ପ୍ରିୟମ୍ୱଦା ଅନସୂୟା ଉପାଖ୍ୟାନ

Dr Anita Panda

ଆବଶ୍ୟକ ପଡ଼ିଲେ ଅର୍ଥ ବିନିମୟରେ ଲୋକମାନଙ୍କୁ କିଣି ପାରିଥାଏ । ଆଜି ମୁଁ ପଥର କାଙ୍ଗାଳ । କିଏ କାହିଁକି ମୋ କଥା ଆଡ଼େ କାନ ଦେବ ।

ପ୍ରିୟମ୍ୱଦା ଅନସୂୟା ଉପାଖ୍ୟାନ

-: ପୂର୍ବରୁ :-

ବହୁଦିନ ପରେ ସହରରୁ ବଡ଼ନନା ଆସିଛନ୍ତି । ହରଣୀ, ହରଣୀ (ନାନୀର ସ୍ନେହବୋଳା ଡାକ) କହି ନାନୀର ଗୋଡ଼ ତଳେ ଲାଗୁନି । ବାପା ଠାକୁରଙ୍କ ପାଖେ ପୂଜା, କୀର୍ତ୍ତନର ବ୍ୟବସ୍ଥା କରିଛନ୍ତି । ରୋଷେଇ ଘରେ ଭୋଗ ତିଆରି ଚାଲିଛି । ଏ ଜାକ ଜମକ ଦେଖି ମୁଁ ଆଉ ସୁଶୀନାନୀ ବହୁତ ଖୁସି । ପଡ଼ିଶା ଘରର କକେଇ ପିଉସାମାନେ ଚଉପାଡ଼ୀ ଘରେ ରୁଣ୍ଡ ହୋଇଛନ୍ତି । ସଜନା, ରଙ୍ଗିଆ, ଭିକାରୀ, ଜଟିଆ, କୁମ, ମଲ୍ଲିମା’ ନିଜ ନିଜର ସାନ ସାନ ପିଲାଙ୍କୁ ନେଇ ବାହାର ଅଗଣାରେ ଭିଡ଼ ଲଗାଇଛନ୍ତି । ସମସ୍ତଙ୍କ ମୁହଁରେ ବଡ଼ନନାଙ୍କର ଭୂରି ଭୂରି ପ୍ରଶଂସା ସଙ୍ଗେ ସଙ୍ଗେ ବାପାଙ୍କର ମଧ୍ୟ । କଥା କ’ଣ ବୁଝିବାରୁ ଜାଣିପାରିଲି ବଡ଼ନନା ଓ.ଏ.ଏସ୍. ପାଇଛନ୍ତି । ସୁଶୀନାନୀ ଓ ମୋର ଗଭୀର ଆଲୋଚନା ଚାଲିଲା । ଓ.ଏ.ଏସ୍. ଅର୍ଥାତ୍ ମହଣ ମହଣ ସୁନା ବଡ଼ନନାଙ୍କୁ ମିଳିଛି । ସେଇଥିପାଇଁ ଦେଖୁନୁ ଦୁଇଦିନ ହେଲା ଘରେ କେତେ ଖର୍ଚ୍ଚ ହେଉଛି । କେହି କାହାକୁ ଆକଟୁ ନାହାନ୍ତି ।

“ନା. . . ନା. . . ସୁନା ନୁହେଁ, ଆଉ କ’ଣ ହେଇଥିବ ?” କହିଲା ସୁଶୀନାନୀ ।

ଆମ ଦୁହିଁଙ୍କ ଆଲୋଚନା ଶୁଣି ବାପା ଭିତରକୁ ଆସିଲେ । ଓ.ଏ.ଏସ୍. ହେଉଛି ଗୋଟାଏ ବଡ଼ ଡିଗ୍ରୀ । ପୁରା ଯାଜପୁର ସହର ଗାଁରେ ଏଇଟା ତୁମ ଦୁହିଁଙ୍କ ନନାକୁ ପ୍ରଥମ ପ୍ରାପ୍ତ ହୋଇଛି । ବହୁ ପରିଶ୍ରମ କରି ପାଠ ପଢ଼ିଲେ ଏଇ ଡିଗ୍ରୀ ମିଳିଥାଏ । ସେ ମୋର ପୁଅ ନୁହେଁ, ଗୋଟାଏ ରତ୍ନ । ତୁମେ ଦିଇଟା ଭିତରେ କାହିଁକି ପଶିଛ ? ଆସ ବାହାରକୁ କହି ବାପା ଆଉ ଥରେ ଚଉପାଡ଼ୀକୁ ଗଲେ ।

ଗୋବିନ୍ଦ କକେଇ ଗଙ୍ଗାନନା ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, “ନନା ଗୋଡ଼ ତଳେ ପଡ଼ିଯା’ରେ ଗଙ୍ଗା ତୋ କପାଳ ବି ଫିଟିଯିବ ।” ଦଶରଥ ପିଉସା କହିଲେ, “ଇଏ ଖାଲି ନନାଙ୍କ (ବାପା) ପାଇଁ ଗୌରବ ନୁହେଁ, ପୁରା ଆମ ଗାଁ ପାଇଁ । ଆଉ ଗୋଟିଏ କିଏ ଇମିତି ଡିଗ୍ରୀ ନେଇ ଆସୁତ ।” କହି ପିଉସା ବଡ଼ନନାଙ୍କୁ ବହୁ ଆଶୀର୍ବାଦ ଦେଲେ ।

ଏସବୁ ଦେଖି ଆମେ ଦୁଇ ଭଉଣୀ ଗର୍ବରେ ଫୁଲି ଫାଟି ପଡୁଥାଉ । ବାପା ସମସ୍ତଙ୍କ ହାତରେ ଲକ୍ଷ୍ମୀନାରାୟଣଙ୍କ ପ୍ରସାଦ ପୁଡ଼ିଆ ଧରାଇ କହୁଥାନ୍ତି, “ଏସବୁ ତାରି ଦୟା ।”

“କରି କରାଉ ଥାଏ ସେହି”, ମୁଁ ଅତି ଖୁସିରେ କହିଉଠିଲି ।
“ତା’ ବିନୁ ଅନ୍ୟ ଗତି ନାହିଁ”, ପୁଣି ବାପା ଆରମ୍ଭ କଲେ,

ସେ ସ୍ରଷ୍ଟା ! ଆମେ ତା’ ହାତରେ ଗୋଟିଏ ଗୋଟିଏ କାଠ ପିତୁଳୀ । ଯେମିତି ନଚାଇବ ଆମେ ସେମିତି ନାଚିବା । ପ୍ରସାଦ ନେଇ ବାପାଙ୍କୁ ଜୁହାର କରି ସମସ୍ତେ ବିଦା ହୋଇଗଲେ । ଚଉପାଡ଼ୀ ଖାଲି ହେବା ପରେ ଆରମ୍ଭ ହେଲା ବାପା, ବଡ଼ନନାଙ୍କର କଥୋପକଥନ । ଆଲୋଚନାର ଗୋଟିଏ ଶବ୍ଦ ମୋ ମୁଣ୍ଡରେ ନ ପଶୁଥିଲେ ମଧ୍ୟ ମୁଁ ହାଁ କରି ଶୁଣୁଥିଲି । ସୁଶୀନାନୀ ଭିତରକୁ ଚାଲିଗଲା । ହୁଏତ ଏଠି ଭକୁଆ ଭଳି ବସିବା ଠାରୁ ଭିତରେ ଯାଇ କିଛି ଭଲ ଜିନିଷ ଖାଇବା ପାଇଁ ସେ ଉଚିତ୍ ମନେକଲା ।

ଆପଣ ସମାଜବାଦୀ, ଗାନ୍ଧୀବାଦୀ, ବଡ଼ ବଡ଼ ନେତାମାନଙ୍କ ସଙ୍ଗେ ମିଶି କାମ କରିଛନ୍ତି । ଆପଣ ଏମିତି ଏକ ବିଜ୍ଞାପନ ଦେଲେ ଅନ୍ୟମାନେ କ’ଣ କରିବେ ।

ଯାହା କରିଛି ତୋରି ଭଲ ପାଇଁ କରିଛି । ନୂଆ କରି ଚାକିରୀରେ ପଶିବା ପୂର୍ବରୁ ତାଲିମ । ଜଣେ ଉତ୍ତମ ପ୍ରଶାସକ ହେବା ପାଇଁ ସରକାର ତତେ କେଉଁ ତାଲିମ କେନ୍ଦ୍ରକୁ ପଠାଇବେ । ତା’ପରେ ଚାକିରୀ । ସରକାର କୋଉଠି ପକାଇବ ତା’ର ଠିକଣା ନାହିଁ । ହୁଏତ ବାରମ୍ୱାର ବଦଳି । କର୍ମମୟ ଜୀବନରେ ତତେ ଏମିତି ଲୋକମାନଙ୍କର ନେତୃତ୍ୱ ନେବାକୁ ପଡ଼ିବ, ଯେଉଁମାନେ ତୋ’ଠାରୁ ବୟସରେ ଖୁବ୍ ବଡ଼ ଏବଂ ଅଭିଜ୍ଞ । ସେମାନଙ୍କ ମଧ୍ୟରୁ କେତେଜଣ ବହୁ ଜ୍ଞାନୀ ଥିବେ ତ ଅନ୍ୟ କେତେଜଣ ଆଡ଼ବାୟା ମଧ୍ୟ ହୋଇ ପାରିଥାନ୍ତି । ସର୍ବୋପରି ସଚ୍ଚୋଟ କର୍ମୀ ହେବାକୁ ହେଲେ ସରକାରୀ ଚାକିରୀରେ ବାସ୍ ଗଣ୍ଡାଏ ଦରମା । ସାନ ଭାଇଟା ତୋ ପାଠପଢ଼ା ଲାଗି ନିଜ ପାଠ ଛାଡ଼ିଥିଲା, ତାକୁ ପଢ଼ାଇବୁ । ବିଧବା ଭଉଣୀଟାର ଭାର ତ ତୋ ଉପରେ ଚିରଦିନ ପାଇଁ । ସେ ଯେମିତି ଜିଦି, ଏ ଗାଁରେ କ’ଣ ମୋ ଯିବା ପରେ ରହିପାରିବ । ତା’ ଛଡ଼ା ତୁ ତ ସଂସାର କରିବୁ । ଦି’ ଦି’ଟା ଭଉଣୀଙ୍କର ବିଭାଘର କ’ଣ ମୁହଁରେ ପଡ଼ିଛି ।

ସବୁ ଠିକ୍ କହୁଛନ୍ତି ବାପା, ହେଲେ ପିଲା ଦି’ଟା ଏବେ ନାବାଳିକା । ବାଲ୍ୟ ବିବାହ ବିରୋଧରେ ୧୯୨୯-୩୦ରୁ ଆଇନ୍ ଜାରୀ ହୋଇ ସାରିଛି । ଏଇ ବିରୁଦ୍ଧରେ ସରକାର କ’ଣ କ’ଣ ସବୁ କଡ଼ା ଆଇନ୍ ଜାରୀ କରିଛନ୍ତି ତାହା ମୋଠାରୁ ଆପଣଙ୍କୁ ବେଶୀ ଜଣା ।

ଜାଣେ, କାରାଦଣ୍ଡ ତ ! ମୁଁ ସଂସାର ତ୍ୟାଗ କରି ସନ୍ନ୍ୟାସୀ ଦୀକ୍ଷା ନେଇ ସାରିଛି । ତିନି ତିନି ମାସ, ଅର୍ଥାତ୍ ଛଅମାସ କାରାଦଣ୍ଡ ମୋ ପାଇଁ କିଛି ଅସୁବିଧା କରିବନି ।

ଏ କେବଳ କାରାଦଣ୍ଡ କିମ୍ୱା ଜୋରିମାନା କଥା ନୁହେଁ ବାପା, ବାଳୁତ ବିବାହ ଅର୍ଥାତ୍ ଆମେ ଏକ ଅସାମାଜିକ କାର୍ଯ୍ୟ କରିବାକୁ ଯାଉଛେ । ଏହା ଏକ ଅପରାଧ ବାପା ।

ତୁ ଚିନ୍ତା କରନା ଯୋଉ ବାତୁଆ (ପିଲାଦିନେ ବଡ଼ନନାଙ୍କ ରୋଗ) ପିଲାଟା ହାତରେ ମୁଁ ମୋର ସବୁକିଛି ଉତ୍ସର୍ଗ କରିଦେବାକୁ ପଛୋଉ ନ ଥିଲି ତା’ ଉପରେ ଏତେ ବଡ଼ ବୋଝ ମୋ ଜୀଇଁ ଥାଉ ଥାଉ କେମିତି ଦେଖିବି ।

ଆପଣ ବ୍ୟସ୍ତ ହୁଅନ୍ତୁନି ବାପା । ଗାନ୍ଧିଜୀଙ୍କର ଦାଣ୍ଡି ମାର୍ଚ ସମୟର ସ୍ଲୋଗାନ୍ “କର କିମ୍ୱା ମର” ବିଷୟରେ ପ୍ରଥମ ଶିକ୍ଷା ତ ଆପଣ ମତେ ଦେଇଛନ୍ତି ।

ତୁ ଧିରେ ସୁସ୍ଥେ ତୋ କାମ କର । ତୁ ସରକାରୀ ଚାକିରୀରେ ପଶିବା ପୂର୍ବରୁ ଅର୍ଥାତ୍ ତୋ ଟ୍ରେନିଂ ସମୟରେ ମୁଁ ସେ ଦିହିଁଙ୍କର ହାତକୁ ଦି’ହାତ କରାଇ ଦେବି । ଏ ନିପଟ ମଫସଲକୁ କୋଉ ସରକାରର ଆଖି ଯିବ । ତା’ ଛଡ଼ା ଗାଁମାନଙ୍କରେ ଏବେ ବି ବାଳୁତ ବିବାହ ପ୍ରଥା ଚାଲୁ ରହିଛି । ବିଶେଷ କରି ବ୍ରାହ୍ମଣ ଘରେ ।

ଠିକ୍ କହୁଛନ୍ତି ବାପା । ସେଇଥିପାଇଁ ତ ଦୁଇ ନାନୀଙ୍କର ବିବାହ ଆପଣ ସାତ ବର୍ଷ ବୟସରେ ସମ୍ପର୍ଣ୍ଣ କରିଥିଲେ । ଜଣେ ବାର ବର୍ଷ ବୟସରେ ମା’ ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲା, ଅନ୍ୟଜଣକ ପନ୍ଦର ବର୍ଷ ବୟସରେ ପତିହରା ଦୁଃଖ । ହେଲେ ଜଣେ ନାନୀଙ୍କର ବିବାହ ସମୟକୁ ମୁଁ ଜନ୍ମ ହୋଇ ନ ଥିଲି ଅନ୍ୟର ବିବାହ ସମୟକୁ ମାତ୍ର କେଇ ମାସର । କୋମଳ ମତି ବାଳିକାମାନଙ୍କ ଉପରେ ବିବାହର ଗୁରୁ ଚାପ ଦେଇ ସମାଜ ଅପରାଧ କରୁଛି । ମୁଁ ଏହା କଦାଚିତ୍ ହେବାକୁ ଦେବିନି । ତା’ ଛଡ଼ା, ଏସବୁ ତ ମୁଁ ଆପଣଙ୍କଠାରୁ ଶିକ୍ଷା କରିଛି । ସରକାରଙ୍କ ସହ ମିଶି ବିଧବା ବିବାହ ପ୍ରଥାର ପ୍ରସାର କରୁଥିବା ସମୟରେ ନିଜ ଝିଅ (ନାନୀ)ର ଦ୍ୱିତୀୟ ବିବାହ କରାଇ ନ ପାରିଥିଲେ ବୋଲି ଆଜି ମଧ୍ୟ ଅନୁତପ୍ତ ।

ଏଥର ବାପାଙ୍କ ସ୍ୱର ଟିକିଏ ଚଢ଼ା ଶୁଣାଗଲା “ହଁ, ମୁଁ ବିଧବା ବିବାହ ଏବଂ ଅସବର୍ଣ୍ଣ ବିବାହର ପ୍ରସାର କରୁଥିଲି । ତା’ ଛଡ଼ା ଅସ୍ପୃଶ୍ୟତା ଭେଦଭାବ ଦୂର କରାଇବା ପାଇଁ ବଡ଼ ବଡ଼ ନେତାମାନଙ୍କ ସଙ୍ଗେ ମିଳିତ ହୋଇଥିଲି । ତା’ର ପ୍ରଧାନ କାରଣ ଥିଲା, ସେତେବେଳେ ମୋ ପାଖେ ଅପର୍ଯ୍ୟାପ୍ତ ଧନ ଥିଲା । ଆବଶ୍ୟକ ପଡ଼ିଲେ ଅର୍ଥ ବିନିମୟରେ ଲୋକମାନଙ୍କୁ କିଣି ପାରିଥାଏ । ଆଜି ମୁଁ ପଥର କାଙ୍ଗାଳ । କିଏ କାହିଁକି ମୋ କଥା ଆଡ଼େ କାନ ଦେବ । ତେଣୁ ମୁଁ ସ୍ଥିର କରିଛି, ଆସନ୍ତା ମାଘ, ଫଗୁଣରେ ଏକ ଭଲ ତିଥି ସ୍ଥିର କରି ଦୁଇଜଣଙ୍କର ବିବାହ ଏକ ଦିନରେ ସମ୍ପର୍ଣ୍ଣ କରିବି । ସେ ଦୁହେଁ ଆଶ୍ରମର ଋଷି କନ୍ୟା । ବୈଦିକ ମତରେ ପାଣି ଗ୍ରହଣ ହେବ । ସେଥିପାଇଁ କିଛି ଜାକଜମକର ଆବଶ୍ୟକତା ନାହିଁ । ତେଣୁ ବିନା ଅର୍ଥବିନିମୟରେ ଏଇ ଶୁଭକାମ ଦ୍ୱୟ ସମ୍ପର୍ଣ୍ଣ ହୋଇଯିବ । ଏଇ ଅଳ୍ପଦିନ ମଧ୍ୟରେ ମୋ ହାତରେ ବହୁ ପ୍ରସ୍ତାବ ଏକାଠି ହେଲାଣି । ଆଉ ଦୁଇତିନି ମାସରେ ନିଶ୍ଚୟ ବହୁତ କିଛି ଭଲ ଭଲ ପ୍ରସ୍ତାବ ଆସିଯିବ । ଝିଅ ଦି’ଟାଙ୍କୁ କ’ଣ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବି । ଭଲ ଘର, ଭଲ ବର ଦେଖି ବାହା ଦେବି । ତମେମାନେ କେହି ମୋ କାମରେ ଅଯଥାରେ ବାଧା ଦେଇପାରିବନି ।”

କେହି ଦେଉ ନ ଦେଉ ମୁଁ ନିଶ୍ଚିନ୍ତ ଭାବେ ଦେବି । ସେ ଦୁହେଁ ଆପଣଙ୍କର ଗେହ୍ଲା ଝିଅ ହେଲେ ମୋର ମଧ୍ୟ ଅଲୀଅଳି ଭଉଣୀ । ମୁଁ ଦୁହିଁଙ୍କୁ ମୋ ପାଖକୁ ନେଇଯିବା ପାଇଁ ଆସିଛି ।

ନେଇଯିବା କଥା ଶୁଣି ବାପାଙ୍କ ଗଳା ନରମ ହେଲା । କହିଲେ, “ନିଜର କିଛି ଠିକ୍ ହୋଇନି । ଏ ଦୁହିଁଙ୍କୁ ନେଇ ଦହଗଞ୍ଜ ହେବୁ ସିନା ।”

ବିଶେଷ ସୂତ୍ରରୁ ଜଣାପଡ଼ିଛି ପୁରୀ ପାଇଁ ମୋର ଟ୍ରେନିଂ ଅର୍ଡର ଆସିବ । ଅଫିସ୍ ପାଖାପାଖି ଭଡ଼ାଘର ଖଣ୍ଡେ ନେଇଯିବି । ଆପଣ ତ ଦୁହିଁଙ୍କୁ ଏତେ ସର୍ବଗୁଣ ସମ୍ପର୍ଣ୍ଣା କରିଦେଇଛନ୍ତି ଯେ ସେମାନେ ମୋ ଦେଖା ରେଖା କରିବେ ନା ମୁଁ ତାଙ୍କର । ତେଣୁ ମୋର କିଛି ଅସୁବିଧା ହେବନି ।

ଏ ଭିତରେ ବଡ଼ନନାଙ୍କ ପାଖରେ ମୋଡ଼ା ମୋଡ଼ି ହୋଇ ରଖା ଯାଇଥିବା ଏକ ଖବର କାଗଜର କିୟତାଂଶ ଉପରେ ମୋ ଆଖି ପଡ଼ିଲା । ଟେବୁଲ୍ ଉପରୁ ଉଠାଇ ଜୋର୍ ଜୋର୍‌ରେ ପଢ଼ିବା ଆରମ୍ଭ କଲି ।

ସର୍ବଗୁଣ ସମ୍ପର୍ଣ୍ଣା ଦୁଇଟି ଋଷି କନ୍ୟା, ପ୍ରିୟମ୍ୱଦା, ଅନସୂୟାଙ୍କ ପାଇଁ ବରପାତ୍ର ଆବଶ୍ୟକ । ଦୁହିଁଙ୍କର ସୁନ୍ଦରତା ଏବଂ ସୁଚାରୁତାର ବର୍ଣ୍ଣନା ଅନାବଶ୍ୟକ ।

ଯୋଗାଯୋଗ :-

ଲକ୍ଷ୍ମୀନାରାୟଣ ଆଶ୍ରମ
ଗ୍ରାମ:- ତଳିହା, ପୋ:- ରାମବାଗ
ଜି:- କଟକ ।

ଧୀର ସ୍ୱରରେ ବଡ଼ନନାଙ୍କୁ ଚାହିଁ କହିଲି, “ପ୍ରିୟମ୍ୱଦା ନାନୀ, ଅନସୂୟା ନାନୀ କାଳିଦାସଙ୍କ ରଚିତ ଅଭିଜ୍ଞାନ ଶକୁନ୍ତଳାମ୍ କାବ୍ୟର ଶକୁନ୍ତଳାଙ୍କର ସଖୀ ନୁହଁନ୍ତି ତ !”

ନା. . . ନା. . . ଏସବୁ ପୁରାଣ କଥା ନୁହେଁ ।

ତେବେ ଏ ନାନୀ ଦୁଇଜଣ କେଉଁଠି ରହନ୍ତି ? ସେ ଦୁହେଁ କେଉଁଠି ରହନ୍ତି ? ସର୍ବଗୁଣ ସମ୍ପର୍ଣ୍ଣା ଅର୍ଥାତ୍ ଆମେ ମଧ୍ୟ ତାଙ୍କଠାରୁ କିଛି ଶିକ୍ଷା ଲାଭ କରିପାରିବୁ ।

ତୁ ଭିତରକୁ ଯା’, ନାନୀକୁ କହିବୁ ମତେ ଭୋକ ହେଲାଣି, ଖାଇବା ଲଗାଇବାକୁ (ବାଢ଼ିବାକୁ) କହ । ମୋ ହାତରୁ କାଗଜ ଖଣ୍ଡକ ନେଇ ବଡ଼ନନା କହିଲେ ।

ତା’ପରେ

To Top