୍କସ୍ ପ୍ରତିନିଧି ଭାବେ ରାଞ୍ଚି ମିଟିଙ୍ଗ୍ ରେ ଯୋଗଦାନ ଦୋଇଥିଲେ । ସେହି ମିଟିଙ୍ଗ୍ ରେ ଓଡିଶାରେ ମହିଳା ମାନଙ୍କ ପାଇଁ ଏକ କଲେଜ ଖୋଲିବାର ପ୍ରତିଶ୍ରୃତି ମିଳିଥିଲା । ୧୯୧୭ମସିହାରେ ଏହା କଟକର ଚଉଧୁରୀ ବଜାରକୁ ଏହାର ସ୍ଥାନ ପରିବର୍ତ୍ତନ ସିଫ୍ଟ ହୋଇଥିଲା । ୧୯୪୬ରେ ଏହା ମହିଳା ମାନଙ୍କ ପାଇଁ ଡିଗ୍ରୀ କଲେଜ ରୂପେ ପରିଚିତ ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ବିଲଡିନ ଥିବା ହେତୁ ଏହାର ନାମ ସ୍କୁଲରେ ହେଉଥିଲା ଏହି ଅସୁବିଧାକୁ ଅନୁଭବ କରି ଶ୍ରୀମତୀ ଶୈଳବାଳା ଦାସ ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସଙ୍କର ଆବାସଟିକୁ କଲେଜ ପାଇଁ ଦାନ କରିଥିଲେ । ଯାହା ଆଜି ଶୈଳବାଳା ଉଇମେନସ୍ କଲେଜ ରୂପେ ପରିଚିତ । କଲେଜ ବିଷୟରେ ସିନା ଏତିକି, ଏତଦ୍ ବ୍ୟତିତ ଶ୍ରୀମତୀ ଶୈଳବାଳା ଦାସ ଓଡ଼ିଶାର ପ୍ରଥମ ନାରୀ ସେବା ସଦନ ଏବଂ ବିଧବା ମାନଙ୍କ ପାଇଁ ଟ୍ରେନିଂ ସ୍କୁଲ୍ ଖୋଲିଥିଲେ । ସେ ଯେହେତୁ ମହିଳା ମାନଙ୍କ ପାଇଁ ଏତେଟା ତପ୍ତର ତେବେ ତାଙ୍କରି ଅନୁଷ୍ଠିତ ମହିଳା କଲେଜଟିରେ ମଧ୍ୟ ନିଶ୍ଚୟ କିଛି ମହିଳା ଉପଯୋଗୀ ବିଷୟ ମାନ ନିହିତ ଥିବ ।

କିଛି ନ କହି ବାପା ମୋ ମୁହଁକୁ ଚାହିଁଲେ । ହୁଏତ ନିଜର ପ୍ରତିଶୃତି ଭଙ୍ଗ ନ କରିବା ପାଇଁ ଚାହୁଁଥିଲେ ।

କିନ୍ତୁ ମୋ ମନରେ ପ୍ରକୃତ ସନ୍ତୁଳନଟିକୁ ମୁଁ ପ୍ରତ୍ୟକ୍ଷରେ ପ୍ରକାଶ ନକରିପାରି “ଅବାଧ୍ୟତାର ଶେଷ ପରିଣତି” କ’ଣ ହୋଇପାରେ ବୋଲି ଚିନ୍ତା କରୁଥିଲି ।

– ତା’ପରେ –

To Top