ସାହାଡ଼ା ସୁନ୍ଦରୀ

Dr Anita Panda

ଆଧ୍ୟାତ୍ମିକ ମାର୍ଗରେ ଚାଲୁଥିବା ମଣିଷକୁ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତ ହୁଏ । ମାତ୍ର ଏଇ ମାର୍ଗ ପ୍ରାପ୍ତ କରିବାକୁ ହେଲେ ରଜୋଗୁଣ ଏବଂ ତମୋଗୁଣ ତ୍ୟାଗ କରିବାକୁ ହୁଏ ।

ସାହାଡ଼ା ସୁନ୍ଦରୀ

-: ପୂର୍ବରୁ :-

ଆମ ଗାଁରେ ଜଗନ୍ନାଥଙ୍କ ବିଷୟରେ ଆଲୋଚନା କରୁଥିଲେ ମଧ୍ୟ ବାପାଙ୍କ ମୁହଁରୁ ମୁଁ କେବେ ଶୁଣି ନଥିଲି, ସେ ସବୁବେଳେ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କ ପ୍ରତ୍ୟକ୍ଷତା ବିଷୟରେ ବହୁ କିଛି କହନ୍ତି, ଏଇ କେତେଦିନ ହେଲା ସେ ପୁରୀ ଗୌଡ଼ୀୟ ମଠ ଏବଂ ମହନ୍ତମାନଙ୍କ ବିଷୟରେ ବହୁ ଆଲୋଚନା କରୁଛନ୍ତି । ମହନ୍ତ କ’ଣ ବୋଲି ପ୍ରଶ୍ନ କଲେ ଉତ୍ତର ଦିଅନ୍ତି ସେମାନେ ଆଧ୍ୟାତ୍ମିକବାଦୀ ମଣିଷ । ଆଧ୍ୟାତ୍ମିକ ମାର୍ଗରେ ଚାଲିବା ଏକ କଠିନ କାମ । ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ କରିବାକୁ ହେଲେ କଠୋର ସାଧନା କରିବାକୁ ପଡ଼ିଥାଏ । ଆଧ୍ୟାତ୍ମିକ ମାର୍ଗରେ ଚାଲୁଥିବା ମଣିଷକୁ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତ ହୁଏ । ମାତ୍ର ଏଇ ମାର୍ଗ ପ୍ରାପ୍ତ କରିବାକୁ ହେଲେ ରଜୋଗୁଣ ଏବଂ ତମୋଗୁଣ ତ୍ୟାଗ କରିବାକୁ ହୁଏ । ସାଧାରଣ ମଣିଷ ପକ୍ଷେ ଏଇ ଗୁଣ ଦୁଇଟି ତ୍ୟାଗ କରିବା ସମ୍ଭବ ନୁହେଁ । ଯେଉଁମାନଙ୍କ ଦ୍ୱାରା ଏହା ସମ୍ଭବ ପର ହୋଇଥାଏ, ସେଇମାନେ ହେଲେ ମହନ୍ତ ବା ମହାପୁରୁଷ । ସେମାନେ ହଜାର ହଜାର ନରନାରୀଙ୍କ ଦୀକ୍ଷା ପ୍ରଦାନ କରି ସେମାନଙ୍କୁ ମୋକ୍ଷ ଲାଭ ଆଡ଼କୁ ପଥ ପ୍ରଦର୍ଶାଇ ଥା’ନ୍ତି । ଅର୍ଥାତ୍ ସ୍ୱର୍ଗ ପ୍ରାପ୍ତ ପାଇଁ ମାର୍ଗ ।

ଏଇମିତି ବ୍ରହ୍ମପୁରୁଷମାନଙ୍କ ବିଷୟରେ ଖୁବ୍ ମନ ତନ ଦେଇ ଶୁଣୁଥିଲା ବେଳେ ମୋର ଆଖି ପଡ଼ିଲା ବାପାଙ୍କ ଟେବୁଲ୍ ଉପରେ ରଖାଯାଇଥିବା ଏକ ପତ୍ରିକା ଉପରେ । ବାପା ହୁଏତ ଏଇ ଦିନେ ଦୁଇଦିନ ହେବ ବହିଟି ଆଣିଛନ୍ତି । ତା’ ନହେଲେ ମୁଁ ତ ବାପାଙ୍କ ଟେବୁଲ୍ ସବୁବେଳେ ଘଣ୍ଟାଚକଟା କରେ । କେବେ ତ ଆଖିରେ ପଡ଼ି ନଥିଲା । ପତ୍ରିକାଟିର ଉପରେ ଦୁଇଟି ବଡ଼ ବଡ଼ ଚକାଡେ଼ାଳା । ବାମ ନାକପୁଡ଼ାରୁ ଲମ୍ୱି ଆସିଛି ଏକ ନୋଥ ସଦୃଶ କିଛି । ବାସ୍ କେବଳ ମୁଣ୍ଡଟିଏ । ଉପରକୁ ଲେଖା ଅଛି “ଜଗନ୍ନାଥ ମହାବାହୁ” । ମନକୁ ମନ ହସି ପକାଇଲି । ଜଗନ୍ନାଥ. . . ଏଇ ତେବେ ଜଗନ୍ନାଥଙ୍କର ମୁଖମଣ୍ଡଳ ମାତ୍ର “ମହାବାହୁ”, ବାହୁ ତ ଦେଖାଯାଉନି, “ମହାବାହୁ”ର ପ୍ରଶ୍ନ କାହିଁ ? ଲେଖକଙ୍କ ସହ କେବେ ଦେଖା ହେଲେ ନିଶ୍ଚୟ ପଚାରିବି ଏଇ ଭୁଲ୍‌ର ରହସ୍ୟ ।

ବହିର ପୃଷ୍ଠା ଆଗ୍ରହ ସହ ଲେଉଟାଇ ଚାଲିଲି, କିଛି ନୂଆ କଥା ଶିଖିବା ଉଦ୍ଦେଶ୍ୟରେ କିମ୍ୱା ଆଉ କିଛି ଭୁଲ୍ ବାଛିବା ପାଇଁ, କହି ପାରିବିନି । ଜଗନ୍ନାଥଙ୍କର କଳା ଚେହେରାଟି ମତେ ବହୁତ ଭଲ ଲାଗୁଥିଲା । ବହି ବନ୍ଦ କରି ଦୁଇ ତିନିଥର ଚେହେରାଟି ଉପରେ ହାତ ବୁଲାଇ ନେଲି । ଜଗନ୍ନାଥ ନିଶ୍ଚୟ ମୁଗୁନି ପଥରରେ । ତେଣୁ ଏତେ କଳା । କାହିଁକି କେଜାଣି ତାଙ୍କ ଦର୍ଶନ ପାଇଁ ମନ ବ୍ୟାକୁଳ ହୋଇ ଉଠିଲା । ଏଇ ସନ୍ତୁଳନ ଭିତରେ ଦୁଇଧାଡ଼ି ଗୀତ ବାନ୍ଧି ଦେଲି :-

“ଜଗା କାଳିଆରେ ଜଗା କାଳିଆ,
ତତେ ଦେଖିବାକୁ ମନ ବାଇଆ ।”

ଆଉ ଥରେ ବହିର ପୃଷ୍ଠା ଲେଉଟାଇଲି । ଆଶ୍ଚର୍ଯ୍ୟରେ ଗୋଟିଏ ସ୍ଥାନରେ ମୋର ଆଖି ଲାଖି ରହିଲା । ଯେଉ ଜଗନ୍ନାଥଙ୍କୁ ଆମେ ବିଶ୍ୱଦେବତା ରୂପେ ମାନିଛୁ ସେ ଗଢ଼ା ହୁଅନ୍ତି । ତାହା ପୁଣି କାଠରେ । ଆମ ଲକ୍ଷ୍ମୀନାରାୟଣ ତ ଗଢ଼ା ହୋଇନାହାନ୍ତି । ବହୁ ବର୍ଷ ପୂର୍ବେ ଆମର ପୂର୍ବପୁରୁଷ ଏଇ ମୁଗୁନି ପଥର ଦେବତାଙ୍କୁ କେଉଁ ନଦୀ ସ୍ରୋତରୁ ପ୍ରାପ୍ତ କରିଥିଲେ ଜଗନ୍ନାଥଙ୍କ ବିଷୟରେ କିଛି ଜାଣିବା ପାଇଁ ବାପାଙ୍କ ଆଡ଼କୁ ଚାହିଁଲି । ବାପା ତାଙ୍କ ଚେୟାର୍ ଉପରୁ କେତେବେଳେ ଉଠିଯାଇଛନ୍ତି ଜାଣି ପାରିନଥିଲି । କିଛି ଜାଣିପାରିବା ଉଦ୍ଦେଶ୍ୟରେ ମନ ଲଗାଇ ପଢ଼ିବା ଆରମ୍ଭ କଲି । ଜଗନ୍ନାଥ ନିମ୍ୱ କାଠରେ ଗଢ଼ା ହୁଅନ୍ତି । ହୁଏତ ସେଇଥି ଲାଗି ଆମ ପୋଖରୀ କୂଳରେ ଥିବା ନିମ୍ୱଗଛକୁ ବହୁଜଣ ମୁଣ୍ଡିଆ ମାରିବା ଦେଖିଛି । ଆଗ୍ରହ ବଢ଼ିଗଲା । ଆଉ ଟିକିଏ ଆଗକୁ ପଢ଼ିଲି । ଏଇ ନିମ୍ୱଗଛ ପାଖେ ବରୁଣ, ବେଲ ଏବଂ ସାହାଡ଼ା ଗଛ ଥିବା ଅତ୍ୟନ୍ତ ଆବଶ୍ୟକ ।

ବରୁଣ ଆଉ ବେଲ ଗଛକୁ ପୂଜା କରିବାର ଦେଖିଛି । ବିଶେଷ କରି କାର୍ତ୍ତିକ ମାସରେ । ଏଇ ଦୁଇଗଛ ସାମ୍ନାରେ ଆମେ କାର୍ତ୍ତିକ ମାସରେ ପାଞ୍ଚ ମୁରୁଜ ପକାଇଥାଉ । ହେଲେ ଏଇ ସାହାଡ଼ା ଗଛ । ଏହାର ତାତ୍ପର୍ଯ୍ୟ ! ! ବହି ଛାଡ଼ି ରାଧାନାନୀ (ପିଉସୀ ନାନୀ)ଙ୍କ ପାଖକୁ ଅଣନିଶ୍ୱାସୀ ହୋଇ ଧାଇଁଲି ।

“କ’ଣ ହେଲାରେ ? ଏମିତି ଅତରଛିଆ ହୋଇ ଦଉଡ଼ିଛୁ ଯେ ।” କହିଲେ ରାଧାନାନୀ ।

ସାହାଡ଼ା ଗଛର ମାହାତ୍ମ୍ୟ !

ତୁ ସାହାଡ଼ା ସୁନ୍ଦରୀ ଗପ ଶୁଣିନୁ ?

ଶୁଣିଛି ଯେ, ସେ ତ ସୁନ୍ଦରୀ ଝିଅଟିଏ, ଯିଏ ନିଜର ସୁନ୍ଦର ବାଳ ପାଇଁ ପ୍ରସିଦ୍ଧ ।

ରାଧାନାନୀ ବୋଧେ ଆଗକୁ କିଛି କହିବାକୁ ଯାଉଥିଲେ, ମାତ୍ର ବାପାଙ୍କ ଡାକରେ ମୁଁ ଆଉଥରେ ଦଉଡ଼ି ଦଉଡ଼ି ଚଉପାଢ଼ୀ ଘରକୁ ଆସିଗଲି ।

ସବୁଦିନ ସକାଳେ ଦାନ୍ତକାଠି ରଖି ମତେ ପଚାରୁଥାଉ ନା, ମୁଁ କାହିଁକି ସାହାଡ଼ା ଦାନ୍ତକାଠିରେ ଦାନ୍ତ ଘଷେ, ନିମ ଦାନ୍ତକାଠି କାହିଁକି ନୁହେଁ ? ନେ, ଖବର କାଗଜ ପଢ଼ । ସବୁ ଜାଣିଯବୁ ।

ବାପାଙ୍କ ହାତରୁ ଖବର କାଗଜଟା ନେଇ ମନ ଲଗାଇ ପଢ଼ି ବସିଲି । ସାହାଡ଼ା ଗଛର ଉପକାରିତା । ଆଉ ଥରେ ନିଜକୁ ସଜାଡ଼ି ନେଇ ବସି ପଢ଼ିବା ଆରମ୍ଭ କଲି ।

୧) ସାହାଡ଼ା ଦାନ୍ତକାଠିରେ ପ୍ରତିଦିନ ଦାନ୍ତ ଘଷିଲେ ଦାନ୍ତ ସୁସ୍ଥ ସବଳ ରହେ ।

୨) ଛୋଟ ସାହାଡ଼ା ଗଛର କଅଁଳିଆ ପତ୍ରରୁ ରସ ବାହାର କରି ଗୁଆଘିଅ ଏବଂ ଚିରେଇତା ଗୁଣ୍ଡ ସହିତ ସେବନ କଲେ ରକ୍ତଚାପ ହ୍ରାସ ହୁଏ, ଶ୍ୱାସ ରୋଗ ମଧ୍ୟ ଭଲ ହୋଇଥାଏ ।

୩) ସାହାଡ଼ା ଗଛର ଛେଲିକୁ ଗୁଣ୍ଡ କରି ମହୁ ସହ ଖାଇଲେ ଅର୍ଶ ଭଲ ହୋଇଥାଏ ।

୪) ସାହାଡ଼ ଛେଲି କାଞ୍ଜି ପାଣିରେ ସିଝାଇ ପାନ କଲେ ବାତ ରୋଗରୁ ମୁକ୍ତି ମିଳିଥାଏ ।

୫) ସାହାଡ଼ା ମଞ୍ଜି ଏବଂ ନିମ୍ୱ ପତ୍ର ଦୁହିଁଙ୍କୁ ଶୁଖାଇ ଗୁଣ୍ଡ କରି ମହୁ ସଙ୍ଗେ ମିଶାଇ ଖାଇଲେ କାଛୁ, କୁଣ୍ଡିଆ, ଯାଦୁ, ବ୍ରଣ ପ୍ରଭୃତି ଚର୍ମରୋଗରୁ ମୁକ୍ତି ଲାଭ ମିଳିଥାଏ ।

୬) ସାହାଡ଼ା ଗଛର ମଞ୍ଜିକୁ ଗୋମୂତ୍ର ସହିତ ବାଟି ଧଳା ଛଉ ଉପରେ ପ୍ରଲେପ ଦେଲେ ଧଳା ଛଉ ଧିରେ ଧିରେ ଲିଭିଯାଏ ।

କାଗଜ ହାତରେ ଧରି ଅଜାଣତରେ ମୋ ପାଟିରୁ ବାହାରି ପଡ଼ିଲା “ଗୁରୁଭାଇ” ।

ଆଉ ଥରେ ନିଜକୁ ଦୃଢ଼ କରି ମନକୁ ମନ କହିଲି, ତୁମକୁ ଏ କଥା ଜଣାନଥିଲା ଗୁରୁଭାଇ । ସାହାଡ଼ା ସୁନ୍ଦରୀର ଦାନରେ ତୁମ ଧଳାଛଉ ସବୁ ଉଭେଇ ଯିବ । ସମାଜ ତୁମକୁ କୁଷ୍ଠରୋଗୀ କହି ଆଉ ବାଛନ୍ଦ କରିବନି । ତୁମେ ମୋର ସୌମ୍ୟ ଗୁରୁଭାଇ । ତୁମକୁ ସାହାଡ଼ା ସୁନ୍ଦରୀ ସଦୃଶ ଅନିନ୍ଦ୍ୟା ସୁନ୍ଦରୀ ପ୍ରାପ୍ତ ହେବ ।

ତା’ପରେ

To Top